Unknown

 

 

 

 

 

 

 

 

 

ରକ୍ତରାଗ

ଦେବେଶ ଦାସ

ଅନୁବାଦ

କମଳାକାନ୍ତ ଦାଶ

 

 

 

 

 

 

 

 

 

 

 

 

 

—ମାତୃଭୂମି ପାଇଁ ଜୀବନବଳୀ ଦେଇଥିବା ଅଗଣିତ ସୈନିକଙ୍କ ସ୍ମୃତିରେ—

 

ଏ ବହିର କଥା

 

“ବିଶ୍ଵ-ପୁସ୍ତକ ପ୍ରଦର୍ଶନୀରେ ଭାରତୀୟ ସାହିତ୍ୟ ସମ୍ମାନିତ”, ଏହି ଶିରୋନାମା ନେଇ ପି.ଟି.ଆଇ. ଏହି ସମ୍ବାଦ ପରିବେଷଣ କରିଛନ୍ତି ସେ ‘ରକ୍ତରାଗ’ ଭାରତୀୟ ସାହିତ୍ୟକଙ୍କ ରଚିତ ଏକମାତ୍ର ଉପନ୍ୟାସ; ଯାହା ଜର୍ମାନୀ ଭାଷାରେ ଅନୁବାଦିତ ହୋଇ ବିଶ୍ଵପୁସ୍ତକ ପ୍ରଦର୍ଶନୀରେ ପ୍ରଦର୍ଶିତ ହେଇ ବିପୁଳଭାବରେ ସମ୍ମାନିତ ହୋଇଛି । ଚେକୋସ୍ଲୋଭାକିଆ ପ୍ରଭୃତି ଦେଶମାନଙ୍କର ମଧ୍ୟ ‘ରକ୍ତରାଗ’ ପ୍ରଚୁର ପ୍ରଶସ୍ତି ଲାଭ କରିଛି ।

 

ସାମରିକ ବ୍ୟାପାର ସମ୍ବନ୍ଧରେ ଆମ୍ଭମାନଙ୍କର ଯାହା କିଛି ପରିଚୟ ତାହା ସେକାଳର ଇଂରେଜି କ୍ଲାସିକାଲ୍ ଉପନ୍ୟାସ ମାଧ୍ୟମରେ । ଆଧୁନିକ ଷ୍ଟ୍ରାଟାଜି (Stratagy) ଆମ୍ଭମାନଙ୍କୁ ଆଦୌ ଜଣାନାହଁ । ନେତାଜୀଙ୍କ ପରିଚାଳିତ ସୈନ୍ୟଦଳର ବିବରଣୀ ଜାଣିବାପାଇଁ ଖୁବ୍ କୌତୂହଳ ଥିଲା । ‘ରକ୍ତରାଗ’ରେ ତା’ର (ଭିଭିଡ଼୍) ଜୀବନ୍ତଚିତ୍ର ଦେଖି ଆନନ୍ଦିତ ଓ ବିସ୍ମିତ ମଧ୍ୟ ହୋଇଛନ୍ତି ବୋଲି ସାହିତ୍ୟ-ଗୁରୁ ରାଜଶେଖର ବସୁ ଲେଖିଛନ୍ତି । ବର୍ତ୍ତମାନ ରୀତିନୀତିର ନବୀନତମ ସ୍ଵରୁପ ଭାରତୀୟ ଭାଷାରେ ଏହି ଗ୍ରନ୍ଥ ପ୍ରଥମ ଦେଖାଇଅଛି ଏବଂ ନବ୍ୟଶିକ୍ଷିତ ଭାରତବାସୀର ସାମରିକ ଗୌରବକୁ କଳ୍ପନା ରଙ୍ଗରେ ଚିତ୍ରିତ କରି ଲେଖକ ତାଙ୍କର ଜ୍ଵଳନ୍ତ ଦେଶପ୍ରେମ ପ୍ରମାଣ କରିଛନ୍ତି ବୋଲି ଲେଖି ଅଭିନନ୍ଦନ ଜଣାଇଛନ୍ତି ଐତିହାସିକ—ଶ୍ରେଷ୍ଠ ଆଚାର୍ଯ୍ୟ ଯଦୁନାଥ ସରକାର ।

 

ଭାରତବାସୀ ପକ୍ଷରେ ସୁଦୁର୍ଲ୍ଲଭ ସାମରିକ ପରିବେଶର କଠୋର ଆସନରେ ବସି କଠିନ ତପସ୍ୟା କରିଛନ୍ତି ଲେଖକ । ପ୍ରବୀଣ ସାହିତ୍ୟକ ଉପେନ୍ଦ୍ରନାଥ ଗଙ୍ଗୋପାଧ୍ୟାୟଙ୍କ ଭାଷାରେ ସେହି କଠିନ ତପସ୍ୟା ଫଳରେ ବଙ୍ଗ-ସାହିତ୍ୟ ହୋଇଛି ଗୋଟିଏ ଅନନ୍ୟସାଧାରଣ ସମ୍ପଦ ଏବଂ ସମଗ୍ର ଭାରତୀୟ ସାହିତ୍ୟ ପାଇଛି ଏହି ପ୍ରଥମ ପ୍ରତ୍ୟକ୍ଷ ଯୁଦ୍ଧର ପରିବେଶରେ ରଚିତ ଉପନ୍ୟାସ–କଥା ସାହିତ୍ୟର ଅଗ୍ରଗତି ପଥରେ ଗୋଟିଏ ସର୍ଥକ ଦିଗ୍ଚିହ୍ନରୁ ବଳିଷ୍ଠ ମୂଲାସ୍ଵୀକୃତି ଦେଇଛନ୍ତି (ଗଳ୍ପଭାରତୀ) ଭାରତୀୟ ସୈନ୍ୟବାହିନୀର ସର୍ବାଧିନାୟକ ରାଷ୍ଟ୍ରପତି ଗଜେନ୍ଦ୍ର ପ୍ରସାଦ । ଯେ ଲେଖିଛନ୍ତି ଯେ ଏହି ବହିରେ ଦେଶ ଏବଂ ବିଶେଷତଃ ଆମର ସୌନିକବୃନ୍ଦ ଦିଗ୍ଦର୍ଶନ ପାଇବେ ଓ ଖାଣ୍ଟି ସୈନିକର ଆଦର୍ଶ ସେମାନଙ୍କ ସମ୍ମୁଖରେ ପ୍ରତିଭାତ ହେବ । ଭାରତର ପ୍ରାୟ ସବୁ ଭାଷାରେ ଅନୁବାଦିତ ‘ରକ୍ତରାଗ’ ସେହି ଉଦ୍ଦେଶ୍ୟରେ ସାମରିକ ଅଫିସର ଓ ସୈନ୍ୟମାନେ ପାଠ କରିବା ବାଞ୍ଛନୀୟ ବୋଲି ଗୋଟିଏ ଇଣ୍ଡିଆନ୍ ଆର୍ମି ଆର୍ଡ଼ର ପ୍ରକାଶିତ ହୋଇଛି ଏବଂ ଭାରତର ବିଭିନ୍ନ ସେନାଛାଉଣୀରେ ଏହି ବହି ରଖାହୋଇଛି ।

 

ରହସ୍ୟ ଉପନ୍ୟାସଠାରୁ ରୋମାଞ୍ଚକର (ପ୍ରବାସୀ) । ଏହି ବହି ପଢ଼ିବା ଫଳରେ ତୁଷାରାବୃତ୍ତ କାଶ୍ମୀର ସୀମାନ୍ତର ସେନାଶିବିରରେ ଉଷ୍ଣ ଅନୁପ୍ରେରଣାର ସ୍ରୋତ ବହିଯାଇଛି ବୋଲି ଖବରକାଗଜରେ ପ୍ରକାଶିତ ହୋଇଛି । ଭାରତୀୟ ସାମରିକ ତଥା ଅସାମରିକ ଏହି ଦୁଇ ଜୀବନରେ ‘ରକ୍ତରାଗ’ ହେଉଛି ପ୍ରଥମ ଲେଖା, ଯାହା ଏକ ନୂତନ ଜଗତ ଆଡ଼କୁ ନିବିଡ଼ଭାବେ ନେଇଯାଏ ଓ ଅବିସ୍ମରଣୀୟ ଅଭିଜ୍ଞତା ଆଣିଦିଏ (ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼) । ଜାତିର ବୃହତ୍ତର ଆକାଙ୍କ୍ଷା, ମହତ୍ତର ପ୍ରଚେଷ୍ଟା, ଜୀବନ ଓ କର୍ମରେ ବଳିଷ୍ଠ ପଦକ୍ଷେପ, ଯାହା ଇଉରୋପୀୟ ସାହିତ୍ୟକୁ ବରଣୀୟ କରିଛି, ତା’ର ରୂପ ଆଜିସୁଦ୍ଧା ଆମ ସାହିତ୍ୟକୁ ଆସିନାହିଁ । କିନ୍ତୁ ‘ରକ୍ତରାଗ’ ତାର ପ୍ରଥମ ସୂଚନା ଦେଇଛି ଓ ଆମ୍ଭମାନଙ୍କ ମନର ବନ୍ଧ୍ୟାମାଟିକୁ ଉର୍ବର କରି ଦେଇଛି (ଯୁଗାନ୍ତର) । ଏହି ଅସାମାନ୍ୟ ଉପନ୍ୟାସଟି ତ ଆମ୍ଭେମାନେ ଅସାମରିକ୍ୟ ଏହି ବଦ୍‍ନାମକୁ ଦୂର କରିଦେବ (ଅମୃତ ବଜାର) ଏବଂ ଭାରତୀୟ ସାହିତ୍ୟର ସମ୍ମାନ ବୃଦ୍ଧି କରିବ (ଆନନ୍ଦ ବଜାର) । ବିଶ୍ଵସାହିତ୍ୟରେ ରେମାର୍କଙ୍କ ଉଲ୍ଲେଖଯୋଗ୍ୟ ଉପନ୍ୟାସ ଏହି ପ୍ରସଙ୍ଗରେ ବାରମ୍ବାର ମନେପଡି଼ବ (ଦେଶ) !

 

ସ୍ୱାଧୀନତାର ଇତିହାସରେ ନେତାଜୀ ସମ୍ପର୍କିତ ଏକ ଅପୂର୍ବ ଅଧ୍ୟାୟର ଗଳ୍ପ ବୋଲି ନୁହେଁ, ଶାଶ୍ଵତ ମାନବ ମନର ଚିରନ୍ତନ କାତରତା ଓ ବେଦନା ମଧ୍ୟ ଏଥିରେ ପରିସ୍ଫୁଟ (ଭାରତବର୍ଷ) ହୋଇ ବଙ୍ଗ ସାହିତ୍ୟକୁ ପୁଷ୍ପ କରିଛି ଏବଂ ଲେଖକଙ୍କ ସୁନିପୂଣ କୃତିତ୍ୱ ଘୋଷଣା କରୁଛୁ (ବସୁମତି) । ନିଖିଳ ଭାରତୀୟ ବେତାରରେ କୁହାହୋଇଛି ଯେ, ଲେଖକ ଗୋଟିଏ ଜାତୀୟ କର୍ତ୍ତବ୍ୟ ଯୋଗୁଁ ଧନ୍ୟବାଦର ପାତ୍ର ହୋଇଛନ୍ତି ।

 

ନିଖିଳ ଭାରତର ବହୁ ସାହିତ୍ୟପତ୍ରିକା ବିଭିନ୍ନ ଭାଷାରେ ଏହି ବହିର ଅନୁବାଦକୁ ଉଚ୍ଛ୍ଵସିତ ସ୍ଵାଗତ ଜଣାଇଛନ୍ତି । ଏରିକ ମାରିଆ ରେମାର୍କଙ୍କ ‘ଅଲ୍ କ୍ୱାଇଟ ପନ୍ ବି ଉଏଷ୍ଟାର୍ଣ୍ଣ ଫ୍ରଣ୍ଟ’ ଓ ଟଲଷ୍ଟୟଙ୍କ ‘ଉଆର ଏଣ୍ଡ୍ ପିସ୍’ ହେମିଙ୍ଗଙ୍କ ‘ଏ ଚେୟାରଉଏଲ୍ ଟୁ ଆର୍ମସ୍’ ପ୍ରଭୃତି କ୍ଲାସିକାଲ୍ ଉପନ୍ୟାସମାନଙ୍କ ବିଶ୍ୱଜନୀନ ସାମରିକ ଆସ୍ୱାଦ ଏହି ବହି ଭାରତୀୟ ଭାଷାରେ ପ୍ରଥମ ଆଣିଦେଇଛି ବୋଲି ସେମାନେ ଅଭିନନ୍ଦନ ଜଣାଉଛନ୍ତି । ବିଭିନ୍ନ ଇଉରୋପୀୟ ଭାଷାରେ ‘ରକ୍ତରାଗ’ ଅନୁବାଦ ସେ ସ୍ଵାର୍ଥକତାକୁ ସ୍ଵୀକୃତି ଚିହ୍ନ ଦେଇଛି ।

☆☆☆

 

ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ

୧୫-୧୨-୧୯୫୬

 

ଶ୍ରୀ ଦେବେଶ ଦାସ, ଇଣ୍ଡିଆନ ସିଭିଲ ସର୍ଭିସ୍‍ର ଜଣେ ଉଚ୍ଚ ପଦାଧିକାରୀ । ନିଜ ଉଚ୍ଚପଦର କର୍ତ୍ତବ୍ୟକୁ ପୂର୍ଣ୍ଣଭାବେ ସମ୍ପନ୍ନ କରି ମଧ୍ୟ ସେ ବଙ୍ଗ ସାହିତ୍ୟର ରସ ଗ୍ରହଣ କରନ୍ତି ଓ ତହିଁର ସମୃଦ୍ଧି ପାଇଁ ସକ୍ରିୟ ସହଯୋଗିତା କରନ୍ତି ଏବଂ ଏହିଭଳି ଭାବେ ସ୍ୱନାମଧନ୍ୟ ବଙ୍କିମଚନ୍ଦ୍ର ଚାଟାର୍ଜି, ରମେଶଚନ୍ଦ୍ର ଦତ୍ତ, ଦ୍ଵିଜେନ୍ଦ୍ରଲାଲ ରାୟ ପ୍ରଭୃତି ସାହିତ୍ୟିକମାନଙ୍କର ଐତିହ୍ୟକୁ ଏ ମହାଶୟ ଏ ଯୁଗରେ ଅବ୍ୟାହତ ରଖିଚନ୍ତି ।

 

‘ରକ୍ତରାଗ’ ମୂଳଗ୍ରନ୍ଥ ବଙ୍ଗଭାଷାରେ ଲେଖା ହୋଇଥିଲା ଏବଂ ତହିଁର ହିନ୍ଦି ସଂସ୍କରଣ ମଧ୍ୟ ସମ–ସମୟରେ ପ୍ରକାଶିତ ହେଉଛି—ଏହା ଅତି ଆନନ୍ଦର କଥା । ରାଷ୍ଟ୍ରଭାଷା ପ୍ରତି ଏ ମମତା ଏବଂ ପ୍ରେମ ପ୍ରଶଂସନୀୟ ।

 

ଏ ବହି ସାମରିକ ପଟ୍ଟଭୂମିକା ଘେନି ଉପନ୍ୟାସରୂପେ ଲେଖା ହୋଇଅଛି । ସାମରିକ ଜୀବନ ସର୍ବସାଧାରଣ ନିକଟରେ ଏକପ୍ରକାର ରହସ୍ୟ ହୋଇରହିଅଛି । ସେହି ଜୀବନ ଉପରେ ଏ ବହି ଆଲୋକପାତ କରୁଅଛି । ମୁଁ ଆଶାକରେ ଯେ, ଏହାଦ୍ଵାରା ଦେଶ ଏବଂ ବିଶେଷଭାବେ ଆମ ସୈନିକମାନେ କିଛି ଦିଗ୍‍ଦର୍ଶନ ଲାଭ କରିପାରିବେ ଏବଂ ଖାଣ୍ଟି ସୈନିକର ଆଦର୍ଶ ସେମାନଙ୍କ ସମ୍ମୁଖରେ ପ୍ରତିଭାତ ହେବ ।

 

ରାଜେନ୍ଦ୍ର ପ୍ରସାଦ

 

 

 

 

 

 

 

 

 

 

 

 

 

ସ୍ଵର୍ଗତ ଡକ୍ଟର ରାଜେନ୍ଦ୍ର ପ୍ରସାଦ

 

ଭୂମିକା

 

ହଠାତ୍ ଦୁଆର ଖୋଲି ଜଣେ ଇଂରେଜ ଜେନେରାଲର ମୁହଁ ଉଙ୍କି ମାରିଲା । ‘ଠୁକ୍ ଠୁକ୍’ । ଶଦ୍ଦ ସଙ୍ଗେ ସଙ୍ଗେ ମିଲିଟାରୀ ଇଉନିଫର୍ମ ପରିହିତ ଜେନେରାଲ ଘର ଭିତରକୁ ପଶି ଆସି ଛିଡ଼ାହେଲେ । ତାଙ୍କ ଆଖିରେ ଭୟ ଏବଂ ମୁହଁରେ ଚୁରୁଟ୍ । ଇଉନିଫର୍ମର କଡ଼ା ଇସ୍ତ୍ରୀ ଏବଂ କଣ୍ଠର ସ୍ଵର ଠିକ୍ ଖାପ ଖାଉନାହିଁ । ବୁଝିଲି ଘଟନାଟି ଗୁରୁତର । ଟେବୁଲ ଆରପଟକୁ ସାମ୍ନାରେ ପଡ଼ିଥିବା ଚଉକିଖଣ୍ଡିକୁ ନୀରବଭାବେ ଦେଖାଇଦେଲି; ଅର୍ଥାତ୍ ଟିକିଏ ଅପେକ୍ଷା କରନ୍ତୁ । ଇତ୍ୟବସରେ ହାତରେ ଥିବା ଫାଇଲଟାର କାମ ସାରିନିଏଁ ।

 

କିନ୍ତୁ ସେତିକି ଟିକିଏ ସମୟ ପାଇଁ ବସିରହିବା ଜେନେରାଲ ସାହେବଙ୍କ ପକ୍ଷେ କଠିନ-। ଟୋପିଟିକୁ ମୁଣ୍ତ ଉପରେ ଠିକ୍ କାଇଦା ମାଫିକ ବାଗେଇ ରଖିବାକୁ ସେ ଭୁଲିଯାଇଛନ୍ତି । ଆଉ ମଧ୍ୟ ମୁନିଆ ନିଶହଳକୁ ସ୍ନେହଭରେ ମୋଡ଼ିଦେବାକୁ ଭୁଲିଯାଇଛନ୍ତି । ଅତଏବ ପଚାରିଲି, “ହ୍ଵାଟସ୍ ଅପ୍ ? ଅର୍ଥାତ୍ ବ୍ୟାପାରଟା କଅଣ ?”

 

ଓଠ କାମୁଡ଼ି ସେ ଖୁବ୍ ସଂକ୍ଷେପର କହିଲେ—‘ଅଲସ୍ ଆପ୍’—ଅର୍ଥାତ୍ ‘ସବ୍ କୁଛ ଖତମ୍’ ।

 

ଡନକର୍କରୁ ସମୁଦ୍ର କୂଳରେ ସମସ୍ତ ସୈନ୍ୟ ଏବଂ ସାଜସରଞ୍ଜାମ ସହିତ ବେଧଡ଼କ ହାରିଯାଇ ସୁଦ୍ଧା ସେମାନେ ପରାଜୟ ସ୍ଵୀକାର କରିନାହାନ୍ତି । ଲଣ୍ଡନ ବୋମାରେ ଛିନ୍‍ଛତ୍ର ହୋଇଯାଇଥିଲେ ମଧ୍ୟ ନିଜ ଟାଣପଣିଆର ଟେକ ରଖିଥିଲେ । ଜର୍ମାନରେ ବର୍ତ୍ତମାନ ପ୍ରତ୍ୟାକ୍ରମଣ ଆରମ୍ଭ କରିଦେଇଛନ୍ତି । ତଥାପି କହୁଚନ୍ତି—ସବ୍‍କୁଛ ଖତମ୍ ।

 

ତା’ହେଲେ ଅନ୍ତତଃ ଦୁଇ କପ୍ କଫି ଅଣାଯାଉ ?

 

ଘଣ୍ଟା ଟିପିବାର ସଙ୍ଗେ ସଙ୍ଗେ ଜେନେରାଲ ଉଠିଯାଇ ଅଫିସ ଘରର କବାଟଟା ଭିତରଆଡ଼ୁ ନିଜେ ବନ୍ଦ କରିଦେଲେ । ଅର୍ଥାତ୍‍ କଫି ନୁହଁ, କେବଳ କାମ; କେବଳ ଗୁପ୍ତ ପରାମର୍ଶ ।

 

ଫୁସ୍ ଫୁସ୍ ହୋଇ ଜେନେରାଲ କହିଲେ—ପନ୍ ଇଓର ଗଡ଼—ଆପଣଙ୍କୁ ଈଶ୍ଵରଙ୍କ ଦ୍ୱାହି । ବର୍ତ୍ତମାନ ଆପଣଙ୍କୁ ଆମେମାନେ ବିଶ୍ୱାସ କରି ଯେଉଁ ଗୁପ୍ତ ଖବରଟି ଦେଉଚୁଁ, ତାକୁ ଏକାବେଳକେ ଗୁପ୍ତକରି ରଖିବାକୁ ହେବ । କାଲି ସକାଳୁ ଦେଖିବେ ଖବରକାଗଜରେ ଗୋଟାଏ ଅଦ୍ଭୁତ ଖବର ବାହାରିବ । ଜାପାନୀମାନେ ମଣିପୁରୀ ନାଗାପାହାଡ଼ ଆକ୍ରମଣ କରି ଦେଇଛନ୍ତି; କିନ୍ତୁ ଦେଶସାରା ସମସ୍ତେ କେବଳ ଏତିକିମାତ୍ର ଜାଣିବେ । ଲଢ଼େଇ ଇଲାକା ବାହାରେ ଓ ପଛରେ ଆପଣ ଏକମାତ୍ର ଜାଣିବେ ଯେ— ।

 

ଏତିକି କହି ଜେନେରାଲ କିଛି ସମୟ ପାଇଁ ନୀରବ ରହିଲେ । ଅଳ୍ପ କିଛି ମୋ ମୁହଁଆଡ଼କୁ ଅନାଇଲେ । ହସି ହସି କହିଲି—ହୋମ୍ ଡିପାର୍ଟମେଣ୍ଟରେ ଏତେବର୍ଷ କାମ କରି ଏବଂ “ଷ୍ଟିଲ୍ ଫ୍ରେମର”

 

(ଇସ୍ପାତ୍-ଖୋଳର) ସଭ୍ୟ ହୋଇ ପେଟଟି ‘ବ୍ୟାଙ୍କ୍ ଅଫ୍ ଇଂଲାଣ୍ଡ ଭଲ୍‍ଟ’ (ଗର୍ଭଗୃହ ତୁଲ୍ୟ) ନିରାପଦ ହୋଇଯାଇଛି । ସ୍ୱଚ୍ଛନ୍ଦରେ କହିପାରନ୍ତି ।

 

କ୍ଷମା ମାଗି ସେ କହିବାକୁ ଆରମ୍ଭ କଲେ । ଜି.ଏଚ୍. କ୍ୟୁ. ଠାରୁ ସେ ସମସ୍ତ ଖବରକାଗଜପତ୍ର ଆପଣଙ୍କ ପାଖକୁ ଆସିଛି । କାଗଜପତ୍ରର ଅବଶ୍ୟ କୌଣସି ଚିହ୍ନବର୍ଣ୍ଣ ରଖାଯାଇନାହିଁ । ନିଷ୍କପଟ ଭାବେ ଘଟନାଟି ଖୋଲି କହୁଚି ।

 

ଚୁରୁଟ୍ଟା ସେତେବେଳକୁ ପୋଡ଼ି ପାଉଁଶ ହୋଇଗଲାଣି ।

 

କିନ୍ତୁ ମୋ ମନ ଭିତରେ ନିଆଁ ଲାଗିଗଲା ।

 

ଏକା ଜାପାନୀ ନୁହେଁ, ତାଙ୍କ ସଙ୍ଗରେ ଆଇ.ଏନ୍.ଏ. ମଧ୍ୟ ଆସିଛନ୍ତି । ଆପଣମାନଙ୍କ ସୁଭାଷ ବୋଷଙ୍କ ଦ୍ଵାରା ସଙ୍ଗଠିତ ଏବଂ ତାଙ୍କରି ନେତୃତ୍ଵରେ ଅନୁପ୍ରାଣିତ ସୈନ୍ୟଦଳ । ସେ ଖବର ଆମେମାନେ କୌଣସି ଭାରତୀୟଙ୍କୁ ଜଣାଇଦେବାକୁ ଚାହୁଁନା । କାରଣ ଅବଶ୍ୟ ବୁଝିପାରୁଥିବେ ।

 

—କିନ୍ତୁ କେତେଦିନ ଘୋଡ଼ାଇ ରଖିପାରିବେ ? ଯୁଦ୍ଧରେ ଆହତ ଲୋକେ ତ ଆମ୍ବୁଲେନ୍‍ସ ଦ୍ୱାରା ଫ୍ରଣ୍ଟପଛକୁ ଫେରି ଆସିବେ ।

 

—ନା, ସେମାନେ ଆସିବେ ନାହିଁ । ସେମାନଙ୍କୁ ଅଣାଯିବ ନାହିଁ । ତା’ଛଡ଼ା, ମଣିପୁର–ଡିମାପୁର ରାସ୍ତା ବେଦଖଲ ହୋଇଯାଇଛି ।

 

—ତେବେ ?

 

କିନ୍ତୁ ଏରୋପ୍ଳେନ୍ ଦ୍ଵାରା ଆଇ.ଏନ୍.ଏ. ଫିଙ୍ଗିଥିବା ଇସ୍ତାହାର ଛବିଗୁଡ଼ିକ ଦିଲ୍ଲୀ ପଠାଯାଉଛି । ଏମାନଙ୍କର ବକ୍ତବ୍ୟ କଅଣ, କଅଣ କହି ଏମାନେ ଲୋକଙ୍କ ନିକଟରେ ନିଜର ଆବେଦନ ଜଣାଉଛନ୍ତି, ସଙ୍ଗେ ସଙ୍ଗେ ସେକଥା ଆମର ଜାଣିବା ଦରକାର । ଯେଉଁ ସବୁ ଲୋକେ ସରକାରୀ କାର୍ଯ୍ୟମଧ୍ୟରେ ଥାଇ ଏସବୁ ଘଣ୍ଟାଘଣ୍ଟି କରନ୍ତି, ସେମାନଙ୍କୁ ବର୍ତ୍ତମାନ ତାହା ଆମେ ଦେବାକୁ ଚାହୁଁନା । ତା’ଛଡ଼ା ଆମେମାନେ ସଙ୍ଗେ ସଙ୍ଗେ ମୁହାଁମୁହିଁ ସବୁ ଜାଣିବାକୁ ଚାହୁଁ । ନାଲିଫିତାର ଗତାନୁଗତିକ ପନ୍ଥା ଅନୁସାରେ ଚଳିବାକୁ ଗଲେ ନିଶ୍ଚୟ ସମୟ ଲାଗିବ । ସେତକ କିନ୍ତୁ ଆମ ହାତରେ ନାହିଁ । ‘ଦି ସାଣ୍ଡସ୍ ଅଫ୍ ଟାଇମ୍ ଆର ରନିଂ ଆଉଟ୍’—ତିଳ ତିଳ ହୋଇ ସବୁ ଶେଷ ହୋଇଆସୁଚି ।

 

ତାଳ ତାଳ ଛବି, ଇସ୍ତାହାର, ଆବେଦନପତ୍ର ବଙ୍ଗଳା, ହିନ୍ଦୀ, ଇଂରେଜୀ ଆଦି ନାନା ଭାଷାରେ ତା ପୋର୍ଟଫୋଲିଓରୁ ବାହାରିବାକୁ ଲାଗିଲା । ସେହି ଦୁଃସହଅଗ୍ନିର ତା’ପରେ ପୂର୍ଣ୍ଣ ଦିନଟିର ସ୍ମୃତିଟି କଅଣ—କେବଳ ସ୍ୱପ୍ନ, ନା ସତ୍ୟ !

 

ତା’ ପୂର୍ବରୁ ତିନି ଚାରିବର୍ଷ ଭାରତର ଅନ୍ତରୀଣ ‘ୟାକସିସ୍ ଇଣ୍ଟରଣୀ’; ଅର୍ଥାତ୍, ଜର୍ମାନୀ, ଜାପାନୀ, ଇତାଲୀୟ ବନ୍ଦୀମାନଙ୍କ ସଙ୍ଗେ ସେମାନଙ୍କ କ୍ୟାମ୍ପଜୀବନର ପ୍ରତ୍ୟକ୍ଷ ନିବିଡ଼ ପରିଚୟ ଲାଭ କରିଚି । ସେମାନଙ୍କ ବନ୍ଦୀଜୀବନରେ ସାନବଡ଼ ଖୁଣ୍ଟିନାଟି କଥାଟି ପର୍ଯ୍ୟନ୍ତ ତଦାରଖ କରିଚି, କେବଳ ସେତିକି ନୁହେଁ, ଧରାପଡ଼ିବାର ପୂର୍ବ ଘଟନା, କାହାଣୀ, ପଳାୟନର ଚେଷ୍ଟା, ପୁଣିଥରେ ଦୂରଦୂରାନ୍ତରରେ ଧରାପଡ଼ିଯିବାର କେତେ ପ୍ରକାରର ବୈଚିତ୍ର୍ୟ, ମାନବତା, ଅମାନୁଷିକତା ଆଦି ସବୁ ବିଷୟ ଜାଣିଚି । ଆସାମ, ବର୍ମାର ସୀମାନ୍ତରେ ଯୁଦ୍ଧର ଚିହ୍ନ ଯେଉଁସବୁ ଇଲାକା ମଧ୍ୟରେ ପଡ଼ିରହିଚି, ସେସବୁ ସ୍ଥାନରେ ମୋର ପଦଚିହ୍ନ ପଡ଼ିଚି.। ମନର ଦାଗ ପଡ଼ିଚି ।

 

ଆଉ ଆଉ ୧୯୪୨ ମସିହାଠାରୁ ଆଜାଦ୍ ହିନ୍ଦ୍ର ଅସ୍ଥିତ୍ଵର ଶେଷସମୟ ପର୍ଯ୍ୟନ୍ତ କେବେ ନା କେବେ ନିଷିଦ୍ଧ ବେତାରଯନ୍ତ୍ରରେ ନେତାଜୀଙ୍କର ଆହ୍ଵାନ ଓ ଆଜାଦ୍‍ହିନ୍ଦ୍ ସରକାରର ସମ୍ବାଦ ଲୁଚେଇ ଚୋରେଇ ଶୁଣିନାହାନ୍ତି, ଏଭଳି ଲୋକ ଆମ ମଧ୍ୟରେ କାହାରିକୁ ଖୋଜି ପାଇବେ ନାହିଁ ।

 

ସବୁଠାରୁ ଅଧିକ ମୂଲ୍ୟବାନ ମାଲମସଲା, ଯୁଦ୍ଧ ଦପ୍ତରର ଗୁପ୍ତ କାଗଜପତ୍ର ମଧ୍ୟରେ, ଏକତ୍ର କରି ରଖାଯାଇଛି; କିନ୍ତୁ ତହିଁମଧ୍ୟରୁ ଅଳ୍ପ କିଛି କିଛି ଛପାବହିରେ ପ୍ରକାଶ ପାଇଚି । ବିଲାତରେ ପ୍ରକାଶିତ ଇଂରାଜି ବହି ଏବଂ ଘଟଣାପଞ୍ଜିକାରେ ଆଇ. ଏନ. ଏ.ର ପ୍ରାୟ ସବୁ ଖବର ପାଇବାକୁ ମିଳିବ । ଲାଲ୍‍କିଲ୍ଲାର ଇତିହାସପ୍ରସିଦ୍ଧ ବିଚାର ସମୟରେ ଅନେକ ଖବର ବାହାରିଚି । ସେମାନେ ଆହୁରି ଅନ୍ୟାନ୍ୟ ସୂତ୍ର ମଧ୍ୟରେ ଆଲୋକର ଶିଖା ଦେଖିଛନ୍ତି ।

 

ତା’ଠାରୁ ବଡ଼କଥା ହେଲା—ସାମାରିକ ଜୀବନ ସଙ୍ଗେ କାନ୍ଧ ଘଷାଘଷି ହୋଇ ଚଳାଚଳ ହୋଇ ଏବଂ ଯୁଦ୍ଧର ଆଇନ୍‍କାନୁନ ମୋତେ ଅନେକ କଳ୍ପନା ଓ ତଥ୍ୟ ଯୋଗାଇଚି ଏବଂ ଦେଖାଇଦେଇଚି ଅନେକ ତଥ୍ୟଠାରୁ ବଡ଼ ସତ୍ୟ; ଅର୍ଥାତ୍ ମାନବତା ଦୃଷ୍ଟିରେ ଦେଖିବା ମଣିଷର କଥା । ଏ କାହାଣୀଟି ପୂରାପୂରି ଭାବେ ଉପନ୍ୟାସ । ଚରିତ୍ରଗୁଡ଼ିକ କାଳ୍ପନିକ । ଯେଉଁମାନେ ଇତିହାସ ମଧ୍ୟରେ ସ୍ଥାନ ପାଇଛନ୍ତି, ସେମାନଙ୍କ ବିଷୟରେ ଅବଶ୍ୟ ଲେଶମାତ୍ର କଳ୍ପନା ମିଶାଯାଇନାହିଁ । ଘଟଣାଗୁଡ଼ିକ, ଏଭଳି କି ଖଣ୍ଡଯୁଦ୍ଧଗୁଡ଼ିକ ପର୍ଯ୍ୟନ୍ତ ସତ୍ୟ—ସାହିତ୍ୟ ମାଧ୍ୟମରେ ରୂପାନ୍ତରିତ ସତ୍ୟ ।

 

ଦେବେଶ ଦାସ

☆☆☆

 

ଏକ

 

ମିଲିଟାରି ମେସରେ ବିଦାୟ ଉତ୍ସବ । କାଲି ଭୋର ଏମାନେ ସମସ୍ତେ ଯୁଦ୍ଧ ଉଦ୍ଦେଶ୍ୟରେ ଚାଲିଯିବେ । କେଉଁଠାକୁ ଯିବେ, ବର୍ତ୍ତମାନ ସୁଦ୍ଧା କେହି ଜାଣି ପାରିନାହାନ୍ତି ।

 

ତୁମର ଗୃହିଣୀ ଠିକ୍‍ଠାକ୍ ଅଛି ତ ଲେଫ୍‍ଟନ୍ୟାଣ୍ଟ ସିହ୍ନା ?

 

ହଠାତ୍ ଯଦି ହଲଘରେ ବଜ୍ର ଛିଡ଼ିପଡ଼ନ୍ତା, ତେବେ ମଧ୍ୟ ଏକଦମ ନୂଆ ମିଲିଟାରି ଅଫିସର ସିହ୍ନା ବୋଧହୁଏ ଏତେଦୂର ଚମକି ଉଠନ୍ତା ନାହିଁ । ଚଟପଟ ସେ ନିଜ ଛାତିଟାକୁ ପେଲିଦେଇ ବେକକୁ ଉଞ୍ଚା କରି ସାଲ୍ୟୁଟ କଲା । ସ୍ୱୟଂ ବ୍ରିଗେଡ଼ିୟାର ସମ୍ମୁଖରେ ଦଣ୍ଡାୟମାନ । ଗୁରୁଗମ୍ଭୀର ସ୍ୱରରେ ସେ ପଚାରୁଛନ୍ତି—ତୁମର ଗୃହିଣୀ ଠିକ୍‍ଠାକ୍ ଅଛି ତ ଲେଫ୍ଟନ୍ୟାଣ୍ଟ ସିହ୍ନା ?

 

ଗୃହିଣୀ ? ସାର୍ ? ନୋ ସାର୍ । ଗୃହିଣୀ ?

 

—ହଠାତ୍ ଦେବଳ ଏହିଭଳି ଭାବେ କହି ଉଠିଲା ।

 

—ହଁ ହଁ, ଆଇ ମିନ୍ ଇଓର ହାଜିଫ୍ ।

 

—ସାର୍, ମୁଁ, ମୁଁ ତ ବିବାହ କରିନି !

 

—ବ୍ରିଗେଡ଼ିୟାର ସାହେବଙ୍କର ସାଢ଼େ ଛଅଫୁଟ ଲମ୍ବର ବେତପରି ଦେହଟା ସତେ ଯେମିତିକି ସହାନୁଭୂତିରେ ସାମାନ୍ୟ କୁଜା ହୋଇଗଲା । ଖାଣ୍ଟି ଇଂରେଜ–ଚେହେରା । ନକ୍‍ନକିଆ ପତଳା ଡେଙ୍ଗା ଶରୀର ଉପରେ ଲମ୍ବାହୋଇ ସୁନ୍ଦର ମୁହଁଟି ବେଶ୍ ମାନୁଚି । ଅତି ଯତ୍ନରେ ଲାଳିତପାଳିତ ହଳେ ନିଶ ଏବଂ ତାହାରି ପାଖଦେଇ ଦୁଷ୍ଟ ହାସ୍ୟରେଖା ଖେଳି ଯାଉଚି । ଜବରଦସ୍ତ ନାମଯାଦା ତିନିତିନିଟା ବ୍ୟାଟେଲିୟନର ମୋଟାମୋଟି ତିନି ହଜାର ଯୁଆନ ଏବଂ ଅଫିସର ଏହି ହାସ୍ୟରେଖାଟିକୁ ଖୁବ୍ ଭଲଭାବେ ଚିହ୍ନିଚନ୍ତି । ତିନି ତିନି ଜଣ ଲେଫ୍‍ଟନ୍ୟାଣ୍ଟ୍ କର୍ଣ୍ଣେଲ ଏହି ହାସ୍ୟରେଖାର ଠେଲା ଖାଇ ବ୍ୟତିବ୍ୟସ୍ତ ।

 

ସେହି ହସଟି ଅଧଫୁଟ ନିଚରେ ଥିବା ଲେଫ୍‍ଟନ୍ୟାଣ୍ଟ ସିହ୍ନାଙ୍କ ଉପରକୁ ଆଉଟିକେ ନଇଁପଡ଼ିଲା । ବ୍ରିଗେଡ଼ିୟର କହି ଉଠିଲେ—ନେଭର ମାଇଣ୍ଡ ଓଲଡ଼ ବୟ (ହେ ବୁଢ଼ା ପିଲା, କିଛି ଭାବନା କରନାହିଁ) ବିବାହ ତୁମେ କର ବା ନକର, ଗୃହିଣୀଟିଏ ତୁମକୁ ରଖିବାକୁ ହିଁ ହେବ ।

 

ବିଚରା ଦେବଳ ସିଂହ ଅଧିକ ହଡ଼ବାଡ଼େଇ ଯାଇ ତଳକୁ ମୁହଁପୋତି ଛିଡ଼ାହେଲା; କିନ୍ତୁ ଉତ୍ତର ତାକୁ ଦେବାକୁହିଁ ହେବ ଯେ ! ଗୋଟିଏ ଇଣ୍ଡିପେଣ୍ଡେଣ୍ଡ୍ ସବ୍ଏରିଆର (ଗୋଟିଏ ସ୍ୱତନ୍ତ୍ର ଅଞ୍ଚଳର) ସର୍ବାଧିକାରୀ କମାଣ୍ଡର ହେଉଚନ୍ତି ବ୍ରିଗେଡିୟାର l ସେ ଯଦି କହନ୍ତି ବିବାହ କର ବା ନକର ତୁମକୁ ଗୃହିଣୀ ରଖିବାକୁହିଁ ପଡ଼ିବ—ତେବେ ବିଷୟଟା ସମ୍ପୂର୍ଣ୍ଣ ମାରାତ୍ମକ ହୋଇ ଛିଡ଼ାହେବ । ଏଇ ସବୁ ମାରାତ୍ମକଚାପ ହେତୁ ବୋଧହୁଏ ବଙ୍ଗାଳୀ ଭଦ୍ରଲୋକ ଘରର ପିଲାଏ ମିଲିଟେରିରେ ଯୋଗଦେଉନଥିଲେ । ବାବା, ସବୁ ସହିବାକ ରାଜ, ମାତ୍ର “ନୋ ଭେକେନ୍‍ସି” ନୋଟିସ ଟଙ୍ଗା ହୋଇଥିବା ସାହେବ–ଘର ସମ୍ମୁଖରେ ଧାରଣା ଦେବାକୁ ଯେମିତି ନପଡ଼େ । ତଦ୍ଦ୍ୱାରା ଶେଷକୁ ଚରିତ୍ର ଘେନି ଭିଡ଼ାଓଟରା ହେବ କିଏ ?

 

ଏଥି ମଧ୍ୟରେ ବ୍ରିଗେଡିୟାରଙ୍କ କଣ୍ଠସ୍ୱର ପୁଣି ଥରେ ମସ୍ତିଷ୍କ ମଧ୍ୟରେ ଗୋଳମାଳ ସୃଷ୍ଟି କରିଦେଲା । ସେ ହୁକୁମ ଦେଲେ—ଯାଅ, ଶୀଘ୍ର ଗୃହିଣୀର ବନ୍ଦୋବସ୍ତ କର । କ୍ଵାଟରରେ ତୁମେ ବର୍ତ୍ତମାନ ମାଷ୍ଟରକୁ ପାଇବ ନାହିଁ; ତେଣୁ ସବୁ ସନ୍ଧାନ କ୍ୟାଣ୍ଟିନ୍ ମେନେଜରଠାରୁ ପାଇପାରିବ । ତୁମ ଯୁଦ୍ଧ ପୋଷାକର ବୋତାମ ପ୍ରତି ଟିକିଏ ନଜର ରଖ ।

 

ସିହ୍ନା ସଲାମ କରି ହଲ ଘର ଭିତରକୁ ଚାଲି ଯାଉଥିଲା l ଅନ୍ୟାନ୍ୟ ଅଫିସରମାନେ ଚାରିପାଖେ ଭିଡ଼ ବାନ୍ଧି ଛିଡ଼ାହୋଇଚନ୍ତି । ସମସ୍ତେ ପ୍ରାୟ ଇଂରେଜ । ନିତାନ୍ତ ଏହି ମହାମାରୀ ଲଢ଼େଇର କଲ୍ୟାଣରୁ ଆର୍ମି (ଯୁଦ୍ଧ ବିଭାଗ) ରେ ଅନେକ ଦେଶୀଲୋକଙ୍କୁ ଅଫିସରରୂପେ ଗ୍ରହଣ କରିବାକୁ ପଡ଼ୁଚି; ତିନୋଟି ମାତ୍ର ପଞ୍ଜାବୀ ଏବଂ ଜଣେ ମାତ୍ର ରାଜସ୍ଥାନୀ । ନାଆଁଟି ତାର ରବୀନ୍ଦ୍ର ମିଶ୍ର । ଇଂରେଜମାନେ ତାକୁ ପ୍ରିୟ ବୁଲବୁଲି ରବିନ୍ ପକ୍ଷୀ ବୋଲି ଡାକନ୍ତି ।

 

ଏଭଳି ଶଙ୍କଟରେ ପଡ଼ି ଦେବଳ କାହାରି ଆଡ଼କୁ ଚାହିଁ ପାରିଲା ନାହିଁ । ଜଣ ଜଣ ହୋଇ ମେସ ଘର ଭିତରୁ ବାହାରି ଆସୁଛନ୍ତି । ଏହି ସମୟରେ ପୁଣିଥରେ ବ୍ରିଗେଡିୟରଙ୍କ କଣ୍ଠସ୍ୱର ଶୁଣାଗଲା—ତୁମେ ମେନେଜରଙ୍କୁ କହିବ, ଆଜି ଯେମିତି ହେଉ ତୁମପାଇଁ ଗୋଟିଏ ହାଫିଜ ପ୍ରକ୍ୟୋର (ଗୃହିଣୀ ଯୋଗାଡ଼) କରିଦେବେ ।

 

ଦେବଳର ମନହେଲା—ସତେକି ତାହାରି ଆଡ଼କୁ ଚୋରାଚାହାଣି ପକାଇ ଅନେକ ଲୋକ ମୁରୁକିହସା ଦେଉଚନ୍ତି । ତେତେବେଳେ ଯଦି ରାତ୍ରିର ଅନ୍ଧକାର ଦୟା କରିନଥାଆନ୍ତା, ତେବେ ସମସ୍ତେ ଦେଖିଥାଆନ୍ତେ ଯେ, ବିଚରା ସିହ୍ନାଙ୍କର ଦୁଇଟିଯାକ କାନ ବିଲାତିବାଇଗଣର ବର୍ଣ୍ଣ ପରି ରଙ୍ଗା ପଡ଼ିଯାଇଛି ।

 

ଏ ଅବସ୍ଥାରେ ଦେବଳ କଅଣ କରିବ ? କାଲି ଭୋର କେଉଁ ଫ୍ରଣ୍ଟଆଡ଼କୁ ସେମାନଙ୍କ ବ୍ରିଗେଡକୁ ଚାଲିଯିବାକୁ ପଡ଼ିବ ତାହା ଜଣାନାହିଁ; ତେଣୁ ଆଜି ରାତିରେ ବିଦାୟ ଭୋଜିର ବନ୍ଦୋବସ୍ତ ଚାଲିଚି । ଏଭଳି ଅବସ୍ଥାରେ ନିଜକୁ ତ ବୋକା କିମ୍ବା ବେଅକଲି ବୋଲି ପରିଚୟ ଦେଇ ହେବ ନାହିଁ ! ସମସ୍ତେ ବଦ୍‍ନାମ କରି କହିବେ—ଚିରକାଳର ଭୟାଳୁ ସୈନ୍ୟଦଳରେ ପ୍ରବେଶ କରି ସୁଦ୍ଧା ଏବେ ବି ପୂର୍ବପରି ଭୀରୁ ତାର୍କିକ କିମ୍ବା କାପୁରୁଷ ହୋଇ ପଡ଼ିରହିଚି । “ସଫରିଙ୍ଗ୍ ଫ୍ରମ କୋଲ୍ଡ଼ ଫିଟ୍” ସମସ୍ତେ ନିଶ୍ଚୟ କହି ଉଠିବେ—ଡରେ ଛାନିଆ ହୋଇଯାଇଛି ।

 

ଠିକ ସେଇଥିପାଇଁ ପଳାୟନ କରିବା ମଧ୍ୟ ସମ୍ଭବ ହେଉ ନାହିଁ । ପଳାଇଗଲେ “ଡେଜାଟର” (ପଳାତକ) ବୋଲି ତାର ଭିଡ଼ା ଓଟରା ଚାଲିବ; କୁଆଡ଼େ ବା ପଳାଇବ ?

 

କିନ୍ତୁ ଚାରିଆଡ଼େ ଏତେ ସିପାହୀ ଓ ଅଫିସର । କାହିଁ ସେମାନଙ୍କ ଭିତରୁ ଏଭଳି କିଛି ଖରାପସ୍ଵଭାଵ ଚରିତ୍ରର ମନୁଷ୍ୟ ବୋଲି କେହିତ ମନେ ହୁଏ ନାହିଁ । ବିଶେଷ କଥା ହେଲା ସେ ଏବଂ ତାହାପରି ଅନ୍ୟ ଯେଉଁମାନେ ଆସି ମିଲିଟାରିରେ ବ୍ରିଟିଶ ସୈନ୍ୟ ଓ ଅଫିସରରୂପେ ଯୋଗ ଦେଇଛନ୍ତି, ସେମାନେ ସମସ୍ତେ ନ୍ୟାସନାଲ୍ ସର୍ଭିସ୍ ଆକ୍ଟର ନିୟମ ମାନି ନିଜ ନିଜ କାର୍ଯ୍ୟ ଛାଡ଼ି ଏଦିଗକୁ ଆସିଚନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଘରେ ପିଲାପିଲି ଅଛନ୍ତି । ମିଲିଟାରିରେ ଯୋଗ ଦେଇଛନ୍ତି ବୋଲି ସେମାନେ ଯେ ‘ଜଙ୍ଗି-ରକ୍ଷିତା’ ରଖିଛନ୍ତି, ସେ କଥା ତ ମନେ ହୁଏନାହିଁ ! ଆକ୍ଟ ବ୍ରିଗେଡିୟାର ସାହେବ ବି ଏ ପ୍ରକାରର ଲୋକ ଯେ, ସମସ୍ତଙ୍କ ସମ୍ମୁଖରେ ମୁହେଁ ମୁହେଁ ଯାହାକୁ ରକ୍ଷିତା ବୋଲାଯାଏ, ତାହାରି କଥା କହିପକାଇଲେ । ଏଣୁ ତେଣୁ କେତେ କିଏ ନିୟନ୍ତ୍ରିତ ମହିଳା ବି ଏଥିମଧ୍ୟରେ ଆସି ପହୁଞ୍ଚି ଯାଇଛନ୍ତି । ଏ କଥା ଶୁଣି ସେମାନେ କିଏ କଅଣ ଭାବୁଥିବେ-! ସତେ କି ଘଟନାଟା ଗୋଳମାଳିଆ ଧରି ଯାଉଚି ।

 

ବାଁ ହାତର ମଣିବନ୍ଧ ଉପରେ ଦେବଳ ରିଷ୍ଟୱାଚଟାକୁ ଚାପିଧରିଲା । ଏହି ଘଡ଼ିଟିର ତଳ ଢାଙ୍କୁଣି ଭିତରେ ଗୋଟିଏ ଛୋଟ ଛବି ଅଛି । କିଛି ଗୋଟାଏ ଗୋଳମାଳ ସୃଷ୍ଟି ହୋଇଗଲେ ଏଇ ଛବିଟି ହିଁ ତାକୁ ସାନ୍ତ୍ଵନା ଦେବ ଏବଂ ସାହାଯ୍ୟ କରିବ । ସେ ତ ଏକା ହୋଇ ନାହିଁ !

 

ଆଜିର ଶେଷରାତ୍ରିଟା ଖୁବ ଯାକଜମକରେ କାଟିବ । କାଲି ସକାଳୁ “ଷ୍ଟ୍ରାଇକ୍ ଦି ଟେଣ୍ଡ”–ଅର୍ଥାତ ତମ୍ବୁ ଗୋଟେଇବା କଥା । ଏତେଦିନ ବିତିଲା ମିଲିଟାରି ଟ୍ରେନିଂ ଓ ଡିଭିଜନ ପ୍ରସ୍ତୁତିରେ-। ବିଭିନ୍ନ ଘାଟିମାନଙ୍କରୁ ବାର ଚୌଦ ହଜାର ସୈନିକ ଆସି ଗୋଟିଏ ଇଲାକାରେ ହାଜର ହୋଇଛନ୍ତି । କିଏ କୁଆଡ଼େ ଯିବ ତାର ଖବର କେହି ଜାଣନ୍ତି ନାହିଁ; କେବଳ ଯାତ୍ରା କରିବାର ଆଦେଶଟି ଆସି ଯାଇଚି । ବାକୀ ରହିଲା କୌଣସି ଗୋଟିଏ ଦେଶକୁ ଯାଇ ମରିବା ଓ ମାରିବା ପାଇଁ ଆଦେଶ । ସୈନିକ ଜୀବନରେ ସେତିକି ମାତ୍ର ଖବର ଯଥେଷ୍ଟ ।

 

ସେଥିଲାଗି ଦେବଳ କିଛି ଚିନ୍ତା କରିନାହିଁ । ହାତଘଡ଼ିର ଢାଙ୍କୁଣି ତଳେ ଥିବା ଛବି ମଣିଷଟି ମଧ୍ୟ ସେ କଥା ଚିନ୍ତା କରି ନାହିଁ; କିନ୍ତୁ ସୈନିକ ଜୀବନର ଶେଷ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କେହି କେବେ ଗୃହିଣୀର ଆବିର୍ଭାବ ଲାଗି ପ୍ରସ୍ତୁତ ନଥିଲେ । ଅଫ୍ ଡିଉଟି ସମୟରେ କେହି କେହି ଅବା ନଟବର ଠାଣିରେ ଟୋପି ବା ହେଲମେଟଟିକୁ ତେର୍ଚ୍ଛାଭାବେ ପିନ୍ଧି ସୁସୁରିମାରି ଅନ୍ଧକାର ଭିତରେ ଅଦୃଶ୍ୟ ହୋଇଯାଆନ୍ତି । କ୍ୟାପଟେନ ରାମିଆ ଯେ ଏଠାକାର କୌଣସି ଗୋଟିଏ ଗୃହସ୍ଥ ପରିବାରରେ ସୀତା ଖୋଜି ପାଇଛି—ଏ କଥା ଗୁପ୍ତ ଭାବେ ଶପଥ କରି ସେ ସ୍ୱୀକାର କରିସାରିଛି; କିନ୍ତୁ ଲେଫ୍‍ନାଣ୍ଟ ସିହ୍ନାଙ୍କ ଉପରେ ସମସ୍ତଙ୍କ ସମ୍ମୁଖରେ ଗୃହିଣୀ ଯୋଗାଡ଼ କରିନେବାର ହୁକୁମ ହେଲା ।

 

କ୍ୟାଣ୍ଟିନର ଦ୍ଵାର ଖୋଲା ଥିଲା । ଆଜିର ମେସ୍-ରାତିଟି ବେଶ ବଢ଼ିଆ । ଏବ୍ରିଗେଡ଼ଟି ଏଠାରୁ ଚାଲିଗଲେ ସୁଦ୍ଧା ଏସବୁ ବ୍ୟାରେକ୍ ମଧ୍ୟରେ ନୂଆଦଳ ଟ୍ରେନିଂ ନେବାକୁ ଆସିବେ । ନୂତନ ନେତାଙ୍କ ପାଇଁ କ୍ୟାଣ୍ଟିନଟିକୁ ଭଲଭାବେ ସଜେଇ ନେବାକୁ ହେଉଚି । ଇଂରେଜ ବ୍ୟବସାୟୀଙ୍କ ମନ୍ତ୍ରହେଲା “କଷ୍ଟମର୍ ଇଜ୍ ଅଲ ଉଏଜ୍ ରାଇଟ୍” (ଗ୍ରାହକ ଇଶ୍ଵରଙ୍କ କଥାଟି ଠିକ୍) । ସେ ଆମ୍ଭମାନଙ୍କ ଦେଶୀ ଦୋକାନୀଙ୍କ ପରି ଦୟାକରି ଜିନିଷ ବିକ୍ରି କରନ୍ତି ନାହିଁ । ତେଣୁ ମିଲିଟାରି କେଣ୍ଟିନ୍ର ମେନେଜର ମଧ୍ୟ ଇଂରେଜୀ କାଇଦା ଶିଖିନେଇଛି ।

 

ସେ ଲେଫ୍‍ଟ୍‍ନାଣ୍ଟ ସାହେବଙ୍କୁ ରାତିରେ ଆସିବାର ଦେଖି ଅତି ନିମ୍ନ ସ୍ଵରରେ ଅଭ୍ୟର୍ଥନା କଲେ—ସତେ କି ତାଙ୍କର ଅନେକ ଗୁପ୍ତକଥା କହିବାର ଅଛି । ସେଥିରେ ଦେବଳ ଆହୁରି ଅଧିକ ହଡ଼ବଡ଼େଇ ଗଲା । କଥାଟାକୁ କହିପକାଇବ ନା କ’ଣ ? ମେନେଜର ମଧ୍ୟ ବ୍ରିଗେଡ଼ିୟର ସାହେବଙ୍କ ନିଶ ଷ୍ଟାଇଲ୍ ସଙ୍ଗରେ ମିଳାଇ ନିଜର ନିଶ ହଳକୁ ବାଗେଇ ନେଇଚନ୍ତି । ସତେ କି ଚୌଧୁରୀ ସିଂହ ତାଙ୍କ ସଙ୍ଗେ ନିଜକୁ ସମାନ ଭାବେ ସଜାଉଛନ୍ତି ।

 

ଅନେକ ସମୟ ଇତସ୍ତତ ହୋଇ ଶେଷକୁ କଥାଟି ଖୋଲି କହିବାକୁ ପଡ଼ିଲା । ବ୍ରିଗେଡ଼ିୟର ସାହେବ ଚାହାନ୍ତିଯେ, ଆଜି ରାତି ଭିତରେ ଗୋଟିଏ ଗୃହିଣୀ ଯୋଗାଡ଼ କରିବାକୁ ହିଁ ହେବ । ଛି ଛି କି ଘୃଣାର କଥା ! ଶେଷକୁ ଚରିତ୍ରବାନ କଲେଜଛାତ୍ର ଦେବଳ ସୈନ୍ୟବିଭାଗରେ ପଶି..... ?

 

ଦେବଳକୁ କଥାଟି ଶେଷ କରିବାକୁ ପଡ଼ିଲା ନାହିଁ । ଚୌଧୁରୀ ସିଂହର ନିଶ ଯୋଡ଼ାକ ଏବଂ ଉଦରଟି ଅଟ୍ଟହାସ୍ୟ ସହକାରେ ଏଭଳି ଭାବେ ହଲିବାକୁ ଲାଗିଲା ଯେ ସେ ଏକାବେଳକେ କିଂକର୍ତ୍ତବ୍ୟବିମୁଢ଼ ହୋଇଗଲା । ସତେକି ହାସ୍ୟରୋଳର ଢେଉ ଗୋଟିକ ପରେ ଆଉ ଗୋଟିଏ ଆସି ଦେବଳର ପାଦତଳେ ଥିବା ଭୂଇଁକୁ ଧସେଇ ପକାଇବାକୁ ଲଗିଲା ।

 

ଗୃହିଣୀ ? ଗୃହିଣୀ ଯୋଗାଡ଼ କରିବାକୁ ବ୍ରିଗେଡ଼ିୟର ସାହେବ କହିଛନ୍ତି ? ସେଥିରେ ତୁମର ଚରିତ୍ର ନଷ୍ଟହେବ ? ଇଉ, ଇଉ, ଏଡ଼ୁକେଟେଡ଼୍ ଫୁଲ୍ (ହେ ତୁମ ଶିକ୍ଷିତ ନିର୍ବୋଧ) ଆପଣ ତ ନିଜ ବିଶ୍ୱବିଦ୍ୟାଳୟର ନାମକୁ ବୁଡ଼ାଇଲେଣି । ଇମର୍‍ଜନ୍‍ନି କମିସନର ନାମକୁ ମଧ୍ୟ ବୁଡ଼ାଇ ସାରିଲେଣି । ଛି ! ଏ ସବୁ ହଠାତ୍ ପ୍ରମୋସନ ପାଇଥିବା ଲୋହିତ ମୁଖବଶିଷ୍ଟ ବ୍ୟକ୍ତିମାନେ ଆମ ହିନ୍ଦୁସ୍ଥାନୀଙ୍କ ସମ୍ବନ୍ଧରେ କି ହସଟାଏ ନ ହସିବେ ହେ !

 

ଆହତଭାବେ ଦେବଳ ପଚାରିଲା—କାହିଁକି ? ବ୍ରିଗେଡିୟର ତ ଗୃହିଣୀ କଥା ହିଁ କହିଚନ୍ତି ?

 

ଅଲବତ୍ କହିବେ । ପାଞ୍ଚଶବାର କହିବେ । ଆର୍ମିକୁ ଆସିଚନ୍ତି । ଆଉ ଗୃହିଣୀ କାହାକୁ କହନ୍ତି ଭୁଲିଯିବେ ?

 

ସତକଥା ତ ! ଛି ଛି କି ଲଜ୍ଜାର କଥା ! ଏତେବେଳେ ମନେ ପଡ଼ିଲା ଯେ ଇଉନିଫର୍ମ ଠିକ କରିବା ବେଳକୁ ସମସ୍ତେ ‘ହାଫିଜ୍’ କଥା କହି ଥାଆନ୍ତି । ଛୁଞ୍ଚି, ସୂତା ଆଦି ଜିନିଷ ଯେଉଁ ପାଚିଆରେ ରଖାଯାଏ, ତାକୁଇ ହାଫିଜ୍ କହନ୍ତି । ବନାନଟା ଏକା; କିନ୍ତୁ ଗୃହିଣୀ ନୁହେଁ । ହାଉସ୍–ଉଆଇଫ୍‍ତ ମୋଟେ ନୁହେଁ । ଏତେ ବଡ଼ ଭୁଲଟାଏ ସେ କେମିତି କରି ବସିଲା ! ତା’ହେଲେ କଅଣ ବିସ୍ତୃତି ? ନା, ଦେଶଛାଡ଼ି ମୃତ୍ୟୁସଙ୍ଗେ ଅଭିସାର ପଥରେ ବାହାରି ପଡ଼ିବା ଆଗରୁ ବିଭ୍ରମ-? ନା ଦେଶ ଛଡ଼ା କରିବା ପାଇଁ ଅନ୍ୟ ଗୋଟାଏ ?

 

ଏତେଜଣ ଅଫିସରଙ୍କ ସାମନାରେ ଖୋଲାଖୋଲି ଭାବେ ଥଟ୍ଟା ପରିହାସ ଏବଂ ଏତେଜଣଙ୍କ ମୁରିକିହସା, ଇଉନିଫର୍ମର ବୋତମ ସମ୍ଭାଳିବା ପାଇଁ ବ୍ରିଗେଡ଼ିୟାର ଯେଉଁ ଇଙ୍ଗିତ ଦେଲେ ସେ ସବୁର ସାମନାରେ ତାକୁ ବର୍ତ୍ତମାନ ଛିଡ଼ା ହେବାକୁ ପଡ଼ିବ । ସୈନିକ ଜୀବନରେ ଅନ୍ୟମନସ୍କ ହୋଇ ଭୁଲଭାବେ ପାଦ ପକାଇବା ଅକ୍ଷମଣୀୟ ।

 

ମନଟାକୁ ପ୍ରସ୍ତୁତ କରିନେଇ ସେ ମେସର ହଲଘର ଭିତରକୁ ଫେରି ଆସିଲା । ତେତେବେଳକୁ ‘ପାର୍ଟି’ ଖୁବ୍‍ ଜମି ଆସିଥାଏ; କିନ୍ତୁ ଏହା ଆଡ଼କୁ କାହାରି ନଜର ନାହିଁ । ଜଣେ ଭାରତୀୟର ଅସମ୍ପୂର୍ଣ୍ଣ ଇଂରେଜି ଜ୍ଞାନ ଉଦ୍ଦେଶ୍ୟରେ ଥଟ୍ଟା ପରିହାସ କରିବା କଥା ସେମାନେ ଭୁଲି ଯାଇଛନ୍ତି । ଚରିତ୍ର ହରାଇବା ଭୟରେ ତାର ଆତଙ୍କିତ ହୋଇ ଉଠିବାର ଦୃଶ୍ୟ ସେମାନେ ଭୁଲି ଯାଇଛନ୍ତି । ବର୍ତ୍ତମାନ ଅନ୍ୟ ଗୋଟିଏ ହସକଥା ଉଠିଚି ।

 

ମୁହୂର୍ତ୍ତକ ମଧ୍ୟରେ ଯେଉଁମାନେ ଜୀବନ ଦେଇ ଦେଇପାରନ୍ତି, କୌଣସି ଗୋଟାଏ ବିଷୟ ସେମାନଙ୍କୁ ଅନେକ ସମୟ ଅଟକାଇ ରଖିଲେ ଚଳିବ ନାହିଁ । କାଲି ସକାଳୁ ସେମାନଙ୍କୁ ଅଜଣା ପଥରେ ଯାତ୍ରା ଆରମ୍ଭ କରିବାକୁ ପଡ଼ିବ ଯେ ! ମରଣର ଅଭିସାର ଓ ଜୀବନର ଅଭିଶାପ ପୂର୍ଣ୍ଣ ଦୟାହୀନ, କ୍ଷମାହୀନ ପଥଘେନି ଯାତ୍ରା । ଦେବଳ ଅଧ୍ୟ ସ୍ୱସ୍ତିରେ ନିଶ୍ୱାସ ମାରି ବଞ୍ଚିଗଲା ।

 

କେତେକ ମିଲିଟାରି, ଅଫିସରଙ୍କ ଗୃହିଣୀ ମାନେ ମଧ୍ୟ ଆସିଛନ୍ତି । ସେମାନଙ୍କ ପକ୍ଷେ ଆଜି ବିଦାୟ ରାତ୍ରୀ । ଏହାପରେ ସେମାନେ କୌଣସି ଗୋଟିଏ ଜଣାଶୁଣା ସ୍ଥାନର ମିଲିଟାରି ମହିଳାମାନଙ୍କ ମେସକୁ କିମ୍ବା ନିଜ ନିଜର ଆତ୍ମୀୟ ସ୍ୱଜନମାନଙ୍କ ନିକଟକୁ ଚାଲିଯିବେ । ତା’ ପରେ ଚାଲିବ—ନାମ ଧାମ ଦିଆ ନଯାଇଥିବା କୌଣସି କୌଣସି ମିଲିଟାରି ପୋଷ୍ଟ ଅଫିସରୁ କୌଣସି ଚିଠିପତ୍ର ପାଇବା ଆଶାରେ ଉବ୍ଦିଗ୍ନ ଭାବେ ଅପେକ୍ଷାକରି ରହି ଦିନ ଗଣିହେବା । ହୁଏତ କୌଣସି ଦିନ କାହା ହାତକୁ ଚିଠି ଖୋଳଟିଏ ନ ଆସିବିପାରେ, ନୋହିଲେ ଆସିପାରେ ଗୋଟାଏ ସରକାରୀ ଟେଲିଗ୍ରାମ—କର୍ତ୍ତୃପକ୍ଷ ଅତ୍ୟନ୍ତ ଦୁଃଖର ସହିତ ଜଣାଉଛନ୍ତି.... ।

 

କଅଣ ଜଣାଉଛନ୍ତି, ସେ କଥା ଆଉ ଜାଣିବା ଦରକାର ହେବ ନାହିଁ ।

 

ତେଣୁ ବିଦାୟ–ରାତ୍ରୀଟିକୁ ଟିକେ ସହଜ କରିଦେବା ପାଇଁ ଆଜି କେବଳ ମିଲଟାରୀ ମହିଳାମାନେ ଉପସ୍ଥିତ ହୋଇନାହାନ୍ତି । ସ୍ଥାନୀୟ କେତେଜଣ ବେସରକାରୀ ଅଫିସର ଓ ସେମାନଙ୍କ ଗୃହିଣୀମାନେ ମଧ୍ୟ ଆସି ଉପସ୍ଥିତ ହୋଇଛନ୍ତି । ସମସ୍ତଙ୍କ ସଙ୍ଗରେ ମିଶି ମନଟାକୁ ସତେଜ କରିନେବାକୁ ହେବ ଏବଂ ଭୁଲି ରହିବାକୁ ପଡ଼ିବ । ତେଣୁ ବୋଧହୁଏ କ୍ୟାଣ୍ଟିନମେନେଜର ଆଜି ରଙ୍ଗିନ କାଗଜର ଫିତା ଟାଙ୍ଗି, ବେଲୁନ ଝୁଲାଇ ଘରଖଣ୍ଡିକୁ ସଜାଇ ରଖିଚନ୍ତି ।

 

କଥାରେ କହନ୍ତି— “ଖାନା ପିନା” । କିନ୍ତୁ ଏଠି “ପିନା” ଟା ହିଁ ଆଗରୁ ସରିଚି । ତା’ ସାଙ୍ଗରେ କେତେ ପ୍ରକାରର ଚଟକ ଜିନିଷ ଦିଆଯାଇଚି । କାଜୁ ବାଦାମ ଏବଂ ଆଳୁର ଚକ୍‍ତି ଭଜାତ ଅତି ସାମାନ୍ୟ ଜିନିଷ । କକଟେଲ୍ ସସେଜ୍, ବିଭିନ୍ନ ଡିଜାଇନରେ କଟାଇଥିବା ବିଭିନ୍ନ ମସଲାଗୋଳିଆ ସିଝା ଅଣ୍ଡାର ଖଣ୍ଡ, ‘ଚିଜ୍‍ଷ୍ଟ୍ର’ ଅର୍ଥାତ ଛେନା ଓ ମଇଦାଗୋଳିଆ ଘିଅଭଜା ଖାଡ଼ିଗଜା, ଚାରିକଣିଆ ଛେନାଖଣ୍ଡ ଉପରେ ସଜା ହୋଇଥିବା ସ୍ପେନଦେଶୀୟ ପିଆଜ, ଘିଅଭଜା ଟୋଷ୍ଟର ଛୋଟ ଛୋଟ ଖଣ୍ଡ ଉପରେ ସଜାହୋଇଥିବା ସାଡ଼ିନ ମାଛ । ଆନୁଷଙ୍ଗିକତ ଏତେ, ସ୍ୱୟଂ ବାରୁଣିଦେବୀଙ୍କ ଡାଲା ସଜା ହେଲାବେଳକୁ କେତେଯେ ନୈବେଦ୍ୟ ଦେବାକୁ ପଡ଼ିବ ସେକଥା ସହଜେ ଜଣା ପଡ଼ୁନାହିଁ । ଜୀନ୍ ଏବଂ ହ୍ୱିସ୍କି, ରାମ୍ ଏବଂ ବ୍ରାଣ୍ଡି, ସେରି ଏବଂ ପୋଟ୍ ଏମାନଙ୍କ ନାଆଁ ତ ଆଗରୁ ଜଣାଥିଲା ।

 

କିନ୍ତୁ ଜଖମ୍–ଇର୍‍–ଦିଲ୍ ବସ୍ତୁଟା କି ପଦାର୍ଥ କ୍ୟାପଟେନ୍ “ଜୋ” ଜଣେ ହସକୁରିଆ ଦିଲ୍-ଦରିଆ ଲୋକ । ତାଙ୍କ କାନ୍ଧ ଉପରେ ତିନିଟା ତାରା ଆଉ ଦେବଳର ମୋଟେ ଦୁଇଟା । ସେଥିରେ କିନ୍ତୁ କିଛି ବାଧା ପଡ଼ିଲା ନାହିଁ । ‘ଜୋ’ ଥଟ୍ଟା କରି କହି ଉଠିଲା—ଆଜିର ପାର୍ଟିରେ ଦେବଳ ହେଉଚି “ଡୋ ବୁଟାଣ୍ଟ” । ତାହାରି ସମ୍ମାନାର୍ଥେ ଆସ ଆଜି ସମସ୍ତେ ‘ଜଖମ୍-ଇର-ଦିଲ’ ଖାଇବା ।

 

ବିଲାତର ଝିଅମାନଙ୍କୁ ଯେତେବେଳେ ଢୋଲ ପିଟି ସମାଜ ମଧ୍ୟକୁ ବାହାର କରାଯାଏ, ସେତେବେଳେ ତାଙ୍କୁ କହନ୍ତି ‘ଡେବୁଟାଣ୍ଟ’ । ଥଟ୍ଟା ଶୁଣି ଦେବଳର କାନ ରଙ୍ଗା ପଡ଼ିଗଲା; କିନ୍ତୁ ଆହୁରି ଗାଢ଼ତର ରଙ୍ଗା ଦେଖାଯାଉଥିଲା—ପାଞ୍ଚମିଶା ନୂତନ ମଦ୍ୟ । ଇଂରେଜୀରେ ସେମାନେ ଏକୁ ନାଆଁ ଦେଇଚନ୍ତି—‘ବ୍ଲିଡିଂହାର୍ଟ’—ଅର୍ଥାତ୍ ରକ୍ତଝରା ହିଆ ।

 

ଆଜି କଅଣ ଦେବଳ ସେହି ରକ୍ତଝରାହିଆ ଧରି ମିଲିଟାରିରେ ନାମ ଲେଖାଇବା ପୂର୍ବକଥା ଭାବି ବସିବ ? ବି. ଏ. ପାସ କରିସାରି ଡାଲହାଉସିସ୍କୋୟାର ଅଞ୍ଚଳରେ ମିଛରେ ମିଛରେ ଘୂରି ବୁଲିବା କଥା ? ପେନ୍‍ସନ ପାଉଥିବା ବାପର ନିଅଣ୍ଟିଆ ସଂସାର କଥା ? ଆଉ...ଆଉ...ଆଉ... । ସେସବୁ ପଛକଥା ପଛକୁ ଥାଉ ।

 

ତା ଅପେକ୍ଷା ଏହି ଋଷିୟାନ, ସ୍କାଣ୍ଡାଲ ଖେଳଟାରେ ମଜ୍ଜିଯିବାଟା ବରଂ ଭଲ ।

 

ସ୍କାଣ୍ଡାଲ ନାଆଁଟା ଶୁଣି ସାମରିକ ଜୀବନର ଆରମ୍ଭରେ ଦେବଳ ଏକପ୍ରକାର ହଡ୍‍ବଡ଼େଇ ଯାଇଥିଲା; କିନ୍ତୁ ସେଇଟା ଏମିତି କିଛି ନୁହେଁ । ନିତାନ୍ତ ନିରାମିଷ ତାସର ଖେଳଟିଏ । ସମସ୍ତଙ୍କୁ ତାସ ବଣ୍ଟାଗଲା । ସେଠା କମିଶନରଙ୍କ ଗୃହିଣୀ ମଧ୍ୟ ନିମନ୍ତ୍ରିତ ହୋଇ ଆସିଥିଲେ । ସମସ୍ତଙ୍କଠାରୁ ସିନିଅର୍ (ବୟସ୍କା) ଲେଡ଼ି । ସୈନିକ ଜୀବନରେ ‘ରାଇଟ୍ ଲେଫ୍ଟ ଆବାଉଟ୍ଟର୍ଣ୍ଣ ଆଦିକୁ ଯେମିତି ଠିକ୍ ଠିକ୍ ମାନି ଚଳିବାକୁ ପଡ଼େ; ସେମିତି ସିନିଅର୍ ୟୁନିଅର୍ ମାନି ମଧ୍ୟ ଚଳିବାକୁ ପଡ଼ିଥାଏ । ତେଣୁ କମିଶନର ସାହେବଙ୍କ ପତ୍ନୀ ନିଜର ବିରାଟ କଳେବରଟିକୁ ଘେନି ସମସ୍ତଙ୍କ ମଝିରେ ବସି ତାସତକ ବାଣ୍ଟିଦେଲେ ।

 

ତା’ପରେ ଆଉ ଗୋଟିଏ ପ୍ୟାକେଟ୍ ତାସ ନେଇ ଫେଣ୍ଟି ଦେଲାପରେ ପ୍ରଥମେ ହରତନ ସାହେବଟିକୁ ଟେକି ଧରିଲେ । ବାକିତକ ଓଲଟାଇ ରଖିଲେ ।

 

ଏଥର ବଣ୍ଟା ଯାଇଥିବା ତାସ ମଧ୍ୟରୁ ହରତନ ସାହେବଟିକୁ ଯିଏ ପାଇଚି, ତାକୁ ସେକଥା ସ୍ଵୀକାର କରିବାକୁ ପଡ଼ିଲା । ଯିଏ ପାଇଚି, ତାକୁ ଗୋଟିଏ ପ୍ରଶ୍ନ କରିବାର ଅଧିକାର ମିଳିଲା । ସେ ପଚାରିଲା—ଏଠି କିଏ ସମସ୍ତଙ୍କଠାରୁ ଭଲ ନାଚିପାରେ ?

 

କମିଶନର୍ ଗୃହିଣୀ ନିଜ ତାସ ପ୍ୟାକେଟ୍‍ଟିର ଉପର ତାସ ଖଣ୍ଡିକୁ ସଳଖ କରି ଧରିଲେ । ଚିଡ଼ିଆ ଦହିଲାଟି ବାହାରିଲା । ସେ ବିଚରା କଅଣ ନାଚିବ ? ନିତାନ୍ତ ନିରୀହ ଦହିଲାଟି-! ସମସ୍ତେ ଚେଁ ଚାଁ ହୋଇ ଉଠି ଦହିଲାଟିକୁ ଫୁଙ୍କିବାରେ ଲାଗିଲେ । ଏମିତି ସମୟରେ ସାଢ଼େ ଛଅଫୁଟ ଲମ୍ବା ବ୍ରିଗେଡ଼ିୟାର ନିଶ ଦୁଇଟିର ଅଗ୍ରଭାଗକୁ ମୋଡ଼ୁ ମୋଡ଼ୁ କହି ଉଠିଲେ ଯେ ଅନ୍ୟ କେହି ନୁହେଁ, ସେ ନିଜେ ହିଁ ହେଉଚନ୍ତି ସେଇ ଦହଲା । ତେବେ ନିଶ୍ଚୟ କମିଶନରପତ୍ନୀ ରଗଡ଼ି ଦେଖିବା ପାଇଁ ତାଙ୍କ ହାତରେ ଗୋଟିଏ ଦହଲା ଥିବାର ଜାଣିପାରି ନିଜ ହାତର ଦହଲାଟିକୁ ଉଠାଇ ଧରିଛନ୍ତି । ଶ୍ରୀମତୀ ନିଶ୍ଚୟ ମେଜିକ ଜାଣନ୍ତି । ନୋହିଲେ, ସେ ଯେ କେତେଦୂର ଭଲ ନାଚିପାରନ୍ତି ସେକଥାଟି ତାସ ମଧ୍ୟରେ ପ୍ରମାଣିତ ହେଲା କିପରି ? ଅବଶ୍ୟ ବ୍ରିଗେଡ଼ିଅରଙ୍କ ନାଚ ଏବଂ ତାଙ୍କ ସଙ୍ଗିନୀଙ୍କ ବୁଢ଼ାଆଙ୍ଗୁଠି ଛେଚା ପ୍ରାୟ ଯେ ଏକାଭଳି ଜିନିଷ, ସେକଥା ଭୁଲିବାକୁ ଚେଷ୍ଟାକରି ସମସ୍ତେ ସେ ଜୋରେ କରତାଳି ଦେବାକୁ ଲାଗିଲେ ।

 

ଏଥର ତାଙ୍କର ପାଳି । ସେ କହି ଉଠିଲେ—ମୋ ପରା ଓସ୍ତାତ ନର୍ତ୍ତକୀ ସଙ୍ଗେ ନାଚିବାକୁ କିଏ ରାଜି ?

 

ବ୍ରିଗେଡ଼ିଅରଙ୍କ ଭାଗ୍ୟ ଭଲ ଯେ ଇଏ ତା ମୁହଁକୁ ଏବଂ ସେ ଇଆ ମୁହଁକୁ ଅନାଇ ରହିଲେ । ହୁଏତ ଜଣେ କେହି ପୃଥୁଳକାୟ ବ୍ୟକ୍ତି ହାତରେ ଏଥର କମିଶନ୍ର ଗୃହିଣୀଙ୍କ ତାସଟି ମିଳିଯିବ; କିନ୍ତୁ ଯେଉଁ ତାସଟି ଏଥର ସେ ଉଠାଇଲେ ସେଉଟି ମିଳିଲା ଜଣେ ଅଳ୍ପବୟସୀ ଓଆକ୍ ଆଇ ହାତରେ । ଦି ଜଣଯାକ ମହାଖୁସି । ସମସ୍ତେ ଯାହା ଚାହୁଁଥିଲେ, ତାହାହିଁ ଫଳିଲା; ତେଣୁ ସେମାନେ କରତାଳି ଦ୍ଵାରା ନିଜ ନିଜର ସମର୍ଥନ ଜଣାଇଲେ ।

 

ତାପରେ ସମସ୍ତଙ୍କ ସମ୍ମୁଖରେ ଓଠର ସିନ୍ଦୂରରାଗକୁ ଆଉ ଟିକେ ଭଲ ଭାବରେ ଘସି ରଗଡ଼ିଦେଇ କୁମାରୀ ଓଆକ୍ ଆଇ ନରମ ଗଳାରେ ଡାକି ଉଠିଲେ—କି ଏ ମୋତେ ଆଜି ଶୁଭ-ରାତ୍ରି-ଚୁମ୍ବନ ଦେବ ?

 

ତାର ଏହି ପ୍ରଶ୍ନ ମଧ୍ୟରେ ଲଜ୍ଜା ବା ଜଡ଼ତା ନ ଥିଲା । ଦେଶ ପାଇଁ ଯେଉଁମାନେ ଜୀବନ ଦେବାକୁ ଆସିଚନ୍ତି, ସେମାନଙ୍କ ମନଟାକୁ ସତେଜ ରଖିବା ଲାଗି ସାମାନ୍ୟ ଗୋଟିଏ ମାତ୍ର ଗୁଡ଼୍-ନାଇଟ୍ ଚୁମ୍ବନ, ସାମାନ୍ୟ ଟିକିଏ ମଧୁର ସ୍ଵପ୍ନ ଦେଖିବା ପାଇଁ ସାହାଯ୍ୟ, ଏଥିରେ ସିତ୍କାର କରି ଉଠିବାର ଏପରିବା କଅଣ ଅଛି ?

 

* ଓଆକ୍ ଆଇ—Womens’ auxiliary corps of India.

 

ସବୁ ପୁରୁଷ ଅଫିସର ଗଳାଟେକି ବ୍ୟଗ୍ର ହୋଇ ଉଠିଲେ । ବର୍ତ୍ତମାନ କମିଶନର—ଗୃହିଣୀଙ୍କ ହାତରେ ଯେଉଁ ଭାଗ୍ୟବାନ ତାସ ଖଣ୍ଡିକ ଉଠିବ, ସେ ଖଣ୍ଡିକ କାହା କପାଳରେ ପଡ଼ୁଚି ଦେଖାଯାଉ । କାପ୍ଟେନ୍ ଜୋ ଠିଆ ହୋଇପଡ଼ିଲା । ସଜୋରେ ଦୀର୍ଘଶ୍ୱାସଟିଏ ଛାଡ଼ି “ରିଂତ୍ରସ୍” ବୀରଗୀତ ଗାଇ ଉଠିଲା—

 

ଦି ଡେ ଇଉ କେମ୍ ଆଲଙ୍ଗ ।

 

ଯେଉଁଦିନ ତୁମେ ଉଦୟ ହେଲ;

 

କିନ୍ତୁ ଦେବଳ କପାଳରେ ହିଁ ତାସଟି ଉଠିଲା । ବିଚରା ସ୍ୱୀକାର କରି ପାରୁନାହିଁ କି ଲୁଚାଇ ରଖି ପାରୁନାହିଁ । କାହାରି ହାତରେ ସେ ତାସଟି ନିଶ୍ଚୟ ତ ଅଛି ! ଲୁଚାଇବାର ଉପାୟ କାହିଁ ? ହାତସଫେଇ କରି ଚଟପଟ ତାକୁ ସେ ଲେଫଟ୍‍ନାଣ୍ଟ୍ ଓରାୟମ ସିଂ ହାତକୁ ଚାଲାନ କରିଦେଲା । କୃତଜ୍ଞତା ସହକାରେ ଚୋରା ଚାହାଣିଟିଏ ହାଣି ନଟବର ଠାଣିରେ ଓରାୟମ ସିଂ ଉଠି ଠିଆହେଲା, ଏବଂ କହିଲା—ଭୁଲ ନାହିଁ, ଭୁଲ—ନାହିଁ ଏଇ ତାସଟିକୁ । ବୃନ୍ଦାବନରେ ସମସ୍ତେ ସାକ୍ଷୀ ରହିଲେ—ଆହା, ଭୁଲ ହେଲା—ସବ୍ ଏରିଆରେ । ମିଲିଟାରୀ ବ୍ୟାଣ୍ଡ ବାଦ୍ୟଟା ଅନନ୍ତକାଳ ପାଇଁ ସାକ୍ଷୀ ରହିଲା ।

 

ରାତି ଅନେକ ହେଲା । କାଲିକି ଏ ଘାଟି ତ୍ୟାଗ କରି ଅନ୍ୟ କୌଣସି ସ୍ଥାନକୁ ଯିବାକୁ ପଡ଼ିବ । ଏଥର ସେମାନେ ଶେଷ ଖେଳଟି ଖେଳି ନେବେ । ସେ ଖେଳର ନାଆଁ ହେଲା “ଫର୍‍ଫିଟ୍”, ବା ବାଯ୍ୟାପ୍ତ ହୋଇଯିବା । ପ୍ରତ୍ୟେକଙ୍କୁ କିଛି ଗୋଟାଏ ଜିନିଷ ଜମା ଦେବାକୁ ପଡ଼ିଲା-। ତା’ ବଦଳରେ ମିଳିଲା ଖଣ୍ଡେ ଚିରକୁଟ ଏବଂ ବ୍ଲାକବୋଡ଼ରେ ନାମ ଲେଖାଇ ଭାଗ୍ୟ ପରୀକ୍ଷା କରିବା କଥା । ଯିଏ ଏ ଯୁଆଖେଳରେ ହାରିଯିବ, ସେ ତାର ଜମା ଦେଇଥିବା ଜିନିଷଟି ହରାଇବ-। ଫେରସ୍ତ ପାଇବାର ଏକମାତ୍ର ସର୍ତ୍ତ ହେଲା—ସଙ୍ଗରେ ଖେଳୁଥିବା ଯୋଡ଼ି ମହିଳାର ପାଦର ଜୋତାରୁ ଫିତା ଖୋଲି ପୁଣି ଥରେ ବାନ୍ଧି ଦେବାକୁ ପଡ଼ିବ ।

 

ଯୁଟାଯୁଟି କାରବାରଟା ମନ୍ଦ ନୁହେଁ । ପୃଥିବୀର ସମସ୍ତ ନାମଯାଦା ମହିଳାମାନଙ୍କର ନାମ ଛୋଟ ଛୋଟ କାଗଜ ଟୁକୁରାରେ ଲେଖା ହୋଇ ଗୋଟିଏ ଟୋପି ମଧ୍ୟରେ ରଖାଗଲା । ସେହି ଟୋପି ମଧ୍ୟରୁ ପ୍ରତ୍ୟେକ ମହିଳା ଖଣ୍ଡିଏ ଖଣ୍ଡିଏ କାଗଜ ଟୁକୁରା ଉଠାଇ ନେଲେ । କାହାର ନାମ ହେଲା—କୁଇନ୍ କ୍ରିଶ୍ଚିନା, କେହିବା ହେଲା—ମେରି ପିକଫୋଡ଼ ବା ନରମାଣ୍ଡି ୟାରାର ଅଥବା ମେରି ଆନ୍ତୋ ୟାନେତ, ଅନ୍ୟ ଗୋଟିଏ ଟୋପି ମଧ୍ୟରେ ଛୋଟ ଛୋଟ କାଗଜ ଟୁକୁରାରେ ସେମାନଙ୍କ ସ୍ୱାମୀ ବା ପ୍ରଣୟୀମାନଙ୍କ ନାମ ଲେଖାହୋଇ ରଖାଗଲା । ପ୍ରତ୍ୟେକ ପୁରୁଷଙ୍କୁ ଗୋଟିଏ ଗୋଟିଏ ନାମର ଚିରକୁଟ୍ ଉଠାଇ ନେବାକୁ ପଡ଼ିଲା ।

 

ତା’ପରେ ଯେ ଯାହାର ସଙ୍ଗୀ ବା ସଙ୍ଗିନୀ ବାଛିନେଲେ । ତାରି ସଙ୍ଗରେ ବସିପଡ଼ିଲେ-। ମେରି ଆନ୍ତୋୟାନେତ୍‍କୁ ଫରାସୀ ସମ୍ରାଟ ଲୁଇ ହାସ୍ୟ ପରିହାସରେ ନିଶ୍ଚୟ ଖୁସି କରି ରଖିବେ-। ନୋହିଲେ ଆଜି ରାତିରେ ତାର ବଦନାମ ହୋଇଯିବ ଯେ ! ତା’ ଛଡ଼ା ଖେଳରେ ହାରିଯାଇ ଗଚ୍ଛିତ ପଦାର୍ଥଟିକୁ ଫେରି ପାଇବା ନିମନ୍ତେ ଯଦି ସଙ୍ଗିନୀର ଜୋତାର ଫିତା ଖୋଲିଦେବାକୁ ପଡ଼େ-!

 

ବାଘର ଭୟ ଯେଉଁଠି, ସଞ୍ଜ ବୁଡ଼ିଲା ସେଇଠି । ଲେଫ୍‍ଟ୍‍ନାଣ୍ଟ୍ ଦେବଳ ଭାଗ୍ୟରେ ସଙ୍ଗିନୀରୂପେ ଯୁଟିଲା ଗୋଟିଏ ବିଲାତି ତରୁଣୀ । ଦଳ ଦଳ ହୋଇ ଝିଅମାନେ ବିଲାତରୁ ଚାଲି ଆସୁଚନ୍ତି । ସେମାନେ ସୈନ୍ୟମାନଙ୍କର ହେପାଜତ କରିବେ । ସମ୍ମୁଖ ଯୁଦ୍ଧକ୍ଷେତ୍ରର ସୈନ୍ୟମାନଙ୍କ ପାଇଁ ଦରକାରୀ ଜିନିଷମାନ ତିଆରି କରି ପଠାଇବେ । ପ୍ରତ୍ୟେକ ଇଉନିଟ୍ ବା ହେଡ଼କ୍ୱାର୍ଟରଠାରେ ଷ୍ଟାଫ୍ ଅଫିସର୍ ଭାବେ କାମ କରିବେ । ତଦ୍ଦ୍ଵାରା ପୁରୁଷମାନେ ଯୁଦ୍ଧକ୍ଷେତ୍ରକୁ କିମ୍ବା ପୁରୁଷପିଲାର ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ଚାଲିଯିବେ । ଝିଅମାନଙ୍କ ଭିତରୁ ଅଧିକ ଚାଲାଖ ଓ ଦୁଃସାହସିକାମାନେ ସାତସମୁଦ୍ର ପାରିହୋଇ ଏକାବେଳକେ ସୁଦୂର ଭାରତଭୂଇଁକୁ ଚାଲି ଆସୁଚନ୍ତି-। ସୁବିଧା କେତେ ଦେଖନ୍ତୁ—ରେସନ ପାଇଁ ସେମାନଙ୍କର ଚିନ୍ତା ନାହିଁ, କିମ୍ବା ବୋମାମାଡ଼ର ଭୟ ନାହିଁ । ସ୍ୱାମୀ, ପୁତ୍ର ବା ଭାଇ ଯୁଦ୍ଧକ୍ଷେତ୍ରରେ ମରିଯାଇଥିବାର ଖବର ପାଇ ଓଠ ଚିପି ପ୍ରାଣପଣେ କାମ କରିଯିବାର ଭୟ ମଧ୍ୟ ସେମାନଙ୍କର ନାହିଁ ।

 

ଏହି ପ୍ରକୃତିର ଗୋଟିଏ ତରୁଣୀ ରୋମାଣ୍ଟିକ୍ ଡକାଏତ ରବିନହୁଡ୍‍ର ପ୍ରଣୟିନୀ ମ୍ୟାରିଆନ୍ ରୂପେ ଦେବଳ ନିକଟରେ ଆସି ବସିଲା । ମଧୁର ସ୍ୱରରେ ପଚାରିଲା—ହାଲୋ ଜର୍ଜ, ତୁମେ ଆଜି କେଉଁ ଜିନିଷଟିକୁ ଫର୍‍ଫିଟ୍ (ବାଜ୍ୟାପ୍ତ) କରାଇ ଦେବାକୁ ଚାହଁ ?

 

ସେ ଯଦି ପୁରୁଷାନୁକ୍ରମେ ସାମରିକ ବଂଶର ସନ୍ତାନ ହୋଇ ଅନ୍ତତଃ ପକ୍ଷେ ପଞ୍ଚନଦ ଅଞ୍ଚଳର ତରୁଣ ସଦୃଶ ମୁଣ୍ଡରେ ବେଣୀ ବାନ୍ଧିଥାଆନ୍ତା, ତେବେ ଏକଥାର ଜବାବ ଦେବାକୁ ମୁଖ ତାର ଅଟକି ରହି ନ ଥାଆନ୍ତା । କାଲି ସକାଳୁ ବିଦାୟ ନେବାକୁ ପଡ଼ିବ ବୋଲି ଆଜି ଅବଶ୍ୟ ନାଚ ଗୀତ ନାହିଁ; କିନ୍ତୁ ମନଟା ରୁମ୍ବା ନାଚର କଦମ ଚାଲିରେ ଅନ୍ତତଃ ନାଚି ଉଠୁଥାଆନ୍ତା ।

 

କିନ୍ତୁ ଦେବଳ ମୁଖରୁ କଥା ବାହାରିଲା ନାହିଁ । ସାମାନ୍ୟ କେତୋଟି ମାସର ମିଲିଟାରି ଜୀବନ । ସତକଥା କହିବାକୁ ଗଲେ ଏବେ ସୁଦ୍ଧା ମୁଖରେ ତାର ସିଭିଲ ଛାପ୍ ରହି ଯାଇଅଛି । ସଙ୍ଗିନୀର ପ୍ରଶ୍ନ ଶୁଣି ସେ ସଲଜ୍ଜ–ହସ ହସିଲା ।

 

ତରୁଣୀ କିନ୍ତୁ ଛାଡ଼ିବାର ପାତ୍ରୀ ନୁହଁ । ଚଟପଟ୍ ସେ ଅନ୍ତରଙ୍ଗ ହୋଇପଡ଼ିଚି । ନଗଦ ବିଲାତରୁ ଆସିଥିବା ମନ ଉପରେ ତାର ଦେଶୀଲୋକ ଦେବଳର ଦେହରଙ୍ଗ ଏପର୍ଯ୍ୟନ୍ତ କୌଣସି ବାଧା ସୃଷ୍ଟି କରିନାହିଁ । ନିଜେ ସେ ଦେବଳ ହାତରୁ ଘଡ଼ିଟି ଖୋଲି ନେଇଗଲା ।

 

—ତୁମର ହାତଘଣ୍ଟାଟି ହେଇ, ମୋ ପାଖରେ ଗଚ୍ଛିତ ରହିଲା । ଯଦି ମୋର ରାବିନହୁଡ଼୍ ହାରିଯାଏ...ତେବେ ମୋ ଗୋଡ଼ର ଜୋତା ଫିତାଟି ଖୋଲି ଦେବାକୁ ପଡ଼ିବ । ନୋହିଲେ ଘଡ଼ିଟି ବାଜ୍ୟାପ୍ତ ହେଲା ।

 

ଦେବଳ ଖାଲି ଘଡ଼ିଟିର ତଳ ଢାଙ୍କୁଣିଟି ଆଡ଼କୁ ଅନାଇଲା । ବେଶିକିଛି ଭାବିବା ପାଇଁ ବା କହିବା ପାଇଁ ତାର ସାହସ ପାଇଲା ନାହିଁ । ଜୀବନର ଖେଳ ମଧ୍ୟରେ ମରଣକୁ ଘେନି ଖେଳିଲାବେଳକୁ ଜୟ ଆଉ ପରାଜୟ ଉଭୟ ଥାଏ । ଏଥିପାଇଁ ଘଡ଼ିଟି ମଧ୍ୟରେ ଗଚ୍ଛିତ ଥିବା ସ୍ମୃତିଟି କଅଣ ସତେ ବାଜ୍ୟାପ୍ତ ହୋଇଯିବ ? କିଏ ଜାଣେ !

 

ଏଣେ କମିଶନର ଏବଂ ବ୍ରିଗେଡ଼ିଅରଙ୍କ ମେମ୍ ସାହେବମାନେ ଠିକ୍ କଲେ ଯେ, ଯେହେତୁ ଆଜିର ପାର୍ଟି କେବଳ ଷ୍ଟ୍ୟାଗ୍‍ପାର୍ଟି (ତରୁଣ ହରିଣ ଅର୍ଥାତ୍, କେବଳ ପୁରୁଷମାନଙ୍କ ପାର୍ଟି) ନୁହେଁ ଏବଂ ଯେହେତୁ କାଲି ପ୍ରଭାତରୁ ବ୍ରିଗେଡ଼ଟିକୁ ଚାଲିଯିବାକୁ ପଡ଼ିବ, ତେଣୁ ଆଜିର ପାର୍ଟି ଶୀଘ୍ର ଶେଷ କରିବା ଉଚିତ । ଆଉମଧ୍ୟ ପରସ୍ପରଠାରୁ ବିଦାୟ ନେବା ନିମନ୍ତେ କିଛି ସମୟ ତ ଲାଗିବ, ଅଥଚ ସମସ୍ତଙ୍କଠାରୁ ପ୍ରବୀଣତମ ମହିଳାଟି ସଭାଭଙ୍ଗ ନିମନ୍ତେ ଇଙ୍ଗିତ ନ ଦେବାଯାକେ କେହି ତ ଉଠିଯିବାର ନାମ ଧରିପାରିବେ ନାହିଁ !

 

ସେ ଉଠିଲେ । ତାଙ୍କରି ଦ୍ୱାରା ନିର୍ଦ୍ଦିଷ୍ଟ ପଥଟି ଧରି ସମସ୍ତେ ଚାଲିଲେ । ହଲ ମଧ୍ୟରେ ଗୋଲ ହୋଇ ଛିଡ଼ାହୋଇ ହାତ ଧରାଧରି ହୋଇ ସମସ୍ତେ ଗାଇଲେ, “ଫର୍ ହି ଇଜ୍ ଏ ଜଲ୍ଲି ଗୁଡ଼ ଫେଲୋ ।”

 

ବାସ୍ତବିକ ଆଜି ପ୍ରତ୍ୟେକ ପ୍ରତ୍ୟେକଙ୍କୁ ଅତିପ୍ରିୟ ବୋଲି ମନେ କରୁଚନ୍ତି । ସେମାନଙ୍କ ପକ୍ଷେ ଆଜିର ରାତ୍ରିଟି ହେଲା—ଚାରିପାଖରେ ଥିବା ବେସାମରିକ ସଂସାର ମଧ୍ୟରେ ରହିବାର ଶେଷରାତ୍ରି । ଏହାପରେ କଅଣ ହେବ, ଏଇ କଥାଟି ସମସ୍ତେ ଭାବୁଛନ୍ତି । ସମସ୍ତେ ତ ଆଗେଇ ଚାଲିଚନ୍ତି; କିନ୍ତୁ ଫେରିବେ କେତେଜଣ ?

 

“ଆଜି କିନ୍ତୁ ତୁମ ଗଚ୍ଛିତ ପଦାର୍ଥଟି ମୋ ହାତରେ ବାଜ୍ୟାପ୍ତ ହେଲା ନାହିଁ ଜର୍ଜ!”

 

ଅତି ଆଦରଭରେ ଏବଂ ଘନିଷ୍ଠତାପୂର୍ଣ୍ଣ କଣ୍ଠରେ ମେରିୟାନ ତାର କ୍ଷଣିକ ରବିନହୁଡ଼କୁ ଏଇ କଥାଟି କହିଲା—‘‘ ଟିଲ୍ ଇଉ ମିଟ୍ ଏଗେନ୍‍ —ଯେତେଦିନଯାଏ ପୁଣି ଦେଖା ନହୁଏ, ତେତେଦିନ ପାଇଁ ଏଇ କଥାଟି କେବଳ ଜଣାଇ ଦେଇ ଯାଉଚି—ଆଉଫ୍ ହି ଦର୍‍ଶେ ହେନ୍‍—ବିଦାୟ ଭାରତୀୟ ବନ୍ଧୁ ।”

 

ଅଚିହ୍ନା ଭାରତୀୟଙ୍କୁ ଏମାନେ ଯେତେବେଳେ ବନ୍ଧୁ ବୋଲି ସମ୍ବୋଧନ କରନ୍ତି, ତେତେବେଳେ “ଜର୍ଜ” ବୋଲି ଡାକନ୍ତି । ଭାବ ଯେତେବେଳେ ଗଭୀର ହୋଇଉଠେ, ସେତେବେଳେ ନିତାନ୍ତ ସାଧାରଣ ଇଂରେଜୀ “ଗୁଡ୍‍ବୟ” ଦ୍ୱାରା କାମ ଚଳେ ନାହିଁ । ଜର୍ମାନୀ ଭାଷାରେ ରୋମାନ୍‍ସ ଗନ୍ଧଭରା ବିଦାୟ ବାଣୀଟି ବାହାରି ଆସେ—‘‘ଆଉଫ୍ ହି ଦରଶେ ହେନ୍ ।”

 

ମେସ୍‍ରୁ ବାହାରି ଅନ୍ଧକାର ବଣବୁଦା କଡ଼ଦେଇ ଆସୁ ଆସୁ ଦେବଳ ଥକ୍କା ହୋଇ ଛିଡ଼ାହେଲା । ସେପଟକୁ ଲୁଚି ରହି କିଏ କିଏ କଥାବାର୍ତ୍ତା ହେଉଚନ୍ତି । ସେମାନଙ୍କ ପୃଥରେ କଣ୍ଟକ ହୁଅ ନାହିଁ ଦେବଳ—ମନକୁ ମନ ସେ ନିଜକୁ ବୁଝାଇଲା ।

 

ପାଗଳ ଭଳି ବ୍ୟାକୁଳ ଭାବେ ଓରାୟମ ସିଂ କହିଯାଉଚି—ତାସର ଖେଳଟିକୁ ତାସର ଖେଳରୂପେ ଉଡ଼ାଇ ଦିଅ ନାହିଁ ଡାର୍ଲିଙ୍ଗ୍ । ଆଚ୍ଛା, ମାତ୍ର ଗୋଟିଏ ବିଦାୟ—ଚୁମ୍ବନ ଦିଅ; ମାତ୍ର ଗୋଟିଏ । ତୁମକୁ ମୁଁ ଗୁପ୍ତଭାବେ ଜଣାଉଚି—ଆମମାନଙ୍କୁ ‘ସିଆକ’ ଯିବାକୁ ପଡ଼ୁଚି । ସାଉଥ ଇଷ୍ଟ ଏସିଆ କମାଣ୍ଡକୁ । ଜାପାନୀଙ୍କ ହାତରେ ଯେକୌଣସି ଦିନ ଡେଡ଼୍ ମଟନ (ମୃତ ଶବ) ହୋଇ ଯିବାକୁ ପଡ଼ିବ । ତା’ ପୂର୍ବରୁ ମାତ୍ର ଗୋଟିଏ... ।

 

ଦୁଇ

 

ବିବାହ ତୁଲ୍ୟ, ବନ୍ଧୁତ୍ଵ ତୁଲ୍ୟ ଯୁଦ୍ଧ ମଧ୍ୟ କରିବାକୁ ହୁଏ, ସମାନ ସମାନ ମଧ୍ୟରେ ।

 

କିନ୍ତୁ ହାୟ, ଘୋର କଳିକାଳ । ଜାପାନୀମାନେ ଆଦୌ ସମ୍ମୁଖ ସମର କରିବା ପାଇଁ ଆସୁନାହାନ୍ତି । କହିବାକୁ ଗଲେ ସେମାନେ ଆଦୌ ଯୁଦ୍ଧ କରୁ ନାହାନ୍ତି; ତଥାପି ଜିତି ଯାଉଚନ୍ତି ତ !

 

ତେଣୁ ସତରନମ୍ବର ଇଣ୍ଡିଆନ୍ ଲାଇଟ ଡିଭିଜନର ଅପରେସନ ଅଡ଼ର ଟିକେ ଅନ୍ୟଭାବେ ପ୍ରସ୍ତୁତ କରାଯାଇଅଛି । ମିଲିଟାରି ଭାଷାରେ କାଟଛାଣ୍ଟ କରି ଅପରେସନ ଅର୍ଡ଼ରକୁ କେବଳ “ଓ : ଓ :” ବୋଲାଯାଏ । ଏଥିରେ ଅଲଗା ଅଲଗା ଭାବେ ଲଢ଼େଇର ବର୍ତ୍ତମାନ ହାଲ, କି ଉଦ୍ଦେଶ୍ୟ ଘେନି ବର୍ତ୍ତମାନ ଲଢ଼ିବାକୁ ହେବ, କେମିତି ଭାବରେ କଅଣ କଅଣ କରିବାକୁ ପଡ଼ିବ ଇତ୍ୟାଦି ଇତ୍ୟାଦି ସବୁକଥା ଲେଖାଥାଏ । ପ୍ରତ୍ୟେକ ବିଗ୍ରେଡ଼ ଓ ଆଟିଲାରି ଡିଭିଜନ ପାଇଁ ଅଲଗା ଅଲଗା ନିର୍ଦ୍ଦେଶ ଦିଆଯାଇଥାଏ; କିନ୍ତୁ ଏଥିମଧ୍ୟରେ ଖରଚଖାତାରେ ପ୍ରତ୍ୟେକ ବିଗ୍ରେଡ଼ର ଅନେକ କମ୍ପାନି ଓ ଅନେକ ଇଉନିଟ୍ ପୂରାପୂରି ଉଠିଗଲାଣି । ‘ଜାପୁ’ ସଙ୍ଗରେ ଲଢ଼ିବାକୁ ଆଗେଇ ଯିବାର ଅର୍ଥ ହେଲା ଏକଦମ୍ ଅଗସ୍ତିଯାତ୍ରା ।

 

ଏଭଳି ଅବସ୍ଥାରେ ବର୍ତ୍ତମାନ ବ୍ରିଗେଡ଼ିୟର ସାହେବ କଅଣ କରିବେ ? ଜର୍ମାନୀ ସିଲ୍‍ଭରର ‘ଟ୍ୟାଂକାଡ଼’ ଅର୍ଥାତ୍ ଲମ୍ବା ଚଉଡ଼ା ଯାକ ଜମକିଆ ଆରାମ କରି, ବିୟର ପିଇ ଦିନ କଟାଇ ଦେବାର ଉପାୟ ନାହିଁ । ଏପରିକି “ସ୍କିଟ୍ଲସ୍” ଅର୍ଥାତ୍ ଗୁଚିଦଣ୍ଡାର ବିଲାତୀ ସଂସ୍କରଣ ଖେଳଟିକୁ ଖେଳିବାକୁ ମଧ୍ୟ ଫୁରସତ ନାହିଁ । ଏହି ରବର ଜଙ୍ଗଲ ଭିତରେ ପ୍ରବେଶ କରି ଇସ୍ତକ ବଞ୍ଚାଇବାର ସମୟଟି ବଡ଼ ଖରାପ ପଡ଼ିଚି ।

 

ସେ ନିଜ ଇଚ୍ଛାରେ ଅନେକ ଅଏସ ଜିନିଷ ଛାଡ଼ି ଦେଇଛନ୍ତି । ଅଏସ (ସୁଖ–ସ୍ଵାଚ୍ଛନ୍ଦ୍ୟ) ପାଇଁ ଦରକାରୀ ଜିନିଷ ପତ୍ର ବର୍ତ୍ତମାନ ସୁଦ୍ଧା ସଙ୍ଗରେ ଅଛି । କିନ୍ତୁ ନିଜ ଦଳର ‘ମରାଲ୍’ ଅର୍ଥାତ୍ ମନର ବଳ ବଜାୟ ରଖିବା ପାଇଁ ସେ ସେମାନଙ୍କ ସଙ୍ଗେ ଅସୁବିଧାତକ ବାଣ୍ଟି ନେଇଛନ୍ତି ।

 

ସଯତ୍ନେ ସଞ୍ଚିତ ‘ପାଇପ’ ଓ ତମାଖୁକୁ ସେ ବାହାର କଲେ । ଭାବିବାକୁ ଲାଗିଲେ ଯେ ଅଳ୍ପ କିଛିଦିନ ତଳେ ତାଙ୍କର ‘ଅପରେସନ ବ୍ୟାଜ’ ଅର୍ଥାତ୍ ସୈନ୍ୟବିଭାଗୀୟ ହେଡ଼ ଅଫିସର ଅବସ୍ଥା ଖୁବ ଯାକଜମକ ଥିଲା । ଛୋଟ ହେଲେହେଁ ପ୍ରତ୍ୟେକ ଅଫିସରଙ୍କ ପାଇଁ ଗୋଟିଏ ଲେଖାଁ ସ୍ଵତନ୍ତ୍ର କାମରା (କୁଟୀର) ଥିଲା । ବର୍ଷାତିର ମୋଟା ଗ୍ରାଉଣ୍ଡସିଟ୍କୁ ବାଉଁଶ ଫ୍ରେମରେ ବାନ୍ଧି ପ୍ରତ୍ୟେକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଗୋଟିଏ ଲେଖାଁ ବାଥରୁମ ବା ସ୍ନାନାଗାର ପର୍ଯ୍ୟନ୍ତ କରାଯାଇଥିଲା । ବାଉଁଶ ପାତିଆରେ ବୁଣା ଝିଲିମିଲି ବାଡ଼ଘେରା ଛୋଟିଆ ବାରାଣ୍ଡାଟିମାନ ମଧ୍ୟ ଥିଲା । ତାଆରି ଭିତରେ ବାଉଁଶର ଟେବୁଲ, ଚୌକି, ଏବଂ ଖଟିଆ ପର୍ଯ୍ୟନ୍ତ ସଜା ହୋଇଥିଲା ।

 

ଆହା, ତାଙ୍କର ସେହି ଅତି ଆଦରର ସାମଗ୍ରୀସ୍ଵରୂପ ସୁସଜ୍ଜିତ ହେଡ଼୍ କ୍ୱାଟରଟି ସଦ୍ୟ ଭୂମିଷ୍ଠ ହୋଇଥିଲା ବୋଲି କହିଲେ ଚଳେ । ‘ଭୂମିଷ୍ଠ’ ଅର୍ଥାତ୍ ଭୂଇଁ ଉପରେ ଛିଡ଼ା କରାଯାଇଥିଲା ମାତ୍ର; କିନ୍ତୁ ଜାପାନୀ ତ ନୁହେଁ, ସତେକି ଯମ । ଅନ୍ତୁଡ଼ିଶାଳରେ ହିଁ ତାକୁ ଶେଷ କରିଦେଲା । ସାମାନ୍ୟ ଟିକିଏ ହେଲେ ତର ସହିଲା ନାହିଁ ।

 

ତତ୍ ସଙ୍ଗେ ସଙ୍ଗେ ମେସ୍‍ଟିକୁ ମଧ୍ୟ ନଷ୍ଟ କରିଦେଲା ।

 

କ୍ୟାମ୍ପଠାରୁ ମେସ୍ର ପାହ୍ୟାଟି ବେଶି ବଡ଼ ।

 

‘ସାଣ୍ଡ ହ୍ୟାର ଷ୍ଟ୍ରେ’ ଠାରେ ମିଲିଟାରି ଟ୍ରେନିଂ ନେବା ସମୟରେ ଅଳ୍ପବୟସ୍କ ବ୍ରିଗେଡ଼ିୟର ସର୍ବପ୍ରଥମେ ପଢ଼ିଥିଲେ ଯେ—‘‘ଦି ଆର୍ମି ମାର୍ଚ୍ଚେସ୍ ଅନ୍ ଇଟ୍‍ସ୍‍ ଷ୍ଟମାକ୍ ।” ଅର୍ଥାତ୍ ସୈନ୍ୟମାନେ ପେଟ ଉପରେ ଭରାଦେଇ ମାର୍ଚିଂ କରିଥାଆନ୍ତି—ପାଦ ଉପରେ ନୁହେଁ । ଅକ୍ଷରେ ଅକ୍ଷରେ ଆଜିଯାକେ ସେ ଶିକ୍ଷାଟିକୁ ସେ ମାନି ଆସିଚନ୍ତି । ତେଣୁ ସେ ଜଙ୍ଗଲ ମଧ୍ୟରେ ନିଜର ହେଡ୍‍କ୍ୱାଟର ଛାଉଣିଟିକୁ ଗଢ଼ିଲା ବେଳେ ଗୋଟିଏ ଛୋଟ ଖାଲର ଅନ୍ୟ କଡ଼କୁ ଉଚ୍ଚସ୍ଥାନ ଦେଖି ମେସଟିକୁ ବସାଇଥିଲେ । ଖାଇବା ପିଇବା ପାଇଁ ଗୋଟାଏ ପ୍ରକାଣ୍ଡ ହଲ ଘର । ତାରି ଆଗରେ ଚଟେଇଘେରା ଚଉଡ଼ା ବାରଣ୍ଡାଟାଏ । ସେଇଠି ଥିଲା ‘ବାର’ ଅର୍ଥାତ୍ ମଦର ଭଣ୍ଡାର ଓ ବୈଠକଖାନା । ବାଉଁଶ ଚଉକି ଉପରେ ପାରାଚୁଟ୍ ସିଲ୍ କର କୁସନ୍ ତକିଆ ଆଦି କୌଣସି ପଦାର୍ଥର ଅଭାବ ନଥିଲା । ଦିନେ ରଏଲ ଏଆର ଫୋର୍ସ ସେମାନଙ୍କ ପାଇଁ ଅନେକ ପ୍ରକାରର ଖାଦ୍ୟ ସାମଗ୍ରୀ ଏବଂ ଯୁଦ୍ଧ ସରଞ୍ଜାମ ପୁଟୁଳି ବାନ୍ଧି ଆକାଶରୁ ଫିଙ୍ଗି ଥିଲେ । ସେ ସବୁ ପୁଟୁଳି ତଳେ ଥିବା “ପ୍ୟାଡ଼” ଗୁଡ଼ିକୁ ନେଇ ଚଉକି ଗୋଡ଼ଗୁଡ଼ିକରେ ଲଗାଇ ଦିଆ ଯାଇଥିଲା । ତଦ୍ଦ୍ୱାରା ସତେକି ସ୍ଫିଂଲଗା ଚଉକିର ଆରାମ ମିଳି ଯାଉଥିଲା । ତାଙ୍କ ଅଫିସରମାନେ ସାଲ୍ୟୁଟ ଦେଇ ଗିଲାସକୁ ଟେକି ଧରି କହିଥିଲେ— ‘ସାର୍ ଏଇ ମେସ୍‍ଟା ଆପଣଙ୍କର ‘ମାଷ୍ଟର ପିସ୍’—ଅର୍ଥାତ୍ ଶ୍ରେଷ୍ଠ କୀର୍ତ୍ତି ।

 

କିନ୍ତୁ ହାୟ, ଏତେ ଯତ୍ନରେ ନିର୍ମିତ ହୋଇ ଥିବା ହେଡ଼୍ କ୍ଵାଟରଟି ଜାପାନୀ ଗୋଳମାଳରେ ସାମାନ୍ୟ ନାସ ଟିକକ ପରି ଉଡ଼ିଗଲା । ‘ଖାନା ପିନା, ଆରାମ କରନା’ ଆଦି ସବୁ କଥାର ସେ ବନ୍ଦୋବସ୍ତ କରିଥିଲେ; କିନ୍ତୁ ବର୍ବର ଦୁସ୍‍ମନ୍ ଜାପାନୀମାନେ ମୁଠାଏ ଚାଉଳ ଛିଣ୍ଡାକନାରେ ବାନ୍ଧି ବେକରେ ଝୁଲାଇ ପାଦରେ ଚାଲି ଚାଲି ବଣଜଙ୍ଗଲ ଭିତରେ ଧାଉଡ଼ି ଦେଉଚନ୍ତି । ତାଙ୍କ ସଙ୍ଗରେ ଏ ସବୁ ସଭ୍ୟ–ସିପାହୀ ପାରିବେ କେମିତି ? ଫଳତଃ ବ୍ରିଗେଡଡିୟର ସାହେବଙ୍କ ମନରେ ଜାପାନୀ ମାନଙ୍କ ବିରୁଦ୍ଧରେ ଅଭିଯୋଗର ଅନ୍ତ ନ ଥିଲା ।

 

ଜାପାନୀମାନେ ଆଦୌ ‘ସ୍ପେଟ୍’ ନୁହନ୍ତି । କେବଳ ସେମାନେ ବ୍ରିଟିଶ ସୈନ୍ୟମାନଙ୍କୁ ‘‘ବାଇପାସ୍” କରି, ଅର୍ଥାତ୍ ପାଖ ଦେଇ ଆଡ଼େଇ ଆଡେ଼ଇ ସହରଗୁଡ଼ିକୁ ଦଖଲକରି ନେଉଛନ୍ତି । ତା’ପରେ କ୍ଷୁଦ୍ର କ୍ଷୁଦ୍ର ଦଳରେ ବିଭକ୍ତ ହୋଇ ଶତ୍ରୁର ପଶ୍ଚାତ୍‍ଭାଗରୁ ଆକ୍ରମଣ କରୁଛନ୍ତି । ବାକୀ ସମସ୍ତେ ଆହୁରି ଦକ୍ଷିଣକୁ ଥିବା ମାଳୟର ରାଜଧାନୀ କୁଆଲାମପୁର ଆଡ଼କୁ ପିମ୍ପୁଡ଼ିପରି ଧାଡ଼ିବାନ୍ଧି ଧାଇଁଛନ୍ତି ।

 

ଶତ୍ରୁମାନେ ପଶ୍ଚାତ୍‍ଭାଗରେ ରସଦ୍ ଏବଂ ଗୋଳାବାରୁଦ ଆଣିବାର ବାଟ କାଟି ଦେଇଛନ୍ତି । କୌଣସି ଗୋଟିଏ ‘‘ଆର୍ମି ସପ୍ଳାଇକୋର” (ରସଦ ସରବରାହ ସୈନ୍ୟଦଳ)ହଠାତ୍ ଚଳନ୍ତି—କେଣ୍ଟିନ୍ ବା ଫିଲ୍ଡ଼ କିଚେନ୍ ନେଇ ଆସି ପହୁଞ୍ଚିବେ, ତା’ ପାଇଁ ବାଟ ମଧ୍ୟ ବନ୍ଦ ହୋଇଯାଇଛି ।

 

ଅଥଚ ଅପରେସନ ଅର୍ଡ଼ରର ୧୪ ଦଫାରେ ଉଲ୍ଲେଖ ଅଛି ଯେ, ଶେଷର ସିପାହୀଟି ବଞ୍ଚିଥିବାଯାକେ ଏବଂ ଶେଷ ଗୁଳିଟି ଥିବା ପର୍ଯ୍ୟନ୍ତ ଦଖଲରେ ଥିବା ସ୍ଥାନଟିକୁ କାମୁଡ଼ି ପଡ଼ିରହିବାକୁ ହିଁ ହେବ ।

 

ଏଇକଥା ଭାବି ଭାବି ବ୍ରିଗେଡ଼ିୟର ପାଇପ୍ ଟାଣିବା କଥାକୁ ବି ଭୁଲି ଯାଇଛନ୍ତି । ତହିଁରେ ପୁଣି ତାଙ୍କର ଦାନ୍ତ ବେମାରି ଆରମ୍ଭ ହୋଇଛି ।

 

ଏହି ସମୟରେ ତାଙ୍କ ଲେଫ୍‍ଟନାଣ୍ଟ୍ କର୍ଣ୍ଣେଲ୍ ସଲାମ ଦେଇ ସମ୍ମୁଖରେ ଦଣ୍ଡାୟମାନ ହେଲେ । ଅପରେସନ ଅର୍ଡ଼ର ଆସିଯାଇଛି । ହୁଏତ ସଙ୍ଗେ ସଙ୍ଗେ କୌଣସି ନୂତନଭାବେ ଦଳ ଗଠନକରି ଠିଆ କରାଇବାକୁ ପଡ଼ିବ । କିନ୍ତୁ ଯେଉଁ ଚାରି ଚାରିଟି ସେକ୍‍ସନ୍‍କୁ ଟହଲ୍‍ଦାରି କରିବାକୁ ପଠା ଯାଇଥିଲା, ସେମାନେ ସମସ୍ତେ ତିନି ଦିନ ହେଲା ସମ୍ପୂର୍ଣ୍ଣଭାବେ ନିଖୋଜ ହୋଇଯାଇଛନ୍ତି । ଏମିତି କି ସେମାନଙ୍କ ସଙ୍ଗରେ ଥିବା ବେତାରଯନ୍ତ୍ର ସାମଗ୍ରୀ ମଧ୍ୟରୁ ବି କୌଣସି ସ୍ଵର ଶଦ୍ଦ ଆସୁନାହିଁ । ଆଗେ ଛଅଜଣଙ୍କୁ ଘେନି ଟହଲଦାର ଦଳ ସୃଷ୍ଟିକଲେ ଚଳୁଥିଲା; କିନ୍ତୁ ଜାପାନୀମାନଙ୍କ ଦଳ ଖୁବ୍ ବେଶି ଏବଂ ଲଢ଼େଇରେ ସେମାନେ ଖୁବ୍ ମଜଭୁତ୍ । ତେଣୁ ଏଗାରଜଣ ଲେଖାଁ ସୈନ୍ୟଙ୍କୁ ଘେନି ଗୋଟିଏ ଗୋଟିଏ ଟହଲଦାରି ସେକ୍‍ସନ୍ ଗଠନ କରି ପଠାଯାଇଥିଲା । କେବଳ ସେତିକି ନୁହେଁ, ବିପଦ ଅତି ସାଂଘାତିକ ବୋଲି ଚାରିଟି ସେକ୍‍ସନର ତତ୍ତ୍ଵ ନେବା ପାଇଁ ଏବଂ ସେମାନଙ୍କ ମଧ୍ୟରେ ଯୋଗସୂତ୍ର ରଖିବା ପାଇଁ ସ୍ଵୟଂ କ୍ୟାପଟେନ୍ ‘ଜୋ’ଙ୍କୁ ପଠାଯାଇଥିଲା । ବିଲାତରେ ଷ୍ଟାଫ୍ କଲେଜରେ ଟହଲଦାରି ଛାତ୍ରରୂପେ ‘ଜୋ’ ବାହାଦୂର ବୋଲି ସୁନାମ ଅର୍ଜ୍ଜନ କରିଥିଲେ ।

 

ଘୋର ଜଙ୍ଗଲ ଭିତରେ ବସି କ୍ୟାପଟେନ୍ ‘ଜୋ’ ମଧ୍ୟ ଦାନ୍ତର ବ୍ୟାୟାମ କରୁଥିଲେ । ତେବେ ସିଗାରେଟ ଉପରେ ନୁହେଁ କିମ୍ବା ଦୁଷ୍‍ମନ ଉପରେ ରାଗିଯାଇ ନୁହେଁ । ନିହାତି ନିରୀହ କେତୋଟି ମିଲିଟାରୀ ବିସ୍କୁଟ ଉପରେ । ବ୍ୟାୟାମ କରୁ କରୁ ହଇରାଣ ହୋଇ ସେ କହି ଉଠିଲେ–ସ୍ନିହା, ଗତ କେତେବର୍ଷ ମଧ୍ୟରେ ମୁଁ ଯେ ଦାନ୍ତ—ଡାକ୍ତରଙ୍କୁ ବିଲ୍ ପରିଶୋଧ କରି ଆସିଛି, ତାହା ଆଜି ନିତାନ୍ତ ବ୍ୟର୍ଥ ହୋଇନାହିଁ ।

 

ପରିହାସଟାକୁ ହଠାତ୍ ବୁଝି ନପାରି ଦେବଳ କେବଳ ଦାନ୍ତଟିକୁ ଦେଖାଇ ଦେଲା । କେଜାଣି, ହୁଏତ ବେଶି ଦେଖାଇଦେଲେ ଅଭଦ୍ରତା ହୋଇଯିବ ! ‘ଜୋ’ ପୁଣି କହିଲା—ନା, ସ୍ନିହା, ବିପଦରେ ପଡ଼ିଲେ ତୁମର କ’ଣ ରସବୋଧ ଶକ୍ତି ଏକାବେଳେ ଶୁଖିଯାଏ ? ତୁମ ଭାରତୀୟମାନଙ୍କ ଦାନ୍ତ ତ ପ୍ରାୟ ଭଲଥାଏ । ମୁଁ ବିସ୍କୁଟ ଖାଉଛି ବୋଲି ତୁମମାନଙ୍କୁ ବୋଧହୁଏ ପ୍ରାୟଶ୍ଚିତ କରିବାକୁ ପଡ଼ିବ ନାହିଁ ।

 

ମୁଣ୍ଡ ହଲାଇ ଉରାୟମ୍ ସିଂହ କହି ଉଠିଲା—କ୍ୟାପଟେନ, ମଉଳା ପାଇଲେ ଆମେ ଗୋଟାଏ ଦି’ଟା । ବଣକୁକୁଡ଼ା ବା ପକ୍ଷୀ ଶିକାର କରୁଁ । ‘ସି’ ରେସନ୍ରେ ଚଳିଯିବା ଲୋକ ମୁଁ ନୁହେଁ । ଆମ ସେକ୍ସନ୍ ସେଇଥିରେ ହିଁ ପ୍ରଥମେ ଦୁଇଦିନ ଚଳାଇ ନେଇଥିଲେ । ଯାହାହେଉ, ପ୍ରଥମେ ଯେଉଁଦିନ ଆମେ ସେ ଜିନିଷଟା ଖାଇଥିଲୁ, ସେଦିନ ଅବଶ୍ୟ ଆମମାନଙ୍କୁ ନିହାତି ଖରାପ ବୋଲି ମନେ ହୋଇ ନଥିଲା । ବଡ଼ ବଡ଼ ମୋଟା ଚପାଟି ପରିବର୍ତ୍ତେ ଟିଣ କାଟି ଖାଇବାରେ ବେଶ୍ ଗୋଟାଏ ନୂତନତ୍ଵ ଥିଲା । ରୋଜ ତିନିବେଳା ଟିଣରେ ଥିବା ଖାନା । ତୋଫା ମଜା । ଜଙ୍ଗଲ ଭିତରେ କାଠିକୁଟା ଗୋଟେଇ ଆଣି ଚୁଲି ଜାଳିବାକୁ ପଡ଼ୁନାହିଁ । ପୁଣି ଦୁଷ୍ମନ୍ ଧୂଆଁ ଦେଖିଥିଲେ ଆକ୍ରମଣ କରି ଉଡ଼ାଜାହାଜ ଉପରକୁ ବୋମା ବର୍ଷଣ କରିଯାଇଛନ୍ତି ।

 

ରବିନ୍ର ବିମର୍ଷତା ଲକ୍ଷ୍ୟ କରି ‘ଜୋ’ ପ୍ରଶ୍ନକଲା—ତୁମକୁ ‘ସି’ ରେସନ୍ କେମିତି ଲାଗୁଛି ରବିନ୍ ?

 

—ସାର୍, ପ୍ରତିଥର ଖାଇଲାବେଳକୁ ଯେଉଁ ଦୁଇ ଦୁଇଟି ଟିଣ ଦିଆଯାଉଛି, ସେଥିରୁ ଦ୍ୱିତୀୟ ଟିଣଟି ନିହାତି ମନ୍ଦ ନୁହେଁ । ମାଂସ, ପିଆଜ ସବ୍‍ଜି ମିଶାଇ ଯେଉଁ ‘ପଟାଜ୍’ ଦିଆଯାଏ, ତାହା ଟହଟହ ନାଲିରଙ୍ଗର ରସରେ ଗୋଳିଆ ହୋଇଥାଏ । କିନ୍ତୁ ତା’ର ସ୍ଵାଦଟା ଆଳୁ କାବୁଲିର ଖଟାଠାରୁ ମାନ୍ଦ୍ରାଜୀ ରସମ ପର୍ଯ୍ୟନ୍ତ ସବୁ ଜିନିଷ ସଙ୍ଗେ ମିଳିଯାଏ; ତେବେ ପ୍ରଥମ ଟିଣଟି ହେଲା ପ୍ରଧାନ, ଶ୍ରେଷ୍ଠ । ତହିଁରେ କଫି କିମ୍ବା କୋକୋର ପାଉଡ଼ର ଦିଆଯାଇଥାଏ । ପାଣିରେ ତିନ୍ତେଇ ଦେଲେହିଁ ଚଳେ । ମୁଁହ ମିଠା କରିବା ପାଇଁ ଗଣିଗଣି ତିନିଖଣ୍ଡି ଟଫି ବା ଲଜେନ୍ସ୍ ଦିଆଯାଇଥାଏ । ତାହା ବି ଆମେମାନେ ସହିଯାଉ । କିନ୍ତୁ ଯେତେବେଳେ ସେହି ପାଞ୍ଚ ପାଞ୍ଚଟା ଗୋଲି ବିସ୍କୁଟର ଚକି ଦେଖୁଁ; ସେତେବେଳେ ମା’ଙ୍କ ହାତ–ତିଆରି ହାଲୁଆ କଥା ମନେ ପଡ଼ିଯାଏ ।

 

—ହାଲୁଆ? ଏ ପଦାର୍ଥଟି କ’ଣ ? କଥାଟା ରସରସିଆ ହେବ ଭାବି ‘ଜୋ’ ଝଡ଼ିଝୁଡ଼ ହୋଇ ଗଛଗଣ୍ଡିରେ ଠେସ ଦେଇ ବସି ପଡ଼ିଲା ।

 

—ଆପଣଙ୍କର ସେଇ ରେସନ୍ ମଧ୍ୟରେ ଥିବା ଡେଣ୍ଟିସ୍ ‘ଚ୍ୟୁଇଙ୍ଗଗମ୍’ ପରି ମୋଟେ ନୁହେଁ । ହଁ, ସପ୍ଲାଇକୋର୍ ଆମ୍ଭମାନଙ୍କୁ ଏକାତେଲାକେ ଦୁଇଟି ଚଢ଼େଇ ମାରିବାକୁ ଶିଖାଉଛନ୍ତି । ସକାଳବେଳା ଦିଆଯାଉଥିବା ପ୍ୟାକେଟ୍ଟି ମଧ୍ୟରେ ‘ଚ୍ୟୁଇଙ୍ଗଗମ୍’ ଥାଏ । ପାଣି ପିଇବାକୁ ଶୋଷ ହେଉଥିଲେ ଉକ୍ତ ‘ଚ୍ୟୁଇଙ୍ଗଗମ୍’ କୁ ଚୋବେଇ ଚୋବେଇ ପାଟିରୁ ଲାଳ ବାହାର କରି ଦୁଇଘଣ୍ଟା ପର୍ଯ୍ୟନ୍ତ ଗଳାଟିକୁ ଓଦା କରି ରଖିହୁଏ । ଜାପାନୀ ଆକ୍ରମଣରେ ଯଦି ତୁମେ ତୁମ ଦାନ୍ତଘଷା ବ୍ରସ୍‍ଟି ହଜାଇ ଆସିଥାଅ, ତେବେ ତୁମେ ସେଇ ‘ଚ୍ୟୁଇଙ୍ଗଗମ୍ ଦ୍ଵାରା ତୁମ ଦାନ୍ତଗୁଡ଼ିକୁ ଘଷି ନେଇପାରିବ-

 

—କାହିଁକି ? ତୁମେ ଡେଣ୍ଟୋନାଷ୍ଟିକ’ ବ୍ୟବହାର କରିପାର—ଦୁଇପାଟି ଦାନ୍ତ ବାହାର କରି ହସି ହସି ଓରାୟସ୍ ସିଂହ ଏଇ କଥାଟି କହିଲା ।

ଅର୍ଥାତ୍, ନିମଦାନ୍ତକାଠୀ—ଯାହାକି ଯବାନମାନଙ୍କ ବ୍ୟବହାର ପାଇଁ ଆସିଥିଲା ?

ହଁ, ଠିକ ସେଇଆ—ହସିଉଠି ଏତକ କହିଲା ଓଁ ରାୟମ । ତାପର ଟିକେ କାଶିଉଠି ପୁଣିଥରେ କହିଲା—କଲିକତା ସପ୍ଲାୟଡ଼ିପାଟମେଣ୍ଟରେ ମୋର ଜଣେ କଜିନ୍ ଭାଇ ଅଛି । ସେ କହେ—ଦାନ୍ତକାଠିକୁ ଏଇ ନୂତନ ବିଲାତୀ ନାମରେ ଚାଲୁ କରିବାହାର ତାର ଜାତି ବଡ଼ ହୋଇଯାଇଚି । ତଦ୍ଦ୍ୱାରା ସମସ୍ତଙ୍କର ସୁବିଧା; ଅର୍ଥାତ୍ ଏହାର ମୂଲ୍ୟ ପଇସାକୁ ତିନିଖଣ୍ଡ ଜାଗାରେ ଦୁଇଅଣାରେ ଖଣ୍ଡିଏ ମାତ୍ର । ଯିଏ କିଣୁଚି ଏବଂ ଯିଏ ବିକୁଛି ଉଭୟଙ୍କର ବେଶ ମୋଟା ଲାଭ, କିନ୍ତୁ ଆମ ଯବାନମାନେ ଦେଶୀଦାନ୍ତକାଠୀର ବିଲାତୀ ନାମଟାକୁ ଆନନ୍ଦର ସହିତ ଚୋବାଉଚନ୍ତି ।

‘ଜୋ’ ଟିକିଏ ମ୍ଳାନହାସ୍ୟ ହସିଲା । ଭାବିଲା—ଦୁନିଆଟା ହେଲା ଚିଡ଼ିଆଖାନା । ଅଦ୍ଭୁତ ଚିଡ଼ିଆଖାନା, ତା’ ନହେଲେ ସେ କେତେ ଆନନ୍ଦ ଓ ସ୍ଵପ୍ନଘେନି ଘରସଂସାର କରିବ ବୋଲି ଠିକ୍‍କରି ସାରିଥିଲା । ବିଚରା ଜୟର ମଧ୍ୟ ମାସଗୋଟିଏ ତର ସହିଲା ନାହିଁ । ବିବାହାପୋଷାକ, କ୍ରୁଶୋ ପ୍ରଭୃତି ତିଆରି କରିବାପାଇଁ ସମୟ ନଷ୍ଟକରି କି ଲାଭ ? ଜୀବନରେ ପରମ ଲଗ୍ନ କାହାରି ଘଟିଲା ନାହିଁ କି କାହାରି ଭାଗ୍ୟରେ ଯୁଟିଲା ନାହିଁ । ଠିକ୍ ଏମିତିଆ ସମୟରେ ହଠାତ୍ ଯୁଦ୍ଧ ଲାଗିଗଲା । ହଁ, ସେତିକିବେଳେ ସେ ତ ବିବାହ କରି ଆସି ପାରିଥାଆନ୍ତା ! ଅନେକ ଲୋକ ସୈନ୍ୟଦଳରେ ନାମଲେଖାଇବା ପୂର୍ବରୁ ବିବାହ କରି ସାରିଥିଲେ । ସେମାନଙ୍କ ମଧ୍ୟରୁ ଅନେକେ ବିଲାତ ଛାଡ଼ି ବିଦେଶକୁ ଆସିବା ଆଗରୁ ଏକଥାଟି ଜାଣି ଆସିଥିଲେ ଯେ ବଂଶର ବତୀ ଜାଳିବାପାଇଁ ଜଣେ କେହି ଦୁଆରମୁହଁରେ ଆସି ହାଜିର ହେଉଚି, ଅତଏବ ନିଶ୍ଚିନ୍ତ ମନରେ ଯୁଦ୍ଧଭୂଇଁକୁ ଚାଲିଯାଅ । ସ୍ୱାଧୀନତା ରକ୍ଷା କରିବାପାଇଁ ଯେଉଁ ଜାତି ଯୁଦ୍ଧ କରୁଚି, ସେ ଜାତି କେବେହେଁ ୱାରବ୍ରାଇଡ଼୍ ଏବଂ ୱାର—ବେବି କଥା ଭୁଲିବ ନାହିଁ ।

କିନ୍ତୁ ସେହି ସ୍ଵାଧୀନତା ରକ୍ଷା କରିବାପାଇଁ ଯେଉଁ ସ୍ଵାମୀ ବା ପ୍ରଣୟୀ ଯୁଦ୍ଧଭୂଇଁକୁ ଡେଇଁପଡ଼ିଚନ୍ତି, ସେମାନଙ୍କୁ ଯଦି ବଧୂ ତାଙ୍କର ଭୁଲିଯାଆନ୍ତି !

ଯଦି ସେମାନେ ଭୁଲିଯାଆନ୍ତି ? ସେଭଳି ଲୋକଙ୍କ ସ୍ମୃତିମଧ୍ୟରେ ଥାଇ ଫଳ କିଛିନାହିଁ; ତେଣୁ ‘ଜୋ’ ବିଦାୟ ହୋଇ ଆସିବା ପୂର୍ବରୁ ବିବାହ ଶେଷ କରିଦେଇ ଆସିବାକୁ ରାଜି ହୋଇନଥିଲା । ଏକ ସମୟରେ ‘ଅକ୍‍ସଫୋଡ’ର ଛାତ୍ର ଏବଂ ‘ବୋଟ୍ରେସ୍’ ର ‘ବ୍ଳୁ’ ଦଉଡ଼ି ଟାଣିବାରେ ଶ୍ରେଷ୍ଠ ଖେଳାଳି ‘ଜୋ’ ଆଦର ସହିତ ତରୁଣୀ ‘ଜୟ’କୁ ସାନ୍ତ୍ଵନା ଦେଉଁ—ଦେଉଁ ଗମ୍ଭୀର ସ୍ଵରରେ କହିଲା—ମୁଁ ତ ବାହାରିଲି—ଅନିଶ୍ଚିତତା ମଧ୍ୟକୁ ଡେଇଁ ପଡ଼ିବାକୁ ବାହାରିଲି; କିନ୍ତୁ ବିବାହ କରିବାଟା ନିଶ୍ଚିତ କଥା । ଏ ଦୁଇଟି ବିଷୟ ମଧ୍ୟରେ ମେଳ ଖୁଆଇବାପାଇଁ ଚେଷ୍ଟା କରିବା ଠିକ୍ ହେବ ନାହିଁ ‘ଜୟ’ । ତମର ଏଇ ବନ୍ଧନହୀନ ସ୍ନେହପ୍ରିତି ମୋର ସବୁ କଷ୍ଟ ଓ ସବୁ ପରୀକ୍ଷା ସମୟରେ ‘ଅନ୍ ବ୍ରୋକେନ ଜୟ’—ଅକ୍ଷୂଣ୍ଣ ଆନନ୍ଦ ରୂପେ ବିଦ୍ୟମାନ ରହିଥିବ । ବିବାହ ବନ୍ଧନରେ ତୁମକୁ ବାନ୍ଧି ରଖିଗଲେ ମୁଁ ଏତେ ଆନନ୍ଦ ପାଇ ପାରିବି ନାହିଁ ।

ମିଳନ ମୁଖରେ ଜୟ କହିଲା—ବନ୍ଧନ କଥା କୁହ ନାହିଁ; ବନ୍ଧନ ତ ହୋଇ ସାରିଚି ।

କଥାଟାକୁ ହାଲୁକା କରିଦେବାପାଇଁ ‘ଜୟ’ କହିଥିଲା—ଏଇ “ଏନଗେଜମେଣ୍ଟ ରିଙ୍ଗ”ଟା ଏତେ ପତଳା ଯେ, ଏହାକୁ ବନ୍ଧନ ବୋଲି କୁହାଯାଇପାରିବ ନାହିଁ । ଏହା ସବୁଦିନେ ତୁମ ନଜରକୁ ଆସିବ ନାହିଁ ।

 

ଧରାବନ୍ଧା ନିୟମର ବାହାରେ ଥିବା ବନ୍ଧନ କଥାଟିକୁ ‘ଜୋ’ ସେଦିନ ପ୍ରାଣପଣେ ଆଡ଼େଇଦେଇ ଯିବାକୁ ଚେଷ୍ଟା କରିଥିଲା । ଖେଳଉଆଡ଼ ସେ । ନୌକା ଖେଳରେ ପାଣି ଉପରେ ତରତରହୋଇ ଭାସି ଯିବାପରି, ଜୀବନର ଖେଳରେ ସେ ଅବଲୀଳାକ୍ରମେ ଭାସିଯାଇ ପାରିବ ନାହିଁ କାହିଁକି ? ଜନ୍ମରୁ ତ ସେ ଗୋଟିଏ ବ୍ରିଟିଶ୍ ସ୍ପୋଟ୍ସ୍ ମ୍ୟାନ୍ ।

 

ଏଣେ ଇଂରେଜମାନେ ମନେ କରନ୍ତି ଯେ ଜର୍ମାନମାନେ ସଇତାନ । ଯାହାକୁ କହନ୍ତି–କମରପଟିତଳେ ଘୁସି ମାରିବାରେ ଓସ୍ତାତ୍ । ଫ୍ରଣ୍ଟ୍ ଅର୍ଥାତ୍ ଯୁଦ୍ଧର ସମ୍ମୁଖଭାଗକୁ ଯେଉଁମାନେ ଯାଇଚନ୍ତି, ସେମାନଙ୍କୁ ଲକ୍ଷ୍ୟକରି ଏମାନେ ପ୍ରାୟ ଜାକଜମକିଆ ରସିକତାପୂର୍ଣ୍ଣ ସ୍ଵରରେ ରେଡ଼ିଓ ସାହାଯ୍ୟରେ କହି ଥାଆନ୍ତି—ବାଃ, ତୁମେମାନେ ତ ଖୁବ ବେଶିପରିମାଣରେ ଫ୍ରଣ୍ଟକୁ ଆସି ଜୀବନ ଦେବାରେ ଲାଗି ପଡ଼ିଚ ! ଅଥଚ ତେଣେ ତୁମମାନଙ୍କ ଘରେ, ତୁମମାନଙ୍କ ଶୋଇବାଘରେ, ତୁମମାନଙ୍କ ମଇତ୍ର କ୍ୟାନେଡ଼ିଆନ୍ ଓ ଅଷ୍ଟ୍ରେଲିଆନ୍‍ମାନେ ପଶି ଯାକଜମକ କରି ବସିରହିଚନ୍ତି, ଏ ଖବରଟା ପାଇପାରିଚ ତ ?

 

ଜର୍ମାନୀ ପ୍ରଚାର ଦପ୍ତରର କାର୍ଯ୍ୟ ଏତେ ପକ୍କା ଯେ ସେମାନେ ମଝିରେ ମଝିରେ ଏଣୁତେଣୁ ଦି ଚାରିଟା ନାମଜାଦା ଇଂରେଜଙ୍କ ନାମ ଓ ଠିକଣା ରେଡ଼ିଓରେ କହି ଦିଅନ୍ତି । ହାମଷ୍ଟ୍ରେଡ଼ ପଡ଼ାରେ ହୁଏତ କୋଡ଼ିଏଟା ଖଣ୍ଡେ ‘ଜୋ’ସ୍ମିଥ ଅଛନ୍ତି । ସୋମାନଙ୍କ ମଧ୍ୟରୁ କ’ଣ ଜଣେଅଧେ କେହି ଫ୍ରଣ୍ଟରେ ବସି ତାଙ୍କ ସ୍ତ୍ରୀ କିଂବା ବାଗ୍‍ଦତ୍ତା ବଧୂର ସ୍ମୃତିକୁ ଗୁଣିଗୁଣି ବନ୍ଧୁକ ସଫା କରୁନାହାନ୍ତି ?

 

ଅଥଚ ସେଇ ‘ଜୋ’ସ୍ମିଥ ପକ୍ଷର କେତେଜଣ ଲୋକ ନିଜ ଦେଶ ଓ ସଂସାରମଧ୍ୟରେ ନିରାପଦ ଓ ନିଶ୍ଚିନ୍ତରେ ବସିରହିଚନ୍ତି ଏବଂ ‘ଜୋ’ସ୍ମିଥ ନିଜ ଦେହରୁ ରକ୍ତଢ଼ାଳି ଯେଉଁ ଦେଶର ସ୍ଵାଧୀନତାକୁ ବଞ୍ଚାଇ ରଖିଅଛି, ସେହି ଦେଶରେ ନିଶ୍ଚିନ୍ତ ମନରେ ବସିରହି ଦ୍ଵାଚୋରିକରି ନିମଦାନ୍ତକାଠିକୁ ‘ଡେଣ୍ଟୋନାଷ୍ଟିକ’ ନାମରେ ଏମିତି ଚଳାଇ ବାଁ ହାତରେ ବେଶ ଦୁଇ ପଇସା ପକେଟସ୍ଥ କରିପାରୁଛନ୍ତି । କ୍ୟାପଟେନ୍ ଯଦି ଭାବିବସନ୍ତି, ତେବେ ଏ ଘୋର ଜଙ୍ଗଲମଧ୍ୟରେ ଚାରିଆଡ଼େ ଘେରି ରହିଥିବା ଦୁଷ୍ମନ ଆକ୍ରମଣର ଘେରଜାଲ ଭିତରେ ପଡ଼ିରହି ଏ ସେକ୍‍ସନ ଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇଯିବ ଯେ !

 

ଚାରିଆଡ଼େ ଜାପାନୀ ସ୍କାଇପର୍, ଅତର୍କିତଭାବେ ସ୍ନାଇପ କରି ଦେଉଛନ୍ତି । ହଠାତ୍ ଗୋଟାଏ ବନ୍ଧୁକ, ରାଇଫଲ୍ ଅଥବା ଗ୍ରିନେଡ଼ ସତେକି ଚୋରା ଗୁପ୍ତିପରି ଛୁଟିଆସି ଜଣେ ଦିଜଣଙ୍କୁ ଆହତ କରି ଦେଉଚନ୍ତି । ଟହଲଦାର ସୈନ୍ୟମାନଙ୍କ ଚାରିକଡ଼ରେ ମଧ୍ୟ ଜାପାନୀଜାଲ ଗୁଡ଼ାଇ ହୋଇ ରହିଛି । ସେମାନେ ସେକଥା ବ୍ରିଗେଡ଼୍ ହେଡ଼୍ କ୍ଵାଟରକୁ ରେଡ଼ିଓଦ୍ଵାରା ମଧ୍ୟ ଜଣାଇ ପାରିନାହାନ୍ତି । ରେଡ଼ିଓ ଖୋଲିବାମାତ୍ରେ ଖବରଗୁଡ଼ିକର ପାସୱାଡ଼୍ ସଙ୍କେତ କଥାଟି ଆରମ୍ଭ କରିବା ସଙ୍ଗେ ସଙ୍ଗେ ଜାପାନୀ ଯନ୍ତ୍ରରେ ଏମାନଙ୍କ ଲୁଚିଥିବା ସ୍ଥାନର ସଙ୍କେତ ଧରା ପଡ଼ିଯାଏ । ଦେଖୁଁ ଦେଖୁଁ ଜାପାନୀମାନେ ଦୂରଗାମୀ କମାଣ ଦାଗିବାକୁ ଆରମ୍ଭ କରିଦିଅନ୍ତି । ତେଣୁ କଅଣ କେତେବେଳେ କରିବା ଠିକ୍‍ ହେବ ସେ ବିଷୟ ବୁଝିସୁଝି ଠିକ୍ କରିବା ପାଇଁ ସର୍ବମୋଟ ଯେ କେତେଜଣ ସେକ୍ସନ୍ କମାଣ୍ଡର ଥିଲେ ସେମାନଙ୍କର ଏକତ୍ର ହେବାର କଥା ; କିନ୍ତୁ ଲେଫ୍ଟନାଣ୍ଟ୍ ଏଓଶିଆ’ ଏପର୍ଯ୍ୟନ୍ତ ପହଞ୍ଚି ନାହିଁ । ଏଣେ କ୍ୟାପ୍ଟେନ୍ ନିଜ ଚିନ୍ତାମଧ୍ୟରେ ବୁଡ଼ି ରହିଛନ୍ତି । କଇଁଛ ଖୋଳଭିତରେ ପଶିଯାଇଛି ।

 

ତେଣୁ ଓରାୟମ ସିଂ ଘଟନାଟିକୁ ସହଜ କରିଦେବା ପାଇଁ ଗତ ରାତ୍ରିର ଗୋଟିଏ ଗଳ୍ପ କହିଲା–

 

ଜାଣନ୍ତି କି ସାର୍ ? କାଲି ରାତିରେ କି ଭୀଷଣ ଘଟନା ଘଟିଲା ? ମୋ ସେକ୍ସନରେ ମାତ୍ର ପାଞ୍ଚଜଣ ଯବାନ ବାକି ଥିଲେ; ତେଣୁ ଆପଣ ସିହ୍ନା ସେକ୍ସନରୁ ଥାପ୍‍ପାକୁ ଧାର ଦେଇଥିଲେ-। କାଲି ରାତିର ଶେଷ ଆଡ଼କୁ ଥାପ୍ପାର ସେଣ୍ଟ୍ରିଡିଉଟି ପଡ଼ିଲା । ସେତେବେଳେ ଆମେମାନେ ଟିକେ ନିଶ୍ଚିନ୍ତ ହୋଇଗଲୁ । ଗୁର୍ଖାଙ୍କ ପରି ଏତେ ସଜାଗ ଓ ବିଚକ୍ଷଣ ପହରାବାଲା ଆଉ ନାହାନ୍ତି-। “କୀନ୍ ଏଜ୍ ବ୍ରିଟିଶ ମାଷ୍ଟାର୍ଡ଼ ।” ବିଲାତି ରାଇସୋରିଷ ପରି ରାଗୁଆ । ଏ ଜଙ୍ଗଲ ଭିତରେ ଦିନବେଳେ ସୁଦ୍ଧା ଦଶହାତ ଦୂରତ୍ୱରୁ ବେଶୀ ଦେଖାଯାଏ ନାହିଁ । ରାତି କଥାତ ଏକ ପ୍ରକାର ଅସମ୍ଭବ । ଥାପ୍ପା ତା’ର ଫାଳିକିଆ ଆଖିରେ କଟମଟ କରି ଏଣେ ତେଣେ ଚାହିଁ ରହିଥାଏ; କାରଣ ରାତ୍ରିର ଶେଷଆଡ଼କୁ ‘ଯାପୁ’ ମାନେ ଆକ୍ରମଣ କରନ୍ତି । ଲେଶମାତ୍ର ଅସ୍ଵାଭାବିକ ହଲ୍‍ଚଲ୍ ହେବାର ଦେଖିଲେ ଜାଣିବାକୁ ହେବ ଯେ ଶତ୍ରୁ ଆସିଗଲା । ଯେଉଁ ଶବ୍ଦ ଶୁଣିବା ପାଇଁ ସେ ପ୍ରସ୍ତୁତ ହୋଇ ରହିଥାଏ, ହଠାତ୍ ସେହି ଶବ୍ଦଟି ଶୁଣାଗଲା । ଘଞ୍ଚବୁଦା ମଧ୍ୟରେ ମଡ଼ ମଡ଼ ଶବ୍ଦ । ହୁଏତ ଗୋଟାଏ ଗୋଟାଏ ଚୋରା ପାଦର ଆବାଜ୍ । ଉତ୍ସୁକଭାବେ ଥାପ୍ପା କୁଦି ପଡ଼ିବାକୁ ପ୍ରସ୍ତୁତ ହୋଇଗଲା-। ଅନ୍ଧାର ଭିତରେ ସତେକି ଗୋଟାଏ ଆକୃତି ଫୁଟି ଉଠିଲା । ବାସ୍ ଆଉ ଯାଏ କୁଆଡେ଼ ? ‘ଜୟ ଶମ୍ଭୁ’ କହି ସେ ଡେଇଁ ପଡ଼ି ଜାବୁଡ଼ି ଧରିଲା । ଗୋଟାଏ କାତର ଆର୍ତ୍ତସ୍ୱର ଏବଂ ଗୋଟାଏ ଝଟାପଟ ଶବ୍ଦ । ତା’ ପରେ ପରେ ସେ ଡିଆଁଟାଏ ମାରି ଦେ ଦୌଡ଼ି । ଦୁଷମନ୍ ପଲାଇ ଗଲା ବୋଲି ଥାପ୍ପା ଯେତେବେଳେ କାନ୍ଦି ଉଠିଲା, ସେତେବେଳେ ଆମ୍ଭେମାନେ ଟର୍ଚ୍ଚ ଆଲୁଅ ପକାଇ ଦେଖିଲୁ ଯେ—ସେଇଟା ମଣିଷ ନୁହେଁ । ମାଟି ଉପରେ ବାଘର ପାଦ ଚିହ୍ନ ପଡ଼ିଚି । ଥାପ୍ପାର ବେଟଲ୍ ଡ୍ରେସ୍ ବାଘ ନଖରେ ଫାଳ ଫାଳ ହୋଇ ଚିରି ଯାଇଚି ।

 

କେବଳ ଆତଙ୍କିତ ହୋଇ କହି ଉଠିଲା—ଥାପ୍ପାର ଭାଗ୍ୟ ଭଲ ବଞ୍ଚିଗଲା ।

 

ଏତେବେଳକୁ ‘ଜୋ’ ହସି ଉଠି ଗଡ଼ିଯାଉଥାଏ । ସେ ଠିଆ ହୋଇପଡ଼ି କହିଲା—ଏ ବିଷୟରେ ମୁଁ ଏତେଦୂର ଏକମତ ନୁହେଁ । ଅବଶ୍ୟ ବଞ୍ଚି ଯାଇଚି; କିନ୍ତୁ ସେ ଥାପ୍ପା ନୁହେଁ, ବାଘ ।

 

କିନ୍ତୁ ଶୀତ ହେଉ କି ବାଘ ହେଉ, ଏକା ମାଘକେ ପଳେଇ ଯାଉନାହିଁ ।

 

ହଠାତ୍ ଅନେକଗୁଡ଼ିଏ ଲାଲରଙ୍ଗର ଟେସର ବଲ ବାଉଁଶ ବଣ ଭିତରୁ ପଞ୍ଝାକୁ ପଞ୍ଝା ଉପରକୁ ଉଠି ଫାଟିବାକୁ ଆରମ୍ଭ କଲା । ତଳକୁ ଖସିଲା ବେଳେ ତାର ନିଆଁ—ଝୁଲଗୁଡ଼ିକ ଚତୁର୍ଦ୍ଦିଗ ଆଲୋକିତ କରି ଦେଉଥାଏ । ଗୋଟାଏ ଅଗ୍ନିମୁଖ ପ୍ରେତ ନୃତ୍ୟ ତୁଲ୍ୟ ତାହା ଏବଂ ତା ଦାନ୍ତ କଡ଼ମଡ଼ ଦ୍ୱାରା ‘ଜୋ’ ଓ ତା ଦଳ ଲୁଚି ରହିଥିବା ସ୍ଥାନ ଧରାପଡ଼ିଗଲା; କିନ୍ତୁ ସେ ଅଚାନକ ଆକ୍ରମଣଟା ଠିକ୍ ସେମାନଙ୍କ ଉପରକୁ ନୁହେଁ । ‘ଜୋ’ ଅଧୀନରେ ଥିବା ଚତୁର୍ଥ ସେକ୍ସନ ଉପରକୁ । ସେମାନେଯେ ଖୁବ୍ ପାଖରେ ଥିଲେ ସେ କଥାଟି ଜଣା ପଡ଼ିଗଲା । କାରଣ ସେମାନଙ୍କ ମଟର ବେଟେରି କଟ କଟ ଶବ୍ଦରେ ଗର୍ଜି ଉଠିବାକୁ ଆରମ୍ଭ କଲା । ହଠାତ୍ ଗୋଟାଏ ଦାରୁଣ ଶବ୍ଦ—ଫଟ୍; ତା’ ପରେ ହିଁ ଗୋଳା ବାହାରିବା ଶବ୍ଦ । ତା’ ପରେ କିଛି ସମୟ ଚୁପ୍ ଚାପ୍—ଶ୍ୱାସରୁଦ୍ଧ ନୀରବତା । ଠିକ୍ ତାରି ପରେ ପରେ ‘ଗୁଡ଼ୁମ୍’—ଗୁଳା ଫୁଟିବା ଆବାଜ୍ ।

 

ଅନେକ ଦୂରରେ କେତେଗୁଡ଼ିଏ ଓଜନିଆ ପାଦ ଶବ୍ଦ ଶୁଣାଗଲା । ସେମାନେ ସମସ୍ତେ ହଠାତ୍ ଲମ୍ବଭାବେ ଶୋଇପଡ଼ି ଚାରିଆଡ଼କୁ ଚାହିଁଛନ୍ତି । ଘନ ଜଙ୍ଗଲ ମଧ୍ୟରେ ଶତ୍ରୁ ଉପସ୍ଥିତ ହେଲେ, ଠିକ୍ କେଉଁ ସ୍ଥାନରେ ସେମାନେ ଅଛନ୍ତି, ସେ କଥା ନ ଜାଣି ଇତଃସ୍ତତଭାବେ ଚଳାଇ ଦେଲେ କେବଳ ନିଜେ କେଉଁଠାରେ ଲୁଚି ରହିଚନ୍ତି ସେଇ ଖବରଟା ଚଟ୍‍ପଟ୍‍ ଜଣାପଡ଼ିଯାଏ । ଗ୍ରାନେଡ଼ଗୁଡ଼ିକର ପିନ୍ ଖୋଲିଦେଇ ପ୍ରସ୍ତୁତ ହୋଇ ରହିବା ପାଇଁ “ଜୋ” ସମସ୍ତଙ୍କୁ ହୁକୁମ ଦେଲା । ତା’ ପରେ ନିଃଶ୍ଵାସ ବନ୍ଦକରି କିଛି ସମୟ ଅପେକ୍ଷା କଲାପରେ ଯେଉଁ ଦିଗରୁ ଶବ୍ଦ ଆସୁଥିଲା, ଠିକ୍ ସେହି ଦିଗକୁ ଲକ୍ଷ୍ୟ କରି ବୋମାଟାଏ ଫିଙ୍ଗା ଗଲା ।

 

ଏକ ମୁହୂର୍ତ୍ତ,—ଦୁଇ...ତିନ୍...ଚାରି... । ଦେଖୁ ଦେଖୁ ସ୍ଥାନଟି ଆଲୋକମୟ ହୋଇଗଲା-। ମିଲସ୍ ବୋମା ଏବଂ ଗ୍ରିନେଡ଼୍ ଫାଟିବାକୁ ଆରମ୍ଭ କଲା । ତେଣେ ତେତେବେଳକୁ ଖଣ୍ଡଯୁଦ୍ଧ ଶେଷ ହୋଇଗଲାଣି । ସମସ୍ତେ ଚୁପ୍‍ଚାପ୍ ହୋଇଗଲେଣି । ଅଳ୍ପ ସମୟ ପରେ ଅସ୍ପଷ୍ଟଭାବେ ସାଙ୍କେତିକ ଶବ୍ଦ ଶୁଣାଗଲା । ନିଜ ଦଳର ଲୋକେ ଆସୁଚନ୍ତି ଜାଣିପାରି ଏମାନେ ସମସ୍ତେ ନିଶ୍ଚିନ୍ତ ହେଲେ ।

 

ସେମାନେ ଆସିଗଲେ; ମାତ୍ର ସଂଖ୍ୟାରେ ଅତି ଅଳ୍ପ । ଦଳର କମାଣ୍ଡର ଲେଫ୍‍ଟନେଣ୍ଟ ‘ଓସିଆ’ ବଣୁଆ ଡାଳପତ୍ରରେ ତିଆରି ହୋଇଥିବା ଫିଲ୍ଡ଼୍ ଷ୍ଟ୍ରେଚରରେ ପଡ଼ି ଆସୁଚନ୍ତି । ତାଙ୍କ ଡାହାଣ ପାଦଟି ପ୍ରାୟ ଅଲଗା ହୋଇ ଝୁଲି ପଡ଼ିଚି; କିନ୍ତୁ ଆଇରିସ୍ ରକ୍ତ ସହଜେ ଥଣ୍ଡା ହେବାର ନୁହେଁ । ଅଳ୍ପଦିନ ତଳେ ପ୍ରମୋସନ ପାଇଥିବା ବି: ଓ: ଆର୍: ଅର୍ଥାତ ‘ବ୍ରିଟିଶ୍ ଅଦର ରାଙ୍କ’ ଅର୍ଥାତ୍ ଅଫିସର ତଳିଆ ପଦର ସିପାହୀ ଓସିଆର ବୟସ ଅଳ୍ପ; କିନ୍ତୁ ସହିବାର ଶକ୍ତି ଖୁବ୍ ବେଶି । ଏତେ ବଡ଼ ଲଢ଼େଇ ଏବଂ ଏତେଦୂର ଜଖମ, ସେଥିପାଇଁ ଆଦୌ ସେ ଚିନ୍ତିତ ନୁହେଁ । ଆଇରିସ୍ ଆଖି ନାକ ସଦା ହସ ହସ ଦେଖାଯାଉଥାଏ । ଯେଉଁ ଦିଗଟା କଳା ଏବଂ ଯେଉଁ ଦିଗରେ ଦୁଃଖ ବେଦନା, ସେ ଦିଗକୁ ସେ ନଜର ଦିଏ ନାହିଁ । କେବଳ ଆଲୋକ ଦିଗକୁ ଚାହିଁ ଚାହିଁ ସେ ହସୁଥାଏ-

 

‘ଜୋ’ ଓସିଆ ପାଖକୁ ଧାଇଁ ଆସିଲା । ଫିଲଡ଼୍ ଆମ୍ବୁଲାନ୍ସ ଇଉନିଟ୍ ସଙ୍ଗରେ ନାହିଁ; କିନ୍ତୁ ‘ଫାଷ୍ଟ ଏଡ଼୍’ ତ ଅଛି । ସେ କାର୍ଯ୍ୟ ସରିବା ପରେ ‘ଜୋ’ ଅତି ଦରଦୀ କଣ୍ଠରେ ପଚାରିଲା—ତୁମ ଗୋଡ଼ର ଯନ୍ତ୍ରଣାଟା ଟିକିଏ କମିଲା କି ?

 

ଓସିଆ କୌଣସି ପ୍ରକାରେ ନିଜ ଦାନ୍ତରେ ଓଠକୁ କାମୁଡ଼ି ଧରି କହିଲା—‘ମରିନ୍’ ଖୁବ୍ ଭଲ ଝିଅ । ଖୁବ୍ ସୁନ୍ଦର ‘ଏଣ୍ଡ ଅଲ୍ ଦ୍ୟାଟ୍’ (ଏବଂ ଆହୁରି କେତେ କଅଣ) । କିନ୍ତୁ ସାର୍ ମୁଇଁ ହେଲି ତାର ପ୍ରଥମ ପୁରୁଷ ବନ୍ଧୁ । ଅନ୍ୟ କୌଣସି ଟୋକା ସାଙ୍ଗରେ ସେ ବୁଲାବୁଲି କରିବ ନାହିଁ । ମା ଚିଠି ଲେଖି ଜଣାଇଚନ୍ତି ଯେ ମୁଁ ଲଢ଼େଇରେ ଦୂର ବିଦେଶକୁ ଆସିଚି ବୋଲି ‘ମରିନ୍’ କାହାରି ସାଙ୍ଗରେ ବାହାରକୁ ବାହାରୁନାହିଁ । ଏମିତିକି ପଇସାବାଲା ଆମେରିକା ଲୋକଙ୍କ ସଙ୍ଗରେ ମଧ୍ୟ ମିଶୁନାହିଁ ।

 

ଟିକିଏ ତୁନି ରହି ପୁଣି ସେ କହିବାକୁ ଆରମ୍ଭ କଲା—ଏ ପାଦଟାକୁ ଯଦି କାଟି ବାଦ କରି ଦିଆଯାଏ, ତେବେ ତା’ ପାଖକୁ ଫେରିଯିବା କଅଣ ମୋ ପକ୍ଷେ ଉଚିତ ହେବ ? ଗୋଟାଏ ପାଦ ନାହିଁ । ଗୋଟାଏ ଯୁଗ ପରେ ମଧ୍ୟ ଟୋକାଟାକଳିଆମାନେ ସହାନୁଭୂତି ଦେଖାଇବେ । କେବଳ କଥା ଗୋଟିକର ଜୋର୍‍ ରେ ମରିନକୁ ସାରା ଜୀବନ ପାଇଁ ମୁଁ କଅଣ ବାନ୍ଧି ରଖିବି ? ବିଚାରିର ଭଲ ଘରସଂସାରଟିଏ ହେବା ଦରକାର, କିନ୍ତୁ ପାଦଟା ମୋର ଯଦି ନଷ୍ଟ ହୋଇଯାଏ ?

 

ହାୟ, କ୍ଷତସ୍ଥାନରେ ‘ଆନାସ୍ତେଟିକ୍’ ଦେଇ ବେଦନା ବୋଧ ଚପେଇ ରଖାଯାଇପାରେ, ମାତ୍ର ହୃଦୟର କ୍ଷତସ୍ଥାନଟିରେ କେଉଁ ଆନାସ୍ତେଟିକ୍ ବା ଇଞେକ୍ସନ୍ ଦେବ ହେ ? ନିଦ ହେବାପାଇଁ କେଉଁ ଔଷଧଟି ଲଗେଇବ ?

 

ଟିକିଏ ଚୁପ୍ ହେଲା ପରେ ଓସିଆ ପୁଣି କହିଲା—ତା’ ଅପେକ୍ଷା ବରଂ ତାକୁ ଖଣ୍ଡେ ଚିଠି ଲେଖିଦେଉଚି । ଏତିକିବେଳୁ କଥାଟାକୁ ତୁଟାଇ ଦେବା ଉଚିତ । ଆପଣ କଅଣ କହୁଚନ୍ତି ସାର୍ ?

 

‘ଜୋ’ ଛଡ଼ା ତା’ ନିଜ ଦେଶ ବା ଜାତିର ଲୋକ ଏ ମାଲୟ ଜଙ୍ଗଲ ଭିତରେ ଆଉ କେହି ନାହିଁ । ଦେବଳ, ଓରାୟମ ଓ ରବିନ୍ ମୁଣ୍ଡ ନୁଆଇଁ ଚୁପ୍‍ଚାପ୍ ଛିଡ଼ାହୋଇ ରହିଥାଆନ୍ତି । ଚାରିଦିଗରେ ଟହଲଦାର ଜଗୁଆଳମାନେ ଆହୁରି ଅଧିକ ହୁସିଆର ହୋଇ ପହରା ଦେଉଚନ୍ତି । କିଏ କହିବ ଜାପାନୀମାନେ ପୁଣିଥରେ ଟ୍ରେସର ବଲ ଫୁଟାଇ ଏମାନଙ୍କୁ ଖୋଜି ବାହାର କରିବାକୁ ଚେଷ୍ଟା ନ କରିବେ ବୋଲି ? ହୁଏତ ଏରୋପ୍ଳେନ ପଠାଇ ସମସ୍ତ ଜଙ୍ଗଲଟାକୁ ବୋମାମାଡ଼ରେ ଚିନ୍‍ଛତ୍ର କରି ଦେଇପାରନ୍ତି । ଏକା ଦେବଳ ଦେଖିଲା ଯେ ତା’ ମଣିବନ୍ଧରେ ବନ୍ଧାହୋଇଥିବା ହାତଘଡ଼ିଟା ବନ୍ଦ ହୋଇଯାଇଚି ।

 

ଅଳ୍ପ ହସିବାର ଚେଷ୍ଟା କରି ‘ଜୋ’ କହିଲା—ଏତେ ଭାବୁଚ କାହିଁକି ଓସିଆ ? ତୁମକୁ ଆମେ ସଙ୍ଗେ ସଙ୍ଗେ ବ୍ରିଗେଡ଼ ହେଡ଼୍‍କ୍ୱାଟରକୁ ପଠାଇ ଦେଉଛୁଁ; ସେଠାରୁ କୁଆଲାମପୁରକୁ । ଜାଣ ତ ମାଲୟର ରାଜଧାନୀ ସେ । ରୂପାପରି ଚକଚକିଆ ଟିଣ ଏବଂ ରବର ଏ ଦେଶଟାକୁ ରୂପାରେ ଢାଙ୍କି ରଖିଚି । ସେଠା ମିଲ୍‍ଟାରି ହାସ୍‍ପାତାଳର ନର୍ସଗୁଡ଼ିକ, ସମସ୍ତଙ୍କର ସୁନେଲି କେଶ । ସୁନ୍ଦର ଆରାମରେ ତୁମେ ସ୍ପ୍ରିଂ ଲଗା ଖଟ ଉପରେ ଶୋଇ ସୁନେଲି ନର୍ସମାନଙ୍କ ନରମହାତର ସେବା ଦ୍ଵାରା ଅବିଳମ୍ବେ ଭଲ ହୋଇଯିବ ।

 

ଆଇରିସ୍ ଆଖି ଚକ୍‍ଚକ୍‍ ହୋଇଉଠିଲା; କିନ୍ତୁ ତାର କଣ୍ଠଟିରେ ସତେକି ଅଶ୍ରୁଜଳ ବରଫପରି ଜମାଟ ବାନ୍ଧି ଯାଉଚି । କହିଲା—ମୋର ବି ଆଶା ଯେ ମୁଁ ଭଲ ହୋଇଯିବି ।

 

ଘଣ୍ଟାଏ ଖଣ୍ଡେ ସମସ୍ତେ ଚୁପ୍‍ଚାପ୍ ହୋଇ ବସି ରହିଲେ । କରିବେ ବା କଅଣ ?

 

—ବର୍ତ୍ତମାନ ତୁମକୁ କେମିତି ଲାଗୁଚି ଓସିଆ ?

 

‘ଜୋ’ର ଏଇ ପ୍ରଶ୍ନ ଶୁଣି ବିଚରା ଓସିଆ ଏଥର ଭାଙ୍ଗିପଡ଼ିଲା । କହିଲା—ମୁଁ ଜାଣେନା-। ସବୁ ମୋତେ ଅଦ୍ଭୁତ ପରି ଲାଗୁଚି । ମୋତେ ଦିନେ ଅଙ୍ଗହୀନ ହେବାକୁ ପଡ଼ିବ, ଏ କଥା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି । ପୁଣି ଭାବୁଚି—ସତେ କି ମୁଁ ସାରାଜୀବନ ଏହିଭଳି ଥିଲି-! ଇଞ୍ଜେକ୍ସନ ଦିଆଯାଇଥିବା ବ୍ୟାଣ୍ଡେଜ୍ ବନ୍ଧା ହୋଇଥିବା ପାଦଟା ଯେମିତିକି ମୋର କୌଣସି ଦିନ ନଥିଲା । ସତେକି ‘ମରିନ୍’ ମୋତେ ଠିକ୍ ଏମିତିଆ ଏକଗୋଡ଼ିକିଆ ଅବସ୍ଥାରେ ଦେଖି ଆସିଥିଲା-। ସତେକି ମୁଁ ଆମରି ଦେଶରେ ଡାଳପତ୍ରର ଷ୍ଟ୍ରେଚର ଉପରେ ଶୋଇରହି ନିଦେଇ ପଡ଼ୁଚି ।

 

ଟିକିଏ ରହିଯାଇ ପୁଣିଥରେ କହିଲା—ବୋଧହୁଏ ଆମ ସମସ୍ତଙ୍କ ଚିଠିପତ୍ରଗୁଡ଼ିକ ହେଡ଼କ୍ୱାଟର୍ସରେ ପହୁଞ୍ଚି ଜମା ହୋଇ ରହିଥିବ । ଅନେକ ଦିନ ହେଲା ଆମେମାନେ ଏଣେତେଣେ ଛଟିକି ପଡ଼ିଚୁଁ—ପରସ୍ପରଠାରୁ ଅଲଗା ହୋଇ ଯାଇଚୁଁ । ଆର୍.ଏ.ଏଫ୍. ମଧ୍ୟରେ ନିଶ୍ଚୟ ଚିଠିଗୁଡ଼ିକ ଏରୋପ୍ଳେନରୁ ଏୟାରଡ଼୍ରପ୍ ହୋଇ ପଡ଼ି ରହିଚି । ଆହା, ତା’ଠାରୁ ଖଣ୍ଡିଏ ଚିଠି ପାଇଲେ କେତେଦୂର ଭଲ ଲାଗନ୍ତା !

 

କୌଣସି ପ୍ରକାରେ ‘ଜୋ’ କହିଲା—ନିଶ୍ଚୟ ଚିଠି ଆସିଯାଇଚି । ଆମେମାନେ ବ୍ରିଗେଡ଼ଘାଟିରେ ପହୁଞ୍ଚିଗଲା ମାତ୍ରେ ଚିଠି ପାଇବା ।

 

—ଆଚ୍ଛା, ମୋର ଗୋଟାଏ ଗୋଡ଼ ନଷ୍ଟ ହୋଇଯାଇପାରେ, ଏକଥା ‘ତାକୁ’ ତ ୱାର ଅଫିସରୁ ଜଣାଇ ଦିଆଯିବ ନାହିଁ ! ବୋଧହୁଏ କେହି ଜଣେ ମରିଗଲେ ସେମାନେ ସେଇ ଖବରଟା ପଠାଇଦିଅନ୍ତି—ଏଇଆ ତ ? ଗୋଟାଏ ପାଦ ମୋର ନଷ୍ଟ ହୋଇ ଯାଇଚି ବୋଲି ଶୁଣିଲେ ସେ କଅଣ ଭାବିବ, ଏଇ କଥାଟିକି କେବଳ ମୁଁ ଭାବୁଚି । ଚାଷୀ ହିସାବରେ ମୋର ତ ଆଉ କିଛି ମୂଲ୍ୟ ରହିବ ନାହିଁ !

 

ମିଛଟାରେ ତମେ ଏତେ ଅମଙ୍ଗଳ ଚିନ୍ତା କରୁଚ କାହିଁକି ଓସିଆ ? ପାଦ ତୁମର ନିଶ୍ଚୟ ଭଲ ହୋଇଯିବ। ଯଦିବା ତା’ ନହୁଏ, ତେବେ ଆଜିକାଲିକା ଡାକ୍ତରମାନେ ଏଭଳି ଚମତ୍କାର ଭାବେ ପାଦ ଲଗାଇ ଦେଇପାରୁଚନ୍ତି ଯେ ଲୋକେ ତାକୁ କୃତ୍ରିମ ପାଦ ବୋଲି ଆଦୌ ଜାଣିପାରୁ ନାଁହାନ୍ତି।

 

ଓସିଆ ଏକଥାଟିକି ସହ୍ୟ କରିପାରିଲା ନାହିଁ । ଏଇଥର ସେ ପ୍ରଥମେ ଧୈର୍ଯ୍ୟ ହରାଇଲା । ପ୍ରଥମ ହୋଇ ଚିଡ଼ିଉଠିଲା । ଏତେବଡ଼ ଜଖମ ଓ ଏତେ ରକ୍ତପାତରେ ସୁଦ୍ଧା ସେ ଏପରି ଉତ୍ୟକ୍ତ ହୋଇ ନଥିଲା । କହିଲା—କିନ୍ତୁ ‘ସେ’ କଅଣ ଜାଣି ପାରିବ ନାହିଁ ? ଏହିକଥା ଆପଣ କହିବାକୁ ଚାହାନ୍ତି ? ତାକୁ କଅଣ ମୁଁ ଠକିବାକୁ ଯିବି ? ନିଜ ଘରର ଲୋକ ହେବାକୁ ଯିଏ ବସିଚି, ତାକୁଇ ମୁଁ ଠକିବି ?

 

କଥାପ୍ରସଙ୍ଗରେ କହୁ କହୁ ଟିକେ ରାଗି ଯାଇଥିବାରୁ ଓସିଆ ନିଜେ ଲଜ୍ଜିତ ହୋଇପଡ଼ିଲା । ‘ଜୋ’ ର ହାତଟାକୁ ଧରିପକାଇ ସେ କହିଲା—ସରି କ୍ୟାପଟେନ୍ ! ଭାବି ଦେଖନ୍ତୁ, କାଠଗୋଡ଼ ଲଗାଇଦେଲେ ମୁଁ ତ ଆଉ କାଦୁଅ ମାଟିଚକଟି ଚାଷ କରିପାରିବି ନାହିଁ, ଖାଇବି କଅଣ ?

 

ବନ୍ଦ ହୋଇଯାଇଥିବା ହାତଘଡ଼ିଟାକୁ ପୁଣି ଥରେ ଚଳାଇବାକୁ ଚେଷ୍ଟା କରି ମନୋଯୋଗ ସହକାରେ ଦେବଳ ହଲାହଲି କରିବାକୁ ଲାଗିଲା । ସମସ୍ତେ ଅନ୍ୟଆଡ଼େ ମନ ଦେଇଚନ୍ତି—ସତେ କି କିଛି ଘଟି ନାହିଁ । ପ୍ରାଣପଣେ ଚେଷ୍ଟାକରି ଦାନ୍ତ ଦ୍ୱାରା ‘ଜୋ’ ନିଜ ଓଠଟାକୁ କାମୁଡ଼ି ଧରିଲା ।

 

ବ୍ରିଗେଡ଼ିଅର ସାହେବ ମଧ୍ୟ ସେହିପରି ନିଜ ଓଠଟାକୁ ଚାପି ରଖିବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ସେନସର ଅଫିସରୁ ଆସିଥିବା ଖଣ୍ଡେ ଖୋଲା ଚିଠି ତେତେବେଳେ ତାଙ୍କ ହାତରେ ଥାଏ । ‘ଜୋ’ର ଚିଠି । ଲେଖିଚି ‘ଜୟ’—

 

ତିନି

 

ପ୍ରିୟ ‘ଜୋ’,

 

ଆଜି ରାତ୍ରି ଶେଷଆଡ଼କୁ ‘ଜେରି’ * ମାନେ ପଞ୍ଝାକୁ ପଞ୍ଝା ପ୍ଳେନ ପଠାଇଥିଲେ । ଆମ୍ଭମାନଙ୍କ ଘରର ଚଟାଣ ତଳେ ଥିବା ମାଟି ତଳୁ ଅଧେ ଲେଖାଁ ଉଡ଼ିଯାଇଛି । ‘ୟାକ୍ ଯାକ୍’ (ଆଣ୍ଟିଏଆର କ୍ରାଫ୍‍ଟ) କମାଣ ଚାଲୁଥିବା ସତ୍ତ୍ଵେ, ସାରା ଆକାଶରେ ଭର୍ତ୍ତି ହୋଇଥିବା ‘ବେଲୁନ ବ୍ୟାରେଜର’ ଜାଲକୁ ଆଡ଼େଇ କି ଉପାୟରେ ‘ଲୁଫ୍‍ଟ ବାଫା’ (ଜର୍ମାନ ବିମାନବାହିନୀ) ଶେଷରାତ୍ରି ବେଳକୁ ଏ ଅଞ୍ଚଳରେ ପଶି ଆକ୍ରମଣ କରିଗଲେ, ତାହା ସେହିମାନେ ହିଁ ଜାଣନ୍ତି । ତୁମେ କିଛି ଭାବିବ ନାହିଁ । ଆମେ ଭଲ ଅଛୁଁ ଏବଂ ଠିକ୍‍ ଭାବେ କାମ କରି ଯାଉଅଛୁଁ । “ବେଟଲ୍ ଫର୍ ବ୍ରିଟେନ୍”ରେ ଆମେ ନିଶ୍ଚୟ ଜିତିବୁଁ ।

 

* ଯୁଦ୍ଧ ସମୟରେ ଜର୍ମାନମାନଙ୍କୁ ଇଂରେଜୀଭାଷାରେ ‘ଜେରି’, ବସା, ହୁନ ଆଦି ନାମରେ ଡକା ଯାଉଥିଲା ।

 

ଏଗୁଡ଼ିକ ସାମରିକ ସେନସାର ଦ୍ଵାର ନିଭାଇ ଦେଇଥିବା ଚିହ୍ନ । ଯୁଦ୍ଧକ୍ଷେତ୍ରରେ ପ୍ରତ୍ୟେକ ଚିଠି ସେନସେର ହୁଏ । ନାହିଁ ଭଲ ଅଛୁଁ ଏବଂ ଠିକ୍ ଭାବେ କାମ କରି ଯାଉଅଛୁଁ । “ବେତଲ୍ ଫର୍ ବ୍ରିଟେନ୍”ରେ ଆମେ ନିଶ୍ଚୟ ଜିତିବୁଁ ।

 

ତୁମେ ତୁମ ଶେଷଚିଠିରେ ସିହ୍ନା ନାମକ ଯେଉଁ ଭାରତୀୟ ଅଫିସରଟି କଥା ଲେଖିଚ, ତହିଁରେ ମୁଁ ଖୁବ୍ ଆନନ୍ଦ ଲାଭ କଲି । ତୁମର ପୂର୍ବ ଚିଠିରୁ ସେ ଗୋଟିଏ “ଫନି ବୟ” ବୋଲି ଭାବିଥିଲି । ମନଟି ତାର ନିତାନ୍ତ ଅପରିପକ୍ଵ ଏବଂ ତାକୁ ନଚେଇ ଦିଆଯାଇପାରେ । ଅବଶ୍ୟ ତାକୁ ନଚାଇବା ଦ୍ଵାରା ତୁମେ ଯଦି କିଛି ଆନନ୍ଦ ପାଇପାର । ସେ ତା’ର ରିଷ୍ଟୱାଚଟିକୁ ଆଡ଼େଇ ଆଡ଼େଇ ଚାହିଁ ରହୁଚି । ଏ କଥାଟି ଜାଣିଲାବେଳୁ ମୁଁ ବୁଝିଚି ଯେ, ଏ କଥା ମଧ୍ୟରେ କିଛି ଗୋଟାଏ ରହସ୍ୟ ଲୁଚି ରହିଚି । ଆଉ ମଧ୍ୟ ସିଧାସଳଖ ନ ଚାହିଁ ଆଡ଼େଇ ଚାହେଁ, ଏଇ ଚୋରାଚାହାଣିର ଗୁପ୍ତକଥାଟି ପ୍ରକାଶ ପାଇବା ପାଇଁ ଗୋଡ଼ ବଢ଼େଇ ବସିଚି; ତେଣୁ ମୋର ଅନୁମାନ—ତୁମେ ତାର ଭିତିରି କଥାଟି ଅବିଳମ୍ବେ ଜାଣିପାରିବ ।

 

ବିଚରାଟି ବଡ଼ ନିରୀହ ଲୋକ । ଦେଶରେ ‘ସୁଇଟ୍ ହାଟ୍’ ଟିକୁ ଛାଡ଼ି ଯୁଦ୍ଧ ପାଇଁ ବିଦେଶକୁ ଚାଲିଯିବା ନିଶ୍ଚୟ ଅତି କଠିନ କଥା । ଯିଏ ଯାଏ ଏବଂ ଯିଏ ପଛରେ ପଡ଼ିରହେ ଉଭୟ ସେ କଥାଟିକି ଭଲଭାବେ ହୃଦୟଙ୍ଗମ କରିପାରନ୍ତି । ତେବେ କଥା କଅଣ କି ? ଯିଏ ଆଗେଇଯାଏ ତାର କଷ୍ଟ କମ, ଚିନ୍ତା କମ । ଯୁଦ୍ଧ ହେଲା ଗୋଟାଏ ନିଶା । ନିଜ ଦେଶକୁ ବଞ୍ଚାଇବାକୁ ଯାଉଚି, ନିଜ ପ୍ରିୟ ପରିଜନମାନଙ୍କ ପାଇଁ ଯୁଦ୍ଧ କରୁଚି । ଏଇ କଥାଟି ହେଲା ତା’ର ମସ୍ତବଡ଼ ସାନ୍ତ୍ଵନା । ନିଜ ପାଇଁ, ରେଜିମେଣ୍ଟ ପାଇଁ ଏବଂ ଦୁଷମନ ପାଇଁ ନିଜକୁ ସବୁ ସମୟରେ ବ୍ୟସ୍ତ ରଖିବାକୁ ପଡ଼େ; ତେଣୁ ତୁମମାନଙ୍କ ସିହ୍ନାଟି କେବଳ ଘଡ଼ିଟି ଆଡ଼କୁ ଚାହିଁ ଶାନ୍ତି ପାଉଚି; କିନ୍ତୁ ସେ କଥାଟି ହେଲା ଗୋଟାଏ ଅଳସ ବିଳାସ । ତା’ଠାରୁ ବେଶି କିଛି ନୁହେଁ । ଅବଶ୍ୟ ତୁମପକ୍ଷେ ଚିନ୍ତାଟି ଆହୁରି ଅଧିକ ବେଶି । ସେ ସବୁ କଥା ଲେଖିଲେ ମୋର ଏ ଚିଠି ଖଣ୍ଡିକ ସେନ୍‍ସର ହାତଦେଇ ତୁମ ପାଖରେ ଆଉ ପହୁଞ୍ଚି ପାରିବ ନାହିଁ ।

 

ମୁଁ ଆଜି ତୁମ ପାଖକୁ ଗୋଟାଏ ବିଶେଷ ଖବର ଦେବି । ବୋଧହୁଏ ତୁମେ ପଚାରିବ–ଆଗରୁ କାହିଁକି ଦେଇନାହିଁ ବୋଲି; କିନ୍ତୁ ବର୍ତ୍ତମାନ ସେ ପ୍ରଶ୍ନ ପଚାରିବାର କୌଣସି ଅର୍ଥ ହୁଏ ନାହିଁ-। ତାପୂର୍ବରୁ ତୁମ ସିହ୍ନାର ହାତଘଡ଼ି ଡାଲାତଳେ ଥିବା ଛବିଟିର ଅଧିକାରିଣୀ ସଙ୍ଗେ ମୋ ଅବସ୍ଥାଟିକୁ ଥରେ ତୁଳନା କରି ଦେଖିବ । କେବଳ ମୋରି ନୁହେଁ, ଆମ ଦେଶର ହଜାର ହଜାର ଝିଅଙ୍କର ।

 

ଦୁଇଟି ଭୟରେ ରାତିରେ ମୋତେ ନିଦ ହେଉ ନ ଥିଲା । ତୁମେ ‘ସିଆକ’ ଯାଇଚ । ମାଲୟରେ ଜାପାନୀମାନେ ଝଡ଼ ପରି ଆଗେଇ ଆସୁଚନ୍ତି ଏବଂ ଆମ ସୈନ୍ୟମାନେ ପ୍ରାୟ ବିନାଯୁଦ୍ଧରେ ସେମାନଙ୍କ ହାତରେ ବନ୍ଦୀ ହୋଇ ଯାଉଚନ୍ତି । ପ୍ରତିଦିନ ରେଡ଼ିଓରେ ଏ ଖବରଟି ଦିଆଯାଉଚି । ଆଜି ତୁମେ କେଉଁଠାରେ ଅଛ, ତାହା ମୁଁ ଅନୁମାନ କରି ପାରୁନାହିଁ । ତୁମ ଠିକଣାରେ କୌଣସି ନାମଧାମ ରହିନାହିଁ । ଅଛି କେବଳ ଗୋଟିଏ ବ୍ରିଗେଡ଼୍ର ନମ୍ବର ।

 

କିନ୍ତୁ ଏ ‘ଜେରି’ ମାନଙ୍କ ଆକାଶୀ ଆକ୍ରମଣର ଭୟ ମଧ୍ୟରେ ସେ କଥାଟି ଭାବିବାକୁ ମୋତେ ଅବସର ମିଳୁନାହିଁ । ତୁମେ କେଉଁଠାରେ ଅଛ, ଏ କଥାଟି ଚିନ୍ତାକରିବା ମୋ ପକ୍ଷେ ଗୋଟାଏ ବିଳାସ ହୋଇପଡ଼ିଚି । ପିଳେହି ଚମକିବା ଭଳି ସାଇରନ ଶବ୍ଦ ଅନେକ ସମୟ ପର୍ଯ୍ୟନ୍ତ ବାଜି ଉଠୁଚି । ‘ସର୍ଚ୍ଚ’ ଲାଇଟଗୁଡ଼ିକ ଆକାଶ ମଧ୍ୟରେ ଛୁରୀ ଚଳାଉଚନ୍ତି । ମୁଣ୍ଡ ଉପରେ ଦୁମ ଦୁମ ହୋଇ ଘରଦ୍ଵାର ଭାଙ୍ଗିପଡ଼ୁଚି । ପ୍ରଥମ ବୋମାର ଆଘାତରେ ଦୋମହଲା ଘରଟା ସତେକି ଓଲଟି ପଡ଼ିଲା । ତା’ ପରେ ଗୋଟିକ ପଛକୁ ଆଉ ଗୋଟିଏ, ତା’ପଛକୁ ଆଉ ଗୋଟିଏ ଢେଉପରି ଦୂରଗାମୀ ପ୍ଲେନଗୁଡ଼ିକ ଆସିବାକୁ ଲାଗିଲା । ଆମର ଏକ-ମହଲା ଘରଟିବି ଚୁରମାର ହୋଇଗଲା-। ଅସ୍ତ୍ର ତିଆରି କାରଖାନାଟି ଏତେ ପାଖରେ ଥିବାହେତୁ ଏ ଘରଟି ଉପରେ ଏତେଦୂର ଆଘାତ ପଡ଼ିଲା । ଆମ ଡ୍ରଇଁରୁମରେ ‘ମ୍ୟାଣ୍ଟିଲ ପିସ୍’ ଦେହରୁ ତୁମ ଛବିଖଣ୍ଡିକ ଛିଟିକିପଡ଼ି ଭଙ୍ଗା ମେଜିଆର ଫାଟଦେଇ ତଳକୁ ଉଡ଼ିଆସି ମୋ ପାଖରେ ପଡ଼ିଲା । ଫ୍ରେମର କାଚଟି ଚୁରମାର ହୋଇଯାଇଚି । ଛବିଟି ଜଖମ ହୋଇଯାଇଚି ।

 

ରୋଷେଇ କରିବାର ଛୋଟ ଟେବୁଲତଳେ ତଳମୁହାଁ ହାମୁଡ଼େଇ ପଡ଼ିଥିଲି । କୌଣସି ପ୍ରକାରେ ହାତ ବଢ଼ାଇ ଛବିଖଣ୍ଡିକୁ ଟାଣି ନେଇ ଏ–ପ୍ରନ୍ (ଅଣ୍ଟାବନ୍ଧା ଗାମୁଛା) ମଧ୍ୟରେ ଗୁଡ଼ାଇ ରଖିଲି; କିନ୍ତୁ ସେତିକିରେ କ’ଣ ରକ୍ଷା ଅଛି !

 

ଗୋଟିଏ ଗୋଟିଏ ବୋମା ବାୟୁମଣ୍ଡଳର ବୁକୁଚିରି ତଳକୁ ଖସି ଆସୁଥାଏ । ସତେକି ମୁଣ୍ଡଟା ଛିଡ଼ି ପଡ଼ୁଥାଏ । କୌଣସି ପ୍ରକାରେ ଆଖିବୁଜି ମୁଣ୍ଡଗୁଞ୍ଜି ପଡ଼ି ରହିଥିଲି, ଏକା, ଭୀଷଣ ଏକୁଟିଆ । ଜୀବନରେ କୌଣସି ବିପଦବେଳେ ମନୁଷ୍ୟ ଏଭଳି ଏକାହୋଇ ରହେନାହିଁ । ହଠାତ୍ ଆଖି ମେଲାକରି ଦେଖିଲି ଯେ, ମିଷ୍ଟର ‘ମେ’ ଟଳ ଟଳ ହୋଇ ଅଧାଭଙ୍ଗା ସିଡ଼ି ଉପରଦେଇ ଓହ୍ଲାଇ ଆସୁଚନ୍ତି; କିନ୍ତୁ ଅନ୍ୟ ଗୋଟିଏ ବୋମାର ଧକ୍କାରେ ସିଡ଼ିଟି ଫାଟିଯାଇ ଫାଙ୍କା ହୋଇଗଲା ଏବଂ ମିଷ୍ଟର ‘ମେ’ କୌଣସି ପ୍ରକାରେ ଚଟାଣ ଉପରକୁ ଡେଇଁପଡ଼ି ମୁହଁ ମାଡ଼ି ଶୋଇ ପଡ଼ିଲେ ।

 

ମିଷ୍ଟର ‘ମେ’ର କଥା ତୁମକୁ ଆଗରୁ ଲେଖିନାହିଁ ! ସମୟ ମଧ୍ୟ ନଥିଲା । ଠାରୁ ତାଙ୍କୁ ଅଣା ହୋଇଛି—ଗୋଟିଏ ନୂତନ ତିଆରି କରିବା ପାଇଁ । ଆମ୍ଭମାନଙ୍କ କାରଖାନାରେ ସେ ବିଷୟରେ ଗବେଷଣା କରୁଛନ୍ତି । ରୋଜ ସନ୍ଧ୍ୟାର ‘‘ବ୍ଳାକ୍ ଆଉଟ”ହୋଇଯିବା ପରେ ଆମେମାନେ ଏକ ସଙ୍ଗରେ ବାଟ ଅଣ୍ଡାଳି ଘରକୁ ଫେରୁଁ । ଏକା ଘରେ ଆମେ ରହୁଁ । ଗତ କେତେମାସ ହେଲା ଏଇ କାରଖାନାରେ କାମ କରିବାପାଇଁ ଘରୁ ମୋତେ ଚାଲି ଆସିବାକୁ ପଡ଼ିଚି । ତା’ ଜାଣିଚ ତ । ମା କଥା ମନେ ପଡ଼ିଲାବେଳକୁ ମନଟି କେମିତି କେମିତି ହେଉଚି; କିନ୍ତୁ ମାଆକୁ ଏବଂ ମୋତେ ଭିନ୍ନଭିନ୍ନ ସହରରେ ପୃଥକ୍‍ଧରଣର କାମ କରିବାକୁ ପଡ଼ୁଚି ।

 

ବୋମା ଆକ୍ରମଣର ଆଉ ଗୋଟାଏ ଢେଉ ଆରମ୍ଭ ହୋଇଗଲା । ଏଥର ଆହୁରି ଭୟଙ୍କର । ଆମମାନଙ୍କ “ୟାକ ଯାକ” କମାଣରୁ ଗୋଳା ଗୁଡ଼ିକ ବାହାରି ଆମରି ଚାରିପାଖରେ ଦୁମଦାମ ପଡ଼ିବା ଭଳି ବୋଧହେଲା । ଗୋଟିଏ ବୋମା ଫୁଟିବା ଝଡ଼ରେ ମୁଣ୍ଡ ଉପରେ ଥିବା ରୋଷେଇ ଘରର ଟେବୁଲଟି ଏକାବେଳକେ ଉଡ଼ି ଚାଲିଗଲା । ମୁଣ୍ଡଉପରେ ପୂରା ଅନ୍ଧକାର । ଅନ୍ଧକାରମୟ ଆକାଶ । ସେହି ଅନ୍ଧକାରକୁ ଭେଦକରି ବଜ୍ର ପଡ଼ିବା ଭଳି ବୋମା ଫାଟୁଚି । ବିଜୁଳି ଚମକିଲାଭଳି ବାରୁଦ ଫୁଟୁଚି । ଆଉ...ଓଃ...ଲେଖି ପାରୁନାହିଁ ।

Unknown

 

ମୁଁ ଅଜ୍ଞାନ ହୋଇ ଯାଇଥିଲି । ବୋଧହୁଏ ମୁଣ୍ଡଉପରେ ବୋମା ଫାଟିବାର ଧକ୍କା ଲାଗିଥିଲା । ଯେତେବେଳେ ଜ୍ଞାନ ଫେରି ପାଇଲି, ତେତେବେଳେ ଦେଖିଲି ଯେ, ଆକାଶୀ ଆକ୍ରମଣରୁ ବଞ୍ଚାଇବା ପାଇଁଖୋଳା ହୋଇଥିବା ଖାଲ ମଧ୍ୟରେ ମୋତେ ମିଷ୍ଟର ‘ମେ’ କୁଣ୍ଢାଇଧରି ଶୁଆଇ ଦେଇଚନ୍ତି ଏବଂ ନିଜ ଶରୀରଦ୍ୱାରା ମୋ ଶରୀରଟିକୁ ଘୋଡ଼ାଇ ରଖିଚନ୍ତି । ଓଃ, ଗୋଟାଏ ଜୀବନ୍ତ ମଣିଷର ଗରମ ସ୍ପର୍ଶ–ସେ ଯେ କେତେ ଶାନ୍ତି ଏବଂ କେତେ ଭରସା, ସେ କଥାଟି ଯେଉଁ ପୁରୁଷମାନେ ମନୁଷ୍ୟ ମାରି ପାରନ୍ତି, ଦେଶପାଇଁ ମାରିବାକୁ ବାଧ୍ୟ ହୁଅନ୍ତି, ସେହିମାନଙ୍କ ମଧ୍ୟରେ ଥାଇ ତୁମେ ସେକଥା ବୁଝି ପାରିବ ନାହିଁ ।

 

ମୋତେ ତାପରେ ସାତଦିନ କାଳ “ଇନଫାରମାରିରେ” (ଦୁର୍ବଳ ଲୋକର ଚିକିତ୍ସାଗୃହରେ) ରଖାଯାଇଥିଲା । ବୋମା ଆକ୍ରମଣରେ ଆହତ ଓ ଦୁର୍ବଳ ଝିଅମାନଙ୍କୁ ମୋରି ଚାରିପଟେ ଧାଡ଼ି ଧାଡ଼ି ହୋଇ ଶୋଇଥିବାର ଦେଖିଲି । ପ୍ରତ୍ୟେକଟିର ଆତ୍ମୀୟ ସ୍ଵଜନ ବା ପୁରୁଷବନ୍ଧୁ କେହିନା କେହି ଦେଖିବାକୁ ଆସନ୍ତି । ନିଜ ‘ରାସନ୍’ ମଧ୍ୟରୁ ବଞ୍ଚେଇ କିଛି ଫଳ, କିଛି ଦୁଧ ବା ଚକୋଲେଟ୍ ଆଣି ସେମାନେ ଦେଇ ଯାଆନ୍ତି । ଫୁଲ ତ ଆଦୌ ମିଳେ ନାହିଁ । ପ୍ରତ୍ୟେକ ଫୁଲବଗିଚାରେ ଆଜିକାଲି ଆଳୁ ବା ଅନ୍ୟ କିଛି ଫଳ ମୂଳର ଚାଷ ହେଉଚି । ରାତି ପରେ ରାତି ବିତି ଯାଇଚି । ବୋମା ଅତ୍ୟାଚାର ସମୟରେ ମଧ୍ୟ ଏଭଳି ଏକୁଟିଆ ଲାଗିନାହିଁ । ଚାରିଆଡ଼େ ସମସ୍ତଙ୍କର ଚିହ୍ନାଜଣା ଆପଣାର ଲୋକଙ୍କୁ ଦେଖି ନିଜକୁ ନିତାନ୍ତ ଏକୁଟିଆ ଲାଗିବାକୁ ଆରମ୍ଭ କଲା । ସେଇ ଦିନପରି ଲାଗେ—ଏ: ଆର: ପି: ଟ୍ରେଞ୍ଚ ମଧ୍ୟରେ ବିପଦରେ ପଡ଼ି ଜଣେ ଲୋକର ବାହୁବନ୍ଧନ ମଧ୍ୟରେ କେତେ ପରିମାଣ ଉତ୍ତାପ, ସାହାସ ଓ ଭରସା ମିଳିପାରେ, ତହିଁର ଅନୁଭୂତି ପ୍ରଥମେ ପାଇ ପାରିଥିଲି ।

 

ହାୟ, ସାମାନ୍ୟ ଟିକିଏ ମାତ୍ର ସୁନାରେ ତିଆରି ଛୋଟ ମୁଦିଟି କଅଣ ଜୀବନ୍ତ ମନୁଷ୍ୟର ଉତ୍ତାପର ଅନୁଭୂତି ଆଣି ଦେଇପାରିବ ? କାନ ପାଖରେ କଥା କହିପାରିବ ? ବିପଦମୁଖରୁ ଟାଣି ଆଣିପାରିବ ?

 

‘ମେ’ ନ ଥିଲେ ମୁଁ ‘ଇନ୍‍ଫାର୍‍ମାରି’ ରୁ ସୁସ୍ଥ ସ୍ନାୟୁ ଘେନି ଫେରି ଆସି ପାରି ନ ଥାଆନ୍ତି-। ଆହୁରି ମଧ୍ୟ ‘ମେ’ ଅଛି ବୋଲି ତୁମକୁ ଆଜି ମୁଁ ଏ ଚିଠିଟି ଲେଖୁଚି । ମୋର ଏ ସମସ୍ତ ଅବସ୍ଥାଟି ବିବେଚନା କରି ତୁମେ ମୋତେ କ୍ଷମା ଦେବ ।

 

ତୁମର ସେ ସିହ୍ନାର ବାନ୍ଧବୀ ଜୀବନରେ ଏଭଳି ଗୋଟିଏ ଅଘଟନ ନିଶ୍ଚୟ ଘଟିବ ନାହିଁ-। ପିତାମାତା ଓ ଆତ୍ମୀୟ ସ୍ଵଜନବର୍ଗଙ୍କ ମଧ୍ୟରେ ସେ ଅଛି । ଯୁଦ୍ଧକ୍ଷେତ୍ରଠାରୁ ଦୂରରେ ନିରାପଦରେ ଥାଇ ସେ ତା ବୀରର ସ୍ୱପ୍ନ ଦେଖିବ । ତା କଥା ଭାବି ଅଧିକ ଉତ୍ସାହ ସହିତ ସେ ପଶମ ମୋଜା ବୁଣିବ । ରେସନ୍‍କାର୍ଡ଼ ଛଡ଼ା ବୁଲି ବୁଲି ନିଶ୍ଚିନ୍ତ ମନରେ ଖୋଜି ଖୋଜି ଜିନିଷ ସବୁ କିଣିବ । ପ୍ରତି ସପ୍ତାହରେ ସୌଖିନ କାଗଜରେ ଚିଠି ଲେଖିବ । ଭାରତରେ ‘ବ୍ଲାକ ଆଉଟ’ ଚା଼ଲିଥିଲେ ମଧ୍ୟ, ଶୁକ୍ଳପକ୍ଷ ରାତ୍ରିମାନଙ୍କରେ ସେ ଦେଶରେ ଚନ୍ଦ୍ର ଓ ତାରାଗୁଡ଼ିକର ଆଲୋକ ଯଥେଷ୍ଟ ବେଶି ଥାଏ-

 

ମୁଁ ବେଶ ବୁଝିପାରୁଛି ଯେ ଏ ଚିଠିଟି ପଢ଼ୁ ପଢ଼ୁ ତୁମେ ଖୁବ୍ କଷ୍ଟ ପାଉଥିବ । ଯୁଦ୍ଧକ୍ଷେତ୍ରକୁ ବାହାରିଲେ ମନୁଷ୍ୟର ଭାଗ୍ୟରେ ଜଖମ ହେବା, ଅଙ୍ଗହୀନହେବା, ମୃତ୍ୟୁ ଘଟିବା ବିଷୟ ଗୁଡ଼ିକ ଅସମ୍ଭବ ନୁହେଁ । କିନ୍ତୁ ନିଜ ମନଆଡ଼ୁ ଦୁଃଖ ପାଇବା ପାଇଁ ସେ ଆଦୌ ପ୍ରସ୍ତୁତ ନ ଥାଏ । ଶରୀରରେ ଆଘାତ ପାଇବା ଅପେକ୍ଷା ମନରେ ଆଘାତ ପାଇବା ଅଧିକ ଦୁଖଦାୟକ । ଚାରିଆଡ଼େ ଗୁଳି ଚାଲିଥିବା ଅବସ୍ଥାରେ ତୁମେ ବିବ୍ରତ ହୁଅନାହିଁ ଏ କଥାଟି ମୁଁ ଜାଣେ, ମାତ୍ର ଏକୁଟିଆ ନିରୋଳାରେ ଶୋଇବାକୁ ଯିବା ସମୟରେ ତୁମେ ନିଶ୍ଚୟ ଅଶାନ୍ତି ପାଇଥାଅ । ଗରମ ‘ଟ୍ରପିକାଲ’ ଦେଶରେ ତୁମ ଖଟିଆ ଚାରିପାଖରେ କାଦୁଅ, ଅପରିଷ୍କାର, ଯୋକ ଏବଂ କିରାସିନି ଡିବିରିର ଆଲୁଅ ଥିବ । ସେ ସବୁଗୁଡ଼ିକ ମଧ୍ୟରେ ଥାଇ କେବଳ ଶରୀରର ଅଚଳ ଅବସ୍ଥାରେ ହିଁ ତୁମ ଆଖିକୁ ନିଦ ଆସି ଯାଉଥିବ ।

 

ତଥାପି ତୁମର ନିଦ ଭାଙ୍ଗିଯାଏ ବୋଲି ତୁମେ ଲେଖିଥିଲ । “ଜାପାନୀ ଜିରୋ ଫାଇଟର ପ୍ଲାନର” ଶବ୍ଦ ଶୁଣି ନୁହେ—ଦେଶକୁ ଫେରି ଆସିଚ–ଏଇ ସ୍ଵପ୍ନ ଦେଖି । ତାପରେ ଥଣ୍ଡା ଝାଳରେ ତୁମ ଦିହ ଘମ ଘମ ହେଉଥାଏ, ଏତେସତ୍ତ୍ୱେ ବି ତୁମେ ସ୍ଵପ୍ନ ଦେଖୁଥାଅ ଯେ “ଡୋଭାରା” କିମ୍ଵା “ପ୍ଲିମଥ” ବନ୍ଦରରେ ତୁମେ ଜାହାଜରୁ ଓହ୍ଲାଇ ଆସୁଚ । ଭିଡ଼ଭିତରେ ଛିଡ଼ା ହୋଇ ତୁମ ନଜରରେ ପଡ଼ିବା ପାଇଁ ମୁଁ ପ୍ରାଣପଣେ ହାତ ହଲାଉଚି । ଲେଖିଥିଲ ଯେ କେତେବେଳେ ତୁମର ସାରାଦେହ ଝାଳରେ ବୁଡ଼ି ହେମାଳ ହୋଇ ଯାଇଥିଲା । ମରଣ ଭୟରେ ନୁହେଁ–ମରିଗଲେ ଯେ ତୁମେ ଆଉ ମୋ ପାଖକୁ ଫେରି ଆସିବ ନାହିଁ ସେହି ଭୟରେ । ଆଉ, ମୋ ସାଙ୍ଗରେ ହାତକୁ ହାତ ଛନ୍ଦି ଅକ୍ସ ଫୋର୍ଡ଼ରାସ୍ତାରେ ଛିଡ଼ାହୋଇ ‘ଟ୍ୟାକ୍ସି’ ଡାକି ପାରିବ ନାହିଁ । କର୍ଣ୍ଣଓ୍ବାଲିର ସମୁଦ୍ର ପାରି ଜେଟିରେ ହାଉଆ ଖାଉ ଖାଉ ‘ସ୍ଳଟ୍’ ମେସିନରେ ଗୋଟାଏ ପେନି ଗଳାଇଦେଇ ଭାଗ୍ୟ ଘେନି ଗୋଟିଏ ପାଉଣ୍ଡ ପାଇବା ଆଶାରେ ଜୁଆ ଖେଳିପାରିବ ନାହିଁ । ସବୁଜପଡ଼ିଆ ଉପରେ ସାଧା ବେଞ୍ଚରେ ବସି କ୍ରିକେଟ ଖେଳ ଦେଖୁ ଦେଖୁ ମୋ କାନ ପାଖରେ ଗୋଟିଏ ଦୁଇଟି ଫୁସ୍ ଫୁସ୍ କଥା କହି ପାରିବ ନାହିଁ ।

 

ତୁମର ଶେଷ ଚିଠି ଖଣ୍ଡିକୁ ମୁଁ ବାରମ୍ବାର ପଢ଼ିଚି । ତୁମ ଚାରି ପାଖରେ ଅନେକ ଯୁବକ, କେବଳ କୌଣସି ପ୍ରକାରେ ଶତ୍ରୁମାରିବାର ଚେଷ୍ଟା କରୁ କରୁ ମରୁଚନ୍ତି । ପ୍ରତିଦିନ ଶିସାର ଗୁଳି ଏବଂ ଲୁହାର ଗୋଳା ଶତ ସହସ୍ର ଆଶା ଓ ସ୍ୱପ୍ନକୁ ଚୁରମାର କରିଦେଉଚି । ଆଉ ଏଣେ ସେହି ଅସମୟରେ ନିସ୍କର୍ମା ଲୋକେ ବି: ବି: ସି: ରୁ ଆକାଶ ଫଟାଇ ଗାଇ ଉଠୁଚନ୍ତି, “ଏଇ କୋଣରେ ଉଠିଚି ଇନ୍ଦ୍ରଧନୁ” ବା “ହମ୍ପଟି ଡାମ୍ପଟି ହାର୍ଟ;” କିମ୍ବା “ବେବି ମାଇନ୍ (ପ୍ରେୟସି ମୋର) ।”

 

ଖୁବ୍ ଜୋରରେ ଚିଡ଼ି ଉଠି ତୁମେ ଲେଖିଥିଲ—କାହିଁ ? କାହା ଆକାଶରେ ଇନ୍ଦ୍ରଧନୁ ଉଠିଲା ? ଦେଶହରା ହୋଇ ଦୁର୍ଦ୍ଦଶା ମଧ୍ୟରେ ଥାଇ ଆମମାନଙ୍କ କଲିଜାଟିମାନ ପିଞ୍ଜରବନ୍ଧ ଚଡ଼େଇଟି ପରି କିଭଳି ଛଟପଟ ହେଉଚି, ସେ ଖବର କିଏ ରଖୁଚି, ? “ବେବି ମାଇନ୍” ହୁଏତ କୌଣସି “ଏଲାଇ” (ମିତ୍ର ପକ୍ଷ) ସୈନ୍ୟର ବାହୁବନ୍ଧନ ମଧ୍ୟରେ ଥାଇ ସାନ୍ତ୍ୱନା ଲାଭ କରୁଥିବ । ତୁମେ ରାଗି କରି ଲେଖିଥିଲ ଯେ ଯେଉଁମାନେ ଗଳାରେ “ଟାଇ” ବାନ୍ଧି ଚକଚକିଆ ‘ବୋଲାର ବ୍ୟାଟ୍’ରେ ମୁଣ୍ଡ ଢାଙ୍କି ମଟରଗାଡ଼ିରୁ ଓହ୍ଲାଇ ଆମ୍ଭମାନଙ୍କୁ ଲଢ଼େଇ କରିବା ମରିବା ପାଇଁ ଗରମାଗରମ ବକ୍ତୃତା ଦିଅନ୍ତି, ସେମାନଙ୍କ ବୀରତ୍ୱ ସେହି ବକ୍ତୃତାରେ ହିଁ ପର୍ଯ୍ୟବସିତ । ବାକି ସବୁତକ କଥା ‘ସେନସର’ କାଟି ଦେଇଥିଲେ; କିନ୍ତୁ ଅର୍ଥ ବୁଝିବାକୁ କୌଣସି ଅସୁବିଧା ହୋଇନାହିଁ-

 

ପରବର୍ତ୍ତୀ ଚିଠିରେ ମୁଁ ଠିକ୍ ଏଇ କଥାଗୁଡ଼ିକ ଲେଖିବି, ସେକଥା ତୁମେ ଜାଣି ନଥିଲ; କିନ୍ତୁ ତୁମେ ପ୍ରକୃତରେ ବୀର । ‘ବୋଲାର ହ୍ୟାଟ୍’ ପିନ୍ଧା କ୍ୟାନେଡ଼ିଆନ୍ ‘ମେ’ ତୁମ ତୁଳନାରେ ବୀରତ୍ୱରେ କିଛି ନୁହେଁ । ମରଣକୁ ନିଶ୍ଚିତ ବୋଲି ଜାଣି ସୁଦ୍ଧା ତୁମ ପରି ସେ ତ ‘ଫ୍ରଣ୍ଟକୁ’ ଯାଇନାହିଁ-? ତାକୁ ହୁଏତ ତାର ବିଜ୍ଞାନ–ବିଦ୍ୟା ପାଇଁ କୌଣସି ଦିନ ଏନ୍ଲିଷ୍ଟ କରିବାକୁ (ସୈନ୍ୟଦଳରେ ନାମ ଲେଖାଇବାକୁ) ପଡ଼ିବ ନାହିଁ । ତହିଁରେ ପୁଣି ସେ ଯଦି ମୋତେ ବିବାହ କରେ, ତେବେ ସେ ତା ଦେଶ କାନାଡ଼ାକୁ ମୋତେ ଆଗତୁରା ପଠାଇ ଦେଇପାରିବ । ସେଠି ‘ଜେରି’ର ଆକ୍ରମଣ ନାହିଁ । ଦେଶ ଉପରେ ଆକ୍ରମଣ ହେବାର ଭୟ ନାହିଁ-। ସେଠି ‘ରେସନ’ ପାଇଁ ମଧ୍ୟ କ୍ୟୁ କରିବାକୁ ପଡ଼େ ନାହିଁ । ବୁକୁଭରା ଆତଙ୍କ ଘେନି ରାତ୍ରିର ଅନ୍ଧକାର ମଧ୍ୟରେ ଚାଲିବାକୁ ପଡ଼େନାହିଁ । ତୁମେ ମୋତେ ବଞ୍ଚିବାକୁ ଦିଅ । ନିଜେ ମଧ୍ୟ ଜୀବନ ଘେନି ଫେରିଆସ । ଭଗବାନ ଜାଣନ୍ତି—ଏହାଠାରୁ ବଳି ଅଧିକ ଆନନ୍ଦ ମୁଁ ଅନ୍ୟ କୌଣସି କଥାରେ ପାଇ ପାରିବି ନାହିଁ ।

 

ମୁଁ ତୁମକୁ ଖୁବ୍ କଷ୍ଟଦେଲି । ଯିଏ ଦେଶପାଇଁ ଏବଂ ରାଜାପାଇଁ ଯୁଦ୍ଧ କରିବାକୁ ଯାଇଚି, ତାକୁ ଏଭଳି କଷ୍ଟ ଦେବା ପାପ; କିନ୍ତୁ ତାକୁ ଠକିବା ଅଧିକ ପାପ । ତାକୁ ଯଦି ସନ୍ଦେହହୀନ ଭାବରେ ଅନିର୍ଦ୍ଦିଷ୍ଟ କାଳପାଇଁ କେବଳ ମୋରି ଆଶାରେ ସ୍ଵପ୍ନ ଦେଖିବାକୁ ଛାଡ଼ି ଦେଇ ଥାଆନ୍ତି ଏବଂ ସେଇସମୟ ମଧ୍ୟରେ ହୁଏତ ମୁଁ ପାଗଳ ହୋଇଯାଇ ଥାଆନ୍ତି କିମ୍ବା ଅନ୍ୟର ହୋଇଯାଇ ଥାଆନ୍ତି, ତେବେ ନିଶ୍ଚୟ ଆହୁରି ଅଧିକ ପାପ ହୁଅନ୍ତା । ତେଣୁ ସବୁକଥା ତୁମକୁ ଖୋଲାଖୋଲି ଭାବେ ଲେଖିଦେଲି । ତୁମେ ଜୀବନ ଘେନି ସୁସ୍ଥଥାଇ ଫେରି ଆସ; କିନ୍ତୁ ମୋତେ ମଧ୍ୟ ବଞ୍ଚିବାକୁ ଦିଅ ।

 

ତୁମ ମୁଦ୍ରିକାଟିକି ମୁଁ ଖୋଲି ରଖିଚି । ତୁମ ପାଖରୁ ଚିଠି ପାଇଲେ ସେଉଟିକି ମୁଁ ତୁମ ମାଆଙ୍କ ପାଖକୁ ପଠାଇ ଦେବି ।

 

ଶେଷ ଥର ପାଇଁ—ତୁମର—–

 

ଜୟ

 

କିନ୍ତୁ ଚିଠି ଘେନି ମନ ମାରି ବସିବାପାଇଁ ସମୟ କାହିଁ ? ପ୍ରେମ ? ସେ ତ କେବଳ ଅଳସ ବିଳାସ । ଦେଶ ? ସେ ତ କେବଳ ରାଜନୀତିଜ୍ଞ ପଲିଟିସିଆନ୍ମାନଙ୍କପ୍ଳେନରୁ କିଛି “ସି” ରାସନ୍ ଓ ଡାକ, ପାରାଚୁଟ ଦ୍ଵାରାଏଇ ଜଙ୍ଗଲ ଭିତରକୁ ପକାଇ ଦିଆ ହୋଇଥିଲା; କିନ୍ତୁ ନିଜେ ବ୍ରିଗେଡ଼ ହେଡ଼କ୍ଵାଟର ଫେରି ନଯିବା ପର୍ଯ୍ୟନ୍ତ ଚିଠିଲେଖି ପଠାଇବା ସମ୍ଭବ ନୁହେଁ । ସେଠାକୁ ଫେରିହେବ କି ନା ସେ କଥାର ମଧ୍ୟ ଠିକ୍ ଠିକଣା ନାହିଁ । କିନ୍ତୁ ‘ଜୟ’ କଥାଟା ବର୍ତ୍ତମାନର ବଡ଼ ସମସ୍ୟା ନୁହେଁ। ‘ଜୟ’ର ଚିଠିରେ ଦେବଳ କଥା ଲେଖାଅଛି । ଦେବଳର ବାନ୍ଧବୀ ସଙ୍ଗେ ତୁଳନା କରାଯାଇଚି । ସେଥିପାଇଁ ଦେବଳକୁ ଆଜି ଅତି ନିକଟ ଓ ଅତି ଆପଣାର ବୋଲି ମନେ ହେଉଚି । ତଥାପି ଦେବଳ ମଧ୍ୟ ବଡ଼ କଥାଟାଏ ନୁହେଁ । ସବୁଠାରୁ ବଡ଼ ବିଷୟ ହେଉଚି ଏଇ ଶିଖ ଯବାନ; ଯାହାକୁ ଆଜି ଭୋରବେଳେ ‘ପେଟ୍ରରଲମାନେ’ ଜଙ୍ଗଲ ମଧ୍ୟରୁ ଉଦ୍ଧାର କରି ଆଣିଛନ୍ତି ।

 

‘ଜୋ’ ତାକୁ ପ୍ରଶ୍ନକଲା—ଅନ୍ଧକାର ମଧ୍ୟରେ ତୁମେ ଯେତେବେଳେ ଜଖମ ହେଲ, ସେତେବେଳେ ସାହାଯ୍ୟ ପାଇଁ ଚିତ୍କାର କଲନାହିଁ କାହିଁକି ? ତେବେ ତ ଆମେମାନେ ତୁମକୁ ଟେକିଆଣି ପାରିଥାଆନ୍ତୁ !

 

ବ୍ରାଣ୍ଡିରେ କଣ୍ଠନାଳିଟାକୁ ଅଳ୍ପ ପରିମାଣ ଓଦା କରି ଯବାନ ଖୁବ୍ ନିମ୍ନସ୍ୱରରେ କହିଲା–ନା ସାର୍, ମୁଁ ପାଟି କରିଥିଲେ ମୋ ବନ୍ଧୁମାନେ ମୋତେ ଟେକି ଆଣିବାକୁ ଛୁଟି ଯାଇଥାନ୍ତେ । ସେତେବେଳେ କିନ୍ତୁ ଜାପାନୀ ଗୁଳି ସେମାନଙ୍କୁ ମାରିପକାଇ ଥାଆନ୍ତା । ଅନ୍ତତଃ ସେମାନଙ୍କ ଲୁଚିବାସ୍ଥାନଟି ଧରା ପଡ଼ିଯାଇଥାଆନ୍ତା; ତେଣୁ ସାରାରାତିଟି ଚୁପ୍ଚାପ୍ ଶୋଇ ରହିଲି । ସକାଳୁ ହେଲାରୁ ଭଙ୍ଗା ଆଣ୍ଠୁ ଦୁଇଟିକୁ ଘେନି ଗଡ଼ିଗଡ଼ି ଜଙ୍ଗଲ ମଧ୍ୟରୁ ପଶିଗଲି । ତଦ୍ଦ୍ଵାରା ହୁଏତ ଶତ୍ରୁମାନେ ମୋତେ ଦେଖି ପାରିଲେ ନାହିଁ । ଆମ ଦଳର ଲୋକ ଯଦି ମୋତେ ଖୋଜି ଖୋଜି ପାଇ ନଥାନ୍ତେ, ତେବେ କ୍ରମେ କ୍ରମେ ମୃତ୍ୟୁମୁଖରେ ପଡ଼ିଥାଆନ୍ତି ।

 

ଜୋ ତୁରନ୍ତ ତାର ପଚିଯାଇଥିବା ଜଖମ ସ୍ଥାନଟିକୁ ପରିଷ୍କାର କରାଇବାର ବନ୍ଦୋବସ୍ତ କଲା; କିନ୍ତୁ ତାର ବର୍ତ୍ତମାନ ଆଉ ଧୈର୍ଯ୍ୟ ରହିଲା ନାହିଁ । ସେ କେବଳ ଚିତ୍କାର କରିବାକୁ ଲାଗିଲା–“ଶୀଘ୍ର ମୋତେ ‘ଗୋସ୍ତ ରୁଟି’ କିମ୍ଵା ଆଉ ଯାହା କିଛି ଅଛି, ଖାଇବାକୁ ଦିଅ । ଭୋକରେ ମୁଁ ମରିଯାଉଚି ଯେ !” ଖାଇବାକୁ ଦିଆଗଲା ଏବଂ ଆଣ୍ଠୁ ଦୁଇଟିକୁ ତାର ବ୍ୟାଣ୍ଡେଜ୍ କରି ଦିଆଗଲା-। ଆଉ ମଧ୍ୟ ଦିଆଗଲା—ଆହୁରି ବ୍ରାଣ୍ଡି; କିନ୍ତୁ ଏତେ ସମୟ ଉପାସ ଥିବାପରେ ଏତେ ପରିମାଣର ବ୍ରାଣ୍ଡି ହୁଏତ ସେପ୍‍ଟିକ ଘାଆର ଜ୍ଵର ତାଡ଼ନାରେ ସହ୍ୟ ହେଲା ନାହିଁ । ସେ ବିଳିବିଳେଇ ବକିବାକୁ ଲାଗିଲା ।

 

—ମୁଁ ଲଢ଼େଇ ଫେରନ୍ତା ସିପାହୀ, ମେମ୍ ସାହେବ, ମୁଁ ଲଢ଼େଇ ଫେରନ୍ତା ସିପାହୀ । ମୋ ଛାତିରେ ମିଲିଟାର କ୍ରସର ରିବନ ଦେଖି ଲାହୋରରେ ‘ଫ୍ୟାଲେଟି’ ହୋଟେଲର ମେନେଜର ମୋତେ ଦରୱାନ କାମ ଦେଇଛନ୍ତି । ମନେ କରିଚନ୍ତି ଯେ ଏତିକିରେ ମୋ ପ୍ରତି ତାଙ୍କର କର୍ତ୍ତବ୍ୟ ଶେଷ ହୋଇଗଲା । ସଲାମ୍ ମେମ୍ ସାହେବ । ବକ୍ସିସ୍ ମେମ୍ ସାହେବ । ହେଇଟି, ସାମନାରେ ଟ୍ୟାକ୍ସି ହାଜର ମେମ୍ ସାହେବ । ସଲାମ୍ ।

 

କିଛି ସମୟ ପାଇଁ ତନ୍ଦ୍ରାଚ୍ଛନ୍ନ ରହି ପୁଣି ସେ ଆରମ୍ଭ କଲା—ସିମଳାର ଜଙ୍ଗି ଦପ୍ତର ଗୁଜରାନ୍ ୱାଲା ଟେଲିଗ୍ରାମ ପଠାଇଛନ୍ତି । ମୋ ବାପା ଗାଁ ଚୌଧୁରୀ ପାଖରେ ଥରି ଥରି କହୁଚନ୍ତି–ଦେଖତ, କଅଣ ଲେଖାଅଛି । ଟେଲିଗ୍ରାମ କାହିଁକି ଅଇଲା । —ଜଙ୍ଗି ଦପ୍ତର ଲେଖିଚି, ସେମାନେ ଭୟଙ୍କର ଦୁଖ ପ୍ରକାଶ କରି ଜଣାଉଛନ୍ତି ଯେ, ତୁମର ପୁତ୍ର.... । ଜୀବନ ଘେନି ଖେଳ ଚାଲିଚି । ମରଣ ଘେନି କାରବାର । ଏଥି ମଧ୍ୟରେ ‘ଜୟ’ ଚିଠିଟିର ସ୍ଥାନ କେଉଁଠ ? ‘ଜୋ’ ନିଜ ମନକୁ ଶକ୍ତ କରିନେଲା । ଭବିଷ୍ୟତରେ ଦିନେ ମଣିଷକୁ ଆଉ ଲଢ଼ିବାକୁ ପଡ଼ିବ ନାହିଁ । ‘ରବର୍ଟ’ ଅର୍ଥାତ କଳ ମନୁଷ୍ୟହିଁ ଲଢ଼ିବ । ‘ଜୋ’ ଆଜି ସେହି ‘ରବର୍ଟ’ର ଗୋଟିଏ ଆଗାମୀ ନମୁନା । ଚିଠିଟିକୁ ବେଲେଟ୍ ଡ୍ରେସର ଆଣ୍ଠୁ ପକେଟ ଭିତରେ ଗୁଞ୍ଜି ଦେଲା ।

 

ତା’ପରେ ଠିକ୍ କଅଣ ହେଲା, ସେକଥା ସେ ଜାଣିପାରିଲା ନାହିଁ । ବର୍ତ୍ତମାନସୁଦ୍ଧା ଜାଣେ ନାହିଁ । ଅନ୍ୟମନସ୍କ ଭାବେ ଚାଲି ଚାଲି ଦଳଛାଡ଼ି ସେ ଅନେକ ଦୂରକୁ ଛିଟିକି ପଡ଼ିଲା । ଏଣେ ଅନ୍ଧକାର ଘୋଟି ଆସୁଚି । ଏଭଳି ସମୟରେ ନିଜ ଦଳଠାରୁ ଦୂରରେ ରହିବା ବିପଦ । ପକେଟରୁ କମ୍ପାସଟି ବାହାର କରି ଦିଗ ନିରୁପଣ କଲାପରେ ଖୋଜି ଖୋଜି ଚାଲିବାକୁ ଲାଗିଲା । ଶେଷକୁ ହଠାତ୍ ଆତଙ୍କିତ ହୋଇଉଠିଲା । ଗୋଟାଏ ଲମ୍ବା ଗଛର ଗଣ୍ଡିରେ ପ୍ରକାଣ୍ଡ ଗର୍ତ୍ତଟାଏ । ତାରି ଚାରିପଟେ ଅନାବନା ବଣ ବୁଦା ଭିତରେ ନିଜକୁ ଲୁଚାଇ ରଖିବା ପାଇଁ ଚମତ୍କାର ବନ୍ଦୋବସ୍ତ ହୋଇଚି । ଇଂରେଜିରେ ଏକୁଇ କହନ୍ତି “ଫକ୍‍ସ ହୋଲ” ଅର୍ଥାତ୍ “ଅବଜରଭେସନ ପୋଷ୍ଟ” ତିଆରି କରାଯାଇଚି—ଶତ୍ରୁର ଗତିବିଧି ଲକ୍ଷ୍ୟକରିବା ପାଇଁ ।

 

ଅତଏବ ଉଦ୍ଧାରର ଆଶା ଆଉ ନାହିଁ ।

 

ନିଃଶ୍ଵାସଟିଏ ମାରିଛିକି ନାହିଁ “ଜୋ” ତା’ ଆଖିରେ “ଫିଲ୍ଡ଼ ଗ୍ଳାସ” ଲଗାଇ ଦେଖିଲା ସେ ପ୍ରାୟ ଛଅଜଣ ଜାପାନୀ ଟହଲଦାର ଆଗେଇ ଆସୁଚନ୍ତି । ମଝିରେ ମାତ୍ର ତିନି ଶହ ରାଜ ବ୍ୟବଧାନର ଜଙ୍ଗଲ, ଜମି ଓ ଧାନ ଖେତ । ‘ଜୋ’ ପ୍ରାଣପଣେ ଦୌଡ଼ିବାକୁ ଲାଗିଲା । ଜଙ୍ଗଲର ଧାରେ ଧାରେ ଗୋଟିଏ ଗଛର ଆଢ଼ୁଆଳ ଛାଡ଼ି ଆଉ ଗୋଟିଏ ଗଛର ଆଢ଼ୁଆଳ ଧରି ଦୌଡ଼ିବାକୁ ଲାଗିଲା । ଜଙ୍ଗଲର ଶେଷଆଡ଼କୁ ଆଉ ପାରିଲା ନାହିଁ । ତେଣୁ ଖୋଲା ଧାନକ୍ଷେତ ଭିତରକୁ ପଶିଗଲା । ଏଣେ ଜାପାନୀମାନେ ଚିତ୍କାର କରିବାକୁ ଲାଗିଲେ—‘ବାନଜାଇ’—ଜୟ ।

 

ଜାପାନୀମାନେ ବର୍ତ୍ତମାନ ସୁଦ୍ଧା କାହିଁକି ଗୁଳିମାରିବାକୁ ଆରମ୍ଭ କରିନାହାନ୍ତି, ସେକଥା ‘ଜୋ’ ବୁଝିପାରିଲା ନାହିଁ । ଖର୍ବାକାର ବାଙ୍ଗର ଶତ୍ରୁଦଳ ଡେଙ୍ଗା ଜୋ ସାଙ୍ଗରେ ଦୌଡ଼ରେ ପାରନ୍ତେ ନାହିଁ; କିନ୍ତୁ ଗୁଳି ତ ମରି ପାରନ୍ତେ ! ଜୋ ହାତରେ ମାତ୍ର ଗୋଟିଏ ଟମିଗନ । ତଦ୍ଦ୍ୱାରା ଛଅଜଣ ଶତ୍ରୁକୁ ତ ଅଟକାଇ ରଖି ହୁଅନ୍ତା ନାହିଁ । ନିଜକୁ ବଞ୍ଚାଇ ରଖିବା ଅସମ୍ଭବ ମନେ ହେଲା ।

 

କିନ୍ତୁ ସେଇ “ବନଜାୟୀ” କହି ଫୁର୍ତ୍ତି ଓ ଆନନ୍ଦରେ ଚିତ୍କାର କରି ଉଠିବାଟାହିଁ ସେମାନଙ୍କର କାଳ ହେଲା । ‘ଜୋ’ ଦଳର କେତେକ ଟହଲଦାର ଗୋଟାଏ ନାଳୀ ମଧ୍ୟରେ ଲୁଚି ଲୁଚି ଶୋଇ ରହିଥିଲେ । ‘ବନଜାୟ’ ଆବାଜ ଶୁଣାଗଲା ପରେ ପରେ ଜାପାନୀମାନଙ୍କ ମୁଣ୍ଡ ଟୋପି ଉପରେ ହଳଦିଆ ଗୋଲଗୋଲ ଫୁଲଗୁଡ଼ିଏ ଅଳ୍ପେଅଳ୍ପେ ଦେଖାଗଲା । ସଙ୍ଗେ ସଙ୍ଗେ ପୁଣି ତଳକୁ ନଇଁ ଆସିଲା । ‘ଜୋ’ ପ୍ରାଣବିକଳରେ ଦୌଡ଼ୁଥିଲା; ତେଣୁ ସବୁ କଥାଗୁଡ଼ିକ ତା ନଜରରେ ପଡ଼ିଚି । ଜାପାନୀମାନେ କିନ୍ତୁ କିଛିମାତ୍ର ଦେଖି ନାହାନ୍ତି । ସେମାନେ ଦଶଜଣଯାକ ମିଶି ମାଗଣା ଶିକାରଟିର ମଉକା ପାଇ ଦୌଡ଼ୁଥିଲେ ।

 

ନିର୍ଘାତ ମରଣ ହାତରୁ ବଞ୍ଚିବାର ବାଟଟିଏ ମିଳିଗଲା । ସଙ୍ଗେ ସଙ୍ଗେ ‘ଜୋ’ ମୁଣ୍ଡରେ ଗୋଟାଏ ବୁଦ୍ଧି ଖେଳିଗଲା । ଯଦି ସେ ବର୍ତ୍ତମାନ ନିଜ ଦଳର ଲୋକଙ୍କ ଆଡ଼କୁ ସିଧା ଦୌଡ଼ିଯାଉଛି, ତେବେ ଗୋଟିଏ ଟେକାରେ ଦୁଇଟି ଚଢ଼େଇ ମାରିହେବ—ଏକ ନମ୍ବର, —ସେମାନେ ଚାନ୍ଦମାରିରେ ଷଣ୍ଢ ଆଖିକୁ ଲକ୍ଷ୍ୟ କରି (ବୁଲ୍‍ସ ଆଇ) ଗୁଳିମାରିବା ଅଭ୍ୟାସର ଗୋଟିଏ ସୁଯୋଗ ପାଇବେ । ତା’ ଅପେକ୍ଷା ବଡ଼ କଥା ହେଲା—ତା’ ସଙ୍ଗେ ସଙ୍ଗେ ଗର୍ଦ୍ଦନଟା ବଞ୍ଚିଯିବ । ତେଣୁ ‘ଜୋ’ ସିଧା ସଳଖ ନାଳଆଡ଼କୁ ଦୌଡ଼ିବାକୁ ଲାଗିଲା ।

 

ଏମିତି ସମୟରେ ସେ ହଠାତ୍ ମୁହଁମାଡ଼ି ଶୋଇ ପଡ଼ିଲା । ନିଜ ଦଳ ଲୋକଙ୍କ ବନ୍ଧୁକର ନଳୀଗୁଡ଼ିକ ଦେଖାଯାଉଛି । ଯେଉଁ ଚାଳି ଶତ୍ରୁମାନଙ୍କୁ ଆଘାତ କରିବାପାଇଁ କରିବା ପାଇଁ ଫିଙ୍ଗା ହେବ, ତାହା ଯେ ଛିଟିକି ଆସି ତାରି ଉପରେ ପଡ଼ିବ, ଏତେବେଳକେ ସେଇକଥାଟି ତା’ର ମନେ ପଡ଼ିଗଲା । ଏ ଯୁଦ୍ଧରେ ଶତ୍ରୁ ଆଖିରେ ଧୂଆଁ ବୁଲେଇ ଦେବାପାଇଁ ପୋଷାକ ଗୁଡ଼ିକର ରଙ୍ଗ ମାଟିଆ ସବୁଜ ବର୍ଣ୍ଣ କରାଯାଇଥିଲା; ତଦ୍ଦ୍ୱାରା କେତେ ଅସୁବିଧା ହୋଇପାରେ ତାହା ସେ ଆଜି ବୁଝିପାରିଲା ।

 

ତେଣୁ ସେ ଶୋଇପଡ଼ିଲା ଏବଂ ଚିନ୍ତା କରିବାକୁ ଲାଗିଲା—ଜାପାନୀମାନେ ତା’କୁ ଆଉ ସମ୍ମୁଖରେ ନ ଦେଖି ସମ୍ମୁଖଆଡ଼କୁ ଆଗେଇବା ବଦଳରେ ପଛକୁ ଯଦି ଫେରନ୍ତି ? ଏତେ ବଡ଼ ମଉକାଟା ହାତରୁ ଖସିଯିବ ଯେ ! ବରଂ ତା’ ପରିବର୍ତ୍ତେ ନିଜକୁ ଟିକେ ବିପଦର ସମ୍ମୁଖକୁ ଟେକି ଧରି ପୁଣିଥରେ ଛିଡ଼ା ହୋଇଗଲେ ବୋଧହୁଏ ଭଲ ହେବ ।

 

କିନ୍ତୁ ତାହା ଦରକାର ପଡ଼ିଲା ନାହିଁ । ଯେଉଁମାନେ ସୂର୍ଯ୍ୟଠାରୁ ଓହ୍ଲାଇଆସିଥିବା ସମ୍ରାଟଙ୍କ ପାଇଁ ଲଢ଼ୁଛନ୍ତି, ସେମାନେ ଗୋଟିଏ ମାତ୍ର ସାଦା ଶତ୍ରୁକୁ ଫେରି ପଳାଇଯିବାକୁ ଛାଡ଼ିଦେବେ ନାହିଁ । ତେଣୁ ସେମାନେ ଆହୁରି ସମ୍ମୁଖକୁ ଆଗେଇ ଆସିଲେ ।

 

ସଙ୍ଗେ ସଙ୍ଗେ ତୁହାକୁ ତୁହା ଚାଳିବୃଷ୍ଟି ହେବାକୁ ଲାଗିଲା । କେବଳ ବ୍ରେନ୍ଗନ୍ର ଚାଳି ନୁହେଁ, ଗଦାଏ ବୋମା ମଧ୍ୟ ଆକାଶର ବୁକୁ ଚିରି ଜାପାନୀମାନଙ୍କ ଉପରକୁ ଗଦାହୋଇ ପଡ଼ିଲା । ସେଗୁଡ଼ିକରେ ମାତ୍ର ସାତସେକେଣ୍ଡର ଫିଉଜ୍ ତାର ଲଗା ହୋଇଥାଏ । ସାତ ସେକେଣ୍ଡ ପରେ ବୋମାଗୁଡ଼ିକ ଫୁଟୁଛି ଜାଣିପାରି ବୁଦ୍ଧିକରି ତିନିଜଣ ଜାପାନୀ ଦୌଡ଼ିଯାଇ ଅପର ପକ୍ଷର ସେଇ ବୋମାଗୁଡ଼ିକୁ ପଡ଼ିବା ସଙ୍ଗେ ସଙ୍ଗେ ଉଠାଇନେଲେ । ସେମାନଙ୍କର ମତ୍‍ଲବ ହେଲା, ସାତ ସେକେଣ୍ଡ ମଧ୍ୟରେହିଁ ସେଗୁଡ଼ିକୁ ଇଂରେଜ ଦଳ ଉପରକୁ ଓଲଟା ଫିଙ୍ଗିବେ । ମାତ୍ର ସେ ସମୟ ଟିକକ ସେମାନେ ପାଇ ପାରିଲେ ନାହିଁ । କାରଣ ନିଜ ହାତରେ ଧରିଥିବା ମଧ୍ୟରେ ହିଁ ଦ୍ଵିତୀୟ କିସ୍ତିର ବୋମାଗୁଡ଼ିକ ଫାଟିଗଲା । ଏ ଗୁଡ଼ିକରେ ଉଦ୍ଦେଶ୍ୟ ରଖି ସାତ ସେକେଣ୍ଡ ପରିବର୍ତ୍ତେ ତିନିସେକେଣ୍ଡର ଫିଉଜ ତାର ରଖାଯାଇଥିଲା ।

 

ତା’ ପରେ ଜୱାନମାନେ ନାଳଭିତରୁ ଉଠି ଜାପାନୀ ଶତ୍ରୁ ପୂରାପୂରି ମରିଛନ୍ତି କି ନାହିଁ ପରୀକ୍ଷାକରି ଦେଖିବାକୁ ଲାଗିଲେ । ସେମାନଙ୍କ ପକେଟରେ ଥିବା କାଗଜପତ୍ର ଓ ମ୍ୟାପ୍ ବାହାର କରି ଆଣିଲେ । ୟୁନିଫର୍ମ ମଧ୍ୟରୁ ସମସ୍ତ ଅସ୍ତ୍ର ଶସ୍ତ୍ର ଏବଂ ନାନାପ୍ରକାର ସ୍ମୃତି ଚିହ୍ନଗୁଡ଼ିକୁ ଖୋଲି ନେବାକୁ ଲାଗିଲେ । ଜଣେ ସେକେଣ୍ଡ ଲେଫ୍ଟ୍ନାଣ୍ଟ ଦେହରୁ ତା’ ତରବାରୀଟିକୁ ମଧ୍ୟ ଖୋଲି ନେଇଗଲେ ।

 

ଶତ୍ରୁଦଳ ମଧ୍ୟରେ ଏଇ ଜଣେ ମାତ୍ର ଅଫିସର ଥିଲେ । ତେଣୁ ‘ଜୋ’ କାଗଜପତ୍ରଗୁଡ଼ିକ ଭଲକରି ପରୀକ୍ଷା କରି ଦେଖିବାକୁ ଲାଗିଲା । ସୁବିଧା ପାଇଲାମାତ୍ରେ ଜାପାନୀ ସିପାହୀମାନେ ଏପରିଭାବେ କୌଶଳ କରନ୍ତି, ଯେପରିକି ଅନ୍ତତଃ ଜଣେ ହେଲେହେଁ ଶତ୍ରୁ ତାଙ୍କ ଅଫିସରଙ୍କ ସମ୍ମୁଖରେ ପଡ଼ିଯିବ । ତେବେ ସେହି ଶତ୍ରୁ ଜଣକ ଅଫିସରଙ୍କ ତରବାରୀ କେଞ୍ଚାରେ ମରିବାର ସମ୍ମାନ ପାଇପାରିବ । କିନ୍ତୁ ହାୟ, ଆଜିକାଲି ଲଢ଼େଇରେ ଧାରା ବଦଳି ଯାଇଛି । ତରବାରୀଟି କେବଳ ଅଫିସରଙ୍କ ପାଖରେ ରହିଛି ।

 

ତଥାପି ଏହି ଓଜନିଆ ଲମ୍ବା ଜବରଜଙ୍ଗ୍ ନ୍କସାଅଙ୍କା ତରବାରୀର ସମ୍ମାନ କମ୍ ନୁହେଁ । ହୁଏତ ବଂଶର ପୁରାତନ ପବିତ୍ର ତରବାରୀଟିକୁ ସେକେଣ୍ଡ ଲେଫ୍ଟନାଣ୍ଟ ‘ସାକୁରା’ କଟୀରେ ଝୁଲାଇ ଯାତ୍ରା ଆରମ୍ଭ କରିଥିଲା । ସେଥିରେ କେତେ ନାମ, ମନ୍ତ୍ର, ଏବଂ ସମ୍ରାଟଙ୍କର ରାଜଚିହ୍ନ ସୁସ୍ପଷ୍ଟ ଭାବେ ଖୋଦିତ ହୋଇଅଛି । ପାଞ୍ଚଫୁଟ ଲମ୍ବ ଜାପାନୀର ଚାରିଫୁଟ () ଲମ୍ବବିଶିଷ୍ଟ ତରବାରୀର ମୁଠାଟି ହାତୀଦାନ୍ତରେ ତିଆରି । ସେଥିରେ ଜାପାନୀ ଫୁଲର ରାଜା ‘କ୍ରାଇସାନ୍ ଥିମାମ୍’ (ଚନ୍ଦ୍ରମଲ୍ଲିକା ବା ସେବତୀ) ଅଙ୍କା ହୋଇଛି । ଖୋଳଟି ବାଉଁଶରେ ତିଆରି; କିନ୍ତୁ କଳା ଏନାମେଲ ରଙ୍ଗରେ ରଞ୍ଜିତ । ରଙ୍ଗୀନ ଫିତା ଏବଂ ଝିଅମାନଙ୍କ ଜୁଡ଼ା ବାନ୍ଧିବାର ଟ୍ୟାସ୍‍ଲରେ ଗୁଡ଼ିଆ ହୋଇଥିବା ସେହି ମୁଠାଟି ଉପରେ ‘ଜୋ’ ହାତ ବୁଲେଇବାକୁ ଲାଗିଲା ।

 

‘ସାକୁରା’ର କମରପଟୀ ଉପରେ ନଜର ପଡ଼ିଲା । ସାଧା ରେଶମର ଲମ୍ବା ବେଲଟ୍ । ଏହାକୁ “ହଜାରେ ସିଲେଇର ବେଲ୍ଟ୍” କୁହାଯାଏ । କେବଳ ବାନ୍ଧବୀମାନେ ହିଁ ଛୋଟ ଛୋଟ ସୂକ୍ଷ୍ମ ସିଲେଇଦ୍ଵାରା ଏହି ବେଲ୍ଟଟି ପ୍ରସ୍ତୁତ କରି ଦେଇପାରନ୍ତି । ହରେକ ରକମର ମନ୍ତ୍ର ଏବଂ ଡେଉଁରିଆ ସୂତାଦ୍ଵାରା ତହିଁରେ ବନ୍ଧା ହୋଇଥାଏ । କେତେକ ଜାପାନୀ ଲତାପତ୍ର ମଧ୍ୟ ଅଙ୍କାଯାଇଥାଏ । ‘‘ଭଲଥାଅ, ଭଲଥାଅ, ଲଢ଼େଇର ଆଞ୍ଚୁଡ଼ାଟିଏ ସୁଦ୍ଧା ତୁମ ଦେହରେ ଯେପରି ନଲାଗେ । ଆହେ, ଭଲଥାଇ, ସୁସ୍ଥଥାଇ, ତୁମେ ଜୀବନ ଘେନି ଫେରିଆସ ।” ଛାତି ପକେଟରୁ କାଗଜପତ୍ରଗୁଡ଼ିକ ‘ଜୋ’ ବାହାର କରିନେଲା । ୟୁନିଫର୍ମପିନ୍ଧା ନିଜର ଛବିଟି, ମା ବୁଢ଼ୀର ଛବିଟି, ସାନ ସାନ ଭାଇଭଉଣୀଙ୍କର ଗ୍ରୁପ୍ ଫଟୋ, ଏବଂ ଆଉ ? ଶେଷ ଛବିଟି କାହାର ତାହା ‘ଜୋ’କୁ କହିଦେବାକୁ ହେବ ନାହିଁ । ମୁଖର ହସ, ଆଖିର ଇଶାରା, ବେକ ଭାଙ୍ଗିବାର ଭଙ୍ଗି, ସାରା ପୃଥିବୀରେ ସେତକ ଏକା ପ୍ରକାରର । ସେ ଓଠରେ ନୀରବ ଭାଷା, କାତର ମିନତି, ତା କ’ଣ ‘ଜୋ’ ଆଜି ଚିହ୍ନିପାରିବ ନାହିଁ ?

 

‘ଜୋ’ ତୁନି ହୋଇଗଲା । ଧୀରେ ଧୀରେ କାଗଜପତ୍ର ଗୁଡ଼ିକ ‘ସାକୁରା’ର ଇଉନିଫର୍ମ ମଧ୍ୟରେ ଆଉଥରେ ରଖିଦେଲା । ମୁହଁ ବୁଲାଇ ଅନ୍ୟ ଆଡ଼କୁ ଚାହିଁଲା । ସେତେବେଳେ ସେ ଅଜ୍ଞାତସାରରେ ନିଜ ଆଣ୍ଠୁ ପକେଟ ମଧ୍ୟରେ ହାତମୁଠା ପୂରାଇ ‘ଜୟ’ର ଚିଠିଗୁଡ଼ିକ ଶକ୍ତ ଭାବେ ଧରିଲା ।

 

— ‘ଆହେ, ଭଲଥାଇ, ସୁସ୍ଥଥାଇ ତୁମେ ଜୀବନ ଘେନି ଫେରିଆସ ।’

 

ଆସ୍ତେ ଆସ୍ତେ ମୁଠାଖୋଲି ‘ଜୋ’ ହାତଟିକୁ ବାହାର କରି ଆଣିଲା ।

 

ଚାରି

 

ରାତିକି ଫ୍ୟାନ୍‍ସି—ଡ୍ରେସ୍ ବଲ୍ ନାଚ ହେବ ।

 

ଷ୍ଟିମର୍ରର ଲାଉଞ୍ଜ ଉପରେ ନୋଟିସ୍ ଟଙ୍ଗା ହୋଇଛି; କିନ୍ତୁ ‘ଦେବଳ’ର ମନ ସେ ଦିଗକୁ ନାହିଁ । ତା’ ମନ ଭିତରେ କେବଳ ପ୍ରିୟ ବାନ୍ଧବୀ ପ୍ରିୟାର ପ୍ରାର୍ଥନା ଜାଗ୍ରତ ହୋଇ ରହିଅଛି ।

 

—‘କୁଶଳରେ ଥାଅ । ଆହେ, କୁଶଳରେ ଥାଇ ତୁମେ ଫେରିଆସ ।’

 

ଦୂରରେ, ଲଢ଼େଇର ବିପଦଠାରୁ ଅନେକ ଦୂରରେ ନିରାପଦ ଭାବେ ବସିରହି ପ୍ରିୟା ପ୍ରାର୍ଥନା କରୁଛି, କିନ୍ତୁ ଯାହାପାଇଁ ସେ ପ୍ରାର୍ଥନା କରୁଛି, ସେ ବିଚରା ପୁଣି କି ପ୍ରାର୍ଥନା କରିବ ? ମଣିଷ ମାରୁମାରୁ ତା’ର ପୁଣି ମରିବାକୁ ବି ସମୟ ନ ମିଳିପାରେ ।

 

ନିଜ ହାତଆଡ଼କୁ ଦେବଳ ଆଡ଼ ଆଖିରେ ଥରେ ଅନାଇ ନେଲା । ନିଜ ହାତଟି ଆଡ଼କୁ ମଧ୍ୟ ସଳଖଭାବେ ଚାହିଁବାକୁ ଆଜି ତାର ସାହସ ହେଉନାହିଁ । ବଙ୍ଗବାସୀର ସନ୍ତାନ । ଏହି ହାତରେ କବିତା–ବହିର ପତ୍ର ଓଲଟାଇଛି । ମିତାର କମ୍ପିତ ହାତଟିକୁ ନିଜ ମୁଠା ଭିତରେ ଧରି ରଖିଛି । ମିଲିଟାରୀ ମେସରେ ଭୋଜି ଶେଷରେ ମିଲିଟାରୀ ସ୍ପେଶାଲ ଟ୍ରେନରେ ବସି ନାନା ସ୍ଥାନ ଘୂରିଘୂରି ଶେଷକୁ ଦିନେ ଶେଷରାତ୍ରିରେ କଲିକତା ଘାଟରେ ଷ୍ଟିମ ଲଞ୍ଚ ଉପରକୁ ଉଠି ବସିବାକୁ ପଡ଼ିଲା । ସେଠୁ କେଉଁ ସ୍ଥାନକୁ ଯାଇ ଟ୍ରାନ୍ସପୋର୍ଟ ଜାହାଜ ଉପରକୁ ଉଠି ପଡ଼ିବାକୁ ହେବ, ସେକଥାଟି କାହାରିକୁ ଜଣାଇଦିଆଯାଇ ନଥିଲା । ଏତିକି ମାତ୍ର ସେମାନେ ଜାଣିଥିଲେ ଯେ, ଏହାପରେ ସବୁଯାକ ଅଜଣା । ନିଃଶବ୍ଦ ରାତିରେ ଲଞ୍ଚ ଇଞ୍ଜିନ୍‍ର ଆଓ୍ୱାଜ ମିତା ବୁକୁର ଧୂକଧୂକି ଶବ୍ଦଟିକୁ ଏକାବେଳକେ ଚାପି ଦେଇଥିଲା; କିନ୍ତୁ ‘ଦେବଳ’ ନିଜ ହାତ ମଧ୍ୟରେ ତା’ ହାତର କମ୍ପନ ଅନୁଭୂତିକୁ ବନ୍ଦ କରିଦେଇ ପାରିନାହିଁ । ଏହାପରେ ସେ ଦେଶକୁ ଫେରିଯାଇ କିପରି ସେଇ ହାତଟିକୁ ସ୍ପର୍ଶ କରିବ ? ଏଇଟି ଯେ ହେଲା ମଣିଷମରା ହାତ, ଖୂନୀ ଆସାମୀର ହାତ !

 

ଯୁଦ୍ଧ ବିଭାଗରେ ନାମ ଲେଖାଇବା ବେଳକୁ ସେ, ନିଶ୍ଚିତ ଭାବେ ଜାଣିଥିଲା ଯେ, ତାକୁ ମଣିଷ ମାରିବାକୁହିଁ ପଡ଼ିବ; କିନ୍ତୁ ଜାଣିବା ଏକ କଥା ଏବଂ କାର୍ଯ୍ୟକ୍ଷେତ୍ରରେ ମାରିବା ଆଉ ଏକ କଥା । ଆଉ ମଧ୍ୟ ନିଜ ଦଳ ଭିତରେ ଥାଇ ଯୁଦ୍ଧନିଶାରେ ମାରିବା କଥାଟାକୁ ସୈନ୍ୟମାନେ ମାରିବା ଭିତରେ ଗଣନ୍ତି ନାହିଁ । ଏତେଦିନ ହେଲା ମାଳୟ ଜଙ୍ଗଲ ଭିତରେ ଥାଇ ସେ ଏବଂ ତା’ ଦଳ ବହୁତ ଲଢ଼େଇ କରିଛନ୍ତି । କେତେ ଶତ୍ରୁ ମାରିଛନ୍ତି; କିନ୍ତୁ ସେ ସବୁ ହେଲା ଖୁଚୁରା ହିସାବରେ ଦଳର ସମସ୍ତେ ମିଶି ଏକା ସାଙ୍ଗରେ ବନ୍ଧୁକ ଫୁଟାଇବା କଥା; ରାଇଫେଲ ଚଳାଇବା ଏବଂ ଗ୍ରିନେଡ଼ ଫୁଟାଇବା କଥା । କାହାର କେଉଁଟାରେ କିଏ ମଲା ତା’ର ତ କିଛି ହିସାବ କିତାବ ନାହିଁ, ଏବଂ ହିସାବ ରଖିବାକୁ ସମୟ ମଧ୍ୟ ନାହିଁ । କେବଳ ଏକ ସଙ୍ଗରେ ଚଳେଇ ଚାଲ, ଏହାହିଁ ଥିଲା ମନ୍ତ୍ର । କିନ୍ତୁ ଏତେଦିନକେ ସେ ନିଜ ହାତରେ, ନିଜ ଆଖି ଆଗରେ ହିସାବକରି ଜଣେ ଶତ୍ରୁକୁ ଗୁଳି କରିଛି । ଯେତେବେଳେ ସେ ଏ କାମଟି କରେ, ସେତେବେଳେ ସେ ଜାଣେନା ଯେ, କାହାକୁ ପ୍ରାଣରେ ମାରି ପକାଉଛି । ମାରିବାଟା କି ଜିନିଷ ସେ କଥାଟି ଭାବିବା ପାଇଁ ମଧ୍ୟ ତା’ର ସମୟ ନଥିଲା । “ମାରିବ ତ ମାର,ନୋହିଲେ ମର’’—ତେଣୁ ସେ ମାରିଛି ।

 

ସେମାନଙ୍କର ଟହଲଦାରୀ ଚାରୋଟିଯାକ ଦଳ ବାଟବଣା ହୋଇ ବ୍ରିଗେଡ଼ଠାରୁ ଦୂରେଇ ଆସିଥିଲେ । ଚାରିଆଡ଼େ ଜାପାନୀ ଦଳ । ସମସ୍ତେ ଦକ୍ଷିଣକୁ ଧାଇଁଛନ୍ତି, ମାଲୟର ରାଜଧାନୀ ଆଡ଼କୁ । ପଛରେ କେଉଁଠି ଇଂରେଜ ପକ୍ଷର କେଉଁ ଛୋଟ ଛୋଟ ସୈନ୍ୟଦଳଗୁଡ଼ିକ ପଡି଼ ରହିଲେ, ସେଥିପାଇଁ ସେମାନେ ବ୍ୟସ୍ତ ନୁହନ୍ତି; ଏତିକିରେ ସେମାନେ ତ ଜାଲରେ ପଡ଼ି ଅଟକି ଯାଇଛନ୍ତି ।

 

ତେଣୁ ‘ଜୋ’ ଠିକକଲା ବର୍ତ୍ତମାନ ଏକମାତ୍ର ଉପାୟ, କୈଣସି ପ୍ରକାରେ ନିକଟରେ ଥିବା କୌଣସି ଲୋକାଳୟକୁ ଯାଇ ନିଜର ଚାରୋଟି ଯାକ ଦଳଙ୍କୁ ନିରାପଦସ୍ଥାନରେ ପହୁଞ୍ଚାଇଦେବା । ତେଣିକି ହୁଏତ ଗୋଟିଏ କୌଣସି ବଡ଼ ସୈନ୍ୟଘାଟିରେ ପହୁଞ୍ଚିବା ସମ୍ଭବ ହେବ-। ମ୍ୟାପ ଦେଖି କମ୍ପାସଦ୍ଵାରା ଠିକ କରିନେଇ ତା ପରେ ସେମାନେ ସମୁଦ୍ର କୂଳରେ ଥିବା କୌଣସି ଗୋଟାଏ ସହରରେ ଆସି ପହଁଞ୍ଚିଲେ । ଏ ସହରଟିର ଚାରିପଟେ ଅନେକଗୁଡ଼ିଏ ରବର ବଗିଚା ଏବଂ ଅନେକ ଇଂରେଜଙ୍କ ବସତି ।

 

‘ଜୋ’ର ହିସାବ ଭୁଲ ହେଇ ନାହିଁ । ବଗିଚାମାଲିକ ଇଂରେଜମାନେ ଉକ୍ତ ସ୍ଥାନଟିକୁ ଛାଡ଼ି ସିଙ୍ଗାପୁର ପଳାଇଯିବାର ବନ୍ଦୋବସ୍ତ କରି ସାରିଚନ୍ତି । ଜାପାନୀମାନେ ଏତେ ଶୀଘ୍ର ଯୁଦ୍ଧକ୍ଷେତ୍ରକୁ ଡେଇଁ ପଡ଼ିଲେ ଏବଂ ମାଲୟ ଉପରେ ଆକ୍ରମଣ ଚଳାଇ ଦେଲେ ଯେ, ଏମାନେ ଆଗରୁ ପଳାଇ ଯାଇପାରିଲେ ନାହିଁ । ତଥାପି କୌଣସି ପ୍ରକାରେ ସେମାନେ ଗୋଟାଏ ବନ୍ଦୋବସ୍ତ କରି ନେଇଚନ୍ତି । ସମୁଦ୍ର କୂଳେ କୂଳେ ଅବସ୍ଥିତି ଥିବା ସହରଗୁଡ଼ିକ ମଧ୍ୟରେ ଯାତାୟତ ପାଇଁ ଯେଉଁ ‘କୋଷ୍ଟାଲ ଷ୍ଟିମର ସର୍ଭିସ୍’ ଥିଲା, ତାହାରି ଗୋଟାଏ ଷ୍ଟିମର ଏମାନେ ଭଡ଼ା କରି ନେଇଛନ୍ତି-। ତହିଁରେ ଇଂରେଜମାନେ ସମସ୍ତେ ପିଲାକବିଲାଙ୍କୁ ଧରି ଇଭାକୁଏଟ୍—କରି ଅର୍ଥାତ୍ ଛାଡ଼ି ପଳାଇବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । ଠିକ୍ ଏମିତି ସମୟରେ ‘ଜୋ’ର ଦଳଟି ଆସି ସେଠାରେ ପହଞ୍ଚିଗଲେ । ଉଭୟପକ୍ଷ ମହାଖୁସି । ଗୋଟିଏ ପକ୍ଷ ଜାଣନ୍ତି ବଞ୍ଚିବେ; ଅନ୍ୟ ପକ୍ଷଟି ମଧ୍ୟ ଦରକାର ପଡ଼ିଲେ ଟିକିଏ ଲଢ଼େଇ କରି ବଞ୍ଚିପାରିବି । ଅନ୍ତତଃପକ୍ଷେ କେତେ ଗୁଡ଼ାଏ ସଙ୍ଗିନବନ୍ଧୁକ ସଙ୍ଗରେ ଥିଲେ ଡକେଇତର ଭୟ ରହିବ ନାହିଁ ।

 

କିନ୍ତୁ ‘ଜୋ’ ଖୁବ୍ ହୁସିଆର ଲୋକ । ଖାଲି ଜାହାଜଟା ଉପରକୁ ଚଢ଼ି ବସିଲେ ଚଳିବ ନାହିଁ । ଶତ୍ରୁପକ୍ଷ ଯେମିତିକି ସେ ଜାହାଜଟିର ସନ୍ଧାନ ନପାଆନ୍ତି, ତା’ର ମଧ୍ୟ ବନ୍ଦୋବସ୍ତ କରିବାକୁ ପଡ଼ିବ । ସହରର ପୋଲିସମାନଙ୍କୁ ଜାପାନୀପକ୍ଷର ଗୁପ୍ତଚରମାନଙ୍କ ସନ୍ଧାନ ନେବାରେ ଲଗାଇଦେଲା । ଗୋଟାଏ ଜାହାଜ ବୋଝେଇ ଇଂରେଜ ଚାଲିଯାଉଛନ୍ତି; ଏଥିରେ କିଛି ସୈନ୍ୟ ମଧ୍ୟ ଅଛନ୍ତି । ଏଭଳି ଖବରଟିକ ଗୁପ୍ତଚରମାନେ ନିଶ୍ଚୟ ଜାପାନୀମାନଙ୍କ ନିକଟରେ ପହୁଞ୍ଚାଇ ଦେବେ । ଏତେବେଳେ ଏକମାତ୍ର ପୋଲିସ ଉପରେ ଭରସା ରଖି ନିଶ୍ଚିନ୍ତ ହେଲେ ଚାଲିବ ନାହିଁ । ତେଣୁ “ଜିରୋଆଉଆର” ଅର୍ଥାତ୍ ଜାହାଜଟି ଯେଉଁ ସମୟରେ ଛାଡ଼ିବ, ଠିକ ସେଇ ସମୟର ପୂର୍ବ ମୁହୂର୍ତ୍ତ ପର୍ଯ୍ୟନ୍ତ ନିଜର ଟହଲଦାର ସୈନ୍ୟମାନଙ୍କ ଦ୍ଵାରା ସହରଟିକୁ ତନ୍ନ ତନ୍ନ ଭାବେ ଖୋଜାଇବାକୁ ଲାଗିଲା ।

 

ବନ୍ଦରର ଠିକ ବାହାରେ ପାର୍କ ପଛପଟକୁ କିଏ ସେ ଲୋକଟା ? ମାଳୀପରି ତ ମନେ ହେଉଚି ! ନା, ଥରେ ନଜର ପକାଇ ଦେଖି ଆସିବା ଉଚିତ । ଜାହାଜକୁ ଉଠିବାର ତକ୍ତାଗୁଡ଼ିକୁ ଟାଣି ଜାହାଜ ଉପରକୁ ଉଠାଇ ନିଆ ହେଉଥିଲା । ସମ୍ମୁଖରେ ଠିଆ ହୋଇ ରହିଥିଲା ‘ଜୋ’ । ତାକୁ ଟିକେ ଡ଼େରି କରିବାକୁ କହି ତର ତର ହୋଇ ଦେବଳ ଓହ୍ଲାଇଗଲା । ମାଳୀ ସାଜି ମାଳୀର କାମ କରୁଚି ସତ; କୋଦାଳଦ୍ଵାରା ମାଟିଟାକୁ ଟାଣୁଚି । ମାତ୍ର ଏଭଳି ଗଣ୍ଡଗୋଳ ସମୟରେ ସମସ୍ତେ ଯେତେବେଳେ ପଳାଇଯିବାରେ ଲାଗିଚନ୍ତି, ବା ଆତ୍ମଗୋପନ କରି ରହୁଚନ୍ତି, ସେତେବେଳେ କର୍ତ୍ତବ୍ୟପ୍ରତି ଏଭଳି ଅତି—ଭକ୍ତିଟା ଚୋରର ଲକ୍ଷଣ । ରିଭଲଭର୍ ଟେକି ଦେବଳ ହାଙ୍କିଲା—ହ୍ୟାଣ୍ଡସ୍ ଅପ୍—’ହାତ ଉପରକୁ ଉଠାଅ ।’

 

ନିଜର କଣ୍ଠ ସ୍ଵରରେ ନିଜେ ହିଁ ଦେବଳ ଚମକି ପଡ଼ିଲା । ଏତେ ଦିନଯାକେ କପେ ଚାହା ପାଇଁ ବନମାଳୀ କେବିନରେ ସେ ଡାକ ଛାଡ଼ିଚି । ବସା ଚାକରକୁ ପାକି, ଷ୍ଟୁପିଡ଼଼୍ ବୋଲି ଗାଳି ଦେଇଚି । ଏପରିକି ମିତା ଉପରେ ମଧ୍ୟ ନିଜ ଇଚ୍ଛାର ହୁକୁମ ଜାରି କରିଆସିଚି; କିନ୍ତୁ ଇଏତ କଣ୍ଠସ୍ଵର ନୁହେଁ ! ସେ ମଣିଷ ବି ଇଏ ନୁହେଁ । ସେତିକି ଗୋଟାଏ ଜନ୍ମାନ୍ତର ହୋଇଯାଇଚି ! ହୁଏତ ମାର, ନୋହିଲେ ମର, ଏ ଦୁଇକଥା ଛଡ଼ା ତୃତୀୟ କଥା ନାହିଁ । ବେତାର ଦ୍ଵାରା ଖବର ପଠାଇବା ପାଇଁ ଛୋଟ ଯନ୍ତ୍ରଟାଏ ମାଟିତଳେ ଉଙ୍କିମାରୁଚି ।

 

ନା, ମାରିବାଛଡ଼ା ଅନ୍ୟ ଉପାୟ ନାହିଁ । ହାତ ଥରୁଚ; କିନ୍ତୁ ଗୋଟାଏ ସ୍ପାଇକୁ (ଗୁପ୍ତଚରକୁ) ମାରିବାପାଇଁ ଦେବଳର ହାତ ଥରୁଚି ? ମନଭିତରେ ତାର ବିଚାରର ଦଣ୍ଡିପିଲା—ଗୋଟାଏ ପାଖରେ ଖବର ଚାଲାଣ କରିଦେବା ପାଇଁ ପ୍ରସ୍ତୁତ ହୋଇ ରହିଥିବା ନିରସ୍ତ୍ର ଲୋକଟି ଏବଂ ଅନ୍ୟ ପାଖରେ ଜାହାଜପୂର୍ଣ୍ଣ ଜୀବନ୍ତ ଲୋକଗୁଡ଼ିକ ଓ ତା’ ନିଜର ସୈନ୍ୟ ଦଳ ସହ ସେ ନିଜେ । ଏକ ସେ ନୁହେଁ । ତାରି ପଛରେ ଅଦୃଶ୍ୟଭାବେ ଚାହିଁରହିଚି ତାହାରି ମିତା—’ଆହେ, ସୁସ୍ଥ ରହି, ଜୀବନ ଘେନି ଫେରିଆସ’—ଦେବଳର ମନେ ପଡ଼ିଯାଉଚି ମିତାର କଥା ।

 

ହ୍ୟାଣ୍ଡସ୍ ଅପ୍—

 

ଲୋକଟାର ମୁଖ ମଣ୍ଡଳ ଗୋଟିପଣେ ପାଉଁଶିଆ ପଡ଼ିଗଲା । ଓଠ ଦୁଇଟା ତାର ଭୟଙ୍କର ଭାବେ ଥରୁଚି; କିନ୍ତୁ ଶବ୍ଦ ନାହିଁ । ଦେବଳର ହାତଟା ଥରୁଚି ତ ! ନା, ଥରୁ ନାହିଁ । ଗଙ୍ଗାକୂଳରେ ସେଦିନ ରାତ୍ରିର ଅନ୍ଧକାର ମଧ୍ୟରେ ହାତଟି ତାର ଶେଷଥର ପାଇଁ ଥରି ଉଠିଥିଲା । ତାପରେ ଆଉ କେବେ ହେଁ ତାହା ଥର ଥର ହୋଇ ଥରି ଉଠିବ ନାହିଁ । ରିଭଲଭରର ଧୂଆଁ ପୋଛି ପୋଛି ସେ ଲେଉଟି ଆସିଲା ।

 

ସନ୍ଧ୍ୟାବେଳେ ଷ୍ଟିମର ଡେକ୍ ଉପରେ ନୋଟିସ ଲଟକା ଗଲା—ଫ୍ୟାନସିଡ଼୍ରେସ୍ ବଲ୍ ନାଚ ହେବ । ଯାହାର ଯେମିତିଆ ଖୁସି ସେମିତିଆ ପୋଷାକ ପିନ୍ଧି ନାଚିବାକୁ ଆସିବେ । ଷ୍ଟିମରର ଲାଉଞ୍ଜ ଅର୍ଥାତ୍, ବୈଠକଖାନାରେ ନାଚହେବ । ତେବେ ରେଡ଼ିଓରେ ନାଚର ବାଦ୍ୟ ବଦଳରେ କେବଳ ଗ୍ରାମୋଫୋନ ରେକଡ଼୍ ବଜାଯିବ ।

 

ଡିସେମ୍ବର ଥଣ୍ଡାରେ ଲାଉଞ୍ଜର କବାଟ ଝରକା ବନ୍ଦ ରହିବ । ବ୍ଲାକ ଆଉଟ ଥିବା ଦରକାର । କିନ୍ତୁ ସେ ଅନ୍ଧକାରଟା ହେଲା କେବଳ ବାହାର ପାଇଁ । ଶତ୍ରୁର ନଜରରେ ନପଡ଼ିବା ପାଇଁ । ମନ ମଧ୍ୟରେ କିନ୍ତୁ ବ୍ଲାକ୍ ଆଉଟ କରିବା ପାଇଁ କେହି କହି ନାହିଁ ।

 

ରବିନ୍ ଦେବଳକୁ କଥାଟା ବୁଝାଇବାକୁ ଚେଷ୍ଟାକଲା, କହିଲା—ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଜାଣିଚ ତ ଇଂରେଜମାନଙ୍କ ମଧ୍ୟରେ କଥା ଅଛି—ତୁମର ଚିବୁକ, ଅର୍ଥାତ୍ ଉତ୍ସାହଟାକୁ ସର୍ବଦା ଉଚ୍ଚ କରି ଧରି ରଖ । ଜୋରକରି କେହି କେବେ ଦି’ପାହାର ପିଟିଦେଲେ ବି ମନଟାକୁ ଖରାପ କରି ଉତ୍ସାହ ହରାଇ ବସ ନାହିଁ ।

 

ଦେବଳ ହସି ଉଠି କହିଲା—କିନ୍ତୁ ଉତ୍ସାହଟାକୁ ଜାପାନୀମାନେ ଭାଙ୍ଗି ଦେଇ ସାରିଲେଣି ।

 

ରବିନ୍ କହିଲା—ସେଥିପାଇଁ ବି ତାଙ୍କ ଶାସ୍ତ୍ରରେ ବ୍ୟବସ୍ଥା ଅଛି । ସେ ରେକଡ଼ ଗୀତଟାକୁ ନିଶ୍ଚୟ ଶୁଣିଥିବ–—‘କିପ୍ ଇଓର ସନିସାଇଡ଼୍ ଅପ୍’—ତୁମର ଯେଉଁ ଦିଗରେ ସୂର୍ଯ୍ୟାଲୋକ ପଡ଼ିଚି, ସେହି ଦିଗଟିକି ଟେକି ଧର । ଜୀବନ ଘେନି ପଳେଇଯାଇ ବଞ୍ଚିବାକୁ ଚେଷ୍ଟା କରୁଛ ତ ଟିକେ ବଞ୍ଚିବାଭଳି ବଞ୍ଚ । ନାଚି କୁଦି ବଞ୍ଚ । ଇଂରେଜମାନଙ୍କ ବ୍ଳାକ୍ ଆଉଟକୁ ତୁମ କାଗଜରେ କହନ୍ତି—ନିଷ୍ପ୍ରଦୀପର ଦିହୁଡ଼ି; କିନ୍ତୁ ଦେଖିବ ଆଜି କେତେ ମନରେ କେତେ ଦିଆଲି ଜଳି ଉଠିବ ।

 

ଦେବଳ ଟିକେ ହଲଚଲ ହୋଇ ବସିପଡ଼ି ବିଜ୍ଞବ୍ୟକ୍ତିପରି ମୁଣ୍ଡ ହଲାଇ କହିଲା—କିନ୍ତୁ ଭୋରବେଳକୁ ବାକିଥିବ କେବଳ—ବୁକୁପୋଡ଼ା ପ୍ରଦୀପ ଏବଂ ସଳିତାର ପାଉଁଶ ।

 

ନା, ତୁମେ କେବଳ ରିଭଲ୍‍ଭର ଫୁଟାଇ ଜାଣିଚ ! ରସଜ୍ଞାନ କିଛିନାହିଁ । ଆରେ, ଯାହାର ବୁକୁ ଅଛି, ତାହାର ବୁକୁ ପୋଡ଼ିବହିଁ ପୋଡ଼ିବ । ସଳିତାଟା ଏମିତି ନାଲି ଟହ ଟହ ହୋଇଉଠେ କାହିଁକି ଜାଣ ? କେବଳ ପୋଡ଼ି ପାଉଁଶ ହେବା ଲାଗି । ତୁମେ ଦେବଳ, ଯେତେ ଦିନଯାକେ ଅଗ୍ନିର ରଙ୍ଗ ଏବଂ ଆଲୋକ ଖୋଜି ପାଇ ପାରି ନାହିଁ, ତେତେଦିନଯାକେ କେବଳ ତାର ଗରମ କଥାଟି ଭାବି ଡ଼ରି ମରୁଥିବ ସିନା !

 

ତାପରେ ଟିକେ ଝୁଙ୍କିପଡ଼ି ଦେବଳ ଆଖିରେ ଆଖି ମିଳାଇ କହିଲା—କିନ୍ତୁ ଦେବଳ, ତୁମ ସଳିତାରେ ବି ନିଆଁ ଜଳୁଚି, ମୋର କୌଣସି ସନ୍ଦେହ ନାହିଁ ।

 

—ସେ କଥା ତୁମକୁ କିଏ କହିଲା ?

 

—ତୁମର ଏଇ ଓଲଟା ପ୍ରଶ୍ନଟାହିଁ କହି ଦେଇଚି । ମୋର ସାକ୍ଷୀ ତୁମର ଆଖି ଆଉ ମୁହଁ; ତୁମର ଭାବ ଏବଂ ଭଙ୍ଗି । ଆଉ ମୁଁ ଯଦି ସାର୍ଲକ ହୋମସ୍ ହୋଇଥାଆନ୍ତି, ତେବେ ଥରେ ତୁମର ହାତଘଡ଼ିଟାକୁ ବି ପରୀକ୍ଷା କରି ଦେଖି ନିଅନ୍ତି ।

 

ହୋ ହା ପାଟିକରି ଓରାୟମ୍ ସିଂ ଆସି ହାଜିର ହେଲା । ଆନନର ଆତିଶଯ୍ଯରେ ମୁହଁଟା ତାର ପରିପୂର୍ଣ୍ଣ; କିନ୍ତୁ ଦାଢ଼ି ଉପରେ ଅତି ଯତ୍ନରେ ତାର ଧୋବକନାର ବ୍ୟାଣ୍ଡେଜ୍ ବନ୍ଧା ହୋଇଚି । ତାକୁ ଦେଖି ଦେବଳ ଆତଙ୍କିତ ହୋଇ ଉଠିଲା । ପଚାରିଲା—ମୁହଁରେ ତୁମର କଅଣ ହୋଇଚି ? ବେଶି କିଛି ଜଖମ ହୋଇ ନାହିଁ ତ ?

 

—ଜଖମ ? ଆନନ୍ଦରେ ଆଖି ନଚାଇ ଓରାୟମ କହିଲା—ମୋ ମୁହଁରେ ଜଖମ ହେବ ? କାହିଁକି ? ଏତେବଡ଼ ଛାତିଟାରେ ତ ଏବେବି ଟିକିଏ ମାତ୍ର ଜଖମ ହୋଇ ପାରିଲା ନାହିଁ । ଆଉ ତୁମେ ଭାବୁଚ–ଜଖମ ହେଲା ମୁହଁରେ ମୋର ? କାହିଁକି ? ମୋର ଏ ଦାଢ଼ିର ଢେଉଢ଼େଉକା ଖେଳର ଯେଉଁ ବାହାଦୁରି ଦେଖୁଚ ସେତକ କଅଣ ମୋର କମ୍ ଗର୍ବର ଧନ ! ତଖତତାଉସ୍ ଉପରେ ବସି ସାଜାହାନ ମଧ୍ୟ ତା ଦାଢ଼ିକୁ ଏତେ କେବେ ଯତ୍ନ କରିନାହିଁ ତ ।

 

ରବିନ୍ ଓରାୟମର କଥା ସ୍ରୋତ ଉପରେ ଟିକେ ବାଧାଦେଲା । କହିଲା—ପଳାତକ ଜାହାଜ ଉପରେ ବସି ଲାଲକିଲ୍ଲାର ସାଜାହାନ ବିଚରାକୁ ଟଣା ଓଟରା କରୁଚ କାହିଁକି ?

 

ଦାଢ଼ିର ବ୍ୟାଣ୍ଡେଜ କନା ଉପରେ ଧୀରେ ଧୀରେ ହାତ ବୁଲାଉ ବୁଲାଉ ଓରାୟମ୍ କହିଲା—ଅଲବତ । ଜରୁର କରୁଙ୍ଗା । ଦୀନ ଦୁନିଆର ମାଲିକ ସାଜାହାନ ଏବଂ ଓରାୟମ ସିଂ ମଧ୍ୟରେ ରତିଏ ମାତ୍ର ଫରକ ନାହିଁ । ତା’ର ଆଖି, ମୁହଁ ଓ ଦାଢ଼ିରେ ଥିଲା ଜିନ୍ଦଗି ଭୋର ଆରାମର ନିଶା । ମୋର ଏ ଦାଢ଼ିରେ ଅଛି ଏଇ ଜାହାଜ ମଧ୍ୟରେ ଭରିରହିଥିବା ଝିଅମାନଙ୍କ ମନ ଜୟ କରିବାର ନିଶା । ତାକୁ କିଛି ଜୟ କରିବାକୁ ପଡ଼ି ନଥିଲା । ଚାହିଁବା ଆଗରୁ ସବୁ ତାକୁ ମିଳିଯାଉଥିଲା । ମୁଁ କିନ୍ତୁ କିଛି ନ ପାଇ ସୁଦ୍ଧା ସବୁ ପାଇବି ବୋଲି ଆଶା କରୁଚି । ଯାହା ପାଇବି ଏବଂ ଯେଉଁ ଟିକକ ପାଇବି ସେଇଟିକକରେ ମୋର ‘ତଖ ତତାଉସ’ ନିଜ ହିମ୍ମତର ନିଶାଣ ସେତିକି ମୋର । ଝଣ୍ଡା ଉଚ୍ଚା ରହେ ହାମାରା ।’

 

ତଥାପି ଦେବଳ ବ୍ୟାଣ୍ଡେଜ ଆଡ଼କୁ ଚାହିଁ ରହିଲା ।

 

ରବିନ ହୋ ହୋ ହୋଇ ହସି ଉଠିଲା । କହିଲା—ତେବେ ଦେବଳକୁ ତୁମ ବ୍ୟାଣ୍ଡେଜର ରହସ୍ୟଟା ଖୋଲି କହେଁ ? ଜାଣିଚ କି ନାହିଁ, ଆମ ବାପା ଯେତେବେଳେ ସିମଳାକୁ ବଦଳି ହେଲେ, ତେତେବେଳେ ପଡ଼ାଗାଁଆଁର ବନ୍ଧୁମାନେ ସିମଳା କଥା ଜାଣିବାକୁ ଚାହିଁଲେ । ମୁଁ ଲେଖିଲି–ଖବରଦାର,ତୁମ ଭିତରୁ କେହି ଯେମିତି କି ସିମଳାକୁ ଆସିବାକୁ ମନ ନ କର । ଅତି ଖରାପ ଜାଗାଟାଏ,ରାତିରେ ଏତେ ମରାମରି ହୁଅନ୍ତି ଯେ ସକାଳେ ଦଳ ଦଳ ଲୋକ ମୁହଁରେ ବ୍ୟାଣ୍ଡେଜ ବାନ୍ଧି ଅଫିସ ଯାଆନ୍ତି । ସେମାନେ କେବଳ ମୁହଁଟି ଉପରେ ମାରାଧର କରିଥାଆନ୍ତି । କିନ୍ତୁ ଏଠା ଡାକ୍ତର ବୈଦ୍ୟମାନେ ନିଶ୍ଚୟ ଖୁବ୍ ଦକ୍ଷ,କାରଶ ସନ୍ଧ୍ୟା ସମୟକୁ କାହାରି କୈାଣସି ଜଖମ ନ ଥାଏ । କାହାରି ମୁହଁରେ ବ୍ୟାଣ୍ଡେଜ କନା ନ ଥାଏ ।

 

ଆଶ୍ଚର୍ଯ୍ୟ ହୋଇ ଦେବଳ ପଚାରିଲା—ତା’ ମାନେ ? ଦାଢ଼ିର ବନ୍ଧନକୁ ପେୟାର କରୁ କରୁ ଓରାୟମ୍ ଜବାବ ଦେଲା—ତାର ମାନେଟା ଆଜି ରାତିରେ ଦେଖିବାକୁ ପାଇବ । ଜାଣ ତ ମୋର ଏଇ ଦାଢ଼ି ଅନେକ ଝିଅଙ୍କ କାନ ପାଖରେ ଗୁଣୁ ଗୁଣୁ ହୋଇଛି । ଆଜି ଦେଖିବ ତାର ଢେଉଢ଼େଉକା ଶୋଭା ସାରାଦିନର ବନ୍ଧନ ପରେ ସନ୍ଧ୍ୟାବେଳକୁ ମୁକ୍ତି ପାଇବ । ତାରି ଢେଉ ଦ୍ୱାରା ମାଲୟର ସବୁ ମେମଗୁଡ଼ିକୁ ଆଜି ଫ୍ୟାନ୍ସି ଡ୍ରେସ ନାଚ ବେଳେ ଭସେଇ ନେଇଯିବି ।

 

ରବିନ୍ ଖୁବ୍ ଖୁସି ହେଲା । କହିଲା—ଭାଗ୍ୟକୁ ଓରାୟମ ଆମ ସଙ୍ଗରେ ଅଛି । ତା ଦାଢ଼ି ଓ ପଗଡ଼ିର କଲ୍ୟାଣରୁ ଆମ ଦେଶର ପତାକାଟି ଆଜି ନାଚଘରେ ଫରଫର ହୋଇ ଉଡ଼ିବ । ମାଲୟର ଏଇ ସାହେବ ମେମମାନେ କୈାଣସି ଦିନ ‘କାଲା ଆଦମି’ କୁ ଧରା ଦେଇନାହାନ୍ତି । ନିତାନ୍ତ ଦୟାକରି ଯାହା କିଛି ସେମାନେ ମିଶିଚନ୍ତି—ମିଶିଚନ୍ତି କେବଳ ଦେଶୀ ରାଜା ରାଜୁଡ଼ାଙ୍କ ସଙ୍ଗରେ । ସେଇଠି ଆମେ ଆଜି ‘ହିରୋ’ ସାଜି ବସିଛୁ; କିନ୍ତୁ ଓରାୟମ ହେଲା ବୀରମାନଙ୍କ ମଧ୍ୟରେ ଶ୍ରେଷ୍ଠ । ଏକଦମ ମଧ୍ୟଯୁଗର ନାଇଟ୍ । ‘ଥ୍ରି ଚିୟର୍ସ୍ ଫର ଓରାୟମ ।’

 

“ଥ୍ରି ଚିୟର୍‍ସ୍‍ ଫର ଏ ଗ୍ଲାସ ଅଫ୍ ଲାଗାର ।”

 

ଗିଲାସେ ‘ଲାଗାର ବିୟରର’ ଜୟଧୂନି କରୁଁ କରୁଁ ଓରାୟମ ଚାଲିଗଲା । ଯାତ୍ରୀମାନେ ସମସ୍ତେ ଜାଣନ୍ତି ଯେ ଜାହାଜ ‘ବାରରେ’ ଆଜି ସେହି ସୂର୍ଣ୍ଣାଭ ପାନୀୟଟିକୁ ସୁନେଲି ବର୍ଣ୍ଣର କେଶଗୁଚ୍ଛ ଦ୍ୱାରା ପରିବେଷ୍ଟିତ ମଧୁର ମୁଖବିଶିଷ୍ଟ ବାଳିକାଟି ସ୍ୱହସ୍ତରେ ପରିବେଷଣ କରିବ ।

 

ପୁଣିଥରେ ଦେବଳକୁ ଧରି ରବିନ ପଚାରିଲା—ଭାଇ, ମୁଁ ତ ବଙ୍ଗଳାଦେଶର ମଣିଷ ନୁହଁ; ତେଣୁ ଭାବନା ଘେନି ନଇଁ ପଡ଼ିବା ଧାତୁର ମଣିଷ ମୁଁ ନୁହଁ; କିନ୍ତୁ ତୁମେ ଲଢ଼େଇକି ଆସି ସୁଦ୍ଧା ସେଇ ଓଜନିଆ ପଥରଟାକୁ ମନ ଉପରୁ କାହିଁକି ଯେ ଓହ୍ଲେଇ ଦେଇପାରୁ ନାହଁ କୁହ ତ ?

 

ତଳକୁ ଚାହିଁରହି ଦେବଳ ନଖ ଖୁଣ୍ଟିବାକୁ ଲାଗିଲା । କହିଲା—ଟିକିଏ ପରେ କହିବି । ଜାଣିଚ ତ, ଆଜି ମୁଁ ଗୋଟାଏ ନିରସ୍ତ୍ର ଲୋକକୁ ମାରିଚି । ମୁଁ ଖୁଣୀ ଆସାମୀ ।

 

ଓଃ ସେଇ ଝିଟିପିଟିଟାକୁ ? କିନ୍ତୁ ଝିଟିପିଟି ତ ମଣିଷ ନୁହେଁ । ସେମାନଙ୍କୁ ଦେଖିଲା ମାତ୍ରେ ମାରିବା ଉଚିତ । ତା’ଛଡ଼ା ସେମାନେ ତ ନିଶ୍ଚୟ ନିରସ୍ତ୍ର ନୁହନ୍ତି । ତା’ ହାତରେ ଯେଉଁ ବେତାର ଖବର ପଠାଇବାର ଯନ୍ତ୍ରଟି ଥିଲା, ସେଉଟି କେତେବଡ଼ ଭୀଷଣ ଅସ୍ତ୍ର ସେ କଥାଟି ଭାବି ଦେଖିଚ କି ?

 

ତଥାପି ! ତଥାପି ତାର ଆତ୍ମରକ୍ଷା ପାଇଁ କୌଣସି ଉପାୟ ନ ଥିଲା । ମୁଁ ତାକୁ ରିଭଲଭର ସାହାଯ୍ୟରେ ପୋକଟାଏ ପରି ମାରିଦେଲି ।

 

ସେଥିଲାଗି ତୁମକୁ, ଦେବଳ, ଭିକ୍ଟୋରିଆ କ୍ରସ ମିଳିବା ଉଚିତ । ଏ ଜାହାଜଟିରେ ବୋଝେଇ ହୋଇଥିବା ଏତେଗୁଡ଼ିଏ ବେସାମରିକ ଲୋକ, ସ୍ତ୍ରୀ, ପିଲା ବାଳକ, ଜୋ ଅଧୀନରେ ଥିବା ଦଳଟି, ଏମାନଙ୍କୁ ସମସ୍ତଙ୍କୁ ତୁମେ ଆଜି ବଞ୍ଚାଇ ଦେଇ ପାରିଚ ।

 

କରୁଣ ହସଟିଏ ହସିଉଠିଲା ଦେବଳ, କହିଲା—ଜାଣ ରବିନ, ‘ହ୍ୟାଣ୍ଡସ୍ ଅପ’ ବୋଲି ଚିତ୍କାର କରି ଉଠିବାମାତ୍ରେ ଲୋକଟି ଅବାକ୍ ହୋଇ ଚାହିଁ ରହିଲା । ସତେକି ସେ ଭୂତ ହାବୁଡ଼େ ପଡ଼ିଗଲା ! ପାଦ ଦୁଇଟା ତାର ଭୂଇଁ ଉପରେ ଯେମିତିକି ପେଚଦ୍ଵାରା ଅଣ୍ଟା ହୋଇଗଲା । ଶେଷକୁ ସେ ବେତାର ଯନ୍ତ୍ରଟିକୁ ଚାପି ଧଇଲା—ଯେମିତିକି ସେଇଟାହିଁ ତାର ହତିଆର । ଓଠ ଦୁଇଟି ତାର ଘୁଙ୍ଗାଙ୍କ ପରି ଥରିବାକୁ ଲାଗିଲା । ଶେଷକୁ ନିଜ ପେଣ୍ଟଲୁମର ପଛପଟକୁ ଜାବୁଡ଼ି ଧରିଲା, ଏକାବେଳକେ ନିତାନ୍ତ ଅସହାୟ ଲୋକଟିକି ମୁଁ ଖୁନ୍ କରିଦେଲି ।

 

—ନା, କେବେହେଁ ତୁମେ ଆସହାୟକୁ ଖୁନ୍ କରିନାହିଁ । ତୁମର ଏ ବୀରତ୍ଵ ପାଇଁ ତୁମକୁ ଭିକ୍ଟୋରିଆ କ୍ରସ ମିଳିବା ନିଶ୍ଚୟ ଉଚିତ । ଗୁପ୍ତଚରଟା ଅନ୍ୟ କାହାରି ଦୃଷ୍ଟିରେ ପଡ଼ିନାହିଁ ।

 

—ଭିକ୍ଟୋରିଆ କ୍ରସ୍ ? ପରିହାସ ପରି କଥାଟା ଶୁଣାଯାଉଚି । ଆମେ ହିନ୍ଦୁମାନେ, ଭିକ୍ଟୋରିଆ କ୍ରସ ପାଇବାର ହେଲେ ମରିବା ଦରକାର । ଏକଦମ ଜାନ ଘେନି ମରିବା । କାରଣ ଗୋରାମାନଙ୍କଠାରୁ ଆମେ କଳା ଲୋକେ ଅଧିକ ମନ ପ୍ରାଣ ଦେଇ ଲଢ଼ୁଥାଇଁ । ଯେଉଁଠାରୁ ସମସ୍ତେ ‘ହିରୋ’, ସେଠି ଉଚିତ ସ୍ଥାନ ଦେଖି ଠିକ୍ ବେଳ କାଳ ଉଣ୍ଡି ମରିବା ଦରକାର । ଆଉ ମଧ୍ୟ ସମସ୍ତଙ୍କ ସମ୍ମୁଖରେ ଏବଂ ଦିନ ଦିପହରେ ମରିବା ଉଚିତ । ବଡ଼ କର୍ତ୍ତାମାନେ ଯଦି ନ ଦେଖିପାରିଲେ ?

 

ରବିନ ଅସ୍ୱୀକାର କରିପାରିଲା ନାହିଁ । ସେମାନେ ସମସ୍ତେ ସେ କଥାଟିକି ବୁଝନ୍ତି । ତେବେ ବି କହିଲା—ନା ଦେବଳ, ତୁମେ ବଡ଼ ଗମ୍ଭୀର ପ୍ରକୃତିର ଲୋକ; କିନ୍ତୁ ଏତେ ‘ସିରିଅସ୍’ ହେଲେ ବଞ୍ଚିରହିବା କଷ୍ଟକର ।

 

ଇଂରେଜମାନେ ମଧ୍ୟ ସେ କଥାଟିକୁ ଭଲ ଭାବରେ ବୁଝନ୍ତି । ତେଣୁ ଯେ କେତେଦିନ ଜାପାନୀମାନଙ୍କ ହାତରେ ଧରାପଡ଼ି ନାହାନ୍ତି, ସେ କେତେଦିନ ପଳାଇବାର ଚେଷ୍ଟାକରିବା ଉଚିତ । ଆଉ ଯେତେଦିନ ପଳେଇ ପଳେଇ ବୁଲୁଥିବେ, ସେତେଦିନ ଯାକେ ରଙ୍ଗ ରଙ୍ଗରେ ରସାୟିତ କରି ମନଟାକୁ ହାଲୁକା ରଖିବାକୁ ଚେଷ୍ଟା କରୁଥିବେ; ତେବେଯାଇ ସଂସାରଟା ଗୋଟାଏ ବୋଝ ବୋଲି ମନେ ହେବ ନାହିଁ । ବିପଦଟା ଖୁବ୍ ସାଙ୍ଘାତିକ । ତେଣୁ ହାଲୁକା ସାଜରେ ସଜ୍ଜିତ ହୋଇ ଦଳ ଦଳ ନରନାରୀ ଜାହାଜର ଲାଉଞ୍ଜରେ ଆସି ଜମା ହୋଇଗଲେ । ଭୟ ଆଉ ଚିନ୍ତାକୁ ସେମାନେ ମନ ଉପରୁ ଖସାଇ ପକାଇଛନ୍ତି । ଦେହ ଉପରୁ ବସ୍ତ୍ର ଏବଂ ଲଜ୍ଜାକୁ ମଧ୍ୟ ।

 

ସୃଷ୍ଟିର ପ୍ରଥମ ପୁରୁଷ ଆଦମ୍ର ଯୋଗ୍ୟ ସଙ୍ଗିନୀ ସାଜରେ ସାଜି ତିନୋଟି ତରୁଣ ନାଚିନାଚି ପ୍ରବେଶ କଲେ । ସେମାନଙ୍କ ମୁଣ୍ଡରେ ଶୁଖିଲା ଘାସର ଟୋପି । ହାଉଆରେ ଯେତେବେଳେ ଅନ୍ୟ ସବୁ ଉଡ଼ୁଥାଆନ୍ତି, ସେତେବେଳେ କେବଳ ଟୋପି ତିନୋଟି ଟାଇଟ୍ ହୋଇ ରହି ଥାଆନ୍ତି । ଗୋଟିକରେ ନାଲିକାଗଜରେ ଲେଖାଥାଏ ‘ଦି’ ଅନ୍ୟ ଗୋଟିକରେ ‘ଥ୍ରୀ’ ଓ ତୃତୀୟଟିରେ ‘ମାସ୍କେଟିୟସ୍’ । ତିନିଜଣଯାକ ଯେ ସଙ୍ଗିନ୍ଧାରିଣୀ, ସେହିକଥାଟି ଉକ୍ତ ଅକ୍ଷରଗୁଡ଼ିକରୁ ସ୍ପଷ୍ଟ ଜଣାପଡ଼ୁଥିଲା ।

 

ଫୁସ୍‍ଫୁସ୍‍ ହୋଇ ଦେବଳ ରବିନକୁ କହିଲା—ବିଚରା ଫରାସୀ ସାହିତ୍ୟିକ ଯେତେବେଳେ ଏହି ନାମରେ ଉପନ୍ୟାସ ଖଣ୍ଡିକ ଲେଖିଥିଲେ ସେତେବେଳେ, ସେ ସ୍ଵପ୍ନରେ ସୁଦ୍ଧା ଭାବି ନଥିଲେ ଯେ ସେହି ନାମଟାର ଏପରି ଦୁର୍ଗତି ଘଟିବ ।

 

ରବିନ୍ ଚଟ୍‍ପଟ୍ ଜବାବ ଦେଲା—ତୁମେ ଦୁର୍ଗତି ବୋଲି କହୁଚ କାହିଁକି ? ମୁଁ ତ ଦେଖୁଚି ଏତେ ଦିନକେ ବହି ଖଣ୍ଡୀକ ଲେଖିବା ସାର୍ଥକ ହେଲା । ତିନିଜଣଯାକ ସଙ୍ଗିନୀ ସତେ ଯେପରି ତିନିଖଣ୍ଡ ସଙ୍ଗିନ୍ । ଚାଲ, ବର୍ତ୍ତମାନ ସେମାନଙ୍କ ମାସ୍କେଟସ୍ ସାମନାରେ ଛାତି ପତେଇ ଦେବା ।

 

ଓରାୟମ୍‍ର ପଗ୍ଡ଼ିଟି ସାମନା ଆଡ଼କୁ ଟିକେ ଢଳିପଡ଼ିଲା । ସେ ଯେ ଭାବ କରିବାପାଇଁ ଆଗରୁ ପ୍ରସ୍ତୁତ ହୋଇରହିଥିଲା, ସେକଥାଟି ବୁଝିବାପାଇଁ କାହାରିକି କିଛି ଭାବିବାକୁ ପଡ଼ିଲାନାହିଁ ।

 

ଗୋଟିଏ ଫିଟ୍‍ଫାଟ୍ ତରୁଣି ନାଚି ନାଚି ପ୍ରବେଶ କଲା । ‘ଫିଟ୍‍ଫାଟ୍‍’—ଯାହାକୁ କହନ୍ତି ଏକଦମ ‘ଷ୍ଟିମଲାଇନ’ । ରେୟନର ଅତି ସୂକ୍ଷ୍ମ ଗାଉନ ଟିଏ ପିନ୍ଧିଚି । ସୂକ୍ଷ୍ମତାରେ ପାଣିପାରି ଢଳଢଳ । ଛାତିଉପରେ ଗାଉନଟି କେମିତି ଭାବରେ ଅଟକିଚି, ସେକଥାଟି କେବଳ ଗାଉନଟି ଜାଣେ । ଦେବଳ କହିଲା—ସମ୍ଭବତଃ ଗାଉନ୍‍ର ମଧ୍ୟ ଲଜ୍ଜାଅଛି; ତେଣୁ ଆଉ ତଳକୁ ଖସିପଡ଼ି ପାରୁନାହିଁ ।

 

ଓରାୟମ୍ କହିଉଠିଲା—ତୁମ ବଙ୍ଗଦେଶର କବିମାନଙ୍କର ରାଣ ପକାଉଚି, ଖବରଦାର, ଏତେ ସୌନ୍ଦର୍ଯ୍ୟର ଏଭଳି ହୀନସ୍ତା ଏବଂ ଅପମାନ ମୁଁ ସହି ପାରିବି ନାହିଁ ।

 

ଦେଖୁନାହିଁକି, ତା’ ଛାତିରେ ଗୋଟାଏ ନାଲିରଙ୍ଗର ହରତନ (ହାର୍ଟ) ଅଙ୍କା ହୋଇଚି । ଆଜି ରାତିରେ ଏଇ ହେବ, କୁଇନ ଅଫ୍ ହାଟ୍ସ୍ I ନିମନ୍ତ୍ରଣ କରିବିକି ତାକୁ ମୋ ସହିତ ଖଣ୍ଡେ ଓଅଲଜ୍ ନାଚିବା ପାଇଁ ?

 

ରବିନ୍ କହିଲା—ଲାଗିଯାଅ ଓରାୟମ । ତୁମର ଆଜି ଜୟ ହେଉ । ଆମେମାନେ ପଛକୁ ଅଛୁ ।

 

କିନ୍ତୁ ଲାଗିଯିବାଭଳି ଦମ୍ ଦେବାପାଇଁ ସମୟ କାହିଁ ? କୁଇନ୍ଅଫ୍ ହାଟ୍ସର୍ ଠିକ୍ ପଛେ ପଛେ ନାଚି ନାଚି ଯୋଡ଼ିଏ ନରନାରୀ ପ୍ରବେଶ କଲେ । ପୁରୁଷଟିର ପୋଷାକ ରେଡ଼୍ଇଣ୍ଡିୟାନ ବା କୌଣସି ବଣୁଆ ଶିକାରୀତୁଲ୍ୟ । ହାତରେ ତୀରଧନୁ । ଅଣ୍ଟାରୁ ଝୁଲୁଚି ଗାରଗାରିଆ ରଙ୍ଗରେ ଛପାହୋଇଥିବା ଅଧା ଧୋତି ଖଣ୍ଡେ; ଠିକ୍ ଧୋତି ନୁହେଁ । କେତେଟା ରେସମୀ ସ୍କାର୍ଫ ଏକାଠି ସିଲେଇ ହୋଇଥିଲେ ଯେମିତି ଦେଖାଯାଏ, ଠିକ୍ ସେମିତି । ଛାତିଉପରେ ହିନ୍ଦୁସ୍ଥାନୀ ଝିଅମାନଙ୍କ ପରି କାଞ୍ଚୁଲି । ମୁଣ୍ଡ ଉପରେ ଜରିବାଲା ଜଙ୍ଗଲୀ ଓଢ଼ଣି ଝୁଲୁଚି; ସେଥିରେ ପୁଣି ବଡ଼ ବଡ଼ ଅକ୍ଷରରେ ଲେଖାହୋଇଚି “ଶିକାରୀ” । ତାହାରି ହାତରେ ହାତଧରାଧରି ହୋଇ ଆଗେଇ ଚାଲିଚି ତାରି ସଙ୍ଗିନୀଟ—ହରିଣୀ ବେଶରେ ସାଜି । ବିଲେଇପରି ଫିକା ନୀଳରଙ୍ଗର ଆଖିରେ ସୁରୁମା ଗାର ଟାଣି ଦେଇଛି—ହରିଣୀନୟନା ହେବାକୁ ପଡ଼ିବ ଯେ ! ସାରା ଦେହଟି ଗାଉନରେ ଘୋଡ଼ିଆ ହେଇଚି ଓ ଦୁଇଟିସ୍ଥାନ ମାତ୍ର ଖୋଲା ରହିଚି । ହରିଣୀର ଦେହପରି ଛାପିଛାପିକିଆ । ମୁଣ୍ଡରେ ମୁକୁଟ; ଦୁଇ ପାଖକୁ ବେଣୀ ଦୁଇଟି ଉଚ୍ଚହୋଇ ହରିଣର ଶିଙ୍ଗପରି ଦେଖାଯାଉଚି । ତଳେ ଲେଖାଅଛି “ଓ ଡିଅର, ଡିଅର…” ଆହେ ପ୍ରିୟ ହରିଣୀ ! ଏକାବେଳକେ ହରିଣ ପରି ଦେଖିବାକୁ । ଆଉମଧ୍ୟ ଗାଉନ୍ର ପଛପଟକୁ ଲାଞ୍ଜପରି ଚିତ୍ର କରାଯାଇଚି ।

 

ଓରାୟମ ହାରି ଯିବାର ପାତ୍ର ନୁହେଁ । ମୁରୁକି ହସା ହସି କହିଲା—ଦେଖୁଚ, ଦେଖୁଚ ଏକଦମ ଡିଅର, ଡିଅର !

 

ଗାଉନ୍ର ଏଭଳି ରଙ୍ଗ ଦିଆ ହେବାକଥା ମୁଁ ସିନେମାରେ ସ୍ତ୍ରୀଲୋକମାନଙ୍କ ପୋଷାକମଧ୍ୟରେ ଦେଖିଚି । ଏକଦମ ଆଧୁନିକ ଫେସନ କଥା ଏଇ । ପାରିସ୍ରୁ ଆମଦାନି; କିନ୍ତୁ ମନ-ହରିଣୀ ଯେ ପୂର୍ବରୁ ଶିକାରୀ ହାତରେ ଧରାପଡ଼ିଯାଇଚି ! ବର୍ତ୍ତମାନ ତାକୁ ଉଦ୍ଧାର କରାଯିବ କିପରି ! କୁଚ୍ଛ୍ ମତଲବ୍ ବତଲାଓ ଜି ?

 

ପାଦର ଗୋଇଠି ପର୍ଯ୍ୟନ୍ତ ଚପା ଟାଇଟ ପେଣ୍ଟଲୁନ୍ ଏବଂ ମଧ୍ୟ ଯୁଗୀୟ ଫ୍ରକ୍ କୋଟ ପିନ୍ଧି ମେଣ୍ଡୋଲିନ ହାତରେ ଧରି ଜଣେ ପ୍ରବେଶ କଲେ । ପୁରୁଣାକାଳିଆ ଫରାସୀ କବି ସେ ସାଜିଚି । ଗୀତ ଗାଇଗାଇ ନାଗରୀମାନଙ୍କ ଝରକା ତଳେତଳେ ସେ ପ୍ରେମକରି ବୁଲେ; କିନ୍ତୁ ଏଭଳି ମଧୁର କାର୍ଯ୍ୟଟିର ନାମ ହେଲା “ସେରିନେଡ୍” | ଗୀତର ସ୍ୱରରେ ପ୍ରେମ ଜ୍ଞାପନ କରିବାକୁ ହୁଏ । ରବିନ୍ ଓରାୟମ୍‍କୁ କହିଲା—ଦେଖ, ଆମ କାପଟେନ୍ ନିହାତି ବେରସିକ ଲୋକ । କହିଲା କଅଣ କି ? ଲଢ଼ନେୱ।ଲାମାନଙ୍କୁ ସମ୍ମାନ ଦେଖାଇବା ପାଇଁ ଆଜିର ଏ ଫ୍ୟାନ୍ସିଡ୍ରେସ୍ ନାଚର ଆୟୋଜନ । ଆମେମାନେ ବିଶେଷ ଅତିଥିଭାବେ ନିମନ୍ତ୍ରିତ; ତେଣୁ ଆମମାନଙ୍କୁ ଇଉନିଫର୍ମ ପିନ୍ଧି ଆସିବାକୁ ପଡ଼ିଚି । କାହିଁକିରେ ବାବା ? ଏ ଇଂରେଜମାନେ ଏତେ ପୋଷାକପତ୍ର ଘେନି ଜାହାଜକୁ ଉଠିଚନ୍ତି । ସେଥିରୁ କଅଣ କିଛି ଲୁଗାପଟା ଆମକୁ ଧାର ଦେଇ ପାରିନଥାଆନ୍ତେ ?

 

ନିଶ୍ଚୟ ଦେଇ ଥାଆନ୍ତେ । ନାଚସଙ୍ଗିନୀ ତ ନିଶ୍ଚୟ ଧାର ଦେବେ; କିନ୍ତୁ ସେଥିରେ ତୁମର ଲାଭ କଅଣ ହେବ ଶୁଣେ ? ସେଥିରେ ଦେବଳର ଲାଭ ଅଛି । ତାକୁ ଆମେ ଫରାସୀ ପ୍ରେମିକ କବିରୂପେ ସଜାଇ ଏଇ ନାଚଘରକୁ ଛାଡ଼ି ଦେଇଥାଆନ୍ତୁ ଏବଂ ତିନି ସଙ୍ଗିନୀଙ୍କୁ ଠାରି ଦେଇଥାଆନ୍ତୁ ଯେପରିକି ସେମାନେ ଏକୁ ‘କିଡ଼୍ନ୍ୟାପ୍’ କରି ଚମ୍ପଟ ଦେଇଥାଆନ୍ତେ । ତରୁଣୀମାନଙ୍କ ହାତରେ ମିଲିଟାରି ଲୋକ ଅପହୃତ ! ଆଃ, ଭାବିଲା ବେଳକୁ ମନଟା ଗଦ୍ଗଦ୍ ହାଇ ଉଠୁଚି । ସେ ବିଚରାର ମନଟା ବି ଟିକିଏ ହାଲୁକା ହୋଇଯାଆନ୍ତା । ପୃଥିବୀରେ କିଛି ଗୋଟାଏ ନୂଆକାମ କରିବାର ବୀରତ୍ଵ ମଧ୍ୟ ତା ରେକଡ଼ରେ ଲେଖାହୋଇ ରହନ୍ତା । ଆଉମଧ୍ୟ ମିଲିଟାରୀ କ୍ରସ୍ ମେଡ଼ାଲଟା ତାକୁ ମିଳିଥାଆନ୍ତା ।

 

କିନ୍ତୁ ବାଦ୍ୟଟି ଅତି ହାଲୁକାଧରଣର ଏବଂ ବଡ଼ ମନମତାଣିଆ ହୋଇଉଠିଲା । ପ୍ରଥମେ ଆରମ୍ଭ ହେଲା ଗୋଟାଏ ରେକଡ଼ । “ତୁଜୁର ଲାମୁର” (ସାରା ଦିନଟି ଧରି ପ୍ରେମ) । ଫରାସୀ ଭାଷା ପ୍ରାୟ କେହି ଜାଣନ୍ତି ନାହିଁ; ମାତ୍ର ଗୀତଟିର ଅର୍ଥ ସମସ୍ତେ ଜାଣନ୍ତି । ଜାପାନୀମାନେ ଆକ୍ରମଣ କରିଛନ୍ତି । କାନମୋଡ଼ା ଖାଇ ଘରଛାଡ଼ି ପଳାଇ ଯିବାର ଅବସ୍ଥା ହେଲାଣି; କିନ୍ତୁ ଯେ କେତୋଟି ଦିନ ଅଛ, ସେ କେତେଦିନ ଦିନସାରା ପ୍ରେମ କରିହେବ ତ !

 

ମାଲୟରେ ସାହେବ ମେମମାନେ ଏକଥାଟିକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ, ତେଣୁ ଶେଷଦିନ ପର୍ଯ୍ୟନ୍ତ ଆମୋଦ ଆହ୍ଲାଦ ଛାଡ଼ି ନଥିଲେ । ଏଭଳିଭାବେ ତହିଁରେ ଲିପ୍ତ ରହିଥିଲେ ଯେ ସେଠାର ପ୍ରଧାନ ସେନାପତି ‘ବୃକ୍ ପପାମ’ଙ୍କ ସ୍ତ୍ରୀ ବେତାର ଦ୍ଵାରା ଏବଂ ଖବରକାଗଜମାନଙ୍କ ଜରିଆରେ ଗଭୀର ଦୁଃଖ ପ୍ରକାଶସହ ନିନ୍ଦା କରିଥିଲେ ।

 

ଗଭୀର ଭାବ ଦେଖାଇ ଜଣେ ସ୍ତ୍ରୀଲୋକ ଆନନ୍ଦରେ ଅଧୀର ହୋଇ ସେମାନଙ୍କୁ ପ୍ରଶ୍ନକଲା—ହ୍ଵାଟ୍ ଏବାଉଟ୍ ଏ ଡ୍ରିଙ୍କ ? (ପାନୀୟ ଚାଲିବ ନା ?)

 

ସଙ୍ଗେ ସଙ୍ଗେ ଓରାୟମ୍ ନିଜର ମୁଣ୍ଡ ଏବଂ ରଙ୍ଗିନ୍ ପଗଡ଼ିଟିକି ଆଗକୁ ଝୁଲାଇ ଦେଲା-। ଦୁଇ ପାଖର ଦାଢ଼ିଉପର ଦେଇ ନଈର ଦୁଇ କୂଳବାହୀ ହସର ଢେଉ ସତେ କି ଖେଳିଗଲା-। ସେ କହିଲା—ନିଶ୍ଚୟ, ନିଶ୍ଚୟ ମିସ୍, କିନ୍ତୁ କି ପାନୀୟ ନେବି କୁହ ! ନିଜ ହାତରେ ତୁମେ ଯାହା କିଛି ଦେବ ତାହାହିଁ ନେବି ।

 

ତରୁଣୀଟି ରୂପର ଝଲକ ଦେଖାଇ କହିଲା—କେଉଁଟି ତୁମର ପସନ୍ଦ, ସେଇ କଥାଟି କୁହ ।

 

‘ମୋର ପସନ୍ଦ’ ? —ଓରାୟମ ଛାତି ଉପରେ ହାତଟିକି ଥୋଇଲା । ଯେମିତିକି ସେଇ ପ୍ରଶ୍ନଟି ମଧ୍ୟରେ କେତେ ଦରଦ ଅଛି । ସେତକ ସମୁଦାୟ ବୁକୁ ମଧ୍ୟରେ ଏବଂ ମନ ମଧ୍ୟରେ ଅନୁଭବ କରି ନେବାଟା ହିଁ ବୀରପୁରୁଷର ଲକ୍ଷଣ । “ମୋର ପସନ୍ଦ ? ମୋର ପସନ୍ଦ ହେଉଚି, ହ୍ୱାଇଟ୍ ଲେଡ଼ି ।”

 

ନା, ଚମକି ଉଠ ନାହିଁ ଦେବଳ । କଥାଟାର ଅର୍ଥ କେବଳ ଶ୍ଵେତାଙ୍ଗିନୀ ନୁହେଁ । ଯିନ୍ ମିଶା ହୋଇଥିବା ଏକ ପ୍ରକାର କକ୍ଟେଲ୍ର ନାମ ମଧ୍ୟ “ହ୍ୱାଇଟ୍ ଲେଡ଼ି” । ଇଂରେଜ ତରୁଣୀ କିରି କିରି ହୋଇ ହସି ଉଠିଲା—ଓଃ ମାଇଁ ହାଟ୍, ତୁମ ଚତୁରତାର ତୁଳନା ନାହିଁ ।

 

ସେଇ ହସଟି ସତେକି ତା ମନ ଆକାଶରେ ଫୁଲ ଝରିର ତାରା ଫୁଲ ଝାଡ଼ିବାକୁ ଲାଗିଲା । ନାଚ ଘରର ଆଲୁଅ ଗୁଡ଼ିକ କିନ୍ତୁ କ୍ଷଣକ ପାଇଁ ନିଭିନିଭି ଯାଇ କିଛି ସମୟ ପରେ ପୁଣି ହଠାତ୍ ଜଳିଉଠିଲା । ଏଇ ନାଚଟି ମଧ୍ୟରେ ଏହାହିଁ ହେଲା—ଆଜି କାଲିକାର ଫେସନ୍ । ମନ ଆକାଶରେ ବାସନାର ତାରା ମିଞ୍ଜିମିଞ୍ଜି ଜଳୁଥାଏ ଏବଂ ନିଭୁଥାଏ; ପୁଣି ଜଳି ଉଠୁଥାଏ । ବନ୍ଦ ହୋଇଥିବା ଖିଡ଼ିକି ପାଖରେ ଦେବଳ ତୁନି ହୋଇ ଛିଡ଼ା ହେଲା । ନାଚ ସେ ଶିଖିନାହିଁ; ଶିଖିବାର ଇଚ୍ଛା ମଧ୍ୟ ନାହିଁ । କିନ୍ତୁ ରବିନ୍ ହେଉଚି ସାହେବମାନଙ୍କ ଦେଶର ‘ବୁଲ୍ ବୁଲି ।’ ଅତିପ୍ରିୟ ପକ୍ଷୀଟିର ନାମ ‘ରବିନ୍’ । ସେମାନେ ରବୀନ୍ଦ୍ରଙ୍କୁ ନାମ ଦେଇଛନ୍ତି— ‘ରବିନ୍’ । ସେ ମଧ୍ୟ ନୂଆ ଶିଖିଥିବା ବିଦ୍ୟାର ରିହର୍ସାଲ୍ କରିବାକୁ ଲାଗିଲା । ଘୂର୍ ଘୂର୍ । ମଦ ଅପେକ୍ଷା ନାଚର ନିଶା ବେଶି । ନାଚରେ ଯୌବନର ଯାଦୁବିଦ୍ୟା ପୂରି ରହିଚି । ଛୋଟ ଜାହାଜଟି ସମୁଦ୍ର ମଧ୍ୟରେ ତାଳ ଦେଇ ନାଚୁଚି । ପାଦ ନାଚୁଚି ବାଦ୍ୟର ତାଳେ ତାଳେ । ଆଉ ହୃଦୟ ? ସେ ତ ପୁଚ୍ଛ ମେଲି ବାହୁସଙ୍ଗିନୀକୁ ଧରି ରଖିଚି ! ଅତି ଘନିଷ୍ଠ ଭାବେ—ଦରିଆ ତୁଲ୍ୟ ଦିଲ୍‍ର ଦରଦ ଦେଇ ।

 

ଗୋଟିଏ ନାଚ ଶେଷ ହୁଅନ୍ତେ ଓରାୟମ୍ ଅତି ବିରସ ବଦନରେ ଫେରି ଆସିଲା । ପଗଡ଼ିଟିକୁ ଡାହାଣ ବାଁ ଦୋହଲାଇବାକୁ ଲାଗିଲା ।

 

ଦେବଳ ପଚାରିଲା—କଥା କଅଣ ଓରାୟମ୍ ? ବୋଧହୁଏ ତୁମେ କୁଇନାଇନ୍ ଖାଇଚ-!

 

ଆଖିବାଟେ କୁଇନାଇନ୍ର ତିକ୍ତସ୍ୱାଦ ନିର୍ଗତ କରି ସେ କହିଲା—ସେଥିରେ ଏ ଶର୍ମା କାହିଲ୍ ହୁଅନ୍ତା ନାହିଁ । ଯିନ୍ ଏବଂ ବିଟରସ୍ (ତିକ୍ତ ବିୟର ତୁଲ୍ୟ ମଦ) । ଜିନ୍ ଓ ବିଟସ୍ ଘେନି ପ୍ରତିଦିନ ଖରାବେଳେ ଆରମ୍ଭ କରିଦିଏଁ । ମଦିରା ହିଁ ହେଲା ମଧୁ ।

 

ଦେବଳ ହସି ହସି ପ୍ରଶ୍ନକଲାତେବେ ବୋଧହୁଏ ନୂଆ କିଛି ମାଲ ଆଖିରେ ପଡ଼ିଛି ?

 

ନୂଆ ନୁହେଁ—ଆଖିରେ ରାଗବ୍ୟକ୍ତ କରି ଓରାୟମ୍ କହିଲା—ନୂଆ ନୁହେଁ । ଏକଦମ ପୃଥିବୀର ପହିଲା ନମ୍ବର କାରବାର । ଯାହାକୁ ଚାରିଶ ବିଶି କହନ୍ତି ।

 

ଅର୍ଥାତ୍ ?

 

ଓଃ, ତୁମେ ସେ ହେଲ ଏକଦମ ଗୁଡ଼ବୟ ! ସଂସାରର କିଛି ତୁମେ ଜାଣନାହିଁ । ତୁମେ “ଚିଡିଂବାଜ” । କଅଣ ଜାଣିଚ ? ପେନାଲ କୋଡ଼ର ଚାରିଶ ବିଶ ଧାରା ?

 

ଦେବଳ ଏବେ ବୁଝି ପାରିଲା । କହିଲା—ତୁମକୁ ଏଠି ଠକିଲା କିଏ ? ତୁମେ ହେଲ ଆଜି ରାତିର ନରସିଂହ—‘ଲାୟନ୍ ଏମୋଙ୍ଗ ମେନ’, ଦେଖୁଚ ସବୁ ସୁନ୍ଦରୀଗୁଡ଼ିକ ତୁମରି ସଙ୍ଗରେ ନାଚିବାକୁ ଉପରେ ପଡ଼ୁଚନ୍ତି ।

 

‘ସେଇ ତ ହେଲା କାଳ !’ ଓରାୟମ କଥାରେ ଭୀଷଣ ଦୁଃଖ ଲାଗିଲା । ତିନି ତିନିଜଣ ମୁଖାପିନ୍ଧା ସୁନ୍ଦରୀ ତରୁଣୀ ଆସି ଝିଙ୍କିନେଲେ । ସେମାନଙ୍କ ସହିତ ‘ରୁମ୍ବା’ ନାଚିବାକୁ ପଡ଼ିବ । ଆଜି ରାତ୍ରି ବ୍ୟତୀତ ଅନ୍ୟ କୌଣସି ରାତ୍ରିରେ ମହିଳାମାନେ ନିଜ ଆଡ଼ୁ ଇଚ୍ଛା କରି ନାଚସଙ୍ଗୀ ହେବାକୁ କାହାରିକୁ ଚାହାନ୍ତି ନାହିଁ । ଏଭଳି ସୌଭାଗ୍ୟ, ହାତର ଲକ୍ଷ୍ମୀଙ୍କୁ କେମିତି ଭାବେ ପାଦରେ ଠେଲିଦେବି ? ବାଛି ବାଛି ସର୍ବଶ୍ରେଷ୍ଠ ଚଟକଦାରଟି ସଙ୍ଗରେ ଗୃନ୍ଥି ହୋଇଗଲି ।

 

କିନ୍ତୁ—ମୁଣ୍ଡ ହଲାଇ ଓରାୟମ୍ କହିଲା ଯେତେକ ସବୁ ଚକ୍ ଚକ୍ ଦିଶନ୍ତି, ସମସ୍ତେ ସୁନା ନୁହନ୍ତି ।

 

ଦେବଳ ସାନ୍ତ୍ଵନା ଦେବାକୁ ଚେଷ୍ଟାକଲା—ତୁମ ନିଜର ସ୍ତ୍ରୀ କିମ୍ୱା ପ୍ରେୟସୀ ଯେତେବେଳେ ନୁହଁ, ସେତେବେଳେ ଗିଲଟିରେ ବା ତୁମର ଆପତ୍ତି କାହିଁକି ?

 

ଓରାୟମ୍ କିନ୍ତୁ ସାନ୍ତ୍ଵନା ପାଇପାରିଲା ନାହିଁ । କହିଲା—ଗିଲ୍ ଟି ବି ନୁହେଁ, ଏକଦମ ପିତଳ; କିନ୍ତୁ ମୋ ନାଚଟିକୁ ମାଟି କରିଦେଇଚି । ନାଚ ଭିତରେ ଯେତେବେଳେ ଆଲୁଅଟା ନିଭିଗଲା, ସେତିକିବେଳେ ସୁନ୍ଦରୀ ତୁରନ୍ତ ତାର ମୁଖାଟିକ ଖସାଇ ପକାଇଲା ।

 

ଥଟ୍ଟା କରିବାର ଲୋଭ ସମ୍ଭାଳିନେବା ଶକ୍ତକଥା । ଦେବଳ କହିଲା—ତୁମକୁ ଅଭିନନ୍ଦନ ଜଣାଇବାକୁ ଇଚ୍ଛା ହେଉଚି ହେ ! ମୁଖା ପଛରେ ଥିବା ମୁଖ ଖଣ୍ଡିକ—

 

ଓରାୟମ ସହିପାରିଲା ନାହିଁ । କହିଲା—ଏକଦମ୍ ଚରିତ୍ର ସମ୍ଭାଳିବା ପାଇଁ ସର୍ବଶ୍ରେଷ୍ଠ ରକ୍ଷାକବଚ । ମଲାପରି ହୋଇ ଲଢ଼େଇକୁ ଯିବାପାଇଁ ମୁଖ୍ୟ ପ୍ରେରଣା । ଏଭଳି ସୁନ୍ଦରୀ ସଙ୍ଗେ ନାଚିବାଠାରୁ ଜାପାନୀ ଗୁଳିରେ ମରିବା ବରଂ ସହଜ ।

 

ଦେବଳ ତାକୁ ସାନ୍ତ୍ଵନା ଦେବାକୁ ଚେଷ୍ଟାକରି କହିଲା—ସୁନ୍ଦରୀ ମୁଖର ‘ମେକ୍ଅପ୍’ଟା ବୋଧହୁଏ ଠିକ ରୂପେ କରାହୋଇ ନଥିଲା ।

 

‘ମେକ୍‍ଅପ୍’ ? ଓରାୟମର ଦାନ୍ତ ଓ ଦାଢ଼ି ମଧ୍ୟଦେଇ ଅସ୍ପୁଟ ଗର୍ଜନ ଧ୍ୱନି ବାହାରି ଆସିଲା । ପଚାଶ ବର୍ଷର ତରୁଣୀମାନଙ୍କୁ ମେକ୍‍ଅପରେ ‘ମିରାକଲ୍’ ଅନନ୍ତ ଯୌବନ ଦେଇଚି; ତଥାପି ସେ ବିଦ୍ୟାଦ୍ୱାରା ମୁହଁଟି ଚିରକାଳପାଇଁ ଚାଲିପାରେ ନାହିଁ ।

 

ହସି ହସି ଦେବଳ କହିଲା—ହୁଏତ ତୁମେ କେବଳ ତାହାରି ଆଖିଆଡ଼କୁ ଚାହିଁଥାଆନ୍ତ-

 

ଆଖି ହେଉଚି—ମନର ଗବାକ୍ଷ । ବିଗତ ବହୁ ବସନ୍ତର ଝଡ଼ ସେହି ଗବାକ୍ଷ ମଧ୍ୟଦେଇ ମୋତେ ଝାମ୍ପମାରି ଯାଇଚି । ଅନେକ ଜାଗର ରାତି, ଅନେକ ପ୍ରେମର ଚାପ (ଦାଗ), କେତେ ଖୋଜି ଖୋଜି ପାଇବା ପରେ ହଜିଯାଇଥିବା ବନ୍ଧୁର ଇତିହାସ । ଅନେକ ରଙ୍ଗିନ ନିଶା ଏବଂ ମଢ଼ୁଆଳ ମନ । ସେଥିରେ ତୁମର ଆପତ୍ତି କଅଣ ?

 

ଲାହୋର ମିଶନାରୀ କଲେଜର ଛାତ୍ର, ଇଉନିଭର୍ସିଟିର ହକିଖେଳର ‘ବୁଲ୍’ ଓରାୟମର ମନର ଜୁଆର ଦେଖି ଦେବଳ ଚମକି ପଡ଼ିଲା । ତାକୁ ଆହୁରି ଖେଞ୍ଚାମାରି ଆହୁରି କିଛି ରତ୍ନ ବାହାର କରିବାକୁ ଚେଷ୍ଟାକଲା । ପ୍ରଶ୍ନକଲା—ତହିଁରେ ତୁମର ବା ଆପତ୍ତି କଅଣ ? ତୁମେ ବି ସେହି ଅସରନ୍ତି ମାଳ ମଧ୍ୟରେ ଗୋଟିଏ ନୂତନତମ ଫୁଲଭାବେ ନିଜକୁ ଗୁନ୍ଥିଦିଅ ।

 

ଓରାୟମ ଜୋରରେ ମୁଣ୍ଡ ହଲାଇଲା; ତାହାର ମନମଧ୍ୟରେ ବିରାଟ ଓଲଟପାଲଟ ହୋଇ ତାର ବୃହତ୍ ଶିଖ୍—ଶରୀରଟାକୁ ଚହଲାଇ ଦେଇଚି ।

 

ସେ କହିଲା—ଜାଣନା, ବୟସ ବର୍ତ୍ତମାନ ସୁଦ୍ଧା ତା ଦେହକୁ ସ୍ପର୍ଶକରି ପାରିନାହିଁ । ମନର ନିଶା ଶେଷ ହୋଇନାହିଁ । ଯୌବନ ଜଳତରଙ୍ଗ ! ତହିଁରେ ତ ସମସ୍ତ ଗ୍ଳାନି ଧୋଇ ହୋଇଯାଏ ! ପାପର ମଧ୍ୟ କୌଣସି ଚିହ୍ନ ବର୍ଣ୍ଣ ନ ଥାଏ । କେବଳ ଗବାକ୍ଷ ମଧ୍ୟ ଦେଇ ଦେଖିଲି—ଶେଷ ବସନ୍ତରେ ପତ୍ରଗୁଡ଼ିକ ଝଡ଼ି ପଡ଼ିଚି ।

 

—ଗବାକ୍ଷ ପାଖରୁ ଆଖିକୁ ଦୂରେଇ ନେଇଥିଲେ ତ ହୋଇଥାଆନ୍ତା । ଘର ମଧ୍ୟରେ ତ ସଜାସଜି ହୋଇ ସବୁତକ ସରଞ୍ଜାମ ପୂରି ରହିଚି ।

 

କେବଳ ସେଇଥିପାଇଁ ତ ଆଖିଆଡ଼କୁ ନଚାହିଁ ମୁହଁକୁ ନଜରଦେଲି । ସେ ଯେତେବେଳେ ହସିଲା, ତେତେବେଳେ ମୋର ମନେ ହେଲା—ସତେକି ଡାକଘରର ନାଲିବାକ୍ସଟି ଖୋଲୁଚି । ପରେ ମନେ ହେଲା, ସତେକି ଡାକ୍ତରଙ୍କ ଛୁରୀରେ ସଦ୍ୟ କଟାହୋଇ ପଡ଼ିଥିବା ଗୋଟିଏ ଅପରେସନ୍, ତେତେବେଳେ ସୁଦ୍ଧା ବ୍ୟାଣ୍ଡେଜ ବନ୍ଧା ହୋଇନାହିଁ । ବଡ଼ ଅସହାୟ ଅବସ୍ଥା-। ଯୌବନ ଚାଲିଯାଇଥିବା ବେଦନାରେ ଅତ୍ୟନ୍ତ କାତର ଏବଂ ନିତାନ୍ତ ଅସହାୟ ।

 

—ତୁମର ଫୁଲିଉଠିଥିବା ଉଚ୍ଛ୍ଵାସର ଢେଉ ବୋଧହୁଏ ତା ବେଦନାକୁ ବଢ଼ାଇ ଦେଇଥିଲା ?

 

—ଜାଣେନା; ମନେହେଲା, ଯେପରିକି ତାର ସବୁଗୁଡ଼ିକ ମିଥ୍ୟା । ଖାଣ୍ଟିଜିନିଷ ତା’ଠାରେ କିଛି ନାହିଁ । ବଡ଼ ମାୟା ହେଲା; କିନ୍ତୁ ନାଚ ଆଉ ଜମିଉଠି ପାରିଲା ନାହିଁ । ଏପରିକି ନାଚୁ ନାଚୁ ତା’ କାନପାଖରେ ଦୁଇପଦ ମାମୁଲି ମିଠାକଥା ମଧ୍ୟ ଶୁଣାଇ ଦେଇ ପାରିଲି ନାହିଁ ।

 

—ତୁମର କୌଣସି ଆଶାନାହିଁ ଓରାୟମ । ପାଞ୍ଚ ମିନିଟରେ ନାଚ ମଧ୍ୟରେ ତୁମେ ଖାଣ୍ଟିଜିନିଷ ଖୋଜିବୁଲୁଚ ? ଆରେ, ନାଚଟି ତ ହେଲା ଅସଲ ଜିନିଷ; ସଙ୍ଗିନୀ ତ କେବଳ ମାୟା !

 

—ହଃ, ଖୁବ୍ ବେଶି ଜାଣ ତୁମେ !ସନ୍ନ୍ୟାସୀ ମଣିଷ । ସଙ୍ଗିନୀ ତ ହେଲା ସବୁ । ନାଚଟା ସିନା ମାୟା । ପାରିବ କି ତୁମେ କୌଣସି ଗୋଟିଏ ମୋଟା ମଣିଷ ସଙ୍ଗରେ ‘ରୁମ୍ବା’ ନାଚର ଘୂର୍ଣ୍ଣିଦୋଳାରେ ମାତିଉଠିବା ପାଇଁ ?

 

ପାଞ୍ଚ

 

ନାଚଘରର ମତୁଆଳ ଝଙ୍କାରିଆ ଡାକକୁ ଏଡ଼ିଦେଇ ତୁନି ତୁନି ଦେବଳ ପଳାଇ ଆସିଲା । ଆସିଲାବେଳକୁ ପଛରେ ଥିବା କବାଟଟିକୁ ସାବଧାନତା ସହ ବନ୍ଦ କରିଦେଇ ଆସିଲା । ଆଲୋକ ରେଖାଟି ସୁଦ୍ଧା ଯେପରି ବାହାରଆଡ଼କୁ ନପଡ଼େ । ଉପରେ ଡେକରେ ବନ୍ଧାହୋଇଥିବା ଗୋଟିଏ ଲାଇଫ୍–ବୋଟର ଆଢ଼ୁଆଳରେ ତୁନିହୋଇ ବସିପଡ଼ିଲା ।

 

ଜାହାଜ ପରି ମନ ମଧ୍ୟରେ ମଧ୍ୟ ‘ବ୍ଳାକ୍ଆଉଟ୍ ଚାଲିଚି’ ଆଲୁଅ ? ଆରେ ଆଲୁଅ ନାହିଁ-?

 

ଆଲୁଅ ତ ଅଛି ନିଶ୍ଚୟ; କିନ୍ତୁ ମିତାର ଦୀପଶିଖାଟି ସେ ସଯତ୍ନେ ଢାଙ୍କିଦେଇ ଆଢ଼ୁଆଳରେ ରଖିଚି । ମରାମରି ଓ ପ୍ରାଣଘେନି ଟଣାଟଣିର ନିଷ୍ଠୁର ଆଲୋକ ମଧ୍ୟକୁ ତାର ଆକାଶ-ଦୀପଟିକୁ ସେ ଟାଣି ଆଣିବାକୁ ଚାହେଁ ନାହିଁ ।

 

କଲିକତା ନିକଟରେ କୌଣସି ଗୋଟିଏ ଅଜଣା ଅଘାଟରେ ଷ୍ଟିମଲଞ୍ଚ ଉପରକୁ ଉଠିବା ପୂର୍ବରୁ ମିତା ସଙ୍ଗରେ କିପରିଭାବେ ତାର ଶେଷ ଦେଖାଟି ହୋଇଥିଲା, ସେ କଥା ସେ ନିଜେ ମଧ୍ୟ ଜାଣିପାରି ନାହିଁ । ସେଦିନ ସେ ଅବାକ୍ହୋଇ ପ୍ରଶ୍ନ କରିଥିଲା–ତୁମେ କିପରି ଖବର ପାଇଲ ମିତା ? ମୁଁ ତ କାହାରିକି ଜଣାଇ ପାରିନାହିଁ ! ବାରଣ ମଧ୍ୟ ଥିଲା ।

 

ଅଥଚ କେବଳ ମିତା କାହିଁକି, କଲିକତାର ବହୁଲୋକ ଶୁଣା ଶୁଣି ଜାଣିପାରିଥିଲେ ଯେ, ସେଇଦିନ ଗୋଟିଏ ବ୍ରିଗେଡ଼ କଲିକତାରୁ ରମାନା ହେବ । ଦେବଳର ବ୍ରିଗେଡ଼ କ୍ୟାମ୍ପରୁ ଯେଉଁଦିନ ବାହାରିଲା, ସେହିଦିନରୁ ହିସାବ କରି ମିତା ସ୍ଥିର କରି ନେଇଥିଲା ଯେ ଠିକ ସେଇଦିନ ଦେବଳ କଲିକତା ବାଟଦେଇ ଜାହାଜକୁ ଉଠିବ ।

 

ତେଣୁ ମିତା ଦେବଳ ପ୍ରଶ୍ନର ଉତ୍ତର ଦେଇନାହିଁ; କେବଳ କହିଲା—ଇଂରେଜ ମିଲିଟାରିର ଗୋପନ ଖବର ଗୁପ୍ତ ରଖିବାର ଏହିଭଳି ବ୍ୟବସ୍ଥା । ଜାଣିପାରୁନାହିଁ ତୁମମାନଙ୍କ ଭାଗ୍ୟରେ କେବେ କି ବିପଦ ଘଟିବ ! କାଗଜ କଲମରେ ଅବଶ୍ୟ ଜାଣିପାରି ନାହିଁ ତୁମେମାନେ କେଉଁଠାକୁ ଯାଉଛ; କିନ୍ତୁ ଷ୍ଟାଣ୍ଡରେ, ଚୌରଙ୍ଗିରେ ଝିଟିପିଟି ଗୁଡ଼ିକ ପର୍ଯ୍ୟନ୍ତ ସେ ଖବର ପାଇଚନ୍ତି ।

 

—ଭାଗ୍ୟକୁ ସେମାନେ ଜାଣନ୍ତି । ନୋହିଲେ ତୁମ ସହିତ ଏପରି ଭାବେ ହଠାତ୍ ମୋର ଦେଖା ହୋଇ ପାରି ନ ଥାଆନ୍ତା ।

 

ଦେଖା ନ ହୋଇଥିଲେ ବରଂ ଭଲ ହୋଇଥାଆନ୍ତା । ଅନ୍ତତଃ ନିଶ୍ଚିନ୍ତ ହୋଇ ପାରିଥାଆନ୍ତି ଯେ ତୁମେମାନେ ଏଭଳି ସାବଧାନ ଭାବେ ଚଳପ୍ରଚଳ ହୁଅ ଯେ, ଯୁଦ୍ଧ ଭିତରେ ତୁମ ଗୁପ୍ତଖବରଟା ଶତ୍ରୁପକ୍ଷ ଜାଣି ପାରନ୍ତି ନାହିଁ, ଏବଂ ତୁମକୁ ବିପଦରେ ପକାଇ ପାରନ୍ତି ନାହିଁ । ଆଜି କଲିକତାରେ ଏତେ ଲୋକ ତୁମମାନଙ୍କ ଯିବା ଖବର ଜାଣନ୍ତି । ଆଉ ଶତ୍ରୁପକ୍ଷର ଗୁଇନ୍ଦାମାନେ କଅଣ ସେ ଖବର ଜାଣି ନଥିବେ ?

 

ବର୍ତ୍ତମାନ ଶତ୍ରୁପକ୍ଷ ଏବଂ ଯୁଦ୍ଧ କଥା ଥାଉ । ମୋଟେ ତ ଅଳ୍ପ ଟିକିଏ ସମୟ ବାକି ଅଛି-! ତୁମ ନିକଟରେ ନିଶ୍ଚିନ୍ତ ମନ ଘେନି ସାମାନ୍ୟ ଟିକିଏ ସମୟ ଆଉ ରହି ପାରିବି । ଦେବଳ ଅନୁନୟ କରି ମାତ୍ର ଏତିକି କହିଲା ।

 

ମିତା କିନ୍ତୁ ସେ କଥାରେ ସାନ୍ତ୍ଵନା ପାଇ ପାରିଲା ନାହିଁ । ମ୍ଳାନ ହସ ହସି କହି ଉଠିଲା–ତୁମେ ବୋଧହୁଏ ଭାବୁଚ,—ଏଇ ମୁହୂର୍ତ୍ତଟି ଦୀର୍ଘସ୍ଥାୟୀ ହେଉ ? କିନ୍ତୁ ନା, ଏବେ ବି ତୁମେ ଆଗ ପରି ଛୋଟପିଲାଟିଏ ହୋଇ ରହିଯାଇଚ । ତୁମେ ଭଲ ଥାଇ, ସୁସ୍ଥ ଥାଇ; ଫେରିଆସ, ଏତିକି ମୋର ସବୁ ବୋଲି ଜାଣିବ । କ୍ଷଣକାଳ ଓ ଚିରକାଳରେ ମୋର ଦରକାର ନାହିଁ ।

 

ତେତେବେଳକୁ କ୍ଷଣକାଳ ସମୟ ମଧ୍ୟ ନଥିଲା । ରାତି ଆଠଟା ବେଳକୁ ଟ୍ରାଞ୍ଜିଟ୍ କେମ୍ପରେ ଏକଯୁଟ ହେବା ପାଇଁ ଘଣ୍ଟା ବାଜିବ । ହାତଘଡ଼ିରେ ଟିକ୍ ଟିକ୍ ଶବ୍ଦ କରି ସମୟ ଚାଲି ଯିବାର ନୋଟିସ୍ ଦେଇ ଚାଲିଚି । ଚାରିଆଡ଼େ ଏକାବେଳକେ ନିର୍ଜନ, ନିସ୍ତବ୍ଧ । ଘଡ଼ିର ଶବ୍ଦ ଟିକକ ମଧ୍ୟ ଟିକିଏ ବେଶି ବୋଲି ମନେ ହେଉଚି । ଯେଉଁ ହାତରେ ମିତାର ହାତଟିକି ସେ ଧରିଚି, ସେଇ ହାତରେ ଘଡ଼ିଟି ବନ୍ଧା ହୋଇଚି ବୋଲି ଦେବଳ ଅସୁସ୍ତି ଅନୁଭବ କରିବାକୁ ଲାଗିଲା ।

 

ମିତା ମଧ୍ୟ ସେ କଥାଟି ଲକ୍ଷ୍ୟ କରି ପାରିଥିଲା । ସେ କହିଲା—ଘଡ଼ିର ଟିକିଟିକି ଶବ୍ଦ ଶୁଣି ତୁମେ ଅସ୍ଥିର ହୋଇ ପଡ଼ୁଚ, ମେସିନଗନ୍ ଆୱାଜ ତୁମ କାନ ମଧ୍ୟରେ ଏଥି ଭିତରେ ନିଶ୍ଚୟ ଅଭ୍ୟାସ ହୋଇଯାଇଥିବ ତ !

 

ସେ କଥାଟି ସତ । ତେବେ ବି ଘଡ଼ିର ଶବ୍ଦଟି ସେ ସବୁ ଶବ୍ଦକୁ ଘୋଡ଼େଇ ପକେଇଚି । ମନେ ପକାଇଦେଉଚି ଯେ ଏଇ ମୁହୂର୍ତ୍ତରେ ଉଠି ଯିବାକୁ ପଡ଼ିବ—ତୁମକୁ ଛାଡ଼ି ଯିବାକୁ ହେବ—। ତାର ମଳିନ ମୁଖ ଆଡ଼କୁ ଚାହିଁ ମିତା ହସିଲା । କହିଲା—ନା, ହେଇ ଦେଖ, ଏଇ ହାତଘଡ଼ିଟି ଭିତରେ ମଧ୍ୟ ମୁଁ ମୋ ସ୍ମୃତିକୁ ଭରିଦେଉଚି ।

 

ହାତରେ ଥିବା ଭ୍ୟାନଟିବ୍ୟାଗ ଭିତରୁ ଗୋଟିଏ ଛୋଟ ଗ୍ରୁପ୍ ଫଟ ବାହାର କଲା ମିତା । ଦୂରରେ ଥିବା ଲ୍ୟାମ୍ପପୋଷ୍ଟର ଅସ୍ପଷ୍ଟ ଆଲୋକ ମଧ୍ୟରେ ଚିହ୍ନଟ କରି ନିଜ ମୁଖର ଛବି ଅଂଶଟିକୁ ଛିଡ଼ାଇ ଆଣିଲା । ଘଡ଼ିର ତଳେଥିବା ଢାଙ୍କୁଣିଟି ଖୋଲି ତାହାରି ଭିତରେ ସେ ଟୁକୁରାଟିକୁ ପୂରାଇଦେଲା । କହିଲା—ଘଡ଼ିଟି ଟିକ୍ ଟିକ୍ ଶବ୍ଦ କରି ସମୟ ଗଣିବା ସଙ୍ଗେ ସଙ୍ଗେ ମୋ କଥାଟିକୁ ମଧ୍ୟ ତୁମର ମନେ ପକାଇ ଦେଉଥିବ । ହେଇ ମୋ ଚିହ୍ନଟି ତୁମ ସଙ୍ଗରେ ରହିଲା । ଘଡ଼ି କେବେହେଁ ମନେ ପକାଇ ଦେବ ନାହିଁ ଯେ ଆଜି ସନ୍ଧ୍ୟାରେ ତୁମ—ମୋ ମଧ୍ୟରେ ଛଡ଼ାଛଡ଼ି ହୋଇଯାଇଚି । କେବଳ ଏତିକି ମନେ ପକାଇ ଦେବ ଯେ, ଆମେ ଦୁଇଜଣ ଏକତ୍ର ଅଛୁଁ ।

 

ଅର୍ଦ୍ଧସ୍ଫୁଟ ସ୍ଵରରେ ଦେବଳ ଯେମିତିକି କଅଣ କହିଗଲା ! କିନ୍ତୁ ମିତା ତାହା ଶୁଣି ପାରିଲା ନାହିଁ । ଧୀର ସ୍ଵର ଏବଂ ଭଗ୍ନଗଳାରେ ଦେବଳ ସେକଥା ଟିକକ କହିଦେଲା ।

 

ଟିକିଏ ପରେ ଦେବଳ ପଚାରିଲା—କାହିଁ, ତୁମେ ତ ମୋ କଥାର ଜବାବ ଦେଲ ନାହିଁ-?

 

କଥାଟିକୁ ମିତା ଧରିପାରି ନାହିଁ । ଆଉମଧ୍ୟ ସେ କଥାଟିକି ପ୍ରକାଶ କରି ଦେବଳକୁ ସେ କ୍ଷୁନ୍ନ କରିଦେବାକୁ ଚାହିଁଲା । ଏଭଳି ମୁହୂର୍ତ୍ତରେ ଆଉ କି କଥା ବା ହୋଇପାରେ ? ସାରା ସଂସାରର ସବୁ ମଣିଷର ଚିରକାଳର ସେଇ ଅସହାୟ ମିନତିଟିକି ମନେ ରଖିଥିବ–ରଖିଥିବ ମନେ-! କେତେଦିନର ସେଇ ଚିହ୍ନାମଣିଷଟି ଆଜି ଦୁରେଇ ଯାଉଛି—ଅଚିହ୍ନା ଦେଶ ଓ ଅଜଣା ଭବିଷ୍ୟତ ମଧ୍ୟକୁ । ତାହାରି ଚାରିପଟେ ନିଶ୍ଚିତ ବିପଦ ଘେରି ରହିଥିବ—ଖୁବ୍ ବେଶି ଏବଂ ସୁନିଶ୍ଚିତ ଭାବେ ।

 

ଟିକିଏ ଭାବିନେଇ ମିତା ଠିକ୍ ଧରିନେଲା—ଦେବଳ କଅଣ କହିବାକୁ ଚାହିଁଥିଲା । ଦେବଳର ହାତମୁଠା ମଧ୍ୟରେ ନିଜର ଆଙ୍ଗୁଳି ଗୁଡ଼ିକ ଥୋଇ ଆହୁରି ଅଧିକ ପରିମାଣରେ ଆତ୍ମସମର୍ପଣ କରିଦେଲା । ଧୀରେ ଧୀରେ କହିଲା—ମୁଁ ତୁମରି ହୋଇ ରହିଥିବି । ତୁମରି ପାଇଁ ଅପେକ୍ଷା କରିଥିବି । ତୁମେ ଫେରି ଆସ । ଭଲଥାଇ, ସୁସ୍ଥଥାଇ ଫେରିଆସ ।

 

ଦୁଃଖପୂର୍ଣ୍ଣଭାବେ ଦେବଳ ପୁଣି ପଚାରିଲା—ଆଉ, ଯଦି ଭଲ ନଥାଏ, ସୁସ୍ଥ ନ ରହି ପାରେଁ ?

 

—ନିଶ୍ଚୟ ଥିବ । ଭଗବାନ ମୋର କାତର ପ୍ରାର୍ଥନା ନିଶ୍ଚୟ ଶୁଣିବେ । ତୁମେ ସେମିତି କଥା କୁହ ନାହିଁ ।

 

ଦେବଳର ମନ ମଧ୍ୟରେ ଥିବା ପିଲାଳିଆ କୋମଳ ଭାବଟି ସତେ କି ଶକ୍ତି ନାରିକେଳ ଟାଣୁଆ ଆବରଣ ମଧ୍ୟରେ ଢାଙ୍କି ହୋଇପଡ଼ିଲା । ଦାନ୍ତକୁ ଦାନ୍ତ ଚାପି ସେ କହିଲା—ଆଉ ଯଦି ମୁଁ ନ ଫେରେଁ ?

 

କିନ୍ତୁ ଆସହାୟ ଭାବାବେଗର ସମୟ ମିତା ନିକଟରେ ଆଉ ନାହିଁ । କଥାଟିକୁ ଏକାବେଳକେ ସେ ଉପେକ୍ଷା କରିଦେଲା; ମାତ୍ର ଏତିକି କହିଲା—ତୁମେ ନିଶ୍ଚୟ ଫେରିବ; କିଛିମାତ୍ର ବିପଦ ଘଟିବ ନାହିଁ । ସବୁ ସମୟରେ ମୋତେ ମନେପକାଇବ । ତୁମରି ପାଇଁ ମୁଁ ଅପେକ୍ଷା କରି ରହିଲି । କେବଳ ତୁମରି ପାଇଁ ସବୁ ସୁଖ, ଦୁଃଖ, ବିପଦ ମଧ୍ୟରେ ।

 

ଦୁଇଜଣଯାକ ଅଳ୍ପ ସମୟ ଚୁପ୍‍ଚାପ୍‍ ରହିଲେ; କିନ୍ତୁ ଦୂରରେ କେଉଁଠାରେ ଗୋଟାଏ ବଡ଼ ଘଣ୍ଟା ଠନ୍ ଠନ୍ ଶବ୍ଦରେ ବାଜି ଉଠିଲା । ଦେବଳକୁ ବର୍ତ୍ତମାନ ଉଠିବାକୁ ପଡ଼ିବ । ସମୟ ନାହିଁ-। ହାୟ ମାନବହୃଦୟ ! ଯିବା ସମୟରେ ଦେବଳ ଖାଲି ମିତାର କାନ ପାଖରେ କହିଲା—ମନେ ରଖିବ, ଭଲ ପାଇବ !

 

ଅନନ୍ତକାଳ ପାଇଁ ଦେବଳ ଏମିତି ଭାବରେ କହି ଚାଲନ୍ତା ! କିନ୍ତୁ ସେ ଅନ୍ତକାଳ କାହିଁ-? ଦୂରରେ ଥିବା ଘଡ଼ିର ଶବ୍ଦଟି ଯେ ଏକମାତ୍ର ସତ୍ୟ !

 

ମିତା ଆଉକିଛି କହିପାରିଲା ନାହିଁ; ଓଠ ଜଡ଼ିଗଲା । ମୁଁହ ବୁଜି ହୋଇ ରହିଗଲା । ଆଖି ଦୁଇଟି ଲୋତକରେ ଭରି ଉଠିଲା । କେବଳ ସେ ଫୁସ୍‍ଫାସ୍ ହୋଇ କହିଲା “ବୀର ମୋର !”

 

ହାଠାତ୍ କିଏ ଯେପରି ହାତ ପକାଇଲା । ମିତା କି ? ଦେବଳ ଜାଣେ ଯେ ଇଏ ମିତା ନୁହେଁ । ତଥାପି ଭାବିବାକୁ ଭଲ ଲାଗେ; କିନ୍ତୁ ଭାବିବାପାଇଁ ସମୟ ନାହିଁ । ମୁଁହ ବୁଲାଇ ଦେଖିଲା–କ୍ୟାମ୍ପର “ଜୋ” । ସିଧା ଠିଆହୋଇ ଯାଇ ସାଲ୍ୟୁଟ କରି କହିଲା—ଇଏସ ସାର । “ଜୋ” ମଧ୍ୟ ଓଲଟା ସାଲ୍ୟୁଟ ଦେଇ ସମ୍ମାନ ଦେଲା । ସଭ୍ୟସମାଜରେ ଏହାହିଁ ନିୟମ । ତୁମେ ଯେତେ ବଡ଼ ହୁଅନା କାହିଁକି ସମ୍ମାନ ବଦଳରେ ସମ୍ମାନ ନ ଦେଖାଇଲେ ତାହା ଗୃହୀତ ହେଲା ନାହିଁ ବୋଲି ଜାଣିବ ।

 

—ଶୁଣ ଦେବଳ, ବର୍ତ୍ତମାନ ଆମେ ଦୁହେଁ ଘନିଷ୍ଠ ବନ୍ଧୁ । ମୁଁ କେବଳ ଓ. ସି. ଅଫିସର । କମାଣ୍ଡିଂ ନୁହେଁ । ଆସ ଏଇଠି ଟିକିଏ ଖୋଲା ପବନରେ ବସିବା ।

 

ଦୁଇଜଣଯାକ ଲାଇଫବୋଟ ଉପରେ ଥିବା କାଠର ପଟତନ ଉପରେ ମୁହାଁମୁହିଁ ହୋଇ ବସିଲେ । —କୁହ ତ ଦେବଳ, ତୁମର ମନଟି ଏତେ ବେଶି ଭାରି ହୋଇଚି କାହିଁକି ?

 

କୌଣସି ଉତ୍ତର ନାହିଁ ।

 

କୁହ, କାହିଁକି ତୁମେ ଏତେ ଗମ୍ଭୀର ହୋଇପଡ଼ିଚ ? ମୁଁ ତ ଜାଣେ ତୁମେ କାହାରିକି ଭୟ କର ନାହିଁ । ଜାପନୀକୁ ନୁହେଁ କି ପାଣିରେ ବୁଡ଼ି ମରିବାକୁ ନୁହେଁ । ତେବେ ?

 

କୌଣସି ଉତ୍ତର ନାହିଁ ।

 

ତୁମେ ମୋତେ କ୍ଷମାଦିଅ ଦେବଳ, ମୁଁ ତୁମର ବ୍ୟକ୍ତିଗତ ଜୀବନ କଥାଟି ଉଠାଇଚି; କିନ୍ତୁ ଆମେ ବର୍ତ୍ତମାନ ଏଭଳି ଅବସ୍ଥାରେ ଆସି ପହୁଞ୍ଚିଛୁ ଯେ, ଭଦ୍ରତାର ଘେରାଜାଲ କାଟି ପକାଇବାରେ କିଛି ବାଧା ନାହିଁ । ତୁମ ଜୀବନରେ କୌଣସି ନାରୀ ଅଛି—ଏଇ କଥା ତ ?

 

କୌଣସି ଉତ୍ତର ନାହିଁ ।

 

—ମୁଁ ଭାବୁଛି, ଯଦି ତୁମ ଚିନ୍ତାର ଅନ୍ୟ କୌଣସି କାରଣ ଥାଆନ୍ତା, ତେବେ ହୁଏତ ଭଲ ହୋଇଥାଆନ୍ତା । ସବୁଠାରୁ ବେଶି ବୁଡ଼େଇ ରଖିବାଭଳି, ମତେଇ ରଖିବା ଭଳି ଚିନ୍ତା ହେଉଚି–ଏକମାତ୍ର ନାରୀ; କିନ୍ତୁ ମୋତେ କ୍ଷମା ଦେବ ଦେବଳ । ଅନେକ ପୁରୁଷଙ୍କ ଜୀବନରେ ତାହା ଘଟିଥାଏ; କିନ୍ତୁ ଏହା ବୋଲି କେହି ତ ନିଜକୁ ଏଭଳିଭାବରେ ରିକ୍ତକରି ସବୁଥିରୁ ବଞ୍ଚିତ କରି ରଖେ ନାହିଁ !

ଏତେବେଳକୁ ଦେବଳ ଉତ୍ତର ଦେଲା । ଖୁବ୍ ନିମ୍ନସ୍ଵରରେ କହିଲା—ମୁଁ ତ ସବୁକଥା ଠିକ୍‍ଭାବେ କରିଥାଏଁ, ନୁହେଁ କି କ୍ୟାପଟେନ୍ ?

ଅବଶ୍ୟ, ଅବଶ୍ୟ—ଜୋ ତାକୁ ଅବିଳମ୍ବେ ଆଶ୍ୱାସନା ଦେଲା ।

—ତେବେ ମୁଁ ନିଜର ଅବସର ସମୟରେ ସ୍ୱଇଚ୍ଛାରେ ଯେଉଁ କଥାଟି ମୋତେ ଭଲଲାଗେ ସେକଥାଟି ମନେ ମନେ ଭାବି ଆନନ୍ଦ ଅନୁଭବ କରିବି ନାହିଁ କାହିଁକି କହନ୍ତୁ ! ବେଦନା ପାଇବି ନାହିଁ କାହିଁକି କହନ୍ତୁ ! କାହିଁକି ବା ମୁଁ ଭାବନାରୂପକ ଅଳସ ବିକାଶରୁ ନିଜକୁ ବଞ୍ଚିତ କରି ରଖିବି ?

ଜୋ ହସିଉଠି କହିଲା—ତୁମେ ଟିକେ ବେଶି ବୁଦ୍ଧି ଘେନି ଚିନ୍ତାକର । ସେଇଟାହିଁ ହେଲା ବିପଦ । ତେଣୁ ତୁମର ସୁଇଟ୍‍ହାଟ୍, ବା ଯାହାର ଚିନ୍ତା କରୁଚ, ତାହାର ଭାବନାଟିକୁ ଅଳସ ବିକାଶ ବୋଲି କହି, ଅସଲ କଥାକୁ ଲୁଚାଇ ଦେବାକୁ ଚେଷ୍ଟା କରୁଚ; କିନ୍ତୁ ମୁଁ ତୁମଠାରୁ ବୟସରେ ବଡ଼ । ପୃଥିବୀଟାକୁ ମଧ୍ୟ ଖୁବ ବେଶି ଦେଖିଚି, ମୋ କଥାଟି ତୁମେ ଶୁଣ ।

—କିନ୍ତୁ ଆପଣଙ୍କ କଥା, ଆପଣଙ୍କ ଅଭିଜ୍ଞତା କଅଣ ମୋ ବେଳକୁ ଖଟିବ ? ଆପଣଙ୍କ ଦେଶରେ ଅନେକ ଜିନିଷ ଧରାବନ୍ଧା ଛାଞ୍ଚରେ ଢଳା ହୋଇଚି । ଏକଦମ ଯେପରିକି ଧଡ଼ିବନ୍ଧା ସିପାହୀ । ଏଇ ଦେଖନ୍ତୁ ନାଚଘରେ ଏତେ ଯେଉଁ ହିଲ୍ଲୋଳ ଚାଲିଚି, ଏତେ ରଙ୍ଗରସ । ସେମାନେ ସମସ୍ତେ କଅଣ ଚିନ୍ତିତ ମନରେ ଫୁର୍ତ୍ତି କରୁଚନ୍ତି ? ହୁଏତ ଅନେକଙ୍କ ମନ ମଧ୍ୟରେ କଣ୍ଟା ଫୁଟିଚି—ବ୍ୟଥା ଅନୁଭୂତ ହେଉଚି । ଅନେକଙ୍କ ହୃଦୟ ମଧ୍ୟରେ ରକ୍ତସ୍ରାବ ଚାଲିଚି । ତଥାପି ସେମାନେ ନାଚୁଚନ୍ତି; କିନ୍ତୁ ଆମେ ପାରିବୁ ନାହିଁ ।

—ପାରିବ । ଚେଷ୍ଟାକଲେ ନିଶ୍ଚୟ ପାରିବ । ଓରାୟମସିଂ ପରି ଦିଲ୍‍—ଖୋଲା ହେବାକୁ ଚେଷ୍ଟାକର । ସବୁ ଦିନର ଭାବନା ଏବଂ ପଛକୁ ଟାଣୁ ଥିବାରୁ ଚିନ୍ତାକୁ ଅନ୍ତତଃ ଆଜିଦିନକ ପାଇଁ ହସିହସି ଉଡ଼ାଇ ଦିଅ ।

—ସମସ୍ତେ ସବୁକଥା କରିପାରନ୍ତି ନାହିଁ ।

—ନ ପାରନ୍ତୁ ପଛକେ ମୁଖା ପିନ୍ଧି ଥାଆନ୍ତି । ଆଜିକାଲିକା ଦିନରେ ମୁଖଠାରୁ ମୁଖାର ମୂଲ୍ୟ କମ୍ ନୁହେଁ ।

କହୁ କହୁ ‘ଜୋ’ର ମୁଖା ସତେକି ଅଲଗା ହୋଇଗଲା । ଅନ୍ଧକାର ମଧ୍ୟରେ ମୁହଁର ଚେହେରାଟି ଢାଙ୍କି ହୋଇ ପଡ଼ିଥିଲା; କିନ୍ତୁ ଗଳାର ସ୍ଵରଟି ସତେ କି ଝୁଣ୍ଟିପଡ଼ିଲା ।

ସେ କଥାକୁ ଲକ୍ଷ୍ୟ କରିନେଇ ଦେବଳ କହିଲା—କ୍ୟାପଟେନ୍ ଆପଣ ମୋତେ ବନ୍ଧୁ ରୂପେ ଗ୍ରହଣ କରିଛନ୍ତି, ସେଇ ସାହସରେ କହୁଚି ଯେ, ଆପଣଙ୍କ ମନରେ ମଧ୍ୟ ଗୋଟାଏ ମୁଖା ପିନ୍ଧା ହୋଇଅଛି ।

—ହଁ ବୋଲି କହିଲେ ତୁମେ ଖୁସିହେବ ତ ?

“ନା, ଖୁସି ହେବି ନାହିଁ ।” ଗମ୍ଭୀର ଗଳାରେ ଦେବଳ କହି ଚାଲିଲା ।” ମୁଁ ଖୁସି ହୁଏ ନାହିଁ । ଆଗେ ଆମ ଦେଶରେ ମନୁଷ୍ୟମାନେ ଖୁବ୍ ସହଜ ଥିଲେ । ସ୍ୱାଭାବିକ ପ୍ରକୃତିର ନିୟମରେ ଗଢ଼ା ଥିଲେ । ବାସନା ଦ୍ୱାରା ଆବୃତ ଆପଣମାନଙ୍କ ପଶ୍ଚିମର ସଂସ୍ପର୍ଶରେ ଆସି ସେହି ବାସନା ସହିତ ବେଦନାର ଖାଦ ମିଶି ଗଲାଣି । ଏ ଯୁଗରେ ଯାହାକୁ ଆମେ ଭଲ ପାଉଁ, ସେ କେବଳ ସ୍ତ୍ରୀ ନୁହେଁ; ସଖୀ ମଧ୍ୟ । ବାହ୍ୟିକ ସଂସାରରେ ମନଘେନି ଟଣାଣିର ପ୍ରତିଯୋଗିତା ମଧ୍ୟରେ ସେ କେବଳ ସ୍ତ୍ରୀ ହେବ ନାହିଁ । ତା’ ପୂର୍ବରୁ ତାକୁ ବାନ୍ଧବୀ ହେବାକୁ ପଡ଼ିବ; ତେଣୁ ମନମଧ୍ୟରେ ଯାହାକୁ ପାଉଚ, ତାକୁ ନିଜ ଘରକୁ ଆଣିବା ପୂର୍ବରୁ ଅନେକ ଦିନ ପର୍ଯ୍ୟନ୍ତ ଅପେକ୍ଷା କରି ରହିବାକୁ ପଡ଼ିଥାଏ ।”

 

କିନ୍ତୁ ସେକଥା ଘେନି ତୁମର ଦୁଃଖ କରିବାର କୌଣସି କାରଣ ଘଟିଚି କି ? ଅବଶ୍ୟ ତୁମେ ଯଦି କିଛି ସଙ୍କୋଚ ବୋଧ କରୁଥାଅ, ତେବେ ଆମେ ଅନ୍ୟ ଯେକୌଣସି ବିଷୟ ଘେନି କଥାବାର୍ତ୍ତା ହେବା । ମୋଟକଥା ଚାନ୍ଦ ଆଡ଼କୁ ଚାହିଁ ରୁହ ନାହିଁ ।

 

ଆପଣଙ୍କ କଥାଟି କୁହନ୍ତୁ, ଜୋ ! ମୁଁ ମୋ ନିଜକୁ ଏବେ ବି ଭଲ ଭାବେ ଚିହ୍ନି ପାରିନାହିଁ; ତେଣୁ ଆପଣମାନଙ୍କ କଥା ଶୁଣିବି କୁହନ୍ତୁ !

 

ନା ଦେବଳ, ତୁମରି କଥାଟି କୁହ । ତୁମ ମନରେ ଜୁଆର ଉଠିଚି । ତୁମେହିଁ ଯଦି ବନ୍ଧ କାଟି ନଦିଅ, ତେବେ ତୁମରି ଦୁଇ କୂଳ ଭାସିଯିବ !

 

ଦେବଳ କିଛି ସମୟ ତୁନି ହୋଇ ରହିଲା । ଅତି ସ୍ନେହରେ ଜୋ ତା’ କାନ୍ଧ ଉପରେ ହାତଦେଇ କହିଲା—ମୁଁ ସବୁ ବୁଝିଚି ଦେବଳ, ତୁମକୁ କିଛି କହିବାକୁ ପଡ଼ିବ ନାହିଁ; ଭେରି ସରି ଓଲଡ୍ ବୟ !

 

ଏତେବେଳକେ ଦେବଳ କହିଲା—ନା, ଆଜି ସବୁକଥା କହିବାକୁ ହେବ । ଅନ୍ତତଃ ଜଣେ ହେଲେ ମଧ୍ୟ ମୋ କଥାଟି ଜାଣି ରଖନ୍ତୁ । ‘ତା’ର ଠିକଣାଟିକି ଜଣାଇ ଦେବି ‘ଜୋ’ ! କେବେ ଦରକାର ପଡ଼ିଲେ ମୋର ଏ ହାତଘଡ଼ିଟିକି ସେଠାକୁ ପଠାଇ ଦେବେ । ଆଚ୍ଛା ସେ କଥା ପରେ । ଆଗେ ତୁମେ ତୁମର ପୂର୍ବ କଥାଟି କହିଯାଅ ।

 

ଦେବଳ ଆରମ୍ଭ କଲା—ତେତେବେଳେ ମୁଁ ଏମ୍.ଏ.ପଢୁଥାଏଁ । ଝଡ଼ ମଧ୍ୟରେ ଏକୁଟିଆ ହୋଇ ପଡ଼ିଥିବା କୁଆଟି ପରି ମୁଁ ଘୁରି ବୁଲୁ–ଥାଏଁ । କାରଣ ସେଇଟା ହେଲା ଆମମାନଙ୍କ ଫେସନ୍ । ତାଛଡ଼ା କେଉଁଥି ପାଇଁ ବା ଭଦ୍ର ହେବାକୁ ଯାଆନ୍ତି ! ଘରଦ୍ୱାର ବୋଲି ତ କିଛି ନାହିଁ ।

 

ଦିନେ ଦକ୍ଷିଣ କଲିକତାରୁ ଟ୍ରାମରେ ଉଠିଲି । ଲେଡିଜ୍ ସିଟରେ ଗୋଟିଏ ଝିଅ ବସିଥାଏ । ମୋଠାରୁ ଟିକେ ବଡ଼ ହେବ । ତାରି ଚାରିପଟେ ଏଣୁ ତେଣୁ ଲୋକର ଭିଡ଼ । ସେହିମାନଙ୍କ ମଧ୍ୟରେ ଏଇ ଭଦ୍ର ତରୁଣୀଟିର ସମ୍ମୁଖରେ ଟ୍ରାମର ଖୁଣ୍ଟଟି ଧରି ଛିଡ଼ା ହୋଇଥିଲି ବୋଲି ମୋତେ କିଛି ଲଜ୍ଜା ବା ସଙ୍କୋଚ ଲାଗୁ ନଥାଏ; କିଏବା ମୋତେ ଚିହ୍ନିଚି ?

 

ସେଇଥିପାଇଁ ତା’ ଆଡ଼କୁ ଚାହିଁରହିବା ସହଜ ବୋଧ ହେଉଥିଲା । ଦେଖିଲି, ତାର ନଜରଟା ବି ମୋରି ଉପରେ ପଡ଼ିଚି—ଏମିତି ଏମିତି—ଚନ୍ଦ୍ରର ଆଲୋକ ନିରୁଦ୍ଦେଶ୍ୟ ଭାବେ ଯେମିତି ସମସ୍ତଙ୍କ ଉପରେ ପଡ଼ିଥାଏ, କୌଣସି ବାଛ ବିଚାର ନାହିଁ । ତାର ଚାହିଁବା ମଧ୍ୟରେ ଲେଶମାତ୍ର ଔତ୍ସୁକ୍ୟ ବା ଲଜ୍ଜା କିମ୍ଵା ଘୃଣାର ଚିହ୍ନମାତ୍ର ନଥାଏ । କିନ୍ତୁ କେମିତି କାହିଁକି ସେ ମୋ ଆଡ଼କୁ ଚାହିଁ ରହିଲା, ତାହା କେବଳ ଭଗବାନ ଜାଣନ୍ତି ।

 

“ଖୁବ ଆଶ୍ଚର୍ଯ୍ୟ କଥା ତ ! ପ୍ରଥମ—ଦର୍ଶନ ମାତ୍ରେ ?”

 

ଜୋ’ର ଏହି ପ୍ରଶ୍ନମଧ୍ୟରେ ଆଶ୍ଚର୍ଯ୍ୟ ହେବାଠାରୁ ବଳି ପଡ଼ିଲା ଦରଦୀଭାବ ।

 

ନା, ନା, ପ୍ରେମ ନୁହେଁ । କେମିତି ଗୋଟାଏ ନିସ୍ଫୃତିରଭାବ ତା’ ଆଖିଭିତରେ ଥିଲା । ଯେପରିକି ଏତେଗୁଡ଼ିଏ ଲୋକ ମଧ୍ୟରେ ଏକା ମୋରି ଚାହାଣି ଭିତରେ ଜଡ଼ତା ନଥିଲା ବା ଆବିଳତା ନଥିଲା । ମୋରି ସେହି ଚାହାଣି ମଧ୍ୟରେ ଥିଲା—ସାଗର ସେପାରିର ପରିଷ୍କୃତ ବାଲୁକାରାଶି । ଅନ୍ୟମାନେ ଯେପରିକି ତରୁଣୀର ଆଖି ତାରା ମଧ୍ୟରେ ସୁପ୍ତସାଗରର ନୀଳ ଜଳରାଶିକୁ ଖୋଜିବାରେ ଲାଗିଛନ୍ତି । ମୋ ହାତର ନଖକୋଣରେ କାଳି ଲାଗିଥାଏ । ପିନ୍ଧିଥିବା ସାର୍ଟର କଲରରେ ମଇଳା । ଛାତି ଉପରେ ଭଙ୍ଗା ବୋତାମର ଖଣ୍ଡ; କିନ୍ତୁ ସମ୍ପୂର୍ଣ୍ଣ ଅଜଣା, ମୋରି ପରିଚୟ ଭିତରେ ଏସବୁ ଅତିତୁଚ୍ଛ ରୂପେ ଦେଖାଦେଲା । ଗଛ ପାଚିଲା ଫଳଟିରେ ସାମାନ୍ୟ ଟିକେ ଧୂଳି ଲାଗିଥାଏ । ତାଠୁ ବେଶିକିଛି ତ ନୁହେଁ ! ଦରଦୀ ହାତର ନରମ ଅଙ୍ଗୁଳି ଦ୍ୱାରା ଟିକିଏ ଝାଡ଼ି ଝୁଡ଼ି ଦେଲେହିଁ ଚଳିବ ।

 

ତାରି ଦୃଷ୍ଟି ମଧ୍ୟରେ ଥିବା ପ୍ରଶ୍ନର ଆଲୋକ, ସତେ କି ମୋତେ ଧୋଇଧାଇ ପରିଷ୍କାର କରିଦେଲା । ଯେତେବେଳେ ସେ ଓହ୍ଲାଇଗଲା, ତେତେବେଳେ ମନେହେଲା, ସତେକି ସେ ମୋତେ ଛାଡ଼ି ଚାଲିଗଲା । ଯେମିତିକି ସେ ଏଇ ଇତର ସଂସାରଟାର କୁତ୍ସିତ ଭିଡ଼ଟିକୁ ତ୍ୟାଗକରି ଚାଲିଗଲା । ମୋତେ ସଦ୍ୟ ଧୋଇଧାଇ ପରିଷ୍କାର କରିଦେଇ ଚାଲି ଗଲା ।

 

ଗୋଟାଏ ଅଜ୍ଞାତ ଆକର୍ଷଣରେ ଆକୃଷ୍ଟ ହୋଇ ପର ଦିନ ଖୋଜି ଖୋଜି ସେଇ ଟ୍ରାମରେ ଉଠିଲି । ତରୁଣୀଟି ମଧ୍ୟ ସେଇଥିରେ ଚାଲିଥାଏ । ପଦୁଟିଏ କଥା ନକହି ଠିକ୍ ତାରି ସମ୍ମୁଖରେ ଦଣ୍ଡାଧରି ଛିଡ଼ା ହୋଇ ରହିଲା । ଏଥର ମନେ ପଡ଼ିଲା—ଦାଢ଼ିଟି ଖିଅର ହୋଇନାହିଁ । କୁଞ୍ଚ କୁଞ୍ଚ ହୋଇ ଯାଇଥିବା ସାର୍ଟ କଲରଟିକୁ ତରତର ହୋଇ ବେକ ଉପରକୁ ଓଲଟାଇ ଟେକି ଦେଲି—ଯେତେଦୂର ସମ୍ଭବ ଘୋଡ଼ାଇ ଦିଆ ଯାଇପାରେ । ଥରେ ଟିକିଏ ବସିବା ପାଇଁ ସ୍ଥାନ ମିଳିଗଲା; ମାତ୍ର ବସିବାକୁ ସାହାସ ହେଲାନାହିଁ । ହୁଏତ ମୋଡ଼ିଯାଇଥିବା ଚପଲ ହଳଟି ତା’ ନଜରରେ ପଡ଼ିପାରେ ! ପୂର୍ବଦିନ ପରି ସେ ଚାହିଁ ରହିଲା; । ସେ ଚାହାଣିଟି ମଧ୍ୟରେ ଭାଷା ଥିଲା; ମାତ୍ର ଧ୍ଵନି ନଥିଲା । ଆଶ୍ୱାସନା ଥିଲା; ମାତ୍ର ଆଶା ନଥିଲା । ଯେତେବେଳେ ସେ ଓହ୍ଲାଇ ଗଲା ତେତେବେଳେ ଦେଖିଲି ତା ବସିବା ସିଟର ମଝି ସ୍ଥାନଟି ଚାପ ପାଇ ନଇଁ ଯାଇଚି । ସେଇ ସ୍ଥାନଟି ଉପରେ ଶୂନ୍ୟ ଦୃଷ୍ଟି ସ୍ଥାପନ କରି ଚାହିଁ ରହିଲି ।

 

ଏତେବେଳେକେ ଜୋ କଥା କହିଲା—ତୁମେ ବୋଧେ ରାତାରାତି କଲେଜପଢ଼ୁଆ ପିଲାରୁ ପୃଥିବୀର ବଡ଼ ମଣିଷଟିଏ ହୋଇଗଲ ?

 

—ନା, ଠିକ୍ ତା’ ନୁହେଁ । ଗଛରେ ଫଳିଥିବା ପିଜୁଳି ଦେହରେ ଧୀରେ ଧୀରେ କିପରି ରଙ୍ଗ ଧରେ, ତା’ କେବେ ଲକ୍ଷ୍ୟ କରିଛନ୍ତି କି ? ସେ ଯେ କି ରହସ୍ୟ, ତା’ କିପରି ବୁଝାଇବି ? ମାଟିର ଗହ୍ଵର ଭିତରକୁ ଆମେ ସୁନାର ଖଣି ଖୋଳୁଛୁଁ । କୋଦାଳ ଧରି ହାଣୁ ହାଣୁ ହଠାତ୍ ଦେଖାଗଲା ଗୋଟିଏ ସ୍ଥାନ ଚିକ୍ ଚିକ୍ ଦିଶୁଚି—ସୁନାର ଗୁଣ୍ଡ ନୁହେଁ, ଏକଦମ, ଖାଣ୍ଟି ସୁନାର ଗୋଟିଏ ମୂର୍ତ୍ତି । ସେହି ସୁନାର ରଙ୍ଗ ମୋର କଞ୍ଚା ପିଜୁଳିଟିର ସବୁଜ ରଙ୍ଗକୁ ସୁନା ରଙ୍ଗରେ ରଞ୍ଜିତ କରିଦେବାକୁ ଲାଗିଲା । ତାଆରି ଚାହାଣି ମଧ୍ୟରେ ଥିବା ଭତ୍ତାପରେ କଲେଜ ଛାତ୍ର ଧୀରେ ଧୀରେ ଯୌବନ–ରସରେ ପାଚି ଉଠିଲା । ମୁଁ ନିଜ ଆଡ଼କୁ ନଜର ଦେଲି ଏବଂ ସମସ୍ତଙ୍କ ନଜରରେ ମଧ୍ୟ ପଡ଼ିଲି । ସତେକି ସେ କାଉଁରିକାଠି ଖଣ୍ଡିଏ ଧରି ମୋ ଦେହସାରା ବୁଲାଇ ଆଣିଲା; ସାରା ମନରେ ମଧ୍ୟ ।

 

ଟ୍ରାମଗାଡ଼ିଟି ସତେ କଣ ମୋର ବୈଠକ ଖାନାରେ ପରିଣତ ହୋଇଗଲା । ତେଣିକି ଆଉ ସେଥିରେ ଉଠି ବସିବାକୁ ଲାଜ ସଙ୍କୋଚ ବୋଧ ହେଲାନାହିଁ । ଚପଲ ପରିବର୍ତ୍ତେ ଶାନ୍ତି ନିକେତନର ସାଣ୍ଡାଲ । ଲୋଚା କୋଚା ସାର୍ଟ ବଦଳରେ ଇସ୍ତ୍ରି ହୋଇଥିବା ପଞ୍ଜାବୀ । ମୁଣ୍ଡର ବାଳଗୁଡ଼ିକ ଅଡ଼ୁଆ ତଡ଼ୁଆ ଅବସ୍ଥାରେ ଏଣିକି ତେଣିକି ଝୁଲି ପଡ଼ିବା ପରିବର୍ତ୍ତେ ଠିକ୍ ଭାବେ ପଛପଟକୁ ସଜ୍ଜିତ ହୋଇ ରହିଲା । ଅନେକ ସମୟରେ ମନେ ହେଉଥିଲା—ସତେକି ତାହା ସହିତ କଥାବାର୍ତ୍ତା କରିବା ପାଇଁ ନିଜକୁ ପ୍ରସ୍ତୁତ କରି ନେଉଚି; କିନ୍ତୁ ପାରିନାହିଁ । ବାରମ୍ଵାର ଗଳା ଖଙ୍କାର ମାରିଚି; ଓଠ ଥରି ଉଠିଚି, ତଥାପି ପାରିନାହିଁ ।

 

—କାହାଣୀଠାରୁ ଅଧିକ ଆଶ୍ଚର୍ଯ୍ୟ ଲାଗୁଚି; କିନ୍ତୁ ଏଇ ଟ୍ରାମରେ ଯା’ଆସ କରିବାର ଶେଷ ପରିଣତି କଅଣ ହେଲା, ସେଇ କଥାଟି ଜାଣିବା ପାଇଁ ମନ ଉଦ୍‍ବିଗ୍ନ ହୋଇ ଉଠୁଚି—ମୃଦୁ ସ୍ଵରରେ ଜୋ କହିଲେ ।

 

ଧୀରେ ଧୀରେ ପରିଚିତ ହେବାର ବାସନା ଘନୀଭୂତ ହୋଇ ଦାନା ବାନ୍ଧିବାକୁ ଲାଗିଲା; ତଥାପି ମନରେ ସାହାସ ନାହିଁ କି ଭରସା ନାହିଁ । କି ପରିଚୟଟି ଦେବି? କଲେଜର ‘‘ଫିପ୍‍ଥ୍‍ ଇୟର” ବୋଲି ? ଛି, ସେଇଟା କଅଣ ପରିଚୟ ? ଘରେ ବାପାଙ୍କ ହୋଟେଲରେ ପଖାଳ ବାଢ଼ିଲାବେଳକୁ ଲୁଣ ଶେଷ ହୋଇ ଯାଇଥାଏ । ସେଇଟା କଅଣ ଗୋଟିଏ ପରିଚୟ ? ସଦ୍ୟ ଜାଗି ଉଠିଥିବା ମନୁଷ୍ୟ ନିଜର ସ୍ଥିତି ଓ ନିଜର ଅସ୍ଥିତ୍ଵ ପାଇଁ ପାଗଳ ହୋଇଉଠିଚି; କିନ୍ତୁ ଜୋ, ଆପଣ ବଙ୍ଗଦେଶର ଶିକ୍ଷିତ ଲୋକଙ୍କର ଚାକିରି ବଜାରର ଖବର ଜାଣି ନାହାନ୍ତି । ଛୋଟ ଛୋଟ ଚିଙ୍ଗୁଡ଼ି ମାଛ ଭାଗଟିର ମୂଲ୍ୟ ମଧ୍ୟ ତା’ ଠାରୁ ଅଧିକ ।

 

ଜୋ କହିଉଠିଲା—ଆହା ! ଶିକ୍ଷିତ ଲୋକଙ୍କ ଅବସ୍ଥା ଦେଖି ମନେହୁଏ, କଲେଜଗୁଡ଼ିକ ଉଠାଇ ଦେଲେ ବୋଧହୁଏ ଭଲ ହୁଅନ୍ତା । କେବଳ ହାତୁଡ଼ି ପିଟାରେ ପୃଥିବୀ ଭରି ରହିଥାଉ । ଅବଶ୍ୟ ଆମ ଦେଶରେ ମନୁଷ୍ୟତ୍ଵର ଅବମାନନା ବର୍ତ୍ତମାନସୁଦ୍ଧା ଏତେଦୂର ଅଗ୍ରସର ହୋଇନାହିଁ-। ଯାହାହେଉ, ତୁମ କଥାଟି କୁହ । ତୁମେ ଶେଷ ପର୍ଯ୍ୟନ୍ତ କଅଣ କଲ ?

 

—ଦୁଆରେ ଦୁଆରେ “ନୋ ଭେକେନ୍‍ସ” ର ନୋଟିସ ଝୁଲା ହୋଇଚି । ବାପାଙ୍କ ପଇସାରେ ଆଉ କେତେଦିନ ସେଣ୍ଡାଲ ଏବଂ ପଞ୍ଜାବୀ କିଣା ଯାଇପାରେ ? ମ୍ରିୟମାଣ ହୋଇ ଦିନେ ମୁଁ ସେ ଝିଅଟିର ପଛେ ପଛେ ଟ୍ରାମରୁ ଓହ୍ଲାଇ ପଡ଼ିଲି । ସାହେବ–ପଡ଼ା ମଧ୍ୟରେ ନୂଆ ହୋଇ ଖୋଲା ଯାଇଥିବା ଗୋଟିଏ କ୍ଳବ୍‍ଘରର ଦୁଆରମୁହଁ ପର୍ଯ୍ୟନ୍ତ ତାହାରି ପଛେ ପଛେ ଗଲି । ଆମର ଏଇ ଶ୍ୟାମଳ ଦେଶର ଶ୍ୟାମା ଝିଅଟିର ଆଦର ଦେଖିବାକୁ ପାଇଲି । ଦେଖିଲି ମହିଳା ‘ରିସେପ୍ସନିଷ୍ଟ’ଟିର ବ୍ୟକ୍ତିତ୍ଵ ସମସ୍ତଙ୍କୁ ଚକିତ କରି ଦେଉଛି । ତାହାରି ପାଖରେ ଝକ୍ ଝକ୍ ତାରା ଓ ମୁକୁଟ ମାର୍କା ମିଲିଟାରୀ ଅଫିସରମାନେ ବିନୟ ଓ ଭଦ୍ରତାରେ ବିଗଳିତ ହୋଇ ଛିଡ଼ା ହେଉଛନ୍ତି । ସମ୍ମୁଖର ଦ୍ୱାର ଖୋଲିଗଲା । ମୁଁ ମଧ୍ୟ ସେହିପରି ଭାବରେ ତାହା ସମ୍ମୁଖକୁ ଯାଇ ଛିଡ଼ା ହେବି ।

 

ଜୋ ପ୍ରଶ୍ନ କଲା—‘ନଟ୍ ଏ ରାଇସ୍—ସୋଲଜର୍’, ହେଃ ତୁମେ ତା’ହେଲେ ପେଟ ଚିନ୍ତାରେ ମିଲିଟାରିକୁ ଆସିନାହଁ !

 

ନା, ମୋଟେ ନୁହେଁ । ଡାଲହାଉସି ସ୍କୋୟାରରେ ସ୍ଥାନ ନ ମିଳିବାରୁ ଯେ ଫେଟ୍ଉଇଲିୟମକୁ ଗଲି, ସେ କଥା ନୁହେଁ l ଜାଣିଲି ଯେ ଦଳବଦ୍ଧ ହୋଇ ଭାରତୀୟ ବ୍ରିଟିଶ ସୈନ୍ୟଦଳରେ ନାମ ଲେଖାଉଛନ୍ତି l କଂଗ୍ରେସ ଲୋକେ କହୁଛନ୍ତି, ଏହାର କାରଣ ହେଲା ଅଭାବ ଅନଟନ । ସେ କଥା ମଧ୍ୟ ଭୁଲ ନୁହେଁ l ମୁଁ ଦେଖିଲି ଯେ କଲମପେଶା କାରବାର ମୋତେ ପୋଷେଇବ ନାହିଁ । ମୋ ଭିତରେ ଜାଗିଉଠୁଥିବା ନୂତନ ବ୍ୟକ୍ତିତ୍ୱ, କଲମ—ଚାଷଦ୍ୱାରା ବିକଶିତ ହୋଇ ପାରିବନାହିଁ । ମନଘୋଡ଼ାଟି ମୋର ବିଶ୍ୱବିଜୟ ପଥରେ ଧାଇଁବାକୁ ଚାହେଁ । କେମିତି ବା ମୁଁ ତାକୁ ଘରକୋଣରେ ତେଲଘଣାରେ ବାନ୍ଧି ରଖିବି ?

 

ତେଣୁ ଦିନେ ମୁଁ ଛାତି ଫୁଲାଇ, ମୁଣ୍ଡ ଉଚ୍ଚାକରି ‘ରିକୃଟମେଣ୍ଟ’ ଅଫିସକୁ ଗଲି । ସେଠାରେ ବଛାବଛି ପରୀକ୍ଷାରେ ପାସ୍ କରି ଇଣ୍ଟରଭିଉ ପାଇଁ ସିମଲା ଗଲି । ତା’ପରେ ଭାତଖିଆ ତେଲପାଣିର ମଣିଷ ଏଇ ଦେବଳ ସିଂହର ନୂତନ ଜନ୍ମ ହେଲା । ‘ଜଙ୍ଘୀ ଅଫିସର’ ଟ୍ରେନିଂ ନେବା ମଧ୍ୟରେ ଛୁଟି ନେଇ କଲିକତା ଆସିଲି । ସନ୍ଧ୍ୟା ହେଲାମାତ୍ରେ ସେଇ କ୍ଲବକୁ ଧାଇଁଗଲି । ଟ୍ରାମରେ ନୁହେଁ, ଟ୍ୟାକ୍ସି ଭଡ଼ାକରି । ଟ୍ୟାକ୍ସି ଡ୍ରାଇଭର ବିଚରାକୁ କେତେ ବକସିସ୍ ଦେଲି ସେ କଥା ମନେନାହିଁ । କିନ୍ତୁ ଏମିତି ଭାବରେ ସେ ମୋତେ ଚାହିଁରହିଲା ଯେ, ତାହା ‘ରିସେପ୍ସନିଷ୍ଟ’ର ଦୃଷ୍ଟି ଏଡ଼ାଇ ପାରିଲା ନାହିଁ । ଟ୍ୟାକ୍ସି ଚାଲିଯିବା ପରେ ତାହାରି ସମନାସାମନି ଛିଡ଼ାହେଲି—ଏକଦମ୍ ମୁହାଁମୁଁହି ।

 

ଠିକ୍ ସେମିତି ପ୍ରଶାନ୍ତ ଭାବରେ ସେ ମୋ ଆଡ଼କୁ ଚାହିଁରହିଲା । ପରିଷ୍କାର ନିରାଶ ଚାହାଣୀ; କିନ୍ତୁ ସେଦିନର ସେ ଚାହାଣିଟି ମୋ ବୁକୁ ମଧ୍ୟରେ ହାତୁଡ଼ି ପିଟିବାକୁ ଲାଗିଲା । କାନ ଭିତରେ ଶୁଭୁଥାଏ, ସତେକି ଉଇଞ୍ଚେଷ୍ଟାର, ରିପିଟର ରାଇଫେଲରେ ଅନବରତ ଗୁଳି ଚାଲୁଥିବାର ଶବ୍ଦ ! ସତେ ଯେପରି କି ‘କୋର୍ଟ ମାର୍ସାଲ’ ଅର୍ଡର ଦ୍ୱାରା ମୋର ହୃଦୟଟାକୁ ନେଇ କାନ୍ଥ ସାମ୍ନାରେ ଛିଡ଼ା କରାଇ ଦିଆଯାଇଚି ଏବଂ ତାଆରି ଆଖି ଦୁଇଟି ଦୁଇନଳିଆ ବନ୍ଧୁକର ମୁହଁ ପରି ମୋ ଆଡ଼କୁ ସଳଖି ଦିଆଯାଇଚି । ସାରା ଦେହଟା ମୋର ଝାଳରେ ବୁଡ଼ିଗଲା । ମୁଣ୍ଡରୁ ଟୋପିଟା ଉତାରି ଦେବାକୁ ଭୁଲିଗଲି ।

 

ସେ ମୋର ସ୍ଵପ୍ନ ଭାଙ୍ଗିଦେଲା । କେତେ ଅତିଥି ଆସୁଛନ୍ତି । ଜଣକ ପରେ ଆଉଜଣକୁ ଅଭ୍ୟର୍ଥନା ଜଣାଇବାକୁ ପଡ଼ୁଚି । କିଏ କେଉଁ ଘରକୁ ଯିବାକୁ ଚାହେଁ, କାହାକୁ କିଏ ଖୋଜୁଚି ସେ କଥା ମଧ୍ୟ ବୁଝିବାକୁ ପଡ଼ୁଚି । କ୍ଲବ ମଧ୍ୟରେ ପଶିଲାବେଳକୁ ଯେଉଁ ତରୁଣୀଟି ସ୍ୱାଗତ ଜଣାଉଚି, ତାର କାମ ଖୁବ୍ ବେଶି l ତହିଁ ମଧ୍ୟରେ ପୁଣି ଭଦ୍ରତା ଜଗିବାକୁ ପଡ଼ିବ । ପଦେ ଦିପଦ ମିଠା କଥା କହି ସନ୍ତୋଷ କରିବା ନିମନ୍ତେ ଟିକିଏ ହସିବାକୁ ପଡ଼ିବ । ତାର ସାଗରବେଳା ଉପରେ ଦେବଳ ତ ଗୋଟିଏ ମାତ୍ର ଶାମୁକା ନୁହେଁ !

 

ଶାମୁକା ନୁହେଁ, କିନ୍ତୁ ଶଙ୍ଖ । ପହିଲିଥର ପାଇଁ କ୍ଲବକୁ ମୁଁ ଆସିଚି; କାହାରିକି ଚିହିଁ ନାହିଁ-। କ୍ଲବର ସଭ୍ୟ ମଧ୍ୟ ନୁହେଁ; ତଥାପି ମ୍ରିୟମାଣ ହୋଇ ଚାଲିଆସିଚି । ସାମୟିକ ସଦସ୍ୟଭାବେ ଦରଖାସ୍ତଟିରେ ଦସ୍ତଖତ୍, କରିଦେଇଚି । ମେନେଜର ‘ବାର’କୁ ନେଇ ଅନେକଙ୍କ ସହିତ ପରିଚୟ କରାଇଦେଲେ । ନୂତନ ସଭ୍ୟ ହିସାବରେ ହୋ ହୋ ହୋଇ ଅଭିନନ୍ଦନ ଜଣାଇଲେ । ସମସ୍ତେ ତାଙ୍କରି ଖରଚରେ ଓ ତାଙ୍କରି ଅନୁଗ୍ରହରେ ଏକ ପେଗ୍ ଲେଖାଏଁ ହୁଇସ୍କି ଖାଇଲେ; କିନ୍ତୁ ମୁଁ କେବଳ ନିରାମିଷ ‘ଲେମନ ବାଲ’ ଟିକେ ଗ୍ରହଣ କଲି ।

 

‘ଛି, ଲେଫ୍‍ଟନେଣ୍ଟ ସିହ୍ନା, ଏଇ ସବୁଜ ପାଣିମୁନ୍ଦାକ ପିଇ ତୁମେ ତୁମର ଇଉନିଫର୍ମକୁ ଅସମ୍ମାନ କଲ ? “ବାର୍ର କାଉଣ୍ଟର ଉପରେ ହାତଚାପୁଡ଼ା ମାରି ସମସ୍ତେ ଆପତ୍ତି କରି ଉଠିଲେ । ରିସେପ୍ସନିଷ୍ଟଟି ଯେଉଁଠି ଥାଏ, ସେଠାରୁ ‘ବାର୍’ଟା ଦେଖାଯାଉଥିଲା ।

 

ବିଜୟର ହାସ୍ୟରେଖା ମୁଖରେ ଫୁଟାଇ ମୁଁ ଚଟ୍‍ପଟ୍ ଜବାବ ଦେଲି—ସମସ୍ତେ କହନ୍ତି, ହୁଇସ୍କି ହେଉଚି ସବୁଠାରୁ ଶ୍ରେଷ୍ଠ ପାନୀୟ । କିନ୍ତୁ କି ପୁଣ୍ୟ ମୁଁ କରିଚି ଯେ ସେ ଶ୍ରେଷ୍ଠ ପାନୀୟର ଯୋଗ୍ୟ ହେବି ?

 

ମୁଣ୍ଡ ଉପରକୁ ଶୂନ୍ୟ ଗ୍ଳାସଟିକି ଟେକିଧରି ଜଣେ କହିଲା—ଆମର ଏଇ ନୂତନ ସଭ୍ୟ ଏଇ ଦୃଷ୍ଟ ସଭ୍ୟମାନଙ୍କୁ ଲଜ୍ଜା ଦେଉଚନ୍ତି । ସାମାନ୍ୟ ଟିକେ ନିଶା ନ ଖାଇଲେ ସେ ଆମ୍ଭମାନଙ୍କର ଏ ରଙ୍ଗିନ ଚଷମା ମଧ୍ୟଦେଇ ଦେଖିବେ କିପରି ?

 

ମୁଣ୍ଡଟିକୁ ସମ୍ମୁଖକୁ ନୁଆଇଁ ‘ବାଓ’ କରି ହସିଲା । ଡାହାଣ ହାତଟିକୁ ଅର୍ଦ୍ଧଚନ୍ଦ୍ର ତୁଲ୍ୟ ଢେଉ ଖେଳାଇ ଉତ୍ତର ଦେଲି—ଏଠାରେ ମୋର ଦୁଇଟିଯାକ ଆଖି ରଙ୍ଗିନ ହୋଇଗଲାଣି । ବାହାରର କୌଣସି ଜିନିଷର ସାହାଯ୍ୟ ନେବା ଆବଶ୍ୟକ ନାହିଁ ।

 

କୁଟିକମ କଳା ସାର୍ଟିନ୍‍ର ରଙ୍ଗଢ଼ଙ୍ଗିଆ କାଞ୍ଚୁଲା ଉପରକୁ ଏନାମେଲ ରଙ୍ଗଦିଆ ଚକ୍‍ଚକିଆ ମୁହଁଟିଏ ଅଭିଯୋଗ କରି ଉଠିଲା—ହେଲା ଏବେ, ଆମର ଏଇ ବୀରଟିର ଆଖିଯୋଡ଼ିକ ରଙ୍ଗିନ ହୋଇଯାଇଚି; କିନ୍ତୁ ମନଟିକୁ ପୁଣି ତ ରଙ୍ଗେଇବାକୁ ପଡ଼ିବ !

 

ମୁଁ ଏଥର ଆଉ ଟିକିଏ ଝୁଙ୍କିପଡ଼ିଲି । ମଧ୍ୟଯୁଗୀୟ ‘ନାଇଟ’ ଏ ଯୁଗର ବେଟଲଡ୍ରେସ ପିନ୍ଧିଥିବାରୁ ଆଣ୍ଠୁମାଡ଼ି ବସିପଡ଼ି କହିଉଠିଲି—ପ୍ରିୟ ମହିଳା, ସବୁଠାରୁ ବଡ଼ ନିଶା ହେଲା—ପ୍ରେମନିଶା ଏବଂ ସେଇଥିରେହିଁ ମନଟି ମୋର ରଞ୍ଜିତ ହୋଇ ରହିଚି ।

 

Unknown

ବୋଧହୁଏ ସ୍ୱାମୀ ତାର ବଡ଼ିଜ୍ ପିନ୍ଧା ଏ ସ୍ତ୍ରୀଲୋକଟି ପାଖରେ ଛିଡ଼ାହୋଇ ଟଳୁଥିଲା । ତାକୁ ଏଥର ସ୍ତ୍ରୀଲୋକଟି ଧରିପକାଇ କହିଲା—ହେଇ ଦେଖ, ମିଲିଟାରି, ଅଫିସର ହୋଇ ମଦ ନ ଖାଇ ମଧ୍ୟ କେମିତି ଭାବରେ ନିଶଖୋରର ଅଭିନୟ କରୁଛନ୍ତି । ଆଉ ତୁମେ ? ହ୍ୟା !

 

ଜଡ଼ିତ କଣ୍ଠରେ ସଙ୍ଗୀ ତାର ଜବାବ ଦେଲ—ହ୍ଵାଟ୍ ହ୍ୟା ? ସେ ତ ପ୍ରେମରେ ପଡ଼ିଚି । ତେଣୁ ନିଶା ଲାଗିବାର ଅଭିନୟ କରୁଚି; କିନ୍ତୁ କି ଦୁଃଖ ଘେନି ମୁଁ ସେ ଅଭିନୟ କରିବି ? ମୁଁ କରିବି ନିର୍ଜଳା ନିଶାର ।

 

ଏତିକି କହି ସଙ୍ଗିଟି କାଉଣ୍ଟର ଉପରେ ଗିଲାସଟିକୁ ଠକ୍ କରି ଥୋଇଲା; ଅର୍ଥାତ୍ ଆହୁରି ଦରକାର ।

 

ଆଖି ଦିଟାକୁ ପୋଛୁ ପୋଛୁ ମହିଳାଟି ହଠାତ୍ ଘରଛାଡ଼ି ଚାଲିଗଲା ।

 

ସେଦିନ ମୁଁ ଅନେକ ବିଳମ୍ବରେ କ୍ଳବ ଛାଡ଼ି ବାହାରିଲି । ଭାବୁଥାଏଁ—ଅଭ୍ୟର୍ଥନାକରିଣୀର କେତେବେଳେ ଛୁଟି ହେବ ଦେଖି ଠିକ୍ ସେଇ ସମୟରେ ବାହାରି ପଡ଼ିଲି । ନିର୍ଜନ ଜ୍ୟୋତ୍ସ୍ନାଧୌତ ପଥ ମଧ୍ୟରେ ଆମେ ଦୁଇଜଣ ଯାତ୍ରୀ । ଗୋଟିଏ ସ୍ୱପ୍ନକୁ କେବେହେଲେ ଏପରିଭାବରେ ପାଦରେ ଚାଲିବାର ଦେଖି ନ ଥିଲି । ସେଦିନ ପ୍ରଥମହୋଇ ସେ କଥାଟି ଦେଖଲି । କେବଳ ବାଟ ଉପରେ ନୁହେଁ, ମୋ ମନ ଉପରେ ମଧ୍ୟ ଫୁଲର ପାଖୁଡ଼ାଗୁଡ଼ିକ ବିଛାଇ ବିଛାଇ ସେ ଚାଲି ଚାଲି ଚାଲିଚି । ଏମିତି କିଛି କଥାବାର୍ତ୍ତା ହୋଇନାହୁଁ । ମନଟି ମୋର ପରିପୂର୍ଣ୍ଣ ହୋଇ ରହିଥିଲା । ବୋଧହୁଏ ତା’ ମନ ଭିତରେ ଭୀରୁତା ଦେଖା ଦେଇଥିଲା । ମୋର ଏ ପରିବର୍ତ୍ତନ କାହିଁକି ହେଲା, କେମିତି ହେଲା, ସେ କଥା ବୁଝିବାକୁ ତାର ବାକି ନଥିଲା । ବୁଝିବା କଥା କଅଣ ବାକ୍ୟ ଦ୍ଵାରା ହୋଇଥାଏ ? ପୂର୍ବପରି ଲାଇନ୍ ଟ୍ରାମରେ ଆମେ ଉଭୟେ ଉଠି ବସିଲୁଁ । ସେଇଦିନ ରାତିରେ ତା’ ଘର ସାମନାରେ ଯେତେବେଳେ ମୁଁ ବିଦାୟ ନେଲି ତେତେବେଳେ ସେ ଏତିକି ମାତ୍ର କହିଲା—ବୀର ମୋର !

 

କିଛି ସମୟ ନୀରବ ରହି ଅସ୍ପଷ୍ଟ ସ୍ଵରରେ ଦେବଳ କହିଲା—ଶେଷକୁ ଏତିକି ଟିକିଏ କଥା କହି ସେ ମୋଠାରୁ ଶେଷବିଦାୟ ନେଲା ।

 

କିନ୍ତୁ ଦେବଳକୁ ନିଜ ସ୍ମୃତିରେ ଓଜନିଆ ବୋଝ ତଳେ ପଡ଼ି ଭାଙ୍ଗିଯିବାକୁ ଛାଡ଼ିଦେବା ଉଚିତ ନୁହେଁ । ତେଣୁ ଜୋ ହଠାତ୍ କୁଦିପଡ଼ି କହିଲା—ଶୀଘ୍ର ନାଚଘରକୁ ଲେଉଟି ଚାଲ; ତା’ ନ ହେଲେ ଲୋକେ କହିବେ, ତୁମେ ଗୋଟାଏ ନିହାତି ନୀତିବାଗୀଶ ଲୋକ । ଛି, ସେ କଥାଟା ବଡ଼ ଲଜ୍ଜାର କଥା । ନିଅ, ତୁମ ମୁଖାଟାକୁ ପିନ୍ଧି ପକାଅ ।

 

ତା’ ପରେ ସେ ଦୁହେଁ ନାଚ ମଜଲିସ ଭିତରକୁ ଫେରି ଆସିଲେ । ତେତେବେଳେ ଟିକେ ବିରତ ଚାଲିଥାଏ । ନାଚ ବନ୍ଦ ଥାଏ; ମାତ୍ର ଖେଳ ଚାଲିଥାଏ । ଗୋଟାଏ ମଜାର ଖେଳ—ସଙ୍ଗୀ ସଙ୍ଗିନୀ ଘେନି । ନିଶା ଯେପରି କଟି ନଯାଏ ।

 

ବୃତ୍ତାକାରରେ ଚୌକିଗୁଡ଼ିକ ସଜା ହୋଇଚି । ଯେଉଁମାନେ ହଇରାଣ ହୋଇନାହାନ୍ତି ବା ନାଚିବାକୁ ଯାଇନାହାନ୍ତି, ସେମାନଙ୍କ ପାଇଁ ସ୍ଵତନ୍ତ୍ର ବନ୍ଦୋବସ୍ତ ହୋଇଚି । ଏ ଦଳ ମଧ୍ୟରେ ଯେତେଜଣ ଅଛନ୍ତି ଚଉକିର ସଂଖ୍ୟା ତା’ଠାରୁ ଗୋଟିଏ କମ୍ । ପିଆନୋ ଟୁଙ୍ଗଟାଙ୍ଗ ହୋଇ ବାଜୁଛି ଏବଂ ସମସ୍ତେ ଧାଡ଼ିବାନ୍ଧି ବାଦ୍ୟର ତାଳେତାଳେ ପାଦପକାଇ ନୃତ୍ୟଭଙ୍ଗିରେ ବୃତ୍ତାକାରରେ ସଜାଯାଇଥିବା ଚୌକିଗୁଡ଼ିକର ଚାରିପଟେ ଘୂରି ଯାଉଚନ୍ତି । ବିନା ନୋଟିସରେ ପିଆନୋ ବାଦ୍ୟ ହଠାତ୍ ବନ୍ଦ ହୋଇଯିବା ସଙ୍ଗେ ସଙ୍ଗେ ନିକଟରେ ଥିବା ଚୌକି ଉପରେ ଯିଏ ଯାହାର ବସିପଡ଼ିବେ-। କିନ୍ତୁ ପୁରୁଷମାନେ ନିଜେ ନିଜେ ବାଛିଥିବା ସଙ୍ଗିନୀମାନଙ୍କ ପାଇଁ ପ୍ରଥମେ ଚୌକି ବନ୍ଦୋବସ୍ତ କରିସାରିଲାପରେ ନିଜେ ନିଜେ ବସିବେ । ଗୋଟିଏ ଚୌକି କମ ଥିବାରୁ ଜଣେ ନିଶ୍ଚୟ ବାଦ ପଡ଼ିଯିବ । ତା’ ସଙ୍ଗେ ସଙ୍ଗେ ଧାଡ଼ିମଧ୍ୟରୁ ଖଣ୍ଡିଏ ଚଉକି ମଧ୍ୟ କାଢ଼ି ନିଆଯିବ । ତେଣୁ ପୁଣିଥରେ ବାଦ୍ୟ ଆରମ୍ଭ ହେବ ଏବଂ ନାଚ ଆରମ୍ଭ ହେବ । ଏଇ ନାଚଭିତରେ ହଠାତ୍ ଯେତେବେଳେ ବାଦ୍ୟ ବନ୍ଦ ହୋଇଯିବ, ସେତେବେଳେ ହଠାତ୍ ଚଉକି ଖଣ୍ଡିଏ କମ ପଡ଼ିଯିବ । କାର୍ଯ୍ୟତଃ ଆଉଜଣେ ଖାଲି ପଡ଼ିଯିବ ।

 

ଏଇଭଳି ଭାବରେ କଟି ଯାଉଯାଉ ଶେଷଆଡ଼କୁ ସଙ୍ଗିନୀ ସହ ଯେଉଁ ଯୁଗଳଟି ଛିଡ଼ାହୋଇ ରହିବେ, ତାଙ୍କରି ନାମରେ ଟୋଷ୍ଟ କରାହେବ; ଅର୍ଥାତ ତାଙ୍କରି ଉଦ୍ଦେଶ୍ୟରେ ସମସ୍ତେ ଛିଡ଼ା ହୋଇ ପଡ଼ି ଆଉ ଟିକିଏ ପାନୀୟ ମାଗିନେବେ ।

 

ନିତାନ୍ତ ନିରୀହ ଖେଳ । ସବୁଠାରୁ ଅଧିକ ଶାସ୍ତ୍ରମାନି ଚଳୁଥିବା କୁନ୍ଥକୁନ୍ଥିଆ ପଣ୍ଡିତର ମଧ୍ୟ ଏଥିରେ ଆପତ୍ତି କରିବାର କିଛି କାରଣ ନାହିଁ । ‘ଜୋ’ ଦେବଳକୁ ଠେଲି ପେଲି ଏଇ ଘୂର୍ଣ୍ଣିଖେଳ ମଧ୍ୟରେ ପୂରାଇ ଦେଲା—ହେ ଦେବଳ, ମୁଖାଟି ମଧ୍ୟ ମୁଖଠାରୁ କମ୍ ଦରକାରୀ ନୁହେଁ-

 

ଦେବଳ ମନକୁମନ ନିଜକୁ ବୁଝାଇ ନେଲା; କିନ୍ତୁ ଭାଗ୍ୟ ତାର ମନ୍ଦ । ନୋହିଲେ ଏତେ ଲୋକ ଥାଉଁଥାଉଁ ସମସ୍ତଙ୍କ ମଧ୍ୟରେ ପ୍ରଥମ ହେଲା, ଅର୍ଥାତ ସମସ୍ତଙ୍କର ଶେଷ । ଦଳବାନ୍ଧି ସମସ୍ତେ ‘ଓଆଇନ୍’ ଗ୍ଳାସ୍ ଉଠାଇ ତାହାରି ନାମରେ ଟୋଷ୍ଟ ପାନକଲେ ।

 

ତାରି ସଙ୍ଗିନୀ ବିଜୟଗର୍ବରେ ଚାରିଆଡ଼କୁ ମୁହଁବୁଲାଇ ଚାହିଁନେଲା । ଦେବଳର ମୁହଁଟିକୁ ଟିକିଏ ବେଶି ନିକଟକୁ ନେଇ ଆସିଲା, ଆହୁରି ପାଖକୁ ।

 

ନା, ବେକ୍‍ସିଂଡ଼େ’ ଅର୍ଥାତ ବଡ଼ଦିନର ପରବର୍ତ୍ତୀ ଦିନର ଉତ୍ସବ ନୁହେଁ । ସେଦିନ ନାଚଘର ମୁଣ୍ଡ ଉପରେ ବିଲାତୀ ‘ମିସିଲ୍ ଟୋ’ ଗଛର ଡାଳପତ୍ର ଝୁଲାଇ ଦିଆଯାଇଥାଏ । ତାହାରି ତଳେ ହଲ୍ ଘରେ ପୁଅ ଝିଅମାନେ ମିଶି ଚୁମ୍ବନ ଦିଆ ନିଆ ହୁଅନ୍ତି; କିନ୍ତୁ ଆଜି ତ ସେସବୁ କିଛିନାହିଁ । ସେଥିପାଇଁ ଚୁମା ଖାଇବାର ଅବାଧ ଅଧିକାର ନାହିଁ ।

 

ତଥାପି, ତଥାପି—ପାଦତଳେ ସମୁଦ୍ର ଝୁଲୁଚି । ଜାହାଜ କମ୍ପୁଚି । ଅର୍କେଷ୍ଟ୍ରାରେ ବାଦ୍ୟ ନାଚୁଚି । ମୃତ୍ୟୁର ହାତରୁ ଓଟାରି ଆଣି ଯେଉଁ ରାତ୍ରିଟି ବଞ୍ଚିଛି, ତାହାରି ମହାସୁଲତକ ଆଦାୟ କରିନେବାକୁ ତରୁଣୀଟି ଯଦି ଚାହେଁ ? ଆଜି ଯେଉଁ ରାତ୍ରିଟି ଚାଲିଯାଇଚି ତାକୁ ଓଲଟାଇ ଆଣିବି କେମିତି ?

 

ଏହି ମୁଖଟିକୁ କେମିତି ଆଉ ଫେରାଇ ଆଣିବି ?

 

ହସହସ ମୁହଁରେ ଚଟପଟ ଓରାୟମ ସିଂ ଆଗେଇ ଆସିଲା । ଦୁଇଜଣଙ୍କ ମଧ୍ୟରେ ପଗଡ଼ିଟିକୁ ହଲାଇ ଅତି ନିମ୍ନ, ଗମ୍ଭୀର ଓ ମଧୁର ସ୍ଵରରେ କହିଲା—ହ୍ୟାଲୋ, ହନି (ମଧୁ), ପରବର୍ତ୍ତୀ ନାଚଟି ତୁମେ ମୋରି ସାଙ୍ଗରେ ନାଚିବ ଏହା ହିଁ ମୋର ପ୍ରାର୍ଥନା ।

 

ଛଅ

 

ଶେଷକୁ ସେମାନେ ସିଙ୍ଗାପୁରରେ ସିଂହ ଗୃହାମଧ୍ୟରେ ଆସି ପହୁଞ୍ଚିଲେ । ଜାପାନୀ ସିଂହ ଚାରିଆଡ଼ୁ ଛକି ରହିଚନ୍ତି ।

 

—ଏକଆଖିଆ ହରିଣର ଗଳ୍ପ ଜାଣିଚନ୍ତି ସାର୍ ?

 

ଦେବଳ ହଠାତ୍ ଏଇ ପ୍ରଶ୍ନ କରି ବସିଲା । ଫେବୃଆରି ମାସ । ଶୀତ ପଳେଇ ଯିବାକୁ ବସିଚି । ତେବେ ବସନ୍ତ ଆସିବ ବୋଲି ନୁହେଁ । ଜାପାନୀମାନଙ୍କ ଆକାଶୀ ବୋମାର ଉତ୍ତାପରେ ଆଖିର ପଲକ ପଡ଼ୁ ପଡ଼ୁ ପଞ୍ଚାକୁ ପଞ୍ଚା ଏରୋପ୍ଳେନ ଆସି ବୋମାବର୍ଷଣ କରି ଯାଉଚନ୍ତି । ଆଜି ପୁଣି ସେମାନେ ମାଲୟଦ୍ଵୀପ ଉପରେ ଥାଇ ସିଙ୍ଗାପୁର ଉପରକୁ ତୋପରୁ ଗୋଳା ବର୍ଷଣ କରୁଛନ୍ତି-। ଚତୁର୍ଦ୍ଦିଗରେ ବାରୁଦ ଗନ୍ଧ, ତୋପର ଧୂଆଁ ଏବଂ ଭୟର ଭୂତରେ ପରିପୂର୍ଣ୍ଣ । ତା’ ପଛକୁ ସିଙ୍ଗାପୁର ସହର ଉପରକୁ ଦୁମଦାମ ହୋଇ ଗୋଳାମାନ ପଡ଼ୁଚି । ବଡ଼ବଡ଼ ଘରମାନଙ୍କରେ ଧୁ ଧୁ ହୋଇ ନିଆଁ ଜଳିଉଠୁଚି ।

 

ରାତିକୁ ଯୁଦ୍ଧକ୍ଷେତ୍ରରେ ପହରା ଦେବାପାଇଁ ‘ଜୋ’ର ଦଳକୁ ଏହି ‘ସେକ୍ଟର’ ଅର୍ଥାତ୍ ଅଞ୍ଚଳକୁ ପଠାଯାଇଚି । ଟ୍ରେଞ୍ଚର ଗାତ ଭିତରେ ଶୋଇ ପହରା ଦେବାକୁ ହେବ । ଆଉ କେତେ ଦୂରରୁ ଏବଂ କେଉଁ ଦିଗରୁ ଆକ୍ରମଣ ଆସୁଚି ସେଥିପ୍ରତି ମଧ୍ୟ ନଜର ଦେବାକୁ ପଡ଼ିବ । ଏହିଠାରୁ ଟେଲିଫୋନ ଯୋଗେ ଖବର ଗୁଡ଼ିକ “ସିଆକ୍” କମାଣ୍ଡ ନିକଟକୁ ଜଣାଇବାକୁ ପଡ଼ିବ ।

 

ଏହିସ୍ଥାନଟି ଏକରକମ ମାରାତ୍ମକ । ପୂର୍ବରୁ ଯେ କେତୋଟି ଦଳକୁ ପଠାଯାଇଥିଲା, ସେଗୁଡ଼ିକ ଦୂରରୁ ଆସୁଥିବା ଗୋଳାମାଡ଼ରେ ଶେଷ ହୋଇ ଯାଇଚନ୍ତି; ତେଣୁ କେହି ଆସିବାକୁ ଚାହାନ୍ତି ନାହିଁ । ଅଷ୍ଟ୍ରେଲିୟାନ୍ମାନେ କହିଲେ—ଏପର୍ଯ୍ୟନ୍ତ କେବଳ ତାଙ୍କରି ଭିତରୁ ଲୋକଙ୍କୁ ପଠାଯାଉଚି; ସୁତରାଂ ନିରୀହ ଗୋରୁପଲ ପରି ସେମାନେ ମରୁଚନ୍ତି । ସେମାନେ କିନ୍ତୁ ଯୁଦ୍ଧ କରିବାକୁ ଆସିଚନ୍ତି ସିନା, ମରିବା ପାଇଁ ତ ନୁହେଁ । ଅତଏବ ସେମାନେ ଆଉ ଏ ଅଞ୍ଚଳ ଭିତରକୁ ଆସିବାକୁ ଚାହାନ୍ତି ନାହିଁ !

 

ବ୍ରିଟିଶ କର୍ତ୍ତାମାନେ ମୁଣ୍ଡ ହଲାଇଲେ—ସତେ ତ ! ଏକେ ତ ଅଷ୍ଟ୍ରେଲିଆ ଉପରେ ଜାପାନୀମାନଙ୍କ ଦୃଷ୍ଟି ବେଶି ପଡ଼ିଚି । ତା’ ଉପରେ ପୁଣି ଜାତିର ଲୋକେ ସମସ୍ତେ ଯଦି ଏହିଭଳି ଭାବରେ ମରିଯାଆନ୍ତି, ଦେଶଟା ତେବେ କାହାପାଇଁ ରହିବ ?

 

ଏଣେ ବ୍ରିଟିଶ ସୈନ୍ୟମାନେ ?

 

ନା, ହେଡ଼୍‍କ୍ୱାଟରସରେ ସେ ସମସ୍ତଙ୍କ ପାଇଁ ଜରୁରୀ କାମ ଅଛି । ଘାଟିର କେନ୍ଦ୍ର ଯେଉଁଠି, ସେମାନଙ୍କ କାମ ତ ସେଇଠି । ତା’ଛଡ଼ା ସେହି ବାଙ୍ଗରା ଦୁଷମନମାନେ ଏତେ ହୀନ ଯେ, ଇଂରେଜଙ୍କୁ ଦେଖିଲାମାତ୍ରେ ସେମାନଙ୍କ ମୁଣ୍ଡରେ ଖୁନ୍ ପଶିଯାଏ ।

 

କିନ୍ତୁ ଚାଳିଶ ହଜାର ଭାରତୀୟ ତେବେ ସିଂଗାପୁରଠାରେ ଅଛନ୍ତି କାହିଁକି ? ଏମାନେ ଏତେ ସାହସୀ ଯେ ନିଜ ନିଜଜୁ ସେମାନେ ଯବାନ ବୋଲି ଡାକନ୍ତି । ବର୍ତ୍ତମାନ ତେବେ ସେହି ଯବାନମାନେ ହିଁ ଜାପାନୀ ଠେଲା ସମ୍ଭାଳନ୍ତୁ । ତାଛଡ଼ା ହଠାତ୍ କେତୁଟା ଜଙ୍ଘୀ ଜାହାଜ ଏଠାରେ ଆସି ପହୁଞ୍ଚି ଯାଉଚି । ସେଥିରେ ସବୁ ମେମ୍‍ସାହେବ ଏବଂ ସେମାନଙ୍କ ପିଲାପିଲିଙ୍କୁ ଅତି ଗୁପ୍ତ ଭାବରେ ଦୂରକୁ ପଠାଇ ଦିଆଯାଉଚି । ସେମାନଙ୍କ ସଙ୍ଗରେ ତ ପୁଣି ପହରାଦାର ହିସାବରେ କିଛି ଇଂରେଜ ଅଫିସର ପ୍ରଭୃତି ପଠାଇବାକୁ ହେବ ।

 

ତେଣୁ ଦେବଳ ଓରାୟମ ଏବଂ ରବିନକୁ ବଛାବଛି କରି ‘ଡେଭିଲସ୍ ସେକ୍ଟର୍’ କୁ ପଠାଗଲା । ସେମାନେ କେତେଦିନ ହେଲା ଜାହାଜରେ ମଜାସେ ଆରାମ କରିଚନ୍ତି । ‘ସିଆକ୍’ କମାଣ୍ଡ୍ର ଜଣେ ଷ୍ଟାଫ୍ ଅଫିସର୍ ସେମାନଙ୍କ ଖବର ଅନ୍ତର ବୁଝୁଥିଲେ । ଜାହାଜର ଖବର ପାଇ ତାହାରି ମୁହଁଟା ଲାଲ ହୋଇଗଲା । ସେମାନଙ୍କ ବଦଳରେ ସେ ନିଜେ ଯଦି ଜାହାଜରେ ଚଢ଼ି ପଳାଇଯିବାର ସୁବିଧା ପାଇପାରନ୍ତା, ତେବେ କେତେ ମଜାର କଥା ନ ହୁଅନ୍ତା ! ଯମକୁ ଫାଙ୍କିଦେଇ ଜୀବନକୁ ସଙ୍ଗରେ ଘେନି ଅଭିସାର କରିଯାଆନ୍ତା ସିନା ! !

 

ସେଥିରେ ପୁଣି ମେମ୍‍ସାହେବମାନଙ୍କ ସାଙ୍ଗରେ ଫ୍ୟାନ୍ସି ଡ୍ରେସ ପିନ୍ଧି ନାଚ କାହିଁକି ? ସଂସାରରେ ସାହେବ ବୀରପୁରୁଷମାନଙ୍କର କଅଣ ଅଭାବ ପଡ଼ିଥିଲା ? ତେଣୁ ତାର ନାଲି ମୁହଁଟି ଟିକିଏ କଳା ପଡ଼ିଗଲା । ସେ ଦାନ୍ତ ଚିପି କହି ଉଠିଲା—ବେଶ୍ କେତେଦିନ ଆରାମ କରିନେଇଚ ।ଏଥର ‘ଡେଭିଲସ୍ ସେକ୍ଟର୍’ରେ ତୁମକୁ କାମ କରିବାକୁ ପଡ଼ିବ । ‘ରାଜ୍ରିଫ୍’ (ରାଜପୁତନାର ରାଇଫେଲ୍ ଦଳ) ମଧ୍ୟରୁ ତୁମ ସାଙ୍ଗକୁ କେତେକ ଯବାନଙ୍କୁ ଦିଆଯିବ । ଆଉ ଜୋ ? ତୁମକୁ ଏଇଠାରେ ରହିବାକୁ ପଡ଼ିବ; ତେବେ ଏହି ଇଉନିଟିଗୁଡ଼ିକ ସଙ୍ଗେ ଯୋଗସୂତ୍ର ରକ୍ଷା କରିବା ସୁବିଧା ହେବ ।

 

ସେମାନେ ସେହି ‘ଡେଭିଲସ୍ ସେକ୍ଟର୍’ର ଟ୍ରେଞ୍ଚ ମଧ୍ୟରେ ରାତିସାରା ମୁହଁମାଡ଼ି, ଚିତହୋଇ, ନୋହିଲେ ବା ଆଣ୍ଠେଇ ଆଣ୍ଠେଇ ଏପଟ ସେପଟ ଯାଆ ଆସ କରି ପହରା ଦିଅନ୍ତି, ଶେଷକୁ ‘ଜୋ’ ମଧ୍ୟ ସଙ୍ଗରେ ଆସିଲା । ନିଜେହିଁ ପହରାକାର୍ଯ୍ୟର ଦାୟିତ୍ୱ ନେଇଚି । ସବୁ ବିପଦ ମଧ୍ୟକୁ ସେ ସ୍ଵତଃପ୍ରବୃତ୍ତ ହୋଇ ମୁଣ୍ଡ ବଢ଼ାଇ ଦେଇଚି ।

 

—ଏକଆଖିଆ ହରିଣ ଗପଟି ଜାଣନ୍ତି କି ସାର୍ ?

 

ଜୋ—ଜାଣେ ।

 

ଚତୁର୍ଦ୍ଦିଗରେ ଜାପାନୀଗୁଳା ଏବଂ ପୂର୍ବସୈନ୍ୟମାନଙ୍କର ମୃତ୍ୟୁଚିହ୍ନ ଖେଳେଇ ହୋଇପଡ଼ିଚି; ତଥାପି ସେ କହିଲା—ଠିକ୍ ମୋର ମନେପଡ଼ୁ ନାହିଁ; ଖୋଲି କରି କହ !

 

ଦେବଳ କହିଲା—ଇସପଙ୍କ ଗଳ୍ପ ମଧ୍ୟରେ ହରିଣଟିର ଗୋଟିଏ ମାତ୍ର ଆଖି ଥିଲା । ସେହି ଆଖିଟିଦ୍ଵାରା ସେ ପଡ଼ିଆ ଆଡ଼କୁ ଚାହିଁ ରହିଥାଏ, କିଏ ଆସି କେତେବେଳେ କାଳେ ତାକୁ ମାରିଦେବାକୁ ଚାହୁଁ ଚି; କିନ୍ତୁ ଶିକାରୀ ଆସିଗଲା ନୌକାରେ ପାଣିବାଟ ଦେଇ । ସେ କଥାଟି ହରିଣର କଳ୍ପନା ମଧ୍ୟରେ ନଥିଲା; ତେଣୁ କଣା ଆଖିଟାକୁ ସେ ସେହି ଦିଗକୁ ରଖିଥିଲା। ମରଣ ମଧ୍ୟ ସେହି ଦିଗରୁ ଆସିଗଲା ।

 

ଦେବଳ କହିଲା—ସାର୍, ଲଣ୍ଡନର ସାମରିକ କର୍ତ୍ତାମାନେ ଏକଆଖିଆ ହରିଣ । ସମୁଦ୍ରର ତିନିଦିଗରେ ଏତେ ଘାଟି ଏବଂ ଲଢ଼େଇର ବନ୍ଦୋବସ୍ତ । ପଞ୍ଚତିରିଶ କୋଟି ଟଙ୍କା ଖରଚ ହେଲା; କିନ୍ତୁ ଭୂଭାଗ ଆଡୁ଼ ଗୋଟିଏ ମାତ୍ର କମାଣ ଘରାଇ ଚଳାଇବାର ବନ୍ଦୋବସ୍ତ ହୋଇ ନାହିଁ। ସେଦିଗରୁ ଆତ୍ମରକ୍ଷା ପାଇଁ କୈଣସି ଦରକାର ପଡ଼ିବ ସେ କଥାଟି କର୍ତ୍ତାମାନଙ୍କର ଖିଆଲ ନାହିଁ। ଏପରିକି ସିଂଗାପୁରଠାରେ ଯଥେଷ୍ଟ ପାନୀୟ ଜଳ ମଧ୍ୟ ନାହିଁ।

 

ଫୁସ୍‍ଫାସ୍ ହୋଇ ‘ଜୋ’ କହିଲା—ଆମ୍ଭମାନଙ୍କ କାମ ହେଲା କେବଳ ଲଢ଼େଇ କରିବା।

 

—କେବଳ କଅଣ ଲଢ଼େଇ କରିଯିବାଟା, ଭୁଲ୍‍ ରଣକୌଶଳ ଓ ଭୁଲ ବନ୍ଦୋବସ୍ତଗୁଡ଼ିକୁ କର୍ମକର୍ତ୍ତାମାନଙ୍କ ଆଖିରେ ଆଙ୍ଗୁଳି ଗୁଞ୍ଜି ଦେଖାଇଦେବା କଥାଟା ନୁହଁ ? ଅଧର୍ମ ହେବ ଯେ! ଏତେ ଲୋକ ମରୁଛନ୍ତି । ଏତେ ଖରଚ ହେଉଚି, ସ୍ଵାଧୀନତା ଏବଂ ଦେଶପାଇଁ ଲଢ଼େଇ ଚାଲିଚି; ତେବେ ଭୁଲଟାକୁ ଦେଖାଇ ଦେବା ନାହିଁ ?

 

—ତୁମର ଯେ ଭୁଲ୍‍ ହୋଇନାହିଁ, ସେ କଥାଟା କେମିତି ଜାଣିଲ ଦେବଳ ? ଏସବୁ କଥା ଘେନି ତୁମଠାରୁ ଯେଉଁମାନେ ବେଶି ମୁଣ୍ଡ ଘୂରାଉଚନ୍ତି, ତାଙ୍କର ହାତରେ ସେସବୁ ଦାୟିତ୍ଵ ଥାଉ ।

 

—ନା, କଦାପି ନୁହେଁ। ଆଜି ଡେଭିଲସ୍ ଟ୍ରେଞ୍ଚ ଭିତରେ ମୁଁ ମରିବାକୁ ତିଆର ଅଛି, କିନ୍ତୁ ଯେଉଁ ଭୁଲଟା ହୋଇଯାଇଚି, ସେତକ ବୁଝାଇଦେବା ନିତାନ୍ତ ଦରକାର । ପ୍ରତ୍ୟେକ ଲୋକର ସେତକ କର୍ତ୍ତବ୍ୟ । ସାମାନ୍ୟ ଅଫିସରଙ୍କର ଯଦି ଭୁଲ ହୋଇଥାଏ, ତେବେ ସେ କଥା ବର୍ତ୍ତମାନେ ବୁଝାଇ ଦିଅନ୍ତୁ ?

 

—ଅର୍ଥାତ୍ ସମସ୍ତଙ୍କ ସାଙ୍ଗରେ ତର୍କ କରନ୍ତୁ ?

 

ଜୋ ହସି ପକାଇଲା ।

 

—ତର୍କ ? ନା, ତର୍କ ଅବଶ୍ୟ ନୁହେଁ ? ତଥାପି ଆମମାନଙ୍କ ମଧ୍ୟରୁ ସମସ୍ତଙ୍କୁ ତ ଚିନ୍ତା କରିବାକୁ ପଡ଼ିବ !

 

ଏତେବେଳେଯାକେ ରବିନ ଚୁପ୍‍ ହୋଇ ଶୁଣୁଥିଲା। ଏଣିକି ସେ ବାଧା ଦେଲା। ଟେନିସନଙ୍କ କବିତାର ଲାଇନଗୁଡ଼ିକ ତାର ମନେ ପକାଇ ଦେଲା । ରୁଷିଆ ସାଙ୍ଗରେ ଯୁଦ୍ଧ କଲାବେଳେ ଭୁଲକରି ଇଂରେଜ ସେନାପତି ହୁକୁମଟିଏ ଦେଇଥିଲା। ଭୁଲ ଜାଣି ସୁଦ୍ଧା ସୈନ୍ୟମାନେ ମରିବା ପାଇଁ ଅଗ୍ରସର ହେଲେ । ସମସ୍ତେ ମଲେ, ମାତ୍ର ଅମର ହୋଇଗଲେ ।

 

ତାହା ସୁଧାରିନେବାପାଇଁ କୌଣସି ଅଧିକାର ନାହିଁ ।

 

ଦାବୀ କେବଳ ଅଛି; ମାରିବା ଏବଂ ମରିବାପାଇଁ ।

 

ମୁଣ୍ଡ ଉପର ଦେଇ ଦୂରରୁ ଫିଙ୍ଗାହେଉଥିବା ଗୁଳାଗୁଡ଼ିକ ଚାଲିଯାଉଚି । ସିଙ୍ଗାପୁରର ସିଂହଦ୍ଵାରଠାରେ ଶତ୍ରୁର ଯାଆସ ଚାଲିଚି । ମୁଣ୍ଡ ଖରାପ ହୋଇଯିବା ଛଡ଼ା ଏସବୁ ଆଉ କଅଣ ? ସମୟ ଦେଖି ଗୋଟାଏ ‘ସେଲ’ ଅଦୂରରେ ଭୀଷଣ ଶବ୍ଦ ସହ ଫାଟିଲା । ତାହାରି ଆଘାତରେ ଗୁଡ଼ାଏ ଧୂଳିବାଲି ଉଡ଼ିଆସି ଏମାନଙ୍କୁ ଘୋଡ଼ାଇ ପକାଇଲା ।

 

ରାଗିଉଠି ଦେବଳ କହିଲା—ସେଇଟା ଗୋଟାଏ ମସ୍ତବଡ଼ ଭୁଲ୍‍ । ସେସବୁ “ଚାର୍ଯ ଅଫ୍ ଦି ଲାଇଟ ବ୍ରିଚେଡ଼”ର ବୀରତ୍ଵ ସମ୍ବନ୍ଧରେ କବିତା ଲେଖା ଯାଇପାରେ ସତ; ମାତ୍ର ପ୍ରକୃତ ଯୁଦ୍ଧ ଚଳିପାରେ ନାହିଁ। ଇଂରେଜ ଅଫିସ୍ର କର୍ତ୍ତାମାନଙ୍କ ବୋକାମୀ ପାଇଁ ଆମେମାନେ ଆଜି ସିଙ୍ଗାପୁରଠାରେ ମୂଷା ପରି ମରୁଚୁଁ ।

 

ଜୋ କହିଲା—ମୁଁ ତ କୌଣସି ଦିନ ମନେ କରିନାହିଁ ଯେ ଆମମାନଙ୍କ ଦେବଳ ମରଣକୁ ଭୟ କରେ ବୋଲି ?

 

ଗମ୍ଭୀର ସ୍ୱରରେ ଦେବଳ କହିଲା—ନା,ଦେବଳ ବଙ୍ଗାଳୀ, ମରିବାକୁ ସେ ଭୟ କରେ ନାହିଁ । ଆମର ପିଲାମାନେ ପିଟା ଫୋଟକା ପରି ବୋମାଘେନି ଇଂରେଜମାନଙ୍କ ସଙ୍ଗେ ଲଢ଼ିବାକୁ ଯାଆନ୍ତି । ତା’ ବଦଳରେ ଆମେ ଆଜି ମିଲଟାରି ଇଉନିଫରମ୍ ପିନ୍ଧିଚୁ ଏବଂ ହାତରେ ସର୍ବୋକୃଷ୍ଟ ହତିଆର ଧରିଚୁ । ଆମେ ମରିବାକୁ ଡରିବୁ କାହିଁକି ? କିନ୍ତୁ ବୋକା ପରି ମରିବାକୁ ରାଜି ନୋହୁଁ ।

 

ଦେବଳକୁ ରବିନ ବାଧାଦେଇ କହିଲା—ମିଛଟାରେ ତର୍କ କର ଦେବଳ ! ତୁମେ ବଙ୍ଗାଳୀମାନେ ଖୁବ ବେଶି ଚିନ୍ତାଶୀଳ, ତେଣୁ ତର୍କ କରୁଥାଅ । ହୁକୁମ ତାମିଲକରିବା ଆଗରୁ ଯଚେଇ କରିବାକୁ ଚାହିଁ; ତେଣୁ ସୈନ୍ୟବିଭାଗରେ ତୁମେମାନେ ନାମ ଲେଖାଇବାହିଁ ଗୋଟିଏ ବିପଦ ।

 

—କାହିଁକି ? ଭୁଲ ହୁକୁମ ତାମିଲ କରିବାକୁ ଯିବା ତହୁଁ ବଳି ବେଶି ବିପଦ ।

 

—ସେ ଯାହାହେଉ, ହୁକୁମକୁ ଯଚେଇ କରିବାର ଦାୟିତ୍ୱ ତୁମର ନୁହେଁ, ହାକିମର । ତୁମେ ଯେତେବେଳେ ହାକିମ ହେବ ସେତେବେଳେ ସମସ୍ତେ ବିନା ବିଚାରରେ ତାହା ମାନିନେବେ-। ବର୍ତ୍ତମାନ ଆମ୍ଭମାନଙ୍କର କାମ ହେଲା, କେବଳ ଲଢ଼େଇ କରି ଚାଲିବା । ଡିସିପ୍ଲିନ୍, ମାଇଁ ବୟ, ଡିସିପ୍ଲିନ୍ । ହିନ୍ଦୁସ୍ଥାନୀଙ୍କର ବଦନାମ କରନାହିଁ ।

 

ଫିଲଡ଼୍ ଟେଲିଫୋନର ରିସିଭରରେ ହଠାତ୍ ଶବ୍ଦ ଶୁଣାଗଲା । ଖଣ୍ଡ ଖଣ୍ଡ ଉଚ୍ଚାରଣ କରି କିଏ କହୁଚି—‘ବ୍ରିଗ୍ରେଡ଼ ମେଜରଙ୍କୁ ମୁଁ ଚାହେଁ, ବ୍ରିଗେଡ଼ ମେଜର !’

 

ଚଟପଟ୍ ଜୋ କହି ଉଠିଲା—କାହିଁକି ? ଦରକାର କଅଣ ?

 

—ଆଗେଇ ଆସ । ଚଟ୍‍ପଟ୍ ସମସ୍ତେ ବାହାରକୁ ବାହାରି ଆସ । ତୁମ୍ଭମାନଙ୍କ ବଦଳିଆ ଦଳ ଆସିଗଲେଣି ।

 

ବଦଳିଆ ଦଳ ଆସିଯିବାର ଅର୍ଥ ହେଲା, ଆଉ କିଛି ସମୟ ପାଇଁ ବଞ୍ଚିଯିବାର ପରୱାନା । ଟିକିଏ ଅନ୍ତତଃ ବିଶ୍ରାମ ଏବଂ କିଛି ଖାଇବାକୁ ପାଇବା ।

 

ସେମାନେ ଝଟ୍‍ପଟ୍ ସେମାନଙ୍କ ହାତ ହତିଆର ଓ ଜିନିଷପତ୍ରଗୁଡ଼ିକୁ ଗୋଟାଇବାକୁ ଲାଗିଲେ । ଓରାୟମ ଆନନ୍ଦରେ ଅଧୀର ହୋଇ ଉଠିଲା । ଗୁଣୁ ଗୁଣୁ ହୋଇ କଅଣ କହିବାକୁ ଲାଗିଲା ।

 

ରବିନ କହିଲା—ଏତେ ଖୁସି ହୁଅ ନାହିଁ । ସାମାନ୍ୟ ଟିକିଏ ଶୋଇଥିବ କି ନାହିଁ, ପୁଣି ଏଠାକୁ ଦୌଡ଼ି ଆସିବା ପାଇଁ ପରଉଆନା ପହୁଞ୍ଚିଯିବ । ମୁଖ ପାଖକୁ ଉଠାଉ ଥିବା ‘ବିଅର’ ଟିଣଟାକୁ ଖତମ କରିବା ପାଇଁ ହୁଏତ ସମୟ ପାଇପାରିବ ନାହିଁ ।

 

କାନ୍ଧ ଉପରୁ ପଇତା ପରି ଯାହା ଝୁଲି ରହିଚି, ତାହା ବ୍ରାହ୍ମଣର ପଇତା ନୁହେଁ । କ୍ଷତ୍ରିୟର ରାଇଫଲ୍ ଗୁଳି ରଖିବାର ଚମଡ଼ା ବେଲଟ୍; ତାହାକୁ ଭିଡ଼ୁ ଭିଡ଼ୁ ଓରାୟମ କହିଲା—

 

ହର, ପରିକେ ଉବା—ଆସିକ—ଇ–ଖୁଦ ଇୟ୍ୟାର ନିସ୍ତ

 

ତୁ ଇଆକିନ୍ ମିଦାନ କେ ହେଚ ଅଜ ଉମରବର–

 

ଖୁରଦାର ନିସ୍ତ ।

 

—ତା ମାନେ ?

 

—ତାରି ମାନେ ଭିତରେ ଅଛି ମୋର ଜୀବନଦର୍ଶନ । ପ୍ରତ୍ୟେକଙ୍କ ପରି ନିଜ ପ୍ରେମିକକୁ ପସନ୍ଦ କରନ୍ତି ନାହିଁ । ମୋର ପ୍ରେୟସୀ ମଧ୍ୟ ଏ ବୀରକୁ ଭଲ ପାଏ ନାହିଁ; ନ ପାଉ । ମୁଁ ଜାଣେ—ଜୀବନଟାକୁ କେହି ପୂରାପୂରି ଦେଖିପାରେ ନାହିଁ । ତଥାପି ଯେତିକି ଟିକିଏ ଦେଖିପାରୁଚି ସେତିକି ଟିକିଏ ସୁଖ ସେ ଭୋଗ କରିନିଏ ।

 

ବଙ୍କାଟଙ୍କା ଫାଳିକିଆ ଟ୍ରେଞ୍ଚ ମଧ୍ୟରୁ ମୁଣ୍ଡ ଉଠାଇବା ପୂର୍ବରୁ ଦେବଳ ଟିକିଏ ଖାଲି ଓରାୟମର ହାତଟାକୁ ଜୋରକରି ଚିପିଦେଲା । କଥାଟାକୁ ଓରାୟମ ବି ବୁଝିନେଲା ।

 

ମୁଣ୍ଡ ଉପର ଦେଇ ଗୁଳିଗୁଳା ସାଉଁସାଉଁ ଶବ୍ଦରେ ଆକାଶ ଚିରି ସହର ଭିତରେ ପଡ଼ୁଚି-। ବୋମାରୁ ବିମାନଗୁଡ଼ିକର ଘାଉଁ ଘାଉଁ ଶବ୍ଦରେ କାନ ଅତଡ଼ା ପଡ଼ୁଚି । ଚାରିଆଡ଼େ ମେସିନ୍ଗନ୍ର ଖେଳ ଚାଲିଚି । ଏଠି ମାଟି ଫୁଟାଇ ଜୀବନଦର୍ଶନ ଆବିଷ୍କାର କରିବା ଆଉ ଯାହା ପକ୍ଷେ ସମ୍ଭବ ହେଉନା କାହିଁକି, ଓରାୟମ ପକ୍ଷେ ସମ୍ଭବ ନୁହେଁ । କଥା ତାର ଓଜନିଆ ହୋଇ ଉଠିବା ମାତ୍ରେ ସମସ୍ତଙ୍କ ମନ ଗମ୍ଭୀର ହୋଇ ଉଠିବ । ମରଣଟାକୁ ମଧ୍ୟ ହାଲୁକା ମନରେ ଶେଷ କରିଦେବା ଦରକାର ।

 

–ତେଣୁ ସେ ଚଟ୍ପଟ୍ କହି ଉଠିଲା–ତା ମାନେ ହେଲା, ମୁଁ ପୂରା ‘ବିୟର’ ଟିଣଟିକୁ ଶେଷ କରିବା ପାଇଁ ସୁଯୋଗ ପାଇଲି କି ନପାଇଲି ସେ ବିଷୟର ଚିନ୍ତାଟାକୁ ଆଦୌ ‘କେୟାର’ କରେ ନାହିଁ । ଟିଣଟା ଆଗ ହାତମୁଠା ଭିତରକୁ ଆସିଯାଉ ତ, ତେଣିକି କଅଣ ହେବ ନହେବ ସେକଥା କେବଳ ଖୋଦାକୁ ମାଲୁମ ।

 

ହଠାତ୍ କଅଣ ଭାବି ଦେବଳ ଟ୍ରେଞ୍ଚଭିତରୁ ଉଠିଯିବାକୁ ସମସ୍ତଙ୍କୁ ବାରଣ କଲା ।

 

ଉତ୍ତେଜିତ ଭାବେ କହିଲା–ଅପେକ୍ଷା କର; ଆଉଥରେ ଟେଲିଫୋନଟା ପରୀକ୍ଷା କରିଦେଖେଁ ।

 

ଏଭଳି କର୍ତ୍ତୃତ୍ଵ ସ୍ଵରରେ ଏ ହୁକୁମଟା ଚଳାଇଲା ଯେ, ସେଥିରେ କେହି କୌଣସି ପ୍ରକାରେ ବାଧା ଦେଇପାରିଲେ ନାହିଁ । ଜୋ ମଧ୍ୟ ଅବାକ ହୋଇଗଲା ।

 

—ବ୍ରି ଗେଡ୍ ମେଜର ତରଫରୁ କଥା କହୁଚି । ଆମ୍ଭେମାନେ ବର୍ତ୍ତମାନ ଉପରକୁ ଉଠୁଚୁଁ; ତେଣୁ ଟିକେ ଆଲୁଅ ଦେଖାଅ । ଗୋଟାଏ ଦିଇଟା ସବୁଜ ଆଲୁଅର ବୋମା ଆକାଶ ଆଡକୁ ଫୁଟାଅ । ଆମେ ବର୍ତ୍ତମାନ ଉଠି ଆସୁଚୁଁ ।

 

ତା ପରେ ମେସିନଗନ; ସଜାଇ ରଖିବା ପାଇଁ ସମସ୍ତଙ୍କୁ କହିଲା । ପଦୁଟିଏ ପ୍ରତିବାଦ ନକରି ବିନା ବାକ୍ୟବ୍ୟୟରେ ସମସ୍ତେ ପ୍ରସ୍ତୁତ ହୋଇଗଲେ । ଏଣେ ଆକାଶରେ ସବୁଜ ଆଲୁଅ (ଭେରି ଲାଇଟ) ଖେଳେଇ ହେଇଗଲା । ସଙ୍ଗେ ସଙ୍ଗେ ଦଳେ ଜାପାନୀଙ୍କ କୃଷ୍ଣଛାୟା ସେହି ଆଲୋକ ମଧ୍ୟରେ ଫୁଟି ଉଠିଲା । ଖଡର ଖଡର ଶବ୍ଦ କରି ଦେବଳର ମିଡିୟମ୍ ମେସିନଗନ୍ ଚାଲିବାକୁ ଲାଗିଲା । ସେମାନେ ପ୍ରାଣ ଘେନି ବଞ୍ଚିଗଲେ । ଏତେବେଳକେ ସେମାନେ ବୁଝିପାରିଲେ ଯେ ନିଜ ହେଡ୍କ୍ଵାଟରର୍ ରୁ ବଦଳିଆ ଆସିଛନ୍ତି ଏ କଥା ବିଶ୍ଵାସ କରିବାଟାହିଁ ଭୁଲ ହୋଇଚି । ତରତର ହୋଇ ସମସ୍ତେ ଦେବଳକୁ ଅଭିନନ୍ଦନ ଜଣାଇଲେ । ଜୋ କହିଲା..ସତ କହୁଚି ଦେବଳ, ଆଜି ଆମେ ସମସ୍ତେ ତୁମ ନିକଟରେ ଟୋପି ନୁଆଉଚୁଁ । ତୁମର ଚିନ୍ତାଶକ୍ତି ପାଇଁ ପରମେଶ୍ଵରଙ୍କୁ ଧନ୍ୟବାଦ । ତର୍କ କରିବାଟା ତୁମକୁ ହିଁ ସାଜେ ।

 

ଅତି ବିନୀତ ଭାବେ ଦେବଳ କହିଲା—ମୁଁ କ୍ଷମା ମାଗୁଚି, ସାର୍ ! ଆଉ କେବେହେଁ ତର୍କ କରିବି ନାହିଁ । ସବୁ ସମୟରେ ମୁଁ ନିୟମ ମାନି ଚଳିବି । ଡିସିପ୍ଲିନ୍ ମାନି ରହିବି । ଏଇ ମୁହୂର୍ତ୍ତରେ ସମସ୍ତେ ଯଦି ମୋ କଥା ମାନି ଟ୍ରେଞ୍ଚ ମଧ୍ୟରେ ଅପେକ୍ଷା କରି ନଥାଆନ୍ତେ, ତେବେ ଆମ୍ଭେମାନେ ସମସ୍ତେ ଶେଷ ହେଇ ଯାଇ ଥାଆନ୍ତେ । ମୋରି କ୍ଷମା ମାଗି ନେବାର କଥା ।

 

ରବିନ ତୁନି ତୁନି ଦେବଳକୁ କହିଲା–ସାବାସ ସିଂହ । ପ୍ରକୃତରେ ତୁମେ ସିଂହ ।

 

କିନ୍ତୁ ଏସବୁ ସାବାସ ନେବା କଥାରେ କାନଦେବାଲାଗି ସମୟ ନଥିଲା । ଜୋ କୁ ସାଲ୍ୟୁଟ କରି ଦେବଳ କହିଲା–ସାର୍, ବର୍ତ୍ତମାନ ସେହି ଜାପାନୀମାନଙ୍କର ଲାସ୍ ତଲାସ କରି ଦେଖିପାରିବି କି ? ଗୁପ୍ତ ଖବର କିଛି ମିଳିପାରେ । ବର୍ତ୍ତମାନ ସୁଦ୍ଧା ଭୋର ହୋଇ ନାହିଁ । କିନ୍ତୁ ଲାସ ଗୁଡ଼ିକ ଖୋଜି ପାଇବି । ବୋଧହୁଏ ଆମମାନଙ୍କ ଶତ୍ରୁମାନେ ବର୍ତ୍ତମାନ ଆଉ ନଜର ରଖି ପାରିବେ ନାହିଁ ।

 

ହଠାତ୍ ଜୋ ଛଡା ହେଇପଡ଼ି ଦେବଳର ହାତଟାକୁ ଜୋରରେ ହଲାଇ ଦେଇ କହିଲା,–ତୁମକୁ ଅଭିନନ୍ଦନ ଜଣାଉଚି ଦେବଳ ! ଏତେ ବିପଦ ଏବଂ ପ୍ରଶଂସାମଧ୍ୟରେ ହିଁ ତୁମେ ତୁମର ମୁଣ୍ଡ ଠିକ୍ ରଖିପାରିଚ । ଗୋଟିଏ ଟହଲଦାର ଦଳ ଘେନି ତୁମେ ଖୋଜାଖୋଜି କାମ କରିବା ପାଇଁ ଯାଅ ।

 

—କିନ୍ତୁ ସାବଧାନ ହେଇ ଯାଅ । ଚାରିପାଖରେ “ବୁବିଟ୍ରାପ୍’ ଅର୍ଥାତ୍ ବାରୁଦପୂର୍ଣ୍ଣ ଫାସ ବସିଚି । ତାଉପରେ ଯେମିତିକି କେହି ପାଦ ନ ପକାଏ ।

 

ଚତୁର୍ଦିଗ ଶ୍ମଶାନତୁଲ୍ୟ ହୋଇ ରହିଚି ।

 

ଅଳ୍ପ ସମୟ ପରେ ଦେବଳର ଦଳ ଫେରିଆସିଲେ । ଜଣେ ବନ୍ଦୀ ।

 

“ବନ୍ଦୀ ?” —ସମସ୍ତେ ପାଟି କରିଉଠିଲେ ।

 

ଜୋ ପ୍ରଶ୍ନକଲା—ବନ୍ଦୀ ? ଜାପାନୀ ଜୀବିତ ଅଛି ? ତଥାପି ବନ୍ଦୀ ହୋଇ ଆସିଚି ? ବିଶ୍ଵାସ କରିହୁଏ ନାହିଁ !

 

ଦେବଳ ଉତ୍ତର ଦେଲା—ହଁ ବନ୍ଦୀ, ଏବଂ ବଞ୍ଚିଚି । ଅଜ୍ଞାନ ହୋଇ ପଡ଼ୀଥିଲା ।

 

ଜୋ ମୁଣ୍ଡ ହଲାଇ କହିଲା—ହୁଁ, ସେଇ କଥା ହେଲା ତେବେ; କାରଣ ସେମାନଙ୍କ ସେନାପତିର ‘କମାଣ୍ଡ’ ହୁକୁମରେ ଲେଖାଥାଏ—‘‘ଯଦି କେବେ ଅଜ୍ଞାନ ଅବସ୍ଥାରେ ବନ୍ଦୀ ହୋଇପଡ଼, ତେବେ ସୁଯୋଗ ପାଇଲାମାତ୍ରେ ଜିଭଟାକୁ ଗଳାମଧ୍ୟକୁ ପୂରାଇଦେଇ ଦମ ବନ୍ଦକରି ଆତ୍ମହତ୍ୟା କରିବାପାଇଁ ବରଂ ଚେଷ୍ଟା କରିବ ; କିନ୍ତୁ ଜୀବିତ ଅବସ୍ଥାରେ ରହିବ ନାହିଁ ।”

 

ଦେବଳ ପ୍ରଶ୍ନକଲା—ତେବେ କଅଣ ତାକୁ ଦୋଭାଷୀ ଦ୍ଵାରା କଥା କୁହାଇବି କି ?

 

—ନିଶ୍ଚୟ, ନିଶ୍ଚୟ; କିନ୍ତୁ କିଛି କହିବ ନାହିଁ । ସେମାନଙ୍କ ନିକଟରେ ଜୟ ପରାଜୟ ଦୁଇଟି ପାଇଁ ଗୋଟିଏ ମାତ୍ର ଉତ୍ତର ଅଛି । ତା’ ହେଉଛି—ମୃତ୍ୟୁ ।

 

ନିଜ କଥା ମଧ୍ୟରେ ଜୋ ଗୁଣୁଗୁଣୁ ହୋଇ କହିବାକୁ ଲାଗିଲା—କୌଣସି ଗୋରାସୈନ୍ୟ ସେମାନଙ୍କ ହାତରେ ପଡ଼ିଲେ ମରଣ ସୁନିଶ୍ଚିତ । କିନ୍ତୁ ଆମେ ତାକୁ ଜୀବିତାବସ୍ଥାରେ ବନ୍ଦୀ କରି ରଖିବୁଁ । କାରଣ ସେ ନିଜେହିଁ ମନେମନେ ମରିବାକୁ ଚେଷ୍ଟା କରିବ ।

 

ବନ୍ଦୀ ମୁଣ୍ଡ ନୁଆଇଁ ରଖିଲା, ସତେକି ସେ ପ୍ରାର୍ଥନା କରୁଚି । ସେତେବେଳ ପର୍ଯ୍ୟନ୍ତ କେହି ବୁଝିପାରି ନଥିଲେ ଯେ ମୂର୍ଚ୍ଛାର ତାଡ଼ନାରେ ତେତେବେଳଯାକେ ସେ ଅର୍ଦ୍ଧ-ଅଜ୍ଞାନ ଭାବେ ପଡ଼ି ରହିଚି । ଜୋ ତା’ ମୁହଁ ଭିତରେ ଗୋଟିଏ ସିଗାରେଟ ଗୁଞ୍ଜିଦେଲା ଏବଂ ନିଜ ହାତରେ ତହିଁରେ ଅଗ୍ନି ସଂଯୋଗକରି ସଙ୍ଗେ ସଙ୍ଗେ ଡିଆସିଲିଟାକୁ ଦୂରେଇନେଲା । ଡିଆସିଲିର ଆଲୁଅଟା ମଧ୍ୟ ଶତ୍ରୁର ଦୃଷ୍ଟିରେ ପଡ଼ିପାରେ । ତେତେବେଳ ସୁଦ୍ଧା ଦିବସର ଆଲୋକ ସମ୍ପୂର୍ଣ୍ଣରୂପେ ଆସିନାହିଁ-

 

ତା’ ପରେ ଗୋଟାଏ ବଡ଼ ମେସ୍‍ଟିଣରେ କପେ ଚା ଆଣି ଦେଲା ।

 

ବନ୍ଦୀ କିନ୍ତୁ ଚା’ ପିଇଲାନାହିଁ । ଓଠ ଦୁଇଟି ତାର ଥରି ଥରି ବଙ୍କା ହୋଇ ଯିବାକୁ ଲାଗିଲା ।

 

ଜୋ କହିଲା, —ତା’ ଆଡ଼କୁ କେହି ବର୍ତ୍ତମାନ ଚାହଁ ନାହିଁ । ଶରୀରକୁ ତାର ପ୍ରାଣଟିକେ ଫେରି ଆସୁ ।

 

ଏଥର ତା’ ମୁହଁ ପାଖରେ ଚାହା ଟିଣଟାକୁ ଟେକି ଧରାଗଲା । ନ ଖାଇ ଉପାୟ ନାହିଁ । ଢୋକେ ଦିଢ଼ୋକ ପାଟିକି ନେଲାପରେ ସେ ଟିକେ ଆଖି ଫିଟାଇ ଚାହିଁଲା । ତାପରେ ଢକ ଢକ କରି ଚାହାତକ ପିଇଦେଲା ।

 

କିନ୍ତୁ ସଙ୍ଗେ ସଙ୍ଗେ ହିଷ୍ଟିରିଆ ଆରମ୍ଭ ହୋଇଗଲା । ହଠାତ୍ ସେ ଜୋରରେ ନିଜ ମୁଣ୍ଡଟାକୁ ଦୁଇ ହାତରେ ଚିପି ଧରିଲା । ମଝିରେ ମଝିରେ ଦୀର୍ଘନିଃଶ୍ୱାସ ଟାଣିବାକୁ ଆରମ୍ଭ କଲା । ଶରୀରଟା ତାର ଥରଥର ହୋଇ କମ୍ପିବାକୁ ଲାଗିଲା ।

 

ତା’ ଆଡ଼କୁ ଜୋ ଚାହିଁ ରହିଲା । ସେମାନେ ମଣିଷ ନୁହନ୍ତି, ମେସିନ୍ । ମନ ବୋଲି ସେମାନଙ୍କର କିଛି ନାହିଁ । ଜାପାନୀ ସୈନ୍ୟମାନଙ୍କ ବିଷୟରେ ଯେଉଁସବୁ ବର୍ଣ୍ଣନା ସେ ଶୁଣିଥିଲା, ତା’ ସାଙ୍ଗରେ ମେଳ ଖାଉନାହିଁ । ତା’ ଆଡ଼କୁ ଚାହିଁରହି ଜୋ ମନରେ ମାୟା ଜାତହେଲା । ତାର ବୀରମୂର୍ତ୍ତିଟି ଯେ ମାଟିର କଚ୍ଛପଖୋଳ ଉପରେ ରଙ୍ଗ ଦିଆଯାଇ ଗଢ଼ାଯାଇଚି ସେ କଥାଟି ଧରା ପଡ଼ିଗଲା । ଭିତରେ ତାର ଯଥାର୍ଥରେ କୌଣସି ଗୋପନତା ବା ଅଜଣା ଶକ୍ତିର ଉତ୍ସ ଲୁଚିନାହିଁ । ସାମରିକ ପୋଷାକର ଖୋଳ ଖସି ପଡ଼ିଚି । ବର୍ତ୍ତମାନ ସେ ଗୋଟିଏ ଖାଲି ମଣିଷ—ଦୁର୍ବଳ, ଅସହାୟ ଏବଂ ଏକୁଟିଆ ।

 

ତାଚ୍ଛଲ୍ୟ ସହକାରେ ଦୋଭାଷୀ କହିଲା—ଲୋକଟା କେବଳ ପ୍ରଳାପ କରୁଚି ମାତ୍ର ।

 

ଜୋ କିନ୍ତୁ ସେ କଅଣ କହୁଚି ଶୁଣିବାକୁ ଚାହିଁଲା ।

 

ସେ କହୁଚି—ମୋର ମାଆ ଏବଂ ସ୍ତ୍ରୀକୁ ଖବରଦେବା ଦରକାର ଯେ ମୁଁ ଯୁଦ୍ଧକ୍ଷେତ୍ରରେ ବୀରତୁଲ୍ୟ ମରିଯାଇଚି । ଇଂରେଜମାନେ ଅବିଳମ୍ବେ ପରାସ୍ତ ହେବେ । ମୁଁ ମଧ୍ୟ ମୁକ୍ତି ପାଇବି । ତଥାପି....... ।

 

ଲୋକଟିର ପାଉଁଶିଆ ପଡ଼ିଯାଇଥିବା ଶବତୁଲ୍ୟୁ ମୁହଁ ଆଡ଼କୁ ଅନାଇ ସମସ୍ତେ ଭାବିଲେ ଯେ ଭୋ ଭୋ ହୋଇ କାନ୍ଦି ଉଠିବା ବରଂ ଏହାଠାରୁ ଭଲ ହୁଅନ୍ତା ।

 

କିଛି ସମୟ ଦମନେଇ ବନ୍ଦୀ ପୁଣିଥରେ ଥର ଥର ହୋଇ ଥରିବାକୁ ଲାଗିଲା । ସତେକି ବନ୍ୟାଜଳପୂର୍ଣ୍ଣ ନଦୀସ୍ରୋତଟିକୁ ପିଁପା ଦ୍ୱାରା ତିଆରି ହୋଇଥିବା ପୋଣ୍ଟୁନ୍ ବ୍ରିଜର ବନ୍ଧଦ୍ୱାରା ଅଟକାଇବାକୁ ଚେଷ୍ଟା କରା ଯାଉଚି ।

 

ଏତେଗୁଡ଼ିଏ ହାତହତିଆରଧାରୀ ଶତ୍ରୁ ସମ୍ମୁଖରେ ବନ୍ଦୀଟି ସମ୍ପୂର୍ଣ୍ଣ ଅସହାୟ ଭାବେ ଛିଡ଼ା ହୋଇ ରହିଚି । ପୁଣି ଥରେ ସେ ଗୁଣୁଗୁଣୁ ହୋଇ କଅଣ କହିବାକୁ ଲାଗିଲା ।

 

ଦୋଭାଷୀ କହିଲା—ସେ କହୁଚି—“ବାନ୍‍ଜାଇ” “ବାନଜାଇ” ସମ୍ରାଟ୍‍ଙ୍କର ଜୟ, ସମ୍ରାଟ୍‍ଙ୍କର ଜୟ; କିନ୍ତୁ ମୋର କଅଣ ହେବ ? ମୁକ୍ତି ପାଇଲେବି ମୁଁ ତ ଆଉ ଦେଶକୁ ଫେରିଯାଇ ପାରିବି ନାହିଁ ! ମୋର ସ୍ତ୍ରୀ ଓ ମା ଜାଣିଚନ୍ତି ଯେ ମୁଁ ମରିଯାଇଚି; ବନ୍ଦୀ ହୋଇନାହିଁ । ସେମାନଙ୍କ ନିକଟକୁ ମୁଁ ତ ଆଉ ଫେରିନାହିଁ !

 

“ଫେରିଯାଇ ପାରିବି ନାହିଁ; ଫେରିଯାଇ ପାରିବି ନାହିଁ”—ଏହି କଥାଟିର ଧକ୍କା ସମସ୍ତଙ୍କ ମନରେ ଲାଗିଲା । ସମସ୍ତେ ଅନ୍ୟମନସ୍କ ହୋଇଗଲେ ।

 

ଭୋର ହେବାକୁ କେତେ ବାକି ଅଛି, ଏ କଥା ଠଉର କରିବାକୁ ଦେବଳ ହାତଘଡ଼ିଟାକୁ ଆଖିପାଖକୁ ଆଣିଲା ଏବଂ କାନ ପାଖକୁ ନେଲା ।

 

ଓରାୟମ କିନ୍ତୁ ହୋ ହୋ ହୋଇ ହସିଉଠି କହିଲା— “ହାଓ, ରୋମାଣ୍ଟିକ !” ଆରେ ବାବୁ, ଆମେ ବି କଅଣ ଫେରିଯାଇ ପାରିବୁ ? ସେଥିପାଇଁ ଏତେ ଭାବନା କାହିଁକି ?

 

ଜୋ କହିଲା—ତୁମର ଝଣ୍ଡା ଉଞ୍ଚାରଖ ସରଦାର । ନିଶ୍ଚୟ ଆମେମାନେ ଜିତିବା । କେବଳ ସେତିକି ନୁହେଁ, ହୁଏତ ସିଂହାପୁର ମଧ୍ୟ ଆମମାନଙ୍କ ହାତଛଡ଼ା ହେବ ନାହିଁ । ଯଦିବା ବର୍ତ୍ତମାନ ଆମେ ସେକଥାର କୌଣସି ଆଶା ଦେଖୁନାହୁଁ ।

 

ରବିନ କହିଲା—ଏଇ ଶେଷରାତ୍ରିର ଯୁଦ୍ଧ ଟିକକ ଶେଷ ବୋଲି କହୁଚ କି ? ହୁଏତ ଏ ଲୋକଟି ବନ୍ଦୀ ଜୀବନରେ ବଞ୍ଚିରହିବ; କିନ୍ତୁ ତାଠାରୁ ଆମ୍ଭମାନଙ୍କ ଭବିଷ୍ୟତ ହିଁ ଅତି ବେଶି ଅଜ୍ଞାତ-

 

କଥାଟାକୁ ଉଡ଼ାଇଦେଇ ଓରାୟମ କହିଲା—ସବୁ ଜଣା ଅଛି । ସବ୍ ଜଣା, ତୁମର କୋଲ୍ଡ଼ ମଟନ୍’ଟା ଯଦି ଠିକ୍ ଥାଏ, ତେବେ ଜାଣ ସବୁ ଠିକ୍ ଜଣାଅଛି । ଆଉ, ଯଦି ଠିକ ନଥାଏ, ତେବେ ଜାଣିବାର ଦରକାର ମଧ୍ୟ ଶେଷ ହେଲା ବୋଲି ଜାଣିବ ।

 

ଦୋଭାଷୀ ବନ୍ଦୀର ପକେଟରୁ ଗୋଟାଏ ଥଳି ଆଉ କିଛି କାଗଜ ବାହାର କରିନେଲା । ଥଳି ମଧ୍ୟରେ କୌଣସି ବୌଦ୍ଧ ମନ୍ଦିରର ମୋହରମରା ତାବିଜ ଏବଂ ଅନେକଗୁଡ଼ିଏ କବଚ ଅଛି । ତାହାରି ସାଙ୍ଗରେ ମୋଡ଼ା ହୋଇ ରହିଚି, ୩୯–ଡିଭିଜନ ପଦାତିକ ସୈନମାନଙ୍କ ଯୁଦ୍ଧକାଳୀନ ନିର୍ଦ୍ଦେଶ–”ଯଦି ତୁମର ହାତ ଭାଙ୍ଗିଯାଏ, ତେବେ ପାଦ ଦ୍ୱାରା ଯୁଦ୍ଧ କରିଯାଅ । ଦେହରୁ ଯଦି ପ୍ରାଣବାୟୁ ବି ଚାଲି ଯାଏ, ତେବେ ତୁମର ପ୍ରେତାତ୍ମା ଦ୍ୱାରା ଲଢ଼ିଚାଲ ।”

 

ଏତିକିରେ ଚତୁର୍ଦ୍ଦିଗରେ ଗୋଟାଏ ପ୍ରେତାତ୍ମାର ନିଃଶବ୍ଦ ନୀରବତା ଘେରି ଗଲାପରି ବୋଧ ହେଲା । ଦିନ ଯେତିକି ଯେତିକି ବଢ଼ିବାକୁ ଲାଗିଲା, ଟ୍ରେଞ୍ଚଉପରେ ସେତିକି ସେତିକି ନୀରବତା ବଢ଼ିବାକୁ ଲାଗିଲା । କଥା କଅଣ ? ମୁଣ୍ଡ ଉପର ଦେଇ ଗୋଳା ପଡ଼ୁନାହିଁ । ଆକାଶରେ ବୋମାରୁ ବିମାନ ଦେଖାଯାଉ ନାହିଁ । ପବନରେ ବାରୁଦ ପୋଡ଼ା ଗନ୍ଧ ନାହିଁ । ଥରେ ଖବର ନେଇ ଦେଖିବା ଦରକାର; ହୁଏତ ବର୍ତ୍ତମାନ ନିରାପଦ ଭାବେ ବାହାରକୁ ଯାଇ ଘଟନାଟାକୁ ପରୀକ୍ଷାକରି ଦେଖିବା ସମ୍ଭବ ହେବ । ଧୀରେ ଧୀରେ ନିଜେ ‘ଜୋ’ ମୁଣ୍ଡ ଉଠାଇ ଫିଲ୍ଡ଼ ଟେଲିଷ୍କୋପଟିକୁ ଆଖିରେ ଲଗାଇଲା । ଇଏ କଅଣ ? ଇଏ କି ଘଟନା ? ସିଙ୍ଗାପୁରର ସର୍ବୋଚ୍ଚ ଘରଗୁଡ଼ିକ ଉପରେ, ସରକାରୀ ପ୍ରାସାଦଚୂଡ଼ାରେ ସାଦା ପତାକା ଉଡ଼ୁଛି କାହିଁକି ? ଦୂରବୀକ୍ଷଣ ଯନ୍ତ୍ରଟିକୁ ସେ ଘୂରାଇ ଘୂରାଇ ଦେଖିଲା—ଯେଉଁ ପାହାଡ଼ର ଚାରିପଟେ ଘାଟି ପ୍ରସ୍ତୁତ କରି ଇଂରେଜ ସୈନ୍ୟମାନେ ଲଢ଼ୁଥିଲେ, ତାହାରି ଉପରେ ମଧ୍ୟ ସାଧା ପତାକା ଉଡ଼ୁଚି ।

 

ଏଥିପାଇଁ ହଠାତ ଚତୁର୍ଦ୍ଦିଗ ଏଭଳି ଶୂନଶା ହୋଇ ଯାଇଚି ।

 

ଧୀରେ ଧୀରେ ସେମାନେ ସମସ୍ତଜିନିଷ ଠୁଳ କରିନେଲେ । ଓରାୟମର କଥାଟିହିଁ ଠିକ୍-। ‘କୋଲ୍ଡ଼ ମଟନ’ ଅର୍ଥାତ୍ ଦେହ ପିଞ୍ଜରାଟି ଏଥରକ ପାଇଁ ବଞ୍ଚିଗଲା । ତେଣୁ ବଞ୍ଚିରହି କୁଆଡ଼କୁ ଯିବ ସେ ଖବରଟି ଜାଣିବାପାଇଁ ହେଡ୍‍କ୍ୱାଟର୍ସ ପର୍ଯ୍ୟନ୍ତ ଯିବା ଦରକାର ।

 

ବେଶୀ ଦୂର ଯାକେ ଯିବାକୁ ପଡ଼ିଲାନାହିଁ ।

 

ସାଦା ପତାକା ଉଡ଼ାଇ “ଡେସ୍ପାଚ୍ ରାଇଡ଼ର୍” ଦଳ ମୋଟର ସାଇକେଲରେ ଘୂରି ବୁଲୁଚନ୍ତି । ସମସ୍ତଙ୍କୁ ଜଣାଇ ଦେଉଚନ୍ତି ଯେ ବ୍ରିଟିଶମାନେ ଅତ୍ମସମର୍ପଣ କରିସାରିଚନ୍ତି; ତେଣୁ ସିଙ୍ଗାପୁରରେ ଆଉ ଯୁଦ୍ଧ ନାହିଁ । ଜଣେ ଇଂରେଜ ରାଇଡର ମୁହଁରେ ଆନନ୍ଦର ଭାବ ଦେଖାଗଲା ।

 

ଆମଦଳ ମଧ୍ୟରେ ଜଣେ ଇଂରେଜକୁ ଦେଖି ସେ ସାଇକେଲ ଇଞ୍ଜିନ ବନ୍ଦ କଲା ଏବଂ ସାଲ୍ୟୁଟ କରି କହିଲା—ସାର, ଆପଣଙ୍କୁ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିବ । ମୋ ସାଇକେଲରେ ଥିବା ପାଇଲଟର ସିଟରେ ଆସି ବସିପଡ଼ନ୍ତୁ ।

 

‘ତା’ ମାନେ ?’

 

ଜୋ ସଲାମର ପ୍ରତି—ସଲାମ ଦେଇ ଅବାକ୍ ହୋଇ ଏ ପ୍ରଶ୍ନଟି କଲା ।

 

—ଆମେ ଇଂରେଜ ଏବଂ ଅଷ୍ଟ୍ରେଲିୟମାନେ ଯୁଦ୍ଧବନ୍ଦୀ ହୋଇଛୁଁ । ଜାପାନୀମାନଙ୍କ ନିକଟରେ ଆମ୍ଭେମାନେ ବିନାସର୍ତ୍ତରେ ଆତ୍ମସମର୍ପଣ କରିସାରିଛୁଁ ।

 

—ତା ତ ବୁଝିଲି; କିନ୍ତୁ ମୋ ଅଧୀନରେ ଯେଉଁସବୁ ଭାରତୀୟ ଅଫିସର ଓ ସୈନ୍ୟ ଅଛନ୍ତି ସେମାନଙ୍କୁ କାହିଁକି ଅନ୍ୟତ୍ର ଯିବାକୁ ପଡ଼ିବ ? ଆତ୍ମସମର୍ପଣ ପାଇଁ ସେମାନଙ୍କୁ ମୁଇଁତ ନେଇ ଯିବାର କଥା ।

 

ରାଇଡ଼ରଟି ଇତସ୍ତତଃ ଭାବେ କହିଲା—ନା, ଠିକ ସେ କଥା ନୁହେଁ । ଆମେମାନେ ହେଲୁ ଯୁଦ୍ଧବନ୍ଦୀ । ଆନ୍ତର୍ଜାତିକ ନିୟମ ଅନୁସାରେ ଜାପାନୀମାନେ ଆମ୍ଭମାନଙ୍କୁ ବନ୍ଦୀକରି ରଖିବେ; କିନ୍ତୁ ଆମ୍ଭମାନଙ୍କ ମୁଖପାତ୍ର କର୍ଣ୍ଣେଲ ହାଣ୍ଟ୍ ଜଣାଇଛନ୍ତି ଯେ ଭାରତୀୟ ସୈନ୍ୟ ଏବଂ ଅଫିସରମାନଙ୍କୁ ଜାପାନୀମାନଙ୍କ ହାତରେ ଛାଡ଼ି ଦିଆଯିବ ।

 

ଦେବଳ ଆଗେଇ ଆସି ଦୃଢ଼ କଣ୍ଠରେ କହିଲା—ତା’ ମାନେ ? ପୁଣିଥରେ ଆମ୍ଭମାନଙ୍କ ପ୍ରତି ପୃଥକ୍ ବ୍ୟବହାର କରାଗଲା ? ଯୁଦ୍ଧବନ୍ଦୀ ଭାବେ ଆମ୍ଭେମାନେ ଆନ୍ତର୍ଜାତିକ ନିୟମର ସୀମା ମଧ୍ୟରେ ଥିବାଯାକେ ଜାପାନୀମାନେ ରିତିମତ ଦେଖାଶୁଣା କରିବାକୁ ବାଧ୍ୟ; କିନ୍ତୁ ଯୁଦ୍ଧବନ୍ଦୀର ବଞ୍ଚି ରହିବାର ଅଧିକାରରୁ ତୁମ୍ଭେମାନେ ଆମ୍ଭମାନଙ୍କୁ ବଞ୍ଚିତ କରୁଚ !

 

ଘାବଡ଼େଇ ଯାଇ ରାଇଡ଼ର କହିଲା—ଏହାହିଁ ହେଲା ମୋ ପ୍ରତି ହୁକୁମ । ମୁଁ ଆଉ ଅଧିକ କିଛି ଜାଣେ ନାହିଁ ।

 

କ୍ରୋଧରେ ଅଧୀର ହୋଇଉଠି ଓରାୟମ ଆଗେଇ ଆସି କହିଲା—“ହୁକୁମ୍ କି ବାତ୍ ଛୋଡ଼ୋ ଜି” । କ୍ରୋଧରେ ତା’ ମୁଖରୁ ଆଉ ଇଂରେଜି ଭାଷା ବାହାରିଲା ନାହିଁ । ମୁଠା ବନ୍ଦକରି ଘୁସି ମାରିବା ପାଇଁ ଉଦ୍ୟତ ହୋଇ ସେ କହିଲା—ତୁମ୍ଭେମାନେ ଆମ୍ଭେମାନଙ୍କୁ ‘ବିଟ୍ରେ’ (ବିଶ୍ୱାସ ଘାତକତା) କଲ । ଚୋରପରି ବ୍ୟବହାର କରିବସିଲ ।

 

ରାଇଡ଼ର ଚୁପ୍‍ ହୋଇ ରହିଲା ।

 

ଓରାୟମ ପୁଣି ଥରେ ହାଙ୍କିଲା—‘ଇଉ କାଉଆର୍ଡ଼ସ୍’, ଏଇ ହେଲା ତୁମ୍ଭମାନଙ୍କର ‘ଷ୍ଟେଟ୍‍ସ୍‍ମ୍ୟାନସିପ୍ ? ବ୍ରିଟିଶ ଜଷ୍ଟିସ୍ ? ଲଏଲ୍‍ଟି ?

 

ରାଇଡ଼ର ତୁନି ହୋଇ ରହିଲା ।

 

ଆହୁରି ଅଧିକ ଉତେଜିତ ହୋଇଉଠି ଓରାୟମ କହିଲା—ନା, ଲୁଚାଚୋରା ଭାବେ ତୁମ୍ଭମାନଙ୍କ ମଧ୍ୟରେ ଆପୋସରେ ଯଦି ଏଭଳି ବନ୍ଦୋବସ୍ତ କରା ଯାଇଥାଏ, ତେବେ ତାହା ମୁଁ ମାନିବି ନାହିଁ । ମୋର ଏଇ ଇଉନିଫର୍ମର ମର୍ଯ୍ୟାଦା ସମସ୍ତଙ୍କ ଲାଗି ରକ୍ଷା କରାଇ ନେବି । ଇଂରେଜ ହୁଅନ୍ତୁ, କି ଜାପାନୀ ହୁଅନ୍ତୁ, ମୋର ଏଇ ଇଉନିଫର୍ମକୁ ମାନିବାକୁହିଁ ପଡ଼ିବ ।

 

ଏଥର ରାଇଡ଼ର ଜବାବ ଦେଲା—ଦୁଃଖିତ ହୁଅନାହିଁ ଅଫିସର । ମେଜର ଫୁଜିଆରା ଭରସା ଦେଇଚନ୍ତି ଯେ ଭାରତୀୟ ସୈନ୍ୟ ଏବଂ ଅଫିସରମାନଙ୍କୁ ବନ୍ଦୀ କରାଯିବ ନାହିଁ । ସେ ସମସ୍ତଙ୍କୁ ଛାଡ଼ି ଦିଆଯିବ । ସେମାନେ ସ୍ଵାଧୀନ ଭାବେ ରହିପାରିବେ ।

 

ଏଥର ରବିନ ଆଗେଇ ଆସି କହିଲା—ଅର୍ଥାତ୍ ଆମେ ଗୋରୁ ମେଣ୍ଢା ପରି ଚରିବୁଲିବୁ ? ତଫାତ୍ ହେଲା, ସଂନ୍ଧ୍ୟା ବେଳକୁ ଖୁଆଡ଼ ଭିତରକୁ ଲେଉଟି ଆସି ଦାନାପାଣି ମୁନ୍ଦାକବି ପାଇପାରିବୁଁ ନାହିଁ । ଇଂରେଜ ତା’ ଦୁଷମନ୍‍କୁ ମଧ୍ୟ ତା ଦାୟିତ୍ଵର ରିହାତି ଦେଇଦେଲା । ଆଉ ଆମର ?

 

ଓରାୟମ ହସି ଉଠି କହିଲା—ଜୟ ବ୍ରିଟାନିଆ ! ଜୟ ନିପନ୍, ଚମତ୍କାର ବୁଦ୍ଧିର ଖେଳ-!

 

ଦେବଳ ଦୃଢ଼କଣ୍ଠରେ କହିଲା—ଏତେ ସହଜରେ ଖେଳଟା ଖତମ ହେଉନାହିଁ ଓରାୟମ ! ଇଂରେଜ ଆଜି ଆମମାନଙ୍କୁ ଦାସତ୍ଵର ବନ୍ଧନରୁ ମୁକ୍ତି ଦେଲା । ବର୍ତ୍ତମାନ ଜାପାନୀ ନିକଟରେ ଦାସତ୍ଵର ଚୁକ୍ତିପତ୍ର ଲେଖିଦେବାର ଦାୟିତ୍ଵ ଆମମାନଙ୍କର ନାହିଁ । ଆମେ ଏଣିକି କଅଣ କରିବୁଁ ସେକଥା ବିଚାର କରି ଦେଖିବା ପାଇଁ ବାଟ ଖୋଲିଗଲା । ତା’ ପୂର୍ବରୁ କିନ୍ତୁ ଆମେମାନେ ଝଣ୍ଡା ଉଡ଼ାଇ କହି ଉଠିବା—ଜୟ ହିନ୍ଦୁସ୍ଥାନ ।

 

ରାଇଡ଼ର ପକ୍ଷେ ଏସବୁ କଥା ସହ୍ୟ ହେଉନଥିଲା । ଜୋକୁ ସେ ସଲାମ କରି ମଟରସାଇକେଲର ପାଖସିଟରେ ଚଢ଼ି ବସିବାକୁ ପୁଣି ଥରେ ଅନୁରୋଧ କଲା ।

 

କିନ୍ତୁ ଜୋ’ବା ଯାଉଚି କେମିତି ? ତାର ଭାରତୀୟ ସାଥିଗୁଡ଼ିକ, ଏତେଦିନର ସେମାନେ ହେଲେ ମରଣପଥର ବନ୍ଧୁ, ନିଜର ଅନୁଗତ ଅଫିସରମାନଙ୍କୁ କିଭଳି ପ୍ରକାରେ ଛାଡ଼ିଯିବ ?

 

ସେ ସମସ୍ତଙ୍କ ଆଡ଼କୁ ଚାହିଁ କହିଲା—ଓରାୟମ ଯାହା କହୁଚି ତାହା ଠିକ୍ । ତୁମ୍ଭମାନଙ୍କ ଇଉନିଫର୍ମର ସମ୍ମାନ ମୋତେହିଁ ରଖିବାକୁ ପଡ଼ିବ । ତୁମରିମାନଙ୍କ ସଙ୍ଗରେ ମୁଁ ହେଡ୍‍କ୍ୱାଟର ପର୍ଯ୍ୟନ୍ତ ଚାଲି ଚାଲି ଯିବି । ସେଠି ପହୁଞ୍ଚି ତୁମ୍ଭମାନଙ୍କ କଥା ବୁଝାଇବି । ଏ ବ୍ୟବସ୍ଥା ବଦଳାଇବା ପାଇଁ ଚେଷ୍ଟା କରିବି ।

 

ରାଇଡ଼ର ବାଧାଦେଇ କହିଲା—ବୃଥା ଚେଷ୍ଟା କରିବେ ନାହିଁ ସାର ! ଲେଖାଲେଖି ଓ ଦସ୍ତଖତ ସରିଗଲାଣି । ମୋରି ପାଖରେ ହୁକୁମଟି ଅଛି । ଏକା ଆପଣ ମୋ ସାଙ୍ଗରେ ଚାଲି ଆସନ୍ତୁ; ହୁକୁମ ଅଛି ।

 

ତଥାପି ‘ଜୋ’ ତିଳେ ହେଲେ ବିଚଳିତ ହେଲା ନାହିଁ ।

 

ଅଳ୍ପ ସମୟରେ ସେ ବ୍ୟାକୁଳ ହୋଇ ପାଗଳ ପରି ଏକାବେଳକେ ତିନିଜଣଙ୍କ ହାତ ଧରିପକାଇ କହିଲା–ତୁମମାନଙ୍କୁ ଜଣାନାହିଁ; କିନ୍ତୁ ବିଶ୍ୱାସ କର ଯେ ମୁଁ ନିଜେ ଜୋରକରି ତୁମ୍ଭମାନଙ୍କ ସଙ୍ଗରେ ‘ଡେଭିଲସ୍ ସେକଟର’ ମଧ୍ୟକୁ ପହରା ଦେବାକୁ ଆସିଥିଲି । କେବଳ ଏକା ତୁମ୍ଭମାନଙ୍କୁ ସେଠାକୁ ପଠାଇବା ପାଇଁ ଆଦେଶ ହୋଇଥିଲା । ମାତ୍ର ସେ ଆଦେଶ ମୁଁ ମାନିଲି ନାହିଁ-

 

ଦେବଳହିଁ ଉତ୍ତର ଦେଲା—କିନ୍ତୁ ବର୍ତ୍ତମାନ ଆପଣଙ୍କୁ ହୁକୁମ ମାନିବାକୁ ପଡ଼ିବ ସାର । ଆମେମାନେତ ଆପଣଙ୍କୁ ଭୁଲ୍ ବୁଝିନାହୁଁ; କିନ୍ତୁ ଇଂରେଜ ସାମ୍ରାଜ୍ୟ ଏବଂ ହିନ୍ଦୁସ୍ଥାନ ମଧ୍ୟରେ ଏହିଠାରୁ ଛଡ଼ାଛଡ଼ି ଆରମ୍ଭ ହେଲା । ଏହି ସମର୍ପଣ ସର୍ତ୍ତକୁ ଧନ୍ୟବାଦ ଜଣାଉଚି । ବ୍ରିଟିଶର ଅଧୀନ ହିସାବରେ ଥିବାର ସମସ୍ତ ଦାୟିତ୍ଵରୁ ଆଜି ଆମେ ମୁକ୍ତ ଏବଂ ସ୍ଵାଧୀନ ।

 

ସାତ

 

ଜାପାନୀ କବଳରେ ପ୍ରାୟ ଦେଢ଼ବର୍ଷ କଟିଗଲା ।

 

ଘଟନାପୂର୍ଣ୍ଣ ଦୀର୍ଘ ଦେଢ଼ବର୍ଷ; ଦିନ କିନ୍ତୁ ସରିନାହିଁ । ସେମାନେ ଯେଉଁସବୁ ଶିବିରରେ ଅଟକ ହୋଇ ଅଛନ୍ତି, ସେଗୁଡ଼ିକ ବନ୍ଦୀ-ଶିବିର ଠାରୁ ଅଧମ । ଜାପାନୀମାନେ ଭାରତୀୟ ସିପାହିମାନଙ୍କୁ ଯୁଦ୍ଧବନ୍ଦୀକରି ରଖିଲେ ନାହିଁ କିମ୍ବା ସାଧାରଣ ଲୋକଙ୍କ ପରି ବସବାସ କରି ରହିବାକୁ ସୁବିଧା ଦେଲେ ନାହିଁ । ମୃତ୍ୟୁହିଁ ସେମାନଙ୍କର ଏକମାତ୍ର ପଥ ।

 

ଯବାନମାନେ ଯେଉଁଠାରେ ରୋଗ ଓ କ୍ଷୁଧା ଭୋଗକରି ପୋକମାଛି ପରି ମରୁଛନ୍ତି, ସେଠି ପୁଣି କିଏ ଅବା ସମୟର ହିସାବ ରଖୁଚି ? ପ୍ରଥମ ଦୁଇମାସ ମଧ୍ୟରେ ସାତହଜାର ସିପାହି ଗୋଟିଏମାତ୍ର ଆମାଶୟ ରୋଗରେ ଶୋଇଗଲେ । କେବଳ ଦିମୁଠା ଚାଉଳ ଏବଂ ଲୁଣ, ଏତିକି ମାତ୍ରର ବ୍ୟବସ୍ଥା । ଦିନେ ଅଧେ ଡାଲି ଟିକେ ଜୁଟିଗଲେ ସେଦିନଟିକୁ ମହୋତ୍ସବ ରୂପେ ଗଣାଯାଏ-। କଳପାଣି ଏବଂ ଏ ଯୁଗର ସାନିଟାରି ପାଇଖାନା କାହାକୁ କହନ୍ତି, ସେକଥା ସମସ୍ତେ ପାସୋରି ପକାଇଲେ । ବେଳ ଉଣ୍ଡି ଦେଖାଦେଲା ବେରିବେରି ।

 

ସୈନ୍ୟଦଳ ମଧ୍ୟରେ ଡାକ୍ତର ଥିଲେ ବେଶି ଅଂଶ ବଙ୍ଗାଳୀ । ସେମାନେ ଚାଉଳକୁ ସିଝାଇ ପତାଳାକନାରେ ଛାଙ୍କି ସରବତ୍ ତିଆରି କରିବାକୁ ଲାଗିଲେ । ନାଆଁ ଦେଲେ—ଖାମିରା ସରବତ୍ । ସରବତ ବୋଲି ମନେ ହେଉନାହିଁ; ପାଟିକି ରୁଚୁନାହିଁ; ତେଣୁ ଖୋଜା ପଡ଼ିଲା ଲେମ୍ବୁଗଛ । ଦିଟୋପା ଲେମ୍ବୁରସ ଆଉ ତା’ ସାଙ୍ଗକୁ ରୁଆଏ ଚିନି ଅଥବା ଲୁଣ । ତୁମ ଭାଗ୍ୟ ଭଲ ଥିଲେ ସେତିକିରେ ବେରିବେରି ଛାଡ଼ି ଯାଇପାରେ ।

 

କିନ୍ତୁ କୌଣସି ‘ଦବେଇ’ ପାଇବା ଆଶାରେ ଚାହିଁବସ ନାହିଁ । ଗୋରାଲୋକେ ଯୁଦ୍ଧବନ୍ଦୀ ହେବା ସମୟରେ ପାଖରେ ଯେତେକ ଔଷଧପତ୍ର ଥିଲା, ସେ ସବୁଯାକ ନିଜ ନିଜର ବନ୍ଦୀ ଶିବିରକୁ ଘେନି ପଳାଇଚନ୍ତି ।

 

ଦିନେ ଖବର ମିଳିଲା ଯେ ଇଂରେଜ ବନ୍ଦୀମାନେ ଗୋଟାଏ ପ୍ରକାର ଘାସ ଖୋଜି ପାଇଚନ୍ତି । ତାହାରି ଦ୍ଵାରା ତରକାରୀ କାମ ଚଳି ଯାଉଚି । ଖୋଜା ପଡ଼ିଲା ସେ ଘାସ କୋଉଠି ମିଳିବ ।

 

ଦେବଳ ରୁକ୍ଷ ହୋଇ ଉଠି କହିଲା—ନା, କେଭେଁ ନୁହେଁ । ମଣିଷର ମୂଲ୍ୟ ତ ମାତ୍ର ତେରଅଣା । ସେଥିପାଇଁ ଗୋରୁମେଣ୍ଢା ଦଳରେ ନାମ ଲେଖାଇବି କାହିଁକି ?

 

ତେରଅଣା ? ମଣିଷର ଦାମ ତେରଅଣା ? ତା’ ଚାରିପଟେ ଦଳ ଦଳ ହୋଇ ଭାରତୀୟ ବନ୍ଦୀମାନେ ଜମା ହୋଇଗଲେ । ସେହିମାନଙ୍କ ମଝିରେ ଛିଡ଼ାହୋଇ ଦେବଳ ଉଚ୍ଚକଣ୍ଠରେ ଚିତ୍କାର କରି ଉଠିଲା—ଭାଇମାନେ ବୈଜ୍ଞାନିକମାନେ କହନ୍ତି ଯେ ମଣିଷର ଶରୀରଟା ନଷ୍ଟ ହୋଇଗଲେ ଯେଉଁସବୁ କାର୍ବନ ଜାତୀୟ ପଦାର୍ଥ ବାକି ରହେ, ତାର ମୂଲ୍ୟ ମାତ୍ର ତେରଅଣାରୁ ବେଶି ନୁହେଁ । ଖାଇବାକୁ ନପାଇ, ରୋଗ ଭୋଗି ଭୋଗି ଆମ୍ଭେମାନେ ମୂଷାପରି ହୋଇଗଲୁଣି । ଜୀବନରେ ପଞ୍ଜରା ଖଣ୍ଡିକର ମୂଲ୍ୟ ଏତେ ପରିମାଣରେ କମିଗଲାଣି ଯେ, ଜାପାନୀମାନେ ସେତିକି ପାଇଁ ଛଅଅଣା ମୂଲ୍ୟର ଗୋଟାଏ ସୀସା ଗୁଳିମଧ୍ୟ ଆଜିକାଲି ଖରଚ କରିବେ ନାହିଁ ।

 

“ତେବେ ଦେବଳ ଭାଇ, କଅଣ କହିବାକୁ ଚାହେଁ ?”

 

ଜଣେ ଗୁଜରାଟୀ ଅଫିସର ଏହି ପ୍ରଶ୍ନଟି କରି ବସିଲା । ଅସହାୟ ମୃତ୍ୟୁର ସାମନାସାମନି ଛିଡ଼ାହୋଇ ସେମାନେ ପରସ୍ପର ମଧ୍ୟରେ ଅତି ନିକଟକୁ ଆସିଯାଇ ପାରିଚନ୍ତି । ତେଣୁ ଦେବଳ ବର୍ତ୍ତମାନ ସେମାନଙ୍କ ନିକଟରେ ଗୁଜରାଟୀ ପ୍ରଥା ଅନୁସାରେ “ଦେବଳ ଭାଇ”, ସମସ୍ତେ ‘ଭାଇଭାଇ’।

 

“ମୋର କହିବା କଥାଟା ଖୁବ୍ ସାମାନ୍ୟ ଏବଂ ଖୁବ୍ ବଡ଼ । କେତୁଟା ଘଟନା ଉଲ୍ଲେଖ କରୁଚି ଶୁଣ । ଧର ଜାପାନୀମାନେ ଆମ୍ଭମାନଙ୍କୁ ପେଟୁ ବୋଲି ରୋଜ ରୋଜ ଗାଳି ଦିଅନ୍ତି । ମନେକରନ୍ତି ଆମ୍ଭେମାନେ ବର୍ତ୍ତମାନ ସୁଦ୍ଧା ଖାଇବା ସୁଖରେ ମାତି ରହିଚୁଁ । ତା’ ନହେଲେ ଓଳିଏ ଖାଇବା ପାଇଁ ଚାଉଳ, ଡାଲି, ଲୁଣ, ତେଲ, ଲଙ୍କା ଓ ମସଲାମସଲି ଏତେ ଜିନିଷ ଦରକାର ହୁଅନ୍ତା କାହିଁକି ? ମନେଥିବ, ଦିନେ ସେମାନେ କେବଳ ଲଙ୍କାମରିଚ ଦେଇ କହିଲେ—ସେତିକିରେ ଆମମାନଙ୍କର ସେଦିନର ସବୁ କାମ ତୁଟିଗଲା । ତା’ ସଙ୍ଗେ ସଙ୍ଗେ ନୋଟିସ ଦେଇଗଲେ ଯେ—ତା’ ପରଦିନ ଯୋଗାଇବେ କେବଳ ତେଲ ।

 

ସମସ୍ତେ ମୁଣ୍ଡ ନୁଆଇଁ ରହିଗଲେ ।

 

ପୁଣି ଥରେ ଦେବଳ ଆରମ୍ଭ କଲା—ତୁମ୍ଭେମାନେ କେହି ସେଦିନ ଖାଇବାକୁ ପାଇନାହଁ; ତଥାପି ଲଙ୍କାର ରେସନ ନଖାଇ ମଧ୍ୟ ରାଗୁଆ ଲଙ୍କା ଖାଇଲା ଭଳି ତୁମ ସମସ୍ତଙ୍କ ଆଖିରୁ ଲୁହ ବହୁଥିଲା । କିନ୍ତୁ ଏଭଳି ବ୍ୟାପାରଟା କଅଣ କେବଳ ସେମାନେ ଆମମାନଙ୍କ ଖାଦ୍ୟର ଖବର ଜାଣନ୍ତି ନାହିଁ ବୋଲି ଘଟିଗଲା ? ନା ନା ଆମମାନଙ୍କୁ ସେମାନେ ମଣିଷ ତଳେ ଗଣନ୍ତିନାହିଁ ବୋଲି ।

 

ଟିକେ ଅଧେ ଗୁଣୁଗୁଣୁ ଧ୍ଵନି ଗହଳି ଭିତରେ ଶୁଣାଗଲା । କେହି ହୁଏତ ବିଶ୍ୱାସଘାତକତା କରିବସିବ, ତାକୁ ବିଶ୍ୱାସ ନାହିଁ । କେହି ଅବା ଜାପାନୀମାନଙ୍କ ଗୁପ୍ତଚର ଥିବ ! ସମସ୍ତେ ଆଡ଼ଆଖିରେ ଏଣେତେଣେ ଅନାଇ ରହିଲେ ।

 

କିନ୍ତୁ ଦେବଳର ଡରଭୟ ନାହିଁ । ଜୀବନରେ ଆଉ କଅଣ ବାକି ରହିଲା ଯେ ସେ ଡରିଯିବ ? ପୁଣିଥରେ ସେ ଆରମ୍ଭ କଲା—ସମସ୍ତେ ତୁମେ ଜାଣିଚ । ତଥାପି ମନେ ପକାଇଦେବା ଦରକାର । ମନେଥିବ, ସେଦିନ ଜାପାନୀ ପହରାବାଲାମାନେ ଘାଟିପାଖଦେଇ ଯିବା ସମୟରେ ତୁମ୍ଭେମାନେ ନିୟମ ଅନୁସାରେ ସେମାନଙ୍କୁ ସଲାମ କରିବାସତ୍ଵେ ପହରାବାଲା ଆସି ଆମ୍ଭମାନଙ୍କ ଅଫିସରଙ୍କୁ ଚାପୁଡ଼ା ମାରିଲା । ସେ କଥାଟା କେମିତିଆ ? ତୁମେ ସବୁ ପ୍ରତିବାଦ କରିବାସତ୍ଵେ ସେମାନେ ଶୁଣିଲେ ନାହିଁ । ଏକଥାଟି ଭୁଲି ଗଲ କି ?

 

ବାଧା ଦେବାପାଇଁ ଜଣେ ଆଗେଇ ଆସି କହିଲା—କିନ୍ତୁ ଭୁଲିଯାଅ ନାହିଁ ଯେ ସେ ଘଟନା ପରେ ପରେ ସେହି ଜାପାନୀଟି ଆସି ଅଫିସରଙ୍କୁ ତାଙ୍କ କାନ୍ଧ ଉପରେ ଦୁଇଟି ତାରାଚିହ୍ନ ଥିବାର ଦେଖିପାରି ନଥିଲା ବୋଲି କ୍ଷମା ମାଗିଥିଲା ଏବଂ ନିଜେ ଚାପୁଡ଼ା ଖାଇବା ପାଇଁ ନିଜ ଗାଲଟିକୁ ଦେଖାଇ ଦେଇଥିଲା ।

 

ଦେବଳ ହାରିଯିବାର ପାତ୍ର ନୁହେଁ । କହିଲା—ସେଥିରେ କଅଣ ଅଛି ? ତୁମେମାନେ ପରାଧୀନ ବୋଲି ସେ ଚାପୁଡ଼ା ମାରିଥିଲା ।

 

କିନ୍ତୁ ଇଂରେଜମାନଙ୍କୁ ମଧ୍ୟ ସେମାନେ କମ ବେଜିତ କରନ୍ତି ନାହିଁ । ଆମ ଭାରତୀୟ ସିପାହୀମାନଙ୍କୁ ଘେନି ଇଂରେଜ—ବନ୍ଦୀ ଶିବିରରେ ପହରାବାଲା ବନାନ୍ତି । ଆମେ ନଅଶହ ଗୋଲନ୍ଦାଜ ପଠାଇଛୁଁ ।

 

ଇଂରେଜମାନେ ହେଲେ ସେମାନଙ୍କ ଶତ୍ରୁପକ୍ଷ—ସମାନ ସମାନ; କିନ୍ତୁ ଆମେ କଅଣ-? କେବଳ ପରାଧୀନ । ଆମ୍ଭମାନଙ୍କର କୌଣସି ମର୍ଯ୍ୟାଦା ନାହିଁ । ସେଦିନ ଏତେ ଧରାଧରି କଲାପରେ ଯାଇ ସେମାନେ ଆମ ରୋଗୀମାନଙ୍କୁ ଦୁଧଟିକିଏ ଖାଇବାକୁ ଦେବାପାଇଁ ରାଜିହେଲେ; କିନ୍ତୁ କହିଲେ—ଦୁଧ ଦେବା ବଦଳରେ ଗାଈ ଦେବୁଁ । ନିଜେ ଖାଇବାକୁ ନ ପାଇଲେ ସୁଦ୍ଧା ଯଦି ଗାଈକୁ ଖାଇବାକୁ ଦେଇପାର, ତେବେ ଯାଇ ଦୁଧ ପାଇପାରିବ । ଶେଷରେ କିନ୍ତୁ ପାଇଲ କଅଣ ?

 

ଷଣ୍ଢ ଷାଠିଏଟି, ହୃଷ୍ଟପୁଷ୍ଟ ବଳିଷ୍ଠ ଷଣ୍ଢ । ଆମେ ଆପତ୍ତି କଲାରୁ ସତେକି ସେମାନେ ଆକାଶରୁ ପଡ଼ିଗଲେ । ଓଲଟି ପ୍ରଶ୍ନ କରି ବସିଲେ—କାହିଁକି ? ଷଣ୍ଢକୁ ଦୁଧ ଦେବାକୁ ଶିଖେଇ ନେଇପାର ।

 

ଗୁଜରାଟି ଲୋକଟି କହିଲା—କିନ୍ତୁ ଦେବଳ ଭାଇ, ଭୁଲ ବୁଝା–ମଣାରୁବି ଏଭଳି ଅଭିଯୋଗ ହେବା ସମ୍ଭବ ହୋଇପାରେ । ତୁମର ବକ୍ତବ୍ୟଟି କଅଣ ଫିଟାଇ କୁହ ।

 

ଉଚ୍ଚସ୍ଵରରେ ଦେବଳ କହିଲା—ମୋର କହିବାର ବେଶି କିଛି ନାହିଁ । ଏତିକି କହୁଚି ଯେ ତୁମ୍ଭେମାନେ ଯୁଦ୍ଧ କରିବାକୁ ଆସିଥିଲ ସିନା, ମାଛିପରି ମାରିବାକୁ ଆସି ନ ଥିଲ ତ ! ତେଣୁ ତୁମ୍ଭମାନଙ୍କୁ ବର୍ତ୍ତମାନ ପୁଣିଥରେ ଲଢ଼ିବାକୁ ପଡ଼ିବ। ଏଥର କିନ୍ତୁ ଅନ୍ୟ ଉଦ୍ଦେଶ୍ୟ ଘେନି । ଏଣିକି ତୁମର ଶତ୍ରୁ ଅଲଗା ।

 

ସଙ୍ଗେ ସଙ୍ଗେ ଅନେକେ ଉଦ୍ଦେଶ୍ୟଟା ଅନ୍ଦାଜ କରି ନେଲେ । ସିଙ୍ଗାପୁର ପତନର ଦିନେ ଦୁଇଦିନ ମଧ୍ୟରେ ଏ ବିଷୟରେ ଆଲୋଚନା ଆରମ୍ଭ ହୋଇ ଯାଇଥିଲା । ଆଇ ଏନ୍.ଏ ଦଳ ମଧ୍ୟ ପ୍ରସ୍ତୁତ ହୋଇ ଯାଇଥିଲା । କାପଟେନ୍ ମୋହନ ସିଂହଙ୍କ ଚେଷ୍ଟାରେ କେତେକେ ମଧ୍ୟ ତହିଁରେ ଯୋଗଦେଇ ସାରିଥିଲେ । ଜାପାନରୁ ରାସବିହାରୀ ବୋଷ ଆସି “ଇଣ୍ଡିଆନ ଇଣ୍ଡିପେଣ୍ଡେଣ୍ଡସ୍ ଲିଗ” ଗଢ଼ିଦେଲେ । କିନ୍ତୁ ସେଭଳି କିଛି କାମ ହୋଇ ପାରିଲା ନାହିଁ । ଯେଉଁମାନେ ଯୋଗ ନଦେଲେ, ସେମାନଙ୍କ ଉପରେ ଚାପ ଦିଆଯାଇ ରାଜି କରାଗଲା । ଯେଉଁମାନେ ବି ଯୋଗଦେଲେ, ସେମାନଙ୍କ ମଧ୍ୟରୁ ଶେଷଆଡ଼କୁ ଅନେକେ ଧୀରେ ଧୀରେ ଛାଡ଼ି ପଳାଇଲେ । ନାମକାବାସ୍ତେ ଯେତିକି ରହିଗଲେ ସେତିକି ।

 

ତେଣୁ ଦେବଳ ସେହି ପୁରୁଣା କଥାଟାକୁ ଆଉଥରେ ଉଠାଇଲାବେଳକୁ କେହି ଉତ୍ସାହିତ ହେବାର ଦେଖାଗଲା ନାହିଁ । ଦେଖୁ ଦେଖୁ କେତେଜଣ ଆତ୍ମଗୋପନ କରିବା ଉଦ୍ଦେଶ୍ୟରେ ଦୂରେଇ ଗଲେ । କିଏ କେଉଁଠି ଲୁଚିଛପି ରହି ଗୁପ୍ତଚରର କାମ କରୁନାହିଁ ବୋଲି କିଏ ବିଶ୍ୱାସ କରିବ ? ଊଣେଇଶ ଶହ ତେୟାଳିଶ ମସିହା ଏପ୍ରିଲ ମାସରେ ସିଙ୍ଗାପୁରର କନ୍‍ଫରେନସରେ ରାସବିହାରୀ ବୋଷ ଜାପାନୀମାନଙ୍କ ନିକଟରେ ପ୍ରସ୍ତାବ ବାଢ଼ି କହିଲେ— “ସ୍ଵାଧୀନତା ଯୁଦ୍ଧର ପରିଚାଳନାଭାର ଗ୍ରହଣ କରିବା ପାଇଁ ସୁବାସବୋଷଙ୍କୁ ଜର୍ମାନରୁ ମାଲୟକୁ ଅଣାଯାଉ।” କିନ୍ତୁ ସେ ପ୍ରସ୍ତାବ ଉପରେ କୌଣସି ଉତ୍ତର ମିଳିଲା ନାହିଁ । ସୁତରାଂ ଚୁପ୍‍ଚାପ୍‍ ରହି ଯିବାହିଁ ବୁଦ୍ଧିମାନ୍ ବ୍ୟକ୍ତିର କର୍ତ୍ତବ୍ୟ ।

 

ଲୋକଗହଳି ଭିତରୁ ଜଣେ ଆଗେଇ ଆସି ବାଧାଦେଇ କହିଲେ,—ସେଭଳି କଥା ଆମେ ଅନେକ ଶୁଣିଚୁ । ତୁଚ୍ଛାକଥାରେ କିନ୍ତୁ ଚୁଡ଼ା ଭିଜେ ନାହିଁ ।

 

ଦେବଳ ତତ୍‍କ୍ଷଣାତ୍ ଜବାବ ଦେଲା—କିନ୍ତୁ ମନ ଭିଜେ । ଦୁଃଖର ବିଷୟ ତୁମମାନଙ୍କର ମନ ମଧ୍ୟ ଭିଜିଲା ନାହିଁ ! ଆଜିଯାକେ ନିଜ ଦେଶକୁ ତୁମେ ଭଲ ପାଇପାରିଲ ନାହିଁ-! ଦେଶର ସ୍ଵାଧୀନତା ପାଇଁ ଯୁଦ୍ଧକୁ କେବଳ ଜାପାନୀ ଏବଂ ଇଂରେଜମାନଙ୍କ ଆଖିରେ ଦେଖିଲ ? ହେଇ, ଏତେ ଦୂରରେ ଆମ ଦେଶ ମଧ୍ୟରେ ଥାଇ ଲୋକେ ଗାନ୍ଧଜୀଙ୍କ ଡାକ ଶୁଣି ତୁଚ୍ଛାହାତରେ ବି ସ୍ଵାଧୀନତା ପାଇଁ ଯୁଦ୍ଧ କଲେ ଜେଲ ଗଲେ, ଏବଂ ମଲେ । ଆଉ, ତୁମେ ଅଧଲକ୍ଷେ ସୈନ୍ୟ ଆଧୁନିକ ଅସ୍ତ୍ରଶସ୍ତ୍ର ଚାଳନାରେ ଓସ୍ତାତ୍ ହୋଇଥିଲେ ସୁଦ୍ଧା ସେହି ସ୍ୱାଧୀନତା ପାଇଁ କିଛିମାତ୍ର କରିପାରିଲ ନାହିଁ ମାଆର ୠଣ ଲେଶମାତ୍ର ଶୁଝି ପାରିଲ ନାହିଁ ?

 

ରବିନ ଉଠିପଡ଼ି ଗୋଟାଏ ମୋଡ଼ିଆ ଉପରେ ଛିଡ଼ା ହୋଇଗଲା । କହିଲା—ଠିକ୍‍ କଥା କହିଚ । କେବଳ ମାତୃଋଣ ନୁହେଁ, ଅସ୍ତ୍ରଗୁରୁର ଋଣ ମଧ୍ୟ । ଯେଉଁ ଇଂରେଜ ପାଖରୁ ଅସ୍ତ୍ରଚାଳନା ଶିଖିଚୁଁ, ତାକୁ ତାହାରି ହତିଆର ଦ୍ଵାରାହିଁ ଯୁଦ୍ଧରେ ପରାସ୍ତ କରିବାକୁ ହେବ। ମହାଭାରତରେ ଉଲ୍ଲେଖ ଅଛି ଯେ କେବଳ ତଦ୍ଦ୍ଵାରାହିଁ ଗୁରୁଙ୍କ ଋଣ ପରିଶୋଧ କରାଯାଏ ।

 

ପୁଣିଥରେ ଦେବଳ ବକ୍ତୃତା ଆରମ୍ଭ କଲା—ତାଆରି ସଙ୍ଗେ ସଙ୍ଗେ ଦେଖିବ, ଜାପାନୀମାନେ ମଧ୍ୟ ତୁମ୍ଭମାନଙ୍କୁ ସମ୍ମାନ ଦେଖାଇବାକୁ ଆରମ୍ଭ କରିଦେବ। ସେମାନଙ୍କ ଦୃଷ୍ଟିରେ ଆମେ ଆଜି ମନୁଷ୍ୟ ନୋହୁଁ । ପରାଧୀନ ଲୋକ ମଣିଷତଳେ ଗଣା ହେବ କିପରି ? ଯଦି ଆମେ ସ୍ୱାଧୀନତା ପାଇବା ପାଇଁ ଚେଷ୍ଟାକରୁଁ, ତେବେ ଯାଇଁ ଆମେ ମନୁଷ୍ୟର ଅର୍ଜନ କରିବୁଁ । ବଞ୍ଚିବାକୁ ଚାହଁତ, ମନୁଷ୍ୟ ପରି ବଞ୍ଚ । ଘାସ ଖାଇ ଛେଳି ମେଣ୍ଢା ପରି ନୁହେଁ ।

 

ଓରାୟମ୍ ଆଗେଇ ଆସି କହିଲା—ଠିକ୍ କଥା କଚିଚ ଦେବଳ, ଛାତିରେ ହାତଦେଇ କୁହ, ଇଂରେଜ ସରକାରଙ୍କ ପାଇଁ ଯୁଦ୍ଧ କରିବ ବୋଲି ଯେଉଁ ଶପଥଟି କରିଥିଲ, ସେ ଶପଥକୁ କଅଣ କରିବ ? ଆଜି ଯଦି ଇଂରେଜ ନିକଟରେ ଗ୍ରହଣ କରିଥିବା ଶପଥକୁ ଭାଙ୍ଗିଦିଅ, ସିପାହୀର ସର୍ବଶ୍ରେଷ୍ଠ ଧର୍ମକୁ ଯେବେ ଭୁଲି ଯାଅ, କାଲିକି ମଧ୍ୟ ଦେଶପାଇଁ ଗ୍ରହଣ କରିବା ଶପଥକୁ ଭାଙ୍ଗିଦେବ । ହାରାମୀ, ବେଇମାନି, ଥରେ ଆରମ୍ଭହେଲେ ଶେଷ ହୁଏ ନାହିଁ ।

 

ଛାତି ଉପରେ ହାତରଖି ଦେବଳ କହିଲା—ଭାଇମାନେ, ତୁମେ ସମସ୍ତେ ମୋରି ପରି ଛାତି ଉପରେ ହାତ ରଖ । ହାତଦେଇ ଦେଖ, ସେଠି ତୁମର ଟକମକ ହୋଇ ଫୁଟୁଚିକି ନା ?ଯୁଆନର ରକ୍ତ । ମରଦ୍‍କା ଖୁନ୍ । ଛାତିଉପରେ ହାତରଖି ଯେଉଁ ସାମରିକ ଶପଥ୍ୟ ତୁମେମାନେ ଗ୍ରହଣ କରିଚ, ସେଇଟା କାହାପାଇଁ ? ମୁନିବ ପାଇଁ ନା ମାଆ ପାଇଁ ? ତମ ପାଖରେ କିଏ ବଡ଼ ? କାହାର ଶାନ୍ତି ବଜାୟ ରଖିବା ପାଇଁ ତୁମେ ଆଜି ହାତହତିଆର ଧରିଚ ? ମାଆ ପାଇଁ, ନା ଭଡ଼ାଟିଆ ମୁନିବ ପାଇଁ ?

 

ସମସ୍ତେ ଚୁପ୍‍ ହୋଇଗଲେ । ଟିକିଏ ପରେ ଓରାୟମ୍ ପୁଣି ଥରେ ପ୍ରଶ୍ନକଲା—କିନ୍ତୁ ସେଇ ମାଆ ତ ବର୍ତ୍ତମାନ ସୁଦ୍ଧା ଇଂରେଜର ରାଜ୍ୟ ! ଆମେମାନେତ ଇଂରେଜ ରାଜା ନାମରେ ଶପଥ ଗ୍ରହଣ କରିଚୁଁ ?

 

ଏତେ ସହଜରେ ଦେବଳ ଛାଡ଼ିବାର ପାତ୍ର ନୁହେଁ। କହିଲା—ନା, ନା, ଆମ୍ଭେମାନେ ଦେଶ ଓ ରାଜା ନାମରେକସମ ଖାଇଚୁଁ । ରାଜା ତ ଦେଶର ରାଜା । କିନ୍ତୁ ଦେଶ ଯଦି ରାଜାକୁ ନଚାହେଁ ?ଦେଶର ସ୍ୱାର୍ଥଏବଂ ରାଜାର ସ୍ୱାର୍ଥ ଯଦି ଅଲଗା ଅଲଗା ହୋଇଯାଏ; ତେବେ ତ ରାଜା ରାଜା ରହିଲେ ନାହିଁ !ସୁତରାଂ ହିନ୍ଦୁସ୍ଥାନ ହିଁ ଆମ୍ଭମାନଙ୍କ ରାଜା । ରେଡ଼ିଓରେ ତୁମେମାନେ ଶୁଣିଚ, ଗତବର୍ଷ ଅଗଷ୍ଟ ମାସଠାରୁ ଦେଶ ଇଂରେଜକୁ ରାଜା ବୋଲି ସ୍ୱୀକାର କରୁନାହିଁ । ସେଠାରେ ଲୋକେ ସ୍ୱାଧୀନତାର ସଂଗ୍ରାମ ଚଳାଇଛନ୍ତି । ଏକାବେଳକେ ଖାଲିହାତରେ । ଖାଲିହାତରେ ହିଁ ମରୁଚନ୍ତି । ଆଉ, ତମେମାନେ ସୁଶିକ୍ଷିତ ସୈନ୍ୟଦଳ ଏଠି ବସିରହିଚି; ତା’ ଛଡ଼ା ଇଂରେଜମାନେ ହିଁ ତୁମ୍ଭମାନଙ୍କୁ ବନ୍ଦୀ ହିସାବରେ ନଦେଖି ବେୱାରସ୍ ଭାବେ ଛାଡ଼ି ଚାଲିଗଲେଣି । ତେଣୁ ତୁମ୍ଭମାନଙ୍କର ତ ଆଉ କୌଣସି ବନ୍ଧନ ନାହିଁ। ସମସ୍ତେ ତୁମେ ଶପଥ ଗ୍ରହଣ କରିଥିବା ଦାୟିତ୍ୱରୁ ମୁକ୍ତି ଲାଭ କରିସାରିଚ ।

 

ଖୁବ ଚଞ୍ଚଳ ହୋଇଉଠି କେତେକ କହିଲେ—କିନ୍ତୁ ଆମ୍ଭେମାନେ ତ ସମସ୍ତେ ଥୁଣ୍ଟା ହୋଇ ପଡ଼ିଚୁ ! ଯୁଦ୍ଧକଲେ ଲାଭ କଅଣ ହେବ ?

 

ଦେବଳ ଥରେ ହାତଘଡି ଆଡ଼କୁ ଚାହିଁ ସମୟ କେତେ ଜାଣି ନେଲା । ତା’ ପରେ କହିଲା—ଏ ପ୍ରଶ୍ନର ଉତ୍ତର ମୁଁ ଦେବି ନାହିଁ । ଦେବେ ସୁଭାଷ ବୋଷ । ବର୍ତ୍ତମାନ ବୋଧହୁଏ ସେ ସିଙ୍ଗାପୁର ପଡ଼ିଆରେ ସମସ୍ତଙ୍କୁ ସେଇ କଥାଟି ବୁଝାଉଚନ୍ତି । ସେ କଅଣ କହୁଚନ୍ତି ଶୁଣ ।

 

ଏତିକି କହି ଦେବଳ ବନ୍ଦୀ ଶିବିରରେ ଥିବା ସମୟ କଟାଇବାର ଏକମାତ୍ର ଅବଲମ୍ବନ ରେଡ଼ିଓଟି ଖୋଲି ଦେଲା । ହଁ, ଠିକ୍ ସୁଭାଷ ବୋଷଙ୍କ କଣ୍ଠସ୍ୱର ଶୁଣାଯାଉଚି, ସୁସ୍ପଷ୍ଟ ଏବଂ ବୀରତ୍ଵପୂର୍ଣ୍ଣ । ଗୋଟାଏ ଅସହାୟ ମରଣାପନ୍ନ ଜାତିର କାନରେ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର: —

 

‘ଗୋଟାଏ ପରାଧୀନ ଜାତିର ସ୍ୱାଧୀନତା ସଂଗ୍ରାମର ପ୍ରଥମ ସୈନିକରୂପେ ଯୋଗଦେବାର ସମ୍ମାନ ଏବଂ ଗର୍ବର କଥା ଆଉ କିଛି ନାହିଁ; କିନ୍ତୁ ଏହି ସମ୍ମାନ ସଙ୍ଗରେ ଗୋଟିଏ ଦାୟିତ୍ୱ ମଧ୍ୟ ଅଛି । ସେ ଦାୟିତ୍ୱ ସମ୍ବନ୍ଧରେ ମୁଁ ସଂପୂର୍ଣ୍ଣ ସଚେତନ । ତୁମ୍ଭମାନଙ୍କ ନାମରେ ମୁଁ ଆଜି ଶପଥ ଗ୍ରହଣ କରି କହୁଚି, ରାତିର ଅନ୍ଧକାର ଏବଂ ଦିବସର ଆଲୋକ ମଧ୍ୟରେ, ଦୁଃଖ ଏବଂ ସୁଖ ମଧ୍ୟରେ, କଷ୍ଟଭୋଗ ଏବଂ ଆନନ୍ଦ ଆହ୍ଲାଦ ମଧ୍ୟରେ ମୁଁ ସର୍ବଦା ତୁମ୍ଭମାନଙ୍କ ସଙ୍ଗରେ ରହିଥିବି ।

 

ବର୍ତ୍ତମାନ ପାଇଁ ମୁଁ ତୁମ୍ଭମାନଙ୍କୁ ଭୋକ ଶୋଷ ଓ କଷ୍ଟ ଏବଂ ସଜୋରେ ମାର୍ଚ୍ଚ କରିବା ଓ ମୃତ୍ୟୁଛଡ଼ା ଆଉକିଛି ଦେଇପାରିବି ନାହିଁ । କିନ୍ତୁ ତୁମ୍ଭେମାନେ ଯଦିଜୀବନ ମରଣରେ ଏବଂ ସବୁ ସମୟରେ ମୋରି ସାଙ୍ଗରେ ଥାଅ, ତେବେ ତୁମ୍ଭମାନଙ୍କୁ ମୁଁ ନିଶ୍ଚୟ ଜୟ ଏବଂ ସ୍ୱାଧୀନତାର ବେଦୀ ଉପରେ ପହୁଞ୍ଚାଇ ଦେବି । ଆମ୍ଭମାନଙ୍କ ମଧ୍ୟରୁ କିଏ କିଏ ଭାରତର ସ୍ୱାଧୀନତା ଦେଖିବା ପର୍ଯ୍ୟନ୍ତ ବଞ୍ଚିରହିବେ, ତହିଁରେ କିଛି ଯାଏ ଆସେ ନାହିଁ । ଦେଶ ଯେ ସ୍ୱାଧୀନ ହେବ ଏବଂ ସେଥିପାଇଁ ଆମ୍ଭେମାନେ ଯେ ଆମ୍ଭମାନଙ୍କର ସର୍ବସ୍ଵ ଉତ୍ସର୍ଗ କରିବା, ସେତିକି ଯଥେଷ୍ଟ ।

 

‘‘ଇନକାଲାବ ଜିନ୍ଦାବାଦ୍

ଆଜାଦହିନ୍ଦ୍ ଜିନ୍ଦାବାଦ୍ ।”

 

ଏହାପରେ ଦଳ ଦଳ ହୋଇ ସୈନ୍ୟମାନେ ‘ଆଜାଦ ହିନ୍ଦ୍, ଫୌଜରେ ନାମ ଲେଖାଇବାକୁ ଆରମ୍ଭ କଲେ । ଆରମ୍ଭରୁ ଅଫିସରମାନେ ମନେ ମନେ ପ୍ରସ୍ତୁତ ହୋଇ ରହିଥିଲେ । ଇଂରେଜୀ ଶିକ୍ଷାହିଁ ସେମାନଙ୍କର ମନରେ ସ୍ୱାଧୀନତାର ବୀଜ ବିପନ୍ନ କରି ଦେଇଥିଲା । ଅଫିସରମାନଙ୍କ ମେସରେ ଉପର ତଳ ପାହ୍ୟା ମଧ୍ୟରେ ସମାନ ବ୍ୟବହାର ଏବଂ ଭଦ୍ରତାର ଲେଶମାତ୍ର ତୃଟି ଦେଖାଯାଉ ନଥିଲା; ତଥାପି ଅସତର୍କ ମୁହୂର୍ତ୍ତରେ ବାହ୍ୟିକ ମୁଖା ଭେଦକରି କେବେ କେବେ ଇଂରେଜମାନଙ୍କର ମୁନିବପଣିଆ ଫୁଟି ଉଠୁଥିଲା । ତା’ ବି ଯଦି ସହ୍ୟ ହୋଇଯାଉଥିଲା, ତଥାପି ଯୁଦ୍ଧକୁ ଡେଇଁପଡ଼ିବା ପରେ ବିପଦକୁ ସମ୍ମୁଖରେ ଦେଖି ଭାରତୀୟମାନଙ୍କୁ ସାମନାକୁ ଠେଲିଦେବା ସମୟରେ ଇଂରେଜମାନଙ୍କର ସେହି ମୁଖାଖଣ୍ଡିକମାନ ମାଲୟ ସିଙ୍ଗାପୁରଠାରେ ସଂପୂର୍ଣ୍ଣ ଭାବେ ଖସିପଡ଼ିଲା ।

 

ତେଣୁ ଅବିଳମ୍ବେ ‘ଆଜାଦ ହିନ୍ଦ୍’ ଫଉଜଟି ପ୍ରସ୍ତୁତ ହୋଇଗଲା ।

 

ଦେବଳର କାମ ଖୁବ୍ ଶୀଘ୍ର ବଢ଼ିଗଲା । ସମସ୍ତଙ୍କଠାରୁ ବେଶି କାମିକା ଲୋକଙ୍କ ଉପରେ ନେତାଜୀଙ୍କର ନଜର ଥିଲା; ସୁତରାଂ ଦେବଳ ମଧ୍ୟ ପଛରେ ପଡ଼ିରହିଲା ନାହିଁ । ତାକୁ ‘ଆଜାଦ ହିନ୍ଦ୍’ ବେତାରର ବୈଦେଶିକ ପ୍ରଚାର ବିଭାଗରେ ବସାଇ ଦିଆଗଲା । ବେସାମରିକ ଭାରତୀୟମାନଙ୍କ ଭିତରେ ମଧ୍ୟ ଏଇ କାମପାଇଁ ଅନେକ ଯୋଗ୍ୟ ଲୋକ ଥିଲେ । ତଥାପି ତାକୁ ହିଁ ବାଛି ନିଆଗଲା । ଏତେଦିନ ଯାକେ ସେ ମଧ୍ୟବିତ୍ତ ଶିକ୍ଷିତର ବେକାର ଜୀବନର ଗ୍ଳାନି ବହି ଆସିଚି ଏବଂ ସାମରିକ ଜୀବନରେ ସମସ୍ତ ଅଭିଜ୍ଞତା ଏକାବେଳକେ ନୂଆଭାବେ ପାଇ ଯାଇଚି । ତେଣୁ ସେଇ ଏକା ହିନ୍ଦୁସ୍ଥାନରେ ଚିନ୍ତାଜୀବୀ ଲୋକମାନଙ୍କ ମନରେ ‘ଆଜାଦ ହିନ୍ଦ୍’ ଦଳର ବାଣୀ ସମସ୍ତଙ୍କଠାରୁ ଭଲ ଭାବରେ ପହୁଞ୍ଚାଇ ଦେଇ ପାରିବ । ଆଉ ମଧ୍ୟ ସମସ୍ତେ ଜାଣନ୍ତି ଯେ ରେଡ଼ିଓରେ ତାର ସବୁଠାରୁ ବେଶି ଝୁଙ୍କ । ବେକାର ବନ୍ଦୀ ଜୀବନରେ ତମ୍ବୁମଧ୍ୟରେ ବସିରହି ସବୁ ସମୟରେ ସେ ବେତାର ସମ୍ଵନ୍ଧରେ ପର୍ଯ୍ୟାଲୋଚନା କରୁଥାଏ । ଦେଶର ସବୁ ଖବର ଶୁଣି ତହିଁ ମଧ୍ୟରୁ ବାଛି ବାଛି ସରକାରୀ ଖବରତକ ସମସ୍ତଙ୍କୁ ଶୁଣାଇ ଦିଏ ।

 

ବର୍ମା, ମାଲୟ ଜାପାନୀ ହାତରେ ପଡ଼ିବା ସଙ୍ଗେ ସଙ୍ଗେ ଲକ୍ଷ ଲକ୍ଷ ଭାରତୀୟ ସେ ସବୁ ଦେଶରେ ଅଟକି ଗଲେ । ସେମାନଙ୍କ ନିକଟରେ ସେମାନଙ୍କ ଆତ୍ମୀୟସ୍ୱଜନଙ୍କ ଖବର ପହୁଞ୍ଚାଇ ଦେବାପାଇଁ ଦିଲ୍ଲୀର ‘ଅଲ ଇଣ୍ଡିଆ ରେଡ଼ିଓ’ ଗୋଟାଏ ବ୍ୟବସ୍ଥା କଲେ । ସପ୍ତାହକୁ ଦୁଇଦିନ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଦିଲ୍ଲୀଠାରୁ ବହିର୍ଭାରତୀୟ ବେତାର ଜରିଆରେ ସେମାନଙ୍କ ଆତ୍ମୀୟସ୍ୱଜନମାନଙ୍କର ସାନ ବଡ଼ ଖବର ବର୍ମା-ମାଲୟକୁ ପଠାଯାଉଥିଲା । ବିଦେଶରେ ଅଟକି ଯାଇଥିବା ଭାରତୀୟମାନେ ଇଂରେଜ ସରକାରଙ୍କର ଏହି ଦୟା ଏବଂ ବିବେଚନାରେ ନିଶ୍ଚୟ ମୁଗ୍ଧ ହେବେ । କେବଳ ଏତିକି ନୁହେଁ, ଦେଶଟା “ଭାରତ ଛାଡ଼” ଆନ୍ଦୋଳନ ଦ୍ୱାରା ଲଣ୍ଡଭଣ୍ଡ ହୋଇଯାଇ ନାହିଁ ଏବଂ ଇଂରେଜ ରାଜତ୍ୱ ଠିକ ଭାବେ ବଜାୟ ଅଛି, ତାହାର ପ୍ରମାଣ ମଧ୍ୟ ସେଇଥିର ମିଳିଯିବ । ତାହା ପୁଣି ସାଧାରଣ ଲୋକଙ୍କ ମୁଖଦେଇ ।

 

ଦିଲ୍ଲୀ-ପଞ୍ଜାବ ଅଞ୍ଚଳର ସହର ମଫସଲ, ଉଭୟ ସ୍ଥାନର ଲୋକେ ଦଳ ଦଳ ହୋଇ ଆସି ଏହି ବେତାର ଖବର ପଠାଇବାର ସୁବିଧା ନେବାକୁ ଲାଗିଲେ । ଦେବଳ ସେସବୁ ଖବର ରୀତିମତ ଶୁଣେ ଏବଂ ଯେତେଦୂର ସମ୍ଭବ ବେସାମରିକ ଭାରତୀୟ ଲୋକଙ୍କ ନିକଟରେ ସେମାନଙ୍କ ଆତ୍ମୀୟମାନଙ୍କ ଖବର ପହୁଞ୍ଚାଇ ଦେବାର ବନ୍ଦୋବସ୍ତ କରେ ।

 

ବର୍ତ୍ତମାନ ରେଙ୍ଗୁନଠାରେ ‘ଆଜାଦ ହିନ୍ଦ୍’ ବେତାରର ବୈଦେଶିକ ବିଭାଗରେ ଯୋଗଦେଇ ମଧ୍ୟ ସେ ଏଇସବୁ ଖବର ଶୁଣି ଏବଂ “ମନିଟର” ଅର୍ଥାତ୍ ବଛା ବଛି କରି ସମ୍ପାଦନା କରିବାର ଭାର ନିଜ ହାତରେ ରଖିଲା । ବର୍ତ୍ତମାନ ଇଂରେଜମାନଙ୍କୁ ସେଇମାନଙ୍କ ହତିଆରରେ ହିଁ ପରାଜିତ କରିବାକୁ ପଡ଼ିବ ।

 

ତେଣୁ ‘ଆଜାଦ ହିନ୍ଦ୍’ ତରଫରୁ ବର୍ମା-ମାଲୟ ଆଦି ସ୍ଥାନମାନଙ୍କରେ ଥିବା ଭାରତବାସୀଙ୍କ କୁଶଳ ସମାଚାର ଦେଶକୁ ପଠାଇବାର ବନ୍ଦୋବସ୍ତ କରିବାପାଇଁ ସେ ପ୍ରଚାରସଚିବଙ୍କ ନିକଟରୁ ହୁକୁମ କରାଇନେଲା । କୌଣସି ସାମରିକ ଗୁପ୍ତଖବର ପ୍ରକାଶ କରାଯିବ ନାହିଁ, ଅଥଚ ଏହିସବୁ ଅଟକି ରହିଥିବା ଲୋକ ଏବଂ ସିପାହୀଙ୍କ ଖବର ନେବାପାଇଁ ଦେଶର ଲୋକେ ଦଳ ଦଳ ହୋଇ ‘ଆଜାଦ ହିନ୍ଦ୍’ ରେଡ଼ିଓ ଖବର ଲୁଚାଇ ଲୁଚାଇ ଶୁଣିବେ । ଆଉ ମଧ୍ୟ ତତ୍ ସଙ୍ଗେ ସଙ୍ଗେ ସ୍ୱାଧୀନତାର ବାଣୀ ଶୁଣିବେ ଏବଂ ସ୍ୱାଧୀନତା ଡାକରେ ଜବାବ ଦେବେ । ଏତିକି ହେଲା ସବୁଠାରୁ ଭଲ ପ୍ରଚାରର ବାଟ ।

 

ଏହିଭଳି ଗୋଟାଏ ଉଦ୍ଦେଶ୍ୟ ଘେନି ସେ ଫଳପ୍ରଦ ଭାବେ ‘ବାହାଦୂର ସାହାଙ୍କ’ ସମାଧିଠାରୁ ଆରମ୍ଭ କରି ନେତାଜୀଙ୍କ ପ୍ୟାରେଡ଼ ଏବଂ ବତ୍କୃତାର ବର୍ଣ୍ଣନା ବେତାରଯନ୍ତ୍ର ମାଧ୍ୟମରେ ହିନ୍ଦୁସ୍ଥାନକୁ ଚାଲୁ କରିବାକୁ ଲାଗିଲା—

 

“ରେଙ୍ଗୁନ ଡାକ ଦେଉଚି, ‘ଆଜାଦ ହିନ୍ଦ୍’ ରେଡ଼ିଓରୁ କହୁଚି । ଆଜି ଛବିଶ ଜୁଲାଇ, ଊଣେଇଶଶହ ତେୟାଳିଶ ସାଲର ସନ୍ଧ୍ୟା । ରେଙ୍ଗୁନରେ ଥିବା ‘ଆଜାଦ ହିନ୍ଦ୍ ଫୌଜର’ ସବୁ ‘କଣ୍ଟିନଜେଣ୍ଟ’ ଭାରତର ଶେଷ ସମ୍ରାଟ ବାହାଦୂର ସାହାଙ୍କ ପବିତ୍ର ସମାଧି ନିକଟରେ ଏକତ୍ର ହୋଇ ହିନ୍ଦୁସ୍ଥାନର ସ୍ଵାଧୀନତା ଯୁଦ୍ଧକୁ ନମସ୍କାର କରୁଛୁଁ । ଲକ୍ଷ ଲକ୍ଷ ବେସାମରିକ ଭାରତୀୟ ଏବଂ ବର୍ମୀୟ ଜମାଏତ ହୋଇଚନ୍ତି । ହେଇ, ନେତାଜୀ, ସମ୍ରାଟଙ୍କ କବର ଉପରେ ଗୋଟିଏ ବିରାଟ ପୁଷ୍ପମାଳା ଅର୍ଘ୍ୟ ଦେଲେ । ଭାରତର ସବୁଦେଶ, ସବୁ ଜାତି, ସବୁ ଧର୍ମର ଲୋକଙ୍କ ପ୍ରତୀକ ପୁଷ୍ପ ଘେନି ଗୁନ୍ଥାହୋଇଥିବା ଏହି ମାଳଟି—ହିନ୍ଦୁସ୍ଥାନର ସ୍ଵାଧୀନତାର ପ୍ରଥମ ଦାନ ।

 

ଇଂରେଜମାନେ ଆମ୍ଭମାନଙ୍କ ମଧ୍ୟରେ ହିନ୍ଦୁ-ମୁସଲମାନ ଆଦି ନାନାପ୍ରକାରର ଭେଦଭାବ ବଢ଼ାଇ ଦେଇଚନ୍ତି; ତେଣୁ ଆମ୍ଭେମାନେ ବର୍ତ୍ତମାନ ସୁଦ୍ଧା ନିଜ ନିଜ ମଧ୍ୟରେ ସ୍ୱାର୍ଥର କଳହ ଭୁଲି ପାରିନାହୁଁ । କିନ୍ତୁ ନେତାଜୀଙ୍କ ଡାକ ଶୁଣି ଆମ୍ଭେମାନେ ସମସ୍ତେ ଭେଦାଭେଦ ଜଳାଞ୍ଜଳି ଦେଇ ନୂତନ ହିନ୍ଦୁସ୍ଥାନୀ, ନୂତନ ଆଜାଦି ଫୌଜ ହିସାବରେ ଆମେ ସମସ୍ତେ ଏକ ହୋଇ ଯାଇଅଛୁଁ । ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନ ବିଦେଶରେ ଥାଇ ମଧ୍ୟ ଆମ୍ଭେମାନେ ସଫଳ କଲୁଁ—ଦେଶର ଇତିହାସରେ । ପ୍ରଥମେ ଆମ୍ଭେମାନେ ହିନ୍ଦୁ-ମୁସଲମାନ ଓ ଖ୍ରୀଷ୍ଟିୟାନ ସମସ୍ତେ ଏକସଙ୍ଗରେ ଏକା ରୋଷେଇଘରେ, ଏକା ରାନ୍ଧୁଣିହାତରେ ରନ୍ଧା ବସି ଖାଇଲୁଁ । ଆମ୍ଭମାନଙ୍କ ସୈନ୍ୟମାନେ ମଧ୍ୟ ଇଂରେଜ ତିଆରି ଜାତି, ଧର୍ମ ଆଉ ପ୍ରଦେଶିକତା ଭେଦଭାବ ଭୁଲିଯାଇ ଏକାଠି ମିଳି ବ୍ରିଗେଡ଼ ତିଆରି କରିଛୁଁ । ସେମାନେ ଏକସଙ୍ଗରେ ‘କୁଚକା ଓ ଆଜର’ ଧାଡ଼ିରେ ଛିଡ଼ା ହୋଇଚନ୍ତି । ନେତାଜୀ ହିନ୍ଦୁସ୍ଥାନ ଆଡ଼କୁ ମୁହଁକରି ଛିଡ଼ାହୋଇ ହିନ୍ଦୁସ୍ଥାନର ଶେଷସମ୍ରାଟଙ୍କୁ ଅଭିବାଦନ ଜଣାଉଚନ୍ତି । ବେତାରଯନ୍ତ୍ର ସାହାଯ୍ୟରେ ନେତାଜୀଙ୍କ ବକ୍ତୃତା ‘ରିଲେ’ କରି ଶୁଣାଗଲା । ନେତାଜୀ “ଜାଫର” ଏଇ ଛଦ୍ମ ନାମରେ ବାହାଦୂର ସାହାଙ୍କ ରଚିତ କବିତାଟି ଆବୃତ୍ତ କରି ନିଜର ବକ୍ତୃତା ଶେଷ କଲେ—

 

“ଗଁ ଜୀୟୋଂ ମେଁ ବୁ ରହେଗି ଯବତକ ଇମାନ କି

ତଖତ ଲଣ୍ଡନତକ ଚଲେଗି ତେଗ ହିନ୍ଦୁସ୍ଥାନକି ।”

 

ଭାରତରେ ସ୍ଵାଧୀନତା ଯୁଦ୍ଧର ସିପାହୀର ଆତ୍ମାର ଶେଷନିଃଶ୍ୱାସ ଟିକକ ପର୍ଯ୍ୟନ୍ତ ଯେତେଦିନ ରହିଥିବ, ହିନ୍ଦୁସ୍ଥାନର ତରଉଆଲ ଲଣ୍ଡନର ସିଂହାସନ ପର୍ଯ୍ୟନ୍ତ ତେତେଦିନ ଭୁସି ଦିଆଯାଉଥିବ ।

 

ସେଦିନ ରାତିରେ ଦେବଳ ଖୁବ୍ ହଇରାଣ ହୋଇ ମୁଣ୍ଡରେ ହାତଦେଇ ବସି ରହିଲା; କିନ୍ତୁ ଆଉ ଭଲଲାଗୁ ନାହିଁ । କାମ ଅଛି, ଯୁଦ୍ଧ ଅଛି । ଦେଶର ଆଜାଦି ଅଛି; କିନ୍ତୁ ଭିତରର ମଣିଷଟା ଯେ ଏକା ଏବଂ ସାଥିହରା !

 

ସାଥିହରା ? କିନ୍ତୁ ଏକାନୁହଁ; ତେଣୁ ଠିକ ସାଥିହରା ମଧ୍ୟ ନୁହଁ । କିନ୍ତୁ ଯେଉଁ ଲୋକଟି ପାଖରେ ଥିଲେ ଗୋଟିଏ କଥା କହିଲାମାତ୍ରେ ସାରାପୃଥିବୀଟି ପୁରିଉଠନ୍ତା ତାସାଙ୍ଗରେ ଦେଖାହେବା କିମ୍ବା ତାହାଠାରୁ ପଦେ କଥା ଶୁଣିବାର ଆଶା ନାହିଁ । ଯଦି ସେ ପଞ୍ଜାବ କିମ୍ବା ଦିଲ୍ଲୀରେ ଥାଆନ୍ତା, ତେବେ ଅବା ଦିଲ୍ଲୀ-ବେତାରକେନ୍ଦ୍ରରୁ କୌଣସି ପ୍ରକାରେ ଖବର ଦେବାର ବନ୍ଦୋବସ୍ତ କରିପାରନ୍ତା; କିନ୍ତୁ ମିତାର ଆଖି ଚାରିଦିଗକୁ ଖୋଲା । ଅନେକ ଜଣାଶୁଣାବି ଅଛନ୍ତି । ତଥାପି ଜାପାନୀ କବଳରେ ପଡ଼ି ମିଲିଟାରି ଅଫିସର ଦେବଳ ପାଇଁ କୌଣସି ଖବର ଦିଲ୍ଲୀ ବେତାର ଯନ୍ତ୍ର ଦ୍ଵାରା ପଠାଇଦେବା ମିତା ପକ୍ଷେ ଅସମ୍ଭବ । ତେଣୁ ସେ ତାହାର ନିଜ ଖବର ମଧ୍ୟ ପଠାଇପାରୁ ନାହିଁ । ମିତାର ପରିଚୟ ଏବଂ ଠିକଣା ଦେବାକୁ ହେବ । ନିତାନ୍ତ ପକ୍ଷେ ମାଆର; କିନ୍ତୁ ସେ ମିଲିଟାରିରେ ଥିଲା । କୌଣସି ଖବର ଆସିଲାମାତ୍ରେ ଇଂରେଜ ସରକାର ଧରିନେବେ ଯେ “ଆଇ.ଏନ୍.ଏ.” ପକ୍ଷର ସାଙ୍କେତିକ ଖବର ଆସିଚି । ତେତେବେଳେ ଝିଟିପିଟିଯାକ ପଛେ ପଛେ ଲାଗିଯିବେ । ଗୁଇନ୍ଦାମାନେ ଛାଇ ପରି ଘୂରି ବୁଲିବେ । ଇଂରେଜମାନେ ଏଭଳି କଥାରେ କୌଣସି ବଙ୍ଗାଳୀକୁ ବିଶ୍ୱାସ କରିବେ ନାହିଁ । ବିଶେଷତଃ ସେ ଯଦି ଜଣେ ଅସ୍ତ୍ରଧାରୀ ହୋଇଥାଏ ।

 

ଏ କଥାକୁ ଛାଡ଼ିଦେଲେ ମିତା କଥା ଆହୁରି ଅଲଗା । ତା ଚାକିରିଟି ପୁଣି ଏପରି ସ୍ଥାନରେ ଯେ ସେଠାକୁ ସବୁବେଳେ ବିଭିନ୍ନ ମିଲିଟାରି ଲୋକ ଯାଆସ କରନ୍ତି । ସାମାନ୍ୟ ଟିକିଏ କଥାରେ ମିତା ପ୍ରତି କର୍ତ୍ତାମାନଙ୍କର ସନ୍ଦେହ ବଢି଼ଯିବ । ତେଣୁ ଦୁଃଖ ସହିବି ପଛକେ ତାର ବିପଦ ବଢା଼ଇବି ନାହିଁ ।

 

“ମିତା ! ତୁମପାଇଁ ଭାବୁନାହିଁ । ତୁମେ ସବୁ ବୁଝିବ, ସବୁ ସହିବ; ମୁଁ ଯେ କାହିଁକି ନୀରବ ଅଛି, ତୁମେ ତାହା ନିଶ୍ଚୟ ବୁଝିପାରିବ ।” ଦିଲ୍ଲୀ ବେତାରକେନ୍ଦ୍ରରୁ ବର୍ମା–ମାଲୟରେ ଥିବା ପ୍ରବାସୀମାନଙ୍କ ପାଇଁ ଆତ୍ମୀୟ–ସମ୍ବାଦ ପଢ଼ା ଆରମ୍ଭ ହେଲା । ନାମ ପରେ ନାମ ଓ ଠିକଣା, ତା ସହିତ ସାନ ସାନ ଖବର । କି ଖବର ଅବା ? ପାଖଘରେ ବସି ଷ୍ଟେନୋଗ୍ରାଫର ସବୁ ଖବରତକ ସଂକ୍ଷିପ୍ତଭାବେ ଲେଖିରଖୁଚି । ଦେବଳ ଖାଲି କଳଟାଏ ପରି ମୁଣ୍ଡରେ ହେଡ଼ଫୋନ ବାନ୍ଧି ରଖିଚି ଏବଂ ଗୋଟିକ ପରେ ଆଉ ଗୋଟିଏ ଶୁଣିଯାଉଚି–ନିତିଦିନିଆ ଶୁଣିଲା ପରି ।

 

ହଠାତ୍ ସତେକି ବିଶ୍ଵସଂସାର ଦୋହଲିବାକୁ ଲାଗିଲା ! ମୁଣ୍ଡଟା ଝିମିଝିମି ହୋଇ ଉଠିଲା । ଛାତି ଭିତରଟା ଟଣକି ଉଠିଲା । ମୁଣ୍ଡକୁ ହାତରେ ଚାପିଧରି କାନ ଡେରି ରଖି କାଲ ପରି ଦେବଳ ଶୁଣିଯିବାକୁ ଲାଗିଲା–’ଦେବଳ ସିଂ, ଦେବଳ ସିଂ–କଲିକତା ଇଉନିଭର୍ସିଟିର ଏମ୍.ଏ. ପଢ଼ା ଛାତ୍ର, ମାଲୟ ରବର ବଗିଚାରେ ସେ କାମ ଖୋଜି ବୁଲୁଥିଲା । ଦେବଳ ସିଂ–ବର୍ତ୍ତମାନ ତାର ଠିକଣା ଜଣାନାହିଁ । ଦେବଳ ସିଂହକୁ ମିତା ଜଣାଉଚି–ଗଙ୍ଗାକୂଳରେ ନଦୀଘାଟରେ ତୁମେ ମୋତେ ଯେମିତି ଭାବେ ଦେଖିଥିଲ, ମୁଁ ତାଠାରୁ ଭଲ ଅଛି । ତୁମେ ଭାବିବ ନାହିଁ । ସୁସ୍ଥ ଥାଇ, ଭଲ ଥାଇ ଫେରିଆସ । ମିତା ଜଣାଉଚି ।’

 

ହେଡ଼ଫୋନଟାକୁ ଦେବର ମୁଣ୍ଡ ଉପରୁ ଫିଟାଇ ନେଲା । କାନ ଦୁଇଟା ଏତେ ଗରମ ହୋଇଯାଇଚି ଯେ ସେଥିରେ ଆଉ ଫୋନ ଲଗାଇ କିଛି ଶୁଣିବା ସମ୍ଭବ ନୁହେଁ । ଦେହଟା ତାର ଅବଶ ଲାଗିଲା । ଅସହ୍ୟ ଆନନ୍ଦ ତାର ହୃଦୟଟିକୁ ବେଦନାରେ ପୂର୍ଣ୍ଣ କରିଦେଲା ।

 

ଅନେକ ସମୟ ଏହିପରି ଭାବେ ବିତିଗଲା ।

 

ଘରଟା ଏକାବେଳକେ ନୀରବ । ସେଲୋଟେକ୍ସ୍ରେ ଘୋଡ଼ିଆ ହୋଇଥିବା କାନ୍ଥ ଭେଦକରି କୌଣସି ଶବ୍ଦ ବାହାରୁ ଆସିପାରେ ନାହିଁ । ବେତାର କଥାବାର୍ତ୍ତାରେ ଯେପରିକି ଅନ୍ୟ କୌଣସି ଶବ୍ଦ ମିଶିଯାଇ ନପାରେ; କିନ୍ତୁ ନିଜ ଛାତି ଭିତରର ଧୁକୁଧୁକୁ ଶବ୍ଦଟାକୁ ଦେବଳ ବନ୍ଦ କରିବ କିପରି ?

 

ସେଇଟା କଅଣ ତା ନିଜ ଛାତିର ଧୁକୁଧୁକୁ ଶବ୍ଦ ? ନା, ହାତଘଡି଼ଟିର ଟୁକୁଟୁକୁ ଶବ୍ଦ ? ତା ନିଜ ଦେହଟା ଏପରି ଗରମ ହୋଇ ଉଠିଲା କିପରି ? ପାଖରେ ବସିଥିବା ପ୍ରିୟାର ଉଷ୍ଣଦେହର ସ୍ପର୍ଶ ଟିକିଏ ଲାଗିଗଲା କି ? ସମସ୍ତ ଘରଟା ସତେକି ସୁରଭି ଗନ୍ଧରେ ଭରିଉଠିଲା ? ମିତାର ପ୍ରିୟ ବକୁଳଗନ୍ଧ ବେତାରଯନ୍ତ୍ର ମଧ୍ୟଦେଇ ଭାସିଆସିଲା କି ଆଉ ? ସେଇ ଗନ୍ଧରେ ଦେବଳର ନାକ, ମୁଖ ଓ ଗଳା ପର୍ଯ୍ୟନ୍ତ ମୋହାଚ୍ଛାନ୍ନ ହୋଇପଡ଼ୁଚି ଯେ ! ଶରୀରଟା ଏଭଳି ଗରମ ହୋଇଗଲା କାହିଁକି ? ମିତାର ଫୁଲ ପରି ସୁନ୍ଦର ଅଙ୍ଗୁଳିଗୁଡ଼ିକ ତା ହାତ ଉପରେ ଠୁକର ଦେଉଚି କି ? ସମୟ ବହିଚାଲିଚି । ନୀରବଭାବେ କାହା ମଧ୍ୟରେ କେଉଁ ଢେଉ ଉଠୁଚି ସେ ସମ୍ବନ୍ଧରେ ସେ ଏକାବେଳେକେ ଉଦାସୀନ; କିନ୍ତୁ ଦେବଳର ହୃଦୟଯନ୍ତ୍ରଟି ସତେକି ତା ମନର ସମସ୍ତ ଅଭିଭୂତ ଭାବଗୁଡ଼ିକୁ ମୁହୂର୍ମୁହୂ ସମୟଶ୍ରୋତ ମଧ୍ୟକୁ ବୁହାଇ ଦେଉଚି ! ସେ ଶ୍ରୋତ ଉଜାଣିରେ ବହିବହି ଏହି ଇରାବତୀ ନଦୀ ଦେଇ ସାଗର ପାରି ହୋଇ ଗଙ୍ଗା ତୀରରେ ଆସି ପହଞ୍ଚିଲା । ସେଇ ସନ୍ଧ୍ୟାର ଅନ୍ଧକାର । ଗଙ୍ଗାର ନିର୍ଜନ ସୁସୁପ୍ତ ଅତୁଡ଼ି ଉପର ସେଇ ବ୍ୟାକୁଳ—ଅନ୍ତର ଦେବଳ । ଆଉ ? ଆଉ–-?

 

ନା, କର୍ତ୍ତବ୍ୟ ଅଛି । ନିରାଟ ନିରନ୍ତର କର୍ମ । ମନ ଭିତରର ସବୁ ଖେଳ ଓ କଳ୍ପନାର ଢେଉର ଅନେକ ଉପରେ । ବହୁତ ବଡ଼ କାର୍ଯ୍ୟ । ଦେହ ହାତକୁ ଝାଡ଼ିଝୁଡ଼ି ଦେଇ ଦେବଳ ଉଠିଲା–‘‘ମିତା, ତୁମେ ମୋର ନିଭୃତ ମାଣିକ୍ୟ କୋଠରୀରେ ରହିଲ । ମୋର ବିବସ ନିମିଷ ଗୁଡ଼ିକର କର୍ତ୍ତବ୍ୟରୁ ଅପସରି ଆସିବାମାତ୍ରେ ତୁମକୁ ମୁଁ ଧରି ପାରିବି କି ?”

 

ତାପରେ ସେ ଅବିଳମ୍ବେ ହେଡ଼ଫୋନଟିକୁ ମୁଣ୍ଡ ଉପର ଦେଇ କାନର ଦୁଇ ପାଖରେ ବାନ୍ଧିଦେଲା ।

 

“ମିତା, ମୋତେ କ୍ଷମା ଦିଅ । ହଠାତ୍ ମୋଠାରେ ଯେଉଁ ଦୁର୍ବଳତା ଦେଖାଦେଇଥିଲା, ସେଥିପାଇଁ ମୋତେ କ୍ଷମା ଦିଅ ।”

 

ସେହିଦିନ ରାତ୍ରିରେ ଦେବଳ ରବିନ ଏବଂ ଓରାୟମ ସହିତ ସାକ୍ଷାତ କରିବାକୁ ଗଲା । ଅନେକ ଦିନ ହେବ ସେମାନଙ୍କ ସହିତ ସାକ୍ଷାତ ହୋଇନାହିଁ । ସେ ଦୁହେଁଯାକ ପ୍ରଥମ ଡିଭିଜନ ତିନିନମ୍ବର ଗରିଲା ରେଜିମେଣ୍ଟର ସଭ୍ୟ । କାର୍ଯ୍ୟ ହେଉଚି ଜଂଘୀ ବିଭାଗରେ; ଅର୍ଥାତ୍ ଲଢ଼ାଇ କରିବାକୁ ଯିବେ । ତା ପୂର୍ବରୁ ନୂତନ ସୈନ୍ୟମାନଙ୍କୁ ଯୁଦ୍ଧ କରିବାକୁ ତାଲିମ ଦେବା ସେମାନଙ୍କର ବଡ଼ କାର୍ଯ୍ୟ । ଏଥିମଧ୍ୟରେ ନେତାଜୀ ରେଙ୍ଗୁନ ଆସିବା ସଙ୍ଗେ ସଙ୍ଗେ ଅନେକଗୁଡ଼ିଏ ରେଜିମେଣ୍ଟ ମଧ୍ୟ ମାଳୟଠାରୁ ଏଠାକୁ ଆସିଚନ୍ତି । ସର୍ବତ୍ର ‘ସାଜ ସାଜ’ ରବ ।

 

ତିନିବନ୍ଧୁଯାକ ପୁଣି ଥରେ ଏକ ସଙ୍ଗରେ ନିବିଡ଼ ହୋଇ ବସିଗଲେ । ପ୍ରଥମେ ଓରାୟମ ଦେବଳକୁ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଅନାଇଗଲା । ତାପରେ ତା ପିଠି ଉପରେ ବାଇଶି ପଳିଆ ଥାପୁଡ଼ଟାଏ କସିଦେଲା । ଆଖିରେ ଦୁଷ୍ଟାମିର ଝଲକ ହାଣି କହିଲା—କି ଦେବଳ ଭାଇ, ବେତାର ଖବରଟା ମନକୁ ଖୁବ୍ ପାଇ ଯାଇଚି ତ ? ତୁମ ମୁହଁଟା ତ ବେଶ୍ ଚିକ୍କଣିଆ ଦିଶୁଚି ? ଖବରଟା କଅଣ ଶୁଣେ ?

 

ଲଜ୍ଜା ନୁହେଁ, ଆନନ୍ଦ ତା ମୁହଁଟିକୁ ଆହୁରି ଉଜ୍ଜ୍ୱଳ କରିଦେଲା ।

 

–ହୁଁ, ଦେବଳ ଭାଇ, ତୁମ ପେଟ ଭିତରେ ଅନେକ କଥା ଲୁଚିରହିଥିବାର ଦେଖୁଚି । ଜାଣିଚନା ସେ ଫରାସୀ କଥାଟି ?

 

–କେଉଁ କଥାଟି ପୁଣି ? ଫ୍ରାନ୍ସର ଯେଉଁ ବସ୍ତୁଟି ସଙ୍ଗେ ତୁମର ପ୍ରେମ, ସେହି ଜିନିଷଟି ହେଲା ବୋତଲ । ସେଇ କଥା ନୁହେଁ କି ?

Unknown

 

ଓରାୟମ ହସିଉଠିଲା । ରବିନର ପଞ୍ଜରାରେ ଗୋଟାଏ ଘୁସିମାରି କହିଲା—ସିଲ୍ଲି ଗୋଟ୍ କାହାକୁ କହନ୍ତି ଦେଖିବଟି ରବିନ ? ଆରେ, ବୋତଲ ମୁହଁ ଯେତେବେଳେ ବନ୍ଦ, କଥାର ଠିପି ସେତିକିବେଳେ ଖୋଲାଥାଏ । “ପିଉରିଟାନ୍” ଦେବଳ ହାତରେ ପଡ଼ି ଆମ୍ଭମାନଙ୍କ ବେତାରଟିର କି ଅବସ୍ଥା ହେଉଚି, ସେ କଥା ଭାବିଲାବେଳକୁ କଷ୍ଟ ଲାଗୁଚି । ସେଥିପାଇଁ ତ ଫରାସୀର ଖବର ଅନ୍ତର ନେଉଚୁ । ସେମାନେ କୌଣସି ଗୋଟାଏ ଘଟନାର ଥଳକୂଳ ନ ପାଇଲେ କହନ୍ତି—‘‘ସେଇଟା ନାରୀଘଟିତ ବ୍ୟାପାର” । ଶେଷବେଳକୁ ସନ୍ଧାନ ମିଳିବ । କେଉଁ ଏକ ସ୍ତ୍ରୀଲୋକ ପାଖରେ । ତେଣୁ ଝିଅଟିକୁ ତଲାସ କରିଦେଖ । ସାର୍ସେଲାଫେମ୍ । ଭାବିଦେଖିବ ଜୀବନର କେତେ ଗଭୀରତଥ୍ୟ ଏହାରି ଭିତରେ ଲୁଚି ରହିଚି ।

 

ରବିନ ମଧ୍ୟ ଏହି କଥାଟିରେ ଖୁବ୍ ଖୁସି ହେଲା । କହିଲା—ସଂସାରଟା ସୃଷ୍ଟି ହୋଇଚି ଓରାୟମ ପାଇଁ । ବାବା ଓରାୟମ, ମୋତେ ତୁମ ଚେଲା କରିନିଅ । ମୁଁ ମଧ୍ୟ ତୁମରି ଭଳି ଡାଲି ଓ ଫୁଲକା ଖାଇ ମଣିଷ ହୋଇଚି ।

 

–ଅଥବା ଅମଣିଷ,–ହସି ହସି ଓରାୟମ ଓଲଟା ଆକ୍ରମଣ କଲା । ଆରେ ଭାତ ଓ ମାଛଝୋଳ ଖାଇ ପ୍ରାଣରେ ଯେଉଁ ଟିକକ ରସ ଝରିବାର ଆଶା ଥିଲା, ଡାଲି ଆଉ ରୁଟି ଦୟାରୁ ସେତକ ଏକା–ବେଳକେ ସାବାଡ଼ ହୋଇଗଲାଣି । ଏଇ ଦେଖ, ନାଚ ଶିଖିଥିଲ, ରବିନ ପକ୍ଷୀ ଭଳି ମଧୁର ସ୍ଵରରେ କଥା କହିବାକୁ ଶିଖିଥିଲ; କିନ୍ତୁ ପ୍ରେମ କରି ପାରିଲ ନାହିଁ ।

 

ରବିନ ରାଗିଯାଇ କହିଲା–ତାହାହେଲେ ଅସଲ କଥାଟି ଏବେ କହୁଚି । ଭୀରୁ ଓ ଧୋତିପିନ୍ଧା ରୂପେ ଜନ୍ମ ହୋଇ ପ୍ରେମକରିବାର କୌଣସି ଅଧିକାର ନାହିଁ । ସେଇଥିପାଇଁ ମିଲିଟାରିରେ ଆସି ପଶିଚ । ମୁଁ ସେଥିଲାଗି ଇଂରେଜ ମାନଙ୍କ ଦିହଘଷା ହେଲି । ବାହୁରେ ଯଦି ତାକତ ନଥାଏ, ତେବେ ସେ ବାହୁଦ୍ୱାରା କୌଣସି ନାରୀକୁ ଗୁଡ଼ାଇ ଧରିବି ନାହିଁ । “ନନ୍ ବଟ୍ ଦି ବ୍ରେଭ ଡିଜାର୍ଭସ୍ ଦି ଫେୟାର ।” ବୀର ନହେଲେ ବରନାରୀର ଯୋଗ୍ୟ ତୁମେ ହୋଇ ପାରିବ ନାହିଁ; କିନ୍ତୁ ଏଥର ଯେତେବେଳେ ଜୟୀ ହୋଇ ନିଜ ଦେଶକୁ ଫେରିଯିବି, ସେତେବେଳେ ତୁମେ ଟିକେ ଦେଖିନବ.... ।

 

ଓରାୟମ କଥାଟିକୁ ଶେଷ କରିବାକୁ ଦେଲା ନାହିଁ । ହସି ହସି କହିଲା–ଦେଖିବ ଯେ ବୀରପୂଜା କରିବା ନିମିତ୍ତ ଝିଅମାନେ ତୁମରି ପଛେ ପଛେ ତଡି଼ ଗୋଡ଼ାଇବେ । ଆଉ ତୁମେ ନିଜକୁ ବଞ୍ଚାଇବା ପାଇଁ “ଫକ୍ସ୍ ଟ୍ରଡ଼” (ଠେକୁଆ ନାଚ)ର କାଇଦାରେ ଡେଇଁ ଡେଇଁ ପଳାଉଚ । ଆଉ ମୁଁ କଅଣ କରିବି, ଜାଣ ?

 

“ଯେତେବେଳେ ଜୟୀହୋଇ ଦେଶରେ ପହୁଞ୍ଚିବି, ଦେଶରେ ଜୟୀ ହୋଇ ପହୁଞ୍ଚିବି ।” ଶୁଣୁ ଶୁଣୁ ଦେବଳ ଏକାବେଳକେ ପଥର ପାଲଟି ଗଲା ।

 

ଏତେବେଳକୁ ରବିନ ଓରାୟମକୁ ଚାପିଧରିଚି । ସେ କଅଣ କରିବ, ତା ଜାଣିବା ଦରକାର । ଏମିତିଆ ଗୋଟାଏ କିଛି ମନ–ମତାଣିଆ କଥା ସେ କହିଦେବ, ଯାହାର ବଳରେ ହୁଏତ ଅନେକ ସୈନିକଙ୍କ ମନରେ ବହପ ଆସିଯିବ ।

 

କିନ୍ତୁ ଓରାୟମ ସେବାଟେ ଗଲାନାହିଁ । କହିଲା–ଜର୍ମାନିର ବୈଦେଶିକ ମନ୍ତ୍ରୀ “ରିବେନ୍ ଟ୍ରାପ୍” ଭାରତରେ ସ୍ୱାଧୀନ ସରକାର ପ୍ରତିଷ୍ଠା ହେଲେ ତାକୁ ସ୍ଵୀକାର କରି ଅଭିନନ୍ଦନ ପତ୍ର ପଠାଇବେ ବୋଲି ନେତାଜୀଙ୍କୁ ଚିଠି ଲେଖିଚନ୍ତି, ଏକଥାଟି ଜାଣିଚ କି ? ମୁଁ ସେହି ଖବର ମଧ୍ୟରେ ଗୋଟାଏ ବିରାଟ ସମ୍ଭାବନା ଦେଖୁଚି ।

 

ରବିନ ତ ଏକାବେଳକେ କୁଦି ଉଠିଲା । —ବାଃ, ବାଃ ! ସେଦିନ ଇମନ୍ ଡ଼ି ଭ୍ୟାଲେରା ଓ ମୃସୋଲିନିଙ୍କ ପାଖରୁ ଏହି ଭଳି ଚିଠି ଆସିଥିଲା; କିନ୍ତୁ ତାଠାରୁ ବଳି ଏ ଖବରଟା ବେଶି ଜବର୍ ବୋଲି ମନେ ହୁଏ ।

 

ହାତ ଦୁଇଟାକୁ ଉପରକୁ ଛିଞ୍ଚାଡ଼ିଦେଇ ସାରା ଦୁନିଆଟାକୁ ଶୁଣାଇ ଦେବା ଉଦ୍ଦେଶ୍ୟରେ ଓରାୟମ କହିଲା–ଜର୍ମାନିର ଖବରଟାରେ ହିଁ ମୁଁ ଖୁବ ଖୁସି । ତୁମର ସେହି ସନ୍ୟାସୀମାର୍କା ହିନ୍ଦୁସ୍ଥାନରେ ମୋତେ ସେ ପୋଷେଇବ ନାହିଁ । ଆଜାଦୀ ହୋଇଯିବା ସଙ୍ଗେ ସଙ୍ଗେ ମୁଁ ହିଟଲର ଦଳରେ ନାମ ଲେଖାଇବି; ଅଥଚ ସର୍ତ୍ତ ରହିବ ଯେ, କେବଳ ପ୍ୟାରିସ–ଠାରେ ରହିବି–ମିଲିଟାରି ଆଟାଚି ବା ଲିଆସନ୍ ଅଫିସର ହୋଇ; ତେବେ “କଲ୍ଚରାଲ୍ ଲିଆସନ୍ ଅଫିସର” ହେଲେ ଆହୁରି ଭଲ । ସେମାନଙ୍କ ଅସଲ ମାଲ ଦୁଇଟାକୁ “କଲଚରାଲା” କୁହାଯାଏ ।

 

ଓରାୟମ ଦାଢ଼ିରେ ହାତ ମାରୁ ମାରୁ ଅନ୍ୟମନସ୍କ ହୋଇ ପଡ଼ିଲା । ସତେକି ମୁନିଋଷି ସାଜି ଧ୍ୟାନରେ ବସିଗଲା; କିନ୍ତୁ କେଉଁ ଉର୍ବଶୀ ପାଇଁ ?

 

ରବିନ ଓ ଦେବଳ ଦୁଇଜଣଯାକ ଚୁପ୍ ହୋଇଗଲେ । ତେଣେ ମେସରେ ଟଂ ଟଂ ହୋଇ ଘଣ୍ଟା ବାଜିଲା । ଚାରିଆଡ଼ ଅନ୍ଧକାର । ମାର୍କିନ୍ ବୋମାରୁ–ବିମାନ ମଝିରେ ମଝିରେ ଆସି ପଇନ୍ତରା ମାରୁଚି । ତେଣୁ ବ୍ଲାକ୍ଆଉଟ୍ ଚାଲିଚି । ଆସ୍ତେ ଆସ୍ତେ ପ୍ରସ୍ତୁତ ହୋଇଯିବା ଲାଗି ଏହି ଘଣ୍ଟାଟି ବାଜିଲା ।

 

ସେହି ଶବ୍ଦରେ ସତେକି ଓରାୟମ୍ର ଧ୍ୟାନ ଭଙ୍ଗ ହେଲା । ସେ ଫୁସ୍ ଫୁସ୍ ହୋଇ ରବିନକୁ କହିଲା–‘କିନ୍ତୁ ଦେବଳ ମନରେ ସତେକି କୌଣସି ଗୋଟିଏ କଥାଥିଲା । ଘଟନାଟା ଜାଣିବା ଦରକାର । ଗୋଟିଏ “ଡେପ୍ଥ ଚାର୍ଜ” ଦିଅ ତ ।’

 

ଠିକ୍ କହିଚ । ଦେବଳ ଭାଇ, ବେତାର ଖବର ଆଡ଼କୁ ଏକାବେଳକେ ଆକୃଷ୍ଟ ହୋଇ ପଡ଼ିଥିବାର ମନେ ହେଉଚି । ଭିତରଟି ତ ଫାଟି ପଡ଼ୁଚି; କିନ୍ତୁ ମୁହଁ ଫିଟୁନାହିଁ କାହିଁକି ? ନୂତନ ପ୍ରେମ ନା କଅଣ ?

 

ଦେବଳ କହିଲା–ମୋତେ ଏ ବସିରହିବା କାମ ଭଲ ଲାଗୁନାହିଁ । ତୁମେ ସମସ୍ତେ ହିନ୍ଦୁସ୍ଥାନ ଦଖଲ କରିବାକୁ ଯିବ । ଆଉ, ମୁ ଯୁଆନ ଜଙ୍ଘି ଅଫିସର ହୋଇ ରେଙ୍ଗୁନରେ ପଡ଼ି ରହିବି ?

 

କିନ୍ତୁ ଗାଜି ହୋଇ ମାର୍ଚ କରୁ କରୁ କଲିକତା ଠାରେ ସୁଇଟ୍ ହାଟ୍ ସମ୍ମୁଖକୁ ଯାଇ ମାଳ ପିନ୍ଧାଇଦେବା ପାଇଁ ତୁମକୁ ସୁଯୋଗ ମିଳିବ, ଏଭଳି ଗ୍ୟାରେଣ୍ଟି କିଏ ଦେଇଚି ? ବରଂ ଏଇଠି ଭଲ ଅଛ । ରହିଯାଅ । ସବୁ ଥଣ୍ଡା ପଡ଼ି ଯିବାପରେ ଏକଦମ ଆଜାଦ ହିନ୍ଦ୍ ରେଡ଼ିଓ ସହିତ କଲିକତାରେ ଯାଇ ହାଜିର ହୋଇଯିବ । ସହିଦ୍ ହେବାକୁ ପଡ଼ିବ ନାହିଁ । ହୁରିମାନେ ମଧ୍ୟ ଅପେକ୍ଷା କରିଥିବେ । ତେବେ ସେପାରିରେ ନୁହେଁ, ଦୁନିଆର ଏଇ ପାରିରେ ।

 

—ମୁଁ ହୁରି ବା କରତାଳି ଚାହେଁ ନାହିଁ ।

 

—ତା ବି ଠିକ । ତୁମେ ଯେ ଯୋଗୀ ମହାରାଜ ! କହୁଚି କଅଣ କି ସୈନ୍ୟଦଳ ସଙ୍ଗରେ ଆସିଲେ କାହା ସହିତ ସାକ୍ଷାତ ହେବ, ତାହା ଆଶା କରୁଚ କି ? ମୋତେ ତା ସହିତ “ଇଣ୍ଟ୍ରଡ଼ିଉସ୍” କରିଦେବନା ? ପରିଚୟ କରାଇ ଦେଲେ ‘ରିସ୍କ’ ନାହିଁ ଏ ଭରସାଟି ଦେଇପାରେ ।

 

—ଥାଉ, ଓରାୟମ୍ । ତୁମର ସବୁ କଥାରେ ଥଟ୍ଟା । ମୁଁ ବସି ବସି କ୍ଳାନ୍ତ ହୋଇଗଲିଣି ।

 

—କାହିଁକି ? ବର୍ତ୍ତମାନ ସୁଦ୍ଧା ମୋ ପାଖରୁ ରେଡ଼ିଓରେ କୌଣସି ଖବର ପାଇ ନାହିଁ ନା କଅଣ ?

 

ଓରାୟମର ଆଖି ଦୁଇଟି ହଠାତ୍ ସମ ବେଦନାରେ ତାରି ଦାଢ଼ି ପରି ଝକ୍ ଝକ୍ ହୋଇଉଠିଲା ।

 

ସବୁ କଥାବାର୍ତ୍ତା ବନ୍ଦ କରାଇ ରବିନ କହିଲା—ସେ ସବୁ କଥା ଥାଉ । ମୁଁ ବୁଝିଚି । ଭାଇ ଦେବଳ, ମୁଁ ତୁମ୍ଭଙ୍କୁ ଅଭିନନ୍ଦନ ଜଣାଉଚି । ସେଇ ମହାସିନ୍ଧୁ ସେପାରିରୁ କି ସଙ୍ଗୀତ ଭାସି ଆସୁଚି ?

 

ଆଠ

 

ନେତାଜୀଙ୍କ ବାଣୀ ସେମାନଙ୍କ ନିକଟରେ ଅଭୟମନ୍ତ୍ର ରୂପେ କାର୍ଯ୍ୟ କରୁଚି ।

 

“ଆଜାଦ ହିନ୍ଦ ଫଉଜହିଁ ଭାରତ ମୁକ୍ତିର କାରଣ ହେବ, ମୁଁ ଆଶ୍ୱାସନା ଦେଇ କହୁଚି ଯେ, ଶେଷରେ ଆମ୍ଭମାନଙ୍କର ନିଶ୍ଚୟ ଜୟ-ହେବ । ଏଥି ମଧ୍ୟରେ ଆମ୍ଭମାନଙ୍କ କାମ ଆରମ୍ଭ ହୋଇଯାଇଚି । ଯେତେଦିନ ଯାଏ ନୂଆଦିଲ୍ଲୀର ବଡ଼ଲାଟ ଭବନ ଉପରେ ଜାତୀୟ ପତାକା ନ ଉଡ଼ିଚି, ଯେତେଦିନ ତକ ଭାରତର ରାଜଧାନୀ ଲାଲକିଲ୍ଲା ମଧ୍ୟରେ ଆଜାଦ ହିନ୍ଦ ଫଉଜ ବିଜୟର “କୁତ କାଓଜା” (ପରେଡ଼୍) ନ କରିଚନ୍ତି, ତେତେଦିନ ଯାକେ “ଦିଲ୍ଲୀଚଲୋ” ଏହି ବାଣୀ ମୁଖରେ ଉଚ୍ଚାରଣ କରି ଆମେ କଠୋର ପରିଶ୍ରମ କରି ଚାଲିବା । ଲଢ଼େଇ କରି ଚାଲିବା ।”

 

ଫେବୃଆରି ଚାରି ତାରିଖରେ ସେମାନେ ଭାରତ ଭୂମିରେ ସର୍ବ ପ୍ରଥମେ ପଦକ୍ଷେପ କଲେ । ପୁଣ୍ୟ ଭୂମିରେ ପହୁଞ୍ଚି ସେମାନେ ସେ ମାଟିକୁ ମୁଣ୍ଡରେ ଲଗେଇଲେ । ଭାରତର ଜୟଗାଥା ଗାଇଲେ । ସେହି ଦିନଠାରୁ ସେମାନଙ୍କର ଉତ୍ସାହ ଆହୁରି ବଢ଼ିଗଲା ।

 

“ଦିଲ୍ଲୀ ଚାଲୋ, ଦିଲ୍ଲୀ ଚାଲୋ”—ଏହି ଧ୍ୱନି ଦ୍ୱାରା ଆକାଶ କମ୍ପାଇ ଆଜାଦ ହିନ୍ଦ ଫଉଜ-ଦଳ ଯାତ୍ରା ଆରମ୍ଭ କଲେ । ସେମାନଙ୍କର ଶେଷ ଲକ୍ଷ୍ୟହେଲା ଦିଲ୍ଲୀ; କିନ୍ତୁ ପ୍ରଥମେ କୋହିମା ଓ ମଣିପୁର ଦଖଲ କରିବାକୁ ହେବ । ଇଂରେଜ ଏବଂ ଆମେରିକାନ୍ ମାନଙ୍କର ବଡ଼ ଘାଟି ସେଠାରେ ଅଛି । ତା’ପରେ ବ୍ରହ୍ମପୁତ୍ର ଉପତ୍ୟକାରେ ପହୁଞ୍ଚିଗଲେ ଶତ୍ରୁ ଆଉ ବାଧାଦେବାକୁ ସୁବିଧା ପାଇବ ନାହିଁ । ତା’ପରେ ଆଉ ବଡ଼ ଘାଟି ମଧ୍ୟ ନାହିଁ ।

 

ସବୁଠାରୁ ବଡ଼ କଥା ହେଲା କୋହିମା-ମଣିପୁର ଠାରେ ଶତ୍ରୁପକ୍ଷର ପ୍ରଚୁର ପରିମାଣ ରସଦ୍ ଏବଂ ଯୁଦ୍ଧ ସରଞ୍ଜାମ ଅଛି । ଏକା ବେଳକେ ସ୍ତୁପାକାରରେ ପୂର୍ଣ୍ଣ ହୋଇ ରହିଚି । ଶତ୍ରୁପକ୍ଷ ଭାବିଥିଲେ ଯେ ବର୍ମାରେ ଓଲଟା ଆକ୍ରମଣ କରି ଜାପାନୀ ମାନଙ୍କୁ ଘଉଡ଼ାଇ ଦେବେ; କିନ୍ତୁ ସେମାନେ ଭାବିପାରି ନଥିଲେ ଯେ ଜାପାନୀମାନେ ଓ ଆଜାଦ ହିନ୍ଦ୍ ଫଉଜ ଆଗରୁ ପାହାଡ଼ ଡେଇଁ ଜଙ୍ଗଲବାଟ ଦେଇ ଭାରତ ଭିତରକୁ ପଶି ଆସିବେ ।

 

ଆଶ୍ଚର୍ଯ୍ୟର କଥା । ପିଠି ଉପରେ ମହଣେ ଲେଖାଏଁ ବୋଝ ଲଦି ଭାରତୀୟ ସୈନ୍ୟମାନେ ଦିନକୁ କମ୍ ସେ କମ୍ ପଚିଶମାଇଲ ବାଟ ଅତିକ୍ରମ କରି ଆସିବାକୁ ଲାଗିଲେ ।

 

ସହିଦ—ଇ—ଭାରତ କାପଟେନ୍ ଅମୃତ ସିଂହଙ୍କ ନେତୃତ୍ଵରେ ‘ପରୋୟାନ୍’ ନାମକ ଗୋଟିଏ କମ୍ପାନି (ସୈନ୍ୟଦଳ) ଦିନେ ଅଠତିରିଶ ମାଇଲ ବାଟ ଅତିକ୍ରମ କରି ଆଗେଇ ଆସିଲେ-। ବର୍ମା ସୀମାନ୍ତରେ ଥିବା ଘନ ବଣ ଜଙ୍ଗଲ ଓ ପାହାଡ଼ ପର୍ବତ ସେମାନଙ୍କର ଗତିରୋଧ କରିପାରିଲା ନାହିଁ ।

 

ତା’ ଛଡ଼ା ଉପାୟ ମଧ୍ୟ ନଥିଲା । ରସଦ୍, ଯୁଦ୍ଧ ସରଞ୍ଜାମ ଏବଂ ଆହତ ଲୋକଙ୍କୁ ଘେନି ଆସିବା ନିମନ୍ତେ ଏକ ନମ୍ବର ଗରିଲା ରେଜିମେଣ୍ଟ୍ ଅର୍ଥାତ୍ “ସୁଭାଷ ବ୍ରିଗେଡ଼” ନିକଟରେ ମୋଟେ ପାଞ୍ଚଖଣ୍ଡି ଲରି ଥିଲା । ସେଥିରେ ପୁଣି ସେମାନଙ୍କ ନିକଟରେ କିଛି କାରଖାନା ନଥିଲା ବା ମରାମତି ପାଇଁ ବଳକା କଳକବ୍‍ଜା ମଧ୍ୟ ନଥିଲା । ଏପରିକି ଖଚର ପିଠିରେ ମାଲପତ୍ର ବହି ନେବାର ବନ୍ଦୋବସ୍ତ ମଧ୍ୟ ହୋଇ ପାରିନଥିଲା । ଜାପାନୀମାନଙ୍କ ନିକଟରେ ଯାହା ଥିଲା, ସେଥିରୁ ସେମାନେ ଭାଗ ଦେବାକୁ ଇଚ୍ଛା କଲେ ନାହିଁ । ସେମାନେ କହିଲେ ଯେ ନିଜ ପକ୍ଷର ଜିନିଷ ବୋହିନେବା ପାଇଁ ସେମାନଙ୍କ ନିକଟରେ ବେଶି କିଛି ଯାନ ବାହାନ ନାହିଁ । ରେଙ୍ଗୁନରୁ ମାଣ୍ଡାଲେ ପର୍ଯ୍ୟନ୍ତ ଟ୍ରେନରେ ଆସିବାକୁ ପାଞ୍ଚଦିନ ଲାଗନ୍ତା; ତା’ପରେ ପୁଣି ପାଦରେ ଚାଲି ଆସିବା ପାଇଁ ରାସ୍ତାଟି ହେଡ୍‍କ୍ୱାଟରଠାରୁ ଏତେ ବେଶି ହେଲା ଯେ ଜାପାନିମାନେ ପାରି ଉଠିଲେ ନାହିଁ । ହୁଏତ କିଛି ଦେଇପାରି ଥାଆନ୍ତେ; ମାତ୍ର ବିପଦ ଆପଦ ପାଇଁ ନିଜ ହାତରେ ଜିନିଷପତ୍ର ଗଚ୍ଛିତ ରଖିବାହିଁ ଆବଶ୍ୟକ । ଅନେକ ବଳାବଳି କଲାରୁ କହିଲେ—ଯୁଦ୍ଧ ଆରମ୍ଭ ହୋଇଗଲା ପରେ ପ୍ରଂଣ୍ଟକୁ ଆଜାଦ ହିନ୍ଦ୍ ଫଉଜ ନିକଟକୁ ସେ ସବୁ ପଠାଇ ଦିଆଯିବ ।

 

ଆଜାଦ ହିନ୍ଦ୍ ନିକଟରେ ଗରମ ପୋଷାକପତ୍ର କିଛି ମଧ୍ୟ ନଥିଲା । ଚୀନ୍ ହିଲ୍ ପାହାଡ଼ ଇଲାକାର ‘କାଲାଦାନ’ ଉପତ୍ୟକାରେ ଘୋର ଶୀତ । ବାଘ ମଧ୍ୟ କାହିଲ ହୋଇପଡ଼େ । ଏ କଥା ସମସ୍ତେ ଜାଣନ୍ତି; ମାତ୍ର ଖଣ୍ଡିଏ ଖଣ୍ଡିଏ ଗରମ ସାର୍ଟ ଓ ଗୋଟିଏ ଗୋଟିଏ ସୂତାର କମ୍ବଳ ଏମାନଙ୍କର ସମ୍ବଳ ହୋଇଥିଲା ।

 

ଖାଦ୍ୟ କଥା ଉଠାଇଲେ କ୍ଷୁଧା ବଢ଼ାଇ ଦେବାହିଁ ସାର ହୁଏ । ଏକ ସମୟରେ ମାଲୟ ଜଙ୍ଗଲ ମଧ୍ୟରେ “ସି” ରେସନ, “କେ” ରେସନ ପ୍ରଭୃତି ହରେକ ରକମର ଚଟକ୍ ଖାଦ୍ୟ ଦେବତାଙ୍କ ପୁଷ୍ପବୃଷ୍ଟି ତୁଲ୍ୟ ଆକାଶରୁ ଝରି ପଡ଼ୁଥିଲା । ଆର୍ମି ମେସ୍ ନ ଥିବା ଜାଗାକୁ ପ୍ୟାକ କରି ଖାଦ୍ୟ ପଠାଉଥିଲା । ମାସକୁ ମାସ ଯବାନମାନଙ୍କୁ ଓଜନ କରି ଦେଖା ଯାଉଥିଲା । ବପୁଗୁଡ଼ିକ ଲଢ଼ାଇକୁ ଯିବା ପାଇଁ “ବହାଲ୍ ଓ ବିୟତ୍”ରେ ଉପଯୁକ୍ତ ଅଛି କି ନାହିଁ, ଏ ବିଷୟ ପରୀକ୍ଷା କରି ଦେଖିନେବା ଦରକାର ପଡ଼ୁଥିଲା; କିନ୍ତୁ ବର୍ତ୍ତମାନ ସେମାନଙ୍କୁ ମୋଟେ ଦଶ ଦିନର ରାସନ୍ ସଙ୍ଗରେ ଧରି ବର୍ମାଠାରୁ ବାହାରିବାକୁ ପଡ଼ିଥିଲା । ମାର୍ଚ୍ଚ କରି ଆସିବା ବାଟରେ ଖାଦ୍ୟ ବୋଲି କିଛି ନାହିଁ । ବଣ ଜଙ୍ଗଲ ଭିତରେ ଖାଦ୍ୟ ଶେଷ ହୋଇ ଯାଇଥିଲା । ବର୍ମା ଆସାମ ପାହାଡ଼ଗୁଡ଼ିକରେ ଚଢ଼ିବା ଓ ଉତୁରିବା ସମୟ ଆସିଗଲାବେଳକୁ ଅଯଥା ଖାଦ୍ୟ ବୋଝ ପିଠି ଉପରେ ବହି ଅତି କଷ୍ଟରେ ଚାଲିବାର ଦାୟିତ୍ୱ କମିଗଲା । “ଇମର୍ଜେନ୍‍ସି ରାସନ୍” ରୂପେ ସମ୍ବଳ ହୋଇଥିଲା—ସକର ଦିଆ ବିସକୁଟ; ରେଙ୍ଗୁନ କାରଖାନାରେ ତିଆରି । ନେତାଜୀ ନିଜେ ଏହି ବିସ୍କୁଟ ତିଆରି “ତଦାରଖ” କରିଥିଲେ । ତାହା ଶୁଣି ଉତ୍ସାହିତ ହୋଇ ଆଜାଦହିନ୍ଦ ଫଉଜର କ୍ଷୁଧା ଆହୁରି ବେଶି ବଢ଼ି ଯାଇଥିଲା । ଏପଟେ କେବଳ ମୁଣ୍ଡ ଉପରେ ନୁହେଁ, ଚାରିଆଡ଼େ ଲଗାଏତ ‘ଡାଇଭ ବମ୍ବିଂ’ ଚାଲିଚି । 'ଡାଇନେ ବାଏଁ’, ‘ସାମନେ ପିଛେ’ ବୋମାରୁ ବିମାନ ଘଁ ଘଁ ଶବ୍ଦରେ ତଳକୁ ଖସିଆସି ଆକାଶ ଉପରୁ ବୋମା ଫୁଟାଉଚି, ଦଳ ଦଳ ହୋଇ ଲକ୍ଷ ଲକ୍ଷ ସଂଖ୍ୟାରେ । ପାଇଲଟ ହେଉଚି ମେଲେରିଆ ମଶାର ଦଳ । ରାତିରେ ନିଦ ନାହିଁ କି ଦିନରେ ବିଶ୍ରାମ ନାହିଁ । କ୍ରମାଗତ କେବଳ କମାଣ ଫୁଟାଉଚନ୍ତି । ଏଣେ ଫଉଜ ସଙ୍ଗରେ ଏ: ଆର: ପି: ହାଲମେଟ କଥା ତେଣିକି ଥାଉ, ମଶାରି ଖଣ୍ଡିଏ ପର୍ଯ୍ୟନ୍ତ ନାହିଁ ।

ରବିନ ହାଙ୍କି ଉଠିଲା—କୁଛ ପରବାୟ ନାହିଁ । ବ୍ରିଗେଡ଼ର ସବୁ ଯବାନମାନଙ୍କୁ ସେ ହସହସ ମୁହଁରେ ବୁଝାଇବାକୁ ଲାଗିଲା—ଏହି ମେଲେରିଆ ମଶାଠାରୁ ବହୁ ପରିମାଣରେ ଅଧିକ କଷ୍ଟଦାୟକ ବୋମାମାଡ଼ ଖାଇବା ନିମନ୍ତେ ଆମ୍ଭେମାନେ ପ୍ରସ୍ତୁତ ଅଛୁଁ । ମଶାମାନେ ବା ଆମର କଅଣ କରିବେ ?

ଓରାୟମ ତା’ କଥା ଉପରେ ରାୟ ଦେଲା—ଏକଦମ୍ ସାଫ ବାତ୍ । ମଶା କାମୁଡ଼ା ଖାଇ ଖାଇ ବଙ୍ଗାଳୀଙ୍କ ହିମ୍ମତ ଏତେ ବେଶି । ଆଜି ପର୍ଯ୍ୟନ୍ତ ପିଟା ଫୋଟକା ଧରି ଇଂରେଜମାନଙ୍କ ସଙ୍ଗେ ଲଢ଼େଇ କରିଚନ୍ତି । ଆମେ ତାଙ୍କରି ଦେଶରେ ସର୍ବପ୍ରଥମେ ଆସ୍ଥାନ ଜମାଇବା । ତେଣୁ ମଶା କାମୁଡ଼ାକୁ ଅଭ୍ୟାସ କରି ନେଉଚୁଁ ।

ଏକଥା କହି ସେ ଆଜାଦ୍ ହିନ୍ଦ୍ର ମାର୍ଚ୍ଚିଙ୍ଗ ଗୀତ ଆରମ୍ଭ କରିଦେଲା ।

“କଦମ୍ କଦମ୍ ବଢ଼ାଏ ଯା

ଖୁସିସେ ଗୀତ ଗାଇଏ ଯା ।”

ଗୀତ ଗାଇ ଗାଇ ଆଜାଦ୍‍ହିନ୍ଦ ଦଳ ଆଗେଇ ଚାଲିଛନ୍ତି; ହଠାତ୍ ତାଳ-ଭଙ୍ଗ ହେଲା । ଲାଇନ୍ ମଧ୍ୟରେ ଜଣେ କିଏ ଯେପରି ପଡ଼ିଗଲା । ତେଣୁ ତା’ ପଛରେ ଥିବା ସମସ୍ତେ ଠିଆ ହୋଇଯିବାକୁ ବାଧ୍ୟ ହେଲେ ।

ପଦାତିକ ସିପାହୀ କୃଷ୍ଣସ୍ୱାମୀ ପଡ଼ି ଯାଉଚି । ପତଳା ଗୋରା ଚେହରା; କିନ୍ତୁ ଦେଖିଲେ ମନେହୁଏ, କର୍ମଠ । ଆଖି ଓ ମୁହଁରେ ମାନ୍ଦ୍ରାଜୀ ବୁଦ୍ଧିର ଆଲୋକ । ଓରାୟମ ସମ୍ମୁଖକୁ ଆସି ଛିଡ଼ାହେଲା ମାତ୍ରେ କୃଷ୍ଣସ୍ୱାମୀ ହଠାତ୍ ଗୋଟିଏ ପାଦରେ ଉଠି ଠିଆହେଲା । ସେହି ଅବସ୍ଥାରେ ପୂରା ମିଲିଟାରୀ ସାଲ୍ୟୁଟ୍ ଦେଲା ।

ଉର୍ଦ୍ଦୁଭାଷାରେ ଓରାୟମ ପ୍ରଶ୍ନକଲା, “କ’ଣ ହେଲା ଜବାନ ଭାଇ ?”

କୃଷ୍ଣମାଚାରୀ ଇଂରାଜୀରେ ଉତ୍ତର ଦେଲା, “କିଛି ହୋଇନାହିଁ ସାର୍ ! ମୁଁ ବଡ଼ ଦୁଃଖିତ ଯେ, ମୋ ପାଇଁ ମାର୍ଚ୍ଚିଂ ଲାଇନରେ ଆଜି ଗୋଟିଏ ଭାଙ୍ଗ ପଡ଼ିଗଲା । ମୋର ବଡ଼ ଦୁଃଖ ହେଉଛି-।”

ନିଜେ ଓରାୟମ୍ ଆଣ୍ଠେଇପଡ଼ି, କ’ଣ ହୋଇଛି ଦେଖିବାକୁ ଚେଷ୍ଟା କଲା । ବିଚରା କୃଷ୍ଣମାଚାରୀର ପାଦରେ ଗୋଟାଏ ପ୍ରକାଣ୍ଡ ବଣୁଆ କଣ୍ଟା ପଶି ଯାଇଛି । ତା’ ଛଡ଼ା ଦୁଇଟିଯାକ ପାଦରେ ଫୋଟକା ହୋଇଛି ଏବଂ କ୍ଷତବିକ୍ଷତ ହୋଇଯାଇଛି ।

 

ଓରାୟମ ପଚାରିଲା, “ତୁମର ତ ବୁଟ୍ ନାହିଁ !”

 

ଆଉଥରେ ସାଲ୍ୟୁଟ କରିବାର କିଛି ଦରକାର ନ ଥିଲା; ତଥାପି କୃଷ୍ଣମାଚାରୀ ଛାତି ଫୁଲାଇ ମୁଣ୍ଡ ଉଚ୍ଚାକରି ସଲାମ କଲା । —ନାଁ ସାର୍ ମୋର ବୁଟ୍ ଥିଲା ନାହିଁ । ଆମ ୟୁନିଟରେ ପ୍ରତ୍ୟେକଙ୍କ ପାଇଁ ବୁଟ୍ ଯୋଗାଡ଼ ହୋଇପାରି ନ ଥିବା ଜାଣି ମୁଁ ନିଜେ ବୁଟ୍ ବିନା ମାର୍ଚ୍ଚିଂ କରିବାକୁ ବାହାରକୁ ବାହାରିଛି ।

 

ଓରାୟମ ପଚାରିଲା, “କିନ୍ତୁ ତୁମେ ତ ଖୁବ୍ ଶକ୍ତ ଓ ସମର୍ଥ ନୁହଁ ? ତୁମେ କାହିକି ସ୍ୱେଚ୍ଛାରେ ଖାଲିଗୋଡ଼ରେ ମାର୍ଚ୍ଚ କରିବା ପାଇଁ ଆଗେଇ ଆସିଲ ? ତୁମର ଦେହରେ ଏ ସବୁ ସହିବ କିପରି ?”

 

ଦୃଢ଼ ସ୍ଵରରେ କୃଷ୍ଣମାଚାରୀ କହିଲା, “ନିଶ୍ଚୟ ସହିବ ସାର୍ । ଇଂରେଜମାନେ ବଙ୍ଗାଳୀ ଓ ମାନ୍ଦ୍ରାଜୀମାନଙ୍କୁ ‘ନନ୍–ମାର୍ଶାଲ’ (ବେସାମରିକ) ଜାତି ବୋଲି ଏକଘରକିଆ କରି ରଖିଛନ୍ତି । ଆମ୍ଭେମାନେ ଲଢ଼ୁଆ ଜାତି ବୋଲି ବଦନାମ୍ କରିଛନ୍ତି । କାଳେ ଆମ୍ଭମାନଙ୍କ ମସ୍ତିଷ୍କ ସେମାନଙ୍କର ଆଧୁନିକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବାର ଗୋପନ କଳକବ୍‍ଜା ଜାଣିଯିବ, ଲଢ଼ାଇର କାଇଦା ଶିଖି ପକାଇବ, ସେହି ଡରରେ ସେମାନେ ଆମ୍ଭମାନଙ୍କୁ ସୈନ୍ୟବିଭାଗରେ ପୂରାଇ ଦିଅନ୍ତି ନାହିଁ; କିନ୍ତୁ ଆଜି ସେହି ‘ନନ୍ ମାର୍ଶାଲ୍’ ଜାତି ମଧ୍ୟରୁ ହିଁ ନେତାଜୀ ବାହାରି ପଡ଼ିଛନ୍ତି । ଆମ୍ଭେମାନେ ଯେ ଲଢ଼ିପାରୁ ଏ କଥାର ପ୍ରମାଣ ଦେବାର ସମୟ ଆସିଛି । ହଜାର ହଜାର ବଙ୍ଗାଳୀ ଓ ମାନ୍ଦ୍ରାଜୀ ଆରାମରେ ରହି ସେମାନଙ୍କ କଲମପେଶା କାମ ଛାଡ଼ି ଆଜି ଆଜାଦ୍‍ହିନ୍ଦ୍ ଫୌଜ ଦଳରେ ନାମ ଲେଖାଇ ମାର୍ଚ୍ଚ କରି ଚାଲିଛନ୍ତି ।”

 

ସାନ୍ତ୍ୱନା ଦେଇ ଓରାୟମ କହିଲା—ଠିକ୍‍କଥା କହିଛ ଭାଇ । କିନ୍ତୁ, ତା’ ବୋଲି ଯେଉଁମାନଙ୍କର ହାଡ଼ ପତଳା, ସେମାନେ ଏପରି ଭାବେ ଖାଲି ଗୋଡ଼ରେ ଚାଲିବା ତ ଠିକ୍ ନୁହଁ ! ମନର ଜୋର ଏବଂ ମସ୍ତିଷ୍କର ବୁଦ୍ଧିଦ୍ଵାରାତ ଶାରୀରିକ ଶକ୍ତିର ତ୍ରୁଟିକୁ ଘୋଡ଼ାଇ ଦେଇ ପାରିବ ନାହିଁ-। ତୁମେ ଇନଫ୍ୟାନ୍ଟ୍ରି ପଶି ପାଦରେ ଚାଲି ଚାଲି କଷ୍ଟ ନ ସହି ଆର୍ଟିଲାରୀରେ ଥାଇ ତୋପ ଚଳାଇବାର କୌଶଳ ଆଡ଼କୁ ଭବିଷ୍ୟତରେ ମନଦେବ । ସେତେବେଳକୁ ଆମର ଆର୍ଟିଲାରୀ ହୋଇଯାଇଥିବ I

 

ମ୍ଳାନ ମୁଖରେ ମାନ୍ଦ୍ରାଜୀଟି କହିଲା—ଆରଜି ହୁକୁମତ୍ ଆଜାଦ୍ ହିନ୍ଦ୍ କୀ ଜୟ । ମୁଁ ମେସିନ୍‍ଗନ୍‍ ମଧ୍ୟ ଚଳାଇ ଶିଖିଛି । ଆର୍ଟିଲାରୀ କଥା ତେଣିକି ଥାଉ, ଜାପାନୀମାନେ ଆମ୍ଭମାନଙ୍କୁ ମୋଟାର୍ ପର୍ଯ୍ୟନ୍ତ ଦେଲେ ନାହିଁ । ମେସିନ୍‍ଗୁଡ଼ିକ ହେଲା ମଝିଲା (ମିଡିୟମ୍) ସାଇଜରେ । ଆଚ୍ଛା, ଠିକ୍ ଅଛି । ଚେଣ୍ଡୁଇନ୍ ନଦୀର ପୂର୍ବ କୂଳ ପର୍ଯ୍ୟନ୍ତ ଯେତେବେଳେ ଆସିଯାଇଛୁ ସେତେବେଳେ ‘ଚର୍ଚ୍ଚିଲ୍ ସପ୍ଳାଇ’ ଜିନିଷ ଉପରେ ଭାଗ ବସାଇବାକୁ ଆଉ ବିଶେଷ ଡ଼େରି ନାହିଁ । ‘ଜୟ ଚର୍ଚ୍ଚିଲ୍’ ।

 

ଗରିଲା ରେଜିମେଣ୍ଟର ତିନିଜଣ ନୂତନ ପ୍ରମୋଶନ୍ ପାଇଥିବା ଲେଫ୍‍ଟ୍‍ନାଣ୍ଟ କର୍ଣ୍ଣେଲ, ଓରାୟମ, ରବିନ୍ ଏବଂ ଦେବଳ ସନ୍ଧ୍ୟା ସମୟରେ ବସି ତମ୍ବୁ ଭିତରେ କଥାବାର୍ତ୍ତା ହେଉଛନ୍ତି । ପ୍ରକୃତରେ ଇଂରେଜ ଏବଂ ଆମେରିକାନ୍‍ମାନଙ୍କର ଅସରନ୍ତି ରସଦ୍, ଜିନିଷପତ୍ର, ଯୁଦ୍ଧର ଅସ୍ତ୍ର, ସାଜସରଞ୍ଜାମ; ଅର୍ଥାତ୍ ‘ଚର୍ଚ୍ଚିଲ୍ ସପ୍ଳାଇ’ ଛଡ଼ା ଆଜାଦ ଗତିନାହିଁ ! ମାତ୍ର ଦୁଇଟା ଗୋଟାଏ ପ୍ରାୟ ଅକାମୀ ବେତାରଯନ୍ତ୍ର ଆଉ ଫିଲଡ଼୍ ଟେଲିଫୋନ୍ ଦ୍ଵାରା ଗରିଲା ଯୁଦ୍ଧ କ’ଣ କରାଯାଇପାରେ ? ତଥାପି ସେମାନେ ସେ ଲଢ଼ାଇର ଫ୍ରଣ୍ଟକୁ ଆସିଯାଇ ପାରିଛନ୍ତି, ସେତକ କ’ଣ କମ୍ ଭାଗ୍ୟର କଥା-! ‘ଜାପାନୀ’ ଚିଫ୍ ଅଫ୍ ଜେନେରାଲ୍ ଷ୍ଟାଫ୍‍ଙ୍କୁ ନେତାଜୀ ଏଭଳିଭାବେ ଚାପଦେଇ ଧରି ନଥିଲେ ଆଜାଦ୍‍ହିନ୍ଦ୍ ଫୌଜ ଯୁଦ୍ଧଲାଗି ସମ୍ମୁଖକୁ ଆସିପାରି ନଥାନ୍ତେ ।

 

ଓରାୟମ୍ ଦାଢ଼ିରେ ହାତ ବୁଲାଇବାକୁ ଲାଗିଲା ।

 

ଶେଷକୁ କହିଲା—ଏ ଯୁଦ୍ଧର ପରିଣାମ କ’ଣ ହେବ, ସେକଥା ଜଣା ପଡ଼ୁନାହିଁ । ଆମ୍ଭମାନଙ୍କ ମିତ୍ରପକ୍ଷ ହେଲେ ଜାପାନୀମାନେ; ଅଥଚ ସେମାନେ ବୋଧହୁଏ ଆମ୍ଭମାନଙ୍କୁ ପୂରାପୂରି ବିଶ୍ୱାସ କରୁନାହାନ୍ତି । ବରଂ ସେମାନେ ବାରମ୍ଵାର ଚେଷ୍ଟା କରୁଛନ୍ତି, ଯେପରିକି ଆମେ ଛତ୍ରଭଙ୍ଗଦେଇ, ଛୋଟ ଛୋଟ ଦଳ ହୋଇ ସେମାନଙ୍କର ଜିନିଷପତ୍ର ବୋହି ବୁଲୁଁ ।

 

ରୁବିନ୍ କହିଲା—ମୁଁ ବି ସେଇକଥା ଶୁଣିଛି । ଆଚ୍ଛା, ଜାନୁୟାରୀ ମାସରେ ନେତାଜୀ ଯେତେବେଳେ ବର୍ମାରେ ଜାପାନୀ ସେନାପତି ଜେନେରାଲ୍ ‘କୟାବେ’ ପାଖକୁ ‘ରିଟର୍ଣ୍ଣ କଲ୍’ (ଓଲଟା ଦେଖାକରିବା) ଦେବାକୁ ଯାଇଥିଲେ, ସେତେବେଳେ ‘ଜେନେରାଲ୍ କୟାବେ’ ନେତାଜୀଙ୍କ ନିକଟରେ ଏଇପ୍ରକାର ଗୋଟିଏ ପ୍ରସ୍ତାବ ବାଢ଼ିଥିବାର ମୁଁ ଶୁଣିଛି ।

 

ଓରାୟମ୍ ମଧ୍ୟ ସେକଥା ଶୁଣିଥିଲା । କହିଲା—ହଁ, ତେବେ ଧୂର୍ତ୍ତ ଲୋକ ତ । ପ୍ରଥମେ ଅବଶ୍ୟ ବହୁତ ମିଠା ମିଠା କଥା କହିଥିଲା । କହିଲା, ନେତାଜୀ ଯେତେବେଳେ ହିନ୍ଦୁସ୍ଥାନ ଭିତରକୁ ପଶିବାକୁ ଚାହିଁବେ, ଠିକ୍ ସେତିକିବେଳେ ଜାପାନୀମାନେ ଆମ ଦେଶ ଆକ୍ରମଣ କରିବେ । ସେ ଜାଣିଥିଲେ ଯେ ଇଂରେଜମାନେ ବର୍ମା ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି । ଅତଏବ ନେତାଜୀ ମଧ୍ୟ ବର୍ତ୍ତମାନ ହିନ୍ଦୁସ୍ଥାନ ଭିତରକୁ ପଶିବାକୁ ଚାହିଁଲେ; ତଥାପି ଜାପାନୀମାନଙ୍କର ମୌଖିକ ଭଦ୍ରତାରେ ଭୁଲି ରହିବା ଠିକ୍ ହେବ ନାହିଁ ।

 

ଦେବଳ କହି ଉଠିଲା—ଠିକ୍‍ କଥା ମୁଁ ମଧ୍ୟ ସେକଥା ଜାଣେ । ସିଙ୍ଗାପୁରଠାରେ ମାର୍ଶାଲ୍ ତେରାଉଚି ଏମିତି ଗୋଟାଏ ପ୍ରସ୍ତାବ କରିଥିଲା; କିନ୍ତୁ ନେତାଜୀ ରାଜି ହେଲେ ନାହିଁ । କହିଲେ—ଆମେ ଚାଲିଛୁ, ନିଜଦେଶକୁ ସ୍ଵାଧୀନ କରିବା ପାଇଁ । ପ୍ରଥମେହିଁ ଆମେ ସମସ୍ତଙ୍କ ଆଗେ ହିନ୍ଦୁସ୍ଥାନ ମାଟିଉପରେ ପାଦଦେବୁ ଓ ଦେହର ରକ୍ତ ଢାଳିବୁଁ । ଯେତେବେଳେ ସ୍ଵଦେଶର ସାମାନ୍ୟ ଅଂଶଟିକକୁ ଆମ୍ଭେମାନେ ସ୍ଵାଧୀନ କରିନେବୁ, ଠିକ୍ ସେତିକି ଉପରେ ଆମର ଆଜାଦହିନ୍ଦ୍ ସରକାର ଶାସନ କରିବ, ଜାପାନୀମାନେ ନୁହେଁ । ଅସ୍ତ୍ର ଶସ୍ତ୍ର, ଗୋଳାବାରୁଦ, ଅନ୍ୟାନ୍ୟ ରସଦ, ଯାହାକିଛି ଇଂରେଜ୍ ଆମେରିକାନମାନଙ୍କ ହାତରୁ ଆମ୍ଭମାନଙ୍କ ହାତକୁ ଆସିବ, ସେତକସବୁ ଆମେହିଁ ଆଜାଦହିନ୍ଦ୍ ନାମରେ ଦଖଲ କରିବୁଁ । ଜାପାନୀମାନେ ନୁହେଁ । ତା’ଛଡ଼ା ନେତାଜୀ ସର୍ତ୍ତ କରିଛନ୍ତି ଯେ, କଲିକତାର ନିରୀହ ବେସାମରିକ ଲୋକଙ୍କ ଉପରେ କୌଣସିମତେ ବୋମା ପକାଇବାପାଇଁ କାହାରିକୁ ଛାଡ଼ିଦେବେ ନାହିଁ । ନିଜ ଦେଶର ଲୋକଙ୍କପାଇଁ ଆମେ ଯୁଦ୍ଧ କରିବାକୁ ଯାଉଥାଇଁ । ସେମାନଙ୍କ ଉପରେ ବୋମା ପକାଇ ମାରି, ସେମାନଙ୍କୁ ଆମର ଶତୃରୂପେ ପରିଣତ କରି ପାରିବୁ ନାହିଁ ।

 

—ଅବଶ୍ୟ ଅବଶ୍ୟ—ଓରାୟମ୍ ନିଜ ଦାଢ଼ିରେ ଆହୁରି ବେଶି ମମତାସହ ହାତବୁଲାଇବାକୁ ଲାଗିଲା–ଅବଶ୍ୟ ତାହାହିଁ ହେବ; ଦେଶ ଆମର । ସ୍ଵାଧୀନ କରିବୁ ଆମେ । ଜାଣିଛ ତ ! ନେତାଜୀଙ୍କ ହୁକୁମ୍ ଜାପାନୀମାନେ ମାନିବାକୁ ବାଧ୍ୟ ହୋଇଛନ୍ତି । ଆମ୍ଭେମାନେ ଯେତେବେଳେ ହିନ୍ଦୁସ୍ଥାନ ମଧ୍ୟରେ ପ୍ରବେଶ କରିବୁ, ସେତେବେଳେ ଏକମାତ୍ର ଆଜାଦ୍‍ହିନ୍ଦ୍ ‘ଟ୍ରାଇକଲର୍’ (ତ୍ରିରଙ୍ଗ, ଝଣ୍ଡା–ପତାକା) ସେଠାରେ ଉଡ଼ିବ । ‘ଇମ୍ପରିଆଲ୍ ନିସ୍ପନ୍’ର ଝଣ୍ଡାନୁହେଁ । ଆଉ ମଧ୍ୟ ଜାପାନୀ ସିପାହୀମାନେ କେବେ ଯଦି ଆମ୍ଭମାନଙ୍କ ଉପରକୁ ହାତ ଉଠାନ୍ତି, ତେବେ ସଙ୍ଗେ ସଙ୍ଗେ ସେମାନଙ୍କୁ ଗୁଳି କରିବା ପାଇଁ ନେତାଜୀ ହୁକୁମ୍ ମଧ୍ୟ ଦେଇଛନ୍ତି । ‘ନେତାଜୀକି ଜୟ’ ।

 

ରବୀନ୍ ମୁଣ୍ଡ ହଲାଇ କହିଲା—ଠିକ୍ ଅଛି । ତଥାପି ଗୋଟିଏ ଗଲ୍‍ତି ରହିଗଲା । ଆମର ଦୁଇଟି ସ୍ଵତନ୍ତ୍ର ଫୌଜ; କିନ୍ତୁ ଆମ ସେନାପତିଙ୍କଠାରୁ ମେଜର ଜେନେରାଲ୍ ‘ୟାମାମୋଟୋ’ ସିନିୟର ବୋଲି ତା’ରି ହୁକୁମ ଶେଷପର୍ଯ୍ୟନ୍ତ ମାନିବାକୁ ହେବ ।

 

“ସେଥିରେ କ’ଣ ଅଛି ? ସେଥିରେ କିଛି ଯାଏ ଆସେ ନାହିଁ ।” ଓରାୟମ୍ କହିଲା, “ସେମାନେ ଯେ ଆମକୁ ଜାପାନୀ ଜଙ୍ଘିଆଇନ୍ ଓ ଆର୍ମି ଆକ୍ଟ ମଧ୍ୟରେ ପକାଇ ପାରିନାହାନ୍ତି, ସେଇଟି ହେଲା ବଡ଼ଲାଭ । ଆମ୍ଭମାନଙ୍କ ପକ୍ଷର ମାଞ୍ଚୁ–ଆର୍ମି, ନାନ୍‍କିନ୍‍ ଆର୍ମି, ଥା–ଇ ଆର୍ମି, ସମସ୍ତେ ଜାପାନୀ ନିୟମରେ ଚାଲିବାକୁ ବାଧ୍ୟ ହୋଇଛନ୍ତି । କେବଳ ନେତାଜୀଙ୍କ ଦୂରଦୃଷ୍ଟିର କଲ୍ୟାଣରୁ ଆମ୍ଭମାନଙ୍କର ଆଇ–ଏନ୍–ଏ–ଆକ୍ଟ ପୂର୍ବରୁ ପ୍ରସ୍ତୁତ ହୋଇ ସାରିଥିଲା । ତେଣୁ ସେ କୌଣସିମତେ ଆଜାଦ୍‍ହିନ୍ଦ୍ ଫଉଜକୁ ଜାପାନୀ ସରକାରର ଆଇନ ମଧ୍ୟକୁ ଅଣାଇ ଦେବେ ନାହିଁ-।”

 

ବାଧା ଦେଇ ଦେବଳ କହିଲା—ଭାବି ଦେଖ, ଖାସ୍ ସେଥିପାଇଁ ନେତାଜୀଙ୍କୁ ପଦେ ପଦେ ଜାପାନୀମାନଙ୍କ ସହିତ କଳି କରିବାକୁ ପଡ଼ିଥିଲା । ଶେଷକୁ ଉକ୍ତ ଝଗଡ଼ା ଟୋକିଓ ପର୍ଯ୍ୟନ୍ତ ଗଲା । ଟୋକିଓ ସରକାର ନେତାଜୀଙ୍କ କଥା ମାନିବାକୁ ବାଧ୍ୟ ହେଲେ । ସେତେବେଳେ ଜାପାନୀ ସେନାପତି ଦାବିକଲେ ଯେ, ଜାପାନ ସୈନ୍ୟ, ସାଜ ସରଞ୍ଜାମ, ସଂଖ୍ୟା ବଳ ଏବଂ ଯୁଦ୍ଧର ଇତିହାସ ଦୃଷ୍ଟିରୁ ସିନିଅର । ତେଣୁ ଆମ୍ଭମାନଙ୍କର ଅଫିସର ତାଙ୍କ ଅଫିସରଙ୍କୁ ଦେଖିବା ମାତ୍ରେ ଆଗେ ସଲାମ କରିବାକୁ ବାଧ୍ୟ ହେବେ । କିନ୍ତୁ ନେତାଜୀ ଏଥିରେ ରାଜି ହେଲେ ନାହିଁ । ଜାତି ହିସାବରେ ଜାପାନୀମାନଙ୍କଠାରୁ ହିନ୍ଦୁସ୍ଥାନ ସିନିଅର । ତେଣୁ ଅନ୍ତତଃ ସମାନ ସମାନ ପଦର ଦୁଇଜଣ ଅଫିସର ଭେଟାଭେଟି ହେଲେ ଏକସଙ୍ଗରେ ଦୁହେଁ ପରସ୍ପରକୁ ସଲାମ ଦିଆନିଆ ହେବେ । ସମାନ ସମାନ ମଧ୍ୟରେ ବନ୍ଧୁତ୍ୱ ଓ ସନ୍ଧି ସ୍ଥାପିତ ହୋଇଥାଏ ।

 

ଓରାୟମର ଆଖିରେ ଝଲକ ଦେଖାଦେଲା । ସେ କହିଲା—ଅତି ଉତ୍ତମ କଥା । ସଲାମ୍ ହୁଏତ ଏକ ସଙ୍ଗରେ କରିବେ; କିନ୍ତୁ ଜାଣିଛନା, ସିଆଣା ଲୋକର ମାଡ଼ ଶେଷ ରାତି ଆଡ଼କୁ ଆସେ ?

 

—ଅର୍ଥାତ୍ ?

 

—ପରିଷ୍କାର କଥା, ସଫା କଥା, ହିନ୍ଦୁସ୍ଥାନ ଯେତେବେଳେ ଦଖଲ ହୋଇଯିବ, ସେତେବେଳେ ଜାପାନୀମାନେ ଯଦି ଜୋର କରି ଦେଶ ଦଖଲ କରି ନେବାକୁ ଚାହାନ୍ତି ?

 

ହାତର ମୁଠାଟାକୁ ଆହୁରି ଟାଣ କରି ଦେବଳ କହିଲା—ବନ୍ଦେ ମାତରମ୍, ଆମେ ଦେଶ ମାଟିରେ ପାଦ ଦେଲା ମାତ୍ରେ, ଦେଶର ଲୋକେ ନିଶ୍ଚୟ ଜବାବଦେବେ । ବଙ୍ଗ ଦେଶର ଲୋକେ କେବଳ ବୋମା ଆଉ ଭଙ୍ଗା ରିଭଲଭର ଧରି ତୁଚ୍ଛା ହାତରେ ଏ ପର୍ଯ୍ୟନ୍ତ ଲଢ଼ିଛନ୍ତି । ସେଇ ବଙ୍ଗ ଦେଶରେ ଆମେ “ଚର୍ଚ୍ଚିଲ ସପ୍ଲାଇ” ସଙ୍ଗରେ ଧରି ପହଞ୍ଚିବା । ଆଠକୋଟି ଲୋକ ଏକତ୍ର ମିଳି “ବନ୍ଦେମାତରଂ” ଜୟଧ୍ୱନୀ କରି ଉଠିବେ । ଆଠକୋଟି ଲୋକ, ଓରାୟମ୍ ସ୍ତ୍ରୀ ବାଳକ ଓ ବୃଦ୍ଧ ସମସ୍ତେ ମିଳିତ ହୋଇ ସଙ୍ଗେ ସଙ୍ଗେ ଅଠତ୍ରିଶ କୋଟି ଲୋକ ସେଇ ଆହ୍ୱାନକୁ ଜବାବ ଦେବେ । ଜେନେରାଲ “ୟାମାମୋଟୋ” ଏବଂ ତାହାର ସାହାର୍ଯ୍ୟକାରୀମାନେ ମିର୍ଜାଫର୍ ଭଳି କାମ କରିବାକୁ କିଛି ସୁବିଧା ପାଇବେ ନାହିଁ ।

 

—ଆଉ ସେତେବେଳେ ଯଦି “ଟୋଜୋ” ଏବଂ “ହିଟ୍ଲର୍”, “ଚୋରର ଭାଇ ଗଳାକଟା” ଭଳି ସାଜନ୍ତି ?–ଓରାୟମ ଆଡ଼ଆଖିରେ ରବିନ୍ ଆଡ଼କୁ ଚାହିଁ ତାକୁ ଏଇ ପ୍ରଶ୍ନଟି କଲା ।

 

ସେତେବେଳେ ଦେବଳ ଅତ୍ୟଧିକ ଉତ୍ତେଜିତ ହୋଇ କହିଲା, —ଅନ୍ୟଜଣେ ମାରିନେବ ? ନେଭର୍, ନେଭର୍ । କଭି ନେହିଁ । ମହାତ୍ମାଗାନ୍ଧିଙ୍କୁ ଉଦ୍ଦେଶ୍ୟ କରି ନେତାଜୀଙ୍କ ବତ୍କୃତା ମୁଁ ନିଜେ ବେତାର ଯନ୍ତ୍ର ସାହାର୍ଯ୍ୟରେ ଦେଶକୁ ପଠାଇଥିଲି । ତହିଁରେ ନେତାଜୀ ବୁଝାଇ କହିଛନ୍ତି ଯେ, “କଣ୍ଟକେନୈବ କଣ୍ଟକମ୍”, ଏହାହିଁ ହେଲା ଦୁର୍ବଳର ଏକମାତ୍ର ରାଜନୀତି । ଇଂରେଜମାନେ ଯଦି ଆମେରିକା ପାଖରେ ହାତଯୋଡ଼ି ସାହାର୍ଯ୍ୟ ଗ୍ରହଣ କରିପାରନ୍ତି, ତେବେ ଭାରତ ମଧ୍ୟ ଜାପାନୀମାନଙ୍କ ନିକଟରୁ ସାହାର୍ଯ୍ୟ ନେଲେ କିଛି ଅନ୍ୟାୟ ହୋଇଯିବ ନାହିଁ । ଚାଣକ୍ୟଠାରୁ ଆରମ୍ଭ କରି ମାର୍କିନ୍ର ଜର୍ଜ ୱାସିଂଟନ୍ ଏବଂ ଇଟାଲିର ଗାରିବଲ୍ଡ଼ିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ନୀତିର ସାହାର୍ଯ୍ୟ ନେଇଛନ୍ତି । ଅଠତ୍ରିଶ କୋଟି ଲୋକ, ଇଂରେଜ—ମାର୍କିନର ଯୁଦ୍ଧ ସରଞ୍ଜାମ ଏବଂ ଆମ୍ଭମାନଙ୍କର ଶିକ୍ଷା, ଏ ସମସ୍ତକୁ ଏକତ୍ର କରି ଆମେ ଗୋଟିଏ ନୂଆଶକ୍ତି ରୂପେ ଛିଡ଼ା ହେବୁଁ । ତାହା ବ୍ୟତୀତ ଜର୍ମାନମାନେ ଜାପାନୀମାନଙ୍କଠାରୁ ଦୁର୍ବଳ ହେବାକୁ ରାଜି ହେବେନାହିଁ । ସୁତରାଂ; ଆମ୍ଭମାନଙ୍କର କୌଣସି ଭୟର ସମ୍ଭାବନା ନାହିଁ । କେବଳ ଥରେ ତୁମ୍ଭେମାନେ ‘ମା’ ବୋଲି ଡାକ । ଭାଇମାନେ, ସମସ୍ତେ ଏକମେଳ ହୋଇ ଥରେ କହ—‘ବନ୍ଦେ ମାତରମ୍’ ।

 

କିନ୍ତୁ ଯୁଦ୍ଧ କରିବାକୁ ଆସି ଏଭଳି ଗରମ ବତ୍କୃତା ଦେବାର ସମୟ କାହିଁ ? ସୁବିଧା ବା ଦେଉଛି କିଏ ? —ବାହାରେ ହଠାତ୍ ଖଡ଼ଖଡ଼ ଶବ୍ଦ ହେଲା । ଦୁମ୍‍ଦାମ୍ “ହ୍ୟାଣ୍ଡ ଗ୍ରେନେଡ଼” ଫିଙ୍ଗିବାର ଶବ୍ଦ । ଅନେକଗୁଡ଼ିଏ ପାଦଶବ୍ଦ । କିଛି ରାଣନିୟମ ପକାଇବା, କିଛି ଗାଳି ଗୁଲଜ, ନିକଟ ସମ୍ପର୍କୀୟ କୌଣସି ଇଂରେଜ କନ୍ୟାର ଭାଇର ଖୁବ୍ କମରେ ଚୌଦପୁରୁଷଯାକେ ଉଦ୍ଧାର କରିବା—ସାଫ୍ ହିନ୍ଦୁସ୍ଥାନୀ ଭାଷାରେ ।

 

ଆଜାଦ୍‍ହିନ୍ଦ ଫୌଜର କେତେଜଣ ଜୱାନ୍ ଜଣେ ଟମିକୁ ଧରି ଆଣିଛନ୍ତି । ପ୍ରତ୍ୟେକଙ୍କ ହାତରେ ବାଓନେଟ୍ ଥିବା ବନ୍ଧୁକ । ବନ୍ଦୀ ପଳାଇବା ଲାଗି ସାମାନ୍ୟ ଟିକିଏ ଚେଷ୍ଟାକଲେ ଗୁଳି ଚାଲିବ । କେବଳ ଭୟ ଦେଖାଇବା ପାଇଁ ନୁହେଁ, ପ୍ରାଣରେ ମାରିଦେବା ପାଇଁ ମଧ୍ୟ ।

 

ଓରାୟମ ହିଁ ପ୍ରଥମେ ଆଗେଇ ଆସିଲା । ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ତାକୁ ଭଲଭାବରେ ଦେଖିନେଲା । ଅସ୍ପଷ୍ଟ ସ୍ୱରରେ କହିଲା—ବାଃ, ବେଶ ତ ଖାଇପିଇ ମୋଟାମୋଟି ଗୋଟିଏ ଖାସି ପରି ହୋଇଛି । ଆହେ ଟମି ମହାରାଜ, ବିସ୍କୁଟ୍ ଅଫ୍ ଏକ୍ସଟ୍ରା—ଅଡ଼ିନାରୀରୁ ତୁମେ ଯେ ରୋଜ୍ ପ୍ରେମସେ ଖାଅ, ସେକଥା ତ ତୁମ ଚେହେରାରୁ ମାଲୁମ ହେଉଛି । ଆଚ୍ଛା କହିଲ, ଏଇ ଅଭାଗାମାନଙ୍କ ପାଇଁ ତୁମ ‘ହାଭାର ସ୍ୟାକ୍’ରେ (ଝୁଲାମୁଣି) ବଳକା କିଛି ଅଛିକି ?

 

ଜୱାନ୍‍ମାନେ ସଲାମ ବଜାଇ କହିଲେ—ସାର୍, ଏଇ ଟମିଟି ଅନ୍ଧାରରେ ଗୋଟିଏ ରେଡ଼ିଓ ସେଟ୍ ଧରି ଧୀରେ ଧୀରେ ପାହାଡ଼ ଚଢ଼ୁଥିଲା । ପଛରୁ କୁଦିପଡ଼ି ଆମେ ତାକୁ ଧରିପକାଇଛୁ । ସଙ୍ଗୀମାନେ ପଳାଇ ଯାଉଥିଲେ । ଅନେକ ଗ୍ରେନଡ୍ ତାଙ୍କୁ ଫିଙ୍ଗିଛୁ । ଅନ୍ଧକାର ମଧ୍ୟରେ ସେମାନେ ମରିଗଲେ କିମ୍ବା ପଳାଇଗଲେ, ସେ କଥା ଆମ୍ଭେମାନେ ଠଉରାଇ ପାରିଲୁ ନାହିଁ ।

 

ଫଉଜର ଆର୍ଡ଼ଭାନ କଲମ (ବା ଅଗ୍ରଗାମୀ ଦଳ) ରୂପେ ଏମାନେ ଆଗେଇ ଆସୁଛନ୍ତି-। ଏହି ତିନି ଲେଫ୍ଟନାଣ୍ଟ କର୍ନେଲଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଠିକ୍ କରାଯାଇଥିଲା । ସଙ୍ଗେ ସଙ୍ଗେ କେତେଜଣ ଜୱାନଙ୍କୁ ସଙ୍ଗରେ ଘେନି ତଦନ୍ତ କରିବା ନିମନ୍ତେ ରବିନ୍ ବାହାରି ପଡ଼ିଲା । ଦେବଳ ରହିଗଲା । ଟମିଠାରୁ ସବୁ ଖବର ବାହାରିଲା ପରେ ରେଡ଼ିଓ ସେଟ୍ ଧରି ତାକୁଇ କାମରେ ଲଗାଇ, ଦେଶ ଆଡ଼କୁ ଆଗେଇ ଯିବାକୁ ହେବ । ଏମାନଙ୍କ ମଧ୍ୟରେ ସେଇହେଲା ‘ମିଲିଟାରୀ ଇଣ୍ଟେଲିଜେନ୍ସ’ (ଗୁପ୍ତଖବର ଓ ତଥ୍ୟ ବିଷୟରେ ବିଶେଷଜ୍ଞ ।)

 

ଓରାୟମର ମନେ ପଡ଼ିଲା ଯେ, ଯେଉଁ ସୁଖାଦ୍ୟଟି ସମ୍ବନ୍ଧରେ ସେ ଥଟ୍ଟା କରିଛି,, ତାହା ଜୱାନମାନେ ବୁଝିପାରିବେ ନାହିଁ; ଅଥଚ କଡ଼ା ସାମରିକ ‘ଡିସିପ୍ଲିନ୍’ ମାନି ସମସ୍ତେ ଚଳୁଥିଲେ ମଧ୍ୟ ଗୋଟିଏ ଥଟ୍ଟା ପରିହାସ କଥାପଡ଼ିଲେ ତାହାର ଆନନ୍ଦଟିକୁ ସମସ୍ତେ ଭାଗକରି ଉପଭୋଗ କରିଥାନ୍ତି । ତାହା ନହେଲେ କେବଳ ହୁକୁମ୍ ମାନି କ’ଣ ଜୱ୍ୟାନମାନେ ଏତେ କଷ୍ଟ ସହ୍ୟକରି ଏତେ ସାହସ ଦେଖାଇ ପାରନ୍ତେ ?

 

ତେଣୁ ସେ ସମସ୍ତଙ୍କୁ ଲକ୍ଷ୍ୟକରି କହିଲା,—ଆହେ ବ୍ରିଟିଶ ରାଜାର ଅଗ୍ରଦୂତ ! କଥାଟି କ’ଣ ବୁଝିପାରିଲ ନାହିଁ ? ପର ଇଲାକାରେ ଚୋର ପରି ତ ଢୁକିଛି ? କିନ୍ତୁ ନିଜ ଦେଶର ରାଜଭୋଗତକ ଆଇ, ଏ, ଏଫ୍, ନିୟମିତ ରୂପେ ଆକାଶମାର୍ଗରୁ ଯୋଗାଇ ଦେଇ ଯାଉଛି ତ ? ବିସ୍କୁଟ, ଚକୋଲେଟ୍, ଖଜୁରୀ, କିସମିସ୍ ଆଦି ଖାଦ୍ୟଗୁଡ଼ିକ ଭର୍ତ୍ତି ହୋଇଥିବା ଟିଣସବୁ ତୁମ୍ଭମାନଙ୍କ ପାଇଁ ଆକାଶରୁ ପୁଷ୍ପବୃଷ୍ଟି ହେଲାପରି ଯାହା ସେମାନେ ଯୋଗାଇ ଥାଆନ୍ତି, ସେଗୁଡ଼ିକ କେଉଁଠାରେ ରଖାଯାଉଛି, ସେ ଜାଗାରେ ଠିକଣାଟି କହିବଟି ବାବୁ ।

 

ଟମି ଚୁପ୍ ହୋଇ ରହିଲା ।

 

ଜଣେ ଜୱାନ୍ ଏହି ସବୁ ଖାଇବା ଜିନିଷର ନାମ ଶୁଣି ପାଗଳ ପରି ଆଗେଇ ଆସିଲା । ସଲାମ ଦେଇ କହିଲା, —କର୍ଣ୍ଣେଲ୍ ସାହେବ, ଟମି ଗନ୍ ବ୍ୟବହାର ନ କଲେ, ଟମି ସ—କୌଣସି କଥା କହିବ ନାହିଁ । ପ୍ରଥମେ ଟିକିଏ ଥଣ୍ଡା ପଲାଉ ଦେଇଦିଏ ?

 

କଥାଟି ଶୁଣି ଟମିର ଦେହସାରା ଥରି ଉଠିଲା ।

 

କିନ୍ତୁ ଟିକିଏ ହେଲେ ମୁଁହଁ ଫିଟାଇଲା ନାହିଁ । କେବଳ ମୁଣ୍ଡ ଉପରକୁ ରଖି ଚାହିଁରହିଲା-। ତା’ର ନୀଳବର୍ଣ୍ଣ ଆଖିଦୁଇଟି ମଧ୍ୟଦେଇ ଉତ୍ତପ୍ତ ଇସ୍ପାତର ଆଲୋକ ଦେଖାଗଲା ।

 

ଓରାୟମ୍ ହାତହଲାଇ ଜଓ୍ୟାନକୁ ବାରଣ କଲା । ହିନ୍ଦୁସ୍ଥାନୀ ଭାଷାରେ କହିଲା ଯେ, ଇଂରେଜ ପିଲାକୁ ଭୟ ଦେଖାଇ ତା’ ମୁହଁ ଖୋଲି ହେବନାହିଁ । ଦେଖାଯାଉ, ହାସ୍ୟ ପରିହାସରେ ତା’ର ମନଟି ଖୋଲାକରି ହେବ କି ନାହିଁ !

 

ତା’ ପରେ କହିଲା—ବାଃ, ପୋଷାକପତ୍ରରେ ଖୁବ୍ ବେଶ୍ ଖ୍ରୀଷ୍ଟମାସ୍ ଟ୍ରି ଭଳି ଚେହେରାଟି ବାଗେଇଛ ତ ! ଚମତ୍କାର ଲେଦରଜାର୍କିନ୍ (ଚମଡ଼ା ତିଆରି ନୂଆଫେସନର ଗରମ କୋଟ), କ୍ୟାମେଲ ହେଆର ଓଭରକୋଟ୍, ଆଣ୍ଠୁ ପର୍ଯ୍ୟନ୍ତ ବୁଟ୍, ଛୁରୀ, କଣ୍ଟା, ଚାମଚ, ବୁଟ୍—ଫିତା ସହିତ କାଶ୍ମୀର କମ୍ବଳ ପର୍ଯ୍ୟନ୍ତ କୀଟ୍ ବ୍ୟାଗ ଭିତରେ ଅଛି । ତେବେ ସେ ବୁଟଯୋଡ଼ାକ, ଓ କମ୍ବଳ ଖଣ୍ଡିକ ଆମ କୃଷ୍ଣସ୍ୱାମୀକୁ ଦେଇଦେବଟି ! ତା’ର ଏଗୁଡ଼ିକ ବେଶି ଦରକାର । ଏହାଠାରୁ ଅଧିକା କିଛି ତୁମ ନାତି ନାତୁଣିଙ୍କ ପାଇଁ ଉଇଲ କରିଦେଇ ଯାଇପାରିବ ନାହିଁ ?

 

ସମସ୍ତେ ହୋ ହୋ ହୋଇ ହସି ଉଠିଲେ । ଟମି କିନ୍ତୁ ଏକାବେଳକେ ନିର୍ବିକାର । ଯେପରିକି ସେ ମଣିଷର ଭାଷା କି ଭାବଭାଙ୍ଗି କିଛି ବୁଝି ପାରୁନି ।

 

ଓରାୟମ ତାକୁ ଗୋଟିଏ ନଡ଼ାଗଦା ଉପରେ ବସିବାକୁ କହିଲା । ନିଜେ ମଧ୍ୟ ଗୋଟିଏ ନଡ଼ାଗଦା ଉପରେ ବସିଲା । ତା’ ପରେ ସବୁ ଜବାନ ମାନଙ୍କୁ ସେହି ତମ୍ବୁର ବାହାରକୁ ଯାଇ ପହରା ଦେବାକୁ ଇଙ୍ଗିତ କଲା । କେବଳ ଓରାୟମ ଏବଂ ଦେବଳର ରିଭଲଥଭର୍ ଭିତରେ ପହରା ଦେବା ପାଇଁ ପ୍ରସ୍ତୁତ ହୋଇ ରହିଲେ ।

 

କଣ୍ଠ ସ୍ଵରରେ ଟିକିଏ ବନ୍ଧୁତ୍ୱ ଏବଂ ଘନିଷ୍ଠତାର ପ୍ରଲେପ ଦେଇ ଓରାୟମ କହିଲା—ଦେଖ ଟମି, ତୁମ ଚେହେରା ଏବଂ ଆଉଟ୍ ଫିଟିଂ (ପୋଷାକ ପତ୍ର) ବିଷୟରେ ପରିହାସ କରିଥିବାରୁ ମୁଁ ବଡ଼ ଦୁଃଖିତ । ସେଥିପାଇଁ କିଛି ମନେ କରିବ ନାହିଁ । ମାର୍କିନ ଦୋସ୍ତମାନଙ୍କ କଲ୍ୟାଣରୁ ତୁମ୍ଭମାନଙ୍କ ସାଙ୍ଗରେ ସବୁ ଜିନିଷ ଅଛି । ଏପରିକି ମଶା ହାତରୁ ମୁହଁଟିକୁ ରକ୍ଷା କରିବା ପାଇଁ ମଶାରୀର ଢାଙ୍କୁଣୀ ପର୍ଯ୍ୟନ୍ତ ଅଛି । ଆଚ୍ଛା, ଆସ । ବୋତଲେ ମଦ ଆମେ ତିନିଜଣ ଭାଗକରି ଖାଇବା । ତା’ ବ୍ୟତୀତ ଆମ୍ଭମାନଙ୍କ ନିକଟରେ ଆଉ କିଛିନାହିଁ, ଯହିଁରେ ମୁଁ ତୁମର ଅତିଥି ସତ୍କାର କରି ପାରିବି ।

 

—ମଦ ! ଡ୍ରିଙ୍କ୍ ? ତୁମ ମାନଙ୍କ ପାଖରେ କ’ଣ ହ୍ୱିସ୍କି ଅଛି ନା କଣ ?

 

ଏଇଥର ପ୍ରଥମେ ଟମିର ମୁହଁ ଖୋଲିଲା ।

 

—ହ୍ୱିସ୍କି ? ଏକଦମ ଜନିଓ୍ୟାକର ମାର୍କା ଅଛି । ୧୮୨୦ ଖ୍ରୀଷ୍ଟାବ୍ଦରେ ଜନ୍ମ । ବର୍ତ୍ତମାନ ସୁଦ୍ଧା ମାର୍ଚ୍ଚକରି ଚାଲିଛି । ସେହି ହ୍ୱିସ୍କି ଅଛି, ଜର୍ଜ । ତେବେ କଥା ହେଉଛି କ’ଣ କି, ଆମ୍ଭମାନଙ୍କର କ୍ୱାଟର ମାଷ୍ଟର (ରସଦ୍–ଦାର) ସିହ୍ନା ବଡ଼ ମରାଲିଷ୍ଟ, ନୀତିବାଗୀଷ । ତାଙ୍କରି ପାଇଁ ଆମ୍ଭମାନଙ୍କର ହ୍ଵିସ୍କି, ବ୍ରାଣ୍ଡି ଆଦି ସ୍ୱର୍ଗସୁଧା ପାନ କରିବା ପାଇଁ ବଡ଼ ଅସୁବିଧା ହୁଏ । ତୁମେ ତାକୁ ଟିକିଏ କୌଣସି ପ୍ରକାରେ ଫୁସୁଲାଇଲ, ଜର୍ଜ ! ତା’ ଦ୍ଵାରା ତୁମର ସୁବିଧା ଏବଂ ଆମର ମଧ୍ୟ ଭାଗ୍ୟ ଖୋଲି ଯାଇପାରେ । ତଣ୍ଟି ଶୁଖିଯାଇ ଏକବାର କାଠ ପାଲିଟି ଗଲାଣି ।

 

—ଏକ୍‍ଜାକ୍ଟଲି ସୋ । ମୋର ମଧ୍ୟ ସେହି ଦଶା । —ଟମି କହି ଉଠିଲା । ବିଚାରାର ମୁଁହଖଣ୍ଡ କରୁଣ ହୋଇ ଉଠିଲା ।

 

ଓରାୟମ କହିଲା—ତେବେ ସିହ୍ନା, ଆମ୍ଭମାନଙ୍କୁ ବିଅର ପର୍ଯନ୍ତ ଦିଏ ନାହିଁ ।

 

—ସେ କିପରି କଥା ? —ଟମି ଅବାକ ହୋଇଗଲା—ତୁମେ ସମସ୍ତେ ଏକ ସଙ୍ଗରେ ଅଛ, ଏକା ଇଉନିଟ୍, ଏକା ତମ୍ବୁ ଭିତରେ । ତଥାପି ଜଣେ ନିରାଟ ପାଦ୍ରୀ ଲୋକଭଳି ହେଲେ ବୋଲି କ’ଣ ସମସ୍ତେ ନିର୍ଦ୍ଦୋଷ ଭାବେ ସାମାନ୍ୟ ତଣ୍ଟି ଓଦା କରିବାକୁ ବଞ୍ଚିତ ହେବେ ? ଏଇଥିପାଇଁ ଇଣ୍ଡିଆନ ମାନଙ୍କ ମଧ୍ୟରେ କମ୍ରେଡ୍‍ସିପ୍ (ସାଙ୍ଗସାଥୀ) ହୋଇ ପାରେନାହିଁ ।

 

—ଠିକ କହିଛ ଜର୍ଜ । ଏଥର ଦେବଳ ଘଟଣାଟାକୁ ନିଜ ଦାୟିତ୍ୱକୁ ନେଇ କହିଲା—ଏଇ ଦେଖ, ଆମ ବନ୍ଧୁଙ୍କର ଦାଢ଼ି ଏତେ ବଡ଼ ହୋଇଗଲାଣି; ଅଥଚ ସେ ପୁଣି ଅତି ଅସମାନ ଭାବେ । ତାକୁ ଯଦି ତୁମର ଦର୍ପଣ ଖଣ୍ଡିକ ଦେଖାଇ ଦେଇପାରିବ, ତେବେ ସେ ତାହାର ନିଜ ଚେହେରା ଦେଖି ସବୁ ବୁଝି ପାରନ୍ତା । ଦେଖି, ଦେବଟି ତୁମ ଦର୍ପଣଟାକୁ ।

 

—ଦର୍ପଣ ! ମୋ ପାଖରେ ତ କୌଣସି ଦର୍ପଣ ନାହିଁ ।

 

—ନାହିଁ ବର୍ତ୍ତମାନ ! ଆହା, ବଡ଼ ଦୁଃଖର କଥା; କିନ୍ତୁ ଇସୁ ଡିପୋରୁ ତ ତୁମ୍ଭଙ୍କୁ ନିଶ୍ଚୟ ଦେଇଥିବେ । ଏମିତି କ’ଣ କହୁଛ ମ ? ଯାହାର ଚେହେରାଟି ନିତାନ୍ତ ଖରାପ ଏବଂ ସେ ତା’ ନିଜ ମୁହଁଟା ପର୍ଯ୍ୟନ୍ତ ଦେଖିବାକୁ ଚାହେଁ ନାହିଁ, ତାକୁ ତ ଷ୍ଟୋରରୁ ଦର୍ପଣ ଦିଆଯାଏ । ଆଉ ତୁମ ଚେହେରାଟି ତ ଦର୍ପଣରେ ଦେଖିଲା ପରି ଗୋଟିଏ ଜିନିଷ !

 

ଟମି ଚଟ୍‍କରି କହି ଉଠିଲା—ମୋତେ ଅବଶ୍ୟ ସେମାନେ ଦର୍ପଣଟିଏ ଦେଇଥିଲେ ।

 

—ତମେ ବୋଧହୁଏ ସେଇଟାକୁ କୌଣସି ପାହାଡ଼ ଜଙ୍ଗଲବାସୀ ଅପାତ୍ର ହସ୍ତରେ ଦାନ କରି ଦେଇଛ । ନିଶ୍ଚୟ ଦେଇଛ, ମୁଁ ଗଣକ କି ନା ? ତେଣୁ ବୁଝି ପାରୁଛି । ଆଉ, ସିଗାରେଟ୍ ପ୍ୟାକେଟ ପର୍ଯ୍ୟନ୍ତ ତାକୁ ଦେଇ ଦେଇଛ ।

 

ଟମିର ମନଟା ଟିକିଏ ମାତି ଉଠିଲା । ସେ କହିଲା—କେମିତି ତୁମେ ଜାଣିଲ ଯେ ମୁଁ ତାହା କୌଣସି ସବ୍‍ଲଟାର୍ଣ୍ଣକୁ ନ’ଦେଇଛି ବୋଲି ?

 

—ଗଣକ ନ ହୋଇଥିଲେ ବି କହିପାରି ଥାଆନ୍ତି ଜର୍ଜ ! ତୁମର ଦର୍ପଣଟି ଯଦି ରୂପାରେ ବନ୍ଧା ହୋଇ ଥାଆନ୍ତା, ତେବେ ବି ସେ ନେବାକୁ ରାଜି ହୋଇ ନଥାନ୍ତା । ଧର, ବଣ ପାହାଡ଼ ଭିତରେ ତୁମେ ତୁମର ଅଧୀନସ୍ଥ “ସବ୍”କୁ ଖୁସିରେ ଏଭଳି ସୁନ୍ଦର ଦର୍ପଣ ଖଣ୍ଡିଏ ଦେବାକୁ କହି ଥାଆନ୍ତ; କିନ୍ତୁ ସେ ବିନୟ ସହକାରେ କହି ଥାଆନ୍ତା,–ସାର୍, ବହୁ ଧନ୍ୟବାଦ । ବଡ଼ ଦୁଃଖର କଥା ଯେ, ସେ ପଦାର୍ଥଟି ମୋର କୌଣସି ଦରକାରରେ ଲାଗିବ ନାହିଁ ।

 

ଜଣେ ବଡ଼ ଦାର୍ଶନିକ ପରି ମୁଣ୍ଡ ହଲାଇ ଓରାୟମ କହିଲା—ଏକଦମ୍ ଠିକ କଥା କହିଛ । ବଣ ପାହାଡ଼ ଭିତରକୁ ଲଢ଼ାଇ କରିବାକୁ ବାହାରିଲେ ଦାଢ଼ିଖିଅର ହେବାଟା ବିଳାସ ସଙ୍ଗେ ସରି । ତେଣୁ ତାହାକୁ କ୍ଷମା ଦିଆଯାଇ ପାରେ ନାହିଁ ।

 

ଦେବଳ ଗୋଟିଏ ଗଣକର ପୋଜ୍ ନେଇ ଏପାଖ ସେପାଖକୁ ଆଖି ବୁଲାଇ ଆଙ୍ଗୁଠି ଫୁଟାଇ କହିଲା—ତା’ ଅପେକ୍ଷା ବରଂ ଦର୍ପଣ, ସିଗାରେଟକୁ କୌଣସି ନାଗାଲୋକକୁ ଦେଇଦେଲେ ସେ ଦୁଇଟି ପଦାର୍ଥର ସଦ୍‍ବ୍ୟବହାର ହୋଇପାରିବ । କେବଳ ଦର୍ପଣ କାହିଁକି ? ସାବୁନ୍ ଖଣ୍ଡଟିମାନ ମଧ୍ୟ ଦିଆ ଯାଇପାରେ । ତା’ ମଧ୍ୟ ଆଉ କି କାମରେ ଲାଗିବ ? ବରଂ ପାହାଡ଼ୀ ନାଗାମାନଙ୍କ ପାଖରେ ସାବୁନ୍, ଦର୍ପଣ, ବଳକା ମୋଜା ଓ ମଫଲର ପ୍ରଭୃତି ଜିନିଷ ସୌକିନିଆ ପଦାର୍ଥ ରୂପେ ଆଦର ପାଇ ପାରିବ ।

 

ନାଗାମାନଙ୍କ କଥା ଶୁଣି ଟମି ସତେକି ଖୁବ୍ ମଜ୍ଜିଗଲା । ଉତ୍ସାହ ସହକାରେ କହି ଉଠିଲା—ଆଶ୍ଚର୍ଯ୍ୟ, ତୁମେ ପରିଷ୍କାର ଭୋଜବିଦ୍ୟା ଜାଣିଛ ଏବଂ ତାହାରି ବଳରେ ଜାଣି ପାରିଲ ଯେ, ଗୋଟିଏ ନାଗା ଗ୍ରାମର ଜଣେ ବୁଢ଼ାକୁ ମୁଁ ମୋର ଦର୍ପଣ, ସିଗାରେଟ୍, ସାବୁନ, ମୋଜା ଆଦି ଜିନିଷ ଗୁଡ଼ାକ ଦେଇ ଦେଇଛି । ଯୁଦ୍ଧ ବଜାରରେ ଏସବୁ ଜିନିଷ ତୁମ ଦେଶରେ ଅକୁଳାନ; କିନ୍ତୁ ସେହି ଯୁଦ୍ଧକଲ୍ୟାଣରୁ ନାଗା ସର୍ଦ୍ଦାରଟି କି ଚମତ୍କାର ପୋଷାକ ପିନ୍ଧିଥିଲା ? ପିନ୍ଧିଲା ବେଳକୁ ଆଣ୍ଠୁ ପର୍ଯ୍ୟନ୍ତ ମୋଟା ଧୋତି । କିନ୍ତୁ ବେକରେ ଝୁଲୁଛି, ମୋଟା ମାଳି । ସେଥିରେ ପୁଣି ଆଉ କିସବୁ ଚମତ୍କାର ଜିନିଷ ଝୁଲୁଛି ? ମଦ ବୋତଲର ଠିପି, ବିଅର ଟିଣର ମୁହଁ, ବୋତାମ ଏବଂ ସୂତା ଗୁଲି ପର୍ଯ୍ୟନ୍ତ । ସେପ୍‍ଟିପିନ୍ ଓ ହାତୀ ଲାଙ୍ଗୁଡ଼ ବାଳରେ ତିଆରି ହୋଇଥିବା କେତେଗଜ ଲମ୍ବର ଦଉଡ଼ି, ଯାହାକି ଆମ୍ଭେମାନେ ଗୋଡ଼ରେ ବାନ୍ଧୁ, ତାକୁ ବି ସେମାନେ କାନରେ ଝୁଲାଇଛନ୍ତି ।

 

—ବାଃ, ଚମତ୍କାର । ତାହାହେଲେ ତ ନାଗାମାନଙ୍କର ତ ବେଶ୍ ରୋମାଣ୍ଟିକ୍ ଚେହେରା-?

 

ଦେବଳ ଏକଦମ୍ ଆମେରିକାନ୍ ଟୁରିଷ୍ଟ୍ ବୁଢ଼ୀମାନଙ୍କ ପରି ଆନନ୍ଦରେ ଗଡ଼ିଗଲା । ହାଉ ଟଫ, ମାଇଟି, ଫାଇନ୍ଏ ଭଳି ମାର୍କିନ୍ ବିଶେଷଣ ଓ ଭାଷା ବ୍ୟବହାର କରି ନିଜ ମନର ଉଚ୍ଛ୍ଵାସକୁ ଏକାବେଳକେ ଖୋଲିଦେଲା । ସତେକି ମେଘ ଦେଖି ମୟୂର ତା’ର ପୁଚ୍ଛ ମେଲିଦେଲା ।

 

ଏତେ ଉତ୍ସାହ ଦେଖି ଟମି–ମନରେ ମଧ୍ୟ ତରଙ୍ଗ ଉଠିଲା । ସେ ବି ନାଗାବୁଢ଼ାର ଚେହେରା, ତା’ ଗାଁର ନାମ, ସେମାନଙ୍କର ଯାତାୟାତ ରାସ୍ତା, ସବୁ ବିଷୟରେ ଗୋଟିଏ ମନମତାଣିଆଁ ବର୍ଣ୍ଣନା କରିଦେଲା । କେତେବେଳେ ସେ ଶତ୍ରୁ ହାତରେ ବନ୍ଦୀ ହୋଇପଡ଼ିଥିବା କଥା ଏକାବେଳକେ ଭୁଲିଗଲା ।

 

—କିନ୍ତୁ ସେ କଣ ତା’ ବଦଳରେ କିଛି ଦେଲା ନାହିଁ ? ସେମାନେ ତ ଖୁବ୍ ଅତିଥିପରାୟଣ ବୋଲି ଜଣାଶୁଣା ?

 

—ସେ କିଛି ଅବଶ୍ୟ ଦେଇନାହିଁ । ତେବେ ସେମାନେ ଖୁବ୍ ବଡ଼ ସରଳ ଓ ବିଶ୍ୱାସୀ ଲୋକ। ତାଛଡ଼ା ସେମାନେ ଜାଣନ୍ତି ଯେ, ଆମର କିଛି ଖାଦ୍ୟ ଜିନିଷ ଦରକାର ପଡ଼ିଲେ, ତାହା ଆମେ ମୂଲ୍ୟ ଦେଇ କିଣି ନେଉ । ତେଣୁ ସେମାନେ ପୁରୁଣା ହାଣ୍ଡିମାନଙ୍କରେ କେଉଁ ଜାଗାରେ ଚାଉଳ ଲୁଚାଇ ରଖିଛନ୍ତି, ସେ ସ୍ଥାନଟି ମଧ୍ୟ ସେ ଦେଖାଇ ଦେଲା । କହିଲା, “ଦରକାର ପଡ଼ିଲେ ତୁମମାନଙ୍କୁ ଏଇଠାରୁ ଖାଦ୍ୟ ଦେଇଦେବୁଁ । ପାହାଡ଼ ପାଖରେ ଥିବା ‘ରୋଡ଼ୋଡ଼େନେଡ଼୍ରନ୍’ ଗଛର ବଣ ଭିତରେ ଗୋଟିଏ ଗୃହା ଅଛି । ଲୁଚାଇ ରଖିବା ପାଇଁ ବଡ଼ ଚମତ୍କାର ସ୍ଥାନ । ନାଗା ସରଦାରଟି ଖୁବ୍ ଭଲ ଲୋକ । କହିଲା—ଯେତେ ଚାଉଳ ଦରକାର, ତାହା ନେଇ ଯାଇପାର । ତେବେ ଦାମ୍‍ଟା ଦେଇଯିବ ।

 

ଦେବଳ ପଚାରିଲା—ସେଠାରେ ତୁମ୍ଭେମାନେ ଦଳ ବାନ୍ଧି ନାଗାମାନଙ୍କ ରନ୍ଧା ହାଣ୍ଡିଆ ମଦ ନିଶ୍ଚୟ ଖାଇଥିବ ?

 

ସଙ୍ଗେ ସଙ୍ଗେ ମନ୍ତବ୍ୟ ପ୍ରକାଶ କରି ଓରାୟମ୍ କହିଲା—ବଡ଼ ଖାସା ଜିନିଷ ? ତୁମ ‘ମଲ୍ଟି ବିଅର’ ତା ପାସଙ୍ଗରେ ପଡ଼ିବ ନାହିଁ ।

 

ଦୀର୍ଘନିଶ୍ଵାସ ଛାଡ଼ି ଦେବଳ କହିଲା—‘‘ଓଃ ! ଫର୍ ଏ ବଟଲ୍ ଅଫ୍ ବିଅର୍” । ବୋତଲେ ବିଅର୍ ମିଳିଯାଆନ୍ତା କି ? ତୁମ ରେଗୁଲେଶନ୍ ୱାଟର ବଟଲରେ ଦେଢ଼ପାଇଣ୍ଟି ଲେଖାଏଁ ପାଣି ଧରେ । ତୁମମାନଙ୍କ ମଧ୍ୟରୁ ଯଦି ଅଧେ ଲୋକ ଖାଲିପାଣି ଓ ଅଧେ ଲୋକ ଖାଲି ବିଅର ପୂର୍ଣ୍ଣକରି ନେଇ, ପରେ ତାକୁ ଯଦି ଭାଗକରି ନେଇଥାଅ, ତେବେ ତ ତୁମମାନଙ୍କ ପାଖରେ ଅନେକ ପାଇଣ୍ଟି ବିଅର ରହିଯାଇଥିବ ! ଏଇ ବଳକା ବିଅରର ପରିମାଣ ବୋଧହୁଏ ଦେଢ଼ଶହ ପାଇଣ୍ଟି ହୋଇଥିବ ? ଆହା ! ଇଙ୍ଗ୍ଳିଶ୍ ମଲ୍ଟେଡ଼୍ ବିଅର ! ତା’ ପାଖରେ ଜର୍ମାନ୍ ପିଲୀସ୍ନାର ବିଅର ତ କିଛି ନୁହେଁ । କମ୍‍ ସେ କମ୍ ଦେଢ଼ଶ ପାଇଣ୍ଟି ।

 

ବିଅରର ସୁନେଲି ରଙ୍ଗ ଓ ତା ମଧୁର ନିଶା କଥା ମନେ ପଡ଼ିଗଲାକ୍ଷଣି ଟମିଟି ପ୍ରାୟ ବିହ୍ଵଳିତ ହୋଇ ଓଠ ଚାଟିବାକୁ ଆରମ୍ଭ କରିଦେଲା—ସତେ କି ବିଅରର ଶେଷବିନ୍ଦୁ କେତୋଟି ଏବେ ବି ତା ଓଠରେ ଲାଗିରହିଛି । କିଛି ସମୟ ପାଇଁ ସେ ଅନ୍ୟମନସ୍କ ହୋଇଗଲା ।

 

—ଆମେମାନେ ବି ତୁମମାନଙ୍କ ଅପେକ୍ଷା କମ୍ ବୁଦ୍ଧି ଖଟାଇ ନାହୁଁ । ଆମେ ବି ଅଧେ ବୋତଲରେ ବିଅର ପୂର୍ଣ୍ଣକରି ରଖିନେଇଥିଲୁ । କିନ୍ତୁ ଦେଢ଼ଶ ପାଇଣ୍ଟି ନୁହେଁ, ମାତ୍ର ପଚସ୍ତରି ପାଇଣ୍ଟି । ତା’ ପୁଣି କୋଡ଼ିଏ ମାଇଲ ମାର୍ଚ୍ଚିଙ୍ଗ୍ ମଧ୍ୟରେ ଶେଷବିନ୍ଦୁ ଟିକକ ପର୍ଯ୍ୟନ୍ତ ଚାଟିଚୁଟି ଶେଷ କରିଦେଇଛୁ ।

 

—ସେ କଥାଟି ସତ । ମୁହଁ ଉପରେ ଖରା ପଡ଼ିଲେ ତୃଷା ବଢ଼ିଯାଏ ।

 

ଏଭଳି ଦରଦୀ ମନର ପରିଚୟ ପାଇ ଦେବଳ ନିକଟରେ ଟମିଟି ଆନ୍ତରିକ ଧନ୍ୟବାଦ ଜଣାଇଲା । ଏଥିରେ ଦେବଳର ଆଖିଦୁଇଟି ଉଜ୍ଜ୍ଵଳ ହୋଇଉଠିଲା । କହିଲା, ବ୍ରାଭୋ, ବ୍ରାଭୋ—ଜର୍ଜ ! ତୁମେମାନେହିଁ ହେଲ । ବାହାଦୁର୍ ଲଢ଼ନେଓ୍ଵାଲା; କିନ୍ତୁ କଥା କଣ କି, ତୁମମାନଙ୍କ ସଙ୍ଗରେ ଥିବା ଆଫ୍ରିକା କୋର୍ ବା ଗୁର୍ଖା ରାଇଫଲ୍ ବାହିନୀର ସିପାହୀମାନଙ୍କ ବୋତଲରେ ତ କିଛି କିଛି ବିଅର ଭର୍ତ୍ତିକରି ନେଇ ଯାଇପାରି ଥାଆନ୍ତ ? ନା, ସେମାନେ ରାଜି ହେଲେ ନାହିଁ ?

 

—ରାଜି ହେବା ନ ହେବା କଥା ଉଠୁନାହିଁ । ଆମ୍ଭମାନେ ରିକନୟଟାର୍ (ତତ୍ତ୍ଵାନୁସନ୍ଧାନକାରୀ) ଦଳରୂପେ ବାହାରିଛୁଁ । ଗୁର୍ଖା ପଞ୍ଜାବୀମାନେ ଆଖିବୁଜା ଲଢ଼ାଇ କରି ଜାଣନ୍ତି । ଯୁଦ୍ଧ କରିଯିବାବେଳେ ସେମାନଙ୍କର ଆଖି ଖୋଲା ନଥାଏ ।

 

—ଠିକ୍ କଥା କହିଛ ଜର୍ଜ, ଏକଦମ୍ ଖାଣ୍ଟି କଥା । ତୁମେମାନେ ମସ୍ତିଷ୍କ ଦ୍ଵାରା ଲଢ଼ାଇ କର; ତା’ପରେ ଦେବଳ ମନେ ମନେ ବଙ୍ଗଳା ଭାଷାରେ କହିବାକୁ ଲାଗିଲା, ଆଖି ଯଦି ସେମାନଙ୍କର ଯଥାର୍ଥରେ ଖୋଲା ଥାଆନ୍ତା, ତେବେ କଣ ସେମାନେ ଆସି ତୁମପାଇଁ ଲଢ଼ାଇ କରନ୍ତେ ?

 

ତା’ପରେ ଦେବଳ ଓରାୟମକୁ କହିଲା—ଏ ବନ୍ଦୀକୁ ଅବିଳମ୍ବେ ପହରାବାଲାଙ୍କ ହାତରେ ଦିଆଯାଉ । ଆଉ ମୁହୂର୍ତ୍ତେ ସୁଦ୍ଧା ନଷ୍ଟ କରିବାର ଉପାୟ ଆମ୍ଭମାନଙ୍କର ନାହିଁ ।

 

ଓରାୟମ ଅବାକ୍ ହୋଇ ପଚାରିଲା—ଘଟନା କଣ ? ହଠାତ୍ ଯେ ତୁମେ ଏଭଳିଭାବରେ ଜାଗ୍ରତ ହୋଇ ଉଠିଲ ? ଏ ନିଘୋର ରାତ୍ରିରେ ପୁଣି ?

 

—ହଁ, ବର୍ତ୍ତମାନ କମ୍ବଳ ଘୋଡ଼ିହୋଇ ଶୋଇପଡ଼ିବା କଥା । ନିଦ ଲାଗିଲାଣି । —ସଂକ୍ଷେପରେ ଏ ଉତ୍ତରଦେଇ ଦେବଳ ନିଜର ଅଡ଼ର୍ଲିମାନଙ୍କୁ ଡାକିଲା । ବନ୍ଦୀଭାବେ ଟମିଟିକୁ ସେମାନଙ୍କ ସହିତ ବାହାରକୁ ପଠାଇ ଦିଆଗଲା ।

 

ତା’ପରେ ଦେବଳ ଚୁପ୍ ଚାପ୍ ହୋଇ ଓରାୟମ୍‍ଙ୍କୁ ବୁଝାଇବାକୁ ଆରମ୍ଭ କଲା ଏବଂ ସେ ସ୍ଥାନଟିର ହାତଅଙ୍କା ମ୍ୟାପ୍ଟିଏ ଖୋଲି ଦେଖାଇଲା ।

 

—‘ରୋଡୋଡେନେଡ୍ରମ୍’ ଫୁଲ ଏ ନାଗା ପାହାଡ଼ର ଜଙ୍ଗଲ ମଧ୍ୟରେ ଖୁବ୍ ବେଶିନାହିଁ । ଏପରିକି ସିଲଙ୍ଗ୍ ପାହାଡ଼ ମଧ୍ୟରେ ବି ବିଶେଷ ଦେଖାଯାଏନା । ତେଣୁ ଏଠାରୁ ପନ୍ଦରମାଇଲ ପଶ୍ଚିମକୁ ଥରେ “ରିକନୟଟାର” କରୁକରୁ ତା’ ନଜରରେ ପଡ଼ିଥିଲା । ପାହାଡ଼ର ଯେଉଁ ଅଂଶରେ ଏ ସ୍ଥାନଟି ଅବସ୍ଥିତ, ସେହିଠାରେ ନାଗାମାନଙ୍କର ବସତି ଅଛି । ସେମାନେ ଯେଉଁ ଜିନିଷ ପାଇଲେ ଖୁସି ହେବେ, ସେହି ସବୁ ଜିନିଷ ଇଂରେଜମାନେ ସେମାନଙ୍କୁ ଦେଇଛନ୍ତି ଏବଂ ସେମାନଙ୍କ ମନକୁ ଅକ୍ତିଆର କରି ନେଇଅଛନ୍ତି । ତା’ ଛଡ଼ା, ଏ ବିଅର ପରିମାଣରୁ ହିସାବକଲେ ଜଣାଯାଏ ଯେ, ସେଠାରେ ଅନ୍ତତଃ ଶହେଜଣ ଇଂରେଜ ସୈନ୍ୟ ଅଛନ୍ତି । ଉକ୍ତ ଶତ୍ରୁମାନେ ସମସ୍ତେ ଇଂରେଜ କିମ୍ଵା ମାର୍କିନ ଲୋକ ଅଟନ୍ତି । ଭାଗ୍ୟ ଭଲ ଯେ ସେମାନଙ୍କ ସଙ୍ଗେ ଦେଶୀ ସୈନ୍ୟ ନାହାନ୍ତି । ଆଫ୍ରିକାର ସୈନ୍ୟ ମଧ୍ୟ ନାହାନ୍ତି । ସେମାନେ ପୁଣି ରାତ୍ରିରେ କେହି ଶୁଅନ୍ତି ନାହିଁ । ଏହି ସ୍ଥାନଟିର ପଛକୁ ସେମାନଙ୍କର ଅସଲ ଘାଟିଟି ଥିବାର ଅନୁମାନ କରାଯାଏ । ତାହାହିଁ ହେଲା ବିପଦ । ହୁଏତ କୋଡ଼ିଏ ମାଇଲ୍ ଦୂରରେ “ଇସୁ ଡିପୋ” ଏବଂ ବଡ଼ଘାଟି ଅଛି । ଘାଟିରୁ ଆସିବାକୁ ହେଲେ, ସାରା ରାସ୍ତାଟି ମଧ୍ୟରେ ସାମନାରୁ ମୁହଁ ଉପରେ ଖରାପଡ଼େ । ହେଇ ଦେଖ, କମ୍ପାସଦ୍ଵାରା ବୁଝାଇ ଦେଉଛି, ଘାଟିଟି ତାଙ୍କର କେଉଁଠି ଅବସ୍ଥିତ... ।

 

—ଅତଏବ ଦେବଳଭାଇ, ତୁମରି ଜୟ ହେଉ । ତୁମର ବୁଦ୍ଧି ଏବଂ ଆମମାନଙ୍କର ବାହୁ, ଏ ଦୁହେଁ ମିଳି ଶତ୍ରୁକୁ ଏକାବେଳେକେ ଅକର୍ତ୍ତବ୍ୟ କରି ଛାଡ଼ିଦେବା—ଜୟହିନ୍ଦ୍ ।

 

—ଜୟହିନ୍ଦ୍ । ତାହାହେଲେ, ଆଜି ରାତିରେ—

 

ସ୍ଵାଧୀନତାର ଯଜ୍ଞକୁଣ୍ଡରେ ଆଜିହିଁ ପ୍ରଥମ ଆହୁତି ଦିଆଯିବ । ଶୁଭଲଗ୍ନ ଆଉ ବେଶି ଡେରି ନାହିଁ । ଉତ୍ସାହରେ ଅସ୍ଥିର ହୋଇପଡ଼ି ଓରାୟମ ଦେହକୁ ଝାଡି଼ ଛିଡ଼ା ହୋଇ ପଡି଼ଲା । ଉତ୍ତେଜିତ ଭାବେ ଫୁସ୍‍ଫାସ୍‍ ହୋଇ କହି ଉଠିଲା—ହଁ, ଆଜି ରାତିରେ ନିଶ୍ଚୟ ।

 

ନଅ

 

ଠିକ୍ ସେହି ରାତିରେ ।

 

ଦେବଳର ଅନୁମାନରେ ଟିକିଏ ହେଲେ ଭୁଲନାହିଁ । ଶତ୍ରୁର ପିକେଟ୍ ଅର୍ଥାତ୍ ଘାଟିର ପହରାବାଲାମାନେ ଶୋଇପଡ଼ି ଥିଲେ ବା ଘୁମାଉଁଥିଲେ । ସେଥିପାଇଁ ପାହାଡ଼ିଥଣ୍ଡା ଏବଂ ଅଷ୍ଟ୍ରେଲିଆର କମ୍ବଳକୁ ଦୋଷ ଦିଆଯାଇପାରେ ।

 

ଏଣେ ଚନ୍ଦ୍ର ଅସ୍ତ ନହେବାପର୍ଯ୍ୟନ୍ତ ଆଜାଦ୍ ହିନ୍ଦ୍ ସୈନ୍ୟମାନେ ପାହାଡ଼ିଘାସ ଓ ବଣବୁଦାର ପଛପଟେ ଲୁଚି ରହିଲେ । ସଙ୍ଗରେ କେବଳ ହାଲୁକା ଅଟୋମେଟିକ୍ ଏବଂ ରାଇଫଲ୍-। ଅନ୍ଧକାର ଭିତରେ ଲୁଚିଛପି ସେମାନେ ଗୋଟିଏ ଘାଟିକୁ ଘେରାଉ କରିପକାଇଲେ । ତାପରେ ଶତ୍ରୁ–ଉପରକୁ ଅଚାନକ ଚଢ଼ାଉକରି ସିଧାସଳଖ ଆକ୍ରମଣ କଲେ । ଅତର୍କିତ ଆକ୍ରମଣ ଫଳରେ ପହରାବାଲାମାନେ ଏକାବେଳେକେ କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଲେ । ତା’ପରେ ସେମାନଙ୍କ ଭିତରୁ ଜଣେ ଲାଲରଙ୍ଗର ହାବିଳିଟିଏ ଆକାଶକୁ ଛାଡ଼ିଲା । ଚାହୁଁ ଚାହୁଁ ସମସ୍ତ ସ୍ଥାନଟି ଲାଲ ଆଲୋକରେ ଉଜ୍ୱଳ ହୋଇ ଉଠିଲା । ତା’ପରେ ନାଗାଗ୍ରାମ ମଧ୍ୟରେ ଯେତେ ଇଂରେଜ ସୈନ୍ୟ ହାଣ୍ଡିଆମଦ ଏବଂ ଖାନାପିନା ଖାଇ ନରମ ଗରମ ଆମୋଦ ମଧ୍ୟରେ ନିଶ୍ଚିତମନରେ ଶୋଇପଡ଼ିଥିଲେ, ସେମାନେ ସମସ୍ତେ ଧଡ଼ପଡ଼ ହୋଇ ପ୍ରସ୍ତୁତ ହୋଇଗଲେ ।

 

କିନ୍ତୁ ସେତେବେଳକୁ ପିକେଟ୍ ଅର୍ଥାତ୍ ପହରାବାଲା ସୈନ୍ୟଗୁଡ଼ିକ ସମସ୍ତେ ସଫା ହୋଇଗଲେଣି ।

 

ଏଥରକ ଦଳଟିର ପାଳି ପଡ଼ିଲା । ଗ୍ରାମମଧ୍ୟରେ ଯେଉଁ ସ୍ଥାନଟିରେ ସେମାନେ ହେଡ଼କ୍ୱାଟରର୍ସ, ଅର୍ଥାତ୍, ଅସଲ ଘାଟି ପ୍ରସ୍ତୁତିକରି ରହିଥିଲେ, ତାହାରିଭିତରେ ସେମାନେ ଆଶ୍ରୟ ନେଇଗଲେ । ଚାରିଆଡ଼େ କଣ୍ଟାତାର ବେଡ଼ାରେ ଘେରାଉ ହୋଇଥିଲା । ଆଜାଦୀ ଦଳ ସଙ୍ଗରେ ଟ୍ୟାଙ୍କ ନଥାଏ । ଏପରିକି ସେ ବାଡ଼ଟିକୁ ଉଡ଼ାଇ ଦେବାଲାଗି ‘ହେଭି ମୋଟର’ ପର୍ଯ୍ୟନ୍ତ ନଥାଏ । ଏମାନେ ଯଦି ଯୋରକରି ବାଡ଼ଟିକୁ କାଟି ଭିତରକୁ ପ୍ରବେଶକରିବାକୁ ଚେଷ୍ଟା କରନ୍ତି, ତେବେ ସେ ସୁଯୋଗନେଇ ଶତ୍ରୁଦଳ ଗୁଳିକରି ଅନେକ ଲୋକଙ୍କୁ ମାରିପକାଇବେ । ଏଭଳି ବିଷମ ପରିସ୍ଥିତିରେ କଅଣ କରାଯାଇପାରେ ?

 

ଡେଇଁପଡ଼ି ସମ୍ମୁଖକୁ ଆଗେଇଗଲା ଓରାୟମ୍ । ଇଂରାଜିରେ ଡାକପକାଇଲା ତୁମେମାନେ ତ ହେଲ ଖୁବ୍ ବଡ଼ ଲଢ଼ୁଆ ? ହାଇଲାଣ୍ଡରସ୍ ବୋଲି ତ ମନେହଉଛି । ସାମନାକୁ ଆସୁନା ‘କାୱାର୍ଡ଼ସ’ !

 

ଅବଶ୍ୟ ଧର୍ମଯୁଦ୍ଧର ଯୁଗ ଏ ନୁହେଁ । ସମ୍ମୁଖ ସମର ଯୁଗତ କଦାପି ନୁହେଁ; ତେଣୁ ହେଭି ମେସିନ୍‍ଗନରୁ ଗୁଳିଗୁଡ଼ିକ ବୃଷ୍ଟିଧାରାପରି ଝରିପଡ଼ିବାକୁ ଆରମ୍ଭକଲା । ଓରାୟମ୍ ଅବଶ୍ୟ ସେଥିପାଇଁ ପ୍ରସ୍ତୁତଥିଲା । ତେଣୁ ଇଂରେଜମାନେ ଆଗରୁ ପ୍ରସ୍ତୁତକରି ରଖିଥିବା “ବ୍ୟାରିକେଡ଼୍” (ଅର୍ଥାତ୍ ଆଢ଼ୁଆଳ) ର ସମ୍ମୁଖରେ ଥାଇ ଚାଲେଞ୍ଜ ଦେଇଥିଲା । ହଠାତ୍ ମୁଣ୍ଡନୁଆଇଁ ସେହି ପଥର ଆଢ଼ୁଆଳକୁ ଲୁଚିଗଲା ।

 

ମୁହଁରେ ଆଉ କଥାନାହିଁ; ଏଥର ହାଇଲାଣ୍ଡରମାନେ ନିଶ୍ଚିନ୍ତ ହୋଇ ଗ୍ରେନେଡ଼ ଫିଙ୍ଗୁଫିଙ୍ଗୁ ଆଗେଇ ଆସିଲେ । ଯେଉଁମାନେ ଆଜି ପର୍ଯ୍ୟନ୍ତ ତାଙ୍କରି ପାଦତଳେ ପଡ଼ି ରହିଥିଲେ, ଏବଂ ଯେଉଁମାନେ ତାଙ୍କରିଠାରୁ ଅସ୍ତ୍ରଚାଳନା ଶିକ୍ଷା କରିଥିଲେ, ସେହିମାନେ ଆଜି କାପୁରୁଷ ‘କାୱାର୍ଡ଼’ ବୋଲି କହୁଛନ୍ତି ? ସାମ୍ରାଜ୍ୟ ବରଂ ଗଲେ ଯାଉ, ସେମାନେ କାୱାର୍ଡ଼ କହିବେ ଏବଂ ଏମାନେ ଶୁଣିବେ ! ଜପାନୀମାନେ ସିନା କାୱାର୍ଡ଼ ବୋଲି କହିଲେ ନିରୁପାୟ ହୋଇ ମୁଣ୍ଡନୁଆଁଇଁ ରହିଯିବା କଥା; ତା’ ବୋଲି କଅଣ ଭାରତୀୟମାନେ କହିବେ ? ନେଭର୍, ନେଭର ।

 

ଚାର୍ଜ କରୁକରୁ ହାଇଲାଣ୍ତର୍ ଦଳ ପାଗଳପରି ଧାଇଁ ଆସିଲେ । ଏଥର ହାତାହାତି, ସାମନାସାମନି ଲଢ଼ାଇଦ୍ଵାରା ବନ୍ଦୀମାନଙ୍କୁ ଶିକ୍ଷାଦେବାକୁ ପଡ଼ିବ । —ରୁଲ୍‍ବ୍ରିଟାନିଆଁ, ରୁଲ୍ ଦି ସ୍ଲେଭସ୍ ।

 

ଏପଟେ ଦେବଳ ନିଶ୍ଚିନ୍ତ ହୋଇରହିଥିଲା । ସେ ତାର କମ୍ପାନୀଟି (ସୈନ୍ୟଦଳ) ନେଇ ଶତ୍ରୁର ଆଗୁଆ ଘାଟିଗୁଡ଼ିକ ତନ୍ନତନ୍ନକରି ଖୋଜି ତାହାରି ମଧ୍ୟରେ ଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକ ଯୋଗାଡ଼କରି ନେଇଛି । ଇଂରେଜ ପକ୍ଷ ସାଧାରଣତଃ ଏବିଷୟରେ ମୁଣ୍ଡ ଘୁରାନ୍ତି ନାହିଁ; କାରଣ ଜାପାନୀମାନେ ଇଂରେଜ ହାତହତିଆର ବା ଗୋଳାବାରୁଦ ଆୟତ୍ତ କରିନେଲେ ବି ବ୍ୟବହାର କରି ଜାଣନ୍ତି ନାହିଁ ମଧ୍ୟ, ତାହାଛଡ଼ା ଅନ୍ୟପ୍ରକାର ଯନ୍ତ୍ରଦ୍ଵାରା ବ୍ୟବହାର ହେବାପାଇଁ ସେଗୁଡ଼ିକ ପ୍ରସ୍ତୁତ ହୋଇଥିବାରୁ, ଅଧିକାଂଶ ଆମ୍ୟୁନିଶନ୍ ଜାପାନୀମାନଙ୍କ ଅସ୍ତ୍ରପକ୍ଷେ ଅକାମୀହୋଇ ପଡ଼ୁଥିଲା । ତେଣୁ ହାଇଲ୍ୟାଣ୍ଡରମାନେ ନିଶ୍ଚିନ୍ତ ହୋଇ ଆଗେଇ ଯାଉଥିଲେ ।

 

ଦେବଳ କିନ୍ତୁ ଯେଉଁସବୁ ରାଇଫେଲ୍ ଏବଂ ଗ୍ରେନେଡ଼ ହସ୍ତଗତ କରିଥିଲା, ସେଗୁଡ଼ିକ ବ୍ୟବହାର ତାହାରି ଦଳର ସମସ୍ତଙ୍କୁ ଜଣାଥିଲା; କିନ୍ତୁ ଅସୁବିଧା କଥା ଏହି ହେଲା ଯେ ଗତ ତିନିବର୍ଷମଧ୍ୟରେ ଇଂରେଜମାନଙ୍କ ହାତହତିଆର ସାଇଜ୍ ଏବଂ ରକମ୍ କିଛିକିଛି ବଦଳି ଯାଇଛି । ତେଣୁ ସେଗୁଡ଼ିକ ଆଜାଦୀଦଳର ପୁରୁଣା ଅସ୍ତ୍ରଦ୍ୱାରା ବ୍ୟବହାର କରିବା ସମ୍ଭବପର ହୋଇ ନଥିଲା-

 

ଏଣେ ହାଇଲାଣ୍ତରମାନେ ଆଜାଦୀ ସୈନ୍ୟଦଳଙ୍କୁ ତଡ଼ିତଡ଼ି ଗୁଳି କରିକରି ଏବଂ ବୋମା ପକାଇ ପକାଇ ଆଗେଇ ଆସୁଅଛନ୍ତି । କ୍ରମାଗତ ରକେଟ୍ ଛାଡ଼ିଛାଡ଼ି ତାହାରି ଲାଲ୍ ଆଲୋକ ସାହାର୍ଯ୍ୟରେ ସ୍ଥାନଟିକୁ ଉଜ୍ଜ୍ୱଳ କରିଦେଇ କିଏ କେଉଁଠି ଅଛି, ତାହା ଦେଖିନେଉଛନ୍ତି ଏବଂ ଶତ୍ରୁ କେଉଁଦିଗରେ ରହି ରାଇଫଲ୍ ଚଳାଉଛନ୍ତି, ତାହାମଧ୍ୟ ଠଉର କରିନେଉଛନ୍ତି । ଅଥଚ ଆଜାଦୀ ଦଳଙ୍କ ପାଖରେ ରକେଟ୍ ନଥିଲା । ତେଣୁ ଓରାୟମ୍ ନିର୍ଦ୍ଦେଶ ଦେଇଥିଲା ଯେ ଗଙ୍ଗାଜଳରେ ଗଙ୍ଗାପୂଜା କରିବାଭଳି ଇଂରେଜମାନଙ୍କ ଆଲୋକରେ ଇଂରେଜମାନଙ୍କୁ ଠଉରାଇ ତାଙ୍କରି ଉପରକୁ ଗୁଳି ମାରିବାକୁ ପଡ଼ିବ ।

 

ସିଆଣା ସିଆଣା ମଧ୍ୟରେ ଭୀଷଣ ଲଢ଼ାଇ ଚାଲିଲା । କେହି କାହାରିକି ଛାଡ଼ୁ ନାହାନ୍ତି–ମୋରି ମୃତପିଣ୍ଡ ଉପରେ ପାଦ ନପକାଇ ତିଳେମାତ୍ର ମାଟି ଶତ୍ରୁ ପାଇପାରିବ ନାହିଁ–ଏକଦମ୍ ଦୁର୍ଯ୍ୟୋଧନର ପ୍ରତିଜ୍ଞା ।

 

ତଥାପି ଅତି ଅଳ୍ପସଂଖ୍ୟକ ସୈନ୍ୟ ଏବଂ ଅଳ୍ପ କିଛି ହାତହତିଆର ଘେନି କେତେସମୟ ଅବା ଯୁଦ୍ଧ କରାଯାଇପାରେ ?

 

ଅନ୍ୟ ଉପାୟ ନଦେଖି ଦେବଳ ତା’ କମ୍ପାନିକୁ ହୁକୁମ୍ ଦେଲା, ୩୦୩ ନମ୍ବର ବଲ୍ ଆମୁନିଶନ୍‍ଦ୍ୱାରା ରାଇଫଲ୍ ଚଲାଓ ।

 

ପ୍ରଥମେ ସମସ୍ତେ ଅବାକ୍ ହୋଇଇଗଲେ । କୌଣସି ଯୁଦ୍ଧ ନିୟମରେ ଏଭଳି କଥା ଲେଖା ନାହିଁ । ବିପଦରେ ପଡ଼ି କର୍ଣ୍ଣେଲ ସାହେବଙ୍କ ମୁଣ୍ଡ କଣ ବିଗିଡ଼ିଗଲା କି ଆଉ ?

 

କିନ୍ତୁ ଦେବଳର ହୁକୁମ୍ ଅଟଳ ରହିଲା । ପୁଣିଥରେ ସେ ହୁକୁମ୍ ଦେଲା । ନିଜେ ଦୌଡ଼ି ଆସି ସମସ୍ତଙ୍କ ସମନାରେ ସେ ଛିଡ଼ା ହୋଇ ହାଇଲଣ୍ଡରମାନଙ୍କ ଉପରକୁ ପଚାଶଟି ଗ୍ରେନେଡ଼୍ ଫିଙ୍ଗିଲା । ନିଜପାଖରେ “ବ୍ୟାଲିଶ୍ ଟାଇପ୍ ଗ୍ରେନେଡ୍ କ୍ୟାଟ୍ରିଜ୍” ନାହିଁ ବୋଲି ଶତ୍ରୁ ମୁକ୍ତି ପାଇଯିବ । ହୁଏତ ଗୋଟାଏ ଦୁଇଟା ଟାଇଫ୍ ଗ୍ରେନେଡ୍ ନିଜହାତରେ ଫୁଟିଯିବ ? ନୋହିଲେ ବା ନିଜ ଭିତରୁ ଜଣେ ଦୁଇଜଣ ମରିଯିବେ; କିନ୍ତୁ ଶତ୍ରୁକୁ ଶତ୍ରୁହାତର ଗୋଳା ସାହାର୍ଯ୍ୟରେ ଆଘାତ କରିବାଠାରୁ ଆନନ୍ଦର କଥା ଆଉ କଅଣ ଥାଇପାରେ ।

 

ଦେବଳ ଗୁରୁଦକ୍ଷିଣା ଦେବାକୁ ଲାଗିଲା ।

 

ଜଣେ କ୍ୟାପେଟନ ତା’ ହାତକୁ ଧରିପକାଇ ମିନତିକରି କହିଲା—ଭଗବାନଙ୍କ ଦ୍ୱାହି ଦେଇ କହୁଛି, ଆପଣ ଯାହା କରୁଛନ୍ତି, ତାହାକୁ ‘ସୁଇସାଇଡ଼୍’ (ଆତ୍ମହତ୍ୟା) କୁହାଯାଏ ।

 

ଚିତ୍କାର କରିଉଠି ଦେବଳ କହିଲା—ହାତହତିଆର ଶୂନ୍ୟ ହୋଇ ଦୁଷ୍ମନ୍ ହାତରେ ମରିବା ଅପେକ୍ଷା ବରଂ ସେମାନଙ୍କୁ ମାରୁମାରୁ ମରିବା ଭଲ । ଭାଇୟୋଂ, ଅଉର୍ ଜୁଆନୋ, ଜୟହିନ୍ଦ୍ ।

 

କିନ୍ତୁ ହାଇଲ୍ୟାଣ୍ଡରମାନେ ଜଙ୍ଗଲ ଲଢ଼ାଇ ବିଷୟରେ ଅନେକ ତାଲିମ୍ ପାଇଥିଲେ । ତା’ ବ୍ୟତୀତ ଇଉରୋପୀୟ ଯୁଦ୍ଧଶାସ୍ତ୍ରରେ ଏନ୍‍ସର୍କଲ (ଘୂରିଆସିବା) ଗୋଟାଏ ବଡ଼ କାଇଦା । ପାଖଦେଇ ଘୂରିଆସି ଶତ୍ରୁକୁ ଘେରମଧ୍ୟରେ ପକାଇ ପାରିଲେ ସହଜେ ଜଞ୍ଜାଳ ତୁଟିଯାଏ । ସେମାନେ ଆଜାଦୀ ଦଳର ଏହି ଅଦମ୍ୟ ଉତ୍ସାହ ସମ୍ମୁଖରେ ତିଷ୍ଠିନପାରି ପଛକୁ ଫେରି ଯାଉଥିଲେ; କିନ୍ତୁ ତାଙ୍କର ପେଟ୍ରୋଲ୍‍ପାଟି କମ୍ ନଥିଲା । ସେମାନଙ୍କ ମଧ୍ୟରୁ ଗୋଟିଏ ଟହଲ୍‍ଦାର ଦଳ ଲଢ଼ାଇ ଇଶାରାପାଇ ଦୂରରୁ ଆସି ଆଜାଦ୍‍ହିନ୍ଦ୍ ଦଳର ପଛପଟେ ଥିବା ଗୋଟାଏ ଢିମା ଉପରକୁ ଉଠିଗଲେ । ସେଠାରେ ଥାଇ ରକେଟ୍ ଆଲୋକ ଛାଡ଼ି ଚାରିଆଡ଼ ଉଜ୍ଜ୍ଵଳ କରି ମେସିନଗନ୍ ଦ୍ୱାରା ଗୁଳି ଚଳାଇବାକୁ ଲାଗିଲେ । ‘ଚୋରଙ୍କ ଉପରେ ବାଟମାରଣା’ ଏଭଳି ଅବସ୍ଥାରେ ଏକମାତ୍ର ପ୍ରତିକାର । ହାଇଲାଣ୍ଡରମାନେ ପଥର ଢିମା ଉପରେ ଚଢ଼ି ମେସିନ୍‍ଗନ୍ ଚଳାଇବାର ସୁବିଧା ପାଇଯାଇ ଅଛନ୍ତି । ତେଣୁ ସେମାନଙ୍କର ଏହି ସୁବିଧାଜନକ ଘାଟିଟିକୁ ଦଖଲକରି ନପାରିଲେ, ଆଜାଦୀଦଳ ଅକାରଣରେ ମରିଯିବେ । ସଙ୍ଗେ ସଙ୍ଗେ ଦେବଳ ଜଣେ ଲେଫ୍ଟନେଣ୍ଟକୁ ଗୋଟିଏ ଇଉନିଟ୍ ସୈନ୍ୟ ଘେନି ଭକ୍ତ ଢିମାଦଖଲ କରିବାକୁ ପଠାଇଲା; କିନ୍ତୁ ସମ୍ମୁଖ ଭାଗରୁ ଉକ୍ତ ଢିମାଉପରକୁ ଚଢ଼ିବା ଏକଦମ୍ ଅସମ୍ଭବ । ଉପରେଥାଇ ବିନା ଆୟାସରେ ଶତ୍ରୁପକ୍ଷ ଗୁଳି ଚଳାଇବେ, ତେଣୁ ଅନ୍ଧକାର ମଧ୍ୟରେ ଗଛ ଆଢ଼ୁଆଳବାଟେ ଲେଫ୍‍ଟନ୍ୟାଣ୍ଟ ଢିଲାର ପଛଆଡ଼କୁ ଚାଲିଗଲେ । ସେପଟୁ ଆଣ୍ଠୋଇ ଆଣ୍ଠୋଇ, କେତେବେଳେ ଅବା ଛାତିରେ ଭରାଦେଇ ଘୁସୁରି ଘୁସୁରି, ଢିମାର ତାଳୁ ଉପରକୁ ଉଠିଆସିଲେ । ହାଇଲାଣ୍ଡରମାନେ ଆଉଥରେ ରକେଟ୍ ଛାଡ଼ିଲା ବେଳକୁ ତାଙ୍କରି ଉପରକୁ ତାଙ୍କର ପଛପଟୁ ଗ୍ରେନେଡ଼୍ ପରେ ଗ୍ରେନେଡ଼୍ ବର୍ଷିଯିବାକୁ ଲାଗିଲା । ସେମାନେ ଏଭଳି ଗୋଟାଏ ଓଲଟା ପ୍ରତିଶୋଧର ଆଶା କରିନଥିଲେ । ଘଟନାଟିକୁ ସଙ୍ଗେ ସଙ୍ଗେ ବୁଝି ପାରିବା ସଙ୍ଗେ ସଙ୍ଗେ ସେମାନେ କେତୁଟା ମେସିନ୍‍ଗନ୍‍ ରେ ମୁହଁ ଘୂରାଇ ଦେଇ ଆଜାଦୀ ଦଳଆଡ଼କୁ ବାଗେଇନେଲେ । ଗ୍ରେନେଡ଼୍ ବା ମୋଟାର୍ ପାହାଡ଼ର ଉପର ଦିଗକୁ ଫୋପାଡ଼ିବା ସହଜ ହୁଏ ନାହିଁ; କିନ୍ତୁ ମେସିନ୍‍ଗନ୍ ପକ୍ଷେ ସେ ଅସୁବିଧା ନାହିଁ ।

 

ତଥାପି ମୋଟ ଉପରେ ଆଜାଦୀଦଳର ଅସୁବିଧା ଟିକିଏ କମ୍‍ଥିଲା । ସେମାନେ ତଳଆଡ଼କୁ ଗ୍ରେନେଡ଼୍ ଫିଙ୍ଗୁ ଫିଙ୍ଗୁ ପାଖକୁ ପାଖକୁ ଲାଗି ଆସିଲେ । ଯେ କୌଣସି ଉପାୟରେ ପାହାଡ଼ ଉପରୁ ଜଙ୍ଗଲ ଭିତରକୁ ମୁହଁକରି ରହିଥିବା ମେସିନ୍‍ଗନ୍ ଗୁଡ଼ିକର ମୁହଁ ବନ୍ଦ କରି ଦେବାକୁହିଁ ପଡ଼ିବ । ତେବେଯାଇଁ ଆଜିକା ଲଢ଼ାଇରେ ବିଜୟ ସୁନିଶ୍ଚିତ ହେବ ।

 

କିନ୍ତୁ ହାୟ ! ସେମାନଙ୍କ ସଙ୍ଗରେ ଆଟିଲାରୀ ଏବଂ ଓଜନଦାର ଦୂରନିକ୍ଷେପକାରୀ କମାଣର ଗୋଳାର ସାହାଯ୍ୟ ନେବା ଉଚିତ୍ ଥିଲା, ଏସବୁ ଗୋଳା ଅନେକ ଦୂରରେ ଥିବା ଦୁଷ୍ମନ୍ ଉପରକୁ ବହୁ ସଂଖ୍ୟାରେ ଝରିପଡ଼ୁଥାଏ ଏବଂ ଦୁଷ୍ମନ୍ ବ୍ୟତିବ୍ୟସ୍ତ ହୋଇ ପଡ଼ୁଥାଏ । ଏଣେ ମଧ୍ୟ ଯେତିକି ସ୍ଥାନରେ ଗୋଳା ଫିଙ୍ଗିବା କାର୍ଯ୍ୟ ଚଳୁଥାଏ, ସେତକସ୍ଥାନରେ ଛତା ଆଢ଼ୁଆଳ ତିଆରି ହୋଇ ଯାଉଥାଏ । ବିନାବାଧାରେ ସୈନ୍ୟମାନେ ସେତକ ସ୍ଥାନ ଆଗେଇ ଆସୁଥାଆନ୍ତି ।

 

କମାଣର ଆଶ୍ରୟ ନଥିଲେ ନଥାଉ । ଛାତି ଭିତରେ ତ ସାହସ ଅଛି । ମନଭିତରେ ତ ଶ୍ରଦ୍ଧା ଓ ପ୍ରୀତି ଅଛି । ଏ ତ କିଛି ଦୂରବିଦେଶରେ ସାମ୍ରାଜ୍ୟ ସମ୍ଭାଳିବା ପାଇଁ ଲଢ଼ାଇ କରିବାକୁ ପଡ଼ୁନାହିଁ ? ତେଣୁ ଲେଫ୍ଟନାଣ୍ଟ ମନଶୁର୍ ସମସ୍ତଙ୍କ ଆଗେ ଆଗେ ଆଗେଇ ଯାଇ ଢ଼ିମାର ଅଗ୍ରଭାଗରୁ ମେସିନ୍‍ଗନ ଘାଟିପର୍ଯ୍ୟନ୍ତ ଓହ୍ଲାଇବାକୁ ଲାଗିଲା । ତାଙ୍କ ଦଳ ଉପରକୁ ବୃଷ୍ଟିଧାରା ପରି ଗୁଳିବର୍ଷି ଚାଲିଛି । ମନଶୁର୍ ଦେହରେ ତେରଟା ଗୁଳି ଫୁଟିଗଲା; ତଥାପି ସେ ପେଟକୁ ଚିପିଧରି ପାହାଡ଼ ଉପରେ ଟଳିପଡ଼ିଲା । ରାଇଫେଲ୍‍ଟି ହାତରୁ ଖସିପଡ଼ିଲା, ସଙ୍ଗରେ ଥିବା ସୈନ୍ୟଗୁଡ଼ିକ ଇତସ୍ତତଃ ହୋଇଯିବାକୁ ଲାଗିଲେ । ଦଳପତି ପଡ଼ିଗଲାଣି—ମରିଯାଉଛି—ଆଉ ଆଗେଇବା ସେମାନଙ୍କ ପକ୍ଷରେ ବୁଦ୍ଧିମାନର କାର୍ଯ୍ୟ ହେବ କି ?

 

ସେ କଥା ବୁଝିପାରି ସିଂହପରି ଗର୍ଜନକରି ଉଠିଲା ମନଶୁର୍ । ଡାକି ଉଠିଲା—ଭାଇୟୋ ! ଯୁଆନୋଁ ! ନେତାଜୀ କି ଜୟ—ଚଲୋ ହାମାରା ସାଥ୍ ।

 

ଏହାକହି ସେ ପୁଣିଥରେ ରାଇଫେଲ୍‍ଟିକୁ ଉଠାଇ ନେଲା, ପାଦ ଉପରେ ଭରାନେଇ ଠିଆହେବାର ଶକ୍ତି ଟିକକ ପର୍ଯ୍ୟନ୍ତ ତାର ସେତେବେଳେ ନଥାଏ; ତଥାପି ସେ ଗଡ଼ି ଗଡ଼ି ପାହାଡ଼ର ଗଡ଼ାଣିଆ ଅଂଶଦେଇ ତଳଆଡ଼କୁ ଓହ୍ଲାଇବାକୁ ଲାଗିଲା ।

 

ତାହାର ଏ ସଙ୍କେତ ସମସ୍ତେ ବୁଝିପାରିଲେ । ସେମାନେ ମଧ୍ୟ ସମସ୍ତେ ଶୋଇପଡ଼ିଲେ ଏବଂ ତଳଆଡ଼କୁ ଗଡ଼ିବାକୁ ଆରମ୍ଭକଲେ । ରହି ରହି ମଝିରେ ମଝିରେ ଗ୍ରେନେଡ଼ ପଙ୍ଗନ୍ତି ଏବଂ ପୁଣିଥରେ ଗଡ଼ିଗଡ଼ି ଓହ୍ଲାଇ ଯାଆନ୍ତି । ଉପରକୁ ମୁହଁକରି ରହିଥିବା ମେସିନ୍‍ଗନ୍‍ଗୁଡିକ ତାଙ୍କୁ ଆଉ ଛୁଇଁ ପାରିଲା ନାହଁ । ଠକିଠାକ୍ ପଥର ଦେହରେ ବାଜି ସେଗୁଡ଼ିକ ଏଣେତେଣେ ଛିଟିକି ପଡୁ଼ଥାଏ; ଅଥଚ ଗ୍ରେନେଡ଼ଗୁଡିକ ଶତୃ ଦେହରେ ଠିକ୍ ବାଜୁଥାଏ । ଏହିଭଳି ଭାବରେ ଯୁଦ୍ଧ ଚାଲୁଚାଲୁ ସବୁ ମେସିନ୍‍ଗନ୍ ଗୁଡ଼ିକ ନିସ୍ତବ୍ଧ ହୋଇଗଲା । ଶେଷକୁ ସେ କେତୋଟି ହାଇଲଣ୍ଡର୍ ବାକି ରହିଲେ, ସେମାନେ ମୃତପ୍ରାୟ ହୋଇ ମାଡ଼ିଆସିଲେ । ବେଓନେଟ୍ ମଧ୍ୟରେ ଲଢ଼ାଇ; କିନ୍ତୁ ଯେଉଁମାନେ ଉପରୁ ତଳଆଡ଼କୁ ଓହ୍ଲାଇ ଆସୁଅଛନ୍ତି ,ସେମାନଙ୍କ ସଙ୍ଗେ ପାରିଉଠିବେ କିପରି ? କ୍ରମେ କ୍ରମେ ଶତ୍ରୁଦଳ ଶେଷ ହୋଇଗଲେ । ମନଶୁର୍ର ମୃତଦେହଟା ଗଡ଼ି ଗଡ଼ି ଅସି ଗୋଟିଏ ମେସିନ୍‍ଗନ୍‍ ରେ ଗାଡ଼ିଚକ ଦେହରେ ଅଟକି ଗଲା—ଜୟହିନ୍ଦ୍ ।

 

ଏଣେ ଓରାୟମ୍ ସିଂର ଦଳ ତା’ ସମ୍ମୁଖରେ ଥିବା ସ୍ଥାନରେ ଖୁବ୍ ଅସୁବିଧାର ସମ୍ମୁଖୀନ ହୋଇ ପଡ଼ିଛନ୍ତି । ବ୍ରିଟିଶ୍ ପକ୍ଷର ଆହୁରି ଅନେକଗୁଡ଼ିଏ ଟହଲଦାର ଦଳ କେତେକ ମାଇଲ ଦୂରରେ ଏଣେତେଣେ ଘାଟି ପ୍ରସ୍ତୁତକରି ରହିଥିଲେ । ଘଟିଘଟିଆ ରାତିରେ ରକେଟ ଆଲୁଅ ଏବଂ ଗୁଳିର ଆବାଜ୍ ଶୁଣି ବୁଝିପାରିଲେ ଯେ, ଦୁଷମନ୍ ଆକ୍ରମଣ କରିଛି । ନିଧଡ଼କ୍ ହୋଇ ସେମାନେ ମଣିଷଚଲା ବାଟଉପରେ ଜିପ୍ ଚଳାଇ ନାଗା ଗାଁ ଆଡ଼କୁ ଆଗେଇ ଆସିଲେ । ସେମାନଙ୍କ ଦଳ ଖୁବ୍ ବେଶି, ପାଖକୁ ଲାଗି ଆସି, ଅବିଳମ୍ବେ ସେମାନେ କେତେଗୁଡ଼ିଏ ମେସିନ୍ଗନ୍ର ‘ନେଷ୍ଟ’ ଅର୍ଥାତ୍ ବସା ତିଆରି କରିନେଲେ, ସତେ କି ସେମାନଙ୍କର ଗୁଳିଗୁଡ଼ିକ ନିଆଁ ର ଗୋଟାଏ ପ୍ରାଚୀର ପ୍ରସ୍ତୁତ କରିଦେଲା ଏବଂ ସେ ପ୍ରାଚୀରଟି କ୍ରମେ କ୍ରମେ ଆଗେଇ ଆସିବାକୁ ଲାଗିଲା; ତାକୁ ବାଧା ଦେବାକୁ ସାଧ୍ୟ ଅଛି କାହାର ?

ତା’ର ପ୍ରତିକାରର ଏକମାତ୍ର ଉପାୟ ହେଲା, ଟ୍ୟାଙ୍କ; କିନ୍ତୁ ଟ୍ୟାଙ୍କ ଜିନିଷଟା ଯୁଦ୍ଧରେ ଲାଗେ ବୋଲି ଆଜାଦୀଦଳ ଏତେଦିନପର୍ଯ୍ୟନ୍ତ ଭୁଲି ଯାଇଥିଲେ । ମୃତପ୍ରାୟ ହୋଇ, ଛାତିରେ ହାତ ବାଡ଼େଇ ଓରାୟମ୍ କହିଲା—ଭାଇମାନେ ! ଜବାନର ଛାତିହାଡ଼ ଇସ୍ପାତ ଅପେକ୍ଷା ଯେ ଅଧିକ ଶକ୍ତ, ତାହାର ପ୍ରମାଣ ମଧ୍ୟ ବର୍ତ୍ତମାନ ଦେବାକୁ ପଡ଼ିବ । ମୁଁ ପଞ୍ଜାବରେ ଥିବାବେଳେ ସ୍ପୋଟ୍‍ସରେ “ଡିସ୍‍କସ୍ ଥ୍ରୋ” ଓ ଚକ୍ର ଫିଙ୍ଗାରେ ପ୍ରଥମ ହୋଇଥିଲି । ତାହାରି ପ୍ରମାଣ ମୁଁ ବର୍ତ୍ତମାନ ଦେଉଛି, ଦେଖ—ଦୁଇହାତରେ ଦୁଇଟି ଗ୍ରେନେଡ଼, ମୂର୍ତ୍ତିମାନ୍ ଯମ ତୁଲ୍ୟ ସେ ଗୋଟିଏ ମୋଟାଗଛର ଆଢ଼ୁଆଳକୁ ଦୌଡ଼ିଗଲା ଏବଂ ସମ୍ମୁଖରେ ଥିବା ଜିପ୍ ଉପରକୁ ତାହା ଫିଙ୍ଗିଲା । ଜିପ୍ ସହିତ ତହିଁରେ ଥିବା ଆରୋହୀ ସିପାହୀମାନେ ନିଶ୍ଚିହ୍ନ ହୋଇଗଲେ—ଜୟହିନ୍ଦ୍, ନେତାଜୀ କି ଜୟ ?

 

ଏହିଭଳି ଭାବରେ ସେ ସମସ୍ତଙ୍କୁ ନୂତନ ଉତ୍ସାହରେ ଉତ୍ତେଜିତ କରିଦେଲା । ପୋଖରୀରେ ଖେଳିବା ଛଳରେ ସତେକି ସେମାନେ ସମସ୍ତେ ଖପରାକାତି ଫିଙ୍ଗୁଛନ୍ତି । ଜଙ୍ଗଲ ମଧ୍ୟରେ ଥିବା ଜିପ୍ ଗୁଡ଼ିକ କେତେବା ଏପାଖ ସେପାଖ ହୋଇପାରିବ ! ହଠାତ୍ ମୋଡ଼ ବଦଳାଇବା ମଧ୍ୟ ସହଜ ନୁହେଁ । ସେହି ଅବସରରେ ଜିପ୍ ଉପରେ ଥିବା ଶତୃ ସୈନ୍ୟମାନେ ଖତମ୍ ହୋଇଯାଆନ୍ତି । ପୁଣି ସେହି ଜିପ୍‍ର ଭଙ୍ଗା ଅଂଶଗୁଡ଼ିକ ଏମାନଙ୍କ ପାଇଁ ନୂତନ ଆଢ଼ୁଆଳ ସୃଷ୍ଟିକରେ ।

 

ଏଣେ ଦେବଳ ଓ ରବିନ୍ର ଦଳ ଆଗେଇ ଆସି ଅଦୂରରେ ଛିଡ଼ାହେଲେ; କିନ୍ତୁ ରକ୍ଷାର ଉପାୟ ନାହିଁ । ଜଙ୍ଗଲ ମଧ୍ୟରେ ଥିବା ଗୋଟିଏ ନାଳ ମଧ୍ୟରେ ପଶି ଦୁଇଜଣ ଇଂରେଜ ଅଫିସର ଲୁଚି ରହିଥିଲେ । ଇଂରେଜ ଲାଇନରୁ ସେମାନଙ୍କୁ ଯୁଦ୍ଧକ୍ଷେତ୍ରରେ ସାହାଯ୍ୟ କରିବାପାଇଁ ପଠାଇ ଦିଆଯାଇଥିଲା । ସେମାନେ ପୂର୍ବୋକ୍ତ ଦଳ ସହିତ ଆସି ନପାରି ଅନେକ ସମୟ ପରେ ଆସିଥିଲେ । ସେତେବେଳକୁ ଆଗୁଆଦଳ ଗୁଡ଼ିକୁ ଆଜାଦ୍‍ହିନ୍ଦ୍ ବାହିନୀ ଶେଷ କରିଦେଇ ଅଛନ୍ତି ଏବଂ ଧୀରେ ଧୀରେ ସେମାନଙ୍କୁ ହଟାଇ ଦେଇଛନ୍ତି । ଏହିଭଳି ସମୟରେ ଦୁଇଜଣ ଇଂରେଜ ଅଫିସର ଆସି ହାଜିର ହୋଇଗଲେ । ମେଜର ଜେନେରାଲ୍ “ଉଇନ୍ ଗେଟ୍” ଙ୍କର ବଛା “ଚିଣ୍ଡିଟ୍” ବାହିନୀରେ ଏମାନେ ହାତ ପାକଳକରି ଆସିଛନ୍ତି ।’ ଜଙ୍ଗଲଯୁଦ୍ଧରେ ଏମାନଙ୍କଠାରୁ ବେଶି ଓସ୍ତାଦ୍ ଲୋକ କୁଆଡ଼େ ଆଉ ମିଳିବେ ନାହିଁ । ବର୍ମା ଭିତରେ ଚୀନ୍ ପାହାଡ଼ ଅଞ୍ଚଳରେ ହଠାତ୍ ଆକ୍ରମଣ କରି ଲଢ଼ାଇ କରିବା ବିଷୟରେ ଓସ୍ତାଦ୍ “ବ୍ୟାଣ୍ଡିଟ୍” ଅର୍ଥାତ୍ ଡକାୟତ ବୋଲି ଶ୍ରେଷ୍ଠ ଯୋଦ୍ଧାମାନଙ୍କର ନାମ “ଚିଣ୍ଡିଟ୍” ଥିଲା ।

 

ଏଇ ଦୁଇଜଣ ‘ବିଣ୍ଡିଟ୍’ ସରଦାର ନାଳ ଭିତରେ ଲୁଚିରହି ଅବ୍ୟର୍ଥ ଲକ୍ଷ୍ୟରେ ମେସିନ୍ ଗନ୍ ଚଳାଇବାକୁ ଲାଗିଲେ । ହଠାତ୍ ସେମାନଙ୍କର ଗୁପ୍ତସ୍ଥାନର ସନ୍ଧାନ ନ ମିଳିଲେ ମେସିନ୍‍ଗନ୍ ଚାଳନା ବନ୍ଦ କରିବାର ଉପାୟ କରିହେବ ନାହିଁ । ଜଣେ ଆଜାଦୀ ସେନା ଗୋଟିଏ ଗୁଳିରେ ଆହତ ହୋଇ ତଳେ ପଡ଼ିଗଲା; କିନ୍ତୁ ଗୁଳିଟି ସମ୍ପୂର୍ଣ୍ଣରୂପେ ଶରୀର ମଧ୍ୟରେ ପ୍ରବେଶ କରିପାରି ନାହିଁ । ଛାତି ଉପରେ ସିଗାରେଟ୍ କେସ୍ ବଦଳରେ ଲୁହାର ଗୋଟିଏ ଛୋଟ ବାକ୍ସ ଥିଲା । ତହିଁରେ ବାଜି ଗୁଳିଟିର ଜୋର୍ କମିଯାଇଥିଲା । ଦେବଳ ଚଟ୍‍ପଟ୍ ଛୁରି ଦ୍ଵାରା ଉକ୍ତ ଗୁଳିଟି ଟାଣି ବାହାର କରିଦେଲା । ହାତରେ ଧରି ଏପାଖ ସେପାଖ ବୁଲାଇ କହିଲା—ବୁଝିଲି ବୁଝିଲି, ଏଇଟି ହେଲା ଟମ୍‍ଶନ୍ ସବ୍ ମେସିନ୍‍ଗନ୍‍ର । ଏହାର ଗତି ଖୁବ୍ ବେଶି ଦୂର ନୁହେଁ । ନିଶ୍ଚୟ ପାଖରେ କେଉଁଠି ଲୁଚିରହି କେହି ଏହି ମେସିନ୍‍ଗନ୍ ଚଳାଉଛି; ସୁତରାଂ ଦୁଷମନ୍ ହାତ ପାହାନ୍ତିରେ ହିଁ ଅଛି । “ଜୟହିନ୍ଦ୍” ।

 

କିନ୍ତୁ ଆଜାଦୀଦଳ ସେମାନଙ୍କୁ ଖୋଜି ବାହାର କରିବା ପୂର୍ବରୁ ସେମାନଙ୍କ ଦଳର ଜଣେ ଇଂରେଜ, ସେହି ନାଳ ଭିତରକୁ ପଶି ଆଶ୍ରୟ ନେଲା । ଓଠ ଦୁଇଟି ତାର ଭୟରେ ଏକାଠି ହୋଇଯାଇଛି । ସତେକି କେହି ଜଣେ ଓଠ ଦୁଇଟିକୁ ତା’ର ଶକ୍ତ ଅଠା ଦ୍ୱାରା ବୁଜି ଦେଇଛି ! ସେ ପିନ୍ଧିଥିବା ପାଇଜାମାରୁ ଅଧେ ଛିଣ୍ଡି ଯାଇଛି । ଆଜି ଦୀଦଳ ହଠାତ୍ ଚଢ଼ାଉ କରିବାରୁ ଇଉନିଫର୍ମ ପିନ୍ଧିବାକୁ ସେ ସମୟ ପାଇନାହିଁ । ପାଇଜାମାଟି ବୋଧହୁଏ କୌଣସି କଣ୍ଟାଗଛରେ ଲାଗିଯାଇଥିଲା । ବିଚରା, ଦଉଡ଼ି ପଳାଇବାବେଳେ କଣ୍ଟା ଛଡ଼ାଇବାକୁ ସମୟ ପାଇନାହିଁ । ହାତରେ ତା’ର ବନ୍ଧୁକ ଅଛି । ମାତ୍ର ଗୁଳିର ‘ପାଉଚ’ ଗୋଟିଏ ମାତ୍ର ନାହିଁ । ନିଜ ଦଳର ଲାଲ ଟ୍ରେଶର ବଲ୍ର ଆଲୁଅ ଦେଖି ଦେଖି ତା’କୁ କେବଳ ଚାରିଆଡ଼ ଲାଲ୍ ଦେଖାଯାଉଛି । ବିଚରାର ଛୋଟମୁହଁଟି ଖରାଧାସରେ ନୁହଁ, ଭୟରେ ଲାଲ ପଡ଼ିଯାଇଛି ।

 

ଜଣେ ଅଫିସର କହିଲା—ଟୋନି, ମୋ ବୋତଲରୁ ତାକୁ ଟିକିଏ “ରମ୍” ଖାଇବାକୁ ଦେ । ମଦ ଖାଇଲେ ସାହସ ଫେରିଆସିବ ।

 

ଅନ୍ୟ ଜଣକ ଉତ୍ତର ଦେଲା—ଠିକ୍ କହିଛ କ୍ରିଶ୍ । ତା’ର ବର୍ତ୍ତମାନ ଟିକିଏ ‘ରମ୍’ ଦରକାର ।

 

ମଦ ପିଇସାରି ସେ ଆସ୍ତେ ଆସ୍ତେ ମୁହଁ ଖୋଲିଲା; କିନ୍ତୁ କିଛି ଲାଭ ହେଲା ନାହିଁ । ବିଚରାଟି କ୍ରିଶ୍‍କୁ କହିଲା—ଯଦି ମୁଁ ବେଶି ସମୟ ବଞ୍ଚିରହେ, ଚାରିଆଡ଼େ ଦୁଷ୍ମନ୍ ଥିବାସତ୍ତ୍ୱେ ଯଦି ବଞ୍ଚିରହେ, ସେଥିପାଇଁ ମୋତେ “ଭି.ସି.” ମିଳିବା ଉଚିତ୍ । (ଭିକ୍ଟୋରିଆ କ୍ରଶ ହେଉଛି, ଇଂରେଜ ସୈନ୍ୟମାନଙ୍କ ପାଇଁ ବୀରତ୍ୱର ସର୍ବଶେଷ୍ଠ ପୁରସ୍କାର)

 

କ୍ରିଶ୍ ଓ ଟୋନି ପରିଷ୍କାର ବୁଝିପାରିଲେ ଯେ ଟମି ବିଚରା ହଠାତ୍ ଆକ୍ରମଣ ଫଳରେ ଅତ୍ୟଧିକ ଭୀତତ୍ରସ୍ତ ହୋଇପଡ଼ିଛି । ଏତେ ବେଶି ଭୟ କରିଛି ଯେ, ତା’ର ମୁଣ୍ଡ ଠିକ୍ ରହୁନାହିଁ । ଏଭଳି ଅବସ୍ଥାରେ ତାକୁ ଯଦି ଅବହେଳା କରାଯାଏ, ତେବେ ସେ ନିଶ୍ଚୟ ପାଗଳ ହୋଇଯିବ । ତେଣୁ ତା’ ସହିତ ଟିକିଏ କଥାବାର୍ତ୍ତା କରିବା ଦରକାର ।

 

କ୍ରିଶ୍ କହିଲା—ଠିକ୍ କହିଛ, ହେଇଟି, ଆଉ ଟିକିଏ ‘ରମ୍’ ନିଅ । ଆଉ ହେଇଟି ନିଅ, ତୁମପାଇଁ ଗୁଳି । ତୁମେ ମଧ୍ୟ ବନ୍ଧୁକ ମାରିବାକୁ ଆରମ୍ଭ କରିଦିଅ । ଦୁଷ୍ମନ୍ ପଳାଇଯିବ ।

 

ଟମି କିନ୍ତୁ ତୁନି ହୋଇ ରହିଲା ନାହିଁ । ବିଳିବିଳେଇ ଉଠି କହିଲା—ମୁଁ କିନ୍ତୁ ଏହିକ୍ଷଣି ମରିଯିବି । ମୋ ବଦଳରେ ହୁଏତ ମୋର ବାପା “ଭି.ସି.” ପାଇବ । ମୁଁ ହେଲି ତାଙ୍କର ଏକମାତ୍ର ପୁତ୍ର । ସେ ମଧ୍ୟ “ଭି.ସି.” ପାଇସାରିଛି । ଉଇନ୍‍ଷ୍ଟନ୍ (ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଉଇନ୍‍ଷ୍ଟନ୍ ଚର୍ଚ୍ଚିଲ) ନିଜେ ଆସି ବାପାଙ୍କ ହାତରେ ମେଡ଼ାଲ୍‍ଟି ଦେଇଯିବେ ।

 

ଇଂରେଜଦଳ ପଛଆଡ଼ୁ ହଠାତ୍ ଅନେକଗୁଡ଼ିଏ ପ୍ରେସର୍ବଲ୍ ଆକାଶ ଆଡ଼କୁ ଉଡ଼ାଇଲେ-। ଶତ୍ରୁପକ୍ଷ କେଉଁଆଡ଼େ ଅଛନ୍ତି, ତାହା ଭଲଭାବେ ଦେଖିନେବା ଦରକାର । ଏମାନେ ତିନିଜଣଯାକ ତରତର ହୋଇ ନାଳ ମଧ୍ୟରେ ଲମ୍ବଭାବେ ଶୋଇପଡ଼ିଲେ । ଟମି ଚିତ୍କାର କରିବାକୁ ଲାଗିଲା, ନାଲିପାଣି ! ନାଲିପାଣି ! ରବରର ହୋସ୍‍ପାଇପ୍ ଦ୍ଵାରା ମୋ ମୁଣ୍ଡ ଉପରକୁ ନାଲିପାଣି ଛିଞ୍ଚି ଦେଉଛନ୍ତି ।

 

କିନ୍ତୁ ଏସବୁ ପ୍ରଳାପ ଶୁଣିବାପାଇଁ ସେମାନଙ୍କର ସମୟ କାହିଁ ! ଏହି ନାଲି ଆଲୁଅ ଟିକକର ସୁବିଧା ନେଇ ଦୁଷ୍ମନ୍‍କୁ ଠଉରାଇ ନେବାକୁ ପଡ଼ିବ । ତେଣୁ ସେମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହିଲେ । ଚାରିଆଡ଼େ ଗୋଳା ଗୁଳିର ଆବାଜ୍ । କାନର ପରଦା ଫାଟିଯିବା ଉପରେ । ଏଭଳି ଅବସ୍ଥାରେ କାହାର ବା ମୁଣ୍ଡ ଠିକ୍ ରହିପାରେ ? ହଠାତ୍ ଟୋନି ଦେଖିଲା ଯେ, ଟମି ଗୁରୁଣ୍ଡି ଗୁରୁଣ୍ଡି ନାଳ ପାରିହୋଇ ରକ୍ତରାଗ ଉପରକୁ ଉଠିଯାଉଛି । ସର୍ବନାଶ ! ସଙ୍ଗେ ସଙ୍ଗେ ଶତ୍ରୁମାନେ ସେମାନଙ୍କର ଲୁଚି ରହିଥିବା ଜାଗାର ଟେର୍ ପାଇଯିବେ ! ତାହା ହେଲେ ରକ୍ଷାର ଆଉ ଉପାୟ ନାହିଁ । ତା’ ପାଇଜାମାଟାକୁ ଟାଣିଧରି ଟୋନି ଫୁସ୍ ଫୁସ୍ ହୋଇ କହିଲା—ବ୍ଲାଡ଼ି ଫୁଲ୍ । ଦୁଷ୍ମନ୍ ବର୍ତ୍ତମାନ ତୁମକୁ ଶେଷ କରିଦେବ, ଖବରଦାର !

 

ଟମି ଚିତ୍କାର କରିଉଠି ଜଡ଼ିତକଣ୍ଠରେ ଖନେଇ ଖନେଇ କହିଲା, “ଇଉ ବ୍ଲାରି ଅସିଫର୍” (ଅଫିସର୍), ଆଇ ସସ୍ଲିଉଟ୍ (ସଲାମ କରୁଛି) । ଇଉ, ବ୍ଲାରି ଆସିଫର୍, ଲେଲ୍ ମିଗୋ (ମୋତେ ଛାଡ଼ିଦେ, ମୁଁ ଯିବି) ।

 

ଟୋନି କିନ୍ତୁ କଠୋର—କଣ୍ଠରେ କହିଲା—ଡାନ୍‍କାର୍କଠାରୁ ସମୁଦ୍ର ପାରିହୋଇ ପଳାଇବା ସମୟରେ ସବୁଠାରୁ ବେଶି ବିପଦ ଘଟିଥିଲା । ତଥାପି ଏଠାରେ ନାଳ ମଧ୍ୟରେ ଶୋଇ ଆମ୍ଭେମାନେ ଏକପ୍ରକାର ନିରାପଦରେ ଅଛୁ । ତୁମେ ମଧ୍ୟ ଏଇଠାରେ ଥାଅ ।

 

ଜୋଃ ! ଡାନକାର୍କର ତୁଳନା ଭିତରେ ଥିଲା, ବଣଭୋଜିର ବଗିଚା ଘର । ଇଉ......ପ୍ରଭୃତି ଅକଥ୍ୟ ଗାଉଁଲୀ ଭାଷାରେ ଗାଳି ଦେଉ ଦେଉ ଟମି ପୁଣି ଗୁରୁଣ୍ଡିବାକୁ ଆରମ୍ଭ କଲା ।

 

କ୍ରିଶ୍ ପାଖକୁ ଆସି ଟମି ମୁହଁକୁ ମୁଥେ ପକାଇଲା । ଏକଦମ୍ ବାଇଶିପଳିଆ; କିନ୍ତୁ ଗୋଟିକରେ ଯଥେଷ୍ଟ ହେଲାନାହିଁ । ତେଣୁ ବନ୍ଧୁକର ପଛରେ ତା’ ମୁଣ୍ଡକୁ ଆଉ ଗୋଟିଏ ଠେଲା ଦେଲା । ଏଥର ଟମି ସମ୍ପୂର୍ଣ୍ଣ ଜ୍ଞାନ ହରାଇ ନାଳତଳକୁ ଗଡ଼ିଗଲା । ଘଟଣାଟି ସାଂଘାତିକ ଦେଖି ଏ ଦୁହେଁ ଚୁପ୍ ହୋଇ ଅପେକ୍ଷା କରି ରହିଲେ ।

 

ଏଆଡ଼େ ଯୁଦ୍ଧ ପ୍ରାୟ ଶେଷ ହୋଇଗଲା । ଶେଷକୁ ଇଂରେଜମାନେ ପଛଘୁଞ୍ଚା ଦେଇ ପଳାଇଗଲେ । ରାତ୍ରିର ଅନ୍ଧକାର ମଧ୍ୟରେହିଁ ପକାଇବାକୁ ହେବ, ନୋହିଲେ ଆଜାଦ୍ ଦଳ ହାତରୁ କାହାରି ରକ୍ଷା ନାହିଁ । ଏଠି ସେଠି ଯାହା ଟିକେ ଯୁଦ୍ଧ ବାକି ଥିଲା, ସେତକ ଖତମ୍ କରି ଆଜାଦ୍ ଦଳ ଇଂରେଜପକ୍ଷର ହେଡକ୍ଵାଟର ସେହି ଗ୍ରାମକୁ ଫେରିଗଲେ । ଶୀତଦିନର ରାତ୍ରି, ଚତୁର୍ଦ୍ଦିଗ ଘନ କୁହୁଡ଼ିଦ୍ଵାରା ଆଚ୍ଛନ୍ନ । ପାହାଡ଼ଗୁଡ଼ିକ ପର୍ଯ୍ୟନ୍ତ ସତେ କି କମ୍ବଳ ଘୋଡ଼େଇ ହୋଇ ଶୋଇପଡ଼ିଛନ୍ତି-

 

ସେହି ରାତ୍ରିର ଅନ୍ଧକାର ମଧ୍ୟରେ ସମସ୍ତ କୁଡ଼ିଆଘରଗୁଡ଼ିକ ତନ୍ନ ତନ୍ନ କରି ଖୋଜି ଦେଖିବାକୁ ଆରମ୍ଭ ହୋଇଗଲା । ଗ୍ରାମର ସବୁଠାରୁ ଉଚ୍ଚ ଘରେ ତ୍ରିରଙ୍ଗା ସ୍ଵାଧୀନ ପତାକା ଉଡ଼ାଇ ଦିଆଗଲା ।

 

ଇଂରେଜମାନଙ୍କଠାରୁ ହାତକରି ନେଇଥିବା ବେତାର ଯନ୍ତ୍ର ସାହାଯ୍ୟରେ ଦେବଳ ନିଜ ହେଡ଼କ୍ଵାଟର୍ସ୍‍କୁ ଖବର ପଠାଇଲା—“ଅନେକ ଘୂରାଘୂରି ପରେ ଶତ୍ରୁର ଘାଟି ଦଖଲ କରିଛି । ବହୁସଂଖ୍ୟକ ଲୋକ ମରିବାପରେ ସେମାନେ ବହୁପରିମାଣରେ ଟିଣ ଟିଣ ଫଳ, ଲହୁଣୀ, ଯାମ୍ ଆଦି ସହିତ ଘାଟିଟିକୁ ଛାଡ଼ିଛୁଡ଼ି ଦେଇ ପଳାଇଗଲେଣି । ଅନେକ ଅସ୍ତ୍ର ଶସ୍ତ୍ର ଏବଂ ଗୋଳାବାରୁଦ ମଧ୍ୟ ଛାଡ଼ିଦେଇ ଯାଇଛନ୍ତି ।”

 

ଯେଉଁଠାରେ ରେଜିମେଣ୍ଟାଲ ବେଜ୍, ଅର୍ଥାତ୍ ଯୁଦ୍ଧର ପ୍ଲାନ୍ ଯେଉଁଠି ପ୍ରସ୍ତୁତ କରାଯାଏ, ସେଠାକୁ ମଧ୍ୟ ବେତାର ଖବର ପଠାଗଲା । ସଙ୍ଗେ ସଙ୍ଗେ ସେଠାରୁ ହୁକୁମ୍ ଆସିଲା, “ଏଥର ବ୍ରିଗେଡ଼ର ମୁଖ୍ୟବିଭାଗଟି କୋହିମା ଚାଲିଯାଅ । ଇମ୍ଫାଲ ଆମ୍ଭମାନଙ୍କ ଦଖଲକୁ ଆସିବା ସଙ୍ଗେ ସଙ୍ଗେ ତୁରନ୍ତ ବ୍ରହ୍ମପୁତ୍ର ପାରହୋଇ ବଙ୍ଗଦେଶ ମଧ୍ୟକୁ ପ୍ରବେଶ କରିବାକୁ ପଡ଼ିବ ।”

 

ବଙ୍ଗଦେଶ ମଧ୍ୟକୁ ? ବଙ୍ଗଦେଶର ହୃଦୟ; ଦେବଳ ଡେଇଁପଡ଼ିଲା । ଓରାୟମ୍‍କୁ କୁଣ୍ଢାଇପକାଇଲା, ରବିନ୍‍କୁ ମଧ୍ୟ କୁଣ୍ଢାଇ ପକାଇଲା । ବଙ୍ଗଦେଶ ମଧ୍ୟକୁ ପ୍ରବେଶ କରିବାକୁ ହେବ-! –ଓରାୟମ୍, ତୁମେ ହେଲ ଆମ୍ଭମାନଙ୍କର ସର୍ଦ୍ଦାର–ଇ–ଜଙ୍ଗ ।

 

ଏଣେ ଚାରିଆଡ଼େ ପୁଣିଥରେ ନାଲି ଆଲୁଅ ଫୁଟିବାକୁ ଆରମ୍ଭକଲା । ଟ୍ରେସର୍ ବଲଗୁଡ଼ିକ ଆକାଶରୁ ଫିଙ୍ଗାହେଉଛି । ଇଂରେଜମାନଙ୍କ ପଛଘାଟିରୁ ବୋମାରୁ ବିମାନ କେତୋଟି ଆସି ପହୁଞ୍ଚିଗଲାଣି । ସେମାନେ ବୁଝିପାରିଛନ୍ତି ଯେ, ସେହି ରାତ୍ରିରଯୁଦ୍ଧରେ ହାରିଯାଇଛନ୍ତି ଏବଂ ଶତ୍ରୁ ନିଶ୍ଚୟ ଗ୍ରାମର ହେଡ଼କ୍ଵାଟର୍ସ୍ରେ ଜମା ହୋଇ ରହିଅଛନ୍ତି; ତେଣୁ ସେହିଠାରେ ବୋମା ପକାଇବାକୁ ହେବ । ତା ପୂର୍ବରୁ ନିଜଦଳର ଇତସ୍ତତଃ ହୋଇ ପଡ଼ିଥିବା ସୈନ୍ୟମାନଙ୍କୁ ମଧ୍ୟ ଖୋଜି ବାହାର କରିବାକୁ ପଡ଼ିବ । ଯେପରିକି ସେମାନେ ନିଜଦଳର ବୋମାମାଡ଼ରେ ମରି ନଯାନ୍ତି-

 

ଆଜାଦୀଦଳ ସଙ୍ଗେ ସଙ୍ଗେ ବାହାରି ପଡ଼ିଲେ । ବଞ୍ଚିବାର ଏକମାତ୍ର ଉପାୟ ହେଲା, ଚତୁର୍ଦ୍ଦିଗକୁ ଖେଳେଇ ହୋଇଯିବା ଏବଂ ଜଙ୍ଗଲିନାଳରଖାଲମଧ୍ୟରେ ଶୋଇ ପଡ଼ିବା । ଜାପାନୀ ବିମାନ ତ ଆଉ ଆଜାଦୀଦଳର ମୁଣ୍ଡ ଉପରକୁ ଆସି ରକ୍ଷାକାରୀ ଛତା ମେଲି ଧରିବେ ନାହିଁ ?

 

କିନ୍ତୁ ଏହି ସନ୍ଧାନୀ ନାଲି ଆଲୁଅର ସୁବିଧାରେ ଟମ୍ଶନ୍ ସବ୍ ମେସିନ୍ଗନ୍ ଓ୍ଵାଲା ଇଂରେଜମାନଙ୍କୁ ଏତେବେଳକେ ଠଉର କରାଯାଇପାରିଲା । ସେତେବେଳକୁ ସେମାନଙ୍କ ନାଳମଧ୍ୟରେ ଇଂରେଜପକ୍ଷର କେତେକ ଭାରତୀୟ ସିପାହୀ ଏକଯୁଟ୍ ହୋଇଛନ୍ତି ଏବଂ ସେମାନଙ୍କୁ ଘେରିରହି ପହରା ଦେଉଅଛନ୍ତି ।

 

ଦୁଇଦଳର ସିପାହୀ ମଧ୍ୟରେ ଅଦୂରଗାମୀ ଗୁଳିଚଳା ଆରମ୍ଭ ହୋଇଗଲା । ସେଥିମଧ୍ୟରୁ ଗୋଟିଏ ଦଳ ଲଢ଼ୁଛନ୍ତି, ଦରମା ଓ ଖାଦ୍ୟପାଇଁ—ଅନ୍ୟଦଳଟି ଲଢ଼ୁଛନ୍ତି ଦେଶକୁ ସ୍ଵାଧୀନ କରିବାପାଇଁ ।

 

ପ୍ରଥମଦଳଟି ହାରିଯାଇ ଚିତ୍କାର କରି କହିଉଠିଲେ—ହାମ୍‍କାହେ ମାର୍ତେ ହୋ; ମତ୍ମାରୋ, ହାମ୍ ଆପ୍ଲୋକକା ଭାଇହୋ ଆପ୍ଲୋକ୍ କ୍ୟା ଚାହତେ ହୋ ?

 

ଏକଥା ଶୁଣି ଓରାୟମ୍ ଏକାକୁଦାରେ ଆଗେଇଯାଇ କହିଲା,–ତେବେ ତୁମ୍ଭେମାନେ ବନ୍ଧୁକସବୁ ଏକାଠିକର ଓ ଲଢ଼ାଇ ବନ୍ଦ କର ।

 

ଇଂରେଜଦଳର ଭାରତୀୟ ସିପାହୀମାନଙ୍କର ସରଦାର ହିସାବରେ ଥିଲେ ଜଣେ ଭି.ସି.ଓ (ଭାଇସ୍ରାୟଙ୍କର କମିଶନ୍ଡ଼ ଅଫିସର)। ସେ କହିଲେ—ବେଶ୍ । ତାହାହିଁ କଲୁ । ବର୍ତ୍ତମାନ କହ, ତୁମେ କଣ ଚାହଁ ।

 

ଓରାୟମ୍ ଏକା ଆଗେଇ ଯିବାପାଇଁ ପାଦ ବଢ଼ାଇଲା । ଦେବଳ ହଠାତ୍ ତାକୁ ବାଧା ଦେଲା । କହିଲା–ତୁମେ ସିନିଅର୍, ଶତ୍ରୁ ମଧ୍ୟକୁ ଆମ୍ଭମାନଙ୍କୁ ଯିବାକୁ ଦିଅ ।

 

ଓରାୟମ୍ ଏଥିରେ ରାଜି ନହୋଇ ଦୃଢ଼ସ୍ଵରରେ କହିଲା—ନା, ଦେବଳ, ମୋତେ ହିଁ ଯିବାକୁ ପଡ଼ିବ । ସଂସାରରେ ପଛକୁ ମୋର କେହିନାହିଁ । ମୋ ପାଇଁ ଭାବିବାକୁ ଅଥବା ଆଖିରୁ ଲୁହ ଗଡ଼ାଇବାକୁ କେହି ନାହିଁ । ମୋ’ରି ହିଁ ଯିବାର ଅଧିକାର ଅଛି ।

 

ଡେଇଁପଡ଼ି ଆଗକୁ ଆସି ନାଳଭିତରକୁ ସେ ଓହ୍ଲାଇଗଲା । ଚିତ୍କାର କରି ଉଠିଲା—ମୁଁ ତ ସେହି ଦିଜଣ ଇଂରେଜଙ୍କୁ ଖୁନ୍ କରିବାକୁ ଚାହେଁ । ଆପଣମାନଙ୍କ ସହିତ ମୋର ଲଢ଼ାଇ କରିବାର କାରଣନାହିଁ ।

 

ଏତେ ନିକଟ ! ମରଣର ଏତେଦୂର ମୁହାଁମୁହିଁ ! କମରପଟିରୁ ପିସ୍ତଲ୍ ବାହାରକରି ଓରାୟମ୍ ଅବ୍ୟର୍ଥ ଭାବେ ଲକ୍ଷ୍ୟକଲା । ଫଟ୍ ଫଟ୍ ଫଟ୍ ।

 

ଆହୁରି ଅବ୍ୟର୍ଥଭାବେ ଉପରଆଡ଼ୁ ଡାଇଭ୍‍ବମ୍ ଧରି ଖସିଆସିଲା—ସ୍ପିଟ୍ ଫାୟାର୍ ବୋମାରୁ ବିମାନ । ଦୁମ୍ ଦୁମ୍ ଦୁମ୍ ଶବ୍ଦକରି ବୋମାଗୁଡ଼ିକ ସେମାନଙ୍କର ଚାରିକଡ଼ରେ ପଡ଼ିବାକୁ ଲାଗିଲା । ଠିକ୍ ସେମାନଙ୍କ ମଝିରେ । ସେମାନଙ୍କୁ ଘେରାଉକରି, ଛୋଟ ଛୋଟ ଲୁହାଟୁକୁରା ଓ ପୁଳାକୁ ପୁଳା ନିଆଁଝୁଲ ଏବଂ ବୋମାର ବିଶ୍ଵବିନାଶୀ ଧକ୍କା । ଯେଉଁସବୁ ସ୍ଥାନରେ ବୋମା ପଡ଼ିଲା, ସେ ସବୁ ସ୍ଥାନ ଏକକାର ହୋଇଗଲା । ମଣିଷର ମାଂସ, ମେସିନ୍, ପୋଷାକପତ୍ର, ବନ୍ଧୁତ୍ଵ, ସ୍ନେହଶ୍ରଦ୍ଧା ଏବଂ ଭବିଷ୍ୟତ୍, ସବୁ ଏକାକାର ।

 

ଦଶ

 

ନେତାଜୀଙ୍କ ହେଡ଼କ୍ଵାଟର୍ସରୁ ନୂତନ ନିର୍ଦ୍ଦେଶ ଆସିଗଲା ।

 

ଏଭଳିଭାବେ ଯୁଦ୍ଧ ଚଳାଇବା କୌଣସିମତେ ଲାଭଜନକ ନୁହେଁ । ଲଣ୍ଟେଲିଜେନ୍ସ, ଅର୍ଥାତ୍ ସାମରିକ ଗୋପନ ତଥ୍ୟଆଡ଼କୁ ଆହୁରି ଅଧିକ ନଜର ଦେବାକୁ ପଡ଼ିବ । ଆଜାଦ ହିନ୍ଦ୍ ଦଳ ହାତରେ ଅସ୍ତ୍ରଶସ୍ତ୍ର ତଥା ଆବଶ୍ୟକୀୟ ସାଜସରଞ୍ଜାମ ଇତ୍ୟାଦିର ବଡ଼ ଅଭାବ । ଉଦାହରଣ ଦେଲେ ଘଟଣାଟି ପରିଷ୍କାର ହୋଇଯିବ ।

 

ଫେବୃୟାରୀ ମାସର ଶେଷଆଡ଼କୁ କର୍ଣ୍ଣେଲ୍ ସାହାନୱାଜ୍ ଯୁଦ୍ଧଅବସ୍ଥା ଜଣାଇବାପାଇଁ ନେତାଜୀଙ୍କ ହେଡ଼କ୍ଵାଟର୍ସକୁ ଯୁଦ୍ଧସୀମାନ୍ତଠାରୁ ଫେରିଆସିଲେ । ଯେଉଁମାନଙ୍କ ହାତରେ ଏରୋପ୍ଳେନ୍ ନାହିଁ, ସେମାନଙ୍କ ନିକଟରେ ଫିଲ୍ଡ଼ ଟେଲିଫୋନ୍ ବା ବେତାର ବନ୍ଦୋବସ୍ତ ଥିବା ବେଶି ଆବଶ୍ୟକ । ଏହା ବ୍ୟତୀତ ଆଜିକାଲିକା ଯୁଦ୍ଧ ଚଳିପାରିବ ନାହିଁ । କିନ୍ତୁ କହିବାକୁଗଲେ ଆଜାଦ୍‍ହିନ୍ଦ୍ ଦଳହାତରେ ଏ ସବୁ କିଛି ନାହିଁ । ଖଣ୍ଡିଏ ହେଲେ ତ ଏରୋପ୍ଲେନ୍ ନାହିଁ । ଏହି ସମୟରେ କର୍ଣ୍ଣେଲ୍ ସାଇଗଲ୍ କାମାଣ୍ଡର ଥିଲେ । ପୋପା ପାହାଡ଼ ଆଡ଼କୁ ଶତ୍ରୁମାନେ ଆଗେଇ ଆସୁ ଅଛନ୍ତି ବୋଲି ସେମାନଙ୍କୁ ବାଧାଦେବାଲାଗି ଦୁଇନମ୍ବର ଇନ୍‍ଫ୍ୟାଣ୍ଟ୍ରି ରେଜିମେଣ୍ଟକୁ ପଠାଗଲା । କିନ୍ତୁ ସେମାନଙ୍କ ସଙ୍ଗରେ ଥିବା ଅସ୍ତ୍ରଶସ୍ତ୍ରର ହିସାବ ଥରେ ଦେଖାଯାଉ ।

 

ସେମାନଙ୍କପାଖରେ ଓଲନ୍ଦାଜ ତିଆରି ମାତ୍ର ତିନିଗୋଟି ମୋଟାର୍ ଏବଂ ଅଶିରାଉଣ୍ଡ ଗୁଳି । ହେଭି ମେସିନ୍ ଗନ୍ ମଧ୍ୟ ନଥିଲା । ମଝିଲାଧରଣର ମେସିନ୍ଗନ୍ ଯାହା କିଛି ଥିଲା, ତାହାପାଇଁ ମୋଟାମୋଟି ମାତ୍ର ଚାରିଶହ ଲେଖାଏଁ ଗୁଳି ଥିଲା । ପ୍ରତ୍ୟେକ ସିପାହୀସଙ୍ଗରେ ଶହେଟି ଲେଖାଏଁ ଗୁଳି; ବାସ୍, ଏତିକି । ଏତିକିରେ କୌଣସି ପ୍ରକାରେ ଲଗାଏତ୍ ଦୁଇଘଣ୍ଟାମାତ୍ର ଯୁଦ୍ଧ କରାଯାଇପାରେ । ତେଣିକି ସମ୍ବଳ ହେଲା—ଛାତିର ହିମ୍ମତ୍ ଏବଂ ମୁଖର ଜୟଧ୍ଵନି ।

 

ଈମ୍ପାଲଠାରୁ ଛଅମାଇଲ ଦକ୍ଷିଣ—ପୂର୍ବକୁ ଥିବା ପାଲେଲ୍ ଗ୍ରାମରେ ଇଂରେଜମାନେ ଶକ୍ତି ଘାଟିଟିଏ ସ୍ଥାପନ କରିଥିଲେ । ସେମାନଙ୍କ ସହିତ ଲଢ଼ାଇ କରିବାକୁ ଗଲେ ଗାନ୍ଧି ବ୍ରିଗେଡ଼ । ସଙ୍ଗରେ ମାତ୍ର ଦଶଦିନର ରସଦ୍ । କୌଣସି ପ୍ରକାରର ଯାନବାହାନ, ବେତାରଯନ୍ତ୍ର ବା ଟେଲିଫୋନ ନାହିଁ । ଗୋଟିଏ ବ୍ୟାଟେଲିୟନ୍ ଯେତେବେଳେ ଯୁଦ୍ଧଯାତ୍ରା କରିଯାଆନ୍ତି, ସେତେବେଳେ ସେମାନେ ଅଗସ୍ତିଯାତ୍ରାପାଇଁ ଉଇଲ୍ କରି ଯାଆନ୍ତି । ହେଡ଼୍‍କ୍ୱାଟର୍ସ ସହିତ ଯୋଗସୂତ୍ର ସ୍ଥାପନ କରିବାର କୌଣସି ଉପାୟ ନଥିଲା ।

 

ତେଣୁ ଏଥର ନୂଆ ନିର୍ଦ୍ଦେଶ ଆସିଲା ଯେ—କିଛିଦିନର ଲଢ଼ାଇରୁ ଏପଟ ସେପଟ କୌଣସି ଫଳାଫଳ ଜଣା ପଡ଼ୁନାହିଁ ଏବଂ ଆଜାଦ ସେନାମାନେ ଗୋଟିଏ ଗୋଟିଏ ସ୍ଥାନରେ ଅଟକି ଯାଉଛନ୍ତି । ତେଣୁ ଇଣ୍ଟେଲିଜେନ୍ସ କାର୍ଯ୍ୟରେ ପୋଖତ ଲୋକଙ୍କୁ ଘେନି ଦେବଳ ଶତ୍ରୁଲାଇନ୍‍ରୁ ପଛକୁ ଚାଲିଯିବ । ଇଂରେଜମାନଙ୍କ ଲାଇନ୍‍ରୁ ଦଖଲ କରାଯାଇଥିବା ବେତାରଯନ୍ତ୍ର ଗୁଡ଼ିକର ମିଟରବ୍ୟାଣ୍ଡ ବଦଳାଇଦେଇ ସେହିମାନଙ୍କ ଗୋପନ ତଥ୍ୟଗୁଡ଼ିକୁ ତାହାରିଦ୍ୱାରା ପଠାଇଦେବାକୁ ପଡ଼ିବ । ତେଣୁ ଅବିଳମ୍ବେ ଦେବଳକୁ ପ୍ରସ୍ତୁତ ହେବାକୁ ପଡ଼ିଲା ।

 

ହଁ, ଅବିଳମ୍ବେ ନୁହେଁ ଆଉ କଅଣ ?

 

ଅର୍ଥାତ୍ ଠିକ୍ ସେହି ବୋମା ଆକ୍ରମଣର ପରଦିନ । ସେହି ଆକ୍ରମଣ ଫଳରେ କେତେଗୁଡ଼ିଏ ବୋମା ସିଧାସଳଖ ଆସି ନାଳଟି ମଧ୍ୟରେ ଫାଟିଲା । ଅନ୍ଧକାର ଆକାଶ ମଧ୍ୟରୁ ଆସୁଥିବା ଅଗ୍ନିବର୍ଷୀ ଆଖିଝଲସା ବୋମାଗୁଡ଼ିକ ଶତ୍ରୁ ମିତ୍ର ଭେଦାଭେଦ ମାନିଲା ନାହିଁ । ବୋମା କୌଣସି ପକ୍ଷପାତିତ୍ୱ କରେ ନାହିଁ । ଏକା ବୋମା ଏବଂ ତା’ ହାତରେ ମରାହୋଇଥିବା ଟମି ଓ କ୍ରିଶ୍‍ର ମୃତଦେହକୁ ଏକାସଙ୍ଗରେ ଗୁଣ୍ଡକରି ଦେଲା । କାହାରି କୌଣସି ଚିହ୍ନବର୍ଣ୍ଣ ରହିଲା ନାହିଁ ।

କଥାଟି ଭାବିଲାବେଳକୁ କଷ୍ଟ ହେଉଛି । ମୃତ୍ୟୁ କିନ୍ତୁ ଚିରଦିନ ନିଷ୍ଠୁର । ସତ୍ୟଠାରୁ ଲେଶ୍‍ମାତ୍ର କମ୍ ନିଷ୍ଠୁର ନୁହେଁ । ଦିନେ ନା ଦିନେ ଏ ଯୁଦ୍ଧ ନିଶ୍ଚୟ ସରିଯିବ । ଆହୁରିମଧ୍ୟ ପରବର୍ତ୍ତୀ ଲୋକେ ଧୀରେ ଧୀରେ ସେକଥା ଭୁଲି ଯିବେ । ନିଶ୍ଚିନ୍ତମନରେ ଘରସଂସାର କରିବେ । ପୁଣି ନୂଆ ହୋଇ ବନ୍ଧୁ ହେବେ ଏବଂ ନୂଆ ହସ, ଗଳ୍ପ, ଥଟ୍ଟାପରିହାସ ଆରମ୍ଭ ହେବ; କିନ୍ତୁ ଓରାୟମ ଆଉ ଫେରିବ ନାହିଁ ।

ନୂତନ ପଥରେ ଅଗ୍ରସର ହେବା ପୂର୍ବରୁ ଦେବଳ ଥରେ ସେହି ନାଳଟି ପାଖକୁ ଆସି ଛିଡ଼ା ହେଲା । ଗତରାତ୍ରିର ବୋମାମାଡ଼ର ଧୂଆଁ ଟିକିଏ ହେଲେ ଉଡ଼ିବାର ଦେଖାଯାଉନାହିଁ । ଚାରିଆଡ଼େ ଛିନଛତ୍ର ହୋଇ ପଡ଼ିରହିଥିବା ମୃତ୍ୟୁର ଚିହ୍ନଗୁଡ଼ିକଆଡ଼ୁ ସେ ଆଖି ଫେରାଇ ଆଣିଲା । ନା, ଟିକିଟିକି ହୋଇ ଉଡ଼ିଯାଇଥିବା ମୃତଦେହଗୁଡ଼ିକ ମଧ୍ୟରେ ଓରାୟମକୁ ସେ ଖୋଜିବାକୁ ଆସିନାହିଁ । ମୃତ୍ୟୁହୀନ ପ୍ରାଣକୁ ସେ ମରଣର ସୀମାମଧ୍ୟରେ ବାନ୍ଧିରଖିବାକୁ ଚାହେଁ ନା ।

ଦେବଳ ହାତରେ କେବଳ ପୁଲାଏ ରୋଡ଼ୋଡ଼େନ୍ ଡ୍ରମ୍ ଫୁଲ । ଏଇଗ୍ରାମରେ ଯେ ଇଂରେଜମାନଙ୍କର ଘାଟି ଥିଲା, ତାହା ଏହି ରୋଡ଼ୋଡ଼େନ୍ ଡ୍ରମ୍ ଫୁଲରୁ ହିଁ ସନ୍ଧାନ ମିଳିଥିଲା । ଏହିଠାରେ ହିଁ ଗୋଟିଏ ମହତ୍ ଆତ୍ମାର ବଳି ପଡ଼ିଲା ।

 

ନାଲି ଟହ ଟହ ଫୁଲଗୁଡ଼ିକ । ଆକାଶର ସୂର୍ଯ୍ୟ ଆଡ଼କୁ ଚାହିଁ ଦେବଳ ନମସ୍କାର କଲା ଏବଂ ସେଗୁଡ଼ିକୁ ତଳକୁ ଫିଙ୍ଗିଦେଲା । ଅଳ୍ପ ସମୟପାଇଁ ମୁଣ୍ଡକୁ ନୁଆଇଁ ରଖିଲା । ତା’ପରେ ଉପରକୁ ମୁଣ୍ଡଟିକୁ ସଳଖକରି ରଖି ସ୍ୱାଧୀନତା ଯୁଦ୍ଧର ସୈନିକରୂପେ ନିଜକାର୍ଯ୍ୟରେ ଚାଲିଗଲା—

 

“କଦମ୍ କଦମ୍ ବଢ଼ାଏ ଯା”

 

କିନ୍ତୁ ଖୁସକେ ଗୀତ୍ ? ତା’କଣ ଆଉ ଗାଇବା ସମ୍ଭବ ?

 

ହାୟରେ ମାନବ ହୃଦୟ ! ଦଣ୍ଡେ ଛିଡ଼ା ହୋଇ ଯିବାପାଇଁ ତୋର ତ ସମୟ ନାହିଁ !

 

ବାଟ ଚାଲୁ ଚାଲୁ ଓରାୟମରୁ ଥଟ୍ଟାପରିହାସ କଥା ମନେ ପଡ଼ିଯାଏ । ଗୋଡ଼ ଯେତେବେଳେ ଭାରିଲାଗେ, ମନଟାକୁ ତେତେବେଳେ ହାଲୁକା ରଖିବା ଦରକାର; ତେଣୁ ସେ ସମସ୍ତଙ୍କ ମନକୁ ହାଲୁକା କରି ରଖିବାର ଭାର ଗ୍ରହଣ କରିଥିଲା । କେବଳ ଲଢ଼ାଇର ସରଦାରରୂପେ ନୁହେଁ, ସବୁ ସୁଖ ଦୁଃଖର ସାଥୀରୂପେ ଏବଂ ସମଭାଗୀ ସଖା ରୂପେ ।

 

ସେଥିପାଇଁ ଯୋଗ୍ୟ ହେବାକୁ ହେଲେ, ସହଚର ହେବାକୁ ହେଲେ, ଦେବଳକୁ ଆଜି କିପରି ଚଳିବାକୁ ପଡ଼ିବ ?

 

ଏଣିକି ଏ ବାହିନୀଟିର ଦଳପତି ସିନିଆର କର୍ଣ୍ଣେଲ ହେଉଛି—ଦେବଳ । ଏହି ଦଳମଧ୍ୟରେ ବର୍ତ୍ତମାନ ଅନେକ ବଙ୍ଗାଳୀ ଅଛନ୍ତି । ଏହି ଜାଗାରେ ଇଣ୍ଟେଲିଜେନ୍ସ, ଅର୍ଥାତ୍ ମିଲିଟାରୀ ଖବର ଅନ୍ତର କାର୍ଯ୍ୟ ଚଳାଇବା ବଙ୍ଗାଳୀଙ୍କପକ୍ଷେ ସୁବିଧାଜନକ । କାରଣ ନାଗା–ମଣିପୁରର ଲୋକେ ବଙ୍ଗାଳୀମାନଙ୍କୁ ଏତେଦୂରର ଲୋକେ ବୋଲି ମନେ କରନ୍ତି ନାହିଁ । କ’ଣ ସନ୍ଦେହ ମଧ୍ୟ କରିବେ । ତା’ଛଡ଼ା ନେତାଜୀଙ୍କଦ୍ୱାରା ବିଶେଷଭାବେ ବଛାଯାଇ ପଠାଯାଇଥିବା ଦୂତ ବୋଲି ସେମାନେ ବିଶ୍ଵାସ କରିବେ । ଆସାମ ସୀମାନ୍ତରେ ଆତ୍ମଗୋପନ କରି ରହିବା ବଙ୍ଗାଳୀ ପକ୍ଷେ ଯେତେ ସହଜ, ପଞ୍ଜାବୀ, ମରହଟ୍ଟା ବା ମାନ୍ଦ୍ରାଜୀମାନଙ୍କ ପକ୍ଷେ ସେତେ ସହଜ ନୁହେ ।

 

ନେତାଜୀଙ୍କ ଲୋକ ବଛାବଛି ସବୁ ସମୟରେ ଖୁବ୍ ଠିକ୍ ଥିଲା ଏବଂ ଖୁବ୍ କାର୍ଯ୍ୟକାରୀ ହୋଇ ପାରୁଥିଲା । ନାଗାପାହାଡ଼ର ରାଜଧାନୀ କୋହିମା ଏବଂ ମଣିପୁରର ରାଜଧାନୀ ଈମ୍ପାଲକୁ ଯୋଗ କରିଛି—ଗୋଟିଏ ସୁନ୍ଦର ପିଚୁରାସ୍ତା । ପାହାଡ଼ ଉପରେ ବଙ୍କାଟଙ୍କା ହୋଇ ଲମ୍ବି ଯାଇଥିବା ଏହି ରାସ୍ତାଟି ଗୋଟିଏ ସାପପରି ଦେଖାଯାଏ । ଏଇଟାହେଲା ହିନ୍ଦୁସ୍ଥାନଠାରୁ କୋହିମାବାଟେ ଈମ୍ପାଲ ପର୍ଯ୍ୟନ୍ତ ଇଂରେଜ ଓ ଆମେରିକାନ୍ ସୈନ୍ୟ ଏବଂ ରସଦ୍ ଯୋଗାଇବାର ଏକମାତ୍ର ପଥ । ପଛଆଡ଼ୁ ପାହାଡ଼ ଡେଇଁଆସି ହଠାତ୍ ଆକ୍ରମଣ କରିବାଦ୍ୱାରା ଆଜାଦ୍‍ହିନ୍ଦ୍ ଦଳ କୋହିମାଟିକୁ ପ୍ରାୟ ଦଖଲ କରି ସାରିଛନ୍ତି । କୋହିମାର ଡେପୁଟିକମିଶନର ପଶି ସାହେବ ୧୯୧୪ ମସିହା ଯୁଦ୍ଧବେଳେ ମିଲିଟାରୀ କ୍ରସ୍ ପାଇଥିଲେ । ଏଥର ଯୁଦ୍ଧରେ ମଧ୍ୟ ସେ ନିଜ ବଙ୍ଗଳା ସାମନାରେ ଛିଡ଼ାହୋଇ ଇଂରେଜ ସୈନ୍ୟ ଘେନି ଯୁଦ୍ଧ କରିଥିଲେ । ତା’ ପରେ ଯେ କୁଆଡ଼େ ଲୁଚିଲେ, ତାହାର କୌଣସି ଠିକଣା ନାହିଁ । ନା, ଜାପାନୀମାନେ, ନା, ଆଜାଦ୍ ହିନ୍ଦଦଳ କେହି ତାଙ୍କର ସନ୍ଧାନ ପାଇ ପାରିଲେ ନାହିଁ ।

 

ଏଣେ ମଣିପୁର ଘାଟି ବର୍ତ୍ତମାନସୁଦ୍ଧା ଦଖଲ ହୋଇପାରିଲା ନାହିଁ । ଇଂରେଜ ସୈନ୍ୟମାନେ ଏକପ୍ରକାର ଘେରଭିତରେ ପଡ଼ି ରହିଛନ୍ତି । ତଥାପି ଲଢ଼େଇକରି ଯାଉଛନ୍ତି । ପଞ୍ଝାକୁ ପଞ୍ଝା ଏରୋପ୍ଳେନ୍ ଏ ଅଞ୍ଚଳକୁ ଉଡ଼ିଆସି ଆକାଶରୁ ଫିଙ୍ଗି ଏମାନଙ୍କ ରସଦ୍ ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଯାଉଛନ୍ତି । ନେତାଜୀଙ୍କୁ ଜାପାନୀମାନେ ପ୍ରତିଶ୍ରୁତି ଦେଇଥିଲେ ଯେ, ହିନ୍ଦୁସ୍ଥାନମାଟିରେ ପାଦଦେବା ସଙ୍ଗେ ସଙ୍ଗେ ଆଜାଦହିନ୍ଦ୍ ସୈନ୍ୟଦଳଙ୍କୁ ଏରୋପ୍ଳେନ୍ ପଠାଇ ଆକାଶ ମାର୍ଗରୁ ସେମାନେ ସାହାଯ୍ୟ କରିବେ । କିନ୍ତୁ ସେ ଜାପାନୀମାନଙ୍କର “ଜିରୋ ଫାଇଟର୍” ଦଳ କାହାନ୍ତି ? କାହିଁବା ସେମାନଙ୍କର “ସୂର୍ଯ୍ୟକରୋଦ୍‍ଭାସୀ” ରୂପେଲି ଚେହେରା ?

 

ନେତାଜୀଙ୍କୁ କିଛି ନ ଜଣାଇ ଜାପାନୀମାନେ ସେମାନଙ୍କର ଏରୋପ୍ଳେନ୍ ଗୁଡ଼ିକୁ ନିଜ ଦେଶକୁ ନେଇଗଲେଣି । ଇଉରୋପରେ ହିଟ୍ଲର ହଟିବାକୁ ଆରମ୍ଭ କଲେଣି । ଋଷିଆ ବର୍ତ୍ତମାନ କଅଣ କରିବ, ତାହାର ଠିକ୍‍ଠିକଣା ନାହିଁ । ଆମେରିକାନ୍‍ମାନେ ଅଗଣିତ ବୋମାରୁ ବିମାନ ତିଆରି କରି ପକାଇଲେଣି । ଦିନେ ହୁଏତ ସେମାନେ ଜାପାନ ଉପରେ ଆକ୍ରମଣ କରିବସିବେ । ଏଭଳି ଘଡ଼ିସଦ୍ଧି ସମୟରେ କିଏ ବା କେଉଁ ବନ୍ଧୁଙ୍କୁ ଦେଇଥିବା ପ୍ରତିଶ୍ରୁତି ମନେରଖି ବସିବ ? କିଏ ବା ତାକୁ ଗଛ ଉପରକୁ ଚଢ଼ାଇଦେଇ ତଳୁ ନିଶୁଣିଟିକୁ କାଢ଼ିନେବାକୁ ଦୁଖ କରିବ ? –ଚଚ୍ଚା, ସବସେ ପହିଲେ ଆପନା ଜାନ୍ ବଞ୍ଚା !

 

ଏଣୁ ଏହି କୋହିମା—ଈମ୍ପାଲ ରାସ୍ତାଟି ଉପରେ ଦଖଲକାର ହୋଇ ରହିବାଟା ଆଜାଦୀଦଳର ନିତାନ୍ତ ଦରକାର । ଅନ୍ତତଃ କଡ଼ା ନଜର ରଖିବା ଉଚିତ୍ । ଠିକ୍ ବେଳକାଳ ଉଣ୍ଡି ବେତାରଯନ୍ତ୍ରଦ୍ୱାରା ଖବରଗୁଡ଼ିକୁ “କମ୍ବେଟାଣ୍ଟ” ବା ଲଢ଼ୁଆଦଳ ନକଟକୁ ପହୁଞ୍ଚାଇଦେବା ଆବଶ୍ୟକ । ଇଂରେଜଦଳ ଯଦି କୌଣସିପ୍ରକାରେ କୋହିମା ଘାଟି ପାର ହୋଇ “ରିଇନ୍ ଫୋର୍ଶମେଣ୍ଟ” ଅର୍ଥାତ୍ ଅଧିକା ସିପାହି ଓ ସାଜସରଞ୍ଜାମ ମଣିପୁରକୁ ପଠାଇବାପାଇଁ ଚେଷ୍ଟା କରନ୍ତି, ତେବେ ରସ୍ତାରେଥିବା ପୋଲ ଓ ଶଙ୍ଖଗୁଡ଼ିକୁ ଭାଙ୍ଗି ପକାଇ ସେମାନଙ୍କ ଚଳାଚଳ ବନ୍ଦ କରିଦେବାକୁ ହିଁ ପଡ଼ିବ ।

 

ଆଜାଦ ଦଳରୁ “ଇଣ୍ଟ୍ରେଲିଜେନ୍ସ” ଏବଂ ସ୍ୟାପାର ଓ ମାଇନ୍ର, ସବୁକାର୍ଯ୍ୟଗୁଡ଼ିକୁ ଗୋଟିଏ ଲୋକକୁ କରିବାକୁ ପଡ଼ୁଥିଲା । ସେମାନଙ୍କ ଦଳରେ ବିଶେଷଜ୍ଞଲୋକ ଏତେ ବା କୁଆଡ଼ୁ ଆସିବେ ?

 

ହଠାତ୍ ନୀଳ ଆକାଶର ଚାନ୍ଦୁଆ ଫୁଟାଇ କେତେଗୁଡ଼ିଏ ପକ୍ଷୀ, ଦଳଦଳ ହୋଇ ଧାଡ଼ିବାନ୍ଧି ଓହ୍ଲାଇ ଆସିଲେ; ଛଞ୍ଚାଣ ଯେପରି ଝାମ୍ପମାରିବାକୁ ଓହ୍ଲାଇ ଆସେ । ସଙ୍ଗେ ସଙ୍ଗେ ଘାଉଁଘାଉଁ ଶବ୍ଦ ଆରମ୍ଭ ହୋଇଗଲା । ଯମଦୂତମାନଙ୍କ ରଥର ଆବଜ୍ । ସତେ କି ବାୟୁମଣ୍ଡଳର ବକ୍ଷ ବିଦୀର୍ଣ୍ଣ ହୋଇ ଘାଉଁଘାଉଁ ଶବ୍ଦ ଶୁଭୁଛି । ଏକାବେଳେକେ ଦେବଳ ଦଳର ସମସ୍ତେ ପିଚୁରାସ୍ତାର ଦୁଇପାଖରେ ଥିବା ନାଳଭିତରକୁ ପଶିଯାଇ ଶୋଇପଡ଼ିଲେ । ଚାରିଆଡ଼େ ଧୁମ୍ ଧାମ୍ ହୋଇ ବୋମ ଫାଟିବାକୁ ଲାଗିଲା । ଏରୋପ୍ଲେନ୍ଗୁଡ଼ିକ ଡାଇଭବମ୍ବିଙ୍ଗ୍ କରି ନାଚିବାକୁ ଆରମ୍ଭ କଲେ; କିନ୍ତୁ ଏକତରଫା ନାଚ, ଏକଦମ୍ ଏକତରଫା ।

 

କାର୍ଯ୍ୟ ଶେଷ ହୋଇଗଲାବୋଲି ମନେକରି ଏରୋପ୍ଳେନ୍‍ଗୁଡ଼ିକ ଆକାଶମଧ୍ୟରେ ପୁଣିଥରେ ଉଭାଇ ଗଲେ । ରାସ୍ତାଟିକୁ ବଞ୍ଚେଇରଖି ଦୁଇପାଖରେ ଏଣେତେଣେ ଆଲପିନ୍ କଣ୍ଟାର ମୁନପରି ଅବ୍ୟର୍ଥ ଲକ୍ଷ୍ୟରେ ବୋମା ଫିଙ୍ଗିଗଲେ । କେତେ ମଲେ ବା କେତେ ମୁମୂର୍ଷୁ ଅବସ୍ଥାରେ ପଡ଼ିରହିଲେ, ତା’ର ହିସାବ ରଖୁଛି କିଏ ? ଯେ କେତେଜଣ ବଞ୍ଚିରହିଲେ, ଦେବଳ ପୁଣିଥରେ ସେମାନଙ୍କୁ ଏକତ୍ରକଲା । ଯେଉଁମାନେ ମୁମୂର୍ଷୁ ହୋଇ ପଡ଼ିଥିଲେ । ଜଣେ ଶିଖ ସିପାହୀର ମୁଣ୍ଡପଗଡ଼ି ଏରୋପ୍ଳେନ୍‍ରୁ ଲକ୍ଷ୍ୟ କରିବା ଖୁବ୍ ସହଜ ହୋଇଥିଲା । ଗୁଳିରେ ତା’ର ଦେହ କ୍ଷତବିକ୍ଷତ । ସେ ଅତିକଷ୍ଟରେ ମୁଣ୍ଡଉଠାଇ ଦେବଳକୁ କହିଲା—ସାହେବ୍, ମୋତେ ଯେପରିକି କୌଣସି ଶତ୍ରୁପାଖରେ ମାଟି ଦିଆ ନଯାଏ । ନେତାଜୀକି ଜୟ । ଭାରତମାତାକି ଜୟ ।

 

ଠିଆହେବାକୁ ସମୟ ନାହିଁ,

 

ପୁଣି ସେମାନେ ଚାଲିଲେ । ଏଥର ରାସ୍ତାକଡ଼ଦେଇ ଯାଉନାହାନ୍ତି; ଜଙ୍ଗଲ ଆଢ଼ୁଆଳରେ ଲୁଚିଲୁଚି ଯାଉ ଅଛନ୍ତି । ଜଣେ କହିଲା–ସାର୍ ଏ ଯୁଦ୍ଧରେ କୌଣସି ଗ୍ଳାମ୍ର୍ ଅର୍ଥାତ୍ କୌଣସି ଚଟକ୍ ନାହିଁ । ଆଗେ ଯେମିତିସବୁ ବିହ୍ୱ ରଚନାକରି ସୈନ୍ୟଚାଳନା କରାଯାଉଥିଲା, ତାହା ନାହିଁ କି କୌଣସି ଗୋଟିଏ କ୍ୟାଭେଲ୍ରୀଚାର୍ଯ ମଧ୍ୟ ନାହିଁ । ସେମାନେ ତ ବୋମାପକାଇ ହାୱାହୋଇ ଚାଲିଯାଉଛନ୍ତି । ସାମନା ସାମନି ଛିଡ଼ାହୋଇ ହାତକୁ ହାତ ଲଢ଼ୁଥିଲେ ସିନା ମରଦପଣିଆ ଜଣାପଡ଼ୁଥାଆନ୍ତା ।

 

ଦେବଳ କହିଲା—ସାବାସ୍, ମରଦ କି ବାତ୍ । ଗଳିର ମୋଡ଼ଉପରେ ନିଶ୍ଚୟ ତୁମେ ଅନେକ ଦିନପର୍ଯ୍ୟନ୍ତ ଏକଯୁଟହୋଇ ବାହାସ୍ଫୋଟ ମାରି ଭୀମ—ରଡ଼ି ଛାଡ଼ିଛ—ଅଳ୍ପେଇସିଆ ଚାଲିଆ ଏଥର ବାହାରକୁ । ହାତ ଥାଉ ଥାଉ ମୁହଁ କାହିଁକି ?

Unknown

 

ଏତେ ଦୁଃଖରେ ମଧ୍ୟ ବାଙ୍ଗାଳୀ “ସବ୍” ଅର୍ଥାତ୍ ସବ–ଅଲଟର୍ଣ୍ଣ (ଅଧୀନସ୍ଥ ଅଫିସର)–ଅଲବତ ସାର୍, ଅଲ୍ପେଇସିଆ ଦଳ ତ ଅସ୍ଥିକଙ୍କାଳସାର ଥିଲେ । ଟିଙ୍ଗିଟିଙ୍ଗା ବଙ୍ଗାଳୀ । ଷଣ୍ଢମାଂସର ଡାଲମାଖିଆ ଇଂରେଜବଚ୍ଚା ନୁହେଁ ।

 

ସାନ୍ତ୍ୱନାଦେଇ ଦେବଳ କହିଲା—ତୁମେ ତ ଆଉ ସେଦିନର ବଙ୍ଗାଳୀ ହୋଇ ରହିନାହଁ–ଭାଇ ! ଆଜି ତୁମେ ପୂରାପୂରି ମରଦ । ତୁମ ତୁଳନାରେ ଆଜି ଇଂରେଜମାନଙ୍କୁ ସେଦିନର ବଙ୍ଗାଳୀ ବୋଲି ମନେ କରିନିଅ । ଆଜି ତୁମେ ବଳ, ବୀର୍ଯ୍ୟ, ଚରିତ୍ର ଓ ତ୍ୟାଗରେ ତାଙ୍କଠାରୁ ବଡ଼-

 

ଦେବଳ କିଛି ସମୟ ପରେ ହସି ପକାଇ କହିଲା—ଭଗବାନ ସେମାନଙ୍କ ଦେହର ରଙ୍ଗକୁ କର୍ପୂରରଙ୍ଗ ସହ ସମାନ କରିଥିବା କଥାଟି ଆଜି ସାର୍ଥକ ହେଲା । ଏତେଦିନ ଯାକେ ଆମ୍ଭେମାନେ ସେମାନଙ୍କର ଅଧୀନସ୍ଥ ଥିଲୁଁ; ଆଜି କିନ୍ତୁ ଆମ୍ଭମାନଙ୍କୁ ଦେଖିଲେ ସେମାନେ କର୍ପୁର ପରି ଉଭେଇ ଯାଉଛନ୍ତି–ଡର ଭୟରେ । ଆମ୍ଭମାନଙ୍କର ନବଜନ୍ମ ହୋଇଛି । ଏପଟେ କେତେଜଣ ଦାଢ଼ି କୁଣ୍ଡାଇବାକୁ ଲାଗିଲେ । ଟାଣ ଖରା ହେଉଛି । ସାରା ଦେହ ଝାଳରେ ବୁଡ଼ି ଯାଇଛି । ଅନେକ ଦିନ ହେଲା, ଦାଢ଼ି କଟା ହୋଇନାହିଁ । ଦାଢ଼ି ଘେନି ସେମାନଙ୍କର ଆଜି ଯେଉଁ ମୁଷ୍କିଲ୍ ଅବସ୍ଥା ହୋଇଛି, ସେ କଥାଟି ଦେବଳର ନଜରରେ ପଡ଼ିଲା । ସଙ୍ଗୀ ସୈନ୍ୟଦଳର ସମ୍ମାନ ବଜାୟ ରଖିବାକୁ ପଡ଼ିବ । ସେମାନଙ୍କର ‘ମରାଲ’ ବଜାୟରଖିବା ଦଳପତିର କର୍ତ୍ତବ୍ୟ । ସେତିକି ତା’ର ବହାଦୁରୀ ।

 

ଏ ଅବସ୍ଥାରେ ଓରାୟମ୍ କଅଣ କରିଥାନ୍ତା ?

 

ନାଁ’ । ଓରାୟମ୍କଥା ଭାବି ମନ ଖରାପକରିବା ଉଚିତ୍ ନୁହେଁ । ତା’ର ସ୍ମୃତିମଧ୍ୟରୁ ନୂତନ ପ୍ରେରଣା ଖୋଜି ବାହାର କରିବା ଦରକାର ।

 

ହସିଉଠି ଦେବଳ ସମସ୍ତଙ୍କୁ କହିଲା, —ଜାଣିଛି ନା ? କର୍ଣ୍ଣେଲ ଓରାୟମ୍ ସିଂହ ଦାଢ଼ି ଖିଅର ନହେବା ସପକ୍ଷରେ ମୋତେ କଅଣ କହିଥିଲା ? ଜଙ୍ଗୀ ନିୟମ ଅନୁସାରେ ଦାଢ଼ି ଖିଅର ହେବା କଥାଟା ବାଧ୍ୟତାମୂଳକ ହେଲେ ସୁଦ୍ଧା ତିନିଗୋଟି ବିଶେଷ କାରଣବଶତଃ ସେ ଦାଢ଼ି ଛାଡ଼ିଥିଲା । ଏକ ନମ୍ବର ହେଲା—ଦାଢ଼ି କାଟିବାର ସାଜସରଞ୍ଜାମ ବୋହିବାକୁ ପଡ଼େନାହିଁ । ଦୋସରା ହେଲା—ଜଙ୍ଗଲଲଢ଼ାଇ ବେଳେ ବିଚରା ମୁହଁଟି ପୋକ ଯୋକ ଓ ମଶାଠାରୁ ଟିକିଏ ରିହାତି ପାଏ । ତିଶିରାଟି ହେଲା–ସର୍ବଶ୍ରେଷ୍ଠ କାରଣ । ଦାଢ଼ି ହେଉଛି ଦୁନିଆର ସାର୍ ‘କ୍ୟାମୋଫ୍ଲାଜ’ । ହାଃ ହାଃ ! ତୁମ ଶତ୍ରୁ ଆଉ ତୁମକୁ ଚିହ୍ନିପାରିବ ନାହିଁ । ହାଲ ଫେଶନର ହଲିଉଡ଼୍ମାର୍କା କୌଣସି ‘କ୍ରିମ୍’ ତୁମ ଚନ୍ଦ୍ରବଦନର ଚେହେରାଟାକୁ ଏତେ ଭଲଭାବରେ ଲୁଚାଇ ରଖିପାରିବ ନାହିଁ । କିମ୍ବା ବଦଳାଇ ଦେଇପାରିବ ନାହିଁ । ତା ଛଡ଼ା ଏ ହେଲା ଏକଦମ୍ ସ୍ଥାୟୀ ବନ୍ଦୋବସ୍ତ । ଦୁନିଆଁର କେତେବଡ଼ ତତ୍ତ୍ୱଟାଏ ଏହି ଦାଢ଼ିପଛରେ ଲୁଚି ରହିଛି, ଦେଖ ।

 

ମୃତ୍ୟୁ-ମନ୍ତ୍ର ଜପୁ ଜପୁ ସେମାନେ ନୂତନ ପ୍ରାଣ ପାଇଛନ୍ତି; ଅର୍ଥାତ୍ ମାରିବାକୁ ଯାଉ ଯାଉ, ବଞ୍ଚି ଯାଇଛନ୍ତି । ଦାଢ଼ି ଖିଅର ହୋଇ ନପାରିବା ଦ୍ୱାରା ଯେଉଁ ଅସୁବିଧା ଟିକକ ହେଉଛି, ତାହା ଏତେବଡ଼ କଥାଟିଏ ନୁହଁ ।

 

କିନ୍ତୁ ଠିଆହୋଇ ରହିବାପାଇଁ ସମୟ କାହିଁ ?

 

ପୁଣି ଦଳବାନ୍ଧି ଏକ ସଙ୍ଗରେ ଚାଲିବାର ଉପାୟ ବା କାହିଁ ? ଶତ୍ରୁପକ୍ଷର ଏରୋପ୍ଳେନ୍ ଥରେ ସେମାନଙ୍କର ଖବର ପାଇଯାଇଛି । ସଙ୍ଗେ ସଙ୍ଗେ ବେତାରଯନ୍ତ୍ର ସାହାଯ୍ୟରେ ଚାରିଆଡ଼କୁ ସେ ଖବରଟି ପଠାଇ ଦିଆଯିବ । ଏରୋପ୍ଳେନ୍‍ରୁ ବୋମା ପକାଇ ଏମାନଙ୍କର ଚାଲିବାର ବାଟ ଓ ଲୁଚିବାର ସ୍ଥାନ ଚଷି ଦିଆଯିବ । କୋହିମାଠାରୁ କୌଣସି ସୈନ୍ୟଦଳ ଯଦି ମଣିପୁରଆଡ଼କୁ ଆଗେଇ ନପାରେ, ତେବେ ପାରାଚୁଟ୍ ସାହାଯ୍ୟରେ କେତେଗୁଡ଼ିଏ ଜଗୁଆଳି ଟହଲଦାର ଦଳ ନିଶ୍ଚୟ ସେମାନେ ଓହ୍ଲାଇଦେଇ ଯିବେ । ତା’ଛଡ଼ା ସେମାନଙ୍କର ଓ.ପି., ଅର୍ଥାତ୍ ଲକ୍ଷ୍ୟ ରଖିବାର ଘାଟି ଏ ଅଞ୍ଚଳର ଏଣେତେଣେ ବିଛାଇ ହୋଇ ରହିଥିବା ସମ୍ଭବ ।

 

ସୁତରାଂ ଛୋଟ ଛୋଟ ଦଳରେ ବିଭକ୍ତହୋଇ ଏଣେତେଣେ ଖେଳେଇ ହୋଇଯିବା ଉଚିତ୍ ଏବଂ ଅବିଳମ୍ବେ ସେ ବନ୍ଦୋବସ୍ତ କରିବାକୁ ହିଁ ପଡ଼ିବ । ପୁଣି ପରେ କେଉଁଠାରେ ଏକାଠି ମିଳିତ ହେବାକୁ ହେବ, ତା’ର ବ୍ୟବସ୍ଥା ମଧ୍ୟ ଏବଠୁଁ ସ୍ଥିର କରିନେବା ଉଚିତ୍ । ମାନଚିତ୍ର ଖୋଲି ଦେବଳ ସମସ୍ତଙ୍କୁ ଦିଗଭାଗ ବୁଝାଇଦେଲା । ମଝିରେ ମଝିରେ ଦୂରଛଡ଼ା ହୋଇ ଗୋଟିଏ ଲେଖାଏ ଗାଁ ଅଛି; କିନ୍ତୁ ବେଶି ଅଂଶ ଜନମାନବହୀନ ଜଙ୍ଗଲ । ଭଲକରି ଦେଖାଇ ଦେଇ ଚାରି ଦିଗରେ କେଉଁଠାରେ କଅଣ ଅଛି, ସେ ସବୁ କଥା ବୁଝାଇ ଦେଲା । ସାଙ୍କେତିକ କୋର୍ଡ଼ଗୁଡ଼ିକୁ ମଧ୍ୟ ଶିଖାଇ ଦେଲା । ହେଡ଼୍କ୍ୱାଟର୍ସ ଏବଂ ରେଜିମେଣ୍ଟାଲ୍ ‘ବ୍ୟାଜ୍’ ର ରେଡ଼ିଓ ମିଟର ବ୍ୟାଣ୍ଡ, ଠିକ୍ ଭାବେ ହିସାବ କରିନେଲା ।

 

କିନ୍ତୁ ଖାଦ୍ୟ ?

 

ଖାଦ୍ୟ ଯେ ଏକଦମ୍ ନାହିଁ ।

 

ଯୁଦ୍ଧ ଭୟରେ ଏ ଅଞ୍ଚଳର ସବୁ ଗାଁଗୁଡ଼ିକ ଏକାବେଳେକେ ଶୂନ୍ ଶାନ୍ ହୋଇଯାଇଛି । ନିହାତି ଯେଉଁମାନଙ୍କର ପାଳାଇବାର ଉପାୟ ନାହିଁ, କିମ୍ବା ଆଶ୍ରୟ ନେବାପାଇଁ ସ୍ଥାନ ନାହିଁ, ସେହିମାନେହିଁ କେବଳ ଅଟକି ରହିଛନ୍ତି । ସେହିମାନଙ୍କ ଭାତରେ ଭାଗବସାଇବା ଛଡ଼ା ଅନ୍ୟ ଉପାୟ ନାହିଁ ।

 

ତଥାପି ଦେବଳ ସମସ୍ତଙ୍କୁ ସାବଧାନ କରି କହିଲା—ଏହିସବୁ ଲୋକଙ୍କ ସାହାଯ୍ୟ ଓ ସହାନୁଭୂତି ବ୍ୟତୀତ ଆମେ ପାଦେମାତ୍ର ଆଗେଇ ପାରିବୁ ନାହିଁ । କର୍ଣ୍ଣେଲ୍ ‘କିଆନିଙ୍କ’ କଥାଟି ଭୁଲିବ ନାହିଁ । ଲିବରେଟେଡ଼୍ ଅର୍ଥାତ୍ ଇଂରେଜମାନଙ୍କ ହାତରୁ ସ୍ଵାଧିନ କରିନେଇଥିବା ଦୁଇଶ ବର୍ଗମାଇଲ ଅଞ୍ଚଳର ଗଭର୍ଣ୍ଣର ଥିଲେ ସେ । ଖାଦ୍ୟ ଅଭାବରୁ ହଟି ଆସିବାକୁ ଇଚ୍ଛା କରିଥିଲେ; କିନ୍ତୁ ନାଗା ଗାଁମାନଙ୍କର ମୁଖିଆଲୋକେ ତାଙ୍କୁ କୌଣସି ପ୍ରକାରେ ଛାଡ଼ିଲେ ନାହିଁ । ସେମାନେ କହିଲେ—ବରଂ ନିଜେ ସେମାନେ ଖାଇବାକୁ ନପାଇ ରହିଯିବେ, ତେବେ ବି ଯେଉଁମାନେ ତାଙ୍କୁ ସ୍ଵାଧୀନତା ଆଣି ଦେଇଛନ୍ତି, ନିଶ୍ଚୟ ସେମାନଙ୍କ ପାଇଁ ଖାଦ୍ୟ ଆଣି ଦେବେ । କୌଣସି ସ୍ଥାନରେ କିଛି ଖାଦ୍ୟ ପଦାର୍ଥ ପାଇଲେ କଦାପି ତାକୁ ଲୁଟିକରି ନେବ ନାହିଁ ବା ବିନା ମୂଲ୍ୟରେ ନେବ ନାହିଁ ।

 

ଟିକିଏ ରହି ଦେବଳ ପୁଣିଥରେ କହିଲା–ତେବେ ହଁ, ଯେଉଁ ଟଙ୍କା ପଇସା ଇଂରେଜମାନଙ୍କ ପକେଟରୁ ପାଇଛ, ତାହାରିଦ୍ଵାରା ତୁମ୍ଭମାନଙ୍କ ଖାଦ୍ୟ ପଦାର୍ଥର ଦାମ୍ ଦେଇପାର-। “ମାର୍କ-ମାଉସ୍-କରେନ୍‍ସି” କେବେହେଁ ଦେବ ନାହିଁ ।

 

“ମାର୍କ–ମାଉସ୍–କରେନ୍‍ସି,” ଅର୍ଥାତ୍ ଜାପାନୀମାନେ ଛାପିଥିବା ନୋଟ୍ ।

 

ଏଗାର

 

ଘିଟିଘିଟିଆ ଅନ୍ଧାର ।

 

“ଫିଲ୍ଡ଼-ଟଲିସ୍କୋପ୍” ଆଖିରେ ଲଗାଇ ଦେବଳ ଚାରିଆଡ଼ ତନ୍ନ ତନ୍ନ କରି ଦେଖୁଛି । ଏଣେତେଣେ ଅଳ୍ପ ଟିକିଏ ଆଲୋକରେଖା ଦେଖାଯାଉଛି । ଛାତ ଉପରେ ଚାରିଆଡ଼କୁ ନଜର ପକାଇବାପାଇଁ ଖଣ୍ଡିଏ ଛୋଟ ଘର । ବନ୍ୟ ଘାସର ଏବଂ କାଠ ଦ୍ୱାରା ତିଆରି ହୋଇଥିବା ଆସାମୀୟ ଢାଞ୍ଚାର ଘର । ପଥରମୁଣ୍ଡିଆର ଠିକ୍ ଉପର ଅଂଶରେ ତିଆରି ।

 

ଛାତଘର ଭାବିଲାବେଳକୁ ଅନେକ କଥା ମନେ ପଡ଼ିଗଲା । ତରତର ହେବାର କୌଣସି କାରଣ ନାହିଁ । ଭାବିବା ପାଇଁ ଅନେକ ସମୟ ଅଛି; ତେଣୁ ଦେବଳର ନିଜଘର କଥା ମନେ ପଡ଼ିଗଲା । ମାଆଙ୍କ ଦୃଷ୍ଟିର ଅନ୍ତରାଳରେ କାଚଜାରରୁ ଲେମ୍ବୁଆଚାର, ଆମ୍ବସଢ଼ା ଆଦି ଲୁଚାଇନେବା ସମୟରେ ଶିଡ଼ିଘର ଉପରକୁ ଯିବା ଆସିବା ଆରମ୍ଭ ହୋଇଥିଲା । ତା’ପରେ ସେଠାରେ ଆରମ୍ଭ ହେଲା, ପାଠପଢ଼ା ନାଆଁରେ

 

ବାଜେ ଉପନ୍ୟାସ ପଢ଼ା । ତା’ପରେ ବିକାଶ ପାଇଲା—କାନ୍ଥ ଦେହରେ ସିନେମା ନାୟିକାମାନଙ୍କ କେଲେଣ୍ଡର ଛବି ସଜାଇବା ।

 

ଆଉ ?

 

ଆଉ କ’ଣ କିଛି ନୁହଁ ?

 

କାହିଁକି ? ସେଇ ଟ୍ରାମ୍‍ରୁ ଓହ୍ଲାଇ ଚୁପ୍‍ଚାପ୍ ସିଧାସଳଖ ଛାତ କୋଠା ଉପରକୁ ଚାଲି ଆସିବା । ତେଣିକି ପେନ୍‍ସିଲ ସାହାଯ୍ୟରେ ସାଦାକାଗଜ ଉପରେ ଗାର କାଟି କାଟି ଗୋଟିଏ ଛବି ଆଙ୍କିବାକୁ ଚେଷ୍ଟା କରିବା !

 

ଦେବଳ ବାରମ୍ଵାର ଚେଷ୍ଟା କରିଥିଲା; କିନ୍ତୁ ଜୀବନରେ କେବେ ତ ଅଙ୍କନ କରିନାହିଁ । କେବେହେଲେ ସେ ଚିନ୍ତା କରିନଥିଲା ଯେ ଜଣେ ଅଚିହ୍ନା ତରୁଣୀ ତାହାର ମନମଧ୍ୟରେ ଏଭଳି ଭାବରେ ନିଜର ଅସ୍ତିତ୍ଵଟିକୁ ଆଙ୍କିଦେଇ ଚାଲିଯିବ । ତା’ କଥା କାହାରିକି କହି ହୁଏ ନାହିଁ । ଆଲୋଚନା କରି ହୁଏ ନାହିଁ; କି ଜ୍ଵାଳା ସେ, ଏବଂ କି ଶାସ୍ତି ସେ !

 

ଅନ୍ୟମନସ୍କଭାବେ ଏହିଭଳି ଗିଞ୍ଜିରିମିଞ୍ଜିରି ଅଙ୍କା କାଗଜ ମଧ୍ୟରେ ବଡ଼ ବଡ଼ ଅକ୍ଷରରେ ବିଶ୍ଵସାହିତ୍ୟକ ମେଟାରଲିଙ୍କଙ୍କର ଗୋଟିଏ କଥା ଲେଖିପକାଇ ଥିଲା । “ବେଶି ଡେରିନାହିଁ; ଏଭଳି ଗୋଟାଏ ସମୟ ଆସିବ, ଯେତେବେଳେ ମଣିଷ–ଆତ୍ମା ଦୈହିକ ସମ୍ବନ୍ଧ ଛାଡ଼ି ମଧ୍ୟ ପରସ୍ପର ଅସ୍ତିତ୍ଵର ଖବର ପାଇପାରିବ ।”

 

ସେ କଥା ଏବେ କାହିଁକି ଦେବଳର ମନେ ପଡ଼ିଗଲା ?

 

ଖବର ? ଖବର କଥାଟା ମନ ଉପରେ ଗୋଟାଏ ଧକ୍କା ଦେଇଗଲା ? ନା, ଏ ମୁହୂର୍ତ୍ତରେ ଭାବି ବିକାଶ ପାଇଁ କୌଣସି ସ୍ଥାନ ନାହିଁ । ହେଡ଼କ୍ଵାଟର୍ସକୁ ପଠାଇବା ଭଳି କୌଣସି ଖବର ଯଦି ଥାଏ, ତାହାକୁ ଖୋଜି ବାହାର କରିବା ଦରକାର ।

 

କିନ୍ତୁ ପଠାଇବା—ଯୋଗ୍ୟ କୌଣସି ଖବର ବର୍ତ୍ତମାନ ସୁଦ୍ଧା ଯୋଗାଡ଼ ହୋଇ ପାରିନାହିଁ । ଏହି ଛୋଟ କୋଠରୀଟିକୁ ଭଲଭାବେ ପରୀକ୍ଷା କରି ଦେଖିବା ଆବଶ୍ୟକ । ଭିତରେ ଆଲୁଅ ଜଳୁଛି । ପର୍ଦା ଫାଙ୍କବାଟେ ଦେଖାଯାଉଛି । ଶତ୍ରୁପକ୍ଷୀୟ ଲୋକ ନିଶ୍ଚୟ ତା ଭିତରେ ଅଛନ୍ତି, ତା ନୋହିଲେ ବୋମାବର୍ଷୀ ବିମାନ ଭୟରେ ନିଶ୍ଚୟ ଆଲୁଅ ନିଭାଇ ଦେଇ ଥାଆନ୍ତା । ପର୍ଦାଗୁଡ଼ିକ ଅନ୍ତତଃ ଭଲଭାବରେ ନିବୁଜ କରି ଦିଆଯାଇ ଥାଆନ୍ତା । ଅନ୍ଧକାର ଭିତରେ ଦେବଳ ଥରେ ପଛକୁ ଫେରିପଡ଼ି ବେତାରଯନ୍ତ୍ରଟିକୁ ଯେଉଁଠାରେ ଲୁଚାଇ ରଖି ଆସିଛି, ସେହି ଆଡ଼କୁ ଚାହିଁଲା । ହାତ ଘଡ଼ି ଆଡ଼କୁ ଥରେ ଚାହିଁଲା । ସତେ କି ଅନ୍ଧକାର ମଧ୍ୟରେ ଭାଷା ଫୁଟି ଉଠି ତାକୁ ସାହସ ଦେବ । ଡରୁଚ କି ? ଆଗେଇ ଯାଅ । ମୁଁ ତୁମ ସଙ୍ଗେ ସଙ୍ଗେ ପହରା ଦେବାକୁ ଅଛି ପରା-?

 

ବେଟଲ୍ ଡ୍ରେସର ପଛପକେଟରେ ଥିବା ରିଭଲ୍‍ଭରଟି ଉପରେ ଥରେ ହାତ ବୁଲାଇ ଆଣିଲା । ପୋଷାକଟାକୁ ବର୍ତ୍ତମାନ ସୁଦ୍ଧା ଲୁଚାଇ ଦେବାକୁ ସୁବିଧା ହୋଇନାହିଁ । ଶତ୍ରୁପକ୍ଷୀୟ ପୋଷାକଟାଏ ବର୍ତ୍ତମାନ ସୁଦ୍ଧା ଯୋଗାଡ଼ କରାଯାଇ ପାରିନାହିଁ । ମୁଣ୍ଡିଆ ଉପରକୁ ଉଠିଲାବେଳକୁ ତଳେ ଜଗିଥିବା ଗୋଟାଏ ହାବିଲ୍‍ଦାରକୁ ଅତର୍କିତ ଭାବେ ଧରିପକାଇ ତାହାର ମୁହଁ ଆଉ ହାତ ବାନ୍ଧି ପକାଇ ଆସିଥିଲା; କିନ୍ତୁ ତାହାର ପୋଷାକଟାକୁ ପିନ୍ଧି ପକାଇବା ଆଗରୁ ମୁଣ୍ଡିଆଟାକୁ ପରୀକ୍ଷା କରିନେବା ଦରକାର ।

 

ଖୁବ୍ ଆସ୍ତେ ଆସ୍ତେ ଚତୁର୍ଦ୍ଦିଗର ନିସ୍ତବ୍ଧତାକୁ ପରୀକ୍ଷା କରୁ କରୁ ଦେବଳ ଆସି କୋଠରୀଟି ପାଖରେ ପହୁଞ୍ଚିଗଲା । ଗଛଲତାରେ ଘୋଡ଼ିଆ ହୋଇଥିବା ଏହି ମୁଣ୍ଡିଆଟି ଉପରେ ଘରଟିର କାନ୍ଥଗୁଡ଼ିକରେ ନାନା ପ୍ରକାର ରଙ୍ଗ ଦିଆଯାଇ “କ୍ୟାମେଫ୍ଲାଜ” କରାଯାଇଛି । ଦୂରରୁ ଦେଖିଲେ ଏହାକୁ କେହି କେବେ ମଣିଷ ରହିବା ଘରଟିଏ ବୋଲି ଚିହ୍ନିପାରିବ ନାହିଁ । ନିତାନ୍ତ ରାତି ଅନ୍ଧାର ଭିତରେ କିରୋସିନି ଡିବି ଆଲୁଅ ଦ୍ଵାରା ଧରା ପଡ଼ିଯାଇଥିଲା । ଦେବଳ ବୁଝି ପାରିଲା ଯେ ନିଶ୍ଚୟ କୌଣସି ଉଦ୍ଦେଶ୍ୟରେ ଏଭଳି ମିଟି ମିଟିକା ଆଲୁଅରେ ବନ୍ଦୋବସ୍ତ କରାଯାଇଛି । ଅତଏବ ଆଉ ଟିକିଏ ବେଶି ସାବଧାନ ହେବା ଦରକାର ।

 

ପରଦାଟିକୁ ଅଳ୍ପ ଟିକିଏ ଆଡ଼େଇଦେଇ ଦେବଳ ଭିତରକୁ ଆଖି ପକାଇବାକୁ ଲାଗିଲା-। ଗୋଟିଏ କୋଠରୀ ନୁହଁ । କେତେ ଗୁଡ଼ିଏ ଖୋପ । ପ୍ରାୟ ପ୍ରତ୍ୟେକରେ ମଣିଷ ରହନ୍ତି-। ଆଉ ମଧ୍ୟ ଥାଏ ନାନାପ୍ରକାରର ଯନ୍ତ୍ରପାତି । କେତୁଟାକୁ ଦେଖିଲାମାତ୍ରେ ଜଣାପଡ଼ିଗଲା–ବେତାରର ନୂଆଧରଣର ଯନ୍ତ୍ର । ଅନେକ ପ୍ରକାରର କଳକବ୍ଜା ସଜାହୋଇଛି । ପୂରାପୂରି ଆଧୁନିକ ବ୍ୟବସ୍ଥା-। ମ୍ୟାପ୍, ବ୍ୟାଟେରି ଏବଂ ଟେଲିପ୍ରିଣ୍ଟରଗୁଡ଼ିକ ଏଣେ ତେଣେ ପୂରି ରହିଛି-। ଏସବୁ ଦେଖି ଦେବଳ ମନେ ମନେ ଭାବିଲା—ଏସବୁ ଯଦି ଦଖଲ କରିନେଇପାରେ, ତେବେ ଭଲ ଭାବରେ ଗୁରୁଦକ୍ଷିଣାଟା ଦେଇଦିଅନ୍ତି ।

 

ଆଉ, କେତୁଟା ଖିଡ଼ିକି ତଳକୁ ଯାଇ ଦେବଳ ଦେଖିବାକୁ ଲାଗିଲା । ଇଏ କଅଣ ? ହେଇ ତ ଓୟାକ୍ ଆଇମାନଙ୍କର ଖାକି ପୋଷାକ ମଧ୍ୟ ଦେଖାଯାଉଚି । ରାତିଟା ମାୟାକୁହୁକ ନୁହେଁ ତ ? ଅବଶ୍ୟ ଏହି କାଉଁରୀକାମାକ୍ଷା ଦେଶରେ ପୂର୍ବେ ସବୁ କଥା ସମ୍ଭବ ହେଉଥିଲା; କିନ୍ତୁ ସେ ଯୁଗ ଆଜି ନାହିଁ କି—ସେ ମୂଳକ ମଧ୍ୟ ନାହିଁ । ଯିଏ ଯେମିତି ଭାବୁନା କାହିଁକି, ଏଭଳି ଉଦ୍ଭଟ କଳ୍ପନା ଆଜାଦ୍‍ହିନ୍ଦ୍ ଫୌଜର ଆଗୁଆ ଇଣ୍ଟେଲିଜେନ୍ସ ଅଫିସର କର୍ଣ୍ଣେଲ ଦେବଳ ପକ୍ଷେ ଶୋଭା ପାଏ ନାହିଁ ।

 

ତେଣୁ ସେ ନିଜେ ମନରୁ ସବୁ ଚିନ୍ତା ପୋଛିପକାଇଲା । ପଛ ପକେଟରେ ଥିବା ରିଭଲଭରଟାକୁ ଆଉଥରେ ହାତ ମାରି ଦେଖିନେଲା ।

 

ହଠାତ୍ କଅଣ ମନେ ପଡ଼ିଯିବାରୁ ମଣିବନ୍ଧରେ ବନ୍ଧା ହୋଇଥବା ହତାଘଡ଼ିଟିକୁ ସେ ଦେଖିନେଲା; ଅନ୍ଧକାରରେ କିଛି ଦେଖାଦେଲା ନାହିଁ; କିନ୍ତୁ ଠିକ୍ ଭାବେ ଟିକ୍ ଟିକ୍ ଶବ୍ଦ କରି ଚାଲିଛି-

 

ଗୋଟିଏ ଖିଡ଼ିକିର ଭିତରେ ଛିଟିକିଣିଟା ଢିଲାଥିଲା । ପକେଟ ମଧ୍ୟରୁ ସରୁ ଇଲାଷ୍ଟିକ୍ ରେଞ୍ଚଯନ୍ତ୍ରଟାକୁ କାଢ଼ି ତାହାରି ସାହାଯ୍ୟରେ ସେ ବାହାରପଟେ ରହି ଛିଟିକିଣିଟାକୁ ଖୋଲିଦେଲା । ଆସ୍ତେ ଆସ୍ତେ ଖିଡ଼ିକି ବାଟେ ମୁହଁଟିକୁ ଗଲାଇଲା । ତା’ପରେ ଆଉ ଟିକେ ଶରୀର ଏବଂ ତା’ପରେ ଗୋଟା ସୁଦ୍ଧା । ଗୋଟିଏ ଖୋପ ଭିତରେ, ହଁ, ଏଇ ଖୋପଟା ଭିତରେ ମଣିଷର ସୋରଶବ୍ଦ ମିଳୁଚି-। କେତେଜଣ ନିଃଶ୍ଵାସ ବନ୍ଦକରି ସେମାନଙ୍କର ସୋରଶବ୍ଦ ପାଇଁ ଅପେକ୍ଷା କରି ରହିଲା । ନା, ଜଣେ ମାତ୍ର ଲୋକ, କୌଣସି ଅସ୍ତ୍ର ତା’ ହାତରେ ଅଛି କି ? ପାଦ ଟିପିଟିପି ଖୋଲା ରିଭଲ୍‍ଭରଟିକୁ ହାତରେ ଧରି ଆଗେଇଲା । ମଝି ପରଦାଟାକୁ ଟିକିଏ ଆଡ଼େଇ ଦେଇ ଏକାବେଳେ ଖୋପଟି ଭିତରକୁ ପଶିଗଲା । ମେଜିଆଟା ମାଟିର । ତା’ ଉପରେ ସତରଞ୍ଜି ବିଛା ହୋଇଛି । ତା’ ରି ଉପରେ କ୍ୟାନ୍‍ଭ୍ୟାସ୍‍ର ଫୋଲ୍ଡ଼ିଂ କେମ୍ପଚେୟାର ଉପରେ ପଛକରି ବସିରହିଛି ଜଣେ ଓଆକ୍. ଆଇ. ଅଫିସର ।

 

ଦେବଳ ଦୃଢ଼ ସ୍ଵରରେ ହୁକୁମ କଲା—“ହ୍ୟାଣ୍ଡସ୍ ଅପ୍” ।

 

ସଙ୍ଗେ ସଙ୍ଗେ ଜଣେ ସ୍ତ୍ରୀଲୋକର ହାତ ଦୁଇଟି ଉପରକୁ ଉଠିଗଲା ।

 

ଦେବଳ ପୁଣିଥରେ ହୁକୁମ ଦେଲା—ଆବାଉଟର୍ଣ୍ଣ । ମୋ ଆଡ଼କୁ ମୁହଁ ବୁଲାଅ—କିନ୍ତୁ ହାତ ରଖିଥିବ ମୁଣ୍ଡ ଉପରେ । ଖବରଦାର । ଆଇ ସୁଟ୍ ଟୁ କିଲ୍—ନୋହିଲେ ମୁଁ ଗୁଳିକରି ମାରିଦେବି ।

 

ମୁଣ୍ଡ ଉଠେଇ ରଖି ଦୃପ୍ତ ଭଙ୍ଗିରେ ମହିଳାଟି ବୁଲିପଡ଼ି ଛିଡ଼ାହେଲା । ସେତେବେଳେ ସୁଦ୍ଧା ହାତ ଦୁଇଟା ମୁଣ୍ଡ ଉପରକୁ ସେ ଉଠାଇ ରଖିଥାଏ ।

 

ଇଏ କଅଣ ? ଇଏ କଅଣ ? ଦେବଳ ମୁଖରୁ ଗୋଟାଏ ଅସ୍ପଷ୍ଟ ଆର୍ତ୍ତନାଦ ବାହାରି ପଡ଼ିଲା ।

 

ଆଉ କୌଣସି କଥା ତା’ ମୁହଁରୁ ବାହାରିଲା ନାହିଁ । ଓଠଦେଇ ଆଉ କି ଶବ୍ଦ ବାହାରିଲା, ତାହା ସେ ନିଜେ ମଧ୍ୟ ଶୁଣିପାରିଲା ନାହିଁ, କାରଣ, ଉଠାଇ ଧରିଥିବା ରିଭଲଭରଟା ନଇଁପଡ଼ିଲା । କେତେବେଳକେ ସିଧାଭାବେ ଛିଡ଼ାହୋଇ ନ ପାରି ଇଙ୍କରବୁଣା କାନ୍ଥକୁ ଠେସଦେଇ ରହିଗଲା । ତା’ ମଧ୍ୟ ସେ ଜାଣିପାରିଲା ନାହିଁ ।

 

ଅନେକ ସମୟ ବେହୋସ ହୋଇ ରହିଲାପରେ ତା’ର ହୋସ ହେଲା—ଯେତେବେଳେ ଓଆକ୍. ଆଇ. ଅଫିସର ନିଜେ ତାକୁ ଡାକ ପକାଇଲା—ତୁମେ ? ତୁମେ ଦେବଳ-? ଆଇ. ଏନ୍. ଏ.ର କର୍ଣ୍ଣେଲ ?

 

ଆଇ. ଏନ୍. ଏ.ର କର୍ଣ୍ଣେଲ ? ସତେକି ଧକ୍କା ଖାଇ ଦେବଳ ଜାଗିଉଠିଲା । ସେଦିନ ରାତିରେ ଆକାଶୀ ବୋମାର ଆଘାତରେ ମଧ୍ୟ ଏଭଳି ଧକ୍କା ଲାଗି ନ ଥିଲା ।

 

ଦୁଇଜଣଯାକ ଦୁହିଙ୍କ ଆଡ଼କୁ ଅନାଇ ରହିଲେ । ଦେବଳ ଆଉ ମିତା । ଦୁଇ ଶତ୍ରୁପକ୍ଷ ।

 

ବାର

 

—ତୁମେ ?

 

—ଦେବଳ ?

 

—ମିତା ?

 

ପ୍ରଶ୍ନ ନା ଉତ୍ତର, କିଛି ବୁଝାପଡ଼ିଲା ନାହିଁ । ଦେବଳ କଣ୍ଠଟାକୁ ସତେ କି କିଏ ଚିପି ଧରିଚି । ଯେପରିକି ତା’ ନିଜ ହାତରେ ରିଭଲ୍‍ଭରାଟିକୁ ଅନ୍ୟ କେହି ଦେବଳ ମୁଣ୍ଡ ଉପରକୁ ଲକ୍ଷ୍ୟ କରି ଧରିଛି ।

 

ହାତଘଡ଼ିଟା ଟୁକୁ ଟୁକୁ ହୋଇ ଚାଲୁରହିଛି କି ନା, ସେ ଦିଗକୁ ଦେବଳର ଲକ୍ଷ୍ୟ ନାହିଁ । ଟିକିଏ ହେଲେ ଗରମ ଲାଗୁନାହିଁ; ତଥାପି ତା’ କପାଳ ଉପରେ ବିନ୍ଦୁ ବିନ୍ଦୁ ଝାଳ ଚକ୍‍ଚକ୍ ଦିଶୁଛି । ତା’ ଆଡ଼କୁ ମିତା କ୍ୟାନ୍‍ଭାସର ଫୋଲ୍ଡ଼ିଂ ଚେୟାରଟାଏ ବଢ଼ାଇଦେଲା ।

 

ତା’ପରେ ମିତା ବାହାର ଆଡ଼େ ଥରେ ଚକିତ ଦୃଷ୍ଟି ବୁଲାଇ ଆଣିଲା । ପାଖରେ ଥିବା କୋଠରୀ ଭିତରକୁ ଯାଇ ବାହାରଆଡ଼ୁ ଆସିବାର କବାଟଟିକୁ ବନ୍ଦ କରିଦେଲା । ଫୁସ୍‍ଫୁସ୍ ହୋଇ ପଚାରିଲା—ହାବିଲ୍‍ଦାର ସେଣ୍ଟ୍ରିଟା ତୁମ ଆସିବା ଜାଣିପାରିଛି କି ? ନା, ତାକୁ ଶେଷ କରିଦେଇ ଆସିଛ ?

 

ଶତ୍ରୁପକ୍ଷର କାହାରିକୁ ଶେଷକରି ଦେଇଥିବା କଥାରେ ସତେକି ଦେବଳର ଜ୍ଞାନ ଫେରିଆସିଲା । କୌଣସିପ୍ରକାରେ କହିଲା—ତା’ର ହାତ, ଗୋଡ଼ ଓ ମୁହଁ ବାନ୍ଧିଦେଇ ଆସିଛି ।

 

କିନ୍ତୁ ଓଆକ୍. ଆଇ.ର ଖାକି ଇଉନିଫର୍ମ ପିନ୍ଧି ବହୁପ୍ରକାରର ଯନ୍ତ୍ରପାତି ସମ୍ମୁଖରେ ଯେଉଁ ମହିଳାଟି ଛିଡ଼ାହୋଇଛି, ତା’ ନାଁ ମିତା ଏବଂ ସେ ମଧ୍ୟ ଶତ୍ରୁପକ୍ଷରେ ।

 

ଦୁଇଜଣଯାକ ପରସ୍ପର ଆଡ଼କୁ ଚାହିଁରହିଲେ ।

 

ଜିଙ୍କ୍ ୱାଟର ବଟ୍ଲରୁ ପାଣି ଏବଂ କାଗଜର କାର୍ଟନ୍‍ରୁ “ଚକ୍ ବିସ୍କୁଟ୍” ଏବଂ ଟିଣକାଟି ପତଳା ପତଳା କଟା ମାଂସ ଆଣି, ମିତା ଦେବଳ ସମ୍ମୁଖରେ ଧରିଲା । ଶାନ୍ତ ଏବଂ ଆଦେଶସୂଚକ ସ୍ୱରରେ କହିଲା—ଝଟ୍ ଖାଇନିଅ । ବ୍ରାଣ୍ଡି ଚାହଁ ତ ଦେବି । ଆଉ ଏଇ “ଇମ୍ଳି ଶ୍ଳାବ୍” ଗୁଡ଼ିକ ପକେଟରେ ରଖିଦିଅ । ମଝିରେ ମଝିରେ ଖାଇବ ଏବଂ ମୁହଁରେ ଭିଟାମିନ୍ ସି’ର ଅଭାବ ଦେଖାଯାଉଛି ।

 

ହାୟରେ ! କାହାକୁ ବର୍ତ୍ତମାନ ଦେବଳ ସମ୍ମୁଖରେ ଦେଖୁଛି ! ଏତେଦିନର ସ୍ଵପ୍ନ, ଏତେଦିନର ପ୍ରତ୍ୟାଶା ? ମାତ୍ର ମିତା ପାଇଁ ତା’ ମୁଁହରେ କେବଳ ଭିଟାମିନ୍ ଅଭାବଟିକୁ ଏତେଦିନ ପରେ ସେ ଦେଖିପାରିଲା । ଦେବଳର ଓଠ ଶୁଖିଗଲା । ଥରେ ଯେ ଜିଭଦ୍ୱାରା ଉପର ଓଠଟିକୁ ଭିଯାଇ ନେଲା, ତାପରେ ଉପର ଓଠଦ୍ଵାରା ତଳ ଓଠଟିକୁ ସେ ଓଦା କରିନେବାକୁ ଚେଷ୍ଟା କଲା । ସତେ କି ମରୁଭୂମିର ତୃଷାକୁ ଟୋପାଏ ପାଣିରେ ମେଣ୍ଟାଇବାକୁ ହେବ ।

 

ମିତା ପୁଣି କହିବାକୁ ଆରମ୍ଭ କଲା—ତୁମ ହାତରେ ବେଶି ସମୟ ନାହିଁ, ଦେବଳ । ଆମ୍ଭମାନଙ୍କ “ଓ.ପି.” ର (ଅର୍ଥାତ୍ ନଜର କରିବା ଘାଟି) ଲୋକେ ଏବଂ ଅନ୍ୟ ଓଆକ୍. ଆଇମାନେ ସମସ୍ତେ ପାଞ୍ଚମାଇଲ ଦୂରକୁ ଯାଇଅଛନ୍ତି । ସେଠାରେ ଗୋଟିଏ ନୂଆ “ଓ. ପି.” ଖୋଲା ହୋଇଛି । ଅଳ୍ପ ସମୟ ପୂର୍ବରୁ ସେହି ଅବଜରଭେସନ୍ ପୋଷ୍ଟ ସହିତ ବେତାର ଯତ୍ନ ସାହାଯ୍ୟରେ କଥାବାର୍ତ୍ତା ହୋଇଥିଲି । ସେମାନେ ବର୍ତ୍ତମାନ ସେଠାରୁ ବାହାରିବେ । ଅବ୍ୟବହିତ ପୂର୍ବରୁ ବାହାରିବାର ସଙ୍କେତ “ପାଶ୍ ଓ୍ୟାର୍ଡ଼” ଦେଇଦେଇଚି ।

 

ମିତା ଏତେଶୀଘ୍ର ଏବଂ ଏତେ ଅନୁଚ୍ଚସ୍ୱରରେ ଏବଂ ବ୍ୟତିବ୍ୟସ୍ତ ହୋଇ କଥାଗୁଡ଼ିକ କହିଚାଲିଲା ଯେ ଦେବଳ ସବୁଗୁଡ଼ିକ ଶୁଣିପାରିଲା କି ନା ସନ୍ଦେହ । କିଂକର୍ତ୍ତବ୍ୟବିମୂଢ଼ ହୋଇ ସେ ମିତାଆଡ଼କୁ ଅନାଇ ରହିଲା । ମିତାର ମୁହଁ, ମିତାର ଆଖି ଏବଂ ମିତାର ଇଉନିଫର୍ମ ଦିଗକୁ ଚାହିଁ ରହିଲା ।

 

ମିତା ସବୁକଥା ବୁଝିପାରିଲା ଏବଂ କହିଲା—ଖୁବ କାବା ହୋଇଯାଇଛନା ? କିନ୍ତୁ ଶୁଣ ଦେବଳ, ତୁମ ହାତରେ ବର୍ତ୍ତମାନ ମୁହୂର୍ତ୍ତେମାତ୍ର ସମୟ ନାହିଁ । କାହିଁକି ତୁମେ ଆଇ.ଏନ୍.ଏ.ରେ ଯୋଗଦେଇଛ ? ତା ମୁଁ ବୁଝିଛି, କିନ୍ତୁ ମୁଁ କାହିଁକି ୱାକ୍.ଆଇ.ରେ ଜୁନିଅର କମାଣ୍ଡର ହୋଇ ଏଠାକୁ ଆସିଛି, ତା’ ତୁମେ ନିଶ୍ଚୟ ବୁଝି ପାରୁ ନଥିବ ।

 

ଦେବଳ ବହୁକଷ୍ଟରେ ମୁହଁ ଖୋଲି କହିଲା—ତୁମେ ବି କ’ ଣ ମୋରି ପରି... ? ତୁମ୍ଭକୁ ଦେଖିଲେ... ।

 

ଖୁବ୍ ବେଶି ବ୍ୟସ୍ତହୋଇ ଦେବଳ କଥାରେ ମିତା ବାଧା ଦେଲା—ନା, ନା ! ଭୁଲରେ ସୁଦ୍ଧା ଭାବିବନାହିଁ ଯେ ତୁମରି ସଙ୍ଗରେ ହଠାତ୍ ଦେଖାହୋଇଯିବାର ଆଶା ଘେନି ମୁଁ ଯୁଦ୍ଧଇଲାକା ଉପରକୁ ଆସିଛି ବୋଲି । ମୁଁ ଦେଶକୁ ସ୍ଵାଧୀନ କରିବାକୁ ଆସି ନାହିଁ ବା ଜାପାନୀମାନଙ୍କ ହାତରୁ ଦେଶକୁ ବଞ୍ଚାଇବାକୁ ଆସିନାହିଁ ।

 

—ତେବେ— ? ତେବେ ତୁମେ କାହିଁକି ଓ୍ୟାକ୍: ଆଇ: ରେ ଯୋଗଦେଇଛ ? କାହିଁକି ଏ ବିପଦ ମଧ୍ୟକୁ ଆସିଛ ଏବଂ ପଶୁସମ ସୈନ୍ୟମାନଙ୍କ ଭିତରେ ଆସି ରହିଛ ? ମିତା ! ତୁମେ ଏସବୁ କଅଣ କରିବସିଛ ?

 

ଅସ୍ଥିରଭାବେ ସମ୍ମୁଖକୁ ଆସି ସେ ମିତାର ହାତ ଦୁଇଟିକୁ ଚାପି ଧରିଲା । ତା’ର ଶିରାପ୍ରଶିରା ମଧ୍ୟରେ ପାଗଳ ପରି ରକ୍ତସ୍ରୋତ ବହିବାକୁ ଲାଗିଛି । ସେ ଅସରନ୍ତି କଥା କହିବାକୁ ଚାହେଁ ।

 

ହାତ ଛଡ଼ାଇ ନେବାପାଇଁ ମିତା କୌଣସି ଚେଷ୍ଟା କଲାନାହିଁ । ଦେବଳ ଆଡ଼କୁ ସମ୍ମୋହିତ ବ୍ୟକ୍ତିତୁଲ୍ୟ ଚାହିଁ ରହିଲା । ଯେପରିକି ସେ ରାତ୍ରିର ସ୍ଵପ୍ନ ମଧ୍ୟରେ ଅପ୍ରତ୍ୟାଶିତ ଭାବେ ତାକୁ ପାଇ ଛିଡ଼ା ହୋଇଯାଇଛି । ଗୋଟିଏ ପଛକୁ ଆଉ ଗୋଟିଏ ପାଦ ପକାଇ ମିତା ପଛେଇଯିବାକୁ ଲାଗିଲା । ବିନା ଚେଷ୍ଟା, ବିନାଇଚ୍ଛା ଏବଂ ଅଜ୍ଞାତସାରରେ । ଥରେ ପଛକୁ ହଟିଯାଇ ପୁଣିଥରେ ତା ଆଗକୁ ଆସେ ଓ ପୁଣିଥରେ ପଛକୁ ହଟିଯାଏ । ଏଥିରୁ ମନେ ହୁଏ, ଯେପରିକି ଏହି ସବୁ ତାର ଏବଂ ବେତାର ଯନ୍ତ୍ରରେ ମିତା ତା’ ର ପଦକ୍ଷେପକୁ ତାଳେ ତାଳେ ମାପି ରଖୁଛି ଏବଂ ତା’ ର ଏହି ପଛେଇ ଆସିବାକୁ ନିୟନ୍ତ୍ରିତ କରୁଛି ।

 

ଏତେବେଳେକେ ଦେବଳ ଚେଇଁ ଉଠିଲା । ବିସ୍ମୟରେ ନୁହେଁ; ଦେବନାଭରା ଅନ୍ତରରେ-। ଗମ୍ଭୀରଭାବେ ସେ ମିତାର ଦୃଷ୍ଟି ଉପରେ ନିଜର ଦୃଷ୍ଟି ନିକ୍ଷେପ କଲା । ସତେକି ସେ ଆଟଲାଣ୍ଟିକ୍ ମହାସାଗରର ଗଭୀରତା ମାପ କରୁଛି । ମିତାର ଆଖିରେ ଅଳ୍ପପରିମାଣ ବନହରିଣୀର ଭୀରୁତା, ବ୍ୟାକୁଳତା ଓ ଅସହାୟତାର ବ୍ୟଥିତ ଚଞ୍ଚଳତା ଦେଖାଦେଲା । ସେ ତୁନିହୋଇ ରହି ଦେବଳଠାରୁ କଥା ଶୁଣିବା ଉଦ୍ଦେଶ୍ୟରେ ଅପେକ୍ଷା କରି ରହିଲା । ବ୍ୟାକୁଳଭାବେ ଦେବଳ ପୁଣିଥରେ ପଚାରିଲା–କୁହ ମିତା, ଜବାବ ଦେଲ ନାହିଁ ଯେ ?

 

ଅଧିକ ପରିମାଣରେ ବ୍ୟାକୁଳିତ ହୋଇ ମିତା କହିଲା—ସବୁ କହିବି, କିନ୍ତୁ ଜବାବ ଦିଅ ଯେ ଠିକ୍ ଅଧ୍ୟଘଣ୍ଟାକ ପରେ ଏଠାରୁ ତୁମେ ଚାଲିଯିବ । ଦେଢ଼ଘଣ୍ଟା ମଧ୍ୟରେ ସେମାନେ ନିଶ୍ଚୟ ଆସି ପହୁଞ୍ଚିଯିବେ । ତଳେ ହାବିଲଦାରଟା ବନ୍ଧା ହୋଇ ପଡ଼ିଛି । ତୁମକୁ ଖୋଜି ବାହାର କରିବାକୁ କେହି ଅବହେଳା କରିବେ ନାହିଁ । କେତେ ବଡ଼ ସର୍ବନାଶ କରିବସିଲ ଦେବଳ ?

 

—ନା, ତୁମକୁ ଛାଡ଼ି ମୁଁ କୌଣସି ଆଡ଼େ ଯିବି ନାହିଁ । ଏତେବର୍ଷ ପରେ ଦେଖା ହୋଇଛି । ତୁମକୁ ଛାଡ଼ି ମୁଁ ଯିବି ନାହିଁ ।

 

ବିଦ୍ରୂପ ସ୍ଵରର ମିତା କହିଉଠିଲା—“ହାଉ ରୋମାଣ୍ଟିକ୍ ଅଫ୍ ଇଉ” ଦେବଳ, ଚମତ୍କାର ! ତୁମେ ଏତେ ଭଲପାଅ ଯେ, ଯାହାକୁ ଭଲପାଅ ବୋଲି ମନେ କର, ଠିକ୍ ତାହାର ସମ୍ମୁଖରେ, ତାହାରି ହାତ ପାହାନ୍ତିରେ ଗୋଟିଏ ଗଛ ଉପରୁ ଝୁଲି ନ ପଡ଼ିଲେ ଶାନ୍ତି ପାଇବ ନାହିଁ, ନା ?

 

ଦେବଳ ଚୁପ୍ ହୋଇ ରହିଲା ।

 

ମିତା ବ୍ୟଙ୍ଗରମାତ୍ରା ଖୁବ୍ ବଢ଼ାଇ ଦେଲା; କହିଲା—ଅଥବା ବୋଧହୁଏ ତୁମେ ଭାବୁଛ, ଯାହାକୁ ଭଲ ପାଅ, ତାକୁଇ ବିପଦରେ ପକାଇବା ଦରକାର । ଜୀବନରେ ଭଲ ପାଇଛ ବୋଲି ମରଣରେ ମଧ୍ୟ ସହମରଣ ଘଟାଇ ପାରିଲେ କୀର୍ତ୍ତି ରହିବ; ଏଇଆ ତ ?

 

ଦେବଳର ମୁହଁ ଦୁଃଖରେ କଳା ପଡ଼ିଗଲା । ସେ କହିଲା, —ତୁମେ ମୋର କୌଣସି କଥା ଶୁଣିଲ ନାହିଁ । କେବଳ ମୋତେ ତଡ଼ି ଦେବାକୁ ବ୍ୟସ୍ତ ।

 

—ହଁ, ଠିକ୍ ସେହିକଥା । କେବଳ ତୁମରି, ପାଇଁ ନୁହଁ । ତୁମର ଆଇ.ଏନ୍.ଏ. ପାଇଁ ଓ ତୁମର ନେତାଜୀଙ୍କ ପାଇଁ । ତୁମେ ଜଣେ ସାମରିକ ଅଫିସର ଟି କି ?

 

ଦେବଳର ମନେ ପଡ଼ିଗଲା, —ଦିନେ ମିତା ଦେବଳ ଆଡ଼କୁ ମୁହାଁମୁହିଁ ଚାହିଁ ରହିଛି । ସେଦିନ ମନେ ହେଉଥିଲା, ସତେକି ତା’ର ସେହି ଆଖିଦୁଇଟି ବାଟ ଦେଇ “ଉଇନ୍ଚେଷ୍ଟର୍ ରିପିଟିଙ୍ଗ୍ ରାଇଫ୍ଲ” ରୁ ଗୁଳି ଆସୁଛି । ଠିକ୍ ସେହିଭଳି ଭାବରେ ଆଜି ମଧ୍ୟ ମିତା ପରିପୂର୍ଣ୍ଣ ଦୃଷ୍ଟିରେ ତାହାରି ଆଡ଼କୁ ଅନାଇ ରହିଲା ।

 

ଆଇ.ଏନ୍.ଏ. ର କର୍ଣ୍ଣେଲ ଏବଂ ଓ୍ୟାକ୍: ଆଇ: ଜୁନିୟର କମାଣ୍ଡର । ଏତିକି ତ ଦେବଳ ଏବଂ ମିତା ମଧ୍ୟରେ ସମ୍ପୂର୍ଣ୍ଣ ପରିଚୟ ନୁହେଁ ।

 

ଆସ୍ତେ ଆସ୍ତେ ଦେବଳ ଛାତି ଫୁଲାଇ ମୁଣ୍ଡ ଉଚ୍ଚାକରି ଛିଡ଼ା ହୋଇଗଲା ଏବଂ କହିଲା–ତୁମେ ଠିକ୍ କହିଛ ମିତା । ମୁଁ ତ କେବଳ ଦେବଳ ନୁହଁ । ତା’ ଆଗରୁ ମୁଁ ଜଣେ ମିଲିଟାରୀ ଅଫିସର, “ନେତାଜୀଙ୍କ ଜୟ ହେଉ ।”

 

କାଗଜ ଗିଲାସରେ ପାଣି ପିଇ କିଛି ସମୟ ପରେ ଦେବଳ ପୁଣି ଥରେ ପଚାରିଲା—ତୁମେ ତ ତୁମକଥା କିଛି କହିଲ ନାହିଁ ?

 

—କାହିଁକି ? କିନ୍ତୁ ତୁମେ ଆଗେ କିଛି ଖାଇନିଅ । ତୁମର ଆଇ. ଏନ୍. ଏ. ରେ ତୁମେମାନେ କ’ ଣ ବା ଖାଇବାକୁ ପାଅ, ସେ କଥା ଆମେ ଜାଣୁ ।

 

ଏହିକଥା କହୁ କହୁ ଅତି ଶାନ୍ତିଭାବେ ମିତା ନିଜ ହାତରେ ଗୋଟିଏ ସିଲହୋଇଥିବା ଟିଣକୁ ଗରମ ପାଣି ଭିତରେ ବସାଇ ଗରମ କରି ମୁହଁ କାଟିଲା, ସେଥିରୁ ରନ୍ଧା ଭାତ ଏବଂ ମାଂସ ତରକାରି ବାହାର କଲା । ଇଂରେଜ ପକ୍ଷୀୟ ଭାରତୀୟ ସୈନ୍ୟମାନଙ୍କ ପାଇଁ ଜାପାନୀ ଇଲାକା ମଧ୍ୟରେ ୧୯୪୪ ମସିହାରେ ଏ ପ୍ରକାର ସମସ୍ତ ବନ୍ଦୋବସ୍ତ କରାଯାଇଥିଲା ।

 

ସେ କେତେମିନିଟ ଦେବଳ ଚୁପ୍‍ ହୋଇ ମିତା ଆଡ଼କୁ ଚାହିଁ ରହିଲା । ତା’ର ସେ ସୁଠାମ ଶରୀର, ଫିଟ୍‍ଫାଟ୍ ଖାକି ଇଉନିଫର୍ମ ମଧ୍ୟରେ ତା’ ର ସେ କୋମଳ ତନୁ କଠୋରତାର ଅପୂର୍ବ ରୂପ ଧାରଣ କରିଛି । କେବଳ ଶ୍ୟାମରୂପ ଘେନି ନୁହେଁ, ବ୍ୟକ୍ତତ୍ଵ ଘେନି ମିତା ଝଲ୍ ମଲ୍ ଦିଶୁଛି । ଏତେଦିନ ପର୍ଯ୍ୟନ୍ତ ପାହାଡ଼ଜଙ୍ଗଲରେ ଘୂରି ଘୂରି ପଡ଼ିଆ ମାଟି, ପଥର ଓ ପଚାପତରର ଗନ୍ଧ ଦେବଳ ନାକରେ ବାସା ବାନ୍ଧିଥିଲା; ସେ ଗନ୍ଧ ଆଉ ନାହିଁ । ସତେକି ଗୋଟିଏ ସୌରଭ ମିତାର ଚାରିପାଖେ ଘେରି ରହିଛି । ଯେପରିକି ସେହି ସୌରଭଟି ଦେବଳର ମରଣ ଅଭିଯାନ ପଥରେ ବର୍ତ୍ତମାନଠାରୁ ସାଥିହୋଇ ରହିବ । ଅଳ୍ପଟିକେ ନଇଁପଡ଼ି କାଗଜ ପ୍ଳେଟ୍ ଉପରେ ମିତା ଯେତେବେଳେ ମାଂସ ଢାଳିବାକୁ ଆରମ୍ଭକଲା, ତେତେବେଳେ ତା’ ର ସେହି ବଙ୍କିମ ଭଙ୍ଗି ପୃଥିବୀର ଶ୍ରେଷ୍ଠଶିଳ୍ପୀର କଳ୍ପନାକୁ ମଧ୍ୟ ଲଜ୍ଜା ଦେଇଗଲା । ତା’ର ହାତ କେତେ ଚଞ୍ଚଳ, ଅଥଚସେ ସୁଚାରୁରୂପେ କାର୍ଯ୍ୟ କରିଯାଉଛି । ତା’ର ଆଖିଯୋଡ଼ିକ ଚକିତ ଭାବେ ଦେବଳ ଆଡ଼କୁ ଚାହିଁରହିଥିଲେ ସୁଦ୍ଧା ଅନ୍ଧକାର ମଧ୍ୟକୁ ସେ ଲକ୍ଷ୍ୟ ରଖିଛି, ତା’ର ହାଇହିଲ୍ ପିନ୍ଧା ପାଦ ଦୁଇଟି ସତେକି ତାହାର ଗତିସହିତ ଗୀତର ଛନ୍ଦରେ ଯୋଗଦେଇଛି । ମିତା କେବଳ ବରନାରୀ ନୁହଁ, ବୀରନାରୀ ମଧ୍ୟ ।

 

ଦ୍ରୁତ ବେଗରେ ମିତା ଗୋଟିଏ ‘ସାଉଣ୍ଡ ସେଭେଲ୍ ମିଟର’ ଯନ୍ତ୍ରର ଚାବି ଖୋଲିଦେଲା-। ଏଇ ଯନ୍ତ୍ର ସାହାଯ୍ୟରେ ଅନେକ ଅଦୂରବର୍ତ୍ତୀ ବିସ୍ତୃତ ସ୍ଥାନର ସମସ୍ତ ଶବ୍ଦର ପ୍ରତିଧ୍ଵନି ଶୁଣାଯାଇ ପାରିବ । କିଏ ଜାଣେ, ହୁଏତ ଏ ଯୁଦ୍ଧ ସମୟରେ କେବଳ ଗୋଟିଏ ଜଣାଶୁଣା ଦଳ ଏଦିଗକୁ ଆସିବେ, ସେଥିରେ ତ କିଛି ସ୍ଥିରତା ନାହିଁ ? ଅନ୍ୟ କୌଣସି ଅଜଣା ଟହଲଦାର ଦଳ ମଧ୍ୟ ଆସି ଯାଇପାରନ୍ତି ।

 

କିନ୍ତୁ ମିତା ସତେକି ଗୋଟେ ଯନ୍ତ୍ର ପାଲଟିଯାଇଛି । ଯନ୍ତ୍ରଭଳି ସବୁକାର୍ଯ୍ୟ ଚଟ୍‍ପଟ୍ କରିଯାଉଛି । ଅଥଚ ଥରେ ମାତ୍ର ସଳଖ ଭାବରେ ଦେବଳର ଆଖିଆଡ଼କୁ ଚାହୁଁ ନାହିଁ । ଏଣେ ଦେବଳ ଏକଦୃଷ୍ଟିରେ ଅନାଇ ରହିଛି । ତା’ର ଦୃଷ୍ଟି ଏହାରି ସଙ୍ଗେ ସଙ୍ଗେ ଘୂରି ବୁଲୁଛି । ସେ ଭାବୁଛି, ଏ କେତେବର୍ଷ ହେଲା ସତେ କି ସେ ବଞ୍ଚି ନଥିଲା ! ଯାହା କିଛି ସେ ବଞ୍ଚିଥିଲା, ତାକୁ ବଞ୍ଚିରହିବା କୁହାଯାଏ ନାହିଁ । ‘ମୃତ୍ୟୁ’ ପ୍ରତିଦିନର, ପ୍ରତିମୁହୂର୍ତ୍ତର କାର୍ଯ୍ୟକଳାପ ମଧ୍ୟରେ ସେ ଜାଗ୍ରତଭାବେ ମୃତ ଥିଲା ।

 

କାଗଜର ପ୍ଲେଟ୍‍ଟାକୁ ମିତା ବେତର ଟେବୁଲ ଉପରେ ରଖିଦେଇ ଦେବଳ ଆଗକୁ ଆଣିଲା । ଦେବଳର ସ୍ଵପ୍ନ ଭାଙ୍ଗିଗଲା । ଜୀବନ କାହିଁ, ସ୍ଵପ୍ନ କାହିଁ, ମୃତ୍ୟୁ କାହିଁ ? ଏହି ମୁହୂର୍ତ୍ତରେ ମିତାହିଁ ଏକମାତ୍ର ସତ୍ୟ । ମିତାର ହାତଧରି ଅନ୍ୟମନସ୍କ ଭାବେ ଟିକେ ଟାଣିଦେଇ କହିଲା—ଏଥର ତୁମ କଥା କହ ।

 

—ମଳିନ ହସ ହସି ମିତା କହିଲା, ମୋ କଥା ? ମୋ କଥା କହିବାକୁ ଆଉ କଅଣ ଅଛି ? ତୁମେ ଖାଇନିଅ । ସଙ୍ଗେ ସଙ୍ଗେ ତୁମକୁ ଲୁଚିଯିବାକୁ ପଡ଼ିବ ।

 

—ମୁଁ ଖାଉଛି, ତଥାପି ତୁମକଥା ଜାଣିବାକୁ ଚାହେଁ । ଶୀଘ୍ର କୁହ, ସବୁ ଖୋଲି କହ, ମୋତେ ଏଭଳି ଭାବେ ସଂଶୟଦୋଳାରେ ଝୁଲାଇ ରଖନାହିଁ ।

 

—ତେବେ ମୋର କଥା ଶୁଣ । ତୁମେ ତ ପ୍ରାୟ ସବୁବେଳେ ଆଜାଦ୍‍ହିନ୍ଦ୍ ବେତାର ଯନ୍ତ୍ରରେ ବକ୍ତୃତା ଦିଅ; ନୁହେଁ ? ତୁମର କଣ୍ଠସ୍ୱର ମୁଁ ଚିହ୍ନିପାରିଛି ।

 

ଆନନ୍ଦରେ ଖାଦ୍ୟଛାଡ଼ି ଦେବଳ ମିତାର ହାତ ଦୁଇଟିକୁ ପୁଣିଥରେ ଚାପିଧରିଲା । ମିତା ଧୀରେ ଧୀରେ ତାହା ଛଡ଼ାଇନେଲା । ଇଙ୍ଗିତରେ କହିଲା—ଶୀଘ୍ର ଖାଇବା ଶେଷକର ।

 

—ତୁମେ ଯେତେବେଳେ ଆଜାଦ୍‍ହିନ୍ଦ୍ ରେଡ଼ିଓରେ ଥିଲ, ସେତେବେଳେ ତୁମେ ଦେଶର ଖବର ସବୁ ଜାଣିଛ । ଜାପାନୀମାନେ ମାଡ଼ିଆସିବେ, ଏହି ଭୟରେ ଇଂରେଜ କର୍ତ୍ତାମାନେ ବଙ୍ଗଦେଶର ସବୁ ଧାନଚାଉଳ ନଷ୍ଟ କରିଦେଲେ । ନୌକାଗୁଡ଼ିକ ବୁଡ଼ାଇଦେଲେ । ବସ୍, ଲରୀ ଗୁଡ଼ିକ ଅଟକ୍ କରିନେଲେ । ଦେଶସାରା ସମସ୍ତ ଲୋକଙ୍କୁ ଗୁଳିକରି ମାରିଦେବା ସମ୍ଭବ ନୁହେଁ; ତେଣୁ ସେମାନଙ୍କୁ ପଲକେ ପଲକେ ଖାଦ୍ୟ ବନ୍ଦ କରିଦେବାଦ୍ଵାରା ମୁମୂର୍ଷୁ କରି ପକାଇଦେବାର ବ୍ୟବସ୍ଥା କଲେ । ଏହାର ନାମ୍ ‘ ଡ଼ିନାୟାଲ୍ ପଲିଶି ।” ବସ୍ତୁତଃ ନା ଜାପାନୀ, ନା ବଙ୍ଗାଳୀ, ଏ ପ୍ରକାର କେହି ପ୍ରବଞ୍ଚନାର ହିସାବ ରଖିଲେ ନାହିଁ । ଜାଣିଥିବ, ବଙ୍ଗଦେଶରେ ଅନ୍ତତଃ ତିରିଶଲକ୍ଷ ଲୋକ ଖାଇବାକୁ ନପାଇ ମରିଯାଇଛନ୍ତି ?

 

—ଆମେ ପୁଣି ଜାଣିନାହୁଁ ! ନେତାଜୀ ତ ବଙ୍ଗଦେଶପାଇଁ ବର୍ମା, ଓ ଶ୍ୟାମରୁ ଜାହାଜ ବୋଝେଇ କରି ବିନା ମୂଲ୍ୟରେ ଚାଉଳ ପଠାଇବାକୁ ଚାହିଁଥିଲେ । ଶତ୍ରୁ ଇଂରେଜ ତାହାର ଜବାବ ଦେଲେନାହିଁ ।

 

—ଜବାବ ଦେଲେନାହିଁ, ସତ; କିନ୍ତୁ ‘ରାଶନ୍’ ବନ୍ଦୋବସ୍ତ କରିବାଦ୍ୱାରା, ଏଭଳି ଅବସ୍ଥା ସୃଷ୍ଟିକଲେ ଯେ, ଯାହାଦ୍ଵାରା, ଯୁଦ୍ଧ ଚାଲୁରଖିବା କାର୍ଯ୍ୟରେ ବ୍ୟସ୍ତଥିବା ଅଫିସ, ଗୋଦାମ ଘର, କଳକାରଖାନା ଆଦି ସ୍ଥାନରେ କାର୍ଯ୍ୟ ନକଲେ, ଖାଇବାକୁ ମିଳିବା ଅସମ୍ଭବ ହୋଇପଡ଼ିଲା । କେବଳ ‘ରାଶନ୍’ ର ଚାଉଳ, ଡାଲି, କୋଇଲା ଆଦି ପାଇବା ଆଶାରେ ଲୋକେ ଦଳଦଳ ହୋଇ ସରକାରୀ ଅଫିସ, ଅସ୍ତ୍ରତିଆରି କାରଖାନା ଓ ସୈନ୍ୟଦଳରେ କାମକରିବାକୁ ବାଧ୍ୟ ହେଲେ । ବଙ୍ଗଦେଶରୁ ଇଂରେଜ ରାଜତ୍ୱର ଭିତ୍ତି ଯେପରିକି ଟଳମଳ ନହୁଏ, ସେଥିପାଇଁ ସେମାନେ ପ୍ରାର୍ଥନା କରିବାକୁ ଲାଗିଲେ । କାରଣ, ତାହା ନହେଲେ ‘ରାଶନ୍’ ବନ୍ଦ ହୋଇଯିବ ଯେ !

 

—ତୁମେ ମଧ୍ୟ ବୋଧହୁଏ ସେଇଥିପାଇଁ..... ?

 

ଦେବଳ ନିଜକଥା ଶେଷକରି ପାରିଲା ନାହିଁ । ବେଦନାରେ ତା’ର କଣ୍ଠ ରୁଦ୍ଧ ହୋଇଗଲା ।

 

—ହଁ, ଠିକ୍ ସେଇକଥା । କିଛିଦିନ କ୍ଳବର ମିଲଟାରୀ ମେମ୍ବରମାନଙ୍କର ଦୌଲତରୁ ‘ରାଶନ’ ର ବନ୍ଦୋବସ୍ତ ହୋଇ ପାରିଥିଲା; କିନ୍ତୁ ସେମାନେ ତାହାରି ବଦଳରେ ଯେଉଁ ଦାମ୍ ଆଦାୟ କରିବାକୁ ଚାହୁଁଥିଲେ..... । ସେ ସବୁ କଥା ଥାଉ । ଏହାଛଡ଼ା ସେମାନେ ଆହୁରି ସୁବିଧାଜନକ ‘ରିସେପ୍‍ସନିଷ୍ଟ’ ଖୋଜୁଥିଲେ । ଚାହୁଁ ଚାହୁଁ କ୍ଳବ୍‍ର ଚେହେରା ମଧ୍ୟ ବଦଳି ଯାଉଥିଲା-

 

“କିନ୍ତୁ ତୁମେ ଓ୍ୱାକ.ଆଇ. ହୋଇ ଆସିଲ କାହିଁକି ? ସେଇ କଥାଟି ମୁଁ ବୁଝି ପାରୁନାହିଁ-।” ଦେବଳ ଅଧୀରହୋଇ ଏଇ ପ୍ରଶ୍ନଟି କଲା ।

 

ମିତା କିଛିସମୟ ଚୁପ୍‍ ହୋଇ ରହିବାପରେ ଧୀରେ ଧୀରେ କହିଲା, ମୁଁ ସ୍ମାର୍ଟ ହୋଇପାରେ । ଇଂରେଜୀ ନବିଶ୍ ଆଧୁନିକା ହୋଇପାରେ; କିନ୍ତୁ “ଇଉନିଭରସିଟି ଡିଗ୍ରୀ” ତ ମୋର ନାହିଁ ! ତେଣୁ ସରକାରଙ୍କ ସପ୍ଲାଇ ବିଭାଗରେ ସବୁଠାରୁ ଛୋଟ କିରାନି ହେବା ବ୍ୟତୀତ ମା, ଭାଇ, ଭଉଣୀଙ୍କ ମୁଖରେ ଅନ୍ନଦୁଇଟି ଯୋଗାଇବାପାଇଁ ମୋ ନିକଟରେ ଅନ୍ୟ କୌଣସି ପନ୍ଥା ନଥିଲା । ମାତ୍ର ତଦ୍ଦ୍ଵାରା ଏଭଳି ଦୁଃସମୟରେ ଏତେଗୁଡ଼ିଏ ଲୋକଙ୍କର ପରିଶୋଷଣର ଉପାୟ ହୋଇପାରନ୍ତା ନାହିଁ ।

 

—କିନ୍ତୁ ତୁମର ତ ଏତେ ଜଣାଶୁଶା ଲୋକ ଅଛନ୍ତି । ସେମାନଙ୍କ ସାହାଯ୍ୟରେ କୌଣସି ଅଫିସରଙ୍କର ପ୍ରାଇଭେଟ୍ ସେକ୍ରେଟାରୀ ହୋଇପାରିଥାଆନ୍ତ ତ ? ସେ କାର୍ଯ୍ୟଟି ତ ପୁଣି ଗୋଟିଏ “ରେସ୍ପେକ୍ଟେବ୍ଳ” ଚାକିରୀ ହୋଇପାରିଥାଆନ୍ତା ?

 

ମିତା ଆଉ ଧୈର୍ଯ୍ୟ ଧରି ରହିପାରିଲା ନାହିଁ । ଟିକିଏ ରାଗିଯାଇ କହିଲା, “ଡୋଣ୍ଟ ବି ଏ କାଓ୍ୱାଡ଼୍”, ଦେବଳ । ଖାଇବାକୁ ନପାଇ ରାସ୍ତାର ଦୁଇକଡ଼ରେ ଲୋକେ ମରିପଡ଼ିଛନ୍ତି । ସେମାନଙ୍କୁ ଡେଇଁ ଡେଇଁ ଅନ୍ଧକାର ଥାଉଁ ଥାଉଁ, କୋଇଲା ଗୋଦାମ ଓ ଚାଉଳ ଦୋକାନ ସମ୍ମୁଖରେ ଲୋକେ ଲାଇନ୍ଧରି ଛିଡ଼ା ହୁଅନ୍ତି । ପିନ୍ଧିବାକୁ ଲୁଗା ଖଣ୍ଡିଏ ନାହିଁ ବୋଲି, ସ୍ତ୍ରୀ ଲୋକମାନେ ରାସ୍ତାକୁ ବାହାରି ପାରନ୍ତି ନାହିଁ । ସ୍ତ୍ରୀ ଲୋକମାନେ ନିଜ ନିଜର ସମ୍ମାନ ନିରାପଦ ରଖି ଚଲାବୁଲା କରିବାକୁ ବାଟ ପାଆନ୍ତି ନାହିଁ । ଆଉ ତୁମେ ଆଜି—କେଉଁକାମ କଲେ ଇଜ୍ଜତ୍ ମିଳିବ ଓ କାହିଁରେ ସେକଥା ନାହିଁ, ସେହି ବିଷୟରେ ବକ୍ତୃତା ଦେବାକୁ ଆରମ୍ଭ କରିଛି । ତୁମର ଜାତି ଓ ଇଜ୍ଜତ ରସାତଳକୁ ଯାଉ ।

 

ବାତୁଳଭାବେ ଦେବଳ ପ୍ରଶ୍ନକଲା—ତଥାପି ତୁମେ ଯେ ଅନ୍ୟ କୌଣସି ଗୋଟିଏ କାମ ପାଇଲ ନାହିଁ ବୋଲି ଏଥିରେ ଆସି ଯୋଗ ଦେଇଛ, ଏକଥା ମୋର ବିଶ୍ୱାସ ହେଉନାହିଁ । ଜୀବନସଂଗ୍ରାମରେ ବୁଡ଼ିଯିବାର ଭୟ ତୁମର ନଥିଲା ।

 

—ବୁଡ଼ିନଯାଇ ଭାସିରହିଥିବି, ଏଭଳି ଭରସା ବା ତୁମକୁ କିଏ ଦେଇଥିଲା, ଦେବଳ ?

 

ମିତା କରୁଣ ସ୍ୱରରେ ଉତ୍ତର ଦେଲା,

 

—ତଥାପି ଏ କଥାମଧ୍ୟରେ ଆଉ କିଛି ଅଛି ବୋଲି ମୋର ମନେହୁଏ ।—କହିଲା ଦେବଳ ।

 

ମିତା କିଛି ସମୟ ଚୁପ୍ ହୋଇ ରହିଲା ଏବଂ ଭାବିଲା, ତା’ପରେ କହିଲା, —ତେବେ କହୁଛି, ଶୁଣ । ତୁମକୁ ସୁଖ ଲାଗିବ ନାହିଁ । ତଥାପି ଶୁଣିବାକୁ ଯେତେବେଳେ ଚାହୁଁଛ, ଶୁଣ । ମୁଁ ଯେଉଁ ସାଇରେ ଥିଲି, ସେଠାରେ ପ୍ରାୟ ସବୁ ଘରଗୁଡ଼ିକୁ ୨୪ ଘଣ୍ଟିଆ ନୋଟସଦେଇ ମିଲିଟାରୀ ପାଇଁ ରିକ୍ୟୁଜିଶ୍ନ କରି ନିଆଗଲା । ଟଙ୍କା ଅବଶ୍ୟ ଦେଲେ; କିନ୍ତୁ କଲିକତାରେ ଟଙ୍କା ଦେଲେ ବୋହୂ ମିଳିପାରେ, ମାତ୍ର ଘରଖଣ୍ଡେ ମିଳେନାହିଁ । ଯେଉଁଠାକୁ ଉଠି ଆସିବାକୁ ପଡ଼ିଲା, ସେ ସ୍ଥାନଟି ହେଲା ଗାଁପରି । ପୁରୁଣା କାଳିଆ ସଂକୀର୍ଣ୍ଣମନା ଲୋକମାନଙ୍କର ଆଡ଼୍ଡ଼ା । କଳା କାଫ୍ରି ସୈନ୍ୟମାନେ ରୋଜ୍ ରାତ୍ରିରେ ଆସି ଗୋଳମାଳ କରନ୍ତି । ପ୍ରତିଦିନ ଦିନବେଳେ ମଧ୍ୟ ସେହିସବୁ ଚରିତ୍ରବାନ୍ ଲୋକଗୁଡ଼ିକ ଧାଡ଼ିକରି ଚାହିଁ ରହିଥାଆନ୍ତି, କେବଳ ଆଖିବାଟେ ଗିଳିପକାଇବା ପାଇଁ । ମନୁଷ୍ୟ ଜାତିଉପରେ ଘୃଣା ଜନ୍ମିଗଲା । କାହିଁ କେଉଁ ଦୂରଦେଶରେ ଯୁଦ୍ଧ ଲାଗିଛି; ଅଥଚ ଦେଶ ମଧ୍ୟରେ ଜାତିଗୋଟାକର ଚରିତ୍ର ନଷ୍ଟ ହୋଇଗଲା ।

 

ମୁଣ୍ଡ ନୁଆଁଇ ନିମ୍ନସ୍ଵରରେ ଦେବଳ କହିଲା, —କିନ୍ତୁ ସେତିକି ଟିକିଏ ଘୃଣାପାଇଁ ପରାଜୟ ସ୍ଵୀକାର କରିବାର ପାତ୍ର ତୁମେ ନୁହଁ ତ ମିତା !

 

—ନା, ତା’ତ ନୁହେଁ । ସେଥିପାଇଁ ଦିନେ ପଡ଼ାମଧ୍ୟରେ ମୁଁ ହାଇହିଲ୍ ଯୋତା ମାଡ଼ି ୱାକ୍.ଆଇ. ଇଉନିଫର୍ମ ପିନ୍ଧି ଦୁମ୍ ଦୁମ୍ ହୋଇ ଚାଲିଆସିଲି । ଏକା ଥରକେ ଜୁନିଅର କମାଣ୍ଡର । ‘ମିଶ୍’ ସାହେବଙ୍କୁ ସଲାମ୍ କରିବାକୁ ସେତେବେଳେ ସେମାନେ ବାଟ ପାଇଲେ ନାହିଁ । ଆଉ କ’ ଣ ଦରକାର, କୁହ ?

 

ଧୀରେ ଧୀରେ ଦେବଳ ମୁଣ୍ଡ ହଲାଇ କହିଲା—ଉଁ ହୁ, ଚୋରକୁ ମାନକରି ଖପରାରେ ଖାଇବା ଲୋକ ତୁମେ ତ ନୁହଁ ମିତା ? ତୁମେ ତା’ ଠାରୁ ଅନେକ ଉପରେ, ଅନେକ ବଡ଼ ।

 

ଓଠ ବଙ୍କାକରି ଅଳ୍ପହସି ମିତା କହିଲା—ହଁ, ସେତକ ଭାବିଲାବେଳକୁ ଅବଶ୍ୟ ଟିକିଏ ସାନ୍ତ୍ଵନା ମିଳେ ।

 

ଆଉ ସୁଖ ? ଦେବଳ ପ୍ରଶ୍ନ କଲା, କିନ୍ତୁ ମନଟା ଆଗରୁ ଉତ୍ତର ପାଇ ସାରିଥିଲା ।

 

କିଛି ସମୟ ପରେ ଦେବଳହିଁ ପ୍ରଥମେ ନୀରବତା ଭଙ୍ଗ କରି କହିଲା—କିନ୍ତୁ ମିତା, ଏହା ପଛରେ ଆହୁରି କୌଣସି କଥା ନିଶ୍ଚୟ ଅଛି । ହୁଏତ କୌଣସି....... ।

 

 

ଦେବଳର ମୁହଁରୁ କଥାଟି ଛଡ଼ାଇନେଇ ମିତା କହିଲା—ତୁମେ ହିଁ ଠିକ୍ ଧରିଛ, ଦେବଳ; ଅଛି, ଆଉ ଜଣେ, ତା’ କଥା ଆଜିବା ତୁମକୁ ନକହିଲେ ?

 

—ଆ–ଉ–ଜ–ଣେ ? ସତେକି କୌଣସି ଗୋଟିଏ ଯନ୍ତ୍ର ଏହି କଥାଗୁଡ଼ିକର ପୁନରାବୃତ୍ତି କରୁଛି ।

 

—ହଁ, ସେଇଆ, କିନ୍ତୁ ସେ ବିଷୟ ଘେନି ମନଭିତରେ ତୁମେ କୌଣସି ଘଣ୍ଟାଚକଟା କରନାହିଁ । ଭୁଲିଯାଅ, ସେ ସବୁ କଥାକୁ ପାସୋରିପକାଅ । ଆଜି ତୁମେ ଆଇ.ଏନ୍.ଏ. ଦଳ ମଧ୍ୟରେ କର୍ଣ୍ଣେଲ୍ ଦେବଳ । ଆଉ ମୁଁ କେବଳ “ଏଲ୍.ଆଇ.” ଦଳର ଜଣେ ଜୁନିଅର୍ କମାଣ୍ଡର୍ । କେତୋଟି ମିନିଟ୍ ପରେ ଏଇ ପରିଚୟ ଟିକକ ବାକି ରହିବ । ମନକୁ ଚଞ୍ଚଳ କର ନାହିଁ । “ଫର୍ ଓଲ୍ଡ଼ ଟାଇମସ୍ ସେକ୍” (ପୁରୁଣା ସମୟର ଦୁହାଇ, ତୁମକୁ) ।

 

ଟାଇମ୍ ? ସମୟ ? ତାହା ଯେ ଅକ୍ଷୟଭାବେ ଦେବଳର ମଣି ବନ୍ଧରେ ବନ୍ଧା ହୋଇଛି-! ଅଜ୍ଞାତସାରରେ ଦେବଳର ଆଖିଯୋଡ଼ିକ ମଣିବନ୍ଧରେ ବନ୍ଧାହୋଇଥିବା ଘଡ଼ିଟି ଉପରେ ପଡ଼ିଲା-

 

ସେ କଥାଟି ମିତାର ଦୃଷ୍ଟି ଏଡ଼ାଇପାରିଲା ନାହିଁ । ଦେବଳ ପାଖରୁ ସେ ଉଠିଆସିଲା । ତା’ କାନ୍ଧରେ ହାତରଖି ସାନ୍ତ୍ଵନାଦେଇ କହିଲା, —କିନ୍ତୁ ଦେବଳ, ମୁଁ ଏକାବେଳକେ ଅସହାୟ, ନିରୁପାୟ; ‘ତା’ ପାଇଁ ମୁଁ ସବୁ କରିପାରେ । ସେପରା ଏଇ ବର୍ମା—ଆସାମ୍ ଫ୍ରଣ୍ଟକୁ ଆସିଛି । ତୁମରି ବିରୁଦ୍ଧରେ ଲଢ଼ୁଛି, ତେଣୁ..... ।

 

ବୁଝିଛି, ବୁଝିଛି, ମିତା ! ତୁମେ ? ଓ—ତୁମେ....ହାୟ; କାହିଁକି ପୁଣି ଆଜି ତୁମ ସଙ୍ଗରେ ମୋର ଦେଖାହେଲା !

 

ଦେବଳ ଥରେ ଉଠିପଡ଼ିବାକୁ ଚେଷ୍ଟାକଲା । କିନ୍ତୁ ପାରିଲାନାହିଁ । ଗୋଡ଼ ଦୁଇଟି ଅବଶ ହୋଇଯାଇଛି, ଠିକ୍ ତା’ ମନଟିପରି ।

 

ମିତା ପୁଣିଥରେ କରୁଣସ୍ଵରରେ କହିଲା, —କ୍ଷମା ଦିଅ ଦେବଳ, ମୋତେ କ୍ଷମା ଦିଅ । ଆଜି ମୁଁ ତୁମ ନିକଟରେ କୌଣସି କଥା ପ୍ରକାଶ କରିବାକୁ ଇଚ୍ଛା କରୁନଥିଲି; କିନ୍ତୁ ତୁମେ ବାରମ୍ବାର ପ୍ରଶ୍ନ କରିବାରୁ କଥାଟା କେମିତି ଭାବରେ ପ୍ରକାଶ ପାଇଗଲା । ତୁମେ କିନ୍ତୁ ଭାଙ୍ଗିପଡ଼ ନାହିଁ । ତୁମେ ପରା ବୀର !

 

ବୀର ? ଦେବଳ ମନରେ କଥାଟି ହଠାତ୍ ଧକ୍କା ଦେଲା । ବୀର; ଠିକ୍ ଏଇ ଶବ୍ଦଟି ଦ୍ଵାରା ସେଦିନ ଗଙ୍ଗାକୂଳରେ ମିତା ତାକୁ ସମ୍ବୋଧନ କରିଥିଲା । କେବଳ ବୀର ନୁହେଁ । ବୀର ମୋର ! ସେ ତ ବୀର ହୋଇଅଛି । କିନ୍ତୁ ଯାହା ଆଖିରେ ବୀର ହେବାପାଇଁ ସେ ଏତେ ସାଧନା କରିଛି, ତା’ର ସେ ଆଜି କେହି ନୁହେ ?

 

ଦେବଳ ଉତ୍ତେଜିତ ହୋଇଉଠିଲା, ବୀର ! ବୀର ! ବୀର କଅଣ କେବେ ଦୁର୍ବଳ ତୁଲ୍ୟ, ଅସହାୟ ତୁଲ୍ୟ ପରାଜୟ ସ୍ୱୀକାର କରିଯାଏ ? ସେ ତ ମାନସକ୍ଷେତ୍ରରେ, ଭଲପାଇବାର ସଂଗ୍ରାମରେ ବୀର ହୋଇ ରହିପାରେ ଏବଂ ମିତାର ମନୋହରଣ କରିପାରେ ।

 

ଦୃଢ଼କଣ୍ଠରେ ସେ କହିଲା—ଦିନେ ତୁମେ ମୋତେ କହିଥିଲ—“ବୀର ମୋର”; ଆଜି ‘ମୋର’ ଶବ୍ଦଟି ଖସି ପଳାଇଯାଇଛି । ସେ ଶବ୍ଦଟି ପୁଣିଥରେ ଆଜି ଯୋଗ କରିବାକୁ ଚାହେଁ, ତୁମେ ମୋ’ ରି ହୋଇ ରହିଥିବ । କେବଳ ମୋରି । ଆଉ କାହାରି ନୁହେଁ ।

 

—ତା’ କିପରି ସମ୍ଭବ ହେବ, ଦେବଳ ?

 

ସେ କଥାକୁ କାନ ନଦେଇ ଦେବଳ କହିଲା—ସାମାନ୍ୟ କେତେମାସ ପୂର୍ବେ ତୁମେ ଅନେକ ଭାବିଚିନ୍ତି, ବୁଦ୍ଧିଖର୍ଚ୍ଚ କରି‘‘ଅଲ-ଇଣ୍ଡିଆ ରେଡ଼ିଓ” ଜରିଆରେ ମୋ ପାଖକୁ ଖବର ପଠାଇଥିଲ । କାହିଁକି ଏତେ ବିପଦ ବରଣ କରିଥିଲ ? ମୋତେ ଭଲପାଅ ବୋଲି ନୁହେଁ କି ? ନା, ତୁମର ଆଜିର ଏ କଥାରେ ବିଶ୍ଵାସ କରିପାରିବି ନାହିଁ । ତମେ ମୋତେ ହିଁ ଭଲପାଅ । ତୁମ ଆଜିର ଏ ମନଗଢ଼ା କଥାରେ ମୁଁ କେବେ ଭୁଲିବି ନାହିଁ ।

 

—ଭଲପାଇବା ? ସେ ତ ଅତି ବଡ଼କଥା ଦେବଳ ! ତୁମେ ନିହାତି ପିଲା ମଣିଷ । ରେଡ଼ିଓରେ ଖବର ପଠାଇଥିଲି, କେବଳ ତୁମେ ଶୁଣିଲେ ମନରେ ଭରସା ଆସିବ ବୋଲି । ତା’ ଭିତରେ ଭଲପାଇବାର କଥା କଅଣ ଅଛି ? ସଂସାରର କୌଣସି କଥା ତୁମେ ବୁଝନାଇଁ, ମଣିଷର ମନ କେତେ ଜଟିଳ, ତା ତୁମେ ଜାଣନାଇଁ ।

 

ଦେବଳ ମୁଣ୍ଡହଲାଇ ଆପତ୍ତି ଜଣାଇ କହିଲା—ସେ ଯାହାହେଉ, ଭଲପାଇବାଟା ନିତାନ୍ତ ସହଜ ଓ ସରଳ କଥା । ହୁଏତ ଭଲପାଏଁ ନହେଲେ ନାହିଁ; ଏଇ ଦୁଇକଥା ମଧ୍ୟରେ ଫାଙ୍କ ନାହିଁ କି ଫାଙ୍କିନାହିଁ—ବିଶେଷତଃ ତୁମ ଭଳି ‘ଅନେଷ୍ଟ୍’ ଝିଅ ପାଖରେ ।

 

ମିତା ମ୍ଳାନ ହସ ହସିଲା । ସତେକି ଆସାମ ସୀମାନ୍ତର ପର୍ବତ ଚୂଡ଼ାଉପରେ ଅସ୍ତଗାମୀ ସୂର୍ଯ୍ୟର କରୁଣ ଆଭା ଖେଳୁଛି । କହିଲା—ମୁଁ ବର୍ତ୍ତମାନ ସୁଦ୍ଧା “ଅନେଷ୍ଟ୍” ହିସାବରେ କହୁଛି ଦେବଳ, ମୁଁ ତୁମ୍ଭଙ୍କୁ ଭଲପାଇ ପାରି ନାହିଁ । ଭଲପାଇବାକୁ ଅବଶ୍ୟ ଅନେକ ଚେଷ୍ଟାକରିଛି, କିନ୍ତୁ କୌଣସି ପ୍ରକାରେ ମନଟାକୁ ମୋର ତୁମ ଆଡ଼କୁ ଢଳାଇ ପାରିନାହିଁ । ବିଶ୍ୱାସ କର, ଦେବଳ ।

 

ଏକପ୍ରକାର ଚିତ୍କାର କରିଉଠି ଦେବଳ କହିଲା—ମୁଁ ସବୁକଥା ବୁଝିପାରୁଛି । ଯାହାଦ୍ୱାରା ମୁଁ ଆଉଥରେ ତୁମପାଖକୁ ଆସିବାକୁ ଚେଷ୍ଟାକରି ବିପଦରେ ପଡ଼ିଯାଏଁ, ସେଇଥିପାଇଁ ତୁମେ ଏତେକଥା କହି ମୋତେ ଭୁଲାଇବାକୁ ଚେଷ୍ଟା କରୁଛ; କିନ୍ତୁ ମୁଁ ରାଣପକାଇ କହୁଛି ମିତା, ହୁଏତ ମୁଁ ଆଉ ତମ ସନ୍ଧାନରେ ଆସିବି ନାହିଁ; କିନ୍ତୁ ତୁମେ କହ ଯେ ମୋତେ ଭଲପାଅ ।’

 

ମିତା ନୀରବ ହୋଇଗଲା ।

 

—ଯିଏ ଏତେ ସରଳ, ଏତେ ବିଶ୍ୱାସୀ, ତାକୁ ଏଭଳି ମିଥ୍ୟା ସାନ୍ତ୍ୱନା ଦେଇ ନିଶ୍ଚିତ ମୃତ୍ୟୁମୁଖକୁ କି ଭଳି ପଠାଇଦେବ ମିତା !

 

ଭଲପାଇବା ମନୁଷ୍ୟକୁ ଉଦ୍ଭ୍ରାନ୍ତ କରିଦିଏ—ମନକୁ ଚଞ୍ଚଳ କରିପକାଏ । ଆଜି ଯଦି ସେ ଦେବଳକୁ ଏଭଳି ଗୋଟାଏ ଆଶାଦେଇ ଅନ୍ଧକାର ମଧ୍ୟକୁ ଛାଡ଼ିଦିଏ, ତେବେ ଆନନ୍ଦ ମଧ୍ୟରେ, ମିଥ୍ୟା ଆନନ୍ଦର ବାଲୁକାରାଶି ମଧ୍ୟରେ ଅସାବଧାନତାବଶତଃ ତା’ର ପାଦ ପୋତିହୋଇ ପଡ଼ିବ; ବରଂ ସେ ଯଦି ଶୂନ୍ୟମନ ଘେନି ଫେରିଯାଏ, ତେବେ ହୁଏତ ମନମଧ୍ୟରେ ଟିକିଏ ଆକ୍ରୋଶରଖି ସେ ଭାଗ୍ୟଘେନି ବୁଝାମଣା କରି ବସିବ; ଯଦ୍ଦ୍ୱାରା ସେ ଟିକିଏ ସାବଧାନ ହେବାକୁ ଶିଖିବ । ସହଜଭାବେ ଶତ୍ରୁଦୃଷ୍ଟିରୁ ନିଜକୁ ବଞ୍ଚାଇବାପାଇଁ ଚେଷ୍ଟା କରିବ ।

 

ମିତା ଦେବଳଠାରୁ ଅନେକ କଥା ଆଶାକରେ । ସେ ଆଶା କରିଛି, ମିଲିଟାରୀରେ ପଶି ଦେବଳର ମନ ଅଧିକ ଶକ୍ତ ହୋଇଛି । ନରମ ମାଟି, ଯୁଦ୍ଧ ଅଗ୍ନିରେ ପୋଡ଼ି କଠିନ ହୋଇଛି । ବେଦନା କଥାଶୁଣି ସେ ନିଶ୍ଚୟ ଭାଙ୍ଗିପଡ଼ିବ ନାହିଁ ।

 

ଦେବଳ ଉଠି ଆସି ମିତା ସାମନାରେ ଛିଡ଼ା ହୋଇ ତାହାରି ଆଡ଼କୁ ଚାହିଁ ରହିଲା । ତା କଣ୍ଠସ୍ୱରରେ କମ୍ପନ ଓ ଦୁର୍ବଳତାର ଚିହ୍ନ ନାହିଁ । ମିତା ଆଡ଼କୁ ଚାହିଁରହି ସେ ପଚାରିଲା, ତେବେ କୁହ, ଏଭଳିଭାବରେ ମୋତେ କାହିଁକି ତୁମେ ଏତେଦିନଯାଏଁ ଭୁଲ ଆଶା ଦେଇଥିଲ ଓ ଭଲପାଇବାର ଛଳନା କରିଥିଲ ?

 

—ମୁଁ ତ ଆଶା ଦେଇନାହିଁ ଦେବଳ, ବରଂ ମୁଁ ନିଜେ ଆଶା କରିଥିଲି, ଭାବିଥିଲି, ନିଜମନକୁ ପୁଣିଥରେ ଗଢ଼ିନେଇ ପାରିବି, ତୁମ ସଙ୍ଗରେ ମିଶି ନିଜକୁ ମୁଁ ଭୁଲାଇ ରଖିଥିଲି । ଭଲପାଇବାର ଚେଷ୍ଟା ମଧ୍ୟ କରିଥିଲି । ମୁଁ ଚେଷ୍ଟା କରିଥିଲି ଏବଂ ତମେ ଏକାବେଳକେ ସେଥିରେ ମଜ୍ଜି ଯାଇଥିଲ, ସେକଥା ଅବଶ୍ୟ ମୁଁ ବୁଝିପାରିଥିଲି ।

 

—ତେବେ ? ଦେବଳ ନିଜର ସମସ୍ତ ସତ୍ତା କେନ୍ଦ୍ରୀଭୂତ କରି ଏ ପ୍ରଶ୍ନର ଉତ୍ତରକୁ ପ୍ରତୀକ୍ଷା କରି ରହିଲା ।

 

—ଆଶା କରିଥିଲି ଯେ ତୁମପାଇଁ ମୁଁ ମଧ୍ୟ ସବୁ ଭୁଲିଯିବି ଏବଂ ପରିତ୍ରାଣ ପାଇବି । ତେତେବେଳେ ତୁମେ ନିଜ ମନକୁ ଘେନି ଏତେଦୂର ତନ୍ମୟ ହୋଇ ପଡ଼ିଥିଲ ଯେ ମୋର ମନମଧ୍ୟରେ ଦ୍ଵନ୍ଦକଥା ତୁମକୁ ମୁଁ ଜଣାଇ ପାରିନାହିଁ, ସୁଯୋଗ ମଧ୍ୟ ପାଇନାହିଁ । ବରଂ ଆଶା କରିଥିଲି, ହୁଏ ତ କୌଣସିଦିନ ସତକୁ ସତ ତୁମକୁ ମୁଁ ଭଲ ପାଇପାରିବି ।

 

—କିନ୍ତୁ—କିନ୍ତୁ ମୁଁ ମଧ୍ୟ ତୁମକୁ ଭଲ ପାଇଥିଲି ମିତା ? ତେବେ କଣ ସେ କଥା ମିଥ୍ୟା-?

 

—ଭଲପାଇବା ସହଜ ଦେବଳ; କିନ୍ତୁ ଅନେକ ବେଶି ପରିମାଣ ସୁଭାଗ୍ୟ ଥିଲେ ଭଲପାଇବା ମିଳିଥାଏ ।

 

କଠିନ ସ୍ୱରରେ ଦେବଳ କହିଲା, —ଓ, ତୁମେ ତୁମ ନିଜ ଅଭିଜ୍ଞତା କଥା କହୁଛ ବୋଧହୁଏ ।

 

ମୁଣ୍ଡ ନୁଆଇଁ ମିତା ଉତ୍ତର ଦେଲା—ଠିକ୍ ସେହିକଥା । ମୁଁ ଆଗରୁ ଭଲପାଇଥିଲି । କେବଳ ସେହି କଥାଟି ତୁମକୁ କହିବା ପାଇଁ ମନ ବଳାଇ ନାହିଁ । ତାହାର ନୂଆ ଚକଚକିଆ ମିଲିଟାରୀ ଇଉନିଫର୍ମ, ନୂତନକାଇଦା ଘେନି ଗୋରା ଅଫିସରମାନଙ୍କ ସହିତ ଆଡ଼୍ଡ଼ାଦେବା, କ୍ଳବରେ ଡିନ୍ନର, ଡାନସ୍ ମଧ୍ୟରେ ପ୍ରଜାପତିମାନଙ୍କ ସଙ୍ଗରେ ଉଡ଼ିବୁଲିବା—ଏଇ ସବୁକଥା ମୋ ଆଖି ଝଲସାଇ ଦେଇଥିଲା ଏବଂ ମନକୁ ମୋର ରଞ୍ଜିତ କରିଦେଇଥିଲା । ଏଇଥିରୁ ତୁମେ ବୁଝିପାରୁଥିବ, କାହିଁକି ମୁଁ ସେହି କ୍ଳବରେ କାମ କରୁଥିଲି ଏବଂ କାହିଁକି ପୁଣି ୱାକ୍.ଆଇ. ହୋଇ ଏଠାରେ ଆସି ବସିଅଛି ।

 

—କିନ୍ତୁ ମୁଁ ? ଏତିକି କହି ଦେବଳ ଚୁପ୍ ହୋଇଗଲା । ସତେକି ତା’ର ଆଉ କିଛି କହିବାର ନାହିଁ ।

 

ମିତା ହିଁ ଉତ୍ତର ଦେଲା—ବିଶ୍ୱାସ କର ଦେବଳ, ମୁଁ ତୁମ୍ଭଙ୍କୁ ଭଲ ପାଇବାକୁ ଇଚ୍ଛା କରିଥିଲି । ଅନେକ ଚେଷ୍ଟା ମଧ୍ୟ କରିଥିଲି । ମନକୁ ଅନେକ ବୁଝାଇଛି; ତଥାପି ତାକୁଇ ମୁଁ ବର୍ତ୍ତମାନ ସୁଦ୍ଧା ଭଲପାଏଁ ।

 

ଏକଥା ଶୁଣି ଦେବଳ ସ୍ତବ୍ଧ ହୋଇଗଲା । ଚୁପ୍ ହୋଇ ରହି ଏହି କଥାଗୁଡ଼ିକ ଶୁଣୁ ଶୁଣୁ କାହିଁକି ତା’ର କଣ୍ଠ ଶୁଖିଯାଉଛି, ସେ କଥା ବୁଝିପାରିଲା ନାହିଁ । ଜୀବନରେ ତା’ର ଗୋଟିଏ ମର୍ମାନ୍ତିକ ଆବିଷ୍କାର ହୋଇଗଲା, ସେ କଥା ସେ ବୁଝିପାରିଲା ନାହିଁ । କେବଳ ସେ ଚୁପ୍ ହୋଇ ରହିଲା ।

 

କିନ୍ତୁ ଚତୁର୍ଦ୍ଦିଗରେ ଯୁଦ୍ଧର ବାତାବରଣ, ମୃତ୍ୟୁର ନିମନ୍ତ୍ରଣ । ତାହାରି ମଧ୍ୟରେ ଜଣେ ଯୋଦ୍ଧାପାଇଁ ଜୀବନ ଘେନି ଅଭିସାର କରିବାପାଇଁ ସମୟ କାହିଁ ? ଦେବଳ ନିଜକୁ ସମ୍ଭାଳି ନେଲା-। ସମବେଦନାପୂର୍ଣ୍ଣ ସ୍ୱରରେ ପଚାରିଲା, କିନ୍ତୁ ଏବେ କଣ ତା’ ପାଖରୁ ଆଭାସ ପାଇଛ ?

 

ମୁଣ୍ଡ ନୁଆଁଇ ରଖି ମିତା ଉତ୍ତର ଦେଲା, ସେ ମୋତେ ଜାଣିଥିବା କଥା ମୁଁ ଜାଣେ; କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ମୋତେ ଭଲପାଇନି; ତଥାପି ଭଲ ପାଇପାରିବା ହିଁ ଯଥେଷ୍ଟ । ଭଗବାନଙ୍କ ନିକଟରେ ମୁଁ କେବଳ ଏତିକି ପ୍ରାର୍ଥନା କରିଆସିଛି ଯେ, ଯେପରିକି ମୋର ଏହି ସୌଭାଗ୍ୟ ଟିକକ ଅକ୍ଷୁନ୍ନ ରହେ । ସେ ମୋତେ ପ୍ରତିଦାନ ଦେଉ, ଏକଥା ପାଇଁ କେବେହେଁ ଦୟାମୟଙ୍କ ନିକଟରେ ପ୍ରାର୍ଥନା କରିନାହିଁ । ଭଲ ପାଇବାଟାହିଁ ହେଲା ଅସଲ ଜିନିଷ । ପ୍ରତିଦାନ ନ ମିଳିଲେ କ୍ଷତି ନାହିଁ ।

 

—ସେଥିପାଇଁ ବୋଧହୁଏ ମୋ ନିକଟରେ ସେ ସବୁକଥା ଖୋଲିକରି କହିନାହିଁ ? ମୋର ସ୍ଵପ୍ନ ଭାଙ୍ଗି ଦେବାକୁ ଚାହିଁନାହଁ ?

 

—ହଁ, ତାହାହିଁ ହେଲା ଏକମାତ୍ର କାରଣ । ମୁଁ ଦେଖିଲି, ତୁମର ମନଟି ଧୀରେଧୀରେ କେମିତିଭାବେ ଜଳସ୍ପର୍ଶ ଲାଭକରି ଆସ୍ତେ ଆସ୍ତେ ଚାରା ହୋଇ, ତତ୍ପରେ ଫୁଲିଫୁଲି ଦ୍ରୁମ ଆକାର ଧାରଣ କରିଛି । ତୁମର ବ୍ୟକ୍ତିତ୍ୱ ଏବଂ ମନୁଷ୍ୟତ୍ୱ ବିକଶିତ ହୋଇଉଠିଛି । ତେଣୁ ବାଧାଦେବା ଏବଂ ପଛକୁ ଠେଲି ରଖିବା ପାଇଁ ଚେଷ୍ଟା କରିବା ଅପରାଧ । ଯେଉଁ ଜିନିଷଟି ମୋର ଅନ୍ତରକୁ ଦହନ କରିପକାଇଛି, ସେଇ ଜିନିଷଟି ତୁମକୁ ସମୁଜ୍ଜ୍ୱଳ କରିଦେଇଛି । ଦେବଳ ? କେଉଁ ଅଧିକାର ଘେନି ମୁଁ ସେ ପ୍ରଦୀପଟିକୁ ଚାପିରଖିବି ? ନିଭାଇ ଦେବି ?

 

କହୁଁ କହୁଁ ମିତାର ସ୍ୱର ଏକାପ୍ରକାର ଅସ୍ପଷ୍ଟ ହୋଇ ଉଠିଲା । ଆଉ କିଛି ଶୁଭିଲା ନାହିଁ । ଦେବଳ ହାତରେ ଥିବା ଘଡ଼ିଟିର ଟୁକ୍‍ଟକ୍ ଶବ୍ଦ ବରଂ ତା’ଠାରୁ ବେଶି ଜୋରରେ ଶୁଣାଗଲା ।

 

ସେ ସ୍ୱର ଦେବଳ କାନରେ ପଡ଼ିଲା । ତରତର ହୋଇ ସେ ତାହା ଖୋଲି ଫିଙ୍ଗିଦେବାକୁ ବାହାରିଲା, ଏକଥା ମିତା ବୁଝିପାରି ବାଧାଦେଇ କହିଲା—ନା, ଥାଉ । ସେଇଟି ତୁମ ହାତରେ ହିଁ ଥାଉ । ମୋ କଥା ସେ ମନେ ପକାଇଦେବ—“ଆହେ, ଭଲଥାଇ, ସୁସ୍ଥଥାଇ ତୁମେ ଫେରିଆସ; “ତେବେଯାଇ ତୁମେ ନିଜପ୍ରତି ନଜର ରଖିବ । ଇଚ୍ଛାକରି ବିପଦ ମଧ୍ୟକୁ ଅଯଥା ଡେଇଁ ପଡ଼ିବ ନାହିଁ । ମୋତେ ଏକଥା ଜବାବ ଦିଅ, ଦେବଳ ! ମୋ ରାଣ—!

 

—ଆଚ୍ଛା, ଜବାବ ଦେଲି ମିତା ! କିନ୍ତୁ ଜବାବ ଦେଲେ ଯେ ତାହା ରଖିପାରିବି, ତାହାର ବା ଠିକଣା କଣ ଅଛି ? ଏ ଯୁଦ୍ଧରେ ଆମ୍ଭେମାନେ ହେଲୁ ମେସିନ୍ ସମ୍ମୁଖରେ ଠିଆ କରାଇଥିବା ପିତୁଳାପରି । ତୁମେ ବି ପ୍ରତିଶ୍ରୁତି ଦିଅ ଯେ, ଏହି ଫ୍ରଣ୍ଟରୁ ଅବିଳମ୍ବେ ପଛକୁ ହଟିଯିବାକୁ ଇଚ୍ଛା କରିବ । ଯାହାକୁ ତୁମେ ଭଲପାଅ, ଅନ୍ତତଃ ତାହାରି ପାଇଁ ତୁମକୁ ନିରାପଦରେ ରହିବାକୁ ପଡ଼ିବ । ହୁଏତ ଦିନେ ନା ଦିନେ ତୁମେ ତାକୁ ପାଇପାରିବ ।

 

ମ୍ଳାନସ୍ଵରରେ ମିତା ଉତ୍ତର ଦେଲା, —ସେକଥା ସମ୍ଭବ ନୁହେଁ, ଦେବଳ ! ମୁଁ ହେଲି “ବିଶେଷଜ୍ଞ, ସ୍ପେଶାଲିଷ୍ଟ,” । ଏହି ସବୁ ଯନ୍ତ୍ର ଚଳାଇବାପାଇଁ ଟ୍ରେନିଂ ନେଇଛି । ସେଇଥିପାଇଁ “ଫରଓ୍ୱାର୍ଡ଼” ଅଞ୍ଚଳରେ ଆଗୁଆ ଅଂଶକୁ ମୋତେ ଆସିବାକୁ ହୋଇଛି । ଅନ୍ୟ ଓ୍ୱାକ.ଆଇ.ମାନଙ୍କ ମଧ୍ୟରୁ ଯଦି କେହି ଫେରିବାକୁ ଚାହାନ୍ତି, ସେଥିପାଇଁ ସେମାନଙ୍କୁ ଅନୁମତି ଦିଆଯାଇପାରେ; କିନ୍ତୁ କୌଣସି ଛଳନାର ମୋର ଫେରିଯିବାର ବାଟ ନାହିଁ । ତୁମେମାନେ ଫେରି ନଯିବା ପର୍ଯ୍ୟନ୍ତ ସେ ପ୍ରଶ୍ନ ଉଠିପାରେନା । କିନ୍ତୁ ତୁମେ ହାରିଯାଅ, ଏ ଉଦ୍ଦେଶ୍ୟରେ ମୁଁ ପ୍ରାର୍ଥନା ବା କେଉଁ କାରଣ ଘେନି କରିବି ?

 

ଶବ୍ଦ ଧାରଣର ଯେଉଁ ଯନ୍ତ୍ରଟିର ଚାବି ମିତା ଖୋଲି ରଖିଥିଲା, ତହିଁରୁ ଶବ୍ଦ ଶୁଣାଗଲା–

 

—ଦୁଷ୍ମନ୍, କମାଣ୍ଡର ମେମ୍‍ସାହେବ, ଦୁଷ୍ମନ୍ ମେରା ହାତ୍ ପାଓ ପାକ୍କଡ଼ ରଖା ହେ, ଦୁଷ୍ମନ୍ ! ହୁସିଆର୍ ।

 

—ହେଇ ଯେ ହାବିଲ୍ଦାର୍ଟି ମୁହଁରୁ ବନ୍ଧନ ଖୋଲି ପକାଇଲାଣି । ଯାଏଁ, ବନ୍ଧୁକ ମାଡ଼ରେ ତାକୁ ଅଜ୍ଞାନ କରିଆସେ ।

 

ଏହିକଥା କହୁ କହୁ ଦେବଳ ଦୌଡ଼ିଯିବାକୁ ଆରମ୍ଭ କଲା । ମିତା ଡେଇଁପଡ଼ି ତା ସାମନାକୁ ଆସି ବାଟ ଓଗାଳି କହିଲା—ଖବରଦାର, ଭୁଲ୍ କର ନାହିଁ । ସେ ତୁମକୁ ଚିହ୍ନି ରଖିବ ଏବଂ ଅନ୍ୟ ସମସ୍ତେ ଜାଣିବେ ଯେ ତୁମେ ନିକଟରେ କୌଣସି ସ୍ଥାନରେ ଲୁଚି ରହିଛ । ଅଧଘଣ୍ଟାଏ ହୋଇ ଆସିଲା । ଶୀଘ୍ର ପଳାଅ, ଶୀଘ୍ର, ଆଉ ଡେରି କରନାହିଁ ।

 

ସଙ୍ଗେ ସଙ୍ଗେ ତା ପକେଟ ମଧ୍ୟରେ କିଛି ଖାଦ୍ୟଜିନିଷର ପ୍ୟାକେଟ୍ ଗୁଞ୍ଜିଦେଲା ଏବଂ ଗୋଟିଏ ପାଣି ବୋତଲ ମଧ୍ୟ । —ଭଗବାନ ତୁମର ମଙ୍ଗଳ କରନ୍ତୁ ଦେବଳ ! ତୁମେ ଭଲରେ ଥାଅ, ମୋର କଥା ମନେ ରଖିବ । ଯାଅ, ସଙ୍ଗେ ସଙ୍ଗେ ଚାଲିଯାଅ !

 

ନିଜ ହାତରେ ମିତା ଦେବଳକୁ ଅନ୍ଧକାର ମଧ୍ୟକୁ ଠେଲିଦେଲା । ସେହି ଅନ୍ଧକାର, ଯାହାକୁ ହାତଦ୍ଵାରା ଛୁଇଁ ହୁଏନା, ଯାହାକୁ ଆଖିଦେଇ ଦେଖି ହୁଏନା । କେବଳ ସାରାମନଟିକୁ ସେ ଆବୃତ୍ତ କରି ରଖେ, ସାରାଜୀବନ ବ୍ୟାପି ରହେ । ସେହି ଅନ୍ଧକାର ମଧ୍ୟରେ ନିଜେ ପଛକୁ ପଡ଼ିରହିଲା, ମିତା ।

 

ଆଉ ପଛକୁ ପଡ଼ିରହିଲା, ତା’ର ଆଖିର ପାଣି......ମନର କ୍ରନ୍ଦନ...... ।

 

ତେର

 

କିନ୍ତୁ କାନ୍ଦିବା ପାଇଁ ସମୟ କାହିଁ ?

 

ଅଯଥା ବିପଦମଧ୍ୟକୁ ଡେଇଁପଡ଼ିବ ନାହିଁ ବୋଲି ମିତା ନିକଟରେ ଦେବଳ ପ୍ରତିଶ୍ରୁତି ଦେଇଆସିଲା । ଫଳତଃ ତାକୁ ମିତା ନିକଟରୁ ଦୂରେଇ ଯିବାକୁ ପଡ଼ିବ । ଖାଲି ଯେ ଦୂରେଇଯିବାକୁ ପଡ଼ିବ, ସେତିକି ନୁହେଁ; ଆଉ ମଧ୍ୟ ସେ ଯେ ଏଠାକୁ ଆସିଥିଲା, ତା’ର ଚିହ୍ନ ଟିକକ ପର୍ଯ୍ୟନ୍ତ ଏକାବେଳେକେ ନିଶ୍ଚିହ୍ନ କରିଦେବାକୁ ପଡ଼ିବ, ଯଦ୍ଵାରା ମିତାଦଳର ଲୋକେ କିଛିମାତ୍ର ବୁଝିପାରିବେ ନାହିଁ । ଏ ଘାଟିକୁ ଶତ୍ରୁ ଆସିଥିବାର ଏକମାତ୍ର ପ୍ରମାଣ ରହିଲା, ସେଣ୍ଟ୍ରିନିକଟରେ; କିନ୍ତୁ ସେ ଯେ କେବଳ ସେଣ୍ଟ୍ରିଟିକୁ ବାନ୍ଧିପକାଇ ଫେରିଯାଇଛି, ଏକଥା ଓ.ପି.ର, ଅର୍ଥାତ୍ ନଜର ରଖିବାଘାଟିର କୌଣସି ଲୋକ ମନେକରିବେ ନାହିଁ; ହୁଏତ ମିତାକୁ ସମସ୍ତେ ସନ୍ଦେହ କରିବେ । ଜମାନବନ୍ଦୀ କରିବେ, ଇଣ୍ଟ୍ରୋଗେଶନ୍ ମଧ୍ୟ କରିପାରନ୍ତି; ବଙ୍ଗାଳୀଘର ଝିଅ ତ !

 

ଦେବଳ ଟିକିଏ ଚୁପ୍‍ ହୋଇ ରହିଲା । ସତେ ତ ! ମିତାର କ’ଣ ଘଟୁଛି; ସେକଥା ନଜାଣି ତା’ର ଚାଲିଯିବା ତ ଠିକ୍ ହେବନି !

 

କିନ୍ତୁ ନିଜେ ଯଦି ଧରାପଡ଼ିଯାଏ !

 

ତେବେ ମିତାସହିତ ତାହାର ଯୋଗସୂତ୍ର ଅଛି ଏଭଳି ସନ୍ଦେହ ଜାତହେବା ସ୍ଵାଭାବିକ ନୁହେ କି ? ମିତାକୁ ଇଂରେଜ ବିପକ୍ଷରେ “ଫଫ୍‍ଥକଲମିଷ୍ଟ”, (ଶତ୍ରୁ ପକ୍ଷର ଗୁଇନ୍ଦା) ବୋଲି ସନ୍ଦେହକଲେ ସର୍ବନାଶ । ପ୍ରମାଣର ଅଭାବ ପଡ଼ିବନାହିଁ । ଇଂରେଜ ‘ଇମରଜେନ୍‍ସି କମିଶନ୍ଡ଼ ଅଫିସର’ ଦେବଳ ସିଂ ଏବଂ ଆଇ ଏନ୍.ଏ. ର ଦେବଳ ଯେ ଏକାଲୋକ, ସେ କଥାଟି ସହଜରେ ବାହାରି ପଡ଼ିବ । ତା’ପରେ ତାହାକୁ ସାହାଯ୍ୟକରିବ, ରେଡ଼ିଓ ସାହାଯ୍ୟରେ ଦେବଳନିକଟକୁ ମିତା ଯେଉଁ ଖବର ଟିକକ ପଠାଇଥିଲା । ଆହୁରିମଧ୍ୟ ଏ ହାତଘଡ଼ିଟି କଅଣ କାହାରି ନଜରରେ ପଡ଼ିବ ନାହିଁ ? ଦୁହେଁ ପୁଣି ବଙ୍ଗାଳୀ । ସେଇ କଥା ତ ସବୁଠାରୁ ବଡ଼ ପ୍ରମାଣ ।

ନା, ଦେବଳକୁ ଆତ୍ମଗୋପନକରି ପଳାଇ ଯିବାକୁ ହେବ ।

କିନ୍ତୁ ମନ ? କିନ୍ତୁ ମନକୁ ଘୋଡ଼ାଇ ରଖିବ କିପରି ?

ତଣ୍ଟି ତା’ର ଶୁଖିଆସିଲା । ମିତା ଦେଇଥିବା ପାଣିବୋତଲରୁ ସେ ଢକ୍ ଢକ୍ କରି ଗୁଡ଼ିଏ ପାଣି ପିଇଗଲା, ତୃଷାର ବାରି । ମିତା, ତୁମେ ତ ମୋର ତୃଷାର ବାରି ! ମୁଣ୍ଡିଆ ଉପରୁ ଓହ୍ଲାଇ ଯାଉଯାଉ ଦେବଳ ନିଜକୁ ଏକପ୍ରକାର ସମ୍ଭାଳିନେଲା । ନା, ମିତା ତୃଷାର ବାରି ନୁହେ, ସେ ତୃଷାର୍ତ୍ତ ହୋଇପାରେ; କିନ୍ତୁ ମିତା ତ ତା’ପାଇଁ ଜଳ ଘେନି ଅପେକ୍ଷା କରିନାହିଁ ? ଯାହାପାଇଁ ସେ ଜଳପାତ୍ର ଧରିରଖିଛି, ସମ୍ଭବତଃ ସେ କେବେହେଲେ ତା’ ଆଡ଼କୁ ଆଖିଫେରାଇ ଚାହିଁବ ନାହିଁ । ପାଣି ପିଇବା ତ ଦୂରରକଥା ! ଅଥଚ ସେହି ଜଳ ପାନକରିବା ଲାଗି ଯେ ଚିରପିପାସିତ ଭାବେ ତାହାରି ଆଡ଼କୁ ଚାହିଁ ରହିଛି, ତା’ ନିକଟରେ ସେ ଜଳ କେବଳ ମରୀଚିକା ସହିତ ସମାନ ।

ମିତା ଶୁଣାଇଥିବା ସାନ୍ତ୍ଵନାବାଣୀ ତାହା ମନେ ପଡ଼ିଗଲା । ମିତା ଦେବଳର ଆଲୋକଟିକୁ ଘୋଡ଼ାଇ ରଖିନାହିଁ କିମ୍ବା ନିଭାଇ ଦେଇନାହିଁ । ଫଳପୁଷ୍ପ ଓ ବ୍ୟକ୍ତିତ୍ଵର ଗାରିମାରେ ତାକୁ ବିକଶିତ ହୋଇ ଉଠିବାକୁ ସେ ପ୍ରେରଣା ଦେଇଛି । ମିତା କେବଳ ସେତିକି ଦେଇଛି । ତାହାଠାରୁ ଆଉ ବେଶି କିଛି ନୁହେ । କେବଳ ମାୟା, ଛାୟା, କାୟା ନୁହେ । ମିତା ତା’ର ଜାୟା ହେବ ନାହିଁ ।

କିଶୋର ବୟସରେ ପଢ଼ିଥିବା କବିତା ତାର ମନେ ପଡ଼ିଗଲା ।

“ଯାହା ଦେଲେ ଫୁଲ କ୍ଷତି ନାହିଁ ତା’ର

ଅଥଚ ମୋହର ଲାଭ

ଚାହେଁ ମୁଁ କେବଳ ସେଇ ସଉରଭ

ଅତନୁ ଅତଳ ଭାବ ।”

ଏତେ ବିପଦ, ଏତେ ବ୍ୟସ୍ତତା ଓ ଉତ୍କଣ୍ଠାମଧ୍ୟରେ ମଧ୍ୟ ଦେବଳକୁ ହସ ମାଡ଼ିଲା । ପ୍ରକୃତରେ ମିତା ଠିକ୍ କହିଛି ଦେବଳ ଅସମ୍ଭବ ପ୍ରକାରର ‘ରୋମାଣ୍ଟିକ୍’ । ଏକଦମ୍ ‘ଫାନି’ କୁହାଯାଇପାରେ, ‘ଅନ୍ତତଃ ଅତଳ ଭାବ’, ହାୟ୍‍ହାୟ୍ ! କବିତାର ଭାବ—ବିଳାସ ମଧ୍ୟରେ ତୁମର ସବୁ ସମ୍ପର୍କକୁ ଘୋଡ଼ାଇ ରଖିବାକୁ ହେବ; ସଜାଇ ଦେବାକୁ ହେବ । ତାହାରି ବାହାରକୁ ଅଗ୍ରସର ହେବାକୁ ତୁମର କେବେ ଅଧିକାର ରହିବ ନାହିଁ । “ଅତନୁ”, ତପସ୍ୟାମଧ୍ୟରେ ମହାଦେବଙ୍କ ମନରେ ଚାଞ୍ଚଲ୍ୟ ଜନ୍ମାଇଥିବା ଅପରାଧରେ ମଦନ ଭସ୍ମ ହୋଇଗଲେ ଏବଂ ତାଙ୍କରି ନାମହେଲା ‘ଅତନୁ’ । କଥାଟି ସତେକି ଦେବଳ ମନରେ ନିଆଁ ଲଗାଇଦେଲା । ସେହି ଅଗ୍ନି ସାହାଯ୍ୟରେ ମଦନକୁ ଆଉଥରେ ଭସ୍ମ କରାଯାଇପାରେ । ଦେହଟାକୁ ଦେଶପାଇଁ ତୁମେ ଉତ୍ସର୍ଗ କରିଦେଇପାର; କିନ୍ତୁ ମନଟାକୁ କେବଳ ପ୍ରିୟା ପାଇଁ ଦେଇପାର ।

 

ନା, ତା ବି ତୁମେ ଦେଇପାରିବ ନାହିଁ । ଦେଶପାଇଁ ତୁମକୁ ସବୁ ଦେବାକୁ ପଡ଼ିବ । ଅନ୍ୟ ସବୁ କଥାରୁ ତୁମମନଟିକୁ ଫେରାଇ ଆଣିବାକୁ ପଡ଼ିବ । ଯାହାର ଏକମାତ୍ର ଆଦର୍ଶ ହେଲା ‘ସେବା’, ତହିଁରେ ଭାଗ ବସାଇଲେ ଚଳିବ ନାହିଁ । କୌଣସି ବିଚାର ଅଥବା ବିତର୍କ ମଧ୍ୟରେ ଅନ୍ୟ କିଛି କରାଯାଇ ପାରିବ ନାହିଁ ।

 

ଅବିଳମ୍ବେ ଦେବଳ ଜଙ୍ଗଲ ମଧ୍ୟକୁ ପଶିଗଲା । ଯନ୍ତ୍ରପାତିଗୁଡ଼ାକ ଯେଉଁଠି ଯାହା ଲୁଚାଇଥିଲା, ସେଗୁଡ଼ିକୁ ପୁଣିଥରେ ସଂଗ୍ରହ କରିନେଲା । ସେ ଭାବିଲା, ଥରେ ନିଜେ ବେତାରଯନ୍ତ୍ର ସାହାଯ୍ୟରେ ହେଡ୍‍କ୍ୱାଟର୍ସକୁ ଖବର ଦେବ ଯେ, ଏଠାରେ ଗୋଟିଏ ଏବଂ ଏଠାରୁ ପାଞ୍ଚମାଇଲ ଦୂରରେ ଆଉ ଗୋଟିଏ ସନ୍ଧାନୀଘାଟି ଶତ୍ରୁମାନେ ବସାଇଛନ୍ତି ।

 

କିନ୍ତୁ ଏ ଘାଟିରେ ମିତା ଅଛି ଯେ ? ତାହାର ନହେଲେ ମଧ୍ୟ ସେ ତ ମିତା ! ଖବର ବା ଦେବ କିପରି ?

 

ଗୋଟିଏ ଦିଗରେ ନିଜେ, ନିଜର ଦଳ—ଆଜାଦ୍ ହିନ୍ଦ୍ ସୈନ୍ୟଦଳ ଓ ଦେଶ, ଅନ୍ୟଦିଗରେ ମିତା । କେବଳ ମିତା, ତା’ନିଜର ମିତା ନହେଲେ ମଧ୍ୟ ‘ମିତା’ ।

 

ମୁଣ୍ଡ ଉପରେ ଅନନ୍ତ ଆକାଶ ଅନ୍ଧକାର ମଧ୍ୟରେ ଅଦୃଶ୍ୟ । ଗୋଟିଏ ମାତ୍ର ତାରା କଅଣ ତା’କୁ ଇଙ୍ଗିତ ଦେଇପାରିବ ? ଆଲୋକ ଟିକିଏ ଦେଇ ପାରିବ ? ଚାହୁଁ ଚାହୁଁ ନିମିଷକମଧ୍ୟରେ ଗୋଟିଏ ଉଲ୍‍କା କେଉଁଆଡ଼ୁ ଆସି କେଉଁଆଡ଼େ ଉଭାଇଗଲା ।

 

ଏହି ରାତିଟାରେ ମଧ୍ୟ ଦେବଳର ସାରାଦେହ ଝାଳରେ ବୁଡ଼ିଗଲା—ଭଗବାନ୍ ହେ ? ବାଟ ଦେଖାଅ । କଅଣ କରିବା ଉଚିତ୍, କହିଦିଅ ? କିଏ ବଡ଼ ଏବଂ କାହାପ୍ରତି ବିଶ୍ୱାସଘାତକତା କରିବି, ତାହା କହିଦିଅ ।

 

ବିଶ୍ୱାସଘାତକତା ! ସେ ତ କେବଳ ଗୋଟିଏ ପକ୍ଷ ପାଇଁ କରାଯାଇପାରେ । ସେ ଆଜାଦ୍ ହିନ୍ଦ୍ ସୈନ୍ୟ ହିସାବରେ ଶପଥଗ୍ରହଣ କରିଛି ଯେ, ଦେଶକୁ ସ୍ୱାଧୀନ କରାଇବାକୁହିଁ ହେବ; କିନ୍ତୁ କେବେହେଲେ ସେ ମିତାର ଦେହଛୁଇଁ ନିୟମ କରିନାହିଁ ଯେ, ସୁଖ ଦୁଃଖରେ ଜୀବନ ମରଣରେ ତା’ର ଯତ୍ନ ନେବବୋଲି ! ଆଉ ମିତା ମଧ୍ୟ ତାକୁ ସେ ଦାୟିତ୍ୱ ଦେଇନାହିଁ । ଦାୟିତ୍ୱ ଦେଲାଭଳି ସ୍ତ୍ରୀ ଲୋକ ସେ ତ ନୁହେ । ଦେବଳର କର୍ତ୍ତବ୍ୟ, ମାତ୍ର ଗୋଟିଏ ଦିଗକୁ ଉଦ୍ଦିଷ୍ଟ । ମିତା ପ୍ରତି ବିଶ୍ୱାସ ନଷ୍ଟ କରିବାପାଇଁ କିଛି ସେ କରିବ ନାହିଁ ।

 

ତଥାପି ?

 

ନିଜ ମନକୁ ସେ ବୁଝାଇବାକୁ ଚେଷ୍ଟାକଲା । ମିତା ତ ଖାଲି ମିତା ନୁହେଁ, ଶତ୍ରୁପକ୍ଷରେ ସେ “ଓ୍ୟାକ୍ ! ଆଇ” । ଖାଲି ସେ ସେମାନଙ୍କର ସହଚାରିଣୀ ନୁହେଁ, ‘ଓ୍ୟାକ୍–ଆଇ’ର ସାଧାରଣ କାମଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇ ସେ ଆସିଛି । ସାଧାରଣ ସୈନ୍ୟ ବା ଅଫିସରଙ୍କ କାର୍ଯ୍ୟଠାରୁ ତାହାର ଦାୟିତ୍ୱ ଢେର୍‍ ବେଶୀ । ତା’ରି କର୍ତ୍ତବ୍ୟ ଉପରେ ଶତ୍ରୁପକ୍ଷର ଗତିବିଧି ନିର୍ଭର କରୁଛି । ସେ ଖାଲି ମିତା ନୁହ, ସେ ହେଉଛି ଶତ୍ରୁ । ଏକା ଦେବଳର ନୁହ, ଦେଶର ମଧ୍ୟ ଶତ୍ରୁ ।

 

ତଥାପି ?

 

ପୁଣି ସେ ନିଜକୁ ବୁଝାଇଲା । ଗୋଟିଏ ମିତାଗଲେ ଇଂରେଜମାନଙ୍କୁ ହଜାରଜଣ ବେତାର କର୍ମୀ ମିଳିବେ; କିନ୍ତୁ ଦେବଳ ଗଲେ ଆଜାଦ୍ ଦଳରେ ଆଉ ଜଣେ ଦେବଳ ମିଳିବ ନାହିଁ । ବାଟଘାଟରେ ବେତାରଯନ୍ତ୍ର ଚଳାଇ ଖବର ପଠାଇବାର ଶିକ୍ଷା ଓ ତାଲିମ୍ ଆଉ କାହାର ଅଛି ? ସେ କଥା ତେଣିକି ଥାଉ, ଏଇ ଏକମାତ୍ର ବେତାର ଯନ୍ତ୍ରଟି ଯଦି ଚାଲିଯାଏ, ତେବେ କେତେଗୁଡ଼ିଏ ଟହଲଦାର ଦଳ ଏକାବେଳକେ ଅକର୍ମଣ୍ୟ ହୋଇପଡ଼ିବେ । ମିତାର ନିରାପତ୍ତା ଉପରେ ଇଂରେଜପକ୍ଷର ଏମିତି କିଛି ଯାଏ ଆସେ ନାହିଁ; କିନ୍ତୁ ଦେବଳ ଧରାପଡ଼ିଗଲେ ଅଥବା କର୍ତ୍ତବ୍ୟନିଷ୍ଠ ନହେଲେ ଏ ଅଭିଯାନଟା ଭୀଷଣ କ୍ଷତିଗ୍ରସ୍ତ ହେବ । ବ୍ୟାଟେରୀ ସାଙ୍ଗରେ ବେତାରଯନ୍ତ୍ରର ତାରଗୁଡ଼ିକ ଠିକ୍ଭାବେ ଲାଗିଛି କି ନାହିଁ, ତାହା ପରୀକ୍ଷା କରିନେବା ଲାଗି ଦେବଳ ଚଞ୍ଚଳ ହୋଇଉଠିଲା । ଯୁଦ୍ଧଭୂମିକୁ ଆସି ଦୋ–ଦୋ–ପାଞ୍ଚ ହେବା ସର୍ବନାଶର କଥା । ଏତେ ଭାବିଚିନ୍ତି ଗୁଳି ମରାଯାଏ ନାହିଁ । ତର୍କ କରି ବସିଲେ ସୈନ୍ୟହେବା ଅସମ୍ଭବ ହୋଇପଡ଼େ । ଦେବଳ ବୀର । ସେ ବୀରତୁଲ୍ୟ ତାହାର କର୍ତ୍ତବ୍ୟ ସମ୍ପାଦନ କରିଯିବ । କର୍ତ୍ତବ୍ୟ କରୁ କରୁ ଯଦି ସେ ଧରାପଡ଼ିଯାଏ ବା ମରିଯାଏ, ତେବେ ସେଥିରେ ଦୁଃଖ କରିବାର କାରଣ କ’ଣ ଅଛି ?

 

ଧରା ପଡ଼ିବ ! କାହିଁକି ? ମିତା କଅଣ ତାକୁ ଧରାଇ ଦେଇ ପାରିନଥାନ୍ତା ! ବର୍ତ୍ତମାନ ସୁଦ୍ଧା ସେ ଯଦି ଇଚ୍ଛାକରେ, ତେବେ ନିଜ କୋଠରୀମଧ୍ୟରେ ବସି ଅତି ଆଧୁନିକ ଯନ୍ତ୍ରଟିକୁ ଚଳାଇ ଦେଲେ, ଦେବଳର ଚାରିପାଖରୁ ଅନୁସନ୍ଧାନକାରୀ ଦଳ ଘେରିଯିବେ । ଦେବଳ ଜାଣେ ଯେ ମିତା ଏପରି କଥା କେବେହେଲେ କରିବ ନାହିଁ । ତେବେ ମିତାପ୍ରତି ଦେବଳର କଅଣ କର୍ତ୍ତବ୍ୟ ନାହିଁ ? ଗୋଟିଏ ସୈନିକପ୍ରତି ଆଉଜଣେ ସୈନିକ କିଭଳି ଭାବରେ ବ୍ୟବହାର କରିବ, ସେଥିଲାଗି, ଗୋଟିଏ ଅ–ଲିଖିତ ରୀତିଅଛି । “ଆପନା ଇମାନ୍” ନିଜର ମର୍ଯ୍ୟାଦା ବଜାୟ ରଖିବା ଫଉଜ ମଧ୍ୟରେ ସବୁଠାରୁ ବଡ଼କଥା, “କୋର୍ଡ଼୍ ଅଫ୍ ଅନର୍” ।

 

ଭିତରର ଜ୍ୱାଳା ଅସହ୍ୟ । ଏଇ ଦିଗରେ ସୈନିକ ହିସାବରେ ନିଜର କର୍ତ୍ତବ୍ୟବୋଧ ଏବଂ ଅନ୍ୟ ଦିଗରେ ନିଜର ‘ଇମାନ୍’ । ମିତା କଥା ଛାଡ଼ିଦିଅ । ହୃଦୟର କଥାକୁ ହିସାବକୁ ନ ଆଣ-। କେବଳ ସ୍ୱାର୍ଥ; କର୍ଣ୍ଣେଲ୍ ଦେବଳ ସିଂହ ଦିଗରୁ କଥାଟାକୁ ବିଚାର କରାଯାଉ; ତଥାପି କୌଣସି ମୀମାଂସା ତ ହୋଇପାରୁନାହିଁ !

 

ତାରଗୁଡ଼ିକୁ ଦେବଳ ସଙ୍ଗେସଙ୍ଗେ ଯଥାସ୍ଥାନରେ ଲଗାଇଦେଲା । –ଆଚ୍ଛା, ଏଥର... ?

 

—ଆଚ୍ଛା, ମୁଁ ଏଥର ଖବରଟା ପଠାଇବାକୁ ଯାଉଛି । ତାହା ତ ପୁଣି ମୁଣ୍ଡିଆ ଉପରେ ଥିବା ବେତାରଯନ୍ତ୍ର ମଧ୍ୟରେ ପ୍ରତିଧ୍ୱନିତ ହୋଇଉଠିବ ! ମିତା ଦେବଳକୁ ବଞ୍ଚାଇବା ପାଇଁ ଯନ୍ତ୍ରଟିକୁ ଖୋଲିରଖିଥିଲା, ଯଦ୍ଵାରା ହଠାତ୍ କୌଣସି ଦଳ ଅଜଣାଭାବେ ମୁଣ୍ଡିଆ ଉପରକୁ ଆସି ନ ପଡ଼ନ୍ତି । ବର୍ତ୍ତମାନ ସାମାନ୍ୟ କେତେମିନିଟ ପରେ ଦେବଳର ରକ୍ଷାକାରିଣୀକୁ ଭୟଙ୍କର ବିପଦରେ ପକାଇବାଭଳି ଧ୍ଵନିତ ହୋଇଉଠିବ । ତେତେବେଳେ ମିତା କଣ ଭାବିବ ? ତା’ର ମୁଖଟି କି ରୂପ ଧାରଣକରିବ ? ବୀର ମୋର ?

 

ହଁ, ଅବଶ୍ୟ ବୀର, ନିଶ୍ଚୟ ବୀର, ନିଜର ଦେଶ ପାଇଁ, ନିଜର ଆଦର୍ଶ ପାଇଁ ଯେ ନିଜର ପ୍ରିୟାକୁ ବଳିଦେବା ପାଇଁ ପ୍ରସ୍ତୁତ, ତା’ଠାରୁ ବଳି ବଡ଼ ବୀର ଦୁନିଆଁରେ ଆଉ କିଏ ଅଛି ?

 

ଉଚିତ କଥା, ଏହିଭଳି ଭାବେ ଦେଶ ବଡ଼ ହୁଏ ଓ ସ୍ଵାଧୀନତା ପାଇଥାଏ । ନିଜର ସୁଖସ୍ଵାଚ୍ଛନ୍ଦ୍ୟକୁ ଉତ୍ସର୍ଗ କରି ଜାତିକୁ ଉନ୍ନତ୍ତ କରିବାକୁ ହୋଇଥାଏ । ଦଧୀଚି ମଧ୍ୟ ନିଜର ଅସ୍ଥିଦ୍ଵାରା ଅସ୍ତ୍ର ପ୍ରସ୍ତୁତ କରାଇଥିଲେ, ନିଜର ଜାତିକୁ ଜୟ କରାଇବା ପାଇଁ—ଦେବଳ, ପ୍ରସ୍ତୁତ ହୋଇଯାଅ । ମନେ କରିନିଅ ଯେ, ତୁମେ ମନୁଷ୍ୟ ନୁହ, ଗୋଟିଏ ମେସିନ୍ ।

କିନ୍ତୁ ମେସିନ୍ ଚଳାଇବା ସମ୍ଭବ ହେଲାନାହିଁ । ଅଦୂରରେ ଆଲୋକ ଦେଖାଗଲା । ପ୍ରଥମେ ତାକୁ ସନ୍ଧାନ କରିବାକୁ ହେବ । କିଛି ଦୂର ଚାଲିଚାଲି ଯିବାପରେ ଜଙ୍ଗଲ ମଧ୍ୟରେ ମଡ଼ ମଡ଼ ହୋଇ ଶବ୍ଦ ଶୁଣାଗଲା, ମନୁଷ୍ୟ ପାଦର ଶବ୍ଦ । ଶୁଖିଲା ପତ୍ର, ବାଉଁଶ ବଣ । ଏଇସବୁ ସତେକି ତାହାରି ଚାପ୍‍ ରେ ପେଷି ହୋଇଯାଉଛି । ଏଭଳି ସମୟରେ ବେତାର ଯନ୍ତ୍ରର କାର୍ଯ୍ୟ ଆରମ୍ଭ କରିବା ଠିକ୍ ହେବନାହିଁ । ତାକୁ ଅଦୂରରେ ଥିବା ପାଣି ଚବକା ନିକଟରେ ମାଟି ଘୋଡ଼ାଇ ଦେଇ ଅତି ସାବଧାନରେ ଶବ୍ଦ ଆସୁଥିବା ଦିଗକୁ ଲକ୍ଷ୍ୟରଖି ଦେବଳ ଚାଲିବାକୁ ଲାଗିଲା ।

କିଛିଦୂର ଅଗ୍ରସର ହେବାପରେ ଦେବଳ ବୁଝିପାରିଲା ଯେ, ଗୋଟିଏ ଗଣ୍ଡଗୋଳ ଘଟିବ । ଜଙ୍ଗଲର ସେ ପାଖକୁ ଗୋଟିଏ ମଣିପୁରୀ ଗ୍ରାମ । ଖୁବ୍ ସମ୍ଭବ, ଅତି ଛୋଟ । ଜଣେ ସିପାହୀ ସେ ଦିଗକୁ ଅଗ୍ରସର ହୋଇଚାଲିଛି । ପୋଷାକରୁ ମନେହୁଏ, ସାଧାରଣ ପଦାତିକ ସିପାହୀ, ଆତ୍ମଗୋପନ କରି ଅବାଟରେ ଚାଲିଛି । ଲୁଚାଚୋରା ଭାବେ; ହୁଏ ତ ଗୋଟିଏ ଖରାପ ଉଦ୍ଦେଶ୍ୟ ନେଇ ସେ ଚାଲିଛି ।

ଏପରି ଅବସ୍ଥାରେ ତା’ର ପିଛାଧରିବା ଦେବଳ ପକ୍ଷେ ଠିକ୍ ହେବନାହଁ । ତା’ର ଯଦି କୌଣସି ଖରାପ ଉଦ୍ଦେଶ୍ୟ ଥାଏ, ତେବେ ତହିଁରେ ବାଧାଦେଇ ଦେବଳର କିମ୍ବା ଆଜାଦ୍ ହିନ୍ଦ୍ ଦଳର କିଛି ଉପକାର ହେବନାହିଁ । ବରଂ ସେମାନେ ଲୋକଙ୍କ ନିକଟରେ ଯେତେ ଖରାପ ବୋଲି ପ୍ରମାଣିତ ହେବେ, ଦେବଳ ପାଇଁ ତାହା ସେତେ ସୁବିଧା । ବାଧାଦେଲେ ମଧ୍ୟ ଭବିଷ୍ୟତରେ କାହାର କଣ ଲାଭହେବ ? ଗାଁ ଲୋକେ ଯଦି ଦେବଳକୁ ଧରିପକାଇ ଶତ୍ରୁହାତରେ ଦେଇଦିଅନ୍ତି, ତେବେ ସେମାନଙ୍କୁ ମୋଟା ରକମର ବକ୍‍ସିସ୍ ମିଳିବ । ଆଉମଧ୍ୟ ଯେଉଁମାନେ ଲୁଚା ଚୋରାରେ ଆଇ ଏନ୍.ଏ. ମାନଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି, ସେମାନେ ମଧ୍ୟ ବହୁଲୋକଙ୍କ ମଧ୍ୟରେ କାଳେ କିଏ ଜାଣିପାରିବ, ଏହି ଭୟରେ ସାଧୁପାଲଟି ଯିବେ । ହାତପାହାନ୍ତିରେ ଇଂରେଜ କର୍ମଚାରୀମାନେ ଅଛନ୍ତି । ରାଜାଙ୍କପ୍ରତି ଆନୁଗତ୍ୟ ପ୍ରକାଶ କରିବା ପ୍ରଜାର କର୍ତ୍ତବ୍ୟ । ତାହା ଉପରେ ପୁଣି ଉପୁରି ପାଉଣା ଭାବରେ ବକସିସ୍ ମଧ୍ୟ ପାଇଯିବେ । ନା, ଏଭଳି କଚ୍ଚାକାମରେ ସେ ହାତ ଦେବନାହିଁ ।

ତେବେ ଦେବଳ ଓରାଉଣ୍ଡିବା ପାଇଁ ଅପେକ୍ଷା କରି ରହିଲା । ସିପାହୀଟି ରାତାରାତ୍ ଫେରିଆସିବ । ହୁଏ ତ ସଙ୍ଗେ ସଙ୍ଗେ ଫେରିବ । ଚୋର ବଣ ଜଙ୍ଗଲ ମଧ୍ୟରେ ଚଲାବୁଲା କରେ । ତେଣୁ ଏଇ ଜଙ୍ଗଲବାଟେ ସେ ଫେରିଲାବେଳକୁ ତାହାରି ଇଉନିଫର୍ମଟା ତା’ଠାରୁ କାଢ଼ିନେଲେ କାମରେ ଲାଗିବ । ବର୍ତ୍ତମାନସୁଦ୍ଧା ଶତ୍ରୁପକ୍ଷର ଗୋଟିଏ ମାତ୍ର ଇଉନିଫର୍ମ ଯୋଗାଡ଼ ହୋଇପାରି ନାହିଁ । ଆହୁରି ମଧ୍ୟ ନୂଆମଡ଼େଲ୍ ର ରିଭଲଭର ଓ କିଛି ଗୁଳି ମିଳିଯିବାର ଆଶା ଅଛି ।

କିନ୍ତୁ ଏ ରାହାଯାନି କାରବାରଟା ଗାଁ ପାଖରେ କଲେ ସୁବିଧା । ଜଙ୍ଗଲ ମଧ୍ୟରେ ଏହାର ଅର୍ଥ ଅନ୍ୟପ୍ରକାର ହେବ । ମୁଣ୍ଡିଆତଳେ ହାବିଲ୍‍ଦାରକୁ ବାନ୍ଧି ଦିଆଯାଇଛି । ସେ ଘଟନାଟିକୁ ଏ ଘଟାନାଟି ମିଳାଇ ଶତ୍ରୁପକ୍ଷ ଠିକ୍‍ କରିନେବେ ଯେ, ନିଶ୍ଚୟ କୌଣସି ଆଇ. ଏନ୍. ଏ. ବା ଜାପାନୀ ଲୋକ ଚଢ଼ାଉ କରିଛନ୍ତି । ଆଉମଧ୍ୟ ସ୍ଥିର କରିନେବେ ଯେ ଉକ୍ତ ଆକ୍ରମଣକାରୀ ନିଶ୍ଚୟ ନିକଟରେ କୌଣସିଠାରେ ଅଛି । ତେଣୁ ସେମାନେ କଡ଼ାକଡ଼ି ଭାବେ ଖାନତଲାସି ଆରମ୍ଭ କରିଦେବେ ।

 

ଗ୍ରାମ ନିକଟରେ ହୋଇଥିଲେ ସେମାନେ ହୁଏତ ମନେକରିବେ ଯେ ବଦ୍‍ମାସୀ ହୋଇଥିବା ହେତୁ ଗ୍ରାମର କେହି ଲୋକ ଏଭଳି କାର୍ଯ୍ୟ କରିଛି । ତେଣୁ ସୈନିକଟିର କୁକୀର୍ତ୍ତିମୂଳକ ଘଟଣାଟିକୁ ଘୋଡ଼ାଇ ପକାଇବାକୁ ଚେଷ୍ଟା କରିବେ । ଆଉଗୋଟିଏ କଥା ହେଉଛି, ସେମାନେ ଯଦି ଦଳବଦ୍ଧ ହୋଇ ଗ୍ରାମଟି ଉପରେ ଅତ୍ୟାଚାର ଆରମ୍ଭ କରିଦିଅନ୍ତି, ତେବେ ଆଜାଦ୍‍ ଦଳଙ୍କୁ ଅଦୂର ଭବିଷ୍ୟତରେ ଅଭ୍ୟର୍ଥନା କରିନେବାକୁ ଗ୍ରାମବାସୀମାନେ ଆଗଭର ହୋଇଆସିବେ, ଏବଂ ଆଜାଦ୍ ହିନ୍ଦ୍ ଦଳର ଇଲାକା ବଢ଼ିଯିବ ।

 

ମୋଟକଥା, ଖଣ୍ଡେ ଇଉନିଫର୍ମ ତା’ର ନିତାନ୍ତ ଦରକାର । ନୋହିଲେ କୌଣସି ନା କୌଣସି ସମୟରେ ଶତ୍ରୁ ଇଲାକା ମଧ୍ୟରେ ସେ ଧରାପଡ଼ିଯାଇପାରେ । ଏକଦମ୍ ବ’ମାଲ ।

 

ବ’ମାଲ କଥା ଭାବୁ ଭାବୁ ମୁଣ୍ଡିଆ ଉପରେ ଥିବା ଓ.ପି. ବିଷୟରେ ଏପର୍ଯ୍ୟନ୍ତ ଖବର ପଠାଯାଇପାରି ନାହିଁ ବୋଲି ତା’ର ମନେପଡ଼ିଗଲା । ସେତେବେଳକୁ ଦେବଳର ମୁଣ୍ଡ ଅନେକ ପରିମାଣରେ ଥଣ୍ଡା ପଡ଼ି ଆସିଥାଏ । ଏଣେତେଣେ ଗୋଟାଏ ଦୁଇଟା ଓ. ପି. ବସାଯାଇଛି । ସେଇଟା କ’ଣ ଏମିତି ବଡ଼କଥା ? ଶତ୍ରୁ ଇଲାକା ମଧ୍ୟରେ ଏଇପରି ବହୁସଂଖ୍ୟକ ଓ. ପି. ନିଶ୍ଚୟ ବସାଯାଇଥିବ । ତାହା ତ ସ୍ଵାଭାବିକ୍ । ଏଭଳି ଛୋଟ ଛୋଟ ଖବର ପଠାଇ ବେତାର ଯନ୍ତ୍ରର ବ୍ୟାଟେରୀ ଖର୍ଚ୍ଚ କରିପକାଇଲେ ଚଳିବ କିପରି ? ବ୍ୟାଟେରୀକୁ ପୁଣି ଚାର୍ଜ କରାଇ ନେବାପାଇଁ କୌଣସି ଯନ୍ତ୍ର ଆଇ. ଏନ୍. ଏ. ର ଫରଓ୍ୟାର୍ଡ଼ ଇଉନିଟରେ କାହାରି ପାଖରେ ନାହିଁ; ତେଣୁ ଯେଉଁ ସାମାନ୍ୟ ମାଲମସଲା ସଙ୍ଗରେ ଅଛି, ତାକୁ ବାଜେ ଖର୍ଚ୍ଚ ନକରି ରଖିଥୋଇ ଖର୍ଚ୍ଚ କରିବାକୁହିଁ ପଡ଼ିବ । ଯଦି ଗୋଟାଏ ବଡ଼ ଧରଣର ସୈନ୍ୟଦଳର ଚଳାଚଳ ସମ୍ବନ୍ଧରେ ଖବର ଦେବାର ଦରକାର ପଡ଼ନ୍ତା, ତେବେ ବି ତା’ର କୌଣସି ସାର୍ଥକତା ଘଟନ୍ତା ।

 

ଗୋଟାଏ ଦୁଇଟା ସନ୍ଧାନୀ ଘାଟିର ସନ୍ଧାନ ପଠାଇଲେ ହେଡ଼କ୍ୱାଟର୍ସର ବା’ କି ଲାଭ ହେବ ? ଆମେରିକାନମାନଙ୍କ ଲିବାରେଟର୍ ଉଡ଼ାଜାହାଜ ପରି ଏମାନଙ୍କର ତ କିଛି ନାହିଁ । ଥିଲେ ଅବା, ସଙ୍ଗେ ସଙ୍ଗେ ଉପରଆଡ଼ୁ ରସଗୋଲା ପରି କେତେଗୁଡ଼ିଏ ବୋମା ଟପ୍‍ଟାପ୍ ପକାଇ ଦେଇହୁଅନ୍ତା......।

 

ଭାବିଲାବେଳକୁ ଦେବଳର ଦେହ ଶୀତେଇ ଉଠିଲା । ଏସବୁ ହେଲା, ସାଙ୍ଘାତିକ ଚିନ୍ତା-। ମିତା ! ମିତା !

 

ହଁ, ଦେବଳ ନିକଟରେ ଏତେବେଳକେ ଘଟନାଟି ପ୍ରକୃତ ରୂପ ନେଇ ଦେଖାଦେଲା । ମିତା ଶତ୍ରୁପକ୍ଷର ଓ.ପି.ରେ ରହିଛି, ଏଇକଥାଟି ଦେବଳ ନିକଟରେ ଅତିଶୟ ଭାବନାର ବିଷୟବସ୍ତୁ ତୁଲ୍ୟ ପ୍ରତୀୟମାନ ହେଲା । ତା’ ମନମଧ୍ୟରେ ଏତେଗୁଡ଼ିଏ ଦ୍ଵନ୍ଦ୍ଵ ଉପୁଜୁଛି ଏବଂ ସବୁରି ମୂଳରେ ରହିଯାଉଛି, ମିତା । ‘ଢାଲତରୁଆଲ୍ କିଛି ନାହିଁ, ନିଧିରାମ ସରଦାର’ । କେବଳ ଗୋଟିଏ ଓ. ପି. ର ଖବର ବେତାର ଯନ୍ତ୍ରରେ ପଠାଇ ଆଇ. ଏନ୍. ଏ. ର କିଛି ଲାଭ ହେବ ନାହିଁ । ଦେବଳର ମନ ଧୀରେ ଧୀରେ ସୁସ୍ଥ ହୋଇଆସିଲା ।

 

ଶିକାରୀ ବାଘ ପରି ଦେବଳ ଜଙ୍ଗଲଧାରକୁ ଛକି ବସିଲା । ଶିକାରଟି ତା’ର ଆୟତ୍ତକୁ ଆସୁ ତ ! ତେଣିକି ବେଶିଟିକେ ବେପରୁଆ ଭାବେ ଖବର ଯୋଗାଡ଼ କରି ନେବାପାଇଁ ସହଜ ହେବ ।

 

ହଠାତ୍ ଗୋଟାଏ ଚିତ୍କାର ଶୁଣାଗଲା । ନାରୀ କଣ୍ଠ । ଚିତ୍କାରଟା ବୋଧହୁଏ ପୂରାପୂରି କଣ୍ଠରୁ ବାହାରୁ ନାହିଁ । ଝିଅଟିର ମୁହଁକୁ ନିଶ୍ଚୟ ଚାପିଧରି ରଖାଯାଇଛି । ତାକୁ ବଞ୍ଚାଇବା ପାଇଁ ଦେବଳ ତୀରବେଗରେ ସମ୍ମୁଖକୁ ଦଉଡ଼ିଗଲା । ପଛରେ ତା’ର ପଡ଼ିରହିଲା......ଭାବିଚିନ୍ତି ସାବଧାନ ହୋଇ ମାପଚୁପ କରି ପାଦ ପକାଇବାର ଭାବନା ।

 

ଅନ୍ଧକାର ମଧ୍ୟରେ ଏଇ ଛୋଟ ଗାଁଟିକୁ ଦେବଳ ଠଉର କରିପାରୁନଥିଲା । ଗ୍ରାମଟି ଏକାବେଳକେ ପରିତ୍ୟକ୍ତ । କୌଣସି ଘରେ ଗୋଟିଏ ହେଲେ ଜନମାନବ ନାହିଁ । ବୋଧହୁଏ ମିଲିଟାରି ଲୋକେ ମୁଣ୍ଡିଆ ଉପରେ ଆସ୍ଥାନ ଜମାଇବା ଜାଣିପାରି ଭୟରେ ସମସ୍ତେ ପଳାଇ ଯାଇଛନ୍ତି ।

 

ଗୋଟିଏ ଅସହାୟ ଝିଅ ବୋଧହୁଏ ପଳାଇ ଯାଇପାରି ନାହିଁ ।

 

କିନ୍ତୁ ତା’ର କଣ କେହି ଆତ୍ମୀୟ ସ୍ୱଜନ ନାହାନ୍ତି ! ନୋହିଲେ ଗୋଟିଏ ମାତ୍ର ସିପାହୀ ଘର ଭାଙ୍ଗି ପଶି ଏଭଳି ଅତ୍ୟାଚାର କରିବାକୁ ଚେଷ୍ଟା କରିପାରନ୍ତା କି ?

 

ଏସବୁ କଥା ଭାବିବା ପାଇଁ ଦେବଳର ସମୟ ନାହିଁ । ସିପାହୀଟି ଦେବଳ ଆଡ଼କୁ ଦଉଡ଼ି ଆସିଲା । ହାତରେ ତା’ର ଗୋଟାଏ ‘ଟମିଗନ୍’ । ଦେବଳ ତା’ର ବନ୍ଧୁକ ନଳୀ ଉପରକୁ ଦୁମ୍‍କରି ଗୋଟାଏ ବେତଚୌକି ଫିଙ୍ଗିଲା । ବନ୍ଧୁକଟି ଲକ୍ଷ୍ୟଭ୍ରଷ୍ଟ ହେଲା ଏବଂ ସଙ୍ଗେ ସଙ୍ଗେ ଦେବଳ ସିପାହୀଟିକୁ ଆକ୍ରମଣ କଲା । ଦୁଇଜଣଙ୍କ ମଧ୍ୟରେ ଭୀଷଣ ଧସ୍ତାଧସ୍ତି ଆରମ୍ଭ ହୋଇଗଲା ।

 

ବହୁଦିନ ହେଲା ଅର୍ଦ୍ଧଭୁକ୍ତ ରହି ରାତିସାରା ଲୁଚି ଲୁଚି ମାର୍ଚ୍ଚ କରି ଦୁର୍ବଳ ହୋଇ ପଡ଼ିଥିବା ଆଜାଦୀ ଦଳର ଦେବଳ ଗୋଟିଏ ପାଖରେ ଏବଂ ଅନ୍ୟପାଖରେ ସାମରିକ ନିୟମ ଅନୁସାରେ ରେଶନ୍ ଓ ବିଶ୍ରାମ ମିଳୁଥିବା ହୃଷ୍ଟପୁଷ୍ଟ ତେଜିୟାନ ସିପାହୀ । ଏ ଦୁହିଙ୍କ ମଧ୍ୟରେ କେତେବେଳେ ଆଉ ଯୁଦ୍ଧ ଚାଲିପାରେ ? କିନ୍ତୁ ଜାପାନୀ ବନ୍ଦୀ ଶିବିରରେ ଥାଇ ଦେବଳ ଜାପାନୀମାନଙ୍କଠାରୁ ଯେଉଁ ଯୁଯୁତ୍ସୁ ବିଦ୍ୟାଟି ଶିକ୍ଷା କରିଥିଲା, ତାହାରି ସାହାଯ୍ୟରେ ସେ ସିପାହୀଟିକୁ ତଳେ ପକାଇ ଦେଲା । କିନ୍ତୁ ସେତିକିରେ ନିସ୍ତାର ନାହିଁ । ପୁଣିଥରେ ଉଠିପଡ଼ି ସିପାହୀଟି ଦେବଳକୁ ଆକ୍ରମଣ କଲା ଏବଂ କୁଣ୍ଢାଇ ପକାଇଲା । କୁଣ୍ଢିଆକୁଣ୍ଢି ଓ ଗଡ଼ାଗଡ଼ି ହୋଇ ଦୁହେଁ ଯାକ ଟମି ଗନ୍ ପାଖରେ ପହୁଞ୍ଚିଲେ । ଶେଷକୁ ଦେବଳ ଯୁଯୁତ୍ସୁ ପେଞ୍ଚରେ ସିପାହୀଟିକୁ ଆୟତ୍ତ କରିନେଇ ଟମିଗନ୍‍କୁ ଉଠାଇନେଲେ ଗୁଳିକଲା—ଫଟ୍‍ଫଟ୍ ।

 

ଆଖି ପିଛୁଳାକେ ଏ ସମସ୍ତ ଘଟିଗଲା; କିନ୍ତୁ ଏତିକିରେ ସବୁ ସରିଗଲା ନାହିଁ । ମୃତ ଦେହଟାକୁ ଟାଣିଟାଣି ଗାଁ’ମୁଣ୍ଡ ପୋଖରୀ ପର୍ଯ୍ୟନ୍ତ ନେଇ ପଥର ବାନ୍ଧି ଦେବଳ ତାକୁ ପାଣି ଭିତରେ ବୁଡ଼ାଇ ଦେଲା । ଯେଉଁ ଇଉନିଫର୍ମଟା ପାଇବାପାଇଁ ସେ ଏତେ ଉଦ୍‍ବିଗ୍ନ ହୋଇ ପଡ଼ିଥିଲା, ସେଟାକୁ ନେଇ ହେଲାନାହିଁ । ଲଢ଼ାଇର ଫୌଜ ହିସାବରେ ନୁହେଁ । ଗାଁ ଭିତରେ ନିଖୋଜ ହୋଇଥିବା ସିପାହୀଟିର ଇଉନିଫର୍ମ ପିନ୍ଧିଥିବା ଅବସ୍ଥାରେ ଧରାପଡ଼ିଗଲେ ଦେବଳ ନିଜେ ଯେ ଖୁଣି ଆସାମୀ, ସେ କଥାଟି ପ୍ରମାଣ ହୋଇଯିବ । ଛାଡ଼ ସେ ଇଉନିଫର୍ମରେ ଦରକାର ନାହିଁ ।

 

ଖୁଣିର ସାକ୍ଷୀରୂପେ ବାକି ହେଲା, ସେହି ଝିଅଟି । ଯଦିଚ ତାକୁଇ ବଞ୍ଚାଇବାପାଇଁ ଏଇ ଖୁନ୍ କରାଯାଇଛି । ତେଣୁ ତାକୁ ଏଭଳି ଅବସ୍ଥାରେ ଛାଡ଼ିଯିବା ନିରାପଦ ହେବନାହିଁ । ଝିଅଟି ପାଇଁ ନୁହେଁ କି ତା ନିଜପାଇଁ ମଧ୍ୟ ନୁହେଁ ।

 

ଏବେ ପଳାଇଯିବା ଦରକାର ।

 

ଝିଅଟିର ହାତଧରି ଦେବଳ ବାହାରକୁ ଆସି ଊର୍ଦ୍ଧ୍ୱଶ୍ୱାସରେ ଦଉଡ଼ିବାକୁ ଲାଗିଲା । କୁଆଡ଼େ ପଳାଇବ, ଜଣାନାହିଁ ! ଅଞ୍ଚଳଟା ସମ୍ପୂର୍ଣ୍ଣ ଅଜଣା; କିନ୍ତୁ ପଳାଇ ଯିବାକୁହିଁ ହେବ । ପୁଣି ଏକାନୁହେଁ । ଝିଅଟିକୁ ମଧ୍ୟ ସଙ୍ଗରେ ନେବାକୁ ହେବ । ନୋହିଲେ ଯେ ରକ୍ଷାନାହିଁ ! ଓ. ପି. ମୁଣ୍ଡିଆଟି ବେଶି ଦୂରରେ ନାହିଁ । ଦୂର ଓ. ପି. ରୁ ଲୋକଗୁଡ଼ିକ ଫେରିଆସିବା ପାଇଁ ଡେରି ହେବନାହିଁ । ତା’ପରେ ନିଜ ମଧ୍ୟରୁ ନିଖୋଜ ହୋଇଥିବା ଏହି ମୃତ ସିପାହୀଟିକୁ ସେମାନେ ଖୋଜିବାକୁ ଆରମ୍ଭ କରିଦେବେ । ହାବିଲ୍‍ଦାରଟିକୁ ବାନ୍ଧିପକାଇଥିବା ଦୁଷ୍‍ମନ୍‍କୁ ମଧ୍ୟ ଖୋଜିବେ । ସର୍ବପ୍ରଥମେ ଏଇ ଗାଁଟିକୁ ଆସି ଟହଲଦାରମାନେ ଖୋଜିବେ, ଜଙ୍ଗଲଟିକୁ ମଧ୍ୟ ଖୋଜିବେ ।

 

—ଆଃ ! ଛାଡ଼ିଦିଅ । ବାପରେ । ଛାଡ଼ିଦିଅ—

 

ଅସହାୟ ଭାବେ ଝିଅଟି ଚିତ୍କାର କରିବାକୁ ଆରମ୍ଭ କଲା । କଅଣ କହି ସେ ଚିତ୍କାର କରୁଥିଲା, ସେ କଥା ଶୁଣି ବୁଝିବା ପାଇଁ ଦେବଳ ସେତେବେଳେ ପ୍ରସ୍ତୁତ ନଥିଲା । ଝିଅଟିକୁ ଚିତ୍କାର କରିବାକୁ ଛାଡ଼ିଦେବା ଉଚିତ୍ ମନେ ନକରି ଦେବଳ ଜୋରକରି ତା’ ମୁହଁଟି ବନ୍ଦକରି ଧରିଲା ।

 

ଛାଡ଼ ପାଇବାପାଇଁ ଝିଅଟି ହାତଗୋଡ଼ ବାଡ଼େଇବାକୁ ଆରମ୍ଭ କଲା । ତହୁଁ ଦେବଳ ଶାଢ଼ୀ କାନିଟିକୁ ତା’ ମୁହଁରେ ଗୁଞ୍ଜିଦେଇ ତାକୁ ଦୁଇହାତରେ ଉଠାଇ ଧରି ଦଉଡ଼ିବାକୁ ଆରମ୍ଭ କଲା । ଅନ୍ତତଃ ଗାଁ ବାହାରକୁ ଆସି, ଜଙ୍ଗଲ ଭିତରେ ପଶି ଲୁଚିଯିବା ଦରକାର । ତା’ପରେ ହୁଏତ ଝିଅଟିକୁ ସବୁକଥା ବୁଝାଇ କହିଲେ ଚଳିବ ।

 

ଜଙ୍ଗଲ ମଧ୍ୟକୁ ପଶି ଦେବଳ ପାଣିକୂଳକୁ ଗଲା । ଝିଅଟିକୁ ତଳକୁ ଓହ୍ଲାଇ ଦେଇ ଦେଖିଲା ଯେ ସେ ମୂର୍ଚ୍ଛା ହୋଇଯାଇଛି । ଇଏ ତ ପୁଣି ଗୋଟାଏ ନୂତନ ବିପଦ । ଏଭଳି ଅବସ୍ଥାରେ ତାକୁ ଏଠାରେ ଛାଡ଼ିଦେଇ ଯିବା ମଧ୍ୟ ଉଚିତ ନୁହେଁ । ପୁଣି ଯେତିକି ଡେରି ହେଉଥିବ, ଧରାପଡ଼ି ଯିବାର ସମ୍ଭାବନା ମଧ୍ୟ ତେତିକି ବଢ଼ିଯାଉଥିବ ।

 

କିନ୍ତୁ ଝିଅଟିର ମୂର୍ଚ୍ଛା ଭାଙ୍ଗିବାପାଇଁ ତ ପାଣି ଦରକାର ! ମିତା ଦେଇଥିବା ପାଣି ବୋତଲ ଆଡ଼କୁ ସେ ଚାହିଁଲା ଏବଂ ଟିକିଏ ଇତସ୍ତତ ହେଲା । ମିତା ଦେଇଥିବା ପାଣି ? ମିତା ତାହାର କେହି ନହେଲେ ସୁଦ୍ଧା ସେ ଦେଇଥିବା ପାଣି ଇଏ । ଅନ୍ତତଃ ପିପାସା ଦୂର କରିବାଲାଗି ଏହାହେଲା, ଅମୃତର ବାରିଧାରା । ପୁଣିଥରେ କିଛିସମୟ ଇତସ୍ତତଃ ହୋଇ ମନଟିକୁ ଠିକ୍ କରିନେଇ ଝିଅଟିର ମୁଁହ ଓ ଆଖିରେ ସେହି ପାଣିଟିକୁ ଛିଞ୍ଚିଲା । ତା ପରେ ବୋତଲ ପୂର୍ଣ୍ଣକରି ଆଉ ପାଣି ଆଣିଲା । ଧୀରେଧୀରେ ଝିଅଟିର ଜ୍ଞାନ ଫେରିଆସିବାରୁ କାନ୍ଦିବାକୁ ଆରମ୍ଭକଲା ।

 

କିଂ କର୍ତ୍ତବ୍ୟବିମୂଢ଼ହୋଇ ଦେବଳ ଭାବିଲା, ହୁଏ ତ ନିଜେ ପଳାଇଯିବା ସବୁଠାରୁ ଭଲହେବ । କେଉଁ ଭାଷାରେ ବା କହିବ ? ଝିଅଟି ବୋଧହୁଏ ମଣିପୁରୀ । ନୋହିଲେ ଆସାମୀ । ଦେବଳ ବଙ୍ଗଳାରେ କହିଲା, —ଏଥର ତେବେ ମୁଁ ଯାଏଁ ?

 

ଝିଅଟି ଅଧିକ ଜୋରରେ କାନ୍ଦିବାକୁ ଲାଗିଲା । କଅଣ କରିବ, ତାହା ଠିକ୍‍ କରିନପାରି ମୁହୂର୍ତ୍ତେ ନୀରବରହି ଦେବଳ ପୁଣିଥରେ କହିଲା—ଆପଣ ଯେତେବେଳେ ମୋତେ ଭୟ କରୁଛନ୍ତି, ସେତେବେଳେ ମୁଁ ବରଂ ଚାଲିଯିବା ଉଚିତ୍ ।

 

ମୁଁହ ଫେରାଇ ଝିଅଟି କେବଳ କାନ୍ଦିବାକୁ ଲାଗିଲା । ଅସ୍ଥିର ହୋଇଉଠି ଦେବଳ ପୁଣିଥରେ ପଚାରିଲା—ଏବେ ଆଉ କାନ୍ଦୁଛ କାହିଁକି ? ତୁମେ ମୋତେ ଭୟକରୁଛ ବୋଲି ତ ମୁଁ ପଳାଇଯିବାକୁ ଚାହେଁ । ଆଉ ଯଦିବା ଜଙ୍ଗଲମଧ୍ୟରେ ଏକା ହୋଇପଡ଼ିଛ ବୋଲି ଡରୁଛ, ତେବେ ପଳାଇଯିବରେ ଆପତ୍ତି କାହିଁକି ? ତୁମେ ଆଉକଣ ଭାବୁଛ ଯେ ଗୋଟାଏ ଡକାୟତ ହାତରୁ ଉଦ୍ଧାରପାଇ ଆଉ ଗୋଟାଏ ଡକାଏତ ହାବୁଡ଼େ ପଡ଼ିଗଲ ବୋଲି ?

 

କିଛି ବୁଝିନପାରି ଦେବଳ ଉଠିବସିବାକୁ ପ୍ରସ୍ତୁତ ହେଲା; କିନ୍ତୁ ଝିଅଟିର ଦୃଷ୍ଟି ସମ୍ମୁଖରେ ମାଟି ଖୋଳି ବେତାରଯନ୍ତ୍ରଟିକୁ ବାହାରକରିବା କ’ଣ ଠିକ୍‍ ହେବ ?

 

ଟିକିଏ ଇତସ୍ତତ ହୋଇ ଝିଅଟିକୁ ଭଲଭାବେ ଦେଖିନେବାପାଇଁ ନଇଁପଡ଼ି ଆଣ୍ଠୁ ମାଡ଼ିବସି ନିଜମୁଁହଟିକୁ ତା ମୁହଁ ପାଖକୁ ନେଲା ।

 

କୃଷ୍ଣପକ୍ଷର ଚନ୍ଦ୍ର ଏତେବେଳକୁ ଅଳ୍ପପରିମାଣ ଆଲୋକ ବିଞ୍ଚିଦେଇଛି ।

 

ଝିଅଟି ଅନୁଚ୍ଚ ସ୍ଵରରେ ବଙ୍ଗଭାଷାରେ ପଚାରିଲା—ଆପଣ ବଙ୍ଗାଳୀ ?

 

—ହଁ, ହଁ, ମୁଁ ବଙ୍ଗାଳୀ । କିନ୍ତୁ ଖବରଦାର୍ । ମୋ ବିଷୟରେ କୌଣସିକଥା ଜାଣିବାକୁ ଇଚ୍ଛାକରନ୍ତୁ ନାହିଁ । ଏତିକିମାତ୍ର ଭାବନ୍ତୁ ଯେ, ଆପଣଙ୍କୁ କୌଣସି ନିରାପଦ ସ୍ଥାନକୁ ପଳାଇଯିବାକୁ ହିଁ ପଡ଼ିବ । ଆପଣ କିଅଣ ମଣିପୁରୀ ?

 

ହଁ, ମୁଁ ମଣିପୁରୀ ।

—ତେବେ ତ ଆପଣଙ୍କୁ ପଳାଇଯିବାପାଇଁ କେଉଁଠି ହେଲେ ନିଶ୍ଚୟ ସ୍ଥାନ ମିଳିଯିବ । ଚାଲନ୍ତୁ, ଆପଣଙ୍କୁ କିଛିଦୂର ବଳାଇଦେଇ ସାରିଲା ପରେ ମୋତେ ମଧ୍ୟ ଅନ୍ୟଆଡ଼େ ଯିବାକୁ ପଡ଼ିବ । ମୋର ବି ଜରୁରୀ କାମ ଅଛି ।

ଟିକିଏ ଆଶ୍ଵସ୍ଥହୋଇ ଆଖିଲୁହ ପୋଛି ଝିଅଟି ପ୍ରଶ୍ନକଲା,—‘ଆପଣ ନିଶ୍ଚୟ ଇଣ୍ଡିଆନ ଆର୍ମିର ଲୋକ ନୁହନ୍ତି; କିନ୍ତୁ ଇଉନିଫର୍ମ ତ ପିନ୍ଧିଛନ୍ତି ?’

ଅତି ସଂକ୍ଷେପରେ ବଞ୍ଚେଇ ବଞ୍ଚେଇ ଦେବଳ ଉତ୍ତରଦେଲା—‘ନା’ ।

କିନ୍ତୁ ଏତିକିରେ ଯଥେଷ୍ଟ ହେଲାନାହିଁ । ପୁଣି ପ୍ରଶ୍ନହେଲା—କିନ୍ତୁ ଇଉନିଫର୍ମଟି ତ ଅତି ପୁରୁଣା ଓ ଛିଣ୍ଡା ? ହିଜ୍‍ମାଜେଷ୍ଟିସ୍ ଫୋର୍ସରେ କିମ୍ବା ଜି.ଆଇ.ରେ. ଏଭଳି ପୋଷାକ କେହି ପିନ୍ଧନ୍ତି ନାହିଁ ।’

ଜି: ଆଇ, ଅର୍ଥାତ୍ ଆମେରିକାନ୍ ସୈନ୍ୟଦଳ ।

ଦେବଳ ଚୁପ୍‍ ହୋଇ ରହିଲା । କିନ୍ତୁ ପୁଣିଥରେ ପ୍ରଶ୍ନହେଲା—ଉଁ ହୁଁ। ଅଗ୍‍ଜୁଲିଆରୀ ଫୋର୍ସ କିମ୍ବା ଚିଣ୍ଡିଟ୍ ମାନଙ୍କର ମଧ୍ୟ ଏତେ ଦୂରବସ୍ଥା ନୁହଁ ।

ଜେନେରାଲ ଉଇନ୍‍ ଗେଟ୍ ବର୍ମା ସୀମାନ୍ତ ପାହାଡ଼ୀ ଅଞ୍ଚଳ ଜାପାନୀମାନଙ୍କ ଦୃଷ୍ଟିଅନ୍ତରାଳରେ ଥାଇ, ବଛା ବଛା ସୈନ୍ୟଦଳ ଘେନି ଯାଇଥିଲେ । ଲୁଚି ଛପିରହି, ବହୁକଷ୍ଟ ସ୍ଵୀକାରକରି, ଅନେକ ଖୋଜଖବର ସେ ଆଣିପାରିଥିଲେ ବୋଲି ବର୍ମାରେ ପ୍ରତିଆକ୍ରମଣକରି ଯୁଦ୍ଧରେ ଜୟକାରିବା ଇଂରେଜ ମାନଙ୍କପକ୍ଷେ ସହଜ ହୋଇଥିଲା । ପାହାଡ଼ୀ ଚୀନ୍ ଅଞ୍ଚଳର ବ୍ୟାଣ୍ଡିଟ୍, ଅର୍ଥାତ୍ ଡକାୟତ । ଏହି ଅର୍ଥରେ ସେମାନଙ୍କୁ ନାମକରଣ କରା ଯାଇଥିଲା “ଚିଣ୍ଡିଟ୍” । କିନ୍ତୁ ଏସବୁ ନାମ ଓ ସେମାନଙ୍କର ଖବର ଯେଉଁ ଝିଅ ଜାଣିଛି, ଏବଂ ଯାହାର ବୁଦ୍ଧି ଏତେବେଶି, ସେ ତ ସାଧାରଣ ଗାଉଁଲି ଝିଅ ନୁହେଁ ! ପୁଣି ସିପାହୀଟାର ଖୁଣି ବିଷୟରେ ଝିଅଟି ମଧ୍ୟ ସଂପୃକ୍ତ ହୋଇ ପଡ଼ିଛି । ଦେବଳର ମସ୍ତିଷ୍କରେ ବୁଦ୍ଧି ଗଜୁରି ଉଠିଲା ।

 

—ଓ, ତେବେ ବୁଝିଲି, ବୁଝିଲି । ଆପଣ ଆଇ.ଏନ୍.ଏ ଦଳର ଲୋକ ।

 

ଆଉ ଚୁପ୍‍ ହୋଇ ରହିବାର ଲୋଭନାହିଁ । ମନମଧ୍ୟରେ ଦେବଳ ପ୍ରସ୍ତୁତ ହୋଇଗଲା । ଝିଅଟି କଅଣ କହିବ, ସେହିକଥା ଶୁଣିବାପାଇଁ ଅପେକ୍ଷା କରିରହିଲା ।

 

—ଆଚ୍ଛା, ତାହାହେଲେ ଆପଣଙ୍କର ବିପଦ ବଢ଼ାଇଦେବା ଉଚିତ୍ ହେବନାହିଁ । ମୁଁ ଗାଁକୁ ଫେରି ଯାଉଛି । ଆପଣ ନିଜବାଟ ଦେଖନ୍ତୁ । ହୁସିଆର ଥିବେ ।

 

ତତ୍‍କ୍ଷଣାତ୍ ଦେବଳ ତାରି ପାଖରେ ବସିପଡ଼ିଲା ଏବଂ କହିଲା, ଦେଖନ୍ତୁ, ଆପଣ ଆଉ ଗାଁକୁ ଫେରି ଯାଆନ୍ତୁନାହିଁ । ଏହିଭଳି ଅବସ୍ଥାରେ ସିପାହୀମାନେ କିପରି ଭୀଷଣ ଆକାର ଧାରଣ କରନ୍ତି, ତାହା ଜାଣନ୍ତି ତ ?

 

କାହିଁକି ? କାଲି ସକାଳୁ ମୁଁ ନିଜେ ଖୋଜି ଖୋଜି ସେହିମାନଙ୍କ କ୍ୟାପଟେନ୍ ନିକଟରେ ସବୁ କଥା ଜଣାଇ ଆସିବି । ଏମ୍. ପି. (ମିଲିଟାରୀ ପୋଲିଶ୍) ମାନେ ତ କଲିକତାରେ ଏମାନଙ୍କର ଅନେକ ଅତ୍ୟାଚାର ଅନେକ ଅତ୍ୟାଚାର ବନ୍ଦ କରିଛନ୍ତି ?

 

—କିନ୍ତୁ ଏଠି ତ ନିଜେ ରକ୍ଷକ ଭକ୍ଷକ ପାଲଟି ଗଲେଣି ? ଆପଣ କଳିକତାରେ ଥିଲେ-? ସେ ତ ଅନ୍ୟକଥା; କିନ୍ତୁ ପାଣିରେ ଘରକରି କୁମ୍ଭୀର ସହିତ ବାଦକରି ଚଳିବେ କିପରି-?

 

—କିନ୍ତୁ ଉପରେ ତ ପୁଣି ବାଘ ବ୍ୟତୀତ ଆଉ କେହି ନାହାନ୍ତି ?

 

—ତା ମାନେ ?

 

—ଇମ୍ପାଲରେ ଥିଲି । କଲିକତାରେ ବୋମା ପଡ଼ିବ, ଏଇ ଭୟରେ ବାପା ମୋର କଲେଜ ଯିବା ବନ୍ଦକରି ଗାଁକୁ ଘେନିଆସିଲେ; କିନ୍ତୁ ଇମ୍ପାଲରେ ସେମାନେ ଆସ୍ଥାନ ଜମାଇଲେ, ଆପଣମାନେ ମଧ୍ୟ ଚଢ଼ାଉ କଲେ, ଅନ୍ୟାନ୍ୟ ଅନେକ ଅବସ୍ଥାପନ୍ନ ଲୋକଙ୍କ ତୁଲ୍ୟ ଆମ୍ଭେମାନେ ମଧ୍ୟ ଗାଁ ଓ ଜଙ୍ଗଲ ଭିତରେ ବସାବାନ୍ଧିଲୁ । ସେଠି ମଧ୍ୟ ସିପାହୀ ମାନଙ୍କର ଚଢ଼ାଉ । ଆପଣମାନେ ଯେତେବେଳେ ପହୁଞ୍ଚିଲେଣି, ଏଠିବି ଲଢ଼ାଇ ଚାଲିବ । ଏହାପରେ ଯିବୁ କୁଆଡ଼େ, କୁହନ୍ତୁ ?

 

—ମୁଁ ମଧ୍ୟ ସେଇକଥା ପ୍ରଶ୍ନ କରୁଛି । ତେବେ ଏଣିକି ଯେଉଁଠାକୁ ଯାଉନ୍ତୁନା କାହିଁକି ଗାଁକୁ ଆଉ ଫେରିବେ ନାହିଁ । ସେଠି ଆଉ ଆଶାନାହିଁ ।

 

—ବାଟରେ ବା ଭରସା କଅଣ ଅଛି ?

 

—ଭରସା ଅବଶ୍ୟ ନାହିଁ; କିନ୍ତୁ ଭାବନା ନିଶ୍ଚୟ କମ୍ । ଏ ଅଞ୍ଚଳରେ ସେମାନେ ଏବେ ସୁଦ୍ଧା ଖେଳେଇ ହୋଇ ପଡ଼ିନାହାନ୍ତି । ତାହା ନହେଲେ ମୁଁ ନିଶ୍ଚୟ ଆସି ପାରିନଥାନ୍ତି । ବୋଧହୁଏ ଆପଣ ନିଶ୍ଚୟ ଜାଣିଛନ୍ତି ଯେ ଆମେ ତାଙ୍କୁ କୋହିମା ଓ ଇମ୍ପାଲରେ ଘେରାଉ କରି ରଖିଛୁ । ଏଇ ମଝିରେ ଥିବା ଶହେ ମାଇଲ ସ୍ଥାନ ମଧ୍ୟରେ ଯେକୌଣସିଠାରେ ଆପଣ ଲୁଚି ରହିବାର ବନ୍ଦୋବସ୍ତ କରିପାରନ୍ତି । ସିପାହୀର ଲାଶ୍‍ଟା ଖୋଜି ପାଇଲେ ବି ଆପଣଙ୍କ ସହିତ ତାହାର ମୃତ୍ୟୁର କୌଣସି ସମ୍ବନ୍ଧ ଅଛି ବୋଲି ସେମାନେ ଜାଣିପାରିବେନାହିଁ । ତେଣୁ ଆପଣ ଏଠାରୁ ଚାଲିଗଲେ ହିଁ ନିରାପଦ ।

 

—ଆଉ ଆପଣ ?

 

ମୁଁ ତ ବିପଦ ମଧ୍ୟକୁ ଡେଇଁଛି । ମୋ କଥା ଦୋସରା ବୋଲି ଜାଣନ୍ତୁ । ଆପଣଙ୍କ ନା’ କ’ଣ ଦେବି ?

 

—ଉତ୍ତମା, ମୋ ନା ଉତ୍ତମା ସିଂହ । ତେବେ ଆପଣ ମୋ ସହିତ ଚାଲୁନାହାନ୍ତି ? ଆପଣଙ୍କର ମଧ୍ୟ ଟିକିଏ ନିରାପଦରେ ରହିବା ଦରକାର ।

 

—ଶତ ଧନ୍ୟବାଦ, ଉତ୍ତମା ଦେବୀ; କିନ୍ତୁ ତା’ ପୂର୍ବରୁ ଆପଣ ନିଜର ଆତ୍ମୀୟ ସ୍ୱଜନମାନଙ୍କ କଥା ଚିନ୍ତା କରନ୍ତୁ । ମୋପାଇଁ ବାଟ ମୁଁ ନିଜେ କରିନେବି । କେବଳ ପୋଷାକଟି ବଦଳାଇ ପାରଲେ ହେଲା ।

 

ସଙ୍ଗେ ସଙ୍ଗେ ଉତ୍ତମା ଉଠିବସି କହିଲା—ଠିକ୍, ମୋ ସହିତ ଆସନ୍ତୁ । ସବୁ ଘରଗୁଡ଼ିକ ପ୍ରାୟ ଖାଲି ପଡ଼ିଛି । କୌଣସି ଗୋଟିଏ ଘରେ ନିଶ୍ଚୟ ଖଣ୍ତେ ଧୋତି ଓ ଜାମା ମିଳିଯିବ । ଯୋଗାଡ଼ କରିନେଇ ପାରିଲେ ହେଲା ।

 

ଦେବଳ ପ୍ରଶ୍ନକଲା—ଆଉ ଆପଣଙ୍କ ଘରେ ?

 

ଉତ୍ତମା ବ୍ୟାକୁଳ କଣ୍ଠରେ ଉତ୍ତରଦେଲା—ନା, ନା, ସେଠିନୁହେଁ । ବାପା ସଞ୍ଜବେଳୁ ବାହାରକୁ ଯାଇଛନ୍ତି । ଏପର୍ଯ୍ୟନ୍ତ ଫେରିନାହାନ୍ତି । ଆମ୍ଭମାନଙ୍କର ଏଠାରୁ କାଲି ଭୋରରୁ ଚାଲିଯିବାର ଥିଲା । ଆଜି ରାତି ଭିତରେ ଏଭଳି କାଣ୍ଡ ଘଟିଲା । ସତେକି ବିପଦ ଆମ୍ଭମାନଙ୍କୁ ଘେରିରହିଛି ।

 

ଟିକିଏ ତୁନିହୋଇ ପୁଣି କହିଲା—ବାପାଙ୍କୁ ନଖୋଜି ଚାଲିଯିବି ବା କିପରି ? ତା ଅପେକ୍ଷା ଆପଣ ପୋଷାକଟିକୁ ବଦଳାଇ ଚାଲିଯାଆନ୍ତୁ । ହୁଏ ତ, ବାପାଙ୍କର ସନ୍ଧାନ ନେଇ ମୁଁ ପରେ ଚାଲିଯିବି ।

 

ତେବେ ତ ଦେବଳର ନୂତନ ପ୍ଳାନ୍ ସମସ୍ତ ନଷ୍ଟ ହୋଇଯିବ ! ଉତ୍ତମାକୁ ସେ ପୁନରାୟ ବୁଝାଇବାକୁ ଲାଗିଲା—ନା, ନା, ଉତ୍ତମା ଦେବୀ ସ୍ୱପ୍ନରେ ସୁଦ୍ଧା ଏଭଳିଆ କଥା ଭାବନ୍ତୁ ନାହିଁ । ଆପଣଙ୍କ ବାପା ନିଶ୍ଚୟ ନିରାପଦରେ ଅଛନ୍ତି । ସେମାନେ ଲାଶଟାକୁ ଖୋଜି ବାହାର କଲେ ସୁଦ୍ଧା ଆପଣଙ୍କ ବାପାଙ୍କୁ ଘଣ୍ଟାଚକଟା କରିବେ ନାହିଁ । କୌଣସି କାରଣ ନାହିଁ କି କୌଣସି ପ୍ରମାଣ ମଧ୍ୟ ନାହିଁ । ଏଭଳି କାର୍ଯ୍ୟରେ ତାଙ୍କର ହାତଥିଲେ ସେ ନିଶ୍ଚୟ ଗାଁ ଭିତରକୁ ଫେରି ଆସନ୍ତେ ନାହିଁ ।

 

—ଯଦିବା ସେ ଫେରି ଆସନ୍ତି, ତେବେ ସିପାହୀର ମୃତ୍ୟୁସମ୍ବନ୍ଧରେ ହୁଏତ ସାମାନ୍ୟ କିଛି , “ଇଣ୍ଟରୋଗେଶନ୍” ସେମାନେ କରିପାରନ୍ତି । ଆଉକିଛି କରିବାକୁ ସେମାନଙ୍କର ସାହାସ ହେବ ନାହିଁ; କିନ୍ତୁ ଆପଣ ଯଦି ଥରେ ସେମାନଙ୍କର ନଜରରେ ପଡ଼ନ୍ତି, ତେବେ ହିଁ ବିପଦ ଆସିବ । ଆପଣଙ୍କର ତ ନିଶ୍ଚୟ । ତା ସଙ୍ଗେ ସଙ୍ଗେ ଆପଣଙ୍କ ବାପାଙ୍କର ମଧ୍ୟ ।

 

ମ୍ଳାନଭାବେ ଉତ୍ତମା କହିଲା—ସେ କଥାଟି ସତ; କିନ୍ତୁ ତା ସଙ୍ଗେ ସଙ୍ଗେ ତାଙ୍କୁ ତ ମୋର ଜଣାଇଦେବା ଦରକାର ଯେ ମୁଁ ଚାଲିଯାଉଛି ଓ ନିରାପଦରେ ଅଛି ବୋଲି ।

 

ସେଥିପାଇଁ ଭାବନା କରନ୍ତୁ ନାହିଁ । ଘରେ ସବୁ ଜିନିଷ ଠିକ୍‍ଠାକ୍ ଅଛି, ଏହା ଦେଖି ସେ ନିଶ୍ଚୟ ଭାବିବେ ଯେ, ଆପଣ ଯେକୌଣସି ଭଲଲୋକର ସାହାଯ୍ୟରେ କୌଣସି ନିରାପଦ ସ୍ଥାନକୁ ଚାଲି ଯାଇଛନ୍ତି । ତେଣୁ ସେ ଆଉ ଭାବିବେନାହିଁ; ବରଂ ଆପଣ ତାଙ୍କ ସଙ୍ଗରେ ନାହାନ୍ତି ବୋଲି ସେ ନିରାପଦଭାବେ ଅନ୍ୟ ସ୍ଥାନକୁ ଚାଲିଯାଇ ପାରିବେ ।

 

ଗ୍ରାମ ସୀମାନ୍ତରେ ଦେବଳ ଅନ୍ଧକାର ମଧ୍ୟରେ ଅପେକ୍ଷା କରିବାକୁ ଲାଗିଲା ଏବଂ ଉତ୍ତମା ଝଟ୍‍ପଟ୍ ଗୋଟାଏ ଖାଲିଘର ଭିତରୁ ଖଣ୍ଡେ ମଣିପୁରୀ ତନ୍ତବୁଣା ଧୋତି ଓ ତନ୍ତବୁଣା କନାର ପଞ୍ଜାବୀ ଯୋଗାଡ଼ କରି ଘେନି ଆସିଲା । ପଞ୍ଜାବୀଟା ମଣିପୁରୀ ଢଙ୍ଗର । ଅବଶ୍ୟ ଦେହସହିତ ମାପଟି ଠିକ୍ ହେଲା ନାହିଁ; କିନ୍ତୁ ତା ଆଡ଼କୁ ଦୃଷ୍ଟିପକାଇ ଉତ୍ତମା ଅଭୟ ଦେଇ କହିଲା–ଏ ଯୁଦ୍ଧ ବଜାରରେ କେତେଜଣ ଲୋକ ଠିକ୍ ନିଜ ମାପ ମୁତାବକ ଦରଜି ଦ୍ୱାରା କଟାଇ ଜାମା ପ୍ରସ୍ତୁତ କରି ପାରୁଛନ୍ତି ? ଯାହା ହୋଇଛି, ଠିକ୍ ହୋଇଛି ।

 

ଦେବଳ ହସିଉଠି ପଚାରିଲା—ଠିକ୍ ମଣିପୁରୀ ଭଳି ଦେଖାଯାଉଛି ତ ? ଟିକେ ବୋଧହୁଏ ଚନ୍ଦନଟୋପା ଦରକାର !

 

ଉତ୍ତମା ଗୋଟାଏ ଧମକଦେଇ ଅସମୟର ଏଇ ହସଟିକୁ ଇଡ଼ାଇ ଦେଲା । ଆଜିକାଲିର ଏ ଟୋକାଏ ଚନ୍ଦନଟୋପାକୁ ପସନ୍ଦ କରନ୍ତି ନାହିଁ । ଆପଣଙ୍କ ବର୍ତ୍ତମାନର ଅବସ୍ଥାଟା କଅଣ କହିବି ? ଖାଇବାକୁ ମିଳୁନାହିଁ; ଶୋଇବାପାଇଁ ଗଙ୍ଗାମାଟି ଦରକାର । (ମୂଳରୁ ନଥାଏ—ମୁକୁତଉଥାଏ) ।

 

ଏଥିମଧ୍ୟରେ ବଣ ଜଙ୍ଗଲ ଉପରେ ବିଭିନ୍ନ ରକମର ଆଲୋକ ଦେଖାଦେଲା । ଟିକିଏ ଅଧେ ଟର୍ଚ୍ଚ ଆଲୁଅ ଏବଂ ଖସ୍ ଖସ୍ ଶବ୍ଦରୁ ଜଣାଗଲା ଯେ ଗୋଟିଏ—ଦଳ ଲୋକ; ସମ୍ଭବତଃ ସୈନ୍ୟଦଳଟିଏ ଖୁବ୍ ନିକଟେଇ ଆସୁଛନ୍ତି । ଏଭଳି ସମୟରେ ଅବିଳମ୍ବେ ଆତ୍ମଗୋପନକରି ଅପସରି ଯିବାକୁ ପଡ଼ିବ । ଏତେବର୍ଷ ପର୍ଯ୍ୟନ୍ତ ଅତିଯତ୍ନରେ ସାଇତା ହୋଇଥିବା ଇଉନିଫର୍ମଟାକୁ ସୁଦ୍ଧା ଲୁଚାଇ ରଖି ଆସିବାକୁ ସମୟ ମିଳିଲାନାହିଁ । ପାଣି ଭିତରକୁ ସେଇଟାକୁ ଫିଙ୍ଗିଦେଇ ପଳାଇଯିବାକୁ ପଡ଼ିଲା । ହାତଧରି ଯାଉ ଯାଉ ଦେବଳକୁ ଉତ୍ତମା କହିଲା—ମନେରଖ, ତୁମକୁ ମୁଁ ପଢ଼ିବା ସମୟରେ କଲିକତାରେ ଚିହ୍ନିଥିଲି । ତୁମେ ହେଲ କଲିକତାର ଲୋକ । ଯୁଦ୍ଧ ସମୟରେ କୌଣସି କଣ୍ଟ୍ରାକ୍ଟର ପାଖରେ କିଛି କାମ ପାଇବା ଆଶାରେ ମଣିପୁର ଆସିଛ । ତୁମକୁ ମୁଁ ମିନତିକରି କହୁଛି, ମୋତେ ବି ତୁମେ ତୁମ କାମ ଓ ଦେଶକାମରେ ସାହାଯ୍ୟ କରିବାପାଇଁ ଟିକିଏ ସୁବିଧା ସୁଯୋଗ ଦିଅ ।

 

—କିନ୍ତୁ କୁଆଡ଼କୁ ଯାଉଛ, ସେକଥା ତ କହିଲ ନାହିଁ ?

 

—କୁଆଡ଼େ ଯାଉଛି, ସେକଥା ଯାଉଯାଉ ଠିକ୍ କରିନେବା । ରାସଲୀଳା ହେଉଥିବା କୌଣସି ଗ୍ରାମକୁ ଯିବାକୁ ଚେଷ୍ଟାକରିବି । ସେ ସବୁ ଗ୍ରାମ ଆଜିକାଲି ନିରାପଦସ୍ଥାନ । ଲୋକେ ପ୍ରାୟ କେହି ସନ୍ଦେହ କରିବେ ନାହିଁ । ଅନେକ ଲୋକ ଥାଆନ୍ତି । ଅନେକ ଫାଲୁତ୍‍ ଲୋକ ମଜ୍ଜା ଦେଖିବାକୁ ଓ ଟଙ୍କା କମେଇବାକୁ ଆସନ୍ତି । ମଣିପୁରୀ ନାଚ ଦେଖିଛ ନା ?’ ତା’ହେଲେ ତୁମକୁ କେହି ଧରିପାରିବେ ନାହିଁ ।

 

ବିପଦ ସେ ଦୁଇଜଣଙ୍କ ହାତଧରି ଧୀରେ ଧୀରେ ଆପଣରୁ ତୁମକୁ ନେଇଆସିଲାଣି । ଜଣେ ଆଇ.ଏନ୍.ଏ.ର କର୍ଣ୍ଣେଲ୍ ଏବଂ ଅନ୍ୟ ଜଣକ ମଣିପୁରୀ ତରୁଣୀ ।

 

ଚଉଦ

 

କୌଣସି ଗୁପ୍ତଚରର ଘାଟିଯାଗା ବୋଲି ମନେହୁଏ

 

ଅନ୍ଧକାର ଜଙ୍ଗଲ ମଧ୍ୟରେ ଚାଲୁଚାଲୁ ଦୁହେଁଯାକ ଛିଡ଼ା ହୋଇଗଲେ ।

 

ଗୁପ୍ତଚର ନହେଲେ ମଧ୍ୟ କୌଣସି ସନ୍ଧାନୀ ଘାଟିର ଲୋକ ଏଠି ନିଶ୍ଚୟ ଗୁପ୍ତଆଡ଼୍ଡ଼ା ମାରୁଛନ୍ତି I ଚାରିଆଡ଼େ ଇଂରେଜ ଓ ମାର୍କିନ୍ ସୈନ୍ୟଛାଉଣୀ ଏବଂ ସେମାନଙ୍କ ଯିବା ଆସିବା ବାଟ-। ସେସବୁ ବାଟ ଛାଡ଼ି ଦେବଳ ଏବଂ ଉତ୍ତମା ନିର୍ଜ୍ଜନ ବଣ ମଧ୍ୟରେ ଚାଲୁଥିଲେ, କିନ୍ତୁ ବାଟ ମଝିରେ ଗୋଟିଏ ଜନମାନବଶୂନ୍ୟ ଗ୍ରାମ ପଡ଼ିଲା । ତାହାରି ମଧ୍ୟରେ ଥିବା ଉଚ୍ଚ ଢିପ ଉପରେ ଯେଉଁ ଆଲୁଅଟା ଦେଖାଯାଉଛି, ତାହାରି ସନ୍ଧାନ ନେବା ଆବଶ୍ୟକ ।

 

ଦେବଳ ଅବଶ୍ୟ ଆତ୍ମଗୋପନ କରି ରହିଛି, ତଥାପି ଯୁଦ୍ଧର କାମ କରିଯିବାକୁ ହଁ ହେବ-। ସେ ମନେ ମନେ ଗୋଟିଏ ନିର୍ଜନ ଶତ୍ରୁପକ୍ଷର ଘାଟି ଖୋଜିବାରେ ଲାଗିଛି, ଯେଉଁଠିକି ହଠାତ୍ ଚଢ଼ାଉ କରି ଗୋଟାଏ ବେତାରଯନ୍ତ୍ର, ଯୋଗାଡ଼ କରି ନେଇ ପାରିବ। ତଦ୍ଵାରା ଭଲଭାବେ ନିଜ ହେଡ଼କ୍ଵାଟରକୁ ଖବର ପଠାଯାଇ ପାରିବ । ତାର ଖଣ୍ଡିଏ ଆଧୁନିକ ବେତାର ଯନ୍ତ୍ର ଦରକାର । ଶତ୍ରୁର ଅସ୍ତ୍ରଦ୍ୱାରା ହିଁ ଶତ୍ରୁ ବିରୁଦ୍ଧରେ ଲଢ଼ିବା ସୁବିଧା ହେବ ।

 

ତେଣୁ ସେ ଢିପ ଉପରକୁ ଉଠି କୋଠରୀଟି ଖାନତଲାସ କରିବାକୁ ମନକଲା; କିନ୍ତୁ ହୁଦସ୍ତିୟା ଚଢ଼ିଯିବାଟା ଠିକ୍ ହେବନାହିଁ । କାରଣ ସେ ଏକା ଏବଂ ନିରସ୍ତ୍ର । ଆହୁରି ମଧ୍ୟ ଯେଉଁ ଇଉନିଫର୍ମଟା ପିନ୍ଧିଲେ ଛାଏଁ ଛାଏଁ ସାହାସ ଆସିଯାଏ, ସେତକ ତା’ ପାଖରେ ନାହିଁ । ତଥାପି ସ୍ଵାଧୀନତା ସଂଗ୍ରାମର ସୈନିକ କଅଣ ପଛେଇ ପଡ଼ିବ ?

 

ସ୍ଵାଧୀନତା ସଂଗ୍ରାମର ସୈନିକ ?

 

ଅନ୍ଧକାର ରାତ୍ରିରେ ଦୂରରୁ ହଠାତ୍ ତାରା ଆଲୁଅ ପରି ଟିକିଏ ଆଲୋକରେଖା ଦେଖାଯାଇଥିଲା । ଶାଳଗଛର ବଣ ମଧ୍ୟରେ ଲୁଚିରହି ଦେବଳ ଓ ଉତ୍ତମା ଆଲୁଅଟିକୁ ନିରୀକ୍ଷଣ କରି ଚାହିଁ ରହିଲେ । ଭୟ ଏବଂ ଯୁଦ୍ଧ ଉତ୍ପାତରେ ଲୋକେ ସମସ୍ତେ ଏ ଅଞ୍ଚଳରୁ ଘରଦ୍ଵାର ଛାଡ଼ି ପଳାଇ ଯାଇଛନ୍ତି। ସୁତରାଂ ନିଶ୍ଚୟ ଏଇଟି ଶତ୍ରୁପକ୍ଷର ଆଉଗୋଟିଏ ଘାଟି । ପାଖ ଆଖ ଅଞ୍ଚଳରେ ଯେଭଳିଭାବେ ସୈନ୍ୟଚାଳନା ଚାଲିଛି, ତହିଁରେ ଶତୃପକ୍ଷୀୟ ଲୋକବ୍ୟତୀତ ଅନ୍ୟ କହାରିପକ୍ଷେ ଏଠାରେ ମାଟିକାମୁଡ଼ି ପଡ଼ିରହିବା ସମ୍ଭବ ନୁହେଁ । ଉତ୍ତମା ଏକାକି ଢ଼ିପ ଉପରକୁ ଉଠିଯାଇ ଦେଖି ଆସିବାକୁ ଚାହିଁଲା । ସେଠି ଯଦି ଅନେକ ସୈନ୍ୟ ଥାଆନ୍ତି, ତେବେ ମଣିପୁରୀ ଝିଅଟିକୁ ଏକୁଟିଆ ଦେଖି ସେମାନେ କିଛିମାତ୍ର ସନ୍ଦେହ କରିବେ ନାହିଁ; ବରଂ ଭାବିବେ ଯେ ନିକଟରେ ଥିବା କୌଣସି ଗ୍ରାମର ଝିଅ ହୋଇଥିବ ।

 

ଦେବଳ କିନ୍ତୁ ତାକୁ ଏକୁଟିଆ ସମ୍ଭାବ୍ୟ—ବିପଦ ମୁହଁକୁ ଛାଡ଼ି ଦେବ ବା କିମିତି ? ବିଶେଷତଃ ଲଢ଼େଇର ଆଗୁଆ ଅଞ୍ଚଳକୁ—ଯେଉଁଠିକି ମାରିବା ପାଇଁ ପ୍ରସ୍ତୁତ ହୋଇ ରହି ମନୁଷ୍ୟ ନିଜର ସହଜାତ ସଭ୍ୟତା ଓ ମନୁଷ୍ୟତ୍ଵକୁ ଏକାବେଳେକେ ଭୁଲିଯାଇ ଥାଏ ।

 

ହେଲେ ଉତ୍ତମା ବି କିପରି ଦେବଳକୁ ଏକା ଏକା ଢିପ ଉପରକୁ ଛାଡ଼ିଦେବ ? ସେ ତର୍କ କରି ବସିଲା—ଯଦି ସେଠି କୌଣସି ସୈନ୍ୟ ଥାଆନ୍ତି, ତେବେ ତୁମକୁ ଦେଖିଲାମାତ୍ରେ ଜାଣି ନେବେ ଯେ, ତୁମେ ଏ ଅଞ୍ଚଳର ଲୋକ ନୁହଁ । ମଣିପୁରୀ ପୋଷାକ ପିନ୍ଧିଲେ ବି ମଣିପୁରୀ ଉଚ୍ଚାରଣ ତ ଅଭ୍ୟାସ କରିନାହିଁ ! ସେ ତ ଆଉ ସହଜେ ହେବାର କଥାନୁହେଁ । ଯଦି ବିଦେଶୀ ବୋଲି କହିବ, ତେବେ ତୁମର ପରିଚୟ—ପତ୍ର କାହିଁ ? (ଆଇଡ଼େଣ୍ଟିଟି କାର୍ଡ଼) ସେ ଖଣ୍ଡିକ ଯୋଗାଡ଼ ନହେବା ପର୍ଯ୍ୟନ୍ତ ସୈନ୍ୟଦଳ ଭିତରକୁ ଯାଇ ହଇରାଣରେ ପଡ଼ିଯିବା ତୁମର ଉଚିତ ହେବନାହିଁ ।

 

—କିନ୍ତୁ ସେଠାରେ ମଣିପୁରୀ ନିରୀହ ଲୋକମାନେ ତ ଥାଇ ପାରନ୍ତି !

 

ତା ହେଲେ ମୋ ପକ୍ଷରେ ସମ୍ପୂର୍ଣ୍ଣ ନିରାପଦ; ବରଂ ସେମାନେ ତୁମକୁ ସନ୍ଦେହ କରିବେ ଓ ଜେରାକରି ବସିବେ ।

 

—ସେତକ ମୁଁ ସମ୍ଭାଳି ନେଇ ପାରିବି, ସିପାହୀ ହେଉନ୍ତୁ ବା ସାଧାରଣ ଲୋକ ହୁଅନ୍ତୁ, ମୁଁ ଯାଇ କଅଣ ସିଧାସଳଖ ସେମାନଙ୍କ ସାମନାରେ ପହୁଞ୍ଚି ଯାଉଛି ? ଆଢ଼ୁଆଳରେ ଥାଇ ଘଟଣାଟା କଅଣ, ବୁଝିଆସିବି ସିନା ! ଏତେଦିନଯାକେ ଏଇକାମ ତ କରିଆସିଛି । ତେଣୁ ଆଜି ଚିନ୍ତିତ ହେବାର କାରଣ ନାହିଁ ।

 

—ତୁମର, ନିଜର ଅବଶ୍ୟ ନାହିଁ ।

 

ଉତ୍ତମା କଥାଶୁଣି ଦେବଳ ଥରେ ତା ଆଡ଼କୁ ଚାହିଁ ରହିଲା । ଉତ୍ତମା ? ହାୟ ଉତ୍ତମା-? ବୋଧହୁଏ, ସେ କଅଣ କହିବାକୁ ଚାହେଁ । ସେ କଥା ଦେବଳ ବୁଝିପାରିଛି; କିନ୍ତୁ ଖାଲି ବୁଝିଲେ ତ ଚଳିବ ନାହିଁ ?

 

ତେଣୁ ଦେବଳ ସତେକି ତା କଥା ବୁଝିପାରି ନାହିଁ, ଏଭଳି ଛଳନା କଲା । ଚାହୁଁ ଚାହୁଁ ନିଜର ଦାୟିତ୍ଵ ଜାହିର କଲା । ସେ ହେଲା ଜଣେ ସାମରିକ ଅଫିସର । ଦେବଳ ସେହି ଢିପ ଉପରକୁ ଶାଳଗଛ ଗୁଡ଼ିକର ଆଢ଼ୁଆଳରେ ଉଠିଯିବ । ଉତ୍ତମା ତଳେ ଜଙ୍ଗଲ ମଧ୍ୟରେ ଲୁଚିରହି ଚାରିଆଡ଼କୁ ନଜର ଦେଇ ରହିବ । କୌଣସି ଶତ୍ରୁ ପକ୍ଷର ସିପାହୀ ପାଖ ଆଖରେ ଦେଖାଗଲେ, ସଙ୍କେତ ଦ୍ଵାରା ଜଣାଇ ଦେବ । କୌଣସି ଗ୍ରାମ୍ୟ ଲୋକ ଦେଖାଗଲେ ଦେବଳ ଆଢ଼ୁଆଳରେ ଲୁଚି ରହିବ; କିନ୍ତୁ କୌଣସି ଗ୍ରାମ୍ୟଲୋକ ଢ଼ିପ ଉପରକୁ ଉଠିବାର ଦେଖିଲେ ସଙ୍କେତ ଦେବାକୁ ହେବ ।

 

କିନ୍ତୁ କି ସଙ୍କେତ ଦିଆଯାଇପାରେ ? ଢିପଟି ଛୋଟ ଏବଂ ନିକାଞ୍ଚନ; କିନ୍ତୁ ଟର୍ଚ୍ଚ ଆଲୁଅ ପକାଇଲେ ବା ପାଟିକରି ସଙ୍କେତ ଦେଲେ ଚଳିବ ନାହିଁ । ମାତ୍ର ଗୋଟିଏ କଥା ସମ୍ଭବ । ମୁହଁରେ ଜୋରକରି ସିଟି ବଜାଇବା; କିନ୍ତୁ ସେଥିରେ ମଧ୍ୟ ଲୋକେ ଠଉରେଇ ନେବେ । ତାହା ହେଲେ !

 

ଶେଷକୁ ଦେବଳ କହିଲା, କୌଣସି ପକ୍ଷୀର ଶବ୍ଦ କଲେ କରିପାର । ପାରା କିମ୍ବା ଡାହୁକର ଡାକ ।

 

—କୁଆ ଡାକ ନକଲ କରି ପାରିବି ।

 

—କିନ୍ତୁ କୁଆ ତ ଏଭଳି ସମୟରେ ବୋବାଏ ନା ?

 

—ପାରିବି, ପାରିବି । ପାପିଆର ଶବ୍ଦ ନକଲ କରି ପାରିବି । ଏ ଦେଶରେ ସେ ପକ୍ଷୀର ଶବ୍ଦ ଖୁବ୍ ଶୁଣାଯାଏ ।

 

ଦେବଳ ପାପିଆ ଡାକ ଶୁଣିନାହିଁ । କଲିକତାରେ ବା କେଉଁଠି ଏ ଚଢ଼େଇ ଥିବ ! ହୁଏତ ଡାକୁଥିବ, କିନ୍ତୁ ଦେବଳ ସେ ଆଡ଼କୁ କେବେ ଖିଆଲ କରିନାହିଁ । ତେଣୁ ସେ ଶୁଣିବାକୁ ଇଚ୍ଛାକଲା ।

 

—ପିଉ କାହାଁ, ପିଉ କାହାଁ ।

 

ସଙ୍ଗେ ସଙ୍ଗେ ଉତ୍ତମାକୁ ଦେବଳ ବୁଝାଇ ଦେଇ କହିଲା, ଦିଥର ଡାକିଲେ ଚଳିବ ନାହିଁ-। କାରଣ ହୁଏତ ସତକୁ ସତ କୌଣସି ପାପିଆ ଡାକୁଥିବ । ଯଦି ସାବଧାନ କରି ଦେବାକୁ ହୁଏ, ତେବେ ତିନିଥର ଡାକିବାକୁ ପଡ଼ିବ । ପୁଣି ଅଧ ମିନିଟ୍ ପରେ ଆଉ ତିନିଥର । ସାଙ୍ଘାତିକ ଜରୁର୍ ମନେ ହେଲେ, ତିନିଥର ନୁହଁ ଚାରିଥର । ଅନ୍ୟ କୌଣସି ଲୋକ ସେଇ ଡାକକୁ ଗଣି ବସିବ ନାହିଁ-। ସୁତରାଂ ବେଶି ଡାକିଲେ କେହି ସନ୍ଦେହ କରିବେ ନାହିଁ ।

 

ଛୋଟ ରିଭଲଭରଟିକୁ କମରରେ ଗୁଞ୍ଜି, ଜାମାର ସାମନା ପାଖଟାକୁ ଆଚ୍ଛାକରି ଫୁଲାଇ ଦେଲା । ତାପରେ ଗଛ ଆଢ଼ୁଆଳରେ ଢିପ ଉପରକୁ ଉଠିଗଲା ।

 

କୌଣସି ଅନାଡ଼ି ଚିତ୍ରକର ହେବ ବୋଧହୁଏ । ନିଜ ମନକୁ ଛବି ଗୁଡ଼ିଏ ଆଙ୍କି କାନ୍ଥଯାକ ଟାଙ୍ଗିଛି । କାନ୍ଥମାନେ କଣ ? ପତଳା ଝାଟିମାଟି କାନ୍ଥ; ଅର୍ଥାତ୍ ଘର ମାଲିକର ଆର୍ଥିକ ଅବସ୍ଥା ଭଲ, ଏହାର ପ୍ରମାଣ ଦିଏ । କବାଟ ଝରକା ଗୁଡ଼ିକୁ ଦେଖିଲେ ମନେହୁଏ, ସତେ କି ଚୋରକୁ ନିମନ୍ତ୍ରଣ କରୁଛି । କେବଳ କାଚର ଶାର୍ଶି ଲାଗିଛି । ଚୋର ବା ରାହାଯାନୀର ଦୁଃଖ କଷ୍ଟ ଅସୁଲ୍ ହୋଇପାରିବ କି ନାହିଁ, ସେଥିଲାଗି ଚୋରକୁ କଷ୍ଟ ସ୍ଵୀକାର କରି ଦେଖିବାକୁ ପଡ଼ିବ ନାହିଁ ।

 

ଲୋକଟା ହୁଏତ, ବଦ୍ଧ ପାଗଳ, ଅଥବା କବି; କିନ୍ତୁ ଗୁପ୍ତଚର ନୁହେଁ, ତାହାର ପ୍ରମାଣ ବା କାହିଁ ? ଘର ଭିତରକୁ ପଶିଯାଇ ରିଭଲ୍‍ଭର ଉଠାଇ ଦେବଳ ଯେତେବେଳେ ପାଟି କରି ଉଠିଲା,ଛ—“ହାଣ୍ଡଡ୍‍ସ ଅପ୍” —ତେତେବେଳେ ସେ ଲୋକଟି ମୁହଁରେ ଲେଶମାତ୍ର ଭୟର ଚିହ୍ନ ଦେଖାଗଲା ନାହିଁ । କେବଳ ସେ କଟ୍‍ମଟ୍ କରି ଚାହିଁରହିଲା, ସତେକି ଆଖି ଦୁଇଟି ତା’ର ମୁହଁ ହୋଇ କଥା କହିବ ।

 

ଦେବଳର କିନ୍ତୁ ସମୟ ନଷ୍ଟ କରିବା ପାଇଁ ଅବସର ନାହିଁ । ସେ ପୁଣିଥରେ ପାଟି କରି ଉଠିଲା, —ହ୍ୟାଣ୍ଡସ୍‍ ଅପ୍” —ନୋହିଲେ ଗୁଳି କରିବି ।

 

ଭଦ୍ରଲୋକ ଅତୀବ ଶାନ୍ତଭାବେ ‘ଇଜେଲ’ ସମ୍ମୁଖରେ ବସିରହି କହିଲେ—ମୋ ହାତରେ ତୂଳି ଛଡ଼ା ଆଉ କିଛି ନଥାଏ । ହାତ ଉଠାଇ ଆପଣଙ୍କୁ ବା କଅଣ ଦେଖାଇବି ?

 

କିନ୍ତୁ ସାମରିକ ଶିକ୍ଷାରେ ଦେବଳ ନିଜ ହାତ ପାକଳ କରିଛି । ଏସବୁ କଥାରେ ସେ କଅଣ ଭୁଲିବା ପାତ୍ର । ତନ୍ନ ତନ୍ନ ଭାବେ ସମସ୍ତ ଘରଟିକୁ ସେ ଖୋଜିଲା । ଟ୍ରଙ୍କ, ଟେବୁଲ୍, ଡ୍ରୟାର, ଇତ୍ୟାଦି ଯାହାଥିଲା ।

 

ତା ପରେ ପଚାରିଲା—ଏ ଲଢ଼ାଇ ଅଞ୍ଚଳରେ ଆପଣ ଏକାହୋଇ ପଡ଼ି ରହିଛନ୍ତି କାହିଁକି ? ମୁଁ “ପ୍ଳେନ୍ କ୍ଳୋଦ୍‍ସ୍‍” ସାଦା ପୋଷାକ ପିନ୍ଧି କି କାର୍ଯ୍ୟ କରୁଛି, ତାହା ବୋଧହୁଏ ବୁଝିପାରୁଥିବେ । ବ୍ରିଗେଡ଼ର ଏମ୍: ଆଇ: (ମିଲିଟାରୀ ଇଣ୍ଟେଲିଜେନ୍‍ସ) ବିଭାଗକୁ ଆପଣଙ୍କ ସମ୍ବନ୍ଧରେ ଖବର ପଠାଇବା ଦରକାର ।

 

ଅଭିମାନ—ମିଶା ଆହତ ସ୍ଵରରେ ପ୍ରୌଢ଼ଟି କହିଲେ, ମୁଁ ଜଣେ ନିରୀହ ଶିଳ୍ପୀମାତ୍ର । ମଝିରେ ମଝିରେ ଏ ଢିପ ଉପରକୁ ଆସି ନିରୋଳାରେ କେତୋଟି ଦିନ କଟାଇଯାଏ । ନିଜ ମନ ମଧ୍ୟରେ ଏକୁଟିଆ ରହି କେବଳ ଛବି ଆଙ୍କିଥାଏ । ଗୁଣୁଗୁଣୁ ହୋଇ ବନ ଜଙ୍ଗଲରେ ଘୁରିବୁଲେ । ମୋ ଖବରଟା ବ୍ରିଟିଶ୍ ଆର୍ମିର କି ଦରକାରରେ ଆସିବ, ଜାଣିପାରୁ ନାହିଁ ।

 

ଦୃଢ଼—ସ୍ଵରରେ ଦେବଳ କହିଲା—ସମସ୍ତେ ଗାଁ ଛାଡ଼ି ପଳାଇଛନ୍ତି । ଆପଣଙ୍କ ଚାକରମାନେ ମଧ୍ୟ; କିନ୍ତୁ ଆପଣ କାହିଁକି ଏଠାରେ ଏକା ବସି ରହିଛନ୍ତି ଜାଣିପାରୁ ନାହିଁ । କୌଣସି ଛଳନାରେ ଆମ ଆଖିରେ ଧୂଳି ଦେଇ ଜାପାନୀମାନଙ୍କୁ ଖବର ଅନ୍ତର ପଠାଉଛନ୍ତି ।

 

ବିଚଳିତ ନହୋଇ ଭଦ୍ରଲୋକ କହିଲେ—ଆପଣଙ୍କ ଚେହେରା ଓ କଥା କହିବାର ଢଙ୍ଗରୁ ଜାଣିପାରୁଛି, ଆପଣ ବଙ୍ଗାଳୀ ।

 

କ୍ରୋଧ ଜର୍ଜରିତ ସ୍ଵରରେ ଦେବଳ କହି ଉଠିଲା—ବଙ୍ଗାଳୀ ହୁଏଁ ବା ଦେଶୀ ହୁଏଁ, ମୋ ପ୍ରଶ୍ନର ସଫା ସଫା ଉତ୍ତର ଆପଣଙ୍କଠାରୁ ଚାହେଁ । ନହେଲେ ଧରି ନେଇ ଯିବାକୁ ବାଧ୍ୟ ହେବି । ସଙ୍ଗେ ସଙ୍ଗେ ଗିରଫ କରି ନେବାପାଇଁ ମୋ ପାଖରେ ମିଲିଟାରୀ ୱ୍ୟାରଣ୍ଟ ଅଛି । ଦେଖିବାକୁ ଚାହାନ୍ତି ?

 

ପୌଢ଼ର ଆଖିଦୁଇଟି ଉଜ୍ଜ୍ଵଳ ହୋଇଉଠିଲା । ସେ କହିଲା—ଆପଣ ବଙ୍ଗୀଳୀ । ତେଣୁ ଆପଣ ଯେଉଁକଥାଟି ବୁଝିପାରିବେ, ତାହା ଅନ୍ୟକେହି ବୁଝିପାରିବେ ନାହିଁ । ଜଣେ ଶିଳ୍ପୀର ମନ କଥା ସାଧାରଣ ସିପାହୀପକ୍ଷେ ବୁଝିବା ଅସମ୍ଭବ ।

 

ଏତେଦିନଯାକ ଦେବଳ ଯେଉଁ ଜୀବନଟି କଟାଇ ଆସିଛି, ତାଠାରୁ ଏ କଥାଟି ଅନେକ ଫରକ । ଶିଳ୍ପୀର ଏ ଘରଟି ଏବଂ ଏ ପରିବେଶଟି ଅତି ମଧୁର । ନିଜ ଜୀବନରେ ତାର ମଧ୍ୟ ମଧୁର ପରିବେଶ ଆସିଥିଲା; କିନ୍ତୁ ସେ ଜଗତରୁ ଆଜି ସମ୍ପୂର୍ଣ୍ଣ ନିର୍ବାସିତ, ପିପାସିତ । ତେଣୁ ଦେବଳ କହିଲା—ହଉ କହନ୍ତୁ; ମୁଁ ବୁଝିବାକୁ ଚେଷ୍ଟା କରିବି ।

 

ଟିକିଏ ରହି ପୌଢ଼ କହିବାକୁ ଆରମ୍ଭ କଲା—ଇମ୍ପାଲରେ ମାଧୁର୍ଯ୍ୟମୟ ସିଂହଙ୍କ ନାମ ଅନେକ ଗୁଣୀ ଲୋକେ ଜାଣନ୍ତି ଏବଂ ମୁଁ ଏଠାକୁ ଆସି ନିରୋଳାରେ ବସି ମନକୁ ମନ ଛବି ଆଙ୍କିଯାଏ, ସେକଥା ମଧ୍ୟ ଜାଣନ୍ତି; କିନ୍ତୁ ଚାରିଆଡ଼େ ସୈନ୍ୟ ଗମନାଗମନ ଓ ବିମାନ ଆକ୍ରମଣର ମଝିରେ ଏକୁଟିଆ ହୋଇ କାହିଁକି ମୁଁ ବସିରହିଛି, ତାହାର କାରଣଟି କେହି ଜାଣନ୍ତିନାହିଁ । ମିଲଟାରୀ ଲୋକେ ତ ଆଦୌ ବୁଝିପାରିବେ ନାହିଁ; ତଥାପି ମୋର ସୌଭାଗ୍ୟ ଯେ ବଙ୍ଗାଳୀ ହୋଇଥିବାରୁ ଆପଣ ନିଶ୍ଚୟ ବୁଝିବେ ।

 

ନିଜ ଶିଳ୍ପୀ ଜୀବନର କାହାଣୀ ମାଧୁର୍ଯ୍ୟମୟ ସିଂହ କହିଯିବାକୁ ଲାଗିଲେ–ତାପରେ–ତାପରେ ।

 

—ଆପଣଙ୍କପରି ସେଦିନ ରାତିରେ ମଧ୍ୟ ସେ ମହିଳା ଜଣକ ଆସି ହାଜିର ହୋଇଗଲା । ଆପଣ ଆଜି ଅସହିଷ୍ଣୁ ଉଦ୍ଧତଭାବେ ଛିଡ଼ାହୋଇଛନ୍ତି; ମାତ୍ର ସେଦିନ ତାଙ୍କ ଭଙ୍ଗିରେ ଥିଲା, ଅସହାୟ ମିନତୀ । ନାଁ ତାଙ୍କର କଣ, ତା ଆପଣଙ୍କୁ କହି ଲାଭନାହିଁ, ସେ ବି ଆପଣଙ୍କ ଦେଶର ଲୋକ । କୋହିମାର ଆଇ. ଏନ୍. ଏ. ର ତାଡ଼ନାରେ ତାଙ୍କ ସ୍ଵାମୀ ନିଖୋଜ ହୋଇଯାଇଛନ୍ତି । ମରିଯାଇଛନ୍ତି କି ନିଖୋଜ ହୋଇଛନ୍ତି, କେହି ଜାଣନ୍ତିନାହିଁ । ଦଳଦଳ ହୋଇ ବିଦେଶୀ ଲୋକ କୋହିମାଠାରୁ ଇମ୍ପାଲ ପର୍ଯ୍ୟନ୍ତ ପଳାଇଯିବାକୁ ଚେଷ୍ଟା କରୁଛନ୍ତି; ଅଥଚ ପକ୍କା ରାସ୍ତାଖଣ୍ଡିକ ମିଲିଟାରୀ ଏବଂ ମାଲପତ୍ର ସରବରାହରେ ପୂରି ରହିଛି; ତେଣୁ ବେସାମରିକ ଲୋକେ ଗାଁ ଗାଁ ଭିତର ଦେଇ ଚାଲିଚାଲି ପଳାଇଯାଉଛନ୍ତି । ସେଇମାନଙ୍କ ମଧ୍ୟରୁ ଇଏ ହେଲେ ଜଣେ ମହିଳା ।

 

ଲଣ୍ଠନ ଆଲୁଅରେ ଝଡ଼ରେ ପଡ଼ିଥିବା ବନହରିଣୀ ତୁଲ୍ୟ ପଳାଇ ଆସିଥିବା ସେଇ ମହିଳାଟିର ମୁହଁ ଆଡ଼କୁ ଅନାଇଁ ରହିଲି । ତାର କାନଫୁଲରେ ଝୁଲୁଥିଲା, କେବଳ ଗୋଟିଏ ଅକ୍ଷର “ମ” ପଦ୍ମଫୁଲର ଦେଶ ମଣିପୁରରେ ଜନସ୍ରୋତ ମଧ୍ୟରେ ଭାସିଭାସି ଆସିଥିବା ସେହି ମହିଳାଟିକୁ ମନେମନେ ‘ନା’ଟିଏ ଦେଲି— “ମଣିପଦ୍ମା” ।

 

—ତାର ଅସଲନାମଟି ଆପଣ କଣ ଜାଣନ୍ତି ନାହିଁ ? ଅଥଚ ଏମିତିକା ନା’ଟିଏ ଦେଲେ ଯେ ? ଆଶାକରେ, ତାକୁ ବୋଧହୁଏ ସେ କଥାଟି କହିଥିବେ । —ଦେବଳର କଥା ମଧ୍ୟରେ ଅବିଶ୍ୱାସର ସ୍ଵର ଫୁଟିଉଠିଲା । ମାଧୁର୍ଯ୍ୟମୟ; କିନ୍ତୁ ସେ କଥାରେ ବିଚଳିତ ନହୋଇ କହିଲେ—ତଳ ଅଞ୍ଚଳର ଗ୍ରାମଗୁଡ଼ିକରେ ଖାନାବାଡ଼ି ଏବଂ ଖାଦ୍ୟସାମଗ୍ରୀ ଘେନି ଟଣାଓଟରା ଚାଲିଛି; ତେଣୁ ସେ ଅନ୍ଧକାର ମଧ୍ୟରେ ସାହସ ସଞ୍ଚୟକରି ଏକୁଟିଆ ଢିପଉପରକୁ ଉଠି ଆସିଛନ୍ତି । ତାଙ୍କର ଆଶା, ହୁଏତ ଇମ୍ପାଲ ପର୍ଯ୍ୟନ୍ତ ଯାଇ ରେସିଡ଼େନ୍‍ସି ପାଖରେ ପହୁଞ୍ଚିପାରିଲେ, ସରକାରୀ କର୍ମଚାରୀଙ୍କ ସ୍ତ୍ରୀ ବୋଲି ଏରୋପ୍ଳେନ୍ ସାହାଯ୍ୟରେ ତାଙ୍କୁ କଲିକତା ପର୍ଯ୍ୟନ୍ତ ପଠାଇ ଦେବାର ବ୍ୟବସ୍ଥା ହୋଇପାରିବ । କେବଳ ଗୋଟିଏ ରାତ୍ରିପାଇଁ ସେ ଆଶ୍ରୟ ମାଗିଲେ । ପରଦିନ ସକାଳେ ପୁଣି ସେ ଜନଗହଳି ମଧ୍ୟରେ ଚଲାବାଟ ଧରି ଚାଲିଯିବେ । ନିଜ ସମ୍ବନ୍ଧରେ ସେ କିଛି କହିଲେ ନାହିଁ ବା ଭାଗ୍ୟ ସମ୍ବନ୍ଧରେ କିଛି ଅଭିଯୋଗ କଲେ ନାହିଁ । ଅସୁବିଧା କଥା ବି କିଛି କହିଲେ ନାହିଁ । ତାଙ୍କ ନିଜ ମନର ମହିମା ମୌନଭାବେ ମୋର ଏ କୁଟୀର ମଧ୍ୟରେ ଖେଲେଇ ହୋଇ ପଡ଼ିଲା । ଏ ଘରଟି ଏବଂ ଏ ଆଶ୍ରମ ବାଟିକାଟି ସାର୍ଥକ ହେଲା । କୌଣସି “ଦାନ୍ତେ” ବା “ଲିଓନାର୍ଦ୍ଦୋ–ଦା–ଭିଞ୍ଚି”, ଏତକ ପାଇପାରିଛନ୍ତି କି ନା, ଜାଣେନା ।

 

ବୈଠକଖାନା କୁହନ୍ତୁ ବା ଷ୍ଟୁଡ଼ିଓ କୁହନ୍ତୁ, ଅଥବା ଷ୍ଟଡ଼ିବୋଲି କୁହନ୍ତୁ, ରାତିକପାଇଁ ମୁଁ ମୋର ଏ ଘର ଖଣ୍ଡିକୁ ତାଙ୍କୁ ଛାଡ଼ିଦେଇଥିଲି ଏବଂ ପାଖ ବଖରାରେ ଜାଗିରହିଥିଲି; ସତେକି ତାଙ୍କୁ ପହରା ଦେବାକୁ ପଡ଼ିବ; କିନ୍ତୁ ରାତିଟିସାରା ତାଙ୍କରି କଥା ଭାବିବାକୁ ଲାଗିଲି । ମଝିରେ ଏ ଝାଟିମାଟିର କାନ୍ଥଟି; କିନ୍ତୁ ଇହକାଳର ବ୍ୟବଧାନ ମୋର ଘୁଞ୍ଚିଗଲା ।

 

ଦେବଳ ବର୍ତ୍ତମାନ ଟିକିଏ ଅବିଶ୍ୱାସ କରିବାକୁ ଆରମ୍ଭ କଲା । ଚାରିଆଡ଼େ ପ୍ରାଣଘେନି ଭିଡ଼ାଓଟରା । ନିଜେ ବି ଯେକୌଣସି ମୁହୂର୍ତ୍ତରେ ଧରାପଡ଼ି ଯାଇପାରେ । ତା ହେଲେ ଏ ଜୀବନପାଇଁ ସବୁ ଶେଷ ହୋଇଯିବ । ତେଣୁ ଏସବୁ ଗଳ୍ପ ଶୁଣିବାର ବେଳନୁହେଁ ।

 

ଖାଲି କଣ ଗଳ୍ପ ?

 

ନା, କେବଳ ଗଳ୍ପ ବି ନହୋଇପାରେ । ଆଚ୍ଛା, ଶୁଣାଯାଉ ।

 

ସହାନୁଭୂତି ସହିତ ସେ ପ୍ରଶ୍ନକଲା, —ପ୍ରଥମ ଦର୍ଶନମାତ୍ରେ ଆପଣଙ୍କର ପ୍ରେମଜାତ ହେଲା ନା କଣ ?

 

ମାଧୁର୍ଯ୍ୟମୟ ଉଦାସଭାବେ ଉତ୍ତରଦେଲେ—ପ୍ରେମର ବୟସ ମୋରନାହିଁ । ଅନ୍ତତଃ ସମ୍ପୂର୍ଣ୍ଣ ଅପରିଚିତା, ରାତିକପାଇଁ ଦେଖା, କୌଣସି ଗୋଟିଏ ବିଦେଶିନୀ ସହିତ, ପ୍ରେମରେ ମୁଁ ପଡ଼ିନାହିଁ; କିନ୍ତୁ ପଡ଼ିଛି, ଏକଥା ବି ସତ । ଭାବିଥିଲି, ବହୁଦିନ ଆଗରୁ ସେ ସିଂହଦ୍ଵାର ପାରି ହୋଇଆସିଛି; କିନ୍ତୁ ବର୍ତ୍ତମାନ ଦେଖୁଛି, ସ୍ଵର୍ଗର ସେଇ ଦ୍ଵାରଟି ମନୁଷ୍ୟ ନିକଟରେ ଚିରଦିନପାଇଁ ଉନ୍ମୁକ୍ତ ଥାଏ ।

 

—ଆପଣ କଣ ତାଙ୍କୁ ନିଜ ମନଭିତରେ ନୂଆହୋଇ ଜାଗି ଉଠିଥିବା ଗୋପନ ପ୍ରେମକଥାଟି କହିଥିଲେ ? କିଛି ଆଭାସ ଦେଇଥିଲେ ? କିଛି ଆଶ୍ୱାସନା ପାଇଥିଲେ କି ?

 

ମନେହେଲା, ସତେକି ମହାସାଗରର ସେପାରିରୁ ପ୍ରୌଢ଼ଙ୍କର ସ୍ଵରତରଙ୍ଗ ଭାସିଆସୁଛି-। କହିଲେ–ମୋ ଆଡ଼ୁ କିଛି ଆଭାସ ତ ମୁଁ ଦେଇ ନାହିଁ । ତେଣୁ ଜବାବ ବା ପାଇବି କିପରି-?

 

—ବାଃ । ରାତିସାରା ତ ସେ ଆପଣଙ୍କ ଘରେ ଥିଲେ ?

 

—ଯୁବକ ଆପଣ, ସେକଥା ବୁଝିପାରିବେ ନାହଁ । ଆପଣମାନଙ୍କ କଥା ହେଲା, ଯାହାକୁ ଭଲପାଇବେ, ତାକୁ ଦିନ ଦିନ, ମାସ ମାସ, ଋତୁ ଋତୁ ଧରି, ଧୀରେ ଧୀରେ, କେତେବେଳେ ଅବା ଜଣାଇଦେଇ, କେତେବେଳେ ଅବା ଗୋପନରେ ମନଭିତରେ ଜଳୁଥିବା ବହ୍ନିଶିଖାରେ ରଞ୍ଜିତ କରିଦେଇ, ଭଲପାଇ ବସିବେ । ଆଉ ମୁଁ ? ସାରା ଜୀବନଟିକୁ ମୋର ଗୋଟିଏ କ୍ଷୁଦ୍ର ରାତ୍ରିମଧ୍ୟରେ ସୀମାବଦ୍ଧକରି ଦେଖିନେଲି ।

 

ଇତସ୍ତତଃ ହୋଇ ଦେବଳ କହିଲା—ହୁଏତ ସକାଳେ ବିଦାୟ ନେଲାବେଳକୁ କିଛି ଟିକେ ଆଭାସ ଦେଇ ପାରିଥାଆନ୍ତେ ?

 

ତା କଣ ହୁଏ ? ପ୍ରୌଢ଼ ମୁଣ୍ଡହଲାଇ ଉତ୍ତର ଦେଲା—ମୋରି ଆଶ୍ରୟରେ ଥାଇ ଗୋଟିଏ ରାତି ତା’ର ନିଶ୍ଚିନ୍ତ ଭାବେ ବିତିଯାଇପାରିଛି, ସେହି ଲାଭଟିକକ ମୋ ନିକଟରେ ଯଥେଷ୍ଟ-। ତା ବଦଳରେ ତା’ ନିକଟରେ ନିଜକଥାଟିକୁ କହି ମନଟିକୁ ତାର ଭାରାକ୍ରାନ୍ତ କରିଦେବା ଉଚିତ୍ ହୋଇନଥାନ୍ତା ।

 

—ସେ କଥାଟି ସମ୍ପୂର୍ଣ୍ଣ ସତ୍ୟ । ଆପଣ ଠିକ୍ କହିଛନ୍ତି; କିନ୍ତୁ ତା ନାଁ ଓ ଠିକଣା ରଖିବା ଉଚିତ୍ ଥିଲା । ହୁଏତ, ଭବିଷ୍ୟତରେ ଆପଣ ତାକୁ କିଛି ସାହାଯ୍ୟ କରିପାରି ଥାଆନ୍ତି ।

 

—ସେ ସମସ୍ୟା ମୋର ନୁହେଁ । ସେଥିପାଇଁ ତା ସମାଜ ଅଛି, ସଂସାର ଅଛି, ଭଗବାନଙ୍କ ନିକଟରେ ପ୍ରାର୍ଥନା କରି ଭାବୁଛି, ସ୍ୱାମୀ ମଧ୍ୟ ଅଛନ୍ତି । ତା ଅଜଣାରେ ମୁଁ ଯାହାପାଇଲି, ସେତିକି ମାତ୍ର ମୋର ନିଜସ୍ଵ ।

 

କିଛି ସମୟ ରହିଯାଇ ପୁଣିଥରେ ସେ କହିଲେ—ତଥାପି, ସେହି ଆଶାରେ ହିଁ ଏ ଘର ଖଣ୍ଡିକୁ ମୁଁ ଏକପ୍ରକାର କାମୁଡ଼ି ପଡ଼ିରହିଛି । ଇମ୍ପାଲଲେ ମଧ୍ୟ ଆଇ. ଏନ୍. ଏ. ଚଢ଼ାଉ କରିଛନ୍ତି ବୋଲି ଶୁଣୁଛି । ତେବେ, ସେ ତ ପୁଣି ଏଇବାଟ ଦେଇ ଫେରିପାରେ !

 

ଅନ୍ଧକାର ମଧ୍ୟରେ ଆକାଶର ବକ୍ଷ ବିଦୀର୍ଣ୍ଣକରି ଦୂରରୁ ଅସ୍ପଷ୍ଟ ଘୁଁ ଘୁଁ ଶବ୍ଦ ଶୁଣାଗଲା । ବୋଧହୁଏ କୌଣସି ବୋମାବର୍ଷୀ ବିମାନ ଆସୁଛି । ସେ ଶବ୍ଦ ଶୁଣୁ ଶୁଣୁ ଦେବଳର ମନ ଟିକିଏ କଠିନ ହୋଇ ଉଠିଲା; ହଠାତ୍ ସେ ଦୌଡ଼ିଯାଇ ଲଣ୍ଠନଟିକୁ ନିଭାଇଦେଲା ଏବଂ ପଚାରିଲା—ସେଇଥି ପାଇଁ ବୋଧହୁଏ, ଆପଣ ଏଇଠାରେ ବସି ରହିଛନ୍ତି ! ଆଚ୍ଛା, ତା ପାଇଁ ଅପେକ୍ଷା କରିଥାଆନ୍ତୁ ।

 

ମାଧୁର୍ଯ୍ୟମୟର କଣ୍ଠସ୍ଵରରେ କିଛି ପରିବର୍ତ୍ତନ ଦେଖାଗଲା ନାହିଁ । ଏତିକିମାତ୍ର ସେ କହିଲା—ନିତାନ୍ତ ପିଲାମଣିଷ ଆପଣ, ଏସବୁ କିଛି ବୁଝି ପାରିବେ ନାହିଁ । ଆରମ୍ଭରୁ ଯାହା ଶେଷ ହୋଇଗଲା, ତାକୁ ପୁଣି ଲେଉଟାଇ ଆଣିବାର ଆଶା ଅଛି କି ? ସେହି ରାତ୍ରିର ପରଦିନଠାରୁ ମୁଁ ତା’ର ଅଗଣିତ ଛବି ଆଙ୍କୁଛି; କିନ୍ତୁ ସେସବୁ ଚିତ୍ର ମଧ୍ୟରେ ମୋର ମନଲାଖି ରୂପଟି ଫୁଟି ଉଠିପାରୁନାହିଁ । ତା ଚେହେରାଟିକୁ ମୁଁ ଭଲଭାବେ ଦେଖିନାହିଁ । ତଥାପି ସବୁକଥା ଦେଖା ହୋଇଯିବା ଭଳି ଲାଗୁଛି । ଆରମ୍ଭରୁ ଯାହାସବୁ ମୁଁ ଠିକ୍‍କରି ନେଇଛି, ସେତିକି ହେଲା, ମୋର ଭାଗ୍ୟର କଥା ।

 

ପନ୍ଦର

 

ଘୁଁ ଘୁଁ ରଡ଼ିଛାଡ଼ି ପଞ୍ଝାକୁ ପଞ୍ଝା ଆମେରିକାନ୍ ଲିବରେଟର ପ୍ଳେନ ମୁଣ୍ଡ ଉପରେ ଉଡ଼ିଗଲା । ଏକମାତ୍ର କଥା ଜଣାଇଦେଇ ଗଲା ଯେ, ଏଣିକି ଯାହା ମୁଣ୍ଡଉପରେ ଏରୋପ୍ଳେନ୍‍ର ଛତ୍ରି ନାହିଁ, ସେ କୋହିମା ଦଖଲ କରିଥିଲେ ହେଁ, ଦଖଲରେ ତାକୁ ରଖିପାରିବେ ନାହିଁ । ତଥାପି ? ତଥାପି ଶେଷପର୍ଯ୍ୟନ୍ତ ହିଁ ଲଢ଼ିବାକୁ ପଡ଼ିବ । “ପଛଘୁଞ୍ଚା ନାହିଁ ବୀରର ଜାତକେ ।”

 

ଦେବଳର ଭାଗ୍ୟରେ ମଧ୍ୟ ପଛଘୁଞ୍ଚା ନାହିଁ । ସେହି ରାତ୍ରିମଧ୍ୟରେ ସେ ଏବଂ ଉତ୍ତମା ରାସଯାତ୍ରା ହେଉଥିବା ଗୋଟିଏ ଗ୍ରାମ ଉଦ୍ଦେଶ୍ୟରେ ଚାଲିଛନ୍ତି । ବାଟ ଚାଲୁ ଚାଲୁ ମାଧୁର୍ଯ୍ୟମୟ କାହାଣୀକୁ ଘେନି ସେମାନେ ଆଲୋଚନା କରୁଛନ୍ତି । ମରଣପୂର୍ଣ୍ଣ ସଂସାରରେ ଥାଇ ପ୍ରେମମଧ୍ୟରେ ଜୀବନକୁ ନୂଆ ଭାବେ ଫେରିପାଇବାର କାହାଣୀ ।

 

ଦେବଳ କିନ୍ତୁ ଆକାଶ ଆଡ଼କୁ କାନ ଡେରିଛି । ସତେକି ଆହୁରି ଦଳେ ଏରୋପ୍ଳେନ୍ ଆସି ପହୁଞ୍ଚିଯିବେ । ଯେତେଗୁଡ଼ିଏ ପ୍ଳେନ୍ ଉଡ଼ିଯାଇଛି, ତାର ସଂଖ୍ୟା କେତେ, ତାହା ସେ ଅନ୍ଦାଜ କରିନେଇଛି । ବର୍ତ୍ତମାନ ଯଦି ଖବରଟା ପଠାଯାଇପାରନ୍ତା, ତେବେ ଭଲ ହୁଅନ୍ତା ।

 

ଅନ୍ୟମନସ୍କଭାବେ ସେ କହିଲା—ଭଦ୍ରଲୋକଟି ‘ସ୍ପାଇ’ ନୁହନ୍ତି, ଏ ବିଷୟରେ ମୋର କୌଣସି ସନ୍ଦେହ ନାହିଁ । ସେ କେବଳ ଶିଳ୍ପୀ ନୁହନ୍ତି, କବି ମଧ୍ୟ । ଆହୁରି ବି, ତାଙ୍କର ଅଜୀର୍ଣ୍ଣ ରୋଗ ଅଛି ।

 

ଉତ୍ତମା କିନ୍ତୁ ଅଜୀର୍ଣ୍ଣ କଥା ଶୁଣି ରାଗିଯାଇ କହିଲା—ତୁମ ମନଟା ଏକାବେଳକେ କାଠ ପାଲଟି ଯାଇଛି । କାହିଁକି ? ଯୁଦ୍ଧ ବିଭାଗରେ ଯୋଗଦେଲା ପରେ ମନୁଷ୍ୟ ଅନ୍ୟ ଲୋକର ମନ ପ୍ରତି ସଂବେଦନ ଦୃଷ୍ଟି ନିକ୍ଷେପ କରିପାରେ କି ?

 

ଦେବଳ ଟିକିଏ ଲଜ୍ଜିତ ହେଲା । ତଥାପି ତର୍କ କରିବସିଲା—କେବଳ ଗୋଟିଏ ରାତ୍ରି ଭିତରେ ଅଧାଅଧି ଦେଖାସାକ୍ଷାତ ।

 

ଗମ୍ଭୀର ସ୍ଵରରେ ଉତ୍ତମା କହିଲା—ହଁ, ସେତିକି ବି ଯଥେଷ୍ଟ ହୋଇପାରେ । ମୁହୂର୍ତ୍ତକ ମଧ୍ୟରେ ବି କେହି କେହି ଭଲ ପାଇବାକୁ ଆରମ୍ଭ କରି ନିଃଶେଷ ହୋଇଯାଆନ୍ତି । ସେକଥା ତୁମେ ଜାଣିପାରିବ ନାହିଁ । ମୋର ଆଶା, ତୁମ ଭାଗ୍ୟ ଖୁବ୍ ଭଲ; କିନ୍ତୁ ଯେଉଁମାନଙ୍କ ସୌଭାଗ୍ୟ କ୍ଷଣକ ମଧ୍ୟରେ ନିଃଶେଷ ହୋଇଯାଏ, ସେମାନଙ୍କ କଥା ଭୁଲିଯାଅ ନାହିଁ ।

 

କହୁ କହୁ ଉତ୍ତମାର ମୁଖ ବିବର୍ଣ୍ଣ ହୋଇଗଲା । ସେ କଥାଟା ବି ଦେବଳର ଦୃଷ୍ଟିରେ ପଡ଼ିଲା । ଅନ୍ଧକାର ଧୀରେ ଧୀରେ ଉଭେଇ ଯାଉଥିଲା ଏବଂ ଆକାଶରେ ପ୍ରଭାତର ଆଭା ଅସ୍ପଷ୍ଟଭାବେ ଫୁଟିଉଠୁଥିଲା । ପକ୍ଷୀଟିଏ କାହିଁ ଥାଇ ଡାକିଉଠିଲା—ପିଉକାହାଁ, ପିଉକାହାଁ...... !

 

ଦେବଳ କାନ ପାରି ଶୁଣିଲା । ଗତରାତ୍ରିରେ ଏଇ ଶବ୍ଦଟି ଥିଲା ସେମାନଙ୍କର ସଙ୍କେତ-। ସବୁ କଥା ମନେ ପଡ଼ିଗଲା । ଏଇ ଶବ୍ଦଟାର ଗୋଟାଏ ଅର୍ଥ ଅଛି । ଆଶା, ବିଶେଷ କିଛି ନ ଭାବି ଉତ୍ତମା ନିଶ୍ଚୟ ଏଇ ସଙ୍କେତଟା ଦେଇଥିଲା ।

 

ଦେବଳର ମଣିବନ୍ଧରେ ଏବେ ବି ହାତଘଡ଼ିଟି ଟୁକ୍ ଟୁକ୍ ଶବ୍ଦକରି ଚାଲିଛି ।

 

ମଣିପୁରୀ ରାସଯାତ୍ରା । ନାଚ ଆଉ ଗୀତର ଆତ୍ମହରା ଉତ୍ସବ ।

 

—ଉପାୟ କି ହେବ,

 

ପ୍ରିୟ ସଜନି ?

 

ନା, ଅସହାୟ ଅବସ୍ଥାରେ ପଡ଼ି ଦେବଳ ଉତ୍ତମାକୁ ଏ ପ୍ରଶ୍ନ କରୁ ନଥିଲା ।

 

ବୃନ୍ଦା, ଲଳିତା ଆଦି ସଖିମାନେ ସେମାନଙ୍କ ପ୍ରିୟ ସଜନୀ ଶ୍ରୀରାଧାଙ୍କୁ ଏ ପ୍ରଶ୍ନ କରିଥିଲେ । ମୁଖର ଭଙ୍ଗି, ଅଙ୍ଗୁଳିର ଇଙ୍ଗିତ, ମଧୁର ସଙ୍ଗୀତ ମଧ୍ୟରେ ଏହି ଆକୁଳ ପ୍ରଶ୍ନଟା ପ୍ରତ୍ୟେକଙ୍କ ମନ ଉପରେ ସତେକି ବିଛେଇ ହୋଇଯାଇଥିଲା ।

 

ମଣିପୁରୀ ରାସଯାତ୍ରାର ଗୋପନ ଉଦ୍ଦେଶ୍ୟଟି ହେଉଛି ଏଇଠାରେ । ଯେଉଁମାନେ ନାଚନ୍ତି, ଯେଉଁମାନେ ଗୀତ ବୋଲନ୍ତି, କେବଳ ସେହିମାନେ ନୁହେଁ, ଯେଉଁମାନେ ଦେଖନ୍ତି ଏବଂ ଯେଉଁମାନେ ଶୁଣନ୍ତି, ସେମାନେ ମଧ୍ୟ ସମସ୍ତେ ରାସରସରେ ବିଭୋର ହୋଇପଡ଼ନ୍ତି । ଏକ ପାଖରେ ଶ୍ରୀକୃଷ୍ଣ ଅଭିମାନ କରି ମୁହଁ ଘୋଡ଼ାଇ ଛିଡ଼ା ହୋଇଛନ୍ତି; ଅନ୍ୟ ପାଖରେ ଶ୍ରୀରାଧା ବଙ୍କିମ ଭଙ୍ଗିରେ ଚାହିଁ ରହିଛନ୍ତି । ସତେ କି କିଛି ହୋଇନାହିଁ । ବାହାରକୁ ସୁଶାନ୍ତ ଭାବ । ଶ୍ରୀକୃଷ୍ଣ ଚାଲିଯିବେ; ଗଲେ ଯାଆନ୍ତୁ । ମୋର ସେଥିରେ କଅଣ ଯାଏ ଆସେ ? ମନ ଭିତରେ କିନ୍ତୁ ସେ ଅସ୍ଥିର ଓ ବ୍ୟାକୁଳ ହୋଇ ପଡ଼ିଛନ୍ତି । ମୃଦୁ ପଦକ୍ଷେପରେ ସେହି ଅଧୀରତା ହିଁ ଧରା ପଡ଼ିଯାଉଛି । ମଝିରେ ପାଞ୍ଚ ଛଅ ଜଣ ସଖୀ । ସେହିମାନେହିଁ ବ୍ୟାକୁଳତା ପ୍ରକାଶ କରୁଛନ୍ତି । ସେମାନେ ମଧ୍ୟ ମାନ ଅଭିମାନର ଏହି ଅଭିନୟରେ ବିହ୍ଵଳ । ଗୀତ ମଧ୍ୟଦେଇ, ନାଚ ମଧ୍ୟଦେଇ, ସେହିମାନେ ଦୁଇଜଣଙ୍କର ମାନଭଞ୍ଜନ ପାଇଁ ଚେଷ୍ଟା କରୁଛନ୍ତି । ବ୍ୟାକୁଳ ହୋଇ ପରସ୍ପରକୁ ପଚାରୁଛନ୍ତି,

 

“ଉପାୟ କି ହେବ,

 

ପ୍ରିୟ ସଜନି” ?

 

ତନ୍ମୟ ହୋଇ ଦେବଳ କଣ ଦେଖୁଛି, କଣ ଶୁଣୁଛି ? ବଙ୍ଗଦେଶରେ ଯେଉଁ ରାସଲୀଳା ଯାତ୍ରା ହୋଇଥାଏ, ତହିଁ ମଧ୍ୟରେ ମାନ ଅଭିମାନର ଏଭଳି ସୁନ୍ଦର ପ୍ରକାଶ ଏବଂ ମନସ୍ତତ୍ତ୍ୱର ବିଶ୍ଳେଷଣ ନଥାଏ । ସେଠାରେ ଦୁଇଘଣ୍ଟା ମଧ୍ୟରେ ସମସ୍ତ ନାଚଟିକୁ ଦେଖାଇ ଶେଷ କରିବାକୁ ପଡ଼େ । ମଣିପୁର ପରି ସାରାରାତ୍ରିର କାରବାର ସେଠାରେ ନଥାଏ । ସେଇଥିପାଇଁ କଣ ଦେବଳ ପୂରାପୂରି ମନୋଯୋଗ ସହକାରେ ନାଚଟିରେ ମଜ୍ଜି ଯାଇଥିଲା ?

 

କିନ୍ତୁ ଠିକ୍ କେଉଁ ଜିନିଷଟିକୁ ଦେଖୁଛି ଆବେଗ ଉତ୍ସ୍ୱାସରେ ଉଜ୍ଜଳ ହୋଇ ଉଠୁଥିବା ମୁଖ ଭଙ୍ଗିଟିକୁ ? ନା, ଲଘୁଭାବେ ମଧୁର ସୁବାସ ଖେଳେଇ ଦେଉଥିବା ଚମ୍ପକ କଳିକା ତୁଲ୍ୟ ଅଙ୍ଗୁଳିଗୁଡ଼ିକର ମୁଦ୍ରା ମଧ୍ୟରେ, ନା ନୂପୁର ରଞ୍ଜିତ ସୁଠାମ ଚରଣ ଚାଞ୍ଚଲ୍ୟରେ ?

 

ଅତି ସହଜ ଏବଂ ସରଳ ଦୃଷ୍ଟି ନିକ୍ଷେପକରି ଦେବଳ ସବୁ ଦେଖୁଛି; କିନ୍ତୁ ଦଳ ଦଳ ହୋଇ ଚତୁର୍ଦ୍ଦିଗରେ ଭିଡ଼ବାନ୍ଧି ଯେଉଁ ସିପାହୀମାନେ ବସିଛନ୍ତି, ସେମାନଙ୍କ ଉପରେ ଅନ୍ୟମନସ୍କ ଭାବେ ହଠାତ୍ ତାର ଯଦି ଦୃଷ୍ଟି ପଡ଼ିଯାଏ, ତେବେ ସେ ବା କଅଣ କରିବ ?

 

ସଙ୍ଗେ ସଙ୍ଗେ ଦେବଳର ଆଣ୍ଠୁ ଉପରେ ଚଟ୍କରି ଗୋଟିଏ ଅଙ୍ଗୁଳିର ଠୁକର୍ ବାଜିଲା ।

 

ମଣିପୁରରେ ସ୍ତ୍ରୀଲୋକମାନଙ୍କ ମଧ୍ୟରେ ପରଦା ନାହିଁ; ତଥାପି ସ୍ତ୍ରୀପିଲା ଏବଂ ପୁରୁଷପିଲା ତଫାତ୍ ହୋଇ ବସିଛନ୍ତି । ଭିଡ଼ ଖୁବ୍ ବେଶି ହୋଇଚି । ଠେସାଠେସି ହୋଇ ବସିଲେ, କୌଣସି ଗୋଟିଏ ଜାଗାରେ ପୁରୁଷ ଓ ସ୍ତ୍ରୀ ମଧ୍ୟରେ ଅଲଗା ଲାଇନ ରହିପାରେ ନାହିଁ । ଉଭୟେ ପ୍ରାୟ ମିଶାମିଶି ଯାଇଛନ୍ତି । ସେହି ସ୍ଥାନ ଉଣ୍ଡି ଦେବଳ ଓ ଉତ୍ତମା ବସିଯାଇଛନ୍ତି ।

 

କଥାରେ କହନ୍ତି, ରାସମଣ୍ଡଳୀ । ପରିହାସରେ ବି କହନ୍ତି, ରାସମଣ୍ଡଳୀ । ରାଧାକୃଷ୍ଣଙ୍କ ପ୍ରେମ ଗୋଟିଏ ମଣ୍ଡଳୀ ସୃଷ୍ଟି କରିଦିଏ । ସତେ କି ସମସ୍ତେ ଏକ ମନପ୍ରାଣ ହୋଇ ରସସାଗରରେ ଡୁବିଯାଆନ୍ତି । ଏ ତ କେବଳ ନାଚ ନୁହେଁ କି ଗୀତ ନୁହେଁ; ଏ ହେଲା ପୂଜା ।

 

ପୁଣି ତିଆରି ହୋଇଛି, ସେନାମଣ୍ଡଳୀ । ନାନା ଶ୍ରେଣୀର ସୈନିକମାନେ ରାସମଣ୍ଡଳୀର ଚାରିପାଖେ ଘେରି ବସିଛନ୍ତି ।

 

ସେମାନଙ୍କର ଅବଶ୍ୟ କୌଣସି ଖରାପ ମତଲବ ନାହିଁ । ଗ୍ରାମର ଲୋକେ ନିର୍ଭୟରେ ବସି ରହିଛନ୍ତି । ଝିଅମାନେ ମଧ୍ୟ । ସମସ୍ତେ ମିଳି ଏକ ସଙ୍ଗରେ ଥିଲେ ବିପଦ କମ୍ । ଖୁବ୍ ବେଶି ହେଲେ ସିପାହୀମାନେ ସମସ୍ତଙ୍କ ସମ୍ମୁଖରେ ବସି ଆଁ କରି ଚାହିଁ ରହିଥିବେ । ସେମାନଙ୍କର ଛାଉଣି ମଧ୍ୟ ଅଦୂରରେ ରହିଛି; ତେଣୁ ମୋଟଉପରେ ସମସ୍ତେ ନିୟମମାନି ଭଦ୍ରଭାବରେ ଚଳୁଛନ୍ତି । କହାର ଜିନିଷପତ୍ର ଉପରେ ହାତ ଦେଇ ପାରନ୍ତି ନାହିଁ, ଅଥବା କାହାରି ଘରେ ଚଢ଼ାଉ କରି ପାରନ୍ତି ନାହିଁ । ଯୁଦ୍ଧ ସମୟରେ ଯୁଦ୍ଧ କରୁ ନଥିବା ଲୋକଙ୍କ ପକ୍ଷେ ଏତକ ହେଲା ସବୁଠାରୁ ଭଲ ବନ୍ଦୋବସ୍ତ । ଏଥିରେ ମଧ୍ୟ ଖାଇବାକୁ ପାଇବାପାଇଁ ଭଲଭାବେ ଦି ପଇସା ରୋଜଗାର କରିବା ବାଟ ଫିଟିଥାଏ । ବାହାରଆଡ଼ୁ ବିଭିନ୍ନ ଦେଶର ଲୋକେ ଆସନ୍ତି । ମିସ୍ତ୍ରୀ, କଣ୍ଟ୍ରାକ୍ଟର, ରସିଦ୍, ଯୋଗାଇବା ଲୋକ ଇତ୍ୟାଦି । ଏଭଳି ସ୍ଥାନରେ ଦିନପରେ ଦିନ, ଅର୍ଥାତ୍ ରାତିପରେ ରାତି ରାସଲୀଳାର ନାଚ ମଣିପୁରୀମାନେ ଦେଖାଇ ଚାଲିଛନ୍ତି । ସିପାହୀମାନେ ଟଙ୍କାଖର୍ଚ୍ଚ କରି ଦେଖିବାକୁ ଆସନ୍ତି । ଗାଁ ଲୋକଙ୍କ ଉପରେ ଖୁସି ମଧ୍ୟ ଥାଆନ୍ତି; ତେଣୁ ରାସଯାତ୍ରା ଦେଖିଆସିବା ନିରାପଦ । ବିଶେଷଭାବରେ ସଙ୍ଗରେ କୌଣସି ମହିଳା ଥିଲେ । ମଣିପୁରର ଝିଅମାନଙ୍କର ସମ୍ମାନ ଖୁବ୍ ବେଶି ।

 

ପ୍ରଥମେ ଭାଙ୍ଗିନୃତ୍ୟ ଆରମ୍ଭ ହେଲା । ସମସ୍ତେ ଗୀତ ଆରମ୍ଭ କଲେ ।

 

“ନାଚ ତ ନାଗର ନଗରୀ ସାଙ୍ଗେ”

 

ଏତିକିରେ ମଜଲିଶ୍ ଜମି ଉଠିଲା । ଦେବଳ ଓ ଉତ୍ତମା ଆସି ଚୁପ୍‍ ହୋଇ ବସିପଡ଼ିଲେ-। କେହି ତାଙ୍କଆଡ଼କୁ ନଜର କରିପାରିଲେ ନାହିଁ ।

 

ଉତ୍ତମାର ବୁଦ୍ଧିକୁ ପ୍ରଶଂସା କରିବାର କଥା । ଦେବଳ ମନେମନେ ଭାବୁଥାଏ—ରାତିଟି ଆତ୍ମଗୋପନ କରି କଟାଇ ଦେବାଲାଗି ଚମତ୍କାର ବନ୍ଦୋବସ୍ତ ହୋଇଗଲା । ପ୍ରଥମେ ସେ ରାସ ଉତ୍ସବକୁ ଆସିବାକୁ ଅନିଚ୍ଛା ପ୍ରକାଶ କରିଥିଲା । ଉତ୍ତମା କିନ୍ତୁ ବୁଝାଇଦେଲା ଯେ, ଏଭଳି ଗୋଟିଏ ଉତ୍ସବକୁ ନଆସି କୌଣସିଘରେ ବସିରହିଲେ ଲୋକେ ସନ୍ଦେହ କରିବେ । କାହାରି ମନରେ କୌଣସି ସନ୍ଦେହ ଜାତ ନ କରାଇ ଏ ସବୁ ସ୍ଥାନରେ ସହଜେ ରହି ଯାଇହେବ । ଥରେ ସନ୍ଦେହ ଜାତ ହେଲେ ଭୟାନକ ବିପଦ । ପଳାଇବା ପାଇଁ ବାଟ ମିଳିବ ନାହିଁ । ଅଳ୍ପ ଅଳ୍ପ ଦୂରରେ ଜଙ୍ଗଲ ରାସ୍ତା ମଧ୍ୟରେ ମିଲିଟାରୀ ଘାଟିମାନ ଗଢ଼ାଯାଇଛି । ଭିତରକୁ ଆସିବା କିମ୍ବା ବାହାରକୁ ଯିବାରେ ଭୟଙ୍କର ବିପଦ । ଜେରା ତଦନ୍ତ ଚାଲିବ । ବ୍ରିଟିଶ୍ ସିଂହଦଳ ଘାଟିଜଗି ବସିଛନ୍ତି ।

 

ଏହି କଥା କହି ଉତ୍ତମା ଦେବଳକୁ ସାବଧାନ କରାଇଦେଇ କହିଥିଲା—ଖବରଦାର, ଏଭଳି ଓଜନିଆ ଓ ଭୟଙ୍କର କଥାସବୁ ମନକୁ ଆଣନାହିଁ । ସେଇକଥା ଭାବି ଭାବି କେତେବେଳେ କୌଣସି କଥା କରି ବସିବ । ନୋହିଲେ, ତୁମ ପରିଚୟରେ କିଛି ଖୁଣ ଥିବାର ଲୋକେ ସନ୍ଦେହ କରିବେ ।

 

ନିଜର ନିଶ୍ଚିନ୍ତ ଭାବ ପ୍ରକାଶ କରିବା ପାଇଁ ଦେବଳ ଉତ୍ତର ଦେଲା—ଚନ୍ଦ୍ରର ମଧ୍ୟ ଟିକିଏ ଖୁଣ ଅଛି ।

 

—ଥାଉ, କିନ୍ତୁ ଚନ୍ଦ୍ରକୁ ଘେନି କବିମାନେ କାରବାର କରି ଥାଆନ୍ତି ।

 

ବାଧାଦେଇ ଦେବଳ ହସି ପକାଇ କହିଲା—ଆଉ କେଉଁମାନେ, କୁହ ତ ?

 

ଉତ୍ତମା କହିଲା—ତୁମେ କହୁନାହଁ ? ତୁମେ ତ ହେଲ କବି ଓ ପ୍ରେମିକର ଜାତ । ପାଗଳ ମଧ୍ୟ । ତେଣୁ ବିଶେଷଭାବେ ତୁମେ କହ ।

 

ମୁଣ୍ଡ ହଲାଇ ଦେବଳ କହିଲା—ଉହୁଁ, ମାନିନେଇ ପାରୁନାହିଁ । ତୁମେ ଯେତେବେଳେ କଲିକତାରେ ଥିଲ, ବହୁତ କବି ଦେଖିଛ, ମାନିଲି । ସ୍ଵୀକାର କରୁଛି ଯେ କବିମାନେ ପାଗଳ; ମାତ୍ର ପ୍ରେମିକ ବୋଲି କାହାକୁ କେଉଁଠି ଦେଖିଛ, କହ ତ ? ।

 

—କାହିଁକି ? ହିଂସା ହେଉଛି କି, କଥାଟି ଶୁଣିବା ମାତ୍ରେ ?

 

—ନା ଦେବି, ମୋର କେବଳ ହିଂସା, ଯେଉଁମାନେ ପ୍ରେମରେ ପଡ଼ି ମରନ୍ତି ନାହିଁ, ସେଇମାନଙ୍କ ଉପରେ । ସେମାନେ ହେଲେ ଯୋଦ୍ଧା, ଦୁଷ୍ମନ୍ର ସିପାହୀ ।

 

—ଚୁପ୍ ଚୁପ୍ । ଗଛପତ୍ରର ବି କାନ ଅଛି ।

 

—ସେମାନେ ନିଶ୍ଚୟ ସମ୍ଭାଷଣ ଶୁଣିବାପାଇଁ କାନପାତି ରହି ନଥାନ୍ତି । ବୋଧହୁଏ ସେହିମାନଙ୍କର ଦୃଷ୍ଟି ଏଡ଼ାଇବାପାଇଁ ଏଇ କେତେଦିନ ହେଲା ତୁମର ଆଲୋଚନା ଗୁଡ଼ିକ ଟିକିଏ କାବ୍ୟମୟ ହୋଇ ରହିଛି ।

 

ଉତ୍ତମା କହିଲା—ତା ଛଡ଼ା ଆଉ କଅଣ ହୋଇପାରେ ? “ଓଏଦର ଡିଶ୍‍କସ୍” କଅଣ ଚବିଶ ଘଣ୍ଟା ଚାଲିପାରେ ?

 

ହସି ହସି ଦେବଳ କହିଲା—ତେଣୁ ବୋଧହୁଏ ତୁମେ ଗୋଟିଏ ବିଷୟ ବାଛି ନେଇଛ, ଯହିଁରେ କି ବିପଦ ନାହିଁ । କଲିକତାରେ ଥିଲାବେଳେ ହୁଏତ ଖୁବ୍ ଭଲଭାବେ ଅଭ୍ୟାସ କରି ନେଇଛ । ତୁମେ ଭାଗ୍ୟବତୀ । ତୁମର କଲେଜ ଜୀବନଟି କଲିକତାରେ ଭଲଭାବେ କଟି ଥିବାର ଦେଖୁଛି ।

 

—ତୁମେ ନିରାଶ ହେଲ, ଦେବଳ । ମୋଟେ ତା ନୁହେଁ । କୋ-ଏଡ଼ୁକେଶନ୍ କଲେଜରେ ପଢ଼ି ମୋଟେ ତା ହେଲାନାହିଁ । ଆମ ବଙ୍ଗାଳୀ ପିଲାମାନେ କବିତା ଖୁବ୍ ପଢ଼ିପାରନ୍ତି; ମାତ୍ର କବିତା ରଚନା କରିପାରନ୍ତି ନାହିଁ ।

 

—କଥାଟି କିନ୍ତୁ ଅତି ଅସ୍ପଷ୍ଟ ମନେହୁଏ !

 

—ନା, ଅତି ପରିଷ୍କାର । ମୁଣ୍ଡ ହଲାଇ ଉତ୍ତମା ପ୍ରତିବାଦ କଲା—କଲିକତାରେ ଏତେ ଲକ୍ଷ ବଙ୍ଗାଳୀ ଅଛନ୍ତି; କିନ୍ତୁ ପ୍ରେମରେ ପଡ଼ିବାକୁ ଇଚ୍ଛାଥିବ, ଏଭଳି କେତେଜଣ ଆଖିରେ ପଡ଼ନ୍ତି ? ଅନ୍ତତଃ ଡାକିନେଇ କାବ୍ୟ ଆଲୋଚନା କରିବାଭଳି କିଏ ବା ମିଳନ୍ତି ?

 

ଏତେ ଚିନ୍ତାମଧ୍ୟରେ ବୁଡ଼ିରହି ସୁଦ୍ଧା ଦେବଳ ହସିଉଠି କହିଲା—ତୁମଲାଗି ମୋର ବଡ଼ଦୁଃଖ ହେଉଛି, ଉତ୍ତମା । ପୁଅପିଲାମାନଙ୍କ କଲେଜରେ ପଢ଼ିସୁଦ୍ଧା ଗୋଟିଏ ହେଲେ ସେଭଳି କୌଣସି ତରୁଣକୁ କଅଣ ତୁମେ ଆବିଷ୍କାର କରିପାରିଲ ନାହିଁ ? ମୋର ଦୁଃଖ ଅବଶ୍ୟ ସେଇମାନଙ୍କ ପାଇଁ, ତୁମପାଇଁ ନୁହେଁ ।

 

—କାହିଁକି, କାହିଁକି ?

 

—ବାଃ ! ତୁମଭଳି ତରୁଣିରତ୍ନର ପାଖକୁ ଆସି ସୁଦ୍ଧା ଆବିଷ୍କାର କରିପାରିଲେ ନାହିଁ ।

 

—“ତା ମାନେ !” ଦେବଳ ଉତ୍ତମା ମଧ୍ୟରେ ଏଭଳି କୌଣସି ନାରୀର ସନ୍ଧାନ ପାଇଛି, ଯାହା କି ସାଧାରଣ କଥା ନୁହେଁ । ଯାହାର ସଙ୍ଗଲାଭ କରିବା ଏବଂ ମନପାଇବା ଭାଗ୍ୟରେ ଥିଲେ ମିଳେ । ଉତ୍ତମାର ମନମଧ୍ୟରେ ଜୁଆର ଉଠିଲା । ସେ ତେବେ ସାଧନାର ଧନ, ଆବିଷ୍କାରର ଯୋଗ୍ୟ ରତ୍ନ; କିନ୍ତୁ କାହା ନିକଟରେ ସେ ଆବିଷ୍କୃତ ହେବାକୁ ଚାହେଁ ?

 

ସେ କଥାଟି କିନ୍ତୁ ମନେମନେ ଆଉ ।

 

ଉତ୍ତମା ଚୁପ୍‍ ହୋଇ ରହିଯିବାର ଦେଖି ଦେବଳ ପଚାରିଲା—କଣ ? ତୁମେ ମୋ କଥାରେ ଉତ୍ତର ଦେଇପାରୁନ ଯେ ?

 

ନୀରବତା ଭଙ୍ଗକରି ଉତ୍ତମା କହିଲା—ଦେଖ, ତୁମମାନଙ୍କ ମନମଧ୍ୟରେ ଯେତେ ମଧୁ ଅଛି, ଛାତିରେ ସେତିକି ଦମ୍ଭ ଥିବା ଦରକାର ।

 

ସିପାହୀମାନଙ୍କର ନିଶର ଶୋଭା ଦେଖୁଦେଖୁ ଦେବଳ ଭାବିଲା, ଆଜି ସକାଳେ ସେ ଉତ୍ତମା ସହିତ ପରାମର୍ଶକରି ସେ ଠିକ୍‍କରି ନେଇଥିଲା ଯେ, ଏହି ଗ୍ରାମରୁ ସାମରିକ ଖବର ଯୋଗାଡ଼ କରିବା କାର୍ଯ୍ୟ ପୁଣିଥରେ ଆରମ୍ଭ କରିବାକୁ ପଡ଼ିବ । ଏଠି ଇଂରେଜ ମାନଙ୍କର ଖୁବ୍ ବଡ଼ ଘାଟିଟିଏ ଅଛି । ଠିକ୍ ଲଢ଼ାଇ ଇଲାକା ନୁହେଁ ବୋଲି ସିପାହୀମାନେ ଏକପ୍ରକାର ନିଶ୍ଚିନ୍ତରେ ଅଛନ୍ତି; ଅଥଚ ରୋଜ ସୈନ୍ୟଚଳାଚଳ ଚାଲିଛି । ଗୁଇନ୍ଦାଗିରି କରି ଖବର ବାହାର କରିବା ଖୁବ୍ ସହଜ । ତେଣେ କୋହିମା ପରେ ଇମ୍ପାଲ ଭିତରକୁ ଆଜାଦ୍ ହିନ୍ଦ୍ ଦଳ କେତେଦୂର ଆଗେଇଲେ, ସେ କଥା ମଧ୍ୟ ଜଣାପଡ଼ୁନାହିଁ ।

 

ପୋଷକପତ୍ରରେ ସଜ୍ଜିତ ହୋଇ ସୈନ୍ୟବାହିନୀ ଚତୁର୍ଦ୍ଦିଗରେ ଘେରି ରହିଛନ୍ତି ଏବଂ ସମସ୍ତେ ତନ୍ମୟ ହୋଇ ରାସଲୀଳା ଦେଖୁଛନ୍ତି । ସେମାନେ ଯେଉଁ ଜୀବନକୁ ଯୁଦ୍ଧ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି, ନାଚ ଦେଖି ତାକୁ ସାର୍ଥକ କରି ନେଉଛନ୍ତି । ସ୍ଥାନୀୟ ଲୋକେ ମଧ୍ୟ ଏ ମଧ୍ୟରେ ଫୁସ୍‍ଫାସ୍ କଥା ଚଳାଇଛନ୍ତି । ଠିକାଦାରମାନଙ୍କ ଭିତରେ ଜିନିଷପତ୍ର ଦରଦାମ ଓ ଆମଦାନି କଥା ଚାଲିଛି; ମାତ୍ର ଦେବଳ ଏକୁଟିଆ ଚୁପ୍‍ଚାପ୍ ବସି ରହିଛି ।

 

ତା ଆଣ୍ଠୁ ଉପରେ ଆଙ୍ଗୁଳିର ମୃଦୁ ଠକର୍ ବାଜିଲା ।

 

ଚମକିଉଠି ଦେବର ଉତ୍ତମା ଆଡ଼କୁ ଚାହିଁଲା । ଏତେବେଳଯାକେ ସେ ଚୁପ୍‍ଚାପ୍ ବସି ରହି କେବଳ ନୃତ୍ୟରସ ଉପଭୋଗ କରିଚାଲି ଥିଲା ।

 

ଫୁସ୍ ଫୁସ୍ ହୋଇ ଉତ୍ତମା କହିଲା—ଲୋକେ ଅବାକ୍ ହୋଇ ଦେଖୁଛନ୍ତି ଏବଂ କହୁଛନ୍ତି, ଗୋଟାଏ ବାଙ୍ଗାଲ୍ ହାଇକୋଟ ଦେଖୁଛି ।

 

ଦେବଳ ଜବାବଦେଲା—କିନ୍ତୁ ତା ବଦଳରେ ସେମାନେ ଯଦି ବାଙ୍ଗାଲକୁ ଦେଖିବାକୁ ଆରମ୍ଭ କରିଦିଅନ୍ତି, ତେତେବେଳେ ହାଇକୋଟ୍‍କୁ ଛାଡ଼ି ସେମାନେ କଅଣ କଥା କହିବେ ?

 

ଉତ୍ତମା ମୁଣ୍ଡ ହଲାଇ କହିଲା—ନା, ସେ ଭୟନାହିଁ । ଅନେକଙ୍କୁ ମୁଁ ଜଣାଇ ଦେଇଛି ଯେ କଲିକତାରେ କଲେଜରେ ପଢ଼ିବାବେଳେ ତୁମ ସହିତ ମୋର ପରିଚୟ ଥିଲା । କଣ୍ଟ୍ରାକ୍ଟରୀ ଆଶାରେ ତୁମେ ଏଠାରେ ଘୂରାଘୂରି କରୁଛି । ତେଣୁ ଦେଖା ହୋଇଯାଇଛି । ନିଜ ନିଜର ବିବିଧ ଚିନ୍ତାରେ ଲୋକେ ବ୍ୟସ୍ତ ଅଛନ୍ତି; ତେଣୁ ବେଶି କେହି ତଳେଇ ଦେଖିବେ ନାହିଁ । ଶୁଣ, କଥାବାର୍ତ୍ତା ମଧ୍ୟରେ ଦି ଚାରି ପଦ ପଦ୍ୟାବଳୀ ଝାଡ଼ିଦିଅ ।

 

—ନିଶ୍ଚୟ, ଆହାଃ: ଯଦି ସେମାନେ ଗାଆନ୍ତି—

 

“ଅଙ୍ଗନେ ଆଓବ ଯବ ରସିଆ”

 

ଉତ୍ତମା ଆଶ୍ୱାସନା ଦେଇ କହିଲା—ବୋଧହୁଏ ଗାଇପାରିବ । ଦେଖ, ରାସରସରେ ଡୁବି ରହିଥାଅ; ମାତ୍ର ଭାସିଯାଅ ନାହିଁ ।

 

ଦେବଳ ଉତ୍ତର ଦେଲା—ଆଚ୍ଛା, ଡୁବି ରହିଥିବ ।

 

କିନ୍ତୁ ଜଣେ ଶିଖ ସୁବେଦାର ମେଜରର ଥନ୍ତଲା ପେଟଟି ନାଚି ଉଠୁଛି । ମଣ୍ଡପରେ ଆର ପାଖରେ ସେ ବସିଛି । ଦେବଳର ଠିକ୍ ମୁହାଁ ମୁହିଁ । ମୁହଁରେ ତା’ର ମସ୍ତବଡ଼ ଘନ ଦାଢ଼ି ନିଶ-। ମନ ଆନନ୍ଦରେ ତା’ରି ଉପରେ ସେ ତାଳ ଦେଉ ଦେଉ, ନାଚର ପ୍ରଶଂସା କରୁଛି । ଅନ୍ୟ ହାତରେ ଆଣ୍ଠୁ ଉପରେ ଢାଳି ଦେଉଛି-। ବେଳେ ବେଳେ ହାତଟି ତାର ଲକ୍ଷ୍ୟଭ୍ରଷ୍ଟ ହୋଇ ଆଣ୍ଠୁଛାଡ଼ି ବାଁ ଡାହାଣ କରକୁ ପଡ଼ି ଯାଉଛି । ତାର ଚୋରାଚାହାଁଣି ମଝିରେ ମଝିରେ ନୃତ୍ୟରତା ସଖିମାନଙ୍କର ମୁଖମଣ୍ଡଳ ଛାଡ଼ି ଅନ୍ୟ କୌଣସି ସ୍ଥାନରେ ମଧ୍ୟ ପଡ଼ୁଛି।

 

ପ୍ରାୟ ଦଶଟା ହେବ । ବଡ଼ ଲାଇଟ୍ ଆଲୁଅରେ ସାରା ମଣ୍ଡପଟି ଝଲମଲ ଦିଶୁଛି । ମଣ୍ଡପର କାଠ ଖୁମ୍ବଗୁଡ଼ିକରେ ସୁନ୍ଦର ଚିକ୍କଣ କାଗଜରେ କଟା ହୋଇଥିବା ବିଭିନ୍ନଚିତ୍ର ଓ କାରୁକାର୍ଯ୍ୟ । ସମସ୍ତ ସ୍ଥାନଟି ଆଲୋକମୟ । ଆଲୋକର ଆଭା ତା ଉପରେ ପ୍ରତିଫଳିତ ହୋଇଛି-। ନାଟମଣ୍ଡପଟି ଲତା ପତ୍ର ଓ କାଠ ରେଲିଙ୍ଗରେ ବେଢ଼ା ବୁଲାଯାଇଛି । ତାରି ଚାରିପଟେ ଲୋକେ ଘେରି ବସିଛନ୍ତି । ଭକ୍ତି ରସରେ ଏକାବେଳକେ ବୁଡ଼ି ଯାଇଛନ୍ତି । ମଣ୍ଡପ ମଝିରେ ସଖିମାନେ ନାଚୁଛନ୍ତି । କାଠଘରର ସେପଟକୁ ଦୁଇଟି ପ୍ରବୀଣା ବସି ଗୀତ ଗାଉଛନ୍ତି । ପାଖରେ “ରାସଧାରୀ” ନାଚି ନାଚି ମୃଦଙ୍ଗ ବଜାଉଛି ।

ଫୁସ୍ ଫୁସ୍ ହୋଇ ଦେବଳ ଉତ୍ତମାକୁ ପଚାରିଲା—ଆଚ୍ଛା ମୃଦଙ୍ଗ କାହିଁକି ବାଜୁଛି ?

ବାଃ, ବାଃ, ଜାଣନା କି, ମୃଦଙ୍ଗ ବିନା ରାସଲୀଳା ହୋଇପାରେନା ସେ ? ଠିକ୍ ଯେପରି ଚନ୍ଦନ ଛଡ଼ା କାନର ସାଜସଜ୍ଜା ମାନେ ନା !

—କିନ୍ତୁ ତୁମ ଦେଶରେ ଦେଖୁଛି, ପିଲାମାନେ ବି ଚନ୍ଦନଫୁଣ୍ଟା ଲଗାଇବାକୁ ଭୁଲନ୍ତି ନାହିଁ ।

ଆହାଃ, ଏଠି ପରା ଆମଦେଶରେ ପୁଅ ପିଲାମାନେ ଝିଆପିଲାମାନଙ୍କ ଡାକଶୁଣି ଜବାବ ଦିଅନ୍ତି ! ଶ୍ରୀକୃଷ୍ଣଙ୍କପରି ନିଷ୍ଠୁର ବା ଅଝଟହୋଇ ବସିରହନ୍ତି ନାହିଁ ।

—ବଡ଼ ଆଶାର କଥା, ସନ୍ଦେହ ନାହିଁ—

ଦେବଳ କହିଲା । ଏଇ କଥା କହୁକହୁ ସୁବେଦାର ମେଜରଆଡ଼କୁ ଥରେ ସେ ଚୋରା ଚାହାଣିରେ ଚାହିଁଲା ।

ଉତ୍ତମା ହଠାତ୍ ଦେବଳ ପାଖକୁ ଲାଗିଆସି କହିଲା, ଅବଶ୍ୟ ଆଶା ବେଶି ନଥାଏ । ସେହି ନାଚର ଆମୋଦ ମଧ୍ୟରେ ହିଁ ସୀମାବଦ୍ଧ ହୋଇ ରହିଯାଏ । ତାପରେ ଯିଏ ଯାହାର ବାଟ ଧରି ଚାଲିଯାଆନ୍ତି ।

 

—ସେତିକି ହେଲେ ଭଲ । ତୁମେ କଣ ଚାହଁ ସେ ବାଟମଧ୍ୟରେ ବାଲିଚର ମଧ୍ୟରେ ପଡ଼ି କେହି ଅଟକ ରହିଯିବ ?

 

ଆହାଃ, ବାଲିଚର କାହିଁକି ହେବ ? ଖୋଦ୍ ପକ୍କା ସଡ଼କ ଉପରେ ଚାଲିଛନ୍ତି ଯେ । ତା ମାନେ ସଡ଼କ ଛାଡ଼ି ସଜାସଜ୍ଜି ହୋଇଥିବା ଫାଟକଟି ଦେଖିଲେ ତାରି ଭିତରକୁ ଯାଇ ଆଶ୍ରୟ ନେବା ଭଲ; କିନ୍ତୁ ବାରବୁଲାଯାକ ଯିବେ କେଉଁଆଡ଼େ ?

 

—କାହିଁକି ? ଫାଟକ ଭିତରକୁ ପଶିଯିବେ ।

 

—ଫାଟକଟା ତ ପୁଣି ଫାଟକର ଗେଟ୍ ହୋଇପାରେ !

 

ଉତ୍ତମା କାନକୁ ଏଥାଟି ବାଧିଲା । ଘଣ୍ଟାଘଣ୍ଟା ଭରି ଲମ୍ବାନାଚ ମଧ୍ୟରେ ମଝିରେ ମଝିରେ ଦେବଳ ସହିତ ପଦେଅଧେ କଥାବାର୍ତ୍ତା ହେବାଦ୍ୱାରା ତା ମନର ବିରକ୍ତିଜନକ ଏକମୁଖୀ ଭାବର ପରିବର୍ତ୍ତନ ଘଟୁଥିଲା । ସେ ରାସଲୀଳା ମଧ୍ୟରେ ମଜ୍ଜିଯାଇ ପାରୁନଥିଲା କି ସିପାହୀମାନଙ୍କୁ ଭୁଲିପାରୁ ନଥିଲା । ତେଣୁ ସେ ସିପାହୀମାନଙ୍କ ଚିନ୍ତା ଦେବଳ ମନରୁ ଦୂର କରାଇ ପାରୁନଥିଲା ।

 

ଦେବଳ ଲକ୍ଷ୍ୟକଲା ଯେ, ସୁବେଦାର ମେଜରର ତାଳ ମଝିରେ ମଝିରେ ବେତାଳ ହୋଇଯାଉଛି । ତା ଅର୍ଥ କଣ ? ସତରେ ସେ କଅଣ ନୃତ୍ୟ ମାଧୁରୀ ମଧ୍ୟରେ ଅଭିଭୂତ ହୋଇପଡ଼ୁଛି ? ନା, ତା’ର ଅନ୍ୟକିଛି ମତଲବ ଅଛି ? ଅଥବା କୌଣସି ସଙ୍କେତ !

 

ଚୋରମନ ଗଣ୍ଠିଲିରେ । ଦେବଳର ମନ ମଧ୍ୟ ସେହିଭଳି ଭାବରେ ଗୋଟିଏ ଆଡ଼କୁ ଝୁଙ୍କିପଡ଼ିଛି । ସୁବେଦାର ମେଜର ଛଡ଼ା ଅନ୍ୟକୌଣସି ସିପାହୀ ବା ଅଫିସର ତା ପ୍ରତି ଲକ୍ଷ୍ୟ ରଖିଛନ୍ତି ବୋଲି ମନେ ହେଉନାହିଁ । ନିଜମୁହଁରେ ତ ବେଶ୍ ଗୋଟାଏ ସଫାସୁତୁରା ଭାବ ? ତେଣୁ ସେ ବି ସୁବେଦାର ମେଜର ଆଡ଼କୁ ଭଲଭାବରେ ନଜର କଲା । ଅଳ୍ପ ହସି ଉତ୍ତମାକୁ କହିଲା—ଦେଖୁଛ ନା ? ଆମ ସୁବେଦାର ମେଜର ସାହେବଙ୍କୁ ନାଚଟି ଖୁବ୍ ଭଲ ଲାଗିଛି । କେମିତି ତାରିଫ୍ କରୁକରୁ ତାଳ ଦେଉଅଛନ୍ତି, ଦେଖ ! ଆଚ୍ଛା, ହଠାତ୍ ଏତେଗୁଡ଼ିଏ ଲୋକ ଉଠିଯାଇ କାନ୍ଦିକାଟି ଗଡ଼ିଯାଉଛନ୍ତି କାହିଁକି ?

 

ଉତ୍ତମା ପରାମର୍ଶ ଦେଲା—ତୁମେ ବି ଯାଅ । ଆଖି ପୋଛୁ ପୋଛୁ ସେହି ସୂତ୍ରଧାରିଣୀମାନଙ୍କର (ବୃଦ୍ଧା ଗାୟିକା ମାନଙ୍କର) ପାଖକୁ ଯାଇ ଥରେ ପ୍ରଣାମ କରି ଆସ ।

 

ଏଭଳି ଉପଦେଶର ଅର୍ଥ ଦେବଳ କିଛି ବୁଝିପାରିଲା ନାହିଁ । କେଜାଣି ହୁଏତ ସମସ୍ତଙ୍କର ଦୃଷ୍ଟି ତାହାରି ଉପରେ ପଡ଼ିବ । ତେଣୁ ସେ ଅନ୍ୟକଥା ଉଠାଇ କହିଲା, ଏଭଳି ଫାଷ୍ଟକ୍ଲାସ ନାଚସହିତ ଏପରି ଥାର୍ଡ଼କ୍ଳାସ ଗୀତ କାହିଁକି ? ଘଟଣାଟି କଅଣ ? ବୁଢ଼ାମାନେ ତ ନିହାତି ବେହିଆଙ୍କପରି କାନ୍ଦି ପକାଉଛନ୍ତି ?

 

ଟିକଏ ରୁକ୍ଷ ଗଳାରେ ଉତ୍ତମା କହିଲା—ଯାହା କହୁଛି, ତାହା କରିଆସ । ମନଭିତରେ ତୁମର ଏତେ ଭକ୍ତି ଥାଉଥାଉ ବାହାରକୁ ଦେଖାଇବା ପାଇଁ ଏତେ ଲଜ୍ଜା କାହିଁକି ? ଆଉ, ଫେରିଆସି ଟିକିଏ ଦୂରେଇ କରି ବସ ।

 

ତା କଥା ଶେଷହେବା ଆଗରୁ ଦେବଳ ମୁଣ୍ଡ ନୁଆଁଇ ଗୋଲେଇ ଘେରପାଖ ଦେଇ ଆଖି ପୋଛୁପୋଛୁ ଆଗେଇ ଗଲା । ଅତ୍ୟନ୍ତ ଭକ୍ତିରେ ରାସଧାରିଣୀ ବୃଦ୍ଧାମାନଙ୍କ ପାଖରେ ସାଷ୍ଟାଙ୍ଗ ପ୍ରଣିପାତ କରି ଭୂମି ଉପରେ ଲୋଟିପଡ଼ିଲା ।

 

ଫେରିବା ବାଟରେ ସେ ପୁଣି ଭଲଭାବରେ ଆଖି ପୋଛିବାକୁ ଲାଗିଲା । କେବଳ ଆଖି ନୁହେଁ, ଭାବାବେଶରେ ସମସ୍ତ ମନଟାକୁ ମଧ୍ୟ ପୋଛି ପକାଇଲା ।

 

ଫେରିଆସିବାପରେ ଉତ୍ତମାପାଖରେ ଆଉ ବସିବା ଠିକ୍‍ ହେବ କି ? ପ୍ରଥମେ ଆସି ବସିଲାବେଳକୁ କେହି ତା ପ୍ରତି ନଜର କରିନଥିଲେ । ଭଙ୍ଗିନୃତ୍ୟରେ ସମସ୍ତେ ବିଭୋର ଥିଲେ । ଏବେ ନିଶାଟିକେ ଫିକା ଧରିଗଲାଣି । ଅନେକ ଝିଅ ଉତ୍ତମା ପରି ଆଧୁନିକା ନୁହନ୍ତି । ଶାଢ଼ୀ ବଦଳରେ ଫାନୁକ୍ ପିନ୍ଧ ପୁଅମାନଙ୍କଠାରୁ ଅଲଗାହୋଇ ବସିଛନ୍ତି । ଛାତିଠାରୁ ପାଦପର୍ଯ୍ୟନ୍ତ ଘୋଡ଼େଇ ହୋଇଥିବା ରଙ୍ଗିନ ଡୋରିଆ ଲୁଗା ମଧ୍ୟରେ ସେମାନେ ଖୁବ୍ ସୁନ୍ଦର ଦିଶୁଛନ୍ତି; କିନ୍ତୁ ଦେଖିଲାମାତ୍ରେ ମନେ ହେଉଛି, ଅଜନ୍ତା ଷ୍ଟାଇଲର ସେଇ ସୁନ୍ଦରୀମାନେ ଆଧୁନିକ ଫେଶନ ପାଖରେ ଲାଗି ବସିବାକୁ ପସନ୍ଦ କରୁନାହାନ୍ତି । ଦେବଳ ଆସି ବସିଲାମାତ୍ରେ ଜଣେ ମଣିପୁରୀ ଭଦ୍ରଲୋକ ତା ସହିତ କଥାବାର୍ତ୍ତା କରିବାକୁ ଆରମ୍ଭ କଲା । କହିଲା—ଏ ଭଦ୍ର ମହିଳା ଆପଣଙ୍କ ପରିଚୟ ଦେଉଥିଲେ । ଅଳ୍ପ କେତେଦିନ ତଳେ ବଙ୍ଗଦେଶରୁ ଆସି ବସ୍‍ ଫେଲ ହୋଇ ଏଇଠାରେ ରହିଯାଇଛନ୍ତି । ଦୁଃଖର କଥା, କିଛି ଭାବିବେ ନାହିଁ । ଆମର ଏ ଗାଁରେ ଆପଣଙ୍କର କିଛି ଅସୁବିଧା ହେବନାହିଁ । ମୁଁ ବଙ୍ଗଳା ଜାଣେ, ଦରକାର ପଡ଼ିଲେ ସାହାଯ୍ୟ କରିବି ।

 

ତରତର ହୋଇ ଦେବଳ କହିଉଠିଲା—ନା, ନା, ମୋର କିଛି ଅସୁବିଧା ହେଉନାହିଁ । ଏପଟେ ସବୁସ୍ଥାନ ଥଣ୍ଡା ପଡ଼ିଛି । ଯୁଦ୍ଧର ଘନଘଟା ନାହିଁ ।

 

ଭଦ୍ରଲୋକ କହିଲେ, ତା ଅବଶ୍ୟ ନାହିଁ, କିନ୍ତୁ ବଣ ଜଙ୍ଗଲ ମଧ୍ୟରେ ଖୁବ୍ ଖାନତଲାସୀ ଚାଲିଛି । ଜଣେ ଜାପାନୀ ବା ତାଙ୍କଦଳର ହିନ୍ଦୁସ୍ଥାନୀ କୌଣସି ସିପାହୀ ଏ ଅଞ୍ଚଳକୁ ପଶି ଆସିଛି ବୋଲି ଶୁଣାଯାଉଛି । ହୁଏ ତ, ସେ ଏଥି ମଧ୍ୟରେ ଧରାପଡ଼ି ଯାଇଛି । ଜାପାନୀ ଦୁଷ୍ମନ କଅଣ ମଣିପୁର ମଧ୍ୟରେ ଲୁଚିରହି ପାରିବ ? ଆସାମୀ ବା ବଙ୍ଗାଳୀ ହେଲେ ସିନା ଜଣାପଡ଼ନ୍ତା ନାହିଁ !

 

—ଠିକ୍ କହିଛନ୍ତି । ଖାଣ୍ଟିକଥା; କିନ୍ତୁ ଆଶ୍ଚର୍ଯ୍ୟର କଥା, ମାତ୍ର ଗୋଟିଏ ଲୋକ ଗାଁ ଭିତରେ ଆତ୍ମଗୋପନକରି ରହିବ କିପରି ?

 

ନା, ଜନମାନବ ମଧ୍ୟକୁ ସେ ଆସିପାରିବ ନାହିଁ । ବଣ ଜଙ୍ଗଲ ମଧ୍ୟରେ ନିଶ୍ଚୟ ସେ ବିଲୁଆଭଳି ତଡ଼ା ଖାଇ ଖାଇ ବୁଲୁଛି । ସେଥିରେ ମୋର ବା ଆପଣଙ୍କର କି ଭାବନା ଅଛି ? ମୁଁ ମଣିପୁରୀ ଓ ଆପଣ ନିରୀହ ବଙ୍ଗାଳୀ । କଲମପେଷା ଛଡ଼ା ଆଉ କଅଣ କରିବେ । ଶୁଣିଲି, ତା ଇଉନିଫର୍ମଟାକୁ ମାପଚୁପ୍ କରି ଅନ୍ଦାଜ କରାଯାଇଛି ଯେ, ଲୋକଟି ଜଣେ ବଙ୍ଗାଳୀଠାରୁ ଟିକିଏ ଲମ୍ବା ।

 

ଦେବଳର ମନଟି ଗୀତଆଡ଼େ । ସେ କହିଲା, ଛାଡ଼ନ୍ତୁ ସେ କଥା । ସେ ସବୁ ହେଙ୍ଗାମାକଥା ଭାବି ଆଜିର ଏ ନାଚକୁ ନଷ୍ଟକରିଦେବା ଉଚିତ ନୁହେଁ—

 

“ପ୍ରିୟ ସଜନି”

 

କି ମଧୁର କଥା ! ମହାଶୟ । ଏକାବେଳେକେ ମନଟାକୁ ଦୋହଲାଇ ଦେଇ ଯାଉଛି । କି ସୁନ୍ଦର ନାଚ ! ଆପଣଙ୍କ ଦେଶର ଗୌରବ ।

 

ନିଜକୁ ଟିକିଏ ସମ୍ଭାଳି ନେବାକୁ ଚେଷ୍ଟାକଲା, ଦେବଳ । ଆପଣମାନଙ୍କ ଦେଶ । ତାପରେ ନିଜର ଦେଶ । ତାପରେ ଠିକ୍ ସେଠାରୁ କେବେ ଆସିଛି, ସେ ବିଷୟରେ ନାନା କଥା ଉଠିପାରେ, ତେଣୁ ତରତର ହୋଇ କଥାର ମୋଡ଼ ଅନ୍ୟଆଡ଼କୁ ବୁଲାଇ ନେଇ କହିଲା—ଏଇ ନାଚ ଦେଖି ଉଦୟଶଙ୍କର ଅନେକ ପ୍ରକାରର ନାଚ ପ୍ରସ୍ତୁତ କରିଛନ୍ତି ।

 

ସତେକି ଭଦ୍ରଲୋକ ଭାବବିହ୍ୱଳ ହୋଇ ପଡ଼ିଥିଲେ । ବନ୍ଦ ହୋଇଥିବା ଆଖିଦୁଇଟିକୁ ଖୋଲି ପୁଣି କହିଲେ ଆପଣ ଉଦୟଶଙ୍କରଙ୍କୁ ଦେଖିଛନ୍ତି ବୋଧହୁଏ ? ହଁ ଦେଖିଛନ୍ତି ନିଶ୍ଚୟ । କାରଣ କଲିକତାର ବଙ୍ଗାଳୀ ଆପଣ । ଉଦୟଶଙ୍କର, ରବିଠାକୁର ଓ ଶରତଚନ୍ଦ୍ର ଆଦିଙ୍କୁ ନିଶ୍ଚୟ ଦେଖିଥିବେ । ଆହୁରି ମଧ୍ୟ ବଡ଼ ବଡ଼ ବଙ୍ଗାଳୀ । ଚିତ୍ତରଞ୍ଜନ, ସୁବାଷବୋଷ, ଏମାନଙ୍କୁ ମଧ୍ୟ ଦେଖିଥିବେ ।

 

କିନ୍ତୁ ଦେବଳ ସତେ ଯେପରି ଏସବୁ କଥା ଶୁଣିପାରିନାହିଁ, ସେ କହିଚାଲିଲା, ଉଦୟଶଙ୍କରଙ୍କ ନାଚ ଏକାବେଳକେ “ୱାଣ୍ଡରଫୁଲ” । ତାର କାରଣ ହେଲା, ସେ ଆପଣମାନଙ୍କ ନାଚକୁ ଟିକିଏ କାଟଛାଣ୍ଟ କରି ବଦଳାଇ ଦେଇଛନ୍ତି । ଆହୁରି ଦେଖନ୍ତୁ, ଆପଣମାନଙ୍କର ଚନ୍ଦ୍ରାବଳୀ ଯେପରି ଭାବରେ ଲୀଳା ଭଙ୍ଗିରେ ଅଙ୍ଗୁଳିଚାଳନା କରିଦେଲେ, ସେତକ ଉଦୟଶଙ୍କରଙ୍କ ଦଳର କୌଣସି ଝିଅ କରି ପାରିବେ ? ଆଉ ହେଇ ଦେଖନ୍ତୁ, ଏତେଲୋକଙ୍କ ଭକ୍ତି, ନାଚ ମଧ୍ୟରେ ଏହାକୁ ଅଧିକ ପରିମାଣରେ ପ୍ରାଣବନ୍ତ କରିଦେଇଛି । ଷ୍ଟେଜ୍ ଉପରେ ଏସବୁ କଅଣ ସମ୍ଭବପର ହୋଇପାରନ୍ତା ?

 

ଭଦ୍ରଲୋକ ଛାଡ଼ିବାର ପାତ୍ର ନୁହନ୍ତି । ପୁଣି ଥରେ ପଚାରିଲେ, “ଆପଣ ବୋଧହୁଏ ବିଦେଶକୁ ମଧ୍ୟ ଯାଇଛନ୍ତି । ଅବଶ୍ୟ ହିନ୍ଦୁସ୍ଥାନର ବାହାର କଥା କହୁଛି । ବଲ୍ଡ଼ାନ୍‍ସ କଥା ଛାଡ଼ି ଦିଅନ୍ତୁ । ସେମାନଙ୍କର ଫୋକ୍ଡ଼ାନ୍ସରେ ବା କି ଜିନିଷ ଅଛି ? ଧରନ୍ତୁ, ବାଲିଦ୍ୱୀପର ନାଚ, ବର୍ମୀ, ଝିଅମାନଙ୍କର ନାଚ, ମାଲୟ—ଶ୍ୟାମ ଆଦିର ନାଚ । କି ଚମତ୍କାର ନାଚ ସେମାନଙ୍କର ଅଛି ? ଶୁଣିଛି, ସେଗୁଡ଼ିକ ମଧ୍ୟ ମଣିପୁରୀ ନାଚଠାରୁ ବେଶି ଫରକ୍ ନୁହେଁ । ପୁଣି ରାଧାକୃଷ୍ଣ ସମ୍ବନ୍ଧରେ ନାଚହୁଏ । ସେସବୁ କଅଣ ଦେଖୁଛନ୍ତି ?

 

ନା, ଦେବଳ ସେସବୁ କିଛି ଦେଖିନାହିଁ । ଏହି ନାଚମଣ୍ଡପର ସେ ପଟେ ବସିଥିବା ସୁବେଦାର ମେଜରଙ୍କ ଥନ୍ତଲାପେଟ ଏବଂ ଆଣ୍ଠୁ ଉପରେ “ଟକାଟରେ—ଟରେଟକା” ଆଦି ତାଳଛଡ଼ା ଅନ୍ୟ କିଛି ସେ ଦେଖୁନାହିଁ ।

 

ତଥାପି ସେ ଅତି ସହଜ ଓ ସ୍ୱାଭାବିକ ଗଳାରେ କହିଲା—ମହାଶୟ, ମୁଁ ସାଧାରଣ ଘରର ଲୋକ । ଏସବୁ ବର୍ମିଜ୍, ବାଲିନିଜ୍ ନାଚ କେଉଁଠି ଦେଖିବି ? ମାତ୍ର ମୋତେ ସେଇ ଉଦୟଶଙ୍କରଙ୍କ ନାଚ ଦେଖିବା ପାଇଁ କଲିକତାରେ ତିନିଦିନ ପର୍ଯ୍ୟନ୍ତ ‘କ୍ୟୁ’ ରେ ଛିଡ଼ାହେବାକୁ ପଡ଼ିଥିଲା ।

 

ଭଦ୍ରଲୋକଟି ଅତିଭଦ୍ର ଓ ଦରଦୀ । କହିଲେ—ସେ କଥା ସତ । ସେଇଥିପାଇଁ, ମୋର ମନେ ହୁଏ ଆପଣଙ୍କ ଦେହର ଚମତ୍କାର ରଙ୍ଗଟା ଖରାରେ ଜଳି ଯାଉଛି । ତା ନ ହେଲେ କଲିକତାର ଗଙ୍ଗାମାଟି ଦଉଲତରୁ ଶରୀରର “ଅରିଜିନାଲ” ରଙ୍ଗଟା ବେଶି ପୋଡ଼ିଯାଇ ପାରେ ନାହିଁ । ଏସବୁ ପାହାଡ଼ ଜଙ୍ଗଲର ଖରା କଥା ଦୋସରା । ତେବେ ଦେଖନ୍ତୁ, ବଙ୍ଗାଳୀ ପରି ପୂରା ହାତଥିବା ପଞ୍ଜାବୀ ପିନ୍ଧିଲେ ଅନ୍ତତଃ ହାତର ଅନେକ ଅଂଶ ରକ୍ଷା ପାଇ ଯାଏ ।

 

ଟିକିଏ ରହିଯାଇ ଭଦ୍ରଲୋକ ପୁଣିଥରେ କହିଲେ—ତାପରେ ଦେଖନ୍ତୁ, ଦୁଃଖର କଥା ଏହାକୁଇ କହନ୍ତି, ଆପଣ ନିଶ୍ଚୟ ଟୋପି ପିନ୍ଧୁଥିଲେ । ତା’ବି ପିନ୍ଧନ୍ତେ ନାହିଁ କାହିଁକି ? ଚାକିରି ଉଦ୍ଦେଶ୍ୟରେ ଲୋକେ ପିନ୍ଧିଥାଆନ୍ତି; କିନ୍ତୁ ଆପଣଙ୍କର ଟୋପି ପିନ୍ଧିବାର ଦାଗ କପାଳରେ ଲାଗି ରହିଛି । ଆଉ ବର୍ତ୍ତମାନ ଆପଣ ମଣିପୁରୀ ପୋଷାକପିନ୍ଧି ବୁଲୁଛନ୍ତି । ଖରାରେ ଆପଣଙ୍କର ମୁଣ୍ଡଟାରେ ନିଶ୍ଚୟ କଷ୍ଟବୋଧ ହେଉଥିବ । ତା ଛଡ଼ା, ଆଜିକାଲିର ଏଇ କଣ୍ଟ୍ରୋଲ ବଜାରରେ ଏ ବିଦେଶ ଜାଗାରେ ତନ୍ତୁବୁଣା ମଣିପୁରୀ ଧୋତି ଛଡ଼ା ହଠାତ୍ ମିଲ୍‍ ଲୁଗା ବା ପାଇବେ କେଉଁଠୁ ? ରାଧେ, ରାଧେ, ତୁମରି ଇଚ୍ଛାରେ ଏସବୁ ଚାଲିଛି ।

 

ଶ୍ରୀରାଧା କଥା ଉଠାଇବାରୁ ଦେବଳକୁ ଟିକିଏ ସୁବିଧା ମିଳିଗଲା । କହିଲା—ଦେଖନ୍ତୁ, ଆହୁରି କେତେ ନୂଆ ନୂଆ ସଙ୍ଗୀ ଆସି ପହୁଞ୍ଚି ଗଲେଣି । ଘାଗରାଟାକୁ ରକ୍ଷା କରିବାପାଇଁ ବେଢ଼ର ମୋଡ଼ିଆ ଉପରେ ବସିଛନ୍ତି । ନାଚର ପାଳି ନପଡ଼ିବା ପର୍ଯ୍ୟନ୍ତ ଘାଗରାଟାକୁ ଗୋଲଭାବରେ ଫୁଲାଇ ରଖିବାପାଇଁ ଆଣ୍ଟକରି ଫ୍ରେମରେ ବନ୍ଧା ହୋଇଛି । ନହେଲେ ମୋଡ଼ିହୋଇ ନଷ୍ଟ ହୋଇଯିବ ଯେ ! ଆଉ ବି ଦେଖନ୍ତୁ, “ପଶୋଆନ” ଗୁଡ଼ିକ ବି କି ସୁନ୍ଦର । ତାପରେ ଜରିଦାର “ଖାଓୟାନ୍” (ଚଦର) ମଧ୍ୟ ଚମତ୍କାର । ଏସବୁ ପୋଷାକ ଗୁଡ଼ିକ ପରସ୍ପରକୁ ମାନିଛି ।

Unknown

 

ଭଦ୍ରଲୋକ ଜଣକ ବଡ଼ ସମଝଦାର ବ୍ୟକ୍ତି । ହସି ହସି କହିଲେ—ମଣିପୁରକୁ ଆସିବା ଆପଣଙ୍କର ସାର୍ଥକ ହୋଇଛି, ମହାଶୟ । ଅଳ୍ପ କେତେକ ଦିନ ମଧ୍ୟରେ ଏସବୁ ପୋଷାକର ଟେକ୍ନିକାଲ୍ ନାମ ଗୁଡ଼ିକ ମଧ୍ୟ ଶିଖି ନେଇଛନ୍ତି । ଘଟନାଟି କଅଣ କହନ୍ତୁ ନା ?

 

ତାପରେ ସେ ନିମ୍ନସ୍ଵରରେ ଅତି ଘନିଷ୍ଠ ଭାବେ ପ୍ରଶ୍ନ କଲା—କଅଣ କୌଣସି ତରୁଣି ପାଇଁ ନା ? ନା, ଫେରି ଯାଇ ଏ ନୂତନ ଦେଶର ବାଟ ଘାଟ, ଆଚାର ବ୍ୟବହାର ସମ୍ବନ୍ଧରେ ବହି ଲେଖିବାର ସମ୍ଭାବନା ଅଛି ? “ଆନ୍ଥ୍ର ପଲଜି ନା ଜିଓଗ୍ରାଫି” ?

 

ସତେ କି ଦେବଳ ପ୍ରଶ୍ନଟି ଶୁଣିପାରି ନାହିଁ । ଲୋକଟା କହି ଉଠିଲା—ଦେଖନ୍ତୁ ମହାଶୟ, ଏସବୁ ସୈନ୍ୟ ଦଳ ମଧ୍ୟ ଏକତ୍ର ବସି ନାଚ ଦେଖୁଛନ୍ତି । ସେମାନେ ବି ନାଚର ସଖୀ ପିଲାମାନଙ୍କ ପରି ନିଜ ନିଜର ଇଉନିଫର୍ମ ଗୁଡ଼ିକୁ ଯତ୍ନରେ ରଖିଛନ୍ତି । ‘କ୍ରସଡ଼୍’ ହୋଇଗଲେ ତ ଚଳିବ ନାହିଁ ।”

 

—ଇଉନିଫର୍ମ କଥା କହୁଛନ୍ତି ? ଶୁଣିଲେ ତ, କୌଣସି ଗୋଟିଏ ଜାପାନୀ ବା ଆଇ. ଏନ୍. ଏ. ତା’ର ପୁରୁଣା ଫୁଟା ଇଉନିଫର୍ମଟାକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇ ପଳାଇ ଯାଇଛି । “ବାସାଂସି ଜୀର୍ଣ୍ଣାନି ଯଥା ବିଦାୟ ।” ଏକଦମ୍ ଗୀତା ପ୍ରବଚନ ମହାଶୟ ।

 

ଏତେ ସହଜରେ ଦେବଳ ଫାଶ ଭିତରକୁ ପାଦ ବଢ଼ାଇବ ନାହିଁ । ହସି ହସି କହି ଉଠିଲା—ନାହିଁ ମହାଶୟ, ଆପଣ ଜଣେ ବେରିସିକ ଲୋକ । ଗୀତଗୋବିନ୍ଦ ଛାଡ଼ି ଗୀତା । ତା ପୁଣି ଏଇ ମଣିପୁରରେ, ଆପଣଙ୍କର ବୋଧହୁଏ—ଶୂନ୍ୟ ମନ୍ଦିର ମୋର ।

 

—ରାଧେ, ରାଧେ । ଆପଣଙ୍କର ବୋଧହୁଏ ଶ୍ରୀମନ୍ଦିର ଆଡ଼କୁ ନଜର ଅଛି । “ମାନେ ଶ୍ରୀଘର ନୁହେଁ । ଯାହାକୁ କହନ୍ତି—‘ଅସାର ଖଳୁ ସଂସାରେ ସାରଂ...... ।’ କଅଣ ମହାଶୟ ? ଶଶୁର ଘର ନା ଶ୍ରୀଘର, କେଉଁଟି ?

 

ପାଖକୁ ଚାହିଁ ଦେଖିଲା ଯେ ଉତ୍ତମା ଏତେବେଳକୁ ଧୀରେ ଧୀରେ ପାଖକୁ ଲାଗିଆସି ବସିଗଲାଣି । ନାଚ ଆଡ଼କୁ ତା’ର ମନନାହିଁ । ଗୁଣୁଗୁଣୁ ହୋଇ ସେ କ’ଣ ଗାଉଛି, ତା ବୁଝି ହେଉନାହିଁ । ମଝିରେ ମଝିରେ ବଙ୍ଗ ଭାଷାରେ କହୁଛି—

 

ନିଶ୍ଚୟ କୌଣସି ବିଶେଷ ଅର୍ଥ ଅଛି ।

 

ଦେବଳ ପ୍ରଶ୍ନକଲା—କଅଣ ବଙ୍ଗଳା କହିବାକୁ ଅଭ୍ୟାସ କରୁଛ କି ?

 

ଉତ୍ତମା ହସିଉଠି ଉତ୍ତର ଦେଲା—ହୁଁ । ମନେ ହେଉଛି, କଲିକତାରେ ମୁଁ ବଙ୍ଗାଳୀ ବନ୍ଧୁ ନିକଟରେ ଅଛି । ତୁମରି ପାଖରେ ଯେପରି ମୁଁ ଗତ ଦୁଇବର୍ଷ ରହିଥିଲି । ତୁମରି ସଙ୍ଗରେ ମୁଁ ଭିକ୍ଟୋରିଆ ମେମୋରିଆଲ୍ ହଲ୍‍ ରେ ଘୂରି ବୁଲିଛି ଏବଂ ଗୀତ ଶୁଣାଇଛି । ମନେ ପଡ଼ିଛି ନା ? ସେ ଦିନ ପରି, ଯେତେବେଳେ ଦିନଟାରେ ଖିଦିରିପୂର ଡକ୍ରେ ଜାପାନୀ ବୋମା ପଡ଼ିଲା, ସମସ୍ତେ ପଳାଇବାକୁ ଲାଗିଲେ । କିନ୍ତୁ ମୁଁ ଏ. ଆର୍. ପି. ଟ୍ରେଞ୍ଚମଧ୍ୟରେ ଅନେକ ସମୟ ବସିରହି ଭାବିଲି, କଅଣ କରିବି । ତେଣୁ ତୁମକୁ ଗୀତ ଶୁଣାଇଲି । ତୁମେ ବି ଏଭଳି ନିବିଷ୍ଟ ଭାବେ ଶୁଣୁଥିଲ ଯେ, ସାଇରନ୍‍ଟା କେତେବେଳେ “ଅଲ୍ କ୍ଲିଅର୍” ଜଣାଇଦେଲା, ସେଇଟା ତୁମେ ଜାଣି ପାରିଲ ନାହିଁ ।

 

ଦେବଳକୁ ଏଥର ବାଟ ଦିଶିଗଲା । ସବୁ କଥାରେ ହଁ, ହାଁ ମାରିଗଲା ଏବଂ କହିଲା—କେବଳ ସେତିକି ନୁହେଁ, ତୁମ ସଙ୍ଗରେ ଘୂରି ଘୂରି ମୋତେ ଏତେ ଭଲ ଲାଗିଛି ଯେ କଲିକତା ଛାଡ଼ି ମୁଁ କେବେହେଲେ ଦୂରରେ ରହିପାରିବି ନାହିଁ । ସେଇଥିପାଇଁ ଦିଲ୍ଲୀରେ ଗୋଟିଏ ଚାକିରି ପାଇଥିଲେ ସୁଦ୍ଧା ଗଲିନାହିଁ ।

 

ଭଦ୍ରଲୋକଟି ତୁନି ହୋଇଗଲେ । ଦୁଇଜଣ ତରୁଣ ତରୁଣୀ ଘନିଷ୍ଠଭାବେ କଥା ହେଉଛନ୍ତି । ସେଥିଭିତରେ ମୁଣ୍ଡ ଭରତି କରିବା ଅପେକ୍ଷା ତାଙ୍କ ହାତରେ ଆହୁରି ଅନେକ ଜରୁରି କାମ ବାକି ଅଛି ।

 

ଏଣେ ନାଚ ଖୁବ୍ ଜମିଉଠିଲା । ରାତି ଯେତିକି ଯେତିକି ବଢ଼ୁଛି, ନାଚ ସେତିକି ସେତିକି ଜମୁଛି । ସେତିକି ଭିଡ଼ ବଢ଼ୁଛି ଓ ଆଖିରୁ ଲୁହ ଗଡ଼ୁଛି । ଭକ୍ତିରେ ଜ୍ଞାନ ହରାଇ ବୟସ୍କମାନେ ମଧ୍ୟ କାନ୍ଦି ପକାଉଛନ୍ତି । ଗୁଣୁଗୁଣୁ ହୋଇ ଉତ୍ତମା ବି ଅନେକ ଗୀତ ଗାଇଯାଉଛି । ସବୁଗୁଡ଼ିକ ଗୀତ ନୁହେଁ । କେତେକ ଗୀତ ଏବଂ କେତେକ କଥା ।

 

ଏଣେ ବୃନ୍ଦା ଆଉ ଚନ୍ଦ୍ରାବଳୀ ଆଦି ଗାଇବାରେ ଲାଗିଛନ୍ତି ।

 

“ସାଜଲ ସାଜଲ ଧନୀ ମନୋହର ବେଶେ”

 

ଉତ୍ତମା ପ୍ରତି ଦେବଳର ମନ ମମତାର କରୁଣ ରସରେ ଭରିଉଠିଲା । ଏଥର ପହିଲି ହୋଇ ତା’ର ମନେପଡ଼ିଗଲା, ସେ ଯଦି ଧରାପଡ଼ିଯାଏ, ତେବେ ଉତ୍ତମା ବି ରିହାତି ପାଇବ ନାହିଁ । ତା ବି ଯଦି ହୁଏ, ତେବେ ଦେଶର କ୍ଷତି ବୃଦ୍ଧି କିଛିନାହିଁ । କେବଳ ବଙ୍ଗଦେଶ କାହିଁକି, ସାରା ଭାରତର କେତେ ଉତ୍ତମା ନିଜ ନିଜକୁ ବଳି ଦେଇଛନ୍ତି ।

 

କିନ୍ତୁ ସେମାନେ ତାହା କରିଛନ୍ତି, ଦେଶକୁ ଭଲପାଆନ୍ତି ବୋଲି । ସବୁ ଜାଣିଶୁଣି, ଭାବିଚିନ୍ତି, ଦୀକ୍ଷା ନେଇଛନ୍ତି । ଉତ୍ତମା କାହିଁକି ଏଭଳିଭାବେ ଜଡ଼ିତ ହୋଇପଡ଼ିଲା ? ନିଜ ମନଖୁସିରେ ନିଜେ ସେ ଗୀତ ଗାଉଛି । ସତେକି ଗଛ ଡାଳରେ ବସି ପାପିଆ ଗୀତ ଗାଉଛି, “ପିଉ କାହାଁ, ପିଉ କାହାଁ ।”

 

ନା, ନା, ଦେବଳର ଦେହ ଶୀତେଇ ଉଠିଲା । ଉତ୍ତମାର ବିପଦ ପଡ଼ିବ ବୋଲି ତା’ର ଏ ଅବସ୍ଥା ହୋଇନାହିଁ । ମୃଦଙ୍ଗର ସ୍ଵର ଆହୁରି ବେଶି ହେଉଛି ବୋଲି ସେ କାନ୍ଦିପକାଉଛି । ସୁରଙ୍ଗ ଚରଣ ଗୁଡ଼ିକରେ ନୂପୁରର ତାଳ ଅଧିକ ମଦିର ହୋଇଉଠୁଛି ବୋଲି । ଆହୁରି ଅନେକ ଗୁଡ଼ିଏ ସଖୀ ନାଚମଣ୍ଡପରେ ଆସି ପହୁଞ୍ଚିଗଲେଣି ।

 

ଏତେବେଳେ ଶ୍ରୀକୃଷ୍ଣଙ୍କର ମାନଭଞ୍ଜନ ହେଲା । ତେଣୁ ସେ ପୁଣିଥରେ ମୋହନ ଚୁଡ଼ା ମୋହନତର କରି ହଲାଇ ଦେଇଛନ୍ତି । ମୁହଁରେ ବଂଶୀ ଧରି ରାଧା ନିକଟରେ ଆସି ପହୁଞ୍ଚି ପ୍ରେମବିହଳ ଭାବେ ଠିଆହୋଇ ପଡ଼ିଛନ୍ତି; କିନ୍ତୁ ଶ୍ରୀରାଧା ?

 

ଏଥର ତା’ର ପାଳି । କାଳେ ସେ ପୁଣି ମାନ କରି ବସନ୍ତି ? ସେଥିପାଇଁ ବୈଷ୍ଣବ ପଦ୍ୟାବଳୀ ଛାଡ଼ି ସଖୀମାନେ ଜୟଦେବଙ୍କ ଗୀତ ଆରମ୍ଭ କରି ଦେଇଛନ୍ତି ।

 

“ପ୍ରିୟେ ! ଚାରୁଶିଳେ ?

 

ମୁଞ୍ଚ ମୟି ମାନାମ ନିଦାନଂ ।”

 

ବଙ୍ଗଳା ଛାଡ଼ି ସଂସ୍କୃତକୁ ଚାଲିଯାଉଥିବା କଥାର ତାରିଫ୍ କରି ଉତ୍ତମାକୁ କିଛି କହିବା ଦରକାର । ତେତେବେଳକୁ ଉତ୍ତମା ଭାବର ଆବେଗରେ ଦୋହଲି ଦୋହଲି କିଛି ଆଗକୁ ଆଗେଇ ଗଲାଣି । ଦେବଳ ମଧ୍ୟ ଆଗେଇ ଯିବାକୁ ବସିଛି । ଠିକ୍ ଏଇ ସମୟରେ ଶକ୍ତ ଭାବରେ ଗୋଟିଏ କିଏ ହାତ ଥୋଇଲା ।

 

ତା’ ର ଅର୍ଥ ଅତି ପରିଷ୍କାର । ଆଗକୁ ନ ଯାଇ ଦେବଳ ଧୀରେ ଧୀରେ ପଛକୁ ଫେରିଲା । ପଛକୁ ଫେରି ଚୁପ୍‍ଚାପ୍ ଛିଡ଼ାହେଲା । ଅତି ନିମ୍ନସ୍ଵରରେ ହିନ୍ଦୁସ୍ଥାନୀ ଭାଷାରେ କହିଲା–ଏଠି ହାତକଡ଼ି ପକାଇବା ଦରକାର ନାହିଁ । ଏମିତି ମୁଁ ବାହାରି ଯାଉଛି, ଚାଲ ।

 

ଉଦ୍ଦେଶ୍ୟ ହେଲା, ଉତ୍ତମା ଯେମିତି କୌଣସି ସଙ୍କେତ ନପାଏ ।

 

ନାଚ ସେତେବେଳକୁ ଖୁବ୍ ଜମିଯାଇଥାଏ ଏବଂ ସମସ୍ତେ ତହିଁରେ ମାତି ଉଠିଥାଆନ୍ତି । ପଛଆଡ଼େ କିଏ କୁଆଡ଼େ ଉଠିଗଲା, ସେଥିପ୍ରତି କେହି ଖିଆଲ ରଖି ନଥାନ୍ତି । ବର୍ଷିୟସୀ ଭକ୍ତିମତୀ ରାସଧାରିଣୀମାନେ ଗୀତ ବୋଲୁ ବୋଲୁ ଭାବାବେଶରେ ରୁଦ୍ଧକଣ୍ଠ ହୋଇପଡ଼ିଲେଣି । “ମୁଞ୍ଚମୟି” ବୋଲୁ ବୋଲୁ କେବଳ ‘ଇକ୍ ଇକ୍’ ଧ୍ୱନି କରିବାକୁ ଲାଗିଲେଣି । କଣ୍ଠ ମଧ୍ୟରେ ଗୀତ ମିଳେଇ ଯାଉଛି । ସ୍ୱର ମଧ୍ୟ ମିଳେଇ ଯାଉଛି, ଲୟ ମଧ୍ୟରେ ଏବଂ ଲୟ ବାଦ୍ୟ ମଧ୍ୟରେ ।

 

ଆଉ ଦେବଳ ? —ଚାରିଜଣ ସଙ୍ଗିନ୍ଧାରୀଙ୍କ ଆଢ଼ୁଆଳରେ ।

 

ଷୋହଳ

 

କୋର୍ଟ ମାର୍ଶାଲ ବସିଛି ।

 

ସମରୀ ଜେନେରାଲ୍ କୋର୍ଟ ମାର୍ଶାଲରେ ଦେବଳର ବିଚାର ହେବ । ଏଥିରେ ମୃତ୍ୟୁଦଣ୍ଡ ପର୍ଯ୍ୟନ୍ତ ଦିଆଯାଇପାରେ । ଦେବଳର ଅପରାଧ ଅତି ସାଙ୍ଘାତିକ । ତେଣୁ ପ୍ରମାଣ ହେଲେ ସବୁଠାରୁ ବଡ଼ ଶାସ୍ତି ଦେବା ଦରକାର ପଡ଼ିପାରେ । ଅତଏବ ନିମ୍ନ ସ୍ତରର କୌଣସି କୋର୍ଟ ମାର୍ଶାଲ ଦ୍ୱାରା ଚଳିବ ନାହିଁ ।

 

ସମରୀ ଅର୍ଥାତ୍ ସଂକ୍ଷିପ୍ତସାର କରିବାକୁ ପଡ଼ିବ । ଚାରିଆଡ଼େ ବର୍ତ୍ତମାନ ଯୁଦ୍ଧ ଚାଲିଛି । ଜାପାନୀ କିମ୍ବା ଆଇ.ଏନ୍.ଏ. ଏବେ ସୁଦ୍ଧା ଓଲଟା ଚଢ଼ାଉ କରିପାରନ୍ତି । ଏଭଳି ଗୋଟିଏ ଗୁରୁତର ଅପରାଧର ବିଚାର ଓ ଶାସ୍ତି ଅବିଳମ୍ବେ ଦିଆଯାଇ ପାରିଲେ ସାଧାରଣ ଲୋକଙ୍କ ପକ୍ଷେ ଏହା ଗୋଟାଏ ଶିକ୍ଷାର ବିଷୟ ହେବ । ନାଗା ମଣିପୁରୀ କୋର୍ଟ କଚେରୀରେ ହୋ ଉଠିଛି ଯେ, ଇଂରେଜ ରାଜତ୍ଵ ଏଥର ଗଲା । ଏହାଛଡ଼ା ବ୍ରିଟିଶ୍ ପକ୍ଷରେ ଥାଇ ସୁଦ୍ଧା ଯେଉଁସବୁ ହିନ୍ଦୁସ୍ଥାନୀ ସୈନ୍ୟ ଏବଂ ଅଫିସର୍ ଆଇ.ଏନ୍.ଏ. ପ୍ରତି ଝୁଙ୍କିପଡ଼ିଛନ୍ତି, ସେମାନେ ବି ଏହି କୋର୍ଟ ମାର୍ଶାଲର ଆଡ଼ମ୍ବର ଦେଖି ସାବଧାନ ହୋଇଯିବେ ।

 

ଅତଏବ ଅତି ଆଡ଼ମ୍ବର ସହକାରେ କୋର୍ଟ ମାର୍ଶାଲ ବସାଯାଇଛି ଏବଂ ବିଚାରପାଇଁ ଜରୁରୀ ବ୍ୟବସ୍ଥା କରାଯାଇଛି । ଚାର୍ଯଗୁଡ଼ିକ ଏଭଳି ସାଙ୍ଘାତିକ ଯେ ମକଦ୍ଦମାଟା ଆପଣା ଛାଏଁ ଛାଏଁ ପ୍ରମାଣ ହୋଇଯିବାକୁ ବାଧ୍ୟ ।

 

ଚାରିଜଣ ମିଲିଟାରୀ ଅଫିସରଙ୍କୁ ଘେନି କୋର୍ଟ ପ୍ରସ୍ତୁତ କରାଗଲା । ଯାହାକୁ ଏକଦମ୍ ହାଇକୋଟର ଫୁଲ ବେଞ୍ଚ କହନ୍ତି, ତାର ସଭାପତି ହେଲେ ଜଣେ ଫୁଲ୍‍କର୍ଣ୍ଣେଲ; ଅର୍ଥାତ୍ ଲେଫ୍ଟନେଣ୍ଟ କର୍ଣ୍ଣେଲ ହେଲେ ବି ଚଳିବ ନାହିଁ । ବଙ୍ଗଳା ଭାଷା ଜାଣିଥିବା ଲୋକଙ୍କୁ ବାଛି ବାଛି ବିଚାରକ ଗାଦିରେ ବସାଯାଇଛି । ତେଣୁ ଦୋଭାଷୀର ଆବଶ୍ୟକତା ନାହିଁ ଏବଂ ମକଦ୍ଦମାଟି ଚଞ୍ଚଳ ଚଞ୍ଚଳ ଖତମ ହୋଇଯିବ ।

 

ଫରିଆଦି, ଅର୍ଥାତ୍ ନାଲିଶ କରିଛନ୍ତି, ଇଂରେଜ ସରକାରଙ୍କର ଜଙ୍ଘୀ ବିଭାଗ । ସେମାନଙ୍କ ଓକିଲ ଜଣେ ବଙ୍ଗାଳୀ ଲେଫ୍ଟନେଣ୍ଟ କର୍ଣ୍ଣେଲ । କର୍ଣ୍ଣେଲ ରାୟ କଲିକତାଠାରେ ଆଇନ୍ ପାଶ୍ କରିସାରିବାପରେ ମିଲିଟାରୀ ବିଭାଗ ମୋହରେ ଏ ଚାକିରି ଗ୍ରହଣ କରିଛନ୍ତି । ସେ ପ୍ରଥମେ ଯୁଦ୍ଧର କମିଶନ୍ ନେଇଛନ୍ତି । ଆଇନ ବିଦ୍ୟା ଜାଣିଥିବାରୁ ତାଙ୍କୁ ପ୍ରଥମେ ମାଲୟ—ସିଂଗାପୁର ଯିବାକୁ ପଡ଼ିନାହିଁ । ଅବଶ୍ୟ ବର୍ତ୍ତମାନ, ତିଙ୍କୁ ଫର୍ୱାଡ଼ ଏରିଆ, ଅର୍ଥାତ୍ ଯୁଦ୍ଧର ଆଗୁଆ ଇଲାକାକୁ ଆସିବାକୁ ପଡ଼ିଛି; କିନ୍ତୁ ମିଲିଟାରୀ ମେସ୍–ଓ କ୍ୟାମ୍ପରେ ତାଙ୍କ ଭଳି ଦିଲ୍ ଖୋଲା ମଜଲିସରେ ଲୋକ ବିରଳ । ଆଦବ କାଇଦାରେ ଯେପରି ପାଲିସ୍, ତର୍କବିତର୍କରେ ମଧ୍ୟ ସେହିପରି ବାହାଦୂର । କଥାବାର୍ତ୍ତାର କ୍ଷମତାରେ ମଧ୍ୟ ସେହିଭଳି ଦକ୍ଷ । ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ବି ତାଙ୍କୁ ସମସ୍ତେ କର୍ଣ୍ଣେଲ ବୋଲି ଡାକନ୍ତି ।

 

ନିୟମ ଅନୁସାରେ ଜଜ୍-ଆଡ଼ଭୋକେଟ ସମସ୍ତଙ୍କୁ ହଲପ୍ କରାଇନେଲେ । ତାପରେ ଆସାମୀ ଦେବଳକୁ ତାହା ବିରୁଦ୍ଧରେ ଥିବା ନାଲିଶ ଗୁଡ଼ିକ ଶୁଣାଇ ଦିଆଗଲା । ଚାର୍ଜ ଗୁଡ଼ିକ ଅତୀବ ଗୁରୁତର । ଚଉଦ ନମ୍ବର ପଞ୍ଜାବ ରେଜିମେଣ୍ଟର ଲେଫ୍ଟନାଣ୍ଟ ଦେବଳ ସିଂହ, ସିଂଗାପୁର, ମାଳୟ, ରେଙ୍ଗୁନ, ନାଗାପାହାଡ଼ ଓ ମଣିପୁର ମଧ୍ୟରେ ଇଣ୍ଡିଆନ ପେନାଲକୋଡ଼ର ୧୨୧ଧାରା ଅନୁସାରେ ଏବଂ ଇଣ୍ଡିଆନ୍ ଆର୍ମିଆକ୍ଟର ୪୧ ଧାରା ଅନୁସାରେ ଭାରତବର୍ଷର ସମ୍ରାଟଙ୍କ ବିରୁଦ୍ଧରେ ଯୁଦ୍ଧ କରିଛି । କେବଳ ସେତିକି ନୁହେଁ । ମଣିପୁରଠାରେ ଗୋଟିଏ ସନ୍ଧାନୀ ଘାଟିରେ ଜଣେ ସିପାହୀକୁ ମାଡ଼ମାରିଛି ଏବଂ ଅଦୂରରେ ଥିବା ଗୋଟିଏ ଗ୍ରାମରେ ଜଣେ ସିପାହୀକୁ ଖୁନ୍ କରିଛି ।

 

ସୈନିକ ଜୀବନରେ ରଜଦ୍ରୋହ ସବୁଠାରୁ ବଡ଼ ଅପରାଧ ।

 

ଦେବଳ କିନ୍ତୁ ପ୍ରତ୍ୟେକ ଅପରାଧକୁ ଅସ୍ଵୀକାର କଲା । ମୁଣ୍ଡକୁ ଉପରକୁ ଟେକିରଖି ବଡ଼ପାଟିରେ ଘୋଷଣା କଲା—ମୁଁ ଦୋଷୀ ନୁହେଁ ।

 

ତାପରେ ତାକୁ ପ୍ରଶ୍ନ କରାଗଲା, ସେ ନିଜପକ୍ଷରେ କୌଣସି ଓକିଲ ଦେବ କି ନା ! ଯଦି ସେ ଚାହେଁ, ତେବେ ଅତି ଅଭିଜ୍ଞ ମିଲିଟାରୀ ଓକିଲ ଦିଆଯାଇପାରେ । ପାଖ ଆଖରେ ଯୁଦ୍ଧ ଚାଲିଥିବାରୁ କୌଣସି ବେସାମରିକ ଓକିଲ ବା ବାରିଷ୍ଟର ଅଣାଇବା ସମ୍ଭବପର ହେବନାହିଁ ।

 

ଉତ୍ତରରେ ଦେବଳ କହିଲା—ନିଜ ସପକ୍ଷରେ ଯାହା ତାହାର କହିବାର ଅଛି ଅଥବା ଜେରା କରିବାର ଅଛି, ସେ ସମସ୍ତ ସେ ନିଜେ କରିବ ।

 

ତାପରେ ଜଜ-ଆଡ଼ଭୋକେଟ୍ ତାକୁ ହୁସିଆର କରାଇଦେଇ କହିଲେ ଯେ, ଇଣ୍ଡିଆନ ଆର୍ମିରୁଲ୍‍ ୭୦ ଧାରା ଅନୁସାରେ ବିଚାର ମୁଲୁତବି ରଖିବା କୌଣସି କୌଣସି ସମୟରେ ସମ୍ଭବପର ହୋଇପାରେ । କିନ୍ତୁ ଏଠାରେ ଲଢ଼େଇ ଇଲାକା ବୋଲି ଆଉ ମୂଲୁତୁବି ରଖିବା ସମ୍ଭବ ହେବନାହିଁ । ତେଣୁ ଆସାମୀ ସମ୍ପୂର୍ଣ୍ଣ ରୁପେ ପ୍ରସ୍ତୁତ ଅଛି କି ନା, ତାହା ଭଲଭାବେ ବିବେଚନାକରି କହିବା ଉଚିତ । ପରେ ଆଉ ସେ ସୁଯୋଗ ମିଳି ନପାରେ ।

 

ଦେବଳର ମନମଧ୍ୟରେ ତା’ମାଙ୍କ ଛବି ଭାସିଉଠିଲା । ମା’ ? ହଁ, ଦୁଃଖିନୀ ମା’ର ଛବି । ତା ମନଭିତରୁ କହିବାକୁ ଗଲେ ଅପସରି ଯାଇଛି । ଚାରିବର୍ଷ ତ ନୁହେ, ଗୋଟାଏ ଯୁଗାନ୍ତର କଥା-। ପୂର୍ବଜନ୍ମର ମା’କୁ ଏ ଜନ୍ମରେ ସେ କିପରି ମନେ ପକାଇ ପାରିବ !

 

ତଥାପି ସେ ଭୁଲିନାହିଁ । ସେଇଥିପାଇଁ ସେ ରେଙ୍ଗୁନଠାରୁ, ଆଜାଦ ହିନ୍ଦ୍ ରେଡ଼ିଓ ହାତମୁଠାରେ ଥିଲେ ସୁଦ୍ଧା, ସେ ବଞ୍ଚିଛି ଓ ସୁସ୍ଥ ଅଛି ଏ ଖବରଟିକକ ମା’ପାଖକୁ ପଠାଇ ପାରିନାହିଁ-

 

ଆଉ ମା’ ? ପୁଅ ସୈନ୍ୟଦଳରେ ନାମଲେଖାଇଛି ବୋଲି ଜାଣିଲାଦିନୁ ତା ହିସାବଟାକୁ ଜମାଖର୍ଚ୍ଚ ଖାତା ଭିତରକୁ ସେ ଉଠାଇ ନାହାନ୍ତି । ମନେକରିଛନ୍ତି, ହୁଏତ ପୁଅ କେବେହେଲେ ଫେରିଆସିବ । ବୋଧହୁଏ, ହିନ୍ଦୁସ୍ଥାନୀ ମାନେ ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧଘୋଷଣାକରି ଦେଶ ଭିତରକୁ ପଶିଆସିଲେଣି । ତେଣୁ ଆଶା ହେଉଛି, ଦେବଳ ନିଶ୍ଚୟ ଫେରିଆସିବ ।

 

ନା, ଦେବଳ ଦେଶଭିତରକୁ ଫେରିବାକୁ ଚାହେଁନା । ତାର ଅପରାଧ ପ୍ରମାଣିତ ହେବ ଏବଂ ସେ ମୃତ୍ୟୁଦଣ୍ଡ ପାଇବ । ମିଛଟାରେ ମା’ ଏବଂ ଅନ୍ୟମାନଙ୍କୁ ଏ ସକ୍ରାନ୍ତରେ ଜଡ଼ିତ କରିପକାଇବା ଠିକ୍‍ ହେବ ନାହିଁ ।

 

ମିତା ? ହଁ, ମିତା ପାଇଁ ମଧ୍ୟ ବିଚାରଟା ଅବିଳମ୍ବେ ଶେଷ ହୋଇଯିବା ଦରକାର । ଇଂରେଜମାନେ ତା ସହିତ ମିତାର ସମ୍ପର୍କଟା ଆବିଷ୍କାର କରିପାରିଲେ ମିତା ଉପରେ ବି ବିପଦ ପଡ଼ିବ । ତାକୁ ମଧ୍ୟ ସନ୍ଦେହ କରିବେ । ତା ବିରୁଦ୍ଧରେ କିଛି ପ୍ରମାଣ ନ ମିଳିଲେ ମଧ୍ୟ “ଡିଫେନ୍ସ ଅଫ୍ ଇଣ୍ଡିଆ ଆକ୍‍ଟ” ରେ ତାକୁ ଅଟକକରି ରଖିପାରନ୍ତି । ସେଦିନ ରାତିରେ ଢିପଉପରର ଘାଟି ମଧ୍ୟରେ ମିତାସହିତ ତାର ଦେଖା ହୋଇଥିଲା । ଏଇକଥାଟି ବାହାରି ପଡ଼ିଲେ ତାର ସର୍ବନାଶ । ନା, ବିଚାରଟା ଅତିଶୀଘ୍ର ଶେଷ ହୋଇଯିବା ଦରକାର । ସେ ଆଇ.ଏନ୍.ଏ. ଦଳର ଲୋକ । ଏଇକଥାଟାକୁ ପରିଷ୍କାର ଭାବେ ଓ ନିର୍ଭିକଭାବେ ସ୍ଵୀକାର କରିଯିବା ଉଚିତ । ସେତିକି କଲେ ହୁଏତ, ଆଉ କୋର୍ଟମର୍ଶାଲ ଚଳାଇବା ଦରକାର ପଡ଼ିବନାହିଁ ।

 

ଆହାଃ ! ଆଉମଧ୍ୟ ଜଣେ ଏଇ ଛବି ମଧ୍ୟରେ ଉଙ୍କି ମାରୁଛି । ଆଉ ଗୋଟିଏ ନବପରିଚିତ ମୁଖ । ତାର କିଛି ସମ୍ପର୍କ ନଥିଲା କି ଦାବି ମଧ୍ୟ ନ ଥିଲା । ନିଜର ଗୁଇନ୍ଦା ଗିରିର ସୁବିଧା ପାଇଁ ନିଜେ ସେ ତାକୁ ଗାଁରୁ ଧରିଆଣିଛି । ନିଜକୁ ଲୁଚାଇ ରଖିବାର ସୁବିଧା ହେବବୋଲି ସଙ୍ଗରେ ଘେନିଆସିଛି । ସେ ବିଚାରି ମଧ୍ୟ ନିଜର ବିପଦକୁ ଉପେକ୍ଷା କରିଛି । ନିଜର କଷ୍ଟ ଓ ବଦନାମ କଥା ଭାବିନାହିଁ । ଦେଶ ପାଇଁ ଅନେକ ଝିଅ ଏଇଭଳିଭବାରେ ବିପଦ ମୁଖକୁ ଡେଇଁପଡ଼ିଛନ୍ତି; କିନ୍ତୁ ଏହାପରି କେତେଜଣ ଝିଅ ନିଜକୁ ଉତ୍ସର୍ଗ କରିଦେଇଛନ୍ତି ? ଏତେ ଅଳ୍ପସମୟ ମଧ୍ୟରେ ଏବଂ ଏତେ ଆତ୍ମବିଭୋର ଭାବେ ? ରାସଲୀଳା ମଧ୍ୟରେ ତାସଙ୍ଗରେ କଥାବାର୍ତ୍ତା ଓ ଘନିଷ୍ଠତା । ସେ କଥା କଣ ମିଲିଟାରୀ ଲୋକଙ୍କ ନଜରରେ ପଡ଼ିନାହିଁ ? ସୁତରାଂ ଉତ୍ତମାର ମଙ୍ଗଳପାଇଁ ମଧ୍ୟ ବିଚାରଟା ଶୀଘ୍ର ଶୀଘ୍ର ଶେଷ ହୋଇଯିବା ଦରକାର ।

 

ତେବେ ଅପରାଧଟାକୁ ସ୍ଵୀକାର କରିଗଲେ ତ ସବୁକଥା ଛିଡ଼ିଯିବ ? ସାକ୍ଷୀ, ଗୃହା, ଜେରା, ସଓ୍ୱାଲଜବାବ, ଏସବୁ କିଛିମାତ୍ର ଦରକାର ହେବନାହିଁ । ମା’ ଜାଣିବ ନାହିଁ । ମିତା ଟାଣ ହେବନାହିଁ । ଉତ୍ତମା ମଧ୍ୟ ଆସି ପଡ଼ିଯିବ ନାହିଁ । ଅତି ଅଳ୍ପ ସମୟପରେ କାନ୍ଥ ସମ୍ମୁଖରେ ଧାଡ଼ି ଧାଡ଼ି ବନ୍ଧୁକ ଆଗରେ ଆଖିବନ୍ଧା ହୋଇଥିବା ଅବସ୍ଥାରେ ଗୋଟିଏ ଶରୀର ଏବଂ ଗୋଟିଏ ଛୋଟ ହୁକୁମ—“ଫାୟାର” ।

 

ନା, ତହିଁରେ ସେ ପଶ୍ଚାତ୍ପଦ ହେବନାହିଁ । ନିଜେ ଦୋଷ ସ୍ଵୀକାର ନକଲେ ସୁଦ୍ଧା ନିଶ୍ଚୟ ସେ ଦୋଷୀ ସାବ୍ୟସ୍ତ ହେବ । ପ୍ରକୃତରେ ସେ ତ ଜଣେ ସିପାହୀକୁ ଗୁଳି କରିଛି; ଆଉ ଜଣକ ଦେହକୁ ହାତ ଉଠାଇଛି । କିନ୍ତୁ......ରାଜା ବିରୁଦ୍ଧରେ ଯୁଦ୍ଧ ? ରାଜଦ୍ରୋହ ?

 

ନା, ରାଜଦ୍ରୋହ ସେ କରିନାହିଁ । ଦେଶର ସ୍ଵାଧୀନତା ପାଇଁ ସେ ଯୁଦ୍ଧ କରିଛି । ସ୍ଵାଧୀନତା ସଂଗ୍ରାମର ସୈନିକ ସେ । ନେତାଜୀଙ୍କ ଆଜାଦବାହିନୀ ଦଳର ସେ ଜଣେ କର୍ଣ୍ଣେଲ । “ଇଣ୍ଡିଆନ୍ ନାଶନାଲ୍ ଆର୍ମି ଆକ୍ଟ” ଅନୁସାରେ ସେ ଶପଥ ଗ୍ରହଣ କରିଥିଲା । ଇଂରେଜମାନଙ୍କର ଇଣ୍ଡିଆନ୍ ଆର୍ମି ଆକ୍ଟର ଦାୟିତ୍ଵ, ଇଂରେଜମାନେହିଁ ସିଙ୍ଗାପୁରଠାରେ ଶେଷକରି ଦେଇ ଆସିଛନ୍ତି ।

 

ଠିକ୍, ଦେଶହିଁ ସବୁଠାରୁ ବଡ଼ । କୌଣସି ପରିଚିତା ତରୁଣୀ, ଏପରି କି ସାରା ଜୀବନ ମଧ୍ୟରେ ଧ୍ୟାନକରି ବସିଥିବା ପ୍ରେୟସୀଠାରୁ ମଧ୍ୟ ବଡ଼ ।

 

“ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ” ।

 

ଏଠି ଜନନୀ ମଧ୍ୟ ଇଚ୍ଛା କରିବେ ନାହିଁ ଯେ, ତାଙ୍କରି ମୁହିଁକୁ ଚାହିଁ ବସି ଦେବଳ ଜନ୍ମଭୂମିକୁ ଅସ୍ୱୀକାର କରୁ ବୋଲି ।

 

ଦେବଳ ଘୋଷଣାକଲା—ମୁଁ ଏ କୋର୍ଟମାର୍ଶାଲର ମୁଲୁତବି ଚାହିଁବି ନାହିଁ; କାରଣ ମୋ ଉପରେ ଏ କୋର୍ଟର କୌଣସି ଅକ୍ତିଆର ଅଛି ବୋଲି ମୁଁ ସ୍ୱୀକାର କରୁନାହିଁ । ସିଙ୍ଗାପୁରଠାରେ ଆତ୍ମସମର୍ପଣ ସମୟର ଘଟଣା ଓ ପ୍ରଥା ଦିଗରୁ ମୋ ବିଷୟ ବିବେଚନାକରି ଦେଖିବା ପାଇଁ ମୁଁ ଆହ୍ୱାନ କରୁଅଛି । ମୋ ବର୍ଣ୍ଣନା ସତ କି ନା, ଆଶାକରେ ସେକଥା କୋର୍ଟ ଭଲଭାବରେ ଜାଣନ୍ତି । ହିଜ୍‍ମାଜେଷ୍ଟିସ୍ ବ୍ରିଟିଶ ସରକାର ୧୯୪୨ ସାଲର ଫେବୃୟାରୀ ୧୫ ତାରିଖରେ ଯୁଦ୍ଧ ଆଇନ ଭଙ୍ଗକରି ସବୁ ହିନ୍ଦୁସ୍ଥାନୀ ସିପାହୀ ଓ ଅଫିସରମାନଙ୍କୁ ଆଣି ଏକାଠିକରି ସିଙ୍ଗାପୁରର ଫେରାର ପାର୍କଠାରେ ଜମାଏତ କଲେ ଏବଂ ସବୁ ବ୍ରିଟିଶ ଅଫିସରଙ୍କୁ ଘେନି ଅନ୍ୟସ୍ଥାନକୁ ଚାଲିଗଲେ । ଫେବୃୟାରୀ ୧୬ ତାରିଖ ସକାଳେ ଆମ ସମସ୍ତଙ୍କୁ ଆମ କମାଣ୍ଡିଙ୍ଗ୍ ଅଫିସର ମେଜର ମେଡ଼ାମ୍ ସ୍ପଷ୍ଟଭାବେ କହିଗଲେ—“ବର୍ତ୍ତମାନଠାରୁ ଆମ ପଥ ଅଲଗା ହୋଇଗଲା ।” ଫେରାର ପାର୍କଠାରେ ବ୍ରିଟିଶ୍ ଗଭର୍ଣ୍ଣମେଣ୍ଟଙ୍କର ପ୍ରତିନିଧିଭାବେ “କର୍ଣ୍ଣେଲ୍ ହାଣ୍ଟ” ଆମ୍ଭମାନଙ୍କୁ ଘେନି ପ୍ୟାରେଡ଼୍ କରାଇଲେ । ଛିଡ଼ାହେବାକୁ ହୁକୁମ ଦେଇ କହିଲେ—“ବ୍ରିଟିଶ ସରକାର ତରଫରୁ ଆଜି ମୁଁ ତୁମ୍ଭମାନଙ୍କୁ ଜାପାନ ସରକାରଙ୍କ ହାତକୁ ଟେକିଦେଉଛି । ଆଜିଯାକେ ଆମ୍ଭମାନଙ୍କ ହୁକୁମ ପାଳନ କରି ଆସିଛ, ଠିକ୍ ସେହିଭଳି ଭାବରେ ଆଜିଠାରୁ ତୁମ୍ଭେମାନେ ଜାପାନୀମାନଙ୍କ ହୁକୁମ ତାମିଲ୍ କରିବ ।” ତାପରେ ମେଜର ଫୁରିଆରା ଆମ୍ଭମାନଙ୍କୁ କହିଲେ—ଜାପାନୀ ସରକାରଙ୍କ ତରଫରୁ ମୁଁ ତୁମ୍ଭମାନଙ୍କୁ ମୋ ତତ୍ତ୍ଵାବଧାନକୁ ଗ୍ରହଣ କରିନେଲି ।

 

କର୍ଣ୍ଣେଲ ହାଣ୍ଟ୍ ଙ୍କ ସମ୍ମୁଖରେ ହିଁ ସେ ଆମ୍ଭମାନଙ୍କୁ କ୍ୟାପଟେନ ମୋହନ ସିଂହଙ୍କ ଜିମା ଦେଇଦେଲେ ଏବଂ ଭାରତବର୍ଷର ସ୍ଵାଧୀନତା ଉଦ୍ଧାର କରିବାପାଇଁ ଯୁଦ୍ଧ କରିବାକୁ ଆମ୍ଭମାନଙ୍କୁ ନିର୍ଦ୍ଦେଶ ଦେଲେ । ଏହାପରେ ଜାପାନୀମାନଙ୍କ ହୁକୁମ୍‍ ରେ ଯଦି ଆମେ ବ୍ରିଟିଶ ସରକାର ବିରୁଦ୍ଧରେ ଯୁଦ୍ଧ କରିଥାଆନ୍ତୁ, ତେବେ ଆମ୍ଭମାନଙ୍କର କୌଣସି ଅପରାଧ ହୁଅନ୍ତା ନାହିଁ । ଆମେ କିନ୍ତୁ ତାହା କରିନାହୁଁ । ଆମେ ଯୁଦ୍ଧ କରିଛୁ, “ଇଣ୍ଡିଆନ୍ ନ୍ୟାଶନାଲ୍ ଆର୍ମି ଆକ୍ଟ” ଅନୁସାରେ, ନେତାଜୀଙ୍କ ନିକଟରେ ଶପଥ ଗ୍ରହଣ କଲାପରେ । ତେଣୁ ତୁମ୍ଭମାନଙ୍କର ଏ କୋଟ ମାର୍ଶାଲର ମୋ ଉପରେ କୌଣସି ଅଧିକାର ନାହିଁ । ତୁମେ ମୋତେ ଯୁଦ୍ଧବନ୍ଦୀ କରିପାର । ରାଜଦ୍ରୋହପାଇଁ କିନ୍ତୁ ବିଚାର କରିପାରିବ ନାହିଁ । ଆନ୍ତର୍ଜାତିକ ଯୁଦ୍ଧ ଆଇନ୍‍ବହି ଫିଟାଇ ଦେଖିପାର ।

 

ବିଚାରକଦଳର ସଭାପତିପକ୍ଷେ ଏଭଳି ଜଣେ ବିଦ୍ରୋହୀର ଆସ୍ପର୍ଦ୍ଧା ସହ୍ୟହେବ କିପରି-? ଅନେକ ଦିନ ହେଲା, ଆସାମ ଓ ମଣିପୁରର ଜଙ୍ଗଲ ମଧ୍ୟରେ ଯୁଦ୍ଧ କରି କରି ମୁହଁର ଧଳା ରଙ୍ଗଟା ଗାଢ଼ଲାଲ ପାଲଟି ଯାଇଛି । ମୁହଁଟାକୁ ସେ ବିକୃତ କରି ପକାଇ ଟେବୁଲ ଉପରେ ହାତୁଡ଼ି ପିଟିବାକୁ ଲାଗିଲେ । ଆସାମୀ ଏକେ ତ ବିଦ୍ରୋହୀ । ତା ଉପରେ ପୁଣି ଦୁଃସାହାସ ଦେଖାଇ ଦୁଷ୍ମନ୍ ଆଇନର ଦୃଷ୍ଟାନ୍ତ ଦେଉଛି, ଅସହ୍ୟ କଥା । ବଙ୍ଗାଳୀମାନେ ଏତେଦିନଯାକେ ଆଇନ୍‍ର ଘୂରପେଞ୍ଚ ଦେଖାଇ ଆମ୍ଭମାନଙ୍କୁ ଭୁଲାଇ ଦେଇଛନ୍ତି । ଏବେ ପୁଣି ଅସ୍ତ୍ର ଧରିଛନ୍ତି । ଇଣ୍ଟରନାଶନାଲ ଯୁଦ୍ଧ ଆଇନ୍ ଦେଖାଉଛନ୍ତି ।

 

“ରୁଲ୍ ବ୍ରିଟାନିଆ—ରୁଲ୍ ଦି ସ୍ଲେଭସ୍” । ହାତ ମଧ୍ୟରେ ଥାଇ ହାତୁଡ଼ିଟା ଝୁଲିବାକୁ ଲାଗିଲା ।

 

କିନ୍ତୁ ଇଂରେଜ କର୍ଣ୍ଣେଲ ମନେ ମନେ ମିଲିଟାରୀ ହେଲେହେଁ, ବ୍ୟବହାରରେ ସିଭିଲ୍ । ମିଜାଜ୍ଟା ହିଂସାପରାୟଣ ହେଲେ ବି କଥାଗୁଡ଼ିକ ମିଠା ମିଠା । ହସି ହସି କହିଲେ—ତରୁଣ କ୍ୟାପଟେନ୍, ଏବେ ବି ତୁମେ ଇଣ୍ଡିଆନ୍ ଆର୍ମି ଆକ୍ଟର ଅଧୀନ । ଆଇନଦୃଷ୍ଟିରୁ ରାଜଦ୍ରୋହୀର ମନଗଢ଼ା ଆର୍ମିଆକ୍ଟର ମୂଲ୍ୟ କିଛିନାହିଁ—କ୍ୟାପଟେନ୍ !

 

ପ୍ରସିକ୍ୟୁଟର କହିଲେ—ମିଷ୍ଟର ପ୍ରେସିଡ଼େଣ୍ଟ୍ ଓ ମାନନୀୟ କୋର୍ଟର ସଭ୍ୟଗଣ, ଏ ବିଚାରସଭା ସମ୍ପୂର୍ଣ୍ଣ ଆଇନସମ୍ମତ । ମିଷ୍ଟର ପ୍ରେସିଡ଼େଣ୍ଟଙ୍କ ନିକଟରେ ମୁଁ କୃତଜ୍ଞ— (ଏତିକି କହୁ କହୁ ଛାତିପର୍ଯ୍ୟନ୍ତ ନଇଁପଡ଼ି ବାଓକରି ମୁଣ୍ଡନୂଆଁଇ ନମସ୍କାର ମଧ୍ୟ କରିନେଲେ) । ମନେହେଲା, ସତେ କି ସେ କୋର୍ଟର ମାନରକ୍ଷା ଭାର ଗ୍ରହଣ କରିଛନ୍ତି—ଭାରତବର୍ଷ କିଙ୍ଗ ଏମ୍ପରରଙ୍କ ଅଧୀନ । ଆସାମୀ ଭାରତବାସୀ, ଅତଏବ, ଜନ୍ମଠାରୁ ବ୍ରିଟିଶ୍ ପ୍ରଜା । ଅଧିକନ୍ତୁ ଆଇନସମ୍ମତ ଆର୍ମିଆକ୍ଟର ଅଧୀନ ଭାବେ ଶପଥ ଗ୍ରହଣ କରିଥିଲା । ତାହାର ସେହି ପାର୍ଚ୍ଚମେଣ୍ଟ କମିଶନ୍ର ନକଲ ମୁଁ ଏ କୋର୍ଟରେ ଦାଖଲ କରୁଛି । ତାହା ଦିଲ୍ଲୀଠାରୁ ନଗଦ ଏରୋପ୍ଲେନ୍ଦ୍ୱାରା ଅଣାଯାଇଛି । ଆକ୍ଟର ୪୧ ଧାରା ଅନୁସାରେ ଆସାମୀ ବ୍ରିଟିଶ୍ଇଣ୍ଡିଆ ମଧ୍ୟରେ ହେଉ, ବା ଦେଶ ବାହାରେ ଯେ କୌଣସି ସ୍ଥାନରେ ହେଉ, କୌଣସି ଅପରାଧ କରିବସିଲେ ସଜାପାଇବାକୁ ବାଧ୍ୟ ଅଟେ । ଯେ କୌଣସି ଉଦ୍ଦେଶ୍ୟ ଘେନି ସେ କିଙ୍ଗ୍ ଏମ୍ପରରଙ୍କ ବିରୁଦ୍ଧରେ ଯୁଦ୍ଧ କରୁନା କାହିଁକି, ତା ଉଦ୍ଦେଶ୍ୟର କୌଣସି ମୂଲ୍ୟନାହିଁ । ପ୍ରଶ୍ନ ହୋଇପାରେ, ତା କାର୍ଯ୍ୟଟି ବେଆଇନ୍ କି ନା । ସମ୍ରାଟଙ୍କ ପ୍ରତି ଅନୁଗତ ଥିବାର କର୍ତ୍ତବ୍ୟ ସବୁସମୟରେ ଏବଂ ସବୁ ଅବସ୍ଥାରେ ବିଦ୍ୟମାନ ଥାଏ । ଯୁଦ୍ଧକ୍ଷେତ୍ରରେ ବନ୍ଦୀହେଲେହେଁ ଅଥବା ଶତ୍ରୁଅଧୀନକୁ ଚାଲିଗଲେ ବି ସେ କର୍ତ୍ତବ୍ୟର ଦାୟିତ୍ୱ ଚାଲିଯାଏ ନାହିଁ । ମିଷ୍ଟର ପ୍ରେସିଡ଼େଣ୍ଟ, ଆପଣମାନଙ୍କର ଅନୁମତି ଘେନି ମୁଁ ବର୍ତ୍ତମାନ ଆସାମୀର ଦୋଷର ପ୍ରମାଣ ଦେବାକୁ ଆରମ୍ଭ କରୁଛି ।

 

ଏତେଦିନମଧ୍ୟରେ ଯୁଦ୍ଧର ଅବସ୍ଥା ଯାହା ହୋଇଥିଲା, ତହିଁରେ ଆଜାଦ ହିନ୍ଦ୍ଦଳ ବିରୁଦ୍ଧରେ ପ୍ରମାଣର ଅଭାବ ନଥିଲା । ବେତାର ସାହାଯ୍ୟରେ ରାସବିହାରୀ ବସୁ ବକ୍ତୃତା ଦେଇଥିଲେ । ନେତାଜୀ ଭାରତବର୍ଷକୁ ଉଦ୍ଦେଶ୍ୟକରି ଗାନ୍ଧିଜୀଙ୍କ ନିକଟକୁ ସମ୍ମତି ଓ ଆଶୀର୍ବାଦଲାଭକରି ଯୁଦ୍ଧ ଆରମ୍ଭ କରିବାପାଇଁ ଭାଷଣ ଦେଇଥିଲେ । ସେଗୁଡ଼ିକ ସବୁ ରେକର୍ଡ଼ କରି ରଖା ହୋଇଥିଲା । ଆଜାଦ ହିନ୍ଦ୍ ଦଳ ନାଗାପାହାଡ଼ ଓ ମଣିପୁର ଚଢ଼ାଉ କରିବା ସଙ୍ଗେସଙ୍ଗେ ଜାପାନୀ ଏରୋପ୍ଲେନ୍ ରୁ କେତେଥର ବଙ୍ଗଳା, ଇଂରେଜୀ ଓ ହିନ୍ଦିଭାଷାରେ ଇସ୍ତାହାର ଓ ଛବି ବାଣ୍ଟିଥିଲେ । ତହିଁରେ ସ୍ୱାଧୀନତା ପାଇଁ ଯୁଦ୍ଧକରିବା ନିମନ୍ତେ ଭାରତବାସୀଙ୍କୁ ଆହ୍ୱାନ କରାଯାଇଥିଲା ଏବଂ ନେତାଜୀସ୍ଥାପିତ ଆଜାଦ ହିନ୍ଦ୍ ସରକାରର ଉଦ୍ଦେଶ୍ୟ କଅଣ, ତାହା ଖୋଲି କୁହାଯାଇଥିଲା । ଆଜାଦ ହିନ୍ଦ୍ ବାହିନୀ ତ୍ରିରଙ୍ଗା ପତାକା ଉଡ଼ାଇ, ଅସ୍ତ୍ରଶସ୍ତ୍ର ଧରି ମାର୍ଚ୍ଚକରି ଆସୁଛନ୍ତି ଏବଂ ତହିଁରେ ଲେଖାଅଛି—“କଦମ୍ କଦମ୍ ବଢ଼ାଏ ଯା—।” ଏହି ଛବିଟି କୋଟରେ ଦାଖଲ କରାଗଲା । ନେତାଜୀ ପୂରା ସାମରିକ ପୋଷାକ ପିନ୍ଧି ଆଜାଦ ହିନ୍ଦ୍ ବାହିନୀର ସାଲିଉଟ୍ ଗ୍ରହଣ କରୁଛନ୍ତି, ସେ ଛବିଟିମଧ୍ୟ ।

 

‘କାଉନ୍ସିଲର୍’ (ଓକିଲ) ନିବେଦନ କରି ବସିଲେ ଯେ ଏତେଗୁଡ଼ିଏ ପ୍ରମାଣଥିବା ସତ୍ୱେ ଆଜାଦ ହିନ୍ଦ୍ ଦଳର ପ୍ରତ୍ୟେକେ ରାଜଦ୍ରୋହୀ, ଏଥିରେ ଲେଶମାତ୍ର ସନ୍ଦେହର ଅବକାଶ ଥାଇ ନପାରେ । ଆସାମୀମଧ୍ୟ ସ୍ୱୀକାର କରିସାରିଲାଣି ଯେ ସେ ଆଇ: ଏନ୍: ଏ: ଅର୍ଥାତ୍ “ଇଣ୍ଡିଆନ୍ ନାଶନାଲ୍ ଆର୍ମି”ର ଲୋକ ।

 

ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ରାୟ, ଖୁବ୍ ବିଚକ୍ଷଣ ଲୋକ । ବାଁ ଆଖିଉପରକୁ ସୁନାର ସରୁ ଚେନ୍‍ ରେ ବନ୍ଧା ହୋଇଥିବା ‘ପାଁଶନେ’ ଚଷମାଟାକୁ ପିନ୍ଧିପକାଇଲେ । ଆସାମୀଆଡ଼କୁ ରସିକତା ସହକାରେ ଚାହାଁଣିଟିଏ ହାଣିଦେଲେ । ତାପରେ କୋର୍ଟକୁ ସମ୍ବୋଧନକରି କହିଲେ,—ମିଷ୍ଟର ପ୍ରେସିଡ଼େଣ୍ଟ୍, ଏଥର ଆପଣମାନେ ଭାବିନେଇ ପାରନ୍ତି ଯେ କୌଣସି କାରଣବଶତଃ, ଅର୍ଥାତ୍ କାହାରିକୁ ଘୋଡ଼ାଇ ପକାଇବାକୁ ଚେଷ୍ଟାକରି ଆସାମୀ ହୁଏତ ମିଥ୍ୟା ସ୍ୱୀକାର କରି ଥାଇପାରେ । ସେ ଯେ ରାଜଦ୍ରୋହୀ ଦଳର ଲୋକ, ତାର ପ୍ରମାଣ ନାହିଁ ? ସେକଥାଟି ପ୍ରମାଣ ହୋଇ ନପାରିଲେ ଅନ୍ୟ ଅପରାଧଗୁଡ଼ିକ ମଧ୍ୟ ଲଘୁ ହୋଇଯିବ; ତେଣୁ ଏଥର ମୁଁ ଗୋଟିଏ ପ୍ରମାଣ ଦାଖଲ କରୁଛି । ଏହି ବ୍ୟାଟଲ୍ ଡ୍ରେସ୍‍ ଖଣ୍ଡିକ ଲାମଲାଇ ଗ୍ରାମର ଗୋଟିଏ କୋଣକୁ ଥିବା ଜଙ୍ଗଲ ପାଖରେ ପୋଖରୀ ନିକଟରୁ ମିଳିଛି I ଆସାମୀର ଦ୍ୱିତୀୟ ଓ ତୃତୀୟ ଦଫା ଅପରାଧ ଏହି ପୋଖରୀର ଅଳ୍ପଦୂରରେ ଘଟିଥିଲା ।

 

ଆସାମୀକୁ ଲକ୍ଷ୍ୟକରି ଜଜ୍ ଆଡ଼ଭୋକେଟ୍ ପଚାରିଲେ—ଏ ପୋଷାକ ଖଣ୍ଡିକ ଆପଣଙ୍କର ବୋଲି ସ୍ଵୀକାର କରୁଛନ୍ତି କି ? ଯଦି ଅସ୍ୱୀକାର କରନ୍ତି, ତେବେ କୋର୍ଟ ପାଖରେ ଥିବା ତମ୍ବୁ ଭିତରକୁ ଯାଇ ଏ ଖଣ୍ଡିକ ପିନ୍ଧିଆସିବାକୁ ଅନୁରୋଧ କରିବି ।

 

—ସ୍ଵୀକାର କରୁଛି ।

 

—ହିଜ୍ ମାଜେଷ୍ଟିଙ୍କ ଫୋର୍ଶର ଅଫିସର ହିସାବରେ ଏ ଖଣ୍ଡିକ ପିନ୍ଧୁଥିଲେ ବୋଲି ଆପଣ ସ୍ଵୀକାର କରୁଛନ୍ତି ?

 

—ହଁ, କରୁଛି ।

 

—ଆଉ ମଧ୍ୟ ସ୍ଵୀକାର କରୁଛନ୍ତି ଯେ ଆପଣ ଆପଣଙ୍କର ତଥାକଥିତ ଆଜାଦ ହିନ୍ଦ୍ ଦଳର “ନାମ୍‍କା ବାସ୍ତେ” କର୍ଣ୍ଣେଲ୍ ହିସାବରେ ବ୍ୟବହାର କରୁଥିଲେ ?

 

—କରୁଛି; କିନ୍ତୁ ତଥାକଥିତ ନୁହେଁ, ପ୍ରକୃତରେ ସ୍ଵାଧୀନତାର ସେନ୍ୟଦଳ ହିସାବରେ l ଆପଣଙ୍କପରି ଉଦର—ଜ୍ଵାଳାରେ ବିଦେଶୀ ନିକଟରେ ଥିବା ଭଡ଼ାଟିଆ ସୈନ୍ୟଦଳର ଅଫିସରଭାବେ ନୁହେ I ଆଉ, ନାମ୍‍କା ବାସ୍ତେ କର୍ଣ୍ଣେଲ ମୋଟେ ନୁହେଁ । ତାର ପ୍ରମାଣ ହେଉଛି, ଆମେ ଆସୁଛୁଁ ବୋଲି ଶୁଣି ଆପଣମାନ ପଳାଇବାକୁ ବାଟ ପାଉନାହାନ୍ତି । ଆପଣମାନଙ୍କ ପାଇଁ ଲଢ଼ିବାକୁ ଆସୁଛି, ମେସିନ୍ । ମନୁଷ୍ୟନୁହେଁ; କାରଣ ଆପଣମାନେ ପୁରୁଷ ନୁହନ୍ତି ।

 

—ଅର୍ଡ଼ର, ଅର୍ଡ଼ର । —ପ୍ରେସିଡ଼େଣ୍ଟ ଟେବୁଲ ଉପରେ ହାତୁଡ଼ି ବାଡ଼େଇବାକୁ ଲାଗିଲେ-। ଅର୍ଡ଼ର, ଅର୍ଡ଼ର, ଆସାମୀକୁ ସାବଧାନ କରାଇ ଦିଆଯାଉଛି ଯେ, ଏଇଟା ହେଲା କୋଟ୍ । ରାଜନୀତିକବକ୍ତୃତା ମଣ୍ଡପ ନୁହେଁ ।

 

ଦେବଳ ଉତ୍ତର ଦେଲା—ମିଷ୍ଟର ପ୍ରେସିଡ଼େଣ୍ଟ, ପ୍ରସିକ୍ୟୁଟର ହିଁ ଏଥିପାଇଁ ଦାୟୀ । କାରଣ ସେ ଏକଥାଟି ଆରମ୍ଭ କରିଛନ୍ତି ।

 

କର୍ଣ୍ଣେଲରାୟ ପାଁଶନେଟାକୁ ଆଉଥରେ ନାକ ଉପରକୁ ସଜାଇ ରଖି କୋମଳ ସ୍ଵରରେ ପଚାରିଲେ—ଆଚ୍ଛା, ଆଇ. ଏନ୍. ଏ, ର କର୍ଣ୍ଣେଲ୍ ସିହ୍ନା, ଆପଣ ଏ ସମୟରେ ଅସମୟରେ ଜୀବନ ଦେବାକୁ ରିସ୍‍କୁନେଇ ମଣିପୁରଠାକୁ ଆସିବାର ଉଦ୍ଦେଶ୍ୟ କଅଣ, ଜାଣିପାରିବି କି ? ତେବେ ଆଉ କଷ୍ଟ ସ୍ଵୀକାର କରି ସାକ୍ଷୀଗୁହା ଡାକିବାକୁ ପଡ଼ନ୍ତା ନାହିଁ l ଆଶାକରେ ଆପଣ ମଣିପୁରକୁ ହାୱା ଖାଇବାକୁ ଆସିନାହାନ୍ତି ନିଶ୍ଚୟ ।

 

ଆସିଛି । ହାୱା ଗରମ କରିଦେବା ଉଦ୍ଦେଶ୍ୟରେ, ଆପଣମାନଙ୍କ ଲାଗି ହାୱା ଗରମ କରିଦେବା ପାଇଁ ।

 

—ସାବାସ୍ ! ସାବାସ୍ ! ତେବେ ରାମରୀଳାଟା ମଣିପୁରର ନାମଜାଦା ଜିନିଷ I ସେ ନାଚଦେଖି ଆମେରିକାନ୍ମାନେ ମନ ଖୋଲା ପ୍ରଶଂସା କରି ଯାଇଛନ୍ତି । ଆପଣ ବୋଧହୁଏ ନାଚଗୀତର ଖୁବ୍ ସମଝ୍ଦାର୍ । ଓରିଏଣ୍ଟାଲ୍ ? ନା ମୋଭଳି ବଲ୍‍ରୁମ୍ ଡାନ୍‍ସ ଚଳେ ?

 

ପ୍ରେସିଡ଼େଣ୍ଟ ବାଧାଦେଲେ—ଏଭଳି ଲଘୁ ପରିହାସ ଦ୍ଵାରା କୋର୍ଟର ମୂଲ୍ୟବାନ ସମୟ ନଷ୍ଟ କରିବା ଉଚିତ ହେଉନାହିଁ ।

 

କର୍ଣ୍ଣେଲ୍ରାୟ ଏଥର ‘ବାଓ’ କରି କହିଲେ—ନୋ, ମି. ଲଡ଼୍ । ମୁଁ ଚାହେଁ, ଆସାମୀ ନିଜେ ନିଜର ଜମାନବନ୍ଦୀ ମଧ୍ୟରେ ସ୍ଵୀକାରକରୁ ଯେ, ସେ ଗୁଇନ୍ଦାଗିରି କରୁଛି । ସେ ଯୋଦ୍ଧା ନୁହେଁ, ତେଣୁ କୋର୍ଟର ସମୟ ନଷ୍ଟ କରିବାର ପ୍ରଶ୍ନ ଉଠୁନାହିଁ । ସ୍ପାଇର ଶାସ୍ତିଲାଗି ବିଚାରର ବ୍ୟବସ୍ଥା ଖୁବ୍ ଅଳ୍ପ ।

 

କିନ୍ତୁ ପୁରା କର୍ଣ୍ଣେଲ୍ ଇଂରେଜ ବୀର ଜାତିର ଲୋକ । ଅଧା କର୍ଣ୍ଣେଲ୍ ପ୍ରସିକ୍ୟୁଟରଙ୍କ ଯୁଦ୍ଧଗଣ୍ଡିର ବାହାରେ ଥିବା ସଂକ୍ଷିପ୍ତ ବ୍ୟବସ୍ଥା ତାଙ୍କ ଦୃଷ୍ଟିରେ “ଅନଷ୍ଟୋଟସ୍‍ ମ୍ୟାନ୍ ଲାଇକ୍”, ଅର୍ଥାତ୍ ଖେଳ ନିୟମ ଅନୁସାରେ ଅନ୍ୟାୟ ବ୍ୟବସ୍ଥା । ତେଣୁ ସେ ନିର୍ଦ୍ଦେଶ ଦେଲେ ଯେ, ଯେଉଁ କେତୋଟି ଚାର୍ଜ ଦାଖଲ କରାଯାଇଛି, କେବଳ ତାହାରି ବିଚାର ହେବ । ଅବଶ୍ୟ ପ୍ରମାଣ ହାଜିର କରୁ କରୁ ଯଦି ଅନ୍ୟ କୌଣସି ଘଟଣା ବାହାରିପଡ଼େ, ତେବେ ସେ ଅନ୍ୟ କଥା ।

 

ତାପରେ କର୍ଣ୍ଣେଲ୍ ରାୟ ଜଣ ଜଣ କରି ସାକ୍ଷୀ ଡାକିବାକୁ ଆରମ୍ଭ କଲେ । ସମୟ ଅଳ୍ପ-। ତେଣୁ ଜମାନବନ୍ଦି ମଧ୍ୟ ଅଳ୍ପ । ପ୍ରଥମେ ଜଣେ ନନ୍‍କମିସନ୍‍ଡ଼ ଅଫିସର, ଅର୍ଥାତ୍ ଏନ୍.ସି.ଓ. ନାୟକ ସାକ୍ଷୀ ଦେଲେ । ଦୂରରେ ଥିବା ନୂତନ ଘାଟିରୁ ଫେରି ଆସିଲାବେଳକୁ ସେ ଦେଖିଲେ, ଢିପ ଉପରେ ଥିବା ଘାଟିର ସେଣ୍ଟ୍ରିର ଜବାବ, ଅର୍ଥାତ୍ ‘ହୁକୁମଦାର’ ପାଇଲେ ନାହିଁ । ତେଣୁ ତାର ଗୁମୁଟି ଘରେ ପଶିଲେ । ସେତେବେଳେ ସୁଦ୍ଧା ସେଣ୍ଟ୍ରିଜଣକ ହାତଗୋଡ଼ ବନ୍ଧା ହୋଇଥିବା ଅବସ୍ଥାରେ ପଡ଼ିରହିଥିବାର ଦେଖାଗଲା ତାଠାରୁ ଦୁଷ୍ମନ ସମ୍ବନ୍ଧରେ ଯେଉଁ ବର୍ଣ୍ଣନାଟି ସେ ଶୁଣିଥିଲେ, ତାହା ସଙ୍ଗେ ଆସାମୀର ବର୍ଣ୍ଣନା ମିଳିଯାଉଛି । ନିଜେ ସେଣ୍ଟ୍ରି ମଧ୍ୟ ସାକ୍ଷୀ ଦେଇ ବର୍ଣ୍ଣନା କରିଗଲା । ତା ମଧ୍ୟ ଦେବଳ ସଙ୍ଗେ ମିଳିଗଲା ।

 

ଦେବଳ ତାକୁ ଜେରା କରିବାକୁ ଆରମ୍ଭ କଲା । ପଚାରିଲା—ତୁମେ କଣ ତୁମ ଶତ୍ରୁକୁ ମୁହାଁମୁଁହି ଦେଖିଥିଲ ?

 

—ହଁ ।

 

—ତା’ମାନେ ତୁମ ଶତ୍ରୁଟି ଏତେଦୂର ବୋକା ଯେ ସେ ଏକା ଏକା ଶତ୍ରୁଘାଟି ମଧ୍ୟରେ ପଶି, ଗୁମୁଟି ଘରେ କେତେଜଣ ଶତ୍ରୁ ଅଛନ୍ତି, ତାହା ନ ଜାଣି ସୁଦ୍ଧା ତୁମର ମୁହାଁମୁଁହି ହୋଇପଡ଼ିଲା-? ମିଷ୍ଟର ପ୍ରେସିଡ଼େଣ୍ଟ ! ଏଇ କଥାଟିକୁ ସବିଶେଷ ଲେଖି ରଖିବାପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ।

 

—ଆଚ୍ଛା, ତୁମ ଗୁମୁଟି ଘରେ କି ଆଲୁଅ ଜଳୁଥିଲା ? କେତେ ପାୱାରର ଇଲେକ୍ଟ୍ରିକ୍ ବଲ୍‍ବ ?

 

—କୌଣସି ବିଜୁଳିବତୀ ନ ଥିଲା । କିରାସିନି ଡିବିରିଟି ଜଳୁଥିଲା ।

 

—ମି: ପ୍ରେସିଡ଼େଣ୍ଟ ! ଆପଣଙ୍କୁ ଏ ସମ୍ବନ୍ଧରେ ଲକ୍ଷ୍ୟ ଦେବାପାଇଁ ଅନୁରୋଧ କରୁଛି । କିରାଶିନି ଡିବିରି ଆଲୁଅରେ ଘିଟିଘିଟିଆ ଅନ୍ଧକାର ଗୁମୁଟି ଘରର ମୁହାଁମୁଁହି, ଧସ୍ତାଧସ୍ତି ମଧ୍ୟରେ ବି ଏ ସେଣ୍ଟ୍ରି ତା ଶତ୍ରୁଟିକୁ ଏଭଳି ଭଲ ଭାବରେ ନଜର କରିଥିଲା ଯେ ତାର ଅବିକଳ ବର୍ଣ୍ଣନା ଦେଇପାରୁଛି ।

 

—ଆଚ୍ଛା ସାକ୍ଷୀ ! ତୁମ ଶତ୍ରୁ ଦେହରେ ଯଦି ତୁମଠାରୁ କମ୍ ଜୋର ଥାଆନ୍ତା ! କାହିଁକି ସେ ତୁମ ସାଥିରେ ହାତାହାତି କଲା ? ତା ହାତରେ ଥିବା ରିଭଲ୍‍ଭର ଦ୍ୱାରା ସେ ସ୍ୱଚ୍ଛନ୍ଦରେ ଗୁଳି କରିପାରି ଥାଆନ୍ତା ?

 

—ସେକଥା ମୁଁ ଜାଣେ ନାହିଁ । ବୋଧହୁଏ, ରିଭଲ୍‍ଭର ବ୍ୟବହାର କରିବାପାଇଁ ସୁବିଧା ପାଇନାହିଁ ।

 

—କିନ୍ତୁ ହାତଗୋଡ଼ ବାନ୍ଧିପକାଇବା ପରେ କାହିଁକି ସେ ତୁମକୁ ମାରିପକାଇଲା ନାହିଁ ? ନିଜ ବିରୁଦ୍ଧରେ କୌଣସି ସାକ୍ଷୀକୁ କଅଣ ଶତ୍ରୁ ସୈନ୍ୟ ବଞ୍ଚିରହିବାକୁ ଛାଡ଼ିଦିଏ ?

 

କୋର୍ଟକୁ ସମ୍ବୋଧନ କରି ପ୍ରସିକ୍ୟୁଟର ତା ଉତ୍ତର ଦେଲେ—ଦୁଷ୍ମନ୍ ଏକା ଥିଲା । ନିଶ୍ଚୟ ସେ ଚୁପ୍‍ଚାପ୍ ଲୁଚିରହି ସବୁ ତଲାସ କରି ଦେଖିନେବା ପାଇଁ ମତଲବ୍ କରିଥିଲା । ଶତ୍ରୁ ଇଲାକାକୁ ଏକା ଆସିଛି । ଗୋଟାଏ ସିପାହୀକୁ ମାରି ତାହାର କିଛି ଲାଭ ହୁଅନ୍ତା ନାହିଁ । ସେ ହେଉଛି, ସ୍ପାଇ । (ଗୁପ୍ତଚର) ଏତିକିରେ ଏ ମୋକଦ୍ଦମାର ବିଚାର ଶେଷକରି ଗୁଇନ୍ଦାଗିରି ପାଇଁ ବ୍ୟବସ୍ଥା କରିବା ଉଚିତ ହେବ ।

 

ପ୍ରେସିଡ଼େଣ୍ଟ ତହିଁରେ ରାଜି ହେଲେ ନାହିଁ । କହିଲେ—ଗୁଇନ୍ଦାଗିରି ତୁଲ୍ୟ କୌଣସି ଜିନିଷ କୋର୍ଟ ନଜରକୁ ଆସିନାହିଁ ।

 

ପରବର୍ତ୍ତୀ ସାକ୍ଷୀର ଜମାନବନ୍ଦି ମଧ୍ୟରେ ପ୍ରକାଶ ପାଇଲା ଯେ, ଦେବଳର ଇଉନିଫର୍ମଟା ଯେଉଁ ଗ୍ରାମର ପୋଖରୀ ମଧ୍ୟରୁ ମିଳିଛି, ସେହି, ସେହି ଗ୍ରାମର ଅନ୍ୟ ଗୋଟିଏ ପୋଖରୀ ଭିତରେ ଜଣେ ସିପାହୀର ଲାଶ୍ ମିଳିଛି ।

 

ଦେବଳ ପ୍ରଶ୍ନକଲା—ଧରିନିଆଯାଉ ଯେ ଇଉନିଫର୍ମଟା ମୋର, ସେତିକିରୁ ଏଇ ଇଲାକା ମଧ୍ୟରେ ଯେତେକ ଗୁମ୍ ହୋଇଛନ୍ତି ବା ଖୁନ୍ ହୋଇଛନ୍ତି କିମ୍ବା ଜାପାନୀମାନଙ୍କ ଉଡ଼ାଜାହାଜ ଆକ୍ରମଣରେ ମରିଛନ୍ତି, ସେ ସବୁ ଗୁଡ଼ିକର ଦାୟିତ୍ୱ କଅଣ ମୋରି ?

 

ପ୍ରଶ୍ନର ଭିତିରି କଥାଟି ବୁଝି ନ ପାରି ସାକ୍ଷୀଟି ଚାହିଁରହିଲା ।

 

—ଆଚ୍ଛା, ଲାଶ୍ ଦେହରେ କେଉଁ ବନ୍ଧୁକ ବା ରିଭଲ୍‍ଭରର ଦାଗ ଅଛି ?

 

—ଅଛି । ଟମିଗନ୍‍ରୁ ଗୁଳିମରା ହୋଇଥିଲା ।

 

ବେଶ୍, ତେବେ କେତେ ନମ୍ବର ବୋର୍ । କଣାଟା କେତେ ବଡ଼ ?

 

ସାକ୍ଷୀ ତାର ଜବାବ ଦେଲା ।

 

—ଭଲକଥା, ଏଇ ଟମିଗନ୍‍ରୁ ବୋର୍ ଏବଂ ଇଉନିଟକୁ ଯେଉଁସବୁ ଟମିଗନ୍ ଦିଆଯାଇଥିଲା, ସେଗୁଡ଼ିକର ବୋର୍ କଣ ଏକା ନମ୍ବର ? ଯଦି ତାହାହିଁ ହୋଇଥାଏ, ତେବେ ମୁଁ ଜଣେ ଆଇ.ଏନ.ଏ. ଅଫିସର, ସେ ବୋର୍ର ବନ୍ଧୁକ ପାଇବି କେଉଁଠୁ ?

 

ଜଜ୍ ଆଡ଼ଭୋକେଟ୍ ବାଧାଦେଇ ଉତ୍ତର ଦେଲେ—ମିଷ୍ଟର ପ୍ରେସିଡ଼େଣ୍ଟ ! ସିପାହୀର ଇଉନିଫର୍ମରେ ହାତାହାତିର ପ୍ରଚୁର ଚିହ୍ନ ରହିଛି । ଆସାମୀ ନିଶ୍ଚୟ ତାରି ଟମିଗନ୍ ଦ୍ଵାରା ତାକୁ ଖୁନ୍ କରିଛି । ତାଛଡ଼ା ସେ ଢିପ ଉପରକୁ ଉଠି, ଜଣେ ମହିଳା ଅଫିସରଙ୍କ ଘରେ ମଧ୍ୟ ପଶିଥିଲା । ତାରି ଆତିଥ୍ୟ ଗ୍ରହଣ କରିବାକୁ ମଧ୍ୟ ଚେଷ୍ଟା କରିଥିଲା ।

 

ପ୍ରେସିଡ଼େଣ୍ଟ କହିଉଠିଲେ—ଏପର୍ଯ୍ୟନ୍ତ ଏସବୁ ହେଲା, କେବଳ ଅନୁମାନର କଥା । ଅନୁମାନ କିନ୍ତୁ ପ୍ରମାଣ ହୋଇପାରେ ନାହିଁ । ବର୍ତ୍ତମାନ କେବଳ ଖୁଣି କଥାଟି ମାତ୍ର ପଡ଼ିଛି ।

 

ପ୍ରସିକ୍ୟୁଟର ବିନୀତଭାବେ ନିବେଦନ କରି କହିଲେ—ତେବେ ମୁଁ ଆସାମୀକୁହିଁ ପ୍ରଶ୍ନ କରୁଛି । କାହିଁକି ସେ ଲାଶ୍ ଦେହରେ ଫୁଟିଥିବା ଗୁଳିର ବନ୍ଧୁକ ବା ରିଭଲଭର କଥା ଉଠାଉଛି । ସିପାହୀ ମଧ୍ୟ ଅନ୍ୟ କୌଣସି ଉପାୟରେ ଖୁନ୍ ହୋଇଥାଇପାରେ । ଏ କଥାର ଅର୍ଥ ହେଲା—ଦେଉଳରେ କିଏ, ନା ମୁଁ କଦଳୀ ଖାଇନାହିଁ ।

 

ଏଭଳି ତୀକ୍ଷ୍ଣ ପ୍ରଶ୍ନଟିରେ ମଧ୍ୟ ଦେବଳ ବିଚଳିଚ ହେଲାନାହିଁ । କହିଲା—ସେଇଟା ମୋର ଅନୁମାନ, କିଏ ମାରିଛି, ସେକଥା କିଏ ଜଣେ ? ତାଛଡ଼ା ମୁଁ କୌଣସି ମହିଳା ଘରକୁ ଯାଇନାହିଁ, ଯାଇଛି ବୋଲି ପ୍ରମାଣ କଅଣ ?

 

କର୍ଣ୍ଣେଲ ରାୟ ପ୍ରଶ୍ନ କରିଉଠିଲେ—ଘଟନାଟି ନାରୀସମ୍ପର୍କୀୟ ବୋଲି ଆସାମୀ ବର୍ତ୍ତମାନସୁଦ୍ଧା ଇଙ୍ଗିତ କରୁନାହିଁ, ସେତିକି ମୁଁ ଜାଣିବାକୁ ଚାହେଁ । ୟା ବି ହୋଇପାରେ ଯେ, ଆମ ସିପାହୀମାନେ ନିଜ ନିଜ ମଧ୍ୟରେ ମରାମରିହୋଇ ଜଣେ ଖୁନ୍ ହୋଇଛି । ଏଭଳି ଅନୁମାନ କରିବା ତ ସହଜ ।

 

ତୁଚ୍ଛଭାବେ ଦେବଳ କହିଉଠିଲା—ମୁଁ ଅନଧିକାର ଚର୍ଚ୍ଚା କରିବାକୁ ଚାହେଁନା । ଅନୁମାନ କରିବା ମଧ୍ୟ ମୋର କାର୍ଯ୍ୟ ନୁହେଁ ।

 

କର୍ଣ୍ଣେଲ୍ ରାୟ ଡାହାଣ ବାଁ ମୁଣ୍ଡଘୁରାଇ କହିଲେ—କିନ୍ତୁ ସେଇଟା ମୋର କାମ । ମୁଁ କହୁଛି, ଏଘଟଣାଟି ନାରୀସମ୍ପର୍କୀୟ । ଆମ ଆସାମୀଙ୍କର ଜଣେ ମଣିପୁରୀ ଗୁପ୍ତଚର ସଙ୍ଗରେ ଯୋଗସୂତ୍ର ଅଛି । ଆସାମୀ ତାକୁ ଡିଫେନ୍ସ୍ପକ୍ଷର ସାକ୍ଷୀହିସାବରେ ହାଜିର୍ କରିବାକୁ ଚାହାନ୍ତି ନାହିଁ-। ଆମ ତରଫରୁ ତା ବିରୁଦ୍ଧରେ କୌଣସି ମକଦ୍ଦମା ରୁଜୁ କରାଯାଇନାହିଁ; ତେଣୁ ଆମଆଡ଼ୁ ତାକୁ ସାକ୍ଷୀରୂପେ ଛିଡ଼ାକରାଇ ତାଠାରୁ ଜମାନବନ୍ଦୀ ନେବାକୁ ପଡ଼ିବ । ତା ପୂର୍ବରୁ ସୁବେଦାର ମେଜରର ସାକ୍ଷ୍ୟ ନେବା ଦରକାର ।

 

ସୁବେଦାର ମେଜର ସାକ୍ଷୀ ଦେବାକୁ ଆସି କହିଲା—ଜଣେ ସିପାହୀର ହାତଗୋଡ଼ ବନ୍ଧାହେବା ଏବଂ ଆଉଜଣେ ଖୁନ୍ ହୋଇ ଗାଏପ୍ ହୋଇଯିବା ପରେ ଏ ଅଞ୍ଚଳରେ ଖୁବ୍ କଡ଼ାନଜର ରଖାଯାଇଥିଲା । ପ୍ରତ୍ୟେକ ବେସାମରିକ ଲୋକଙ୍କଉପରେ ଦୃଷ୍ଟି ରଖାଯାଉଥଲା ଏବଂ ବାହାରୁ ଆସୁଥିବା ପ୍ରତିଲୋକଟିର ପରିଚୟ (ଆଇଡ଼େଣ୍ଟିଟି) ପରଖକରି ଦେଖାଯାଉଥିଲା । ରାସଯାତ୍ରା ହେଉଥିବା ଗ୍ରାମମଧ୍ୟକୁ ଅନେକ ନୂଆଲୋକ ଆସିଥାଆନ୍ତି । ସେମାନଙ୍କୁ ସନ୍ଦେହ କରିବାର କାରଣ କିଛି ନାହିଁ; କିନ୍ତୁ ଜଣେ ଲୋକ ଗୋଟିଏ ମଣିପୁରୀ ଝିଅସହିତ ଏକାଠିବସି କେବଳ ନାଚଦେଖୁଛି; ଅଥଚ କୌଣସି ଆଡ଼େ ବୁଲାବୁଲି କରୁନାହିଁ, ଏକଥାଟା ତଦନ୍ତ କରିବାର ବିଷୟ । ଖବର ନେବାରେ ଜଣାଗଲା ଯେ, ସେ ଝିଅଟି ମଧ୍ୟ ଉକ୍ତଗ୍ରାମକୁ ନୂଆ ହୋଇଆସିଛି । ଆସାମୀ ମଧ୍ୟ ନୂଆ । ସଙ୍ଗେ ସଙ୍ଗେ ଆମ ଘାଟିଠାରୁ ଟେଲିଫୋନ୍ ଦ୍ଵାରା ଖବରନେଇ ଲାମଲାଇଗ୍ରାମର ଯେଉଁଘରେ ମୃତ ସିପାହୀର ବନ୍ଧୁକ ପଡ଼ିଥିଲା, ସେ ଘରର ଝିଅଟିର ବର୍ଣ୍ଣନା ପରୀକ୍ଷା କରିନିଆଗଲା । ଝିଅର ବାପାକୁ ମଧ୍ୟ ଅଟକ କରାଯାଇଛି । ଅବଶ୍ୟ ସନ୍ଦେହ କରାଯାଇନାହିଁ । ତାହାରି ଠାରୁ ଝିଅଟିର ବର୍ଣ୍ଣନା ମିଳିଥିଲା । ଏହି ନିଖୋଜ ଝିଅଟି ସଙ୍ଗେ ଯେଉଁ ଅଚିହ୍ନା ପୁରୁଷଟି ଆସିଚି, ତାହାରି ଗତିବିଧି ପ୍ରତି ନଜର ରଖାଯାଇ ଥିଲା । ଦିନବେଳେ ସେ କାହାରି ଆଗକୁ ଆସେ ନାହିଁ । ଏକଥାଟା ଗାଁର ବୁଢ଼ାମାନଙ୍କଠାରୁ ଜଣାପଡ଼ିଲା । ରାସଯାତ୍ରା ମଧ୍ୟରେ ଯେଉଁଠାରେ ମୁଁ ବସିଥିଲି, ସେଠାରୁ ସନ୍ଦେହ କରି ଆଣ୍ଠୁ ଉପରେ ହାତର ତାଳ ଦେଉ ଦେଉ ଇଙ୍ଗିତ ଦ୍ଵାରା ଆସାମୀର ଠିକ୍ ପଛକୁ ଗୋଟିଏ ‘ମିନିଏଚର ଟେପ୍ ରେକଡ଼ର’ ବସାଇବାର ବ୍ୟବସ୍ଥା କରିଥିଲି; କିନ୍ତୁ ମୁହୂର୍ତ୍ତକ ପାଇଁ ହେଲେ ସୁଦ୍ଧା ଆସାମୀକୁ ମୁଁ ଦୃଷ୍ଟିର ଅନ୍ତରାଳକୁ ଯିବାପାଇଁ ଦେଇନାହିଁ । କାହାରି ମନରେ କୌଣସି ପ୍ରକାରର ସନ୍ଦେହ ଜାତ ନ କରାଇ ସୁଦ୍ଧା ମୁଁ କାମ ହାସଲ କରି ନେଇଚି । ‘ପ୍ଳେନ୍ କ୍ଳୋଦସ୍’ ଅର୍ଥାତ୍ ସାଧାରଣ ପୋଷାକ ପିନ୍ଧି ଥିବା ଜଣେ ସାମରିକ ଗୋଇନ୍ଦାକୁ ଉକ୍ତ ଆସାମୀ ପାଖରେ ବସାଇ ବଙ୍ଗଳାରେ କଥାବାର୍ତ୍ତା କରାଇ ନେଇଚି । ସେହି କଥାବାର୍ତ୍ତା ମଧ୍ୟରୁ କିନ୍ତୁ ପ୍ରମାଣ ବାହାରି ପାରୁଚି କି ନା ଏବଂ ଆସାମୀର ମନର ଭାବ କିପରି ରହୁଥିଲା ତାହା ପ୍ରତି ମଧ୍ୟ ନଜର କରିଥିଲି ।

 

ଏ ପର୍ଯ୍ୟନ୍ତ ଜମାନବନ୍ଦୀ ଦେଇ ସାରି ସୁବେଦାର ମେଜର ମନ ଆନନ୍ଦରେ ଥରେ ନିଶମୋଡ଼ି ଦେଲା । ସତେ କି ରାସଲୀଳା ମଣ୍ଡପ ଉପରେ ସୁବାଦାରଙ୍କ ତାରିଫ ଏବଂ ତାଳ ଦେବାଦ୍ଵାରା ସବୁ ନାଚ ଗୀତ ଭଲଭାବେ ଉତୁରି ଯାଇଥିଲା । ଥରେ ସେ ତେର୍ଚ୍ଛା ଭାବରେ ଦେବଳ ଆଡ଼କୁ ଚାହିଁଦେଲା । ମନେ ହେଲା ପଚାରିଦେବ—କି, ବାପଧନ, କେମିତି ଚାଲିଚି ?

 

କର୍ଣ୍ଣେଲ ରାୟ ଏଥର ନିବେଦନ କଲେ ଯେ ସାକ୍ଷୀ ସମ୍ମୁଖରେ ସେ ବର୍ତ୍ତମାନ ଟେପରେକଡିଂଟି କୋଟକୁ ଶୁଣାଇ ଦେବେ । ବିଚାରପତି ତାହା ମଞ୍ଜୁର କଲେ ।

 

ଦେବଳ ସୁବେଦାର ମେଜର ବା ତାଙ୍କ ଗୁପ୍ତଚରକୁ ଜେରା କରିବାକୁ ଚାହିଁଲା ନାହିଁ । କହିଲା—ମୁଁ ଯେ ବଙ୍ଗାଳୀ ଏବଂ ଆଇ.ଏନ୍. ଏ. ର ଲୋକ ତା’ତ ଅସ୍ଵୀକାର କରିନାହିଁ ! ତେଣୁ ଏମାନଙ୍କୁ ଜେରା କରିବାର କୌଣସି ଆବଶ୍ୟକତା ନାହିଁ । ତେବେ ମୋ ସହିତ ଗୋଟିଏ ଝିଅର ସମ୍ପର୍କ ଯୋଡ଼ିଦେଇ ଏମାନେ ଭୁଲ କରିଚନ୍ତି । ସେ ବିଷୟରେ ମୁଁ ପରେ କହିବି ।

 

ଏଥର ବିଚାରପତି ରାୟଙ୍କୁ ପ୍ରଶ୍ନ କଲେ—କିନ୍ତୁ ଯାତ୍ରାସ୍ଥଳୀରେ ଉପସ୍ଥିତ ଏହି ଲୋକଟି ଯେ ସନ୍ଧାନୀଘାଟିର ଢିପ ଉପରେ ଅପରାଧ କରିଥିଲା, ତାର ପ୍ରମାଣ କାହିଁ ? ହୁଏତ ସେ ଲୋକଟି ଲମ୍ବଲାଇ ଗ୍ରାମର ଅପରିଚିତ ବ୍ୟକ୍ତି ଜଣେ ହୋଇପାରେ; କିନ୍ତୁ ଏ ପର୍ଯ୍ୟନ୍ତ ତହିଁରୁ ବେଶିକିଛି ତ ପ୍ରମାଣ ହୋଇନାହିଁ !

 

କର୍ଣ୍ଣେଲ ରାୟ ଆଉ ଥରେ ନଇଁପଡ଼ି ‘ବାଓ’ କରିନେଲେ ଏବଂ ହସିହସି କୋମଳ ସ୍ଵରରେ କହିଲେ—ମି. ପ୍ରେସିଡ଼େଣ୍ଟ, ଆମ ଶାସ୍ତ୍ରରେ ଉଲ୍ଲେଖ ଅଛି—ମଧୁରେଣ ସମାପୟେତ୍ । ଦୁଇଟି ତରୁଣୀ ମହିଳାଙ୍କଠାରୁ ସାକ୍ଷନେଇ ମୁଁ ଏହି ‘କ୍ରାଉନ କେସ୍’ ସରକାରୀ ମକଦ୍ଦମାଟିକୁ ଶେଷ–କରିବାକୁ ଚାହେଁ । ସେଇମାନେ ପ୍ରଧାନ ସାକ୍ଷ୍ୟ ଦେବେ ।

 

ଟିକିଏ ଅନ୍ତରଙ୍ଗତାର ଆଭାସ ନିଜ ସ୍ଵରମଧ୍ୟରେ ଫୁଟାଇ କର୍ଣ୍ଣେଲ ରାୟ କହିଲେ—ମି. ପ୍ରେସିଡ଼େଣ୍ଟ, ଆପଣଙ୍କଠାରୁ ସମ୍ମତି ଗ୍ରହଣକରି ମୁଁ କେବଳ ଗୋଟିଏ ମନ୍ତବ୍ୟ ଦେବାକୁ ଚାହେଁ ଯେ, ଏହି ଦୁଇଟି ତରୁଣୀଙ୍କ ସାକ୍ଷ୍ୟ ଏତେ ମଜା ଓ ଚଟକ୍‍ଦାର ହେବ ଯେ ମକଦ୍ଦମାଟି “ସେଭେନ୍ ସ୍ପାଇ ଟ୍ରାୟଲ୍ସ ଅଫ୍ ଦି ୱାର୍ଲଡ଼” ମଧ୍ୟରେ ଅନ୍ୟତମ ବୋଲି ପରିଗଣିତ ହେବ ।

 

ପ୍ରେସିଡ଼େଣ୍ଟ ଟିକିଏ ଚଞ୍ଚଳହୋଇ ଉଠିଲେ, ତଥାପି ଯଥାସମ୍ଭବ ଗାମ୍ଭୀର୍ଯ୍ୟ ରକ୍ଷାକରି କହିଲେ—ମି. ପ୍ରସିକ୍ୟୁଟର, ଆପଣ ଗୋଟିଏ ‘ଶୁଷ୍କଂ କାଷ୍ଠଂ’ କୋର୍ଟ ମାର୍ସାଲକୁ ସରସ କରି ପକାଇଛନ୍ତି, ସେଥିପାଇଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି । ଏବେ ଦେଖୁଚି, ଆପଣ ଏହି ବିଚାରଟିକୁ ଏକାବେଳକେ ଅମର କରି ରଖିବାକୁ ଚାହାନ୍ତି ।

 

ବହୁ ଧନ୍ୟବାଦ, ମି. ପ୍ରେସିଡ଼େଣ୍ଟ, ଆମର ନୂଆସାକ୍ଷୀ ହେଉଚନ୍ତି ଜଣେ ତରୁଣୀ ଉଆକ୍.ଆଇ. ଯୁନିଅର କମାଣ୍ଡର । ଆଇଡ଼େଣ୍ଟିଟି କାର୍ଡ଼ ନମ୍ବର ହେଲା “ଏକ୍ସ.ବି.ଜିରୋ.ଜିରେ.ଥ୍ରୀ-।” ବେତାର କାର୍ଯ୍ୟରେ ନିଯୁକ୍ତ ଅଛନ୍ତି ବୋଲି, ତାଙ୍କ ନମ୍ବର ଓ ପରିଚୟ ପଠାଯାଇ ନାହିଁ । ଲିଖିତ ଜମାନବନ୍ଦୀ ଅଣାଯାଇ ତାଙ୍କୁ ଗୁପ୍ତଭାବରେ ସମାନ ଦିଆ ଯାଇଚି । ଆଡ଼ର୍‍ଲି, ନେକ୍‍ଟ୍‍ସ ଉଇଟନେସ୍ ପ୍ଳିଜ ।

 

ଏ କଣ ? ଏ କଅଣ ? ଦେବଳ ମୁହଁରୁ ହଠାତ୍ ଗୋଟାଏ କି କଥା ବାହାରି ପଡ଼ୁଥିଲା, ତରତର ହୋଇ ସେ ନିଜକୁ ସମ୍ଭାଳି ନେଲା । ଏଣେ ରାୟ ମଧ୍ୟ ବେଟଲ ଡ୍ରେସର ଅସ୍ତିନଟା ଟିକେ ଯାହା ଝୁଲିପଡ଼ିଥିଲା, ସେ ଆଡ଼କୁ ହଠାତ୍ ଦୃଷ୍ଟିଦେଲେ । ମୁହଁଟି ତାଙ୍କର ରୁକ୍ଷହୋଇ ଉଠିଲା । କୌଣସି ନୂତନ ନିଷ୍ଠୁର ତର୍କର ବାଟ ସତେ କି ତାଙ୍କ ଦୃଷ୍ଟି ସମ୍ମୁଖରେ ଫୁଟି ଉଠିଚି ।

 

ଆଉ ଦେବଳ ?

 

ତା କଣ୍ଠ ଶୁଖିଗଲା । ହାୟରେ ବିଧାତା ! ଏ କି ପରିହାସ ? ମିତା ଜଡ଼ିତ ହୋଇ ନପଡ଼ୁ, ସେଥିପାଇଁ ସେ ଆଇ.ଏନ୍.ଏ. ହିସାବରେ ନିଜର ଅସ୍ତିତ୍ଵ ସ୍ଵୀକାର କରିନେଇଚି । କିନ୍ତୁ ବର୍ତ୍ତମାନ ଏକା ମିତା ନୁହେଁ, ଉତ୍ତମାକୁ ମଧ୍ୟ ସାକ୍ଷୀର କାଠଗଡ଼ା ଭିତରକୁ ଟଣାଯିବ । ହୁଏତ ଉତ୍ତମା ବଞ୍ଚିଯିବ; କାରଣ ତାହାରି ଉପରେ ଆକ୍ରମଣ ହୋଇଥିଲା, ଏକଥା ପ୍ରକାଶ ପାଇଯିବ; କିନ୍ତୁ ମିତା ? ମିତାର କଅଣ ହେବ !

କିନ୍ତୁ ମିତା ? ଏଭଳି ଅସ୍ୱାଭାବିକ ଭାବେ ସେ ଜଜ୍ ଆଡ଼ଭୋକେଟଙ୍କ ଆଡ଼କୁ ଅନାଇ ରହିଚି କାହିଁକି ? ଇଏ କଅଣ ଖାଲି ବିସ୍ମୟ ? କଅଣ ପ୍ରତ୍ୟାଶା ? କଅଣ ଇଏ ?

 

ବେଦନାରେ ଦେବଳର ମନ ଭିତରଟା ଫାଟିପଡ଼ିବା ଉପରେ ।

 

ସାକ୍ଷୀର ଜମାନବନ୍ଦୀ ଶୀଘ୍ର ଶୀଘ୍ର ଆରମ୍ଭ କରିଦେବାକୁ ପ୍ରେସିଡ଼େଣ୍ଟ ଆଦେଶ କଲେ । ଅପରାହ୍ଣ ଆଗତପ୍ରାୟ ।

 

ଅଳ୍ପ କାଶିନେଇ କର୍ଣ୍ଣେଲ ରାୟ ପ୍ରଶ୍ନକଲେ—ଏ ଆସାମୀ ଆପଣଙ୍କ କୋଠରୀ ଭିତରକୁ ରାତିରେ ଲୁଚିଲୁଚି ପଶିଥିଲା କି ?

 

—ନା, ମୁଁ କାହାରିକି ଘରେ ପଶିବାର ଦେଖିନାହିଁ ।

 

—କିନ୍ତୁ ଆପଣଙ୍କ କୋଠରୀ ମଧ୍ୟରେ ଗୋଟିଏ ମାତ୍ର କାନଭିସ୍ର ଫୋଲ୍ଡିଂ ଚେୟାର ଥାଏ; କିନ୍ତୁ ସେଦିନ ରାତିରେ ଦୁଇଟି ଥିଲା ଯେ ?

 

—ହୁଏ ତ ମୁଇଁ ନିଜେ ଖିଆଲ ନକରି ଆଣିଥିଲି ।

 

—ଅସମ୍ଭବ ନୁହେଁ । ଆପଣଙ୍କ ଅଜ୍ଞାତରେ ମଧ୍ୟ ଅନ୍ୟକେହି ଆଣି ଥାଇପାରେ । ଆଚ୍ଛା ଆମ ଓ.ପି. ଲୋକମାନେ ଆପଣଙ୍କର ଘରେ ଏତେଗୁଡ଼ିଏ କାଟୁନ ଏବଂ ଟିଣ କଟା ଅବସ୍ଥାରେ ପାଇଥିଲେ କାହିଁକି କହନ୍ତୁ ତ ? ଆପଣ ତନ୍ଵୀ ତରୁଣୀ । ଅତିଭୋଜନ ଲାଗି ଆପଣଙ୍କର ତ ବଦନାମ୍ ନାହିଁ ।

 

—ଅଜ୍ଞାତ ଅତିଥି ସତ୍କାର ପାଇଁ ମଧ୍ୟ ବଦ୍‍ନାମ ନାହିଁ ।

 

କର୍ଣ୍ଣେଲ ରାୟ ଥରେ ପୂର୍ଣ୍ଣଦୃଷ୍ଟିରେ ମିତାଆଡ଼କୁ ଅନାଇଲେ । ତାପରେ ଆଖି ଲେଉଟାଇ ନେଲେ । ଅନ୍ୟମନସ୍କ ଭାବେ ମୁକୁଟ ଆଉ ତାରାମାର୍କା କର୍ଣ୍ଣେଲ ବ୍ୟାଜଟିର ବୋତାମ ଗୁଡ଼ିକୁ ହଲଚଲ କରିବାକୁ ଲାଗିଲେ ।

 

—ଛି ଛି, ଆମେମାନେ ସେଭଳି କୌଣସି କଥା କହୁନାଉଁ । ଏତିକି କହୁଚୁ ଯେ, ଆପଣଙ୍କ ଅଜାଣତରେ ଶତ୍ରୁପକ୍ଷର କୌଣସି ସ୍ପାଇ ଆସି ଆପଣଙ୍କ କୋଠରୀ ମଧ୍ୟରେ ପଶିଥିଲା । ସମ୍ଭବତଃ ଆପଣ ଜାଣିପାରି ନାହାନ୍ତି; ଅଥବା ଜାଣିଲେ ବି ବାଧାଦେଇ ପାରିନାହାନ୍ତି; କିନ୍ତୁ ଓ.ପି.ର ଲୋକମାନେ ସବୁ ଘରଗୁଡ଼ିକ ତନ୍ନ ତନ୍ନ କରି ଖୋଜିବା ସମୟରେ ଦେଖିଥିଲେ ଯେ, ସାଉଣ୍ଡ ଲେଭଲ୍ ମିଟର ମେସିନ୍ଟା ଖୁବ୍ ଗରମ ଥିଲା । ଅନେକ ସମୟ ଚାଲୁ ରହିଥିଲା ବୋଲି, ଅଥଚ ଆପଣଙ୍କ ଲଗ୍ ବୁକ୍ ମଧ୍ୟରେ ସେକଥା ଲେଖା ହୋଇନାହିଁ ।

 

ମିତା ରାଗିଉଠିଲା, କୋର୍ଟର ଶରଣ ନେଇ ଆବେଦନ କଲା—ମି. ପ୍ରେସିଡ଼େଣ୍ଟ, ମୁଁ ଆପଣଙ୍କ ନିକଟରେ ସୁବିଚାର ଆଶା କରେଁ ? ଏହି ମକଦ୍ଦମା ସମ୍ପର୍କରେ ଇନ୍‍କ୍ୱାଆରି ବେଳେ ମୂଳରୁ ଶେଷପର୍ଯ୍ୟନ୍ତ ଅନ୍ୟାୟ ଇଙ୍ଗିତ କରାଯାଇଛି । କୌଣସି ଅଜ୍ଞାତ ଲୋକ ମୋ କୋଠରୀ ଭିତରକୁ ଆସିଥିଲା, ଅଥବା ଯନ୍ତ୍ରପାତି ବ୍ୟବହାର କରୁଥିଲା, ଏକଥା ମୁଁ ଅସ୍ଵୀକାର କରିବାର କାରଣ କଅଣ ହେଲା–ମୁଁ କାହାରିକୁ ଘୋଡ଼ାଇ ରଖିବାକୁ ଚାହେଁ, ଏବଂ ପଳାଇ ଯିବାକୁ ସାହାଯ୍ୟ କରିବାକୁ ଇଚ୍ଛାକରେ ? ବର୍ତ୍ତମାନ ଲର୍ଣେଡ଼୍ ପ୍ରସିକ୍ୟୁଟର ମଧ୍ୟ...... ।

 

ପ୍ରସିକ୍ୟୁଟର ବାଧାଦେଇ କହିଲେ—ମି. ପ୍ରେସିଡ଼େଣ୍ଟ, ମୁଁ କୌଣସି ଇଙ୍ଗିତ କରୁନାହିଁ । କେବଳ ଇନ୍‍କ୍ୱଆରି ରିପୋର୍ଟ ମଧ୍ୟରେ ଏହିଭଳି ଗୋଟିଏ ସନ୍ଦେହ କଥା ଖୋଲାଖୋଲି ଭାବେ ଲେଖାଥିବାର ଦେଖୁଚି । ସେଥିରେ ଅଛି ଯେ, ଜଣେ ଇନ୍‍ଟ୍ରୁଡ଼ାର ଅର୍ଥାତ୍ ଅନାଧିକାରୀ ଆଗନ୍ତୁକ ନିଶ୍ଚୟ ସାକ୍ଷୀ ଘରେ ପଶିଥିଲା । ଆସାମୀ ଉପରେ ସମ୍ପୂର୍ଣ୍ଣ ସନ୍ଦେହ ହେଉଚି । ସାକ୍ଷୀ ଉପରେ ମୋଟେ ନୁହେଁ । ମୁଁ ଚାହେଁ ସାକ୍ଷୀ ନିଜକୁ ସଫେଇ କରିନେଉ । ସଙ୍ଗେ ସଙ୍ଗେ ଆସମୀର ମକଦ୍ଦମା ଫଇସଲା ହୋଇଯାଉ । ତେଣୁ ଏସବୁ ପ୍ରଶ୍ନ ମୁଁ କରୁଚି । ଆଚ୍ଛା କହନ୍ତୁତ ସାକ୍ଷୀ ! ଆପଣ ଏ ଆସାମୀକୁ କେବେ ଦେଖିଚନ୍ତି କି ନାହିଁ ? ଆପଣଙ୍କ ଘରେ, ବା ଅନ୍ୟ କୌଣସି ସ୍ଥାନରେ ଲଢ଼େଇ ଲାଗିବା ଆଗରୁ, କେବେ ?

 

—ତା ମାନେ ?

 

—ମାନେ ହେଉଚି, ତଳେ ଥିବା ସେଣ୍ଟ୍ରି କହୁଚି, ଏଇ ଆସାମୀ ତା ହାତଗୋଡ଼ ବାନ୍ଧି ପକାଇଥିଲା । ସେଦିନ ରାତିରେ ଢିପ ଉପରେ ଆପଣଙ୍କ ବ୍ୟତୀତ ଆଉ କେହି ନଥିଲେ ! କୋଠରୀ ଭିତରେ ଖାଇବା ଜିନିଷ ଇତସ୍ତତଃ ହୋଇ ପଡ଼ିଚି । ମେସିନ୍ ମଧ୍ୟ ବ୍ୟବହାର ହୋଇଚି । ଅଥଚ, ଆପଣ କିଛିମାତ୍ର ଜାଣନ୍ତି ନାହିଁ । ଘଟନାଟା କିମ୍ଭୂତ କିମାକାର ଜଣାପଡ଼ୁଚି ।

 

—ସେକଥା ପରିଷ୍କାର କରିଦେବାର ଦାୟିତ୍ଵ ମୋର ନୁହେଁ ।

 

ବ୍ୟାକୁଳ ଭାବେ ରାୟ ଦେବଳ ଓ ମିତାଆଡ଼କୁ ଅନାଇଲେ ।

 

—ପୂରାପୂରି ଠିକ୍ କଥା କହିଚ ମିସ୍; କିନ୍ତୁ ମୁଁ କହିବାକୁ ଚାହେଁ ସେ ଆସାମୀ ହେଉଚି–ସ୍ପାଇ । ଯୁଦ୍ଧର ସମ୍ମାନଜନକ ଅଫିସର ନୁହେଁ । ଜଣେ ସ୍ପାଇ, ଯାହାକୁ ଲୋକେ ଘୃଣାର ପାତ୍ର ବୋଲି ମନେକରନ୍ତି ।

 

ମୁହୂର୍ତ୍ତେ ଭାବିଲା ମିତା । ଦେବଳର ସବୁ ସରିଯିବ । ତାହାରି ପ୍ରିୟଜନର ତୀକ୍ଷ୍ଣଧାର ଓକିଲାତି ଫଳରେ ଦେବଳର ଦୋଷ ପ୍ରମାଣିତ ହୋଇଯିବ । ମୃତ୍ୟୁ ତାର ସୁନିଶ୍ଚିତ । ସ୍ଵାଧୀନତା ଯୁଦ୍ଧର ସୈନିକ ହିସାବରେ ହୁଏ ତ ମୃତ୍ୟୁକୁ ସେ ବରଣ କରି ନେଇଚି । ତା ବୋଲି କଅଣ ଗୁପ୍ତଚର ? ଆର୍ମି ଆକଟ ମଧ୍ୟରେ ଯାହାଲାଗି କିଛିମାତ୍ର ରିହାତି ନାହିଁ । ଲୋକ ଚକ୍ଷୁରେ ଯାହାର ମର୍ଯ୍ୟାଦା ନାହିଁ । ସେଇ ସ୍ପାଇ, ଗୁପ୍ତଚର ? ପୁଣି ସେ ପ୍ରମାଣ ହେବ କାହା ହାତରେ ? ଯାହାକୁ ମିତା ଭଲପାଏ । ଯାହାପାଇଁ ସେ ଏତେ ଦୁଃସାହସିକ କାର୍ଯ୍ୟକରି ଏତେ ବିପଦସଙ୍କୁଳ ଅଞ୍ଚଳ ମଧ୍ୟକୁ ଆସିଚି । ତାହାରି ଓକିଲାତିରେ ! ପରିଷ୍କାର ଜଣାପଡ଼ୁଚି ଯେ, ରାୟ ଦେବଳକୁ ‘ସ୍ପାଇ’ ରୂପେ ପ୍ରମାଣିତ କରାଇବା ପାଇଁ ପ୍ରାଣପଣେ ଚେଷ୍ଟା କରୁଚି । ଇନକ୍ୱାରି ରିପୋଟ ପଢ଼ି ରାୟ ଅବଶ୍ୟ ବୁଝିଚି ଯେ ମିତା ନିଶ୍ଚୟ ଦେବଳ ବିରୁଦ୍ଧରେ କୌଣସି ସାକ୍ଷ୍ୟ ଦେବ ନାହିଁ, ବରଂ ତାକୁ ବଞ୍ଚାଇବାକୁ ଚେଷ୍ଟା କରିବ । ଏ କଥାଟା ମଧ୍ୟ ସେ ବୁଝିଚି, ଦେବଳ ମିତା ଘରକୁ ଆସିଥିଲା, ସେଥିପାଇଁ କଅଣ ସେ ଦେବଳକୁ ସମ୍ମାନଜନକ ମୃତ୍ୟୁର ହାତରୁ ମଧ୍ୟ ବଞ୍ଚିତ କରିବାକୁ ଚାହେଁ ? ମାତ୍ର ତଦ୍ଵାରା ରାୟର ବା କି ଲାଭ ହେବ ? କାହିଁକି ସେ ଦେବଳ ଉପରେ ଏଭଳିଭାବେ ପ୍ରତିଶୋଧ ନେବାକୁ ଇଚ୍ଛା କରୁଚି ? ଏହାମୂଳରେ କଅଣ ପ୍ରତିହିଂସା ଅଛି ? ପ୍ରିୟାର ପ୍ରେମରେ ଭାଗିଦାର ହେବାକୁ ଯାଉଚି, ଏଇ ସନ୍ଦେହରୁ ତା ମନରେ ଇର୍ଷା ଜନ୍ମିଛି ? ଦେବଳର ମରଣଦ୍ଵାରା ମିତା ଭାଗ୍ୟରେ କଣ ସେ ସୁଯୋଗ ମିଳିପାରିବ ? ଏତେ ଦିନପରେ ତେବେ କଅଣ ରାୟ, ତାର ସମସ୍ତ ସ୍ୱପ୍ନର, ସମସ୍ତ କଳ୍ପନାର ସମ୍ପଦ ରାୟ, ଏହି ଭାବରେ ଜବାବ ଦେବାକୁ ଯାଉଛି ?

 

ହେ ଦୟାମୟ, ତୁମର ଦୟାଟି ମଧ୍ୟ କଠୋର, ପ୍ରେମ ତୁମର ବଡ଼ ନିଷ୍ଠୁର ।

 

ସତର

 

କୋଟ ମାର୍ସାଲ ବିଚାର ଏବେବି ଚାଲିଚି ।

 

—କାହିଁ ମିସ୍, ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ ।

 

କର୍ଣ୍ଣେଲ ରାୟ ନଛୋଡ଼ବନ୍ଦା । ପୁଣିଥରେ ପ୍ରଶ୍ନକଲେ ।

 

ମିତା ଏକଦୃଷ୍ଟିରେ ତାହାରି ଆଡ଼କୁ ଚାହିଁ ରହିଲା ।

 

ସେହି ଦୃଷ୍ଟିମଧ୍ୟରେ ଅନନ୍ତ ଉତ୍ତର, ଅନାଦି ପ୍ରଶ୍ନ ଏକ ସଙ୍ଗରେ ଫୁଟି ଉଠୁଚି । ମୁହଁ ଫିଟାଇ କି ଉତ୍ତର ସେ ଦେବ ?

 

ଶେଷକୁ ସେ ମ୍ଳାନ—ମୁଖରେ କହିଲା, ଆପଣ ତ ମୋତେ କୌଣସି ପ୍ରଶ୍ନ କରିନାହାନ୍ତି-?

 

କହିଲି ପରା, ଏ ଆସାମୀ ସିପାହୀ ନୁହେଁ, ସ୍ପାଇ ।

 

ଏ ତ ପ୍ରଶ୍ନନୁହେଁ । ଯେତେଦୂର ଜାଣେ, କୌଣସି ବ୍ୟକ୍ତିଗତ ଅଭିମତକୁ ପ୍ରମାଣ ରୂପେ ଗ୍ରହଣ କରାଯାଇ ପାରେ ନାହିଁ ।

 

ଠିକ କଥା । ମୋରି ନିଜର ଭୁଲ ମୁଁ ମାନିନେଉଚି; ‘କିନ୍ତୁ ଆସାମୀ ଯେ ଗୁପ୍ତଚର କାର୍ଯ୍ୟକରିବାକୁ ଆପଣଙ୍କ କୋଠରୀ ମଧ୍ୟକୁ ଆସିଥିଲା, ତାର ପ୍ରମାଣ ମିଳିଯାଇଛି ।

 

—ସେ ସବୁ ଯଦି ପ୍ରମାଣହୁଏ, ତେବେ ଅନୁମାନ କରିନିଆ ଯାଇପାରେ ଯେ ମୋର ମଧ୍ୟ ସେଥିରେ ସମ୍ପର୍କ ଅଛି । ଏହାହିଁ ତ ପ୍ରସିକ୍ୟୁଉଟର ସାହେବଙ୍କ ମନର କଥା ? ଆଉ ମଧ୍ୟ ଏତେବଡ଼ ବିଶ୍ଵବ୍ୟାପୀ ଆଲାଏଡ଼୍ ଆର୍ମିର ଅଫିସରମାନେ ମଧ୍ୟ ଗୃହଭେଦୀ ବିଭୀଷଣ ବୋଲି ସନ୍ଦେହ ମଧ୍ୟ କରିପାରନ୍ତି ।

 

ଏତିକି କହୁ କହୁ ମିତା ଉତ୍ତେଜିତ ହୋଇ ଉଠିଲା । ତମ୍ବୁମଧ୍ୟରେ ବିଚାର ଚାଲିଛି । ସାକ୍ଷୀ ବା ଆସାମୀ କାହାରିପାଇଁ ସ୍ଵତନ୍ତ୍ର କାଠଗଡ଼ା ନାହିଁ । ଆଗକୁ ଆସି ମିତା ରାୟ ସମ୍ମୁଖରେ ଛିଡ଼ାହେଲା । ଏକାବେଳକେ ମୁହାଁମୁହିଁ ହୋଇ । ମୁଣ୍ଡ ଉପରକୁ ଟେକି ପୂର୍ଣ୍ଣଦୃଷ୍ଟିରେ ତାହାରି ଆଡ଼କୁ ଚାହିଁ ରହିଲା । ସତେକି ଯେପରି ସେ ଦୃଷ୍ଟି ଆଡ଼କୁ ଚାହିଁରହି ପାରିଲାନାହିଁ । ପ୍ରଥମେ ସେ ଏଣେତେଣେ ଚାହିଁବାକୁ ଲାଗିଲା । ଯେପରିକି ସମୁଦ୍ରମଧ୍ୟରେ ଝଡ଼ ଉଠୁଚି; ତେଣୁ ଟିକିଏ ଆଶ୍ରୟ ଏବଂ ନିଷ୍କୃତି ଲାଗି ଏଣେତେଣେ ଚାହୁଁଚି ।

 

ଶେଷକୁ ରାୟ ମିତା ଆଡ଼କୁ ଚାହିଁରହିଲା ।

 

ଚାହୁଁ ଚାହୁଁ ସମସ୍ତ ଅତୀତ ଘଟନା ଆଡ଼କୁ ସେ ଫେରିଗଲା । ଇଏ ହେଉଚି ସେଇ ମିତା, ଯେ କି ତାଆରି ହେବା ପାଇଁ ଇଚ୍ଛା କରିଥିଲା । ଯେଉଁ ସମାଜର ଝିଅମାନେ ପ୍ରେମକଥା କାନ ପାରି ଶୁଣନ୍ତି ଏବଂ ମନଦେଇ ପରୀକ୍ଷା କରନ୍ତି, ସେଇ ଆଧୁନିକ ସମାଜର ଝିଅ ଇଏ; କିନ୍ତୁ ସେ କଥା ଶୁଣିବା ଲାଗି ସେ ଅପେକ୍ଷା କରିନାହିଁ । ନିଜେ ଆଗେଇ ଆସିଛି । ଆଗେଇ ଆସି ହୃଦୟର କଥା ଜଣାଇ ଦେଇଛି; କିନ୍ତୁ ଯିଏ ସହଜଭାବେ ହାତମୁଠା ଭିତରକୁ ଆସି ଯାଇଛି, ତା ପ୍ରତି କଣ ଆକର୍ଷଣ ଥାଏ ?

 

ରାୟର ମନ ମଧ୍ୟରେ ସେଭଳି ଭାବ ଜାତ ହୋଇନି; କିନ୍ତୁ ଜାତ ହେବାଟା କଣ ଠିକ ହୋଇଥାଆନ୍ତା ?

 

ତଥାପି ଏହି ନାରୀ ପୁଣିଥରେ ଆସ ତାହାରି ଜୀବନପଥରେ ଛିଡ଼ା ହୋଇଛି; କିନ୍ତୁ ସେ କଅଣ ତାକୁଇ ଅନୁସରଣ କରୁଛି ? ଇଏତ କମ ଦୁଃସାହସର କଥା ନୁହେଁ ! ବଙ୍ଗାଳୀ ଜୀବନରେ ଏ କଥା ତ କଳ୍ପନା କରାଯାଇ ପାରେନା ! ତେବେ ସେ କଅଣ ଏଇ ଆଇ: ଏନ: ଏ: କର୍ଣ୍ଣେଲ ପାଇଁ ଆସିଛି ? ସେ କଥା କିପରି ବା ସମ୍ଭବ ? ଏପରିଭାବେ ଯୋଗ ଯୋଗ ହେବ ବା କିପରି ? ଯେଉଁ ମିତା ତାର ହୋଇ ପାରନ୍ତା, ଯେଉଁ ମିତା... ।

 

ରାୟ ଆଉ କୌଣସି ଦିଗକୁ ଚାହିଁପାରିଲେ ନାହିଁ । କେବଳ ଅତୀତର ଚିନ୍ତା ତାଙ୍କ ମନଭିତରେ ଏବଂ ଦୃଷ୍ଟି ଦେବଳ ଆଡ଼େ । ମିତା ତାଙ୍କ ସମ୍ମୁଖରେ ନାହିଁ । କୋର୍ଟମାର୍ସାଲର କୌଣସି ଅସ୍ତିତ୍ଵ ନାହିଁ । ଉଚ୍ଚକୁ ମୁଣ୍ଡଟେକି ଏକା ଦେବଳ ଛିଡ଼ା ହୋଇ ରହିଚି ।

 

ଶେଷକୁ ରାୟ ମିତା ଆଡ଼କୁ ପୁଣି ଚାହିଁ ରହିଲେ । ଶାନ୍ତଭାବେ କହିଲେ—ଆପଣ ନିଜ ଜାଗାକୁ ଫେରିଯାଆନ୍ତୁ ସାକ୍ଷୀ । କୋର୍ଟ ମାର୍ସାଲରେ ସାକ୍ଷ୍ୟ ଦେଲାବେଳେ ଖୁବ ଷ୍ଟ୍ରେନ୍ (ପରିଶ୍ରମ) ପଡ଼େ; କିନ୍ତୁ ଆପଣଙ୍କ ତୁଲ୍ୟ ପଦସ୍ଥ ଅଫିସର ପକ୍ଷେ ବିଚଳିତ ହେବା ଉଚିତ ନୁହେଁ ।

 

ତାପରେ କୋର୍ଟ ଆଡ଼କୁ ଚାହିଁ କହିଲେ—ମି: ପ୍ରେସିଡେଣ୍ଟ୍, ଅତି ଦୁଃଖର ସହିତ ଜଣାଉ ଅଛି ଯେ, ଶତ୍ରୁ ବିରୁଦ୍ଧରେ ମକଦ୍ଦମା ଚଳାଇବା ଉତ୍ସାହରେ ମୁଁ ଟିକେ ମାତ୍ରା ଛାଡ଼ି ଯାଇଛି । ନୋହିଲେ ଜେରା ମଧ୍ୟରେ ମୁଁ ଏଭଳି କିଛି ପ୍ରଶ୍ନ ବା ଇଙ୍ଗିତ କରି ନଥାଆନ୍ତି—ଯଦ୍ଦ୍ଵାରା କମିସନଡ଼୍ ଅଫିସର ଏହି ସାକ୍ଷୀଙ୍କର ଅସମ୍ମାନ ହୋଇ ଥାଆନ୍ତା ।

 

ମି: ପ୍ରେସିଡ଼େଣ୍ଟ ମଧ୍ୟ ମୁଣ୍ଡହଲାଇ ସମ୍ମତି ଜଣାଇଲେ ।

 

ରାୟ ଆଉଥରେ ‘ବାଓ’ କରି କୋଟକୁ ସମ୍ମାନ ଜଣାଇଲେ । ତାପରେ ପୁଣି କହିଲେ–କୋଟର ଅନୁମତି ନେଇ ସାକ୍ଷୀଙ୍କୁ ମୁଁ ଆଉ କେତେକ ପ୍ରଶ୍ନ କରିବାକୁ ଚାହେଁ ।

 

ମିତା ଆଡ଼କୁ ଲକ୍ଷ୍ୟକରି କହିଲେ—ଗୁପ୍ତଚର କିମ୍ବା ଶତ୍ରୁପକ୍ଷର କୌଣସି ଲୋକ ହଠାତ୍ ଚଢ଼ାଉକରି ଆପଣଙ୍କ କୋଠରୀମଧ୍ୟରେ ହାଜିର ହେଲେ ଆପଣ କଅଣ କରନ୍ତେ ?

 

—ନିଶ୍ଚୟ ଗୁଳି ଚଳାନ୍ତି । ସେ ରାତ୍ରିରେ ମୋ ପାଖରେ ରିଭଲଭର ଥିଲା । ସବୁ ସମୟରେ ମଧ୍ୟ ଥାଏ ।

 

—ଯଦି ପଛଆଡ଼ୁ ସେ ନିଜେ ରିଭଲଭରଟା ଉଠାଇ ନିଅନ୍ତା ?

 

—ତେବେ ଏତେ ଖାଦ୍ୟ ଖାଇବା କିମ୍ବା ମେସିନ୍ ଚଳାଇବା ଆଦି କୌଣସି କଥା, ମୋତେ ବାନ୍ଧି ପକାଇବା କିମ୍ଵା ମାରିପକାଇବା ପୂର୍ବରୁ ସମ୍ଭବ ହୁଅନ୍ତା ନାହିଁ । ଆଉ ମଧ୍ୟ ଆମ ଟ୍ରାନ୍ସମିଟିଂ ମେଶିନ୍ ଆମେରିକାରେ ତିଆରି । ଅତି ଆଧୁନିକ । ମୁଁ ନିଜେ ନ ଚଳାଇଲେ ଜାପାନୀ କିମ୍ଵା ଆଇ. ଏନ୍. ଏ, କାହାରିଦ୍ୱାରା ତାହାକୁ ଚଳାଇବା ସମ୍ଭବପର ହୁଅନ୍ତାନାହିଁ । ମୋତେ ବାନ୍ଧିରଖିଥିଲେ ସର୍ବାଗ୍ରେ ମୁଇଁ ରିପୋଟ୍ କରିଥାଆନ୍ତି । ମୋ ଦେହକୁ କେହି ହାତ ଉଠାଇବ, ସେ କଥା କଅଣ ମିଲିଟାରୀ ଅଫିସର ହୋଇ ସହିପାରନ୍ତି ?

 

କିନ୍ତୁ ମେଶିନ୍‍ଟା ଗରମ ହୋଇଥିଲା କାହିଁକି ?

 

—ସେ କଥା ମେଶିନ୍‍ର ଗରମ କିମ୍ବା ରିପୋଟ୍ କରିଥିବା ଲୋକର ମନର ଗରମ, ସେ ବିଷୟ ମୁଁ କିପରି ଜାଣିବି ?

 

ଏ କଥାରେ ପ୍ରେସିଡେଣ୍ଟ ହୋ ହୋ ହୋଇ ହସି ଉଠିଲେ । ଅବଶ୍ୟ ସେ ନିଜେ ହସଟା ଆରମ୍ଭ କଲେ । ତାପରେ ତାଙ୍କୁ ହସିବାର ଦେଖି ସମସ୍ତେ ହସିବାକୁ ଲାଗିଲେ । ସାରା ଦିନର ଉତ୍ତାପ ପରେ ସନ୍ଧ୍ୟାବେଳର ବୃଷ୍ଟି ସଦୃଶ ସେ ହସ ଟିକକ ଆରାମଦାୟକ ବୋଧହେଲା ।

 

ପ୍ରସିକ୍ୟୁଟର ପୁଣି ଆରମ୍ଭ କଲେ—ତେବେ ଏତେଗୁଡ଼ିଏ ଖାଦ୍ୟ ସାବାଡ଼ କରିଦେବା କଅଣ ଏକା ଆପଣଙ୍କ କାମ ?

 

—ଚୁପ୍ ହୋଇ ଅନ୍ଧକାର ମଧ୍ୟରେ ବସିରହି ଏହା ବ୍ୟତୀତ କଅଣ ବା କରନ୍ତି ? ଶତ୍ରୁପକ୍ଷର ଲୋକ ଡାକି ଭାଗ ବାଣ୍ଟିବା କଅଣ ସମ୍ଭବ ହୁଅନ୍ତା ।

 

—ତା’ବି ତ ଠିକ୍‍କଥା । କିନ୍ତୁ ଶତ୍ରୁପକ୍ଷର କୌଣସି ଲୋକ ଢିପର ପାଦ ଦେଶରେ ସନ୍ତ୍ରୀଟିକୁ ବାନ୍ଧିରଖି ପାରିଲା, ଅଥଚ ଉପରକୁ ଉଠିଆସି ପାରିଲା ନାହିଁ, ଏ ପୁଣି କିପରି କଥା ?

 

ତହିଁର ପ୍ରମାଣ କରିବାର ଭାର ଆପଣଙ୍କ ଉପରେ । ସାକ୍ଷୀର ନୁହେଁ । ଆମ ଢିପ ଉପରକୁ କୌଣସି ଗୁପ୍ତଚର ଆସିନାହିଁ । ଲଗ୍‍ବୁକରେ ତାହାର ପ୍ରମାଣ ଅଛି ।

 

କୋର୍ଟକୁ ସମ୍ବୋଧନକରି ରାୟ କହିଲେ—ମି: ପ୍ରେସିଡେଣ୍ଟ ! ଏକଥାଟି ସମ୍ପୂର୍ଣ୍ଣ ସତ୍ୟ ଯେ ବର୍ତ୍ତମାନ ସୁଦ୍ଧା ଆମେ ଏ ବିଷୟରେ କୌଣସି ପ୍ରମାଣ ପାଇନାହୁଁ । ସାକ୍ଷୀ ବର୍ତ୍ତମାନ ବିଦାୟ ନେଇ ପାରନ୍ତି । ମୋର ଶେଷ ସାକ୍ଷୀ, ଗୋଟିଏ ମଣିପୁରୀ ତରୁଣୀ ଏବଂ ତାହା ସହିତ ଆମ ଆସାମୀର ଯାହା କଥାବାର୍ତ୍ତା ହୋଇଥିଲା, ମାଇକ୍ରୋଫୋନ୍ ରେକର୍ଡ଼ରେ ତାହା ରେକର୍ଡ଼ କରାଯାଇଛି । ସେ ଗୁଡ଼ିକୁ ବର୍ତ୍ତମାନ ହାଜିର୍ କରାଯାଉ ।

 

ମିତା ଘୁଞ୍ଚିଆସି ଗୋଟିଏ ଫୋଲ୍ଡ଼ିଙ୍ଗ୍ ଚେୟାର ଉପରେ ବସି ପଡ଼ିଲା । ତା ମନ ମଧ୍ୟରେ ବିରାଟ ଉତ୍ତେଜନା; କିନ୍ତୁ ମୁହଁରେ ବିକାରଶୂନ୍ୟ ପ୍ରଶାନ୍ତି । ଉତ୍ତମା ଆଡ଼କୁ ସେ ଏକଦୃଷ୍ଟିରେ ଅନାଇଁ ରହିଲା ।

 

—ଦେବଳ ମନେ ମନେ ଖୁବ୍ ଅସ୍ଥିର ହୋଇଉଠିଲା । ନିର୍ଘାତ୍ ମୃତ୍ୟୁପାଇଁ ପ୍ରସ୍ତୁତ ହେଲେ ମଧ୍ୟ ଏଭଳି ଅସ୍ଥିରତା ଦେଖାଯାଏ ନାହିଁ । ମିତା ! ତା ସ୍ୱପ୍ନର ମିତା ହୁଏତ ବଞ୍ଚିଯିବ । ଜଜ୍ ଆଡଭୋକେଟ୍ ମିତାକୁ ଜେରା କଲା ବେଳେ ଶେଷ ଆଡ଼କୁ କଥା ଗୁଡ଼ିକୁ ଏଭଳି ଭାବେ ଗୋଳେଇ ପୋଳେଇ ଦେଇଛନ୍ତି ଯେ, ମିତା ଘରକୁ ସେ ଯାଇଥିଲା, ସେ ସନ୍ଦେହ ବୋଧହୁଏ ଆଉ ଉଠିବ ନାହିଁ । ସେ କଥାର ପ୍ରମାଣ କିଛି ନାହିଁ, ଏକଥା ମଧ୍ୟ ସେ ଏକରକମ ସ୍ଵୀକାର କରି ନେଇଛନ୍ତି । କର୍ଣ୍ଣେଲ ରାୟର ବୁଦ୍ଧି ଅତି ତୀକ୍ଷ୍ଣ ।

 

—ଏ ସବୁ କଥା ଭାବୁ ଭାବୁ ଦେବଳର ମନ ମଧ୍ୟରେ ରାୟ କଥା ଉଦୟ ହେଲା । ଠିକ୍, ଏହି କର୍ଣ୍ଣେଲ୍ ରାୟ ଯେ ସେହି ଲୋକ, ଏଥିରେ ତାହାର ଆଉ ସନ୍ଦେହ ନାହିଁ । ତା ମିତା ରକ୍ଷା ପାଇଯିବ; କିନ୍ତୁ ଦେବଳର ଚେଷ୍ଟା ବା ସାଧନା ପାଇଁ ନୁହେଁ । ବରଂ ସେଦିନ ରାତ୍ରିର ସେଇ କ୍ଷଣିକ ସମ୍ବନ୍ଧ ପାଇଁ ମିତା ଆଜି ବିପଦରେ ପଡ଼ିଛି । ଆଉ ସେ ବିପଦରୁ ତାକୁ ବଞ୍ଚାଉଛି କିଏ ? ଯାହାପାଇଁ ମିତାର ମନ ମଧ୍ୟରେ ସ୍ଥାନ ମିଳିଲା ନାହିଁ, ସେଇ । ପ୍ରିୟାର ପ୍ରିୟତମ ।

 

ଏହା କଅଣ ମିତାକୁ ନ ପାଇବା ପାଇଁ ? ନା, ମିତାକୁ ପାଇବା ପାଇଁ ? ଅଥବା ମିତାକୁ ଆଉଜଣେ ଯେ ଏତେ ଦିନରେ ଆବିଷ୍କାର କରି ପାରିଲା, ସେଇଥିପାଇଁ ?

 

ଦେବଳ ରଣକ୍ଷେତ୍ରରେ ଯୁଦ୍ଧ କରିବାକୁ ଶିଖିଛି । ମନ କ୍ଷେତ୍ରରେ ତା’ର ଆଜି ଗ୍ରାଉଣ୍ଡ ମିଷ୍ଟ (ମିଠା କୁହୁଡ଼ି) ବିଛେଇ ହୋଇଯାଇଛି । ଅଲକ୍ଷ୍ୟରେ ଶତ୍ରୁର ଖୁବ୍ ନିକଟକୁ ଆଗେଇ ଯାଇ ତାହା ଉପରେ ଘୋଟି ଯିବାପାଇଁ ନକଲ କୁହୁଡ଼ି ପ୍ରସ୍ତୁତ କରାଯାଏ । ତାହା କେଉଁଆଡ଼ୁ ବୋହି ଆସୁଛି, ତାହା ଠିକ୍ କରାଯାଇପାରେ ନାହିଁ । ହୁସିଆର ଥିବା ଅପର ପକ୍ଷେ ଠିକ୍ ବୁଝିପାରେ ଯେ ଶତ୍ରୁପକ୍ଷ କୃତ୍ରିମ କୁହେଳିକା ମଧ୍ୟରେ ଅଭିଯାନ ଚଳାଇ ଆସୁଛନ୍ତି । ମାଇକ୍ରୋଫୋନ୍ ରେକର୍ଡ଼ର ଗୀତ, କଥା ଏବଂ ନୂପୁର ଧ୍ଵନୀ କାନ ମଧ୍ୟରେ ଆଉ ପ୍ରବେଶ କରୁ ନାହିଁ । ସେଗୁଡ଼ିକ ମୃତ୍ୟୁଦଣ୍ଡର ଆଗମନୀ ଗାନ ଗାଇ ଚାଲିଛନ୍ତି ।

 

ଆଜି ଦେବଳ ମୃତ୍ୟୁ ସମ୍ମୁଖରେ ମୁଁହାମୁହିଁ ଠିଆ ହୋଇଛି ଏବଂ ତାହାରି ମନ ମଧ୍ୟରେ କୁହୁଡ଼ି ଘୋଟି ଯାଇଛି ।

 

ସେହି ଅନ୍ଧକାର ମଧ୍ୟରେ ଧୀରେ ଧୀରେ ରୂପ ଧରୁଛି, ଗୋଟିଏ ଉନ୍ନତଶିର ନାରୀ ମୂର୍ତ୍ତି-। ବୁଦ୍ଧି ଏବଂ ଦୁଃସାହସରେ ସମୁଜ୍ଜ୍ୱଳ । ଯେପରିକି ଏଇ ଜଣକ ସେହି କଲେଜ ପଢ଼ୁଆ ନିରୀହ ମଣିପୁରୀ ଝିଅନୁହେଁ । ଉଚ୍ଚ ସ୍ଵରରେ ସେ କହି ଉଠିଛି—

 

—ଏଇ ରେକର୍ଡ ମଧ୍ୟରେ ଆପଣମାନେ ଶୁଣୁଛନ୍ତି ଯେ ଆସାମୀକୁ ମୁଁ କଲିକତାରେ ଚିହ୍ନିଥିଲେ । ସେତେବେଳେ ମୁଁ କଲେଜରେ ପଢ଼ୁଥଲି । ୧୯୪୨ ମସିହା ଡିସେମ୍ବର ମାସରୁ ଜାପାନୀମାନେ କଲିକତା ଉପରେ ବିମାନ ଆକ୍ରମଣ ଚଳାଇଲେ । ସେତେବେଳେ ଦେବଳ ସିଂ କଲିକତାରେ ଅଛନ୍ତି । ସେ କଲିକତାର ଲୋକ । ସେ ତେବେ କିପରି ଆଇ. ଏନ୍. ଏ. କୁ ଯିବେ ?

 

ପ୍ରସିକ୍ୟୁଟର ଗମ୍ଭୀର ସ୍ଵରରେ କହିଲେ—କିନ୍ତୁ ଆସାମୀ ନିଜେ ସ୍ଵୀକାର କରିଛି ଯେ ସେ ଆଇ. ଏନ୍. ଏ. ଦଳର ଲୋକ । ହିଜ୍ ମାଜେଷ୍ଟିସ୍ ସୈନ୍ୟଦଳର ଇମରଜେନ୍‍ସୀ କମିଶନର କ୍ୟାପଟେନ ରୂପେ ସେ ମାଳୟ ସିଂହାପୁରକୁ ଯାଇଥିଲେ ।

 

ଏ ସମ୍ବନ୍ଧରେ ଯାହାକିଛି ପ୍ରମାଣ ମିଳିଥିଲା, ତାହା ଉତ୍ତମାକୁ ପଢ଼ି ଶୁଣାଇ ଦିଆଗଲା ।

 

କିନ୍ତୁ ଏତିକିରେ ଉତ୍ତମା ଛାଡ଼ିଦେବାର ପାତ୍ରନୁହଁ । ସେ ବିଚଳିତ ନହୋଇ କହିଲା—କିନ୍ତୁ ଆସାମୀ ୧୯୪୨/୪୩ ମସିହାରେ କଲିକତାରେ ଥିଲେ । ସେହି ସମୟରେ ସେ ମୋ ସଙ୍ଗରେ ଜାପାନୀ ବିମାନ ଆକ୍ରମଣ ବେଳେ ଟ୍ରେଞ୍ଚ ମଧ୍ୟରେ ଆଶ୍ରୟ ନେଇଥିଲେ । ସେ କଥା ରେକଡ଼ରୁ ଆପଣ ପାଉଛନ୍ତି । ତେଣୁ ବୁଝିବାକୁ ହେବ ଯେ, କାଠଗଡ଼ା ମଧ୍ୟରେ ଛିଡ଼ାହୋଇ ଆସାମୀ ଯଦି ଅନ୍ୟ କୌଣସି କଥା କହି ଥାଆନ୍ତି, ବା ମାନି ନେଇ ଥାଆନ୍ତି, ତାହାର ମୂଳରେ ରହିଲା, ଆପଣମାନଙ୍କ ଅତ୍ୟାଚାର, ଆଉ ଜୋର ଜବରଦସ୍ତି କରି ମିଥ୍ୟା ସ୍ଵୀକାର କରାଇ ନେବା କଥା । ଯାହାକୁ ଥାର୍ଡ଼ ଡିଗ୍ରୀ ମେଥଡ଼ କୁହାଯାଏ ।

 

ସଙ୍ଗେ ସଙ୍ଗେ ଉତ୍ତମା ପ୍ରେସିଡେଣ୍ଟଙ୍କ ଆଡ଼କୁ ଚାହିଁ ଆହୁରି ଫାଙ୍କି ମାରିଲା—ମି: ଲର୍ଡ଼-? ଦିଶ୍ ଇଜ୍ ବ୍ରିଟିଶ୍ ଜଷ୍ଟିଶ୍ । (ଏହାହିଁ ହେଲା ଇଂରେଜଙ୍କ ନ୍ୟାୟ ବିଚାର)

 

ପ୍ରେସିଡେଣ୍ଟ ଚଞ୍ଚଳ ହୋଇଉଠିଲେ, ବିଲାତର ଇଉନିଭରସିଟିରେ ଶିକ୍ଷାଲାଭ କରି “ନ୍ୟାଶନାଲ ସର୍ଭିଶ” କରିବାପାଇଁ ଯୁଦ୍ଧ ବିଭାଗରେ ଯୋଗ ଦେଇଛନ୍ତି; କିନ୍ତୁ ତାଙ୍କ ଧାତୁରେ ଅସତ୍ୟ ବା ଅନ୍ୟାୟ ମାନିନେବା ଚଳିବ ନାହିଁ ।

 

ଦେବଳ ଆଡ଼କୁ ଚାହିଁ ପ୍ରଶ୍ନକଲେ—ସାକ୍ଷୀର ଏହି ନାଲିଶଟା କଅଣ ସତ୍ୟ ?

 

ଦେବଳ ଉଭୟ ଶଙ୍କଟରେ ପଡ଼ିଲା । ଉତ୍ତମାକୁ ଫରିଆଦି ପକ୍ଷର ସାକ୍ଷୀରୂପେ ଆଣିଛନ୍ତି । ଏ ବିଚାର ସମ୍ବନ୍ଧରେ ତାହା ସହିତ ଆସାମୀର କୌଣସି ପରାମର୍ଶ ହୋଇ ପାରେ ନା । କିଛି କହିବାକୁ ଗଲେ ତାହା ଉତ୍ତମାକୁ ଆହୁରି ବେଶି ଜଡ଼ିତ କରିପକାଇବ । ଅନ୍ୟଦିଗରୁ ଦେଖିଲେ କେମିତିବା ସେ କହିବ ଯେ, ସେ ଆଇ. ଏନ୍. ଏ. ଦଳର ଲୋକ ନୁହଁ । ନ୍ୟାଶନାଲ ଆର୍ମି ଆକ୍ଟ ଅନୁସାରେ ସେ ତ ନେତାଜୀଙ୍କ ନିକଟରେ ଏବଂ ଦେଶ ନିକଟରେ ଶପଥ କରିଛି । ତାକୁ ଅସ୍ଵୀକାର କରିବାକୁ ପଡ଼ିବ ! ନା, ନା, ସେକଥା ସମ୍ଭବ ନୁହଁ ।

 

କିନ୍ତୁ ସେକଥା ସ୍ଵୀକାର କରି ବସିଲେ ଉତ୍ତମାର ବିପଦ ସୁନିଶ୍ଚିତ । ଉତ୍ତମା ଶତ୍ରୁପକ୍ଷର ଲୋକ ବୋଲି ପ୍ରମାଣ ହୋଇଯିବ ।

 

କେବଳ ସେତିକି ନୁହେଁ, ସେ ମଧ୍ୟ ସ୍ପାଇ । ତାହା ନ ହେଲେ ଏତେ ବନାଚୂନା କଥା କି ଭଳିଭାବେ ସେ ରାସଯାତ୍ରା ମଧ୍ୟରେ ବସି କହି ପାରନ୍ତା ? ତା ପୁଣି ଏତେ ଲୋକଙ୍କ ମଝିରେ ବସି-?

 

—ବିଷମ ସମସ୍ୟା । କେଉଁଟାକୁ ଦେବଳ ସତ୍ୟବୋଲି ମାନିବ ?

 

ରାୟ ତାକୁ ରିହାତି ଦେଲେ । କହିଲେ—ମି. ପ୍ରେସିଡଣ୍ଟ, ଆସାମୀ ଯଦି ହଁ ବା ନାହିଁ, କିଛି କହିବାକୁ ଚାହାନ୍ତି ନାହିଁ, ସେ ଦାୟିତ୍ଵ ତାଙ୍କର, ମୁଁ ବର୍ତ୍ତମାନ ଅନ୍ୟ ପ୍ରଶ୍ନମାନ ପଚାରିବାକୁ ଚାହେଁ । ଆଛା ସାକ୍ଷୀ ! ଆପଣ କାହିଁକି ଗ୍ରାମଛାଡ଼ି ପଳାଇଥିଲେ, କହନ୍ତୁ ତ ? ଆପଣଙ୍କ ନିକଟରେ ଘଟନାଟାର ସମସ୍ତ ବ୍ୟାକ୍‍ଗ୍ରାଉଣ୍ଡ ଖୋଲି କହି ଦେଉଛି, ଯଦ୍ଦ୍ୱାରା ଆପଣ ସତ୍ୟକଥା କହିଦେବାକୁ ବାଧ୍ୟହେବେ । ବୁଝି ପାରିବେ ଯେ, କୌଣସି କଥା ଲୁଚାଇଲେ ଆପଣଙ୍କର କୌଣସି ଲାଭ ହେବନାହିଁ ।

 

ଦୃଢ଼ ଭଙ୍ଗିରେ ଉତ୍ତମା କହିଲା—ମୁଁ କୌଣସି କଥା ଲୁଚାଏ ନାହିଁ । ଶତ୍ରୁ ଭୟରେ ଆପଣମାନଙ୍କରହିଁ ‘ନର୍ଭସ୍ ବ୍ରେକ୍ ଡାଉନ୍’ ହୋଇଛି । ସ୍ନାୟୁ ଦୁର୍ବଳତା ହେତୁ ଚତୁର୍ଦ୍ଦିଗରେ ଶତ୍ରୁ, ଗୁପ୍ତଚର, ଏସବୁ ଦେଖୁଛନ୍ତି ।

 

ଶତ୍ରୁମାନଙ୍କ ମଧ୍ୟରେ ବସିରହି ସୁବେଦାର ମେଜର ଆଉ ସହ୍ୟ କରି ପାରିଲା ନାହିଁ । ଆଣ୍ଠୁ ଚାପୁଡ଼ିବାକୁ ଲାଗିଲା । କଅଣ ବା କରିବ ? ଟେବୁଲଟି ବିଚାରକର ହାତତଳେ ରହିଯାଇଛି । ତେଣୁ ଉର୍ଦ୍ଦୁଭାଷାରେ ଚିତ୍କାର କରି ଉଠିଲା—ଖମୁଶ୍, ଖାମୁଶ୍ (ଚୁପ୍ ଚୁପ୍) ।

 

ତାହାରି ଉପରେ ପ୍ରେସିଡେଣ୍ଟ ଓଲଟା ହୁକୁମ ଜାରିକରି ତାକୁ ଚୁପ୍ କରାଇ ଦେଲେ । ବିଚରାର ସମସ୍ତ ଉତ୍ସାହ ପାଣି ଫାଟିଗଲା ।

 

ଘଟଣାଟି ରାୟ ସଂକ୍ଷେପରେ କହିଗଲେ । ଦେଖନ୍ତୁ ଉତ୍ତମା ସିଂ, ଆପଣଙ୍କ ଘର ମଧ୍ୟରେ ଧସ୍ତାଧସ୍ତିର କିଛି ଚିହ୍ନ ରହି ଯାଇଛି । ସେଠାରୁ କିଛି ଗୋଟାଏ ଜିନିଷ ପୋଖରୀ ପର୍ଯ୍ୟନ୍ତ ଟାଣି ଟାଣି ନେଇଯାଇଥିବାର ଚିହ୍ନଅଛି । ପୋଖରୀ ଭିତରେ ଜଣେ ସିପାହୀର ଲାଶ୍ ମିଳିଛି । ଆପଣଙ୍କ ଘରପାଖର ଜଙ୍ଗଲ ପଡ଼ିଆ ମଧ୍ୟରେ ଆଇ. ଏନ୍. ଏ. ର ଖଣ୍ଡେ ଇଉନିଫର୍ମ ମିଳିଛି । ଏଇ ଆସାମୀ ସ୍ଵୀକାର କରିଅଛନ୍ତି ଯେ ଇଉନିଫର୍ମଟା ତାଙ୍କରି । ସେହି ରାତ୍ରି ମଧ୍ୟରେ ଜଙ୍ଗଲ ମଧ୍ୟରେ ଥିବା ଢିପର ପାଦ ଦେଶରେ ପହରା ଦେଉଥିବା “ସେଣ୍ଟ୍ରିର” ମୁହଁ, ହାତ ଓ ଗୋଡ଼ ବନ୍ଧା ହୋଇଥିଲା । ସେଣ୍ଟ୍ରିଟି ମଧ୍ୟ ଆସାମୀକୁ ସନାକ୍ତ କରିସାରିଛନ୍ତି । ଆସାମୀ ସଙ୍ଗରେ ସାଙ୍ଗହୋଇ ଆପଣ ପାଖାପାଖି ବସିଥିବାର କଥା ଏବଂ ଆପଣ ଯେତାଙ୍କର ଖୁବ୍ ଚିହ୍ନା ପରିଚିତ, ସେ ଭଳି କଥାବାର୍ତ୍ତା ହେଉଥିବାର ଦେଖାଯାଇଛି । ଆପଣମାନଙ୍କ କଥାବାର୍ତ୍ତା ମଧ୍ୟ ରେକର୍ଡ଼ କରାଯାଇଛି । ସେ କଥାର ଅନେକ ଅଂଶ ଆପଣ ଶୁଣିଲେ ।

 

ମୁଣ୍ଡ ହଲାଇ ଉତ୍ତମା କହିଲା—ଶୁଣିଲି । କିନ୍ତୁ ସମ୍ପର୍କଟା କଅଣ, ସେତକ ଦେଖିପାରିଲି ନାହିଁ । ଏକୁଇ କହନ୍ତି, “କାକତାଳିୟ ବ୍ୟାପାର” । ଶୂନ୍ୟ ଆକାଶରେ କାଉ ଉଡ଼ିଗଲା, ଆଉ ଠିକ୍ ସେତିକି ବେଳକୁ ତାଳଟିଏ ଭୂଇଁ ଉପରେ ପଡ଼ିଗଲା । ତେଣୁ ଅର୍ଥ ହୋଇଗଲା ଯେ କାଉଟିହିଁ ତାଳଟିକୁ ଛିଣ୍ଡାଇ ପକାଇଛି । ଆପଣମାନଙ୍କର ଢିପ ଏବଂ ଆମ ଘର, ଏ ଦୁଇଟା ମଧ୍ୟରୁ କୈାଣସି ଘଟଣା ସହିତ ମୋର କୌଣସି ସମ୍ୱନ୍ଧ ନାହିଁ; ତେଣୁ ଦେବଳର ମଧ୍ୟ ସମ୍ବନ୍ଧ ନାହିଁ । ସିପାହୀମାନଙ୍କ ଭୟରେ ଆମେ ଗ୍ରାମଛାଡ଼ି ପଳାଇଛୁଁ । କିନ୍ତୁ ଲୁଟି କରିବା ଉଦ୍ଦେଶ୍ୟରେ ଅଥବା ଅନ୍ୟ କୌଣସି ଖରାପ ମତଲବ ଘେନି ସେମାନେ ଗ୍ରାମ ମଧ୍ୟରେ ପଶି ନିଜ ନିଜ ମଧ୍ୟରେ ମରାମରି, ଖୁଣିଖୁଣା ହୋଇଥିଲେ, ତା’ର ଫଳ କଅଣ ଘଟିଲା,ତାହାର ପ୍ରମାଣ କରିବାର ଭାର କଅଣ ଆମ୍ଭମାନଙ୍କ ଉପରେ ? କାରଣ ଆମେ ପୂର୍ବରୁ ଡରଭୟରେ ଗ୍ରାମଛାଡ଼ି ପଳାଇ ଯାଇଛୁଁ ବୋଲି ?

 

ଅବାକ୍ ହୋଇ ପ୍ରେସିଡେଣ୍ଟ ଚାହିଁ ରହିଲେ । କର୍ଣ୍ଣେଲ ରାୟଙ୍କର ବାକ୍‍ସ୍ଫୁରଣ ହେଲାନାହିଁ ।

 

ଦେବଳ ସବୁଠାରୁ ‘ଅଧିକ ଆଶ୍ଚର୍ଯ୍ୟ ହେଲା । ଇଏ କଅଣ ସେହି ସରଳା କିଶୋରୀ—ଗ୍ରାମବଳିକା ? ତା’ ମନଭିତରକୁ ଏତେ ଜୁଆର କାହୁଁ ଆସିଲା; ତା ମୁଣ୍ଡ ଭିତରକୁ ଏତେ ତୀକ୍ଷ୍ଣବୁଦ୍ଧି କାହୁଁ ଆସିଲା ? ଖାଲି କଲେଜରେ ପଢ଼ିଲେ ତ ଏତେ ବୁଦ୍ଧି ହୁଏ ନାହିଁ ?

 

ପୁଣି ଥରେ ଉତ୍ତମା କହିବାକୁ ଆରମ୍ଭ କଲା—ମୃତ ସିପାହୀ ଫେରିଆସି ସାକ୍ଷ୍ୟ ଦେବନାହିଁ । ଯେଉଁମାନେ ଲୋଭକରି ଗ୍ରାମ ମଧ୍ୟକୁ ଆସିଥିଲେ, ସେମାନେ ମଧ୍ୟ ମୁହଁ ଖୋଲିବେ ନାହିଁ । କଥା କହିବାଲୋକ ମାତ୍ର ବାକିଅଛି; ଏକମାତ୍ର ଢିପର ଶାନ୍ତ୍ରି । ଆପଣମାନେ ଧରି ନିଅନ୍ତୁ ଯେ ସେ ଅନ୍ୟ ସିପାହୀମାନଙ୍କୁ ବାରଣ କରିଥିଲା ବା ବାଧା ଦେଇଥିଲା । ତେଣୁ ସେମାନେ ଏହାକୁ ବାନ୍ଧି ପକାଇ ଥିଲେ । ବର୍ତ୍ତମାନ କେହି କଅଣ ସେକଥା ସ୍ଵୀକାର କରିବ ? ସେହି ଶାସ୍ତ୍ରୀ ଟି ମଧ୍ୟ ନିଜଦଳର ଅପକୀର୍ତ୍ତିଟିକୁ କିପରିବା ସ୍ୱୀକାର କରିବ ? ତାକୁ କଅଣ ଇଉନିଟି ଭିତରେ ରହିବାକୁ ହେବନାହିଁ ? ବର୍ତ୍ତମାନ ଆପଣମାନେ ଘଟନାଟିକୁ ଟିକେ ବୁଝି ନିଅନ୍ତୁ । ଏତେଦିନ ମଧ୍ୟରେ ଆପଣମାନେ କଅଣ କେତୋଟି ଆଇ. ଏନ୍. ଏ.ର ଛିଣ୍ଡା ଇଉନିଫର୍ମ ଯୋଗାଡ଼ି କରି ନାହାନ୍ତି ? ତହିଁ ମଧ୍ୟରୁ ଆସାମୀ ଦେବଳର ମାପ ମୁତାବକ ଖୋଜି ଗୋଟିଏ ବାହାର କରିବା କଅଣ ଏତେ ଶକ୍ତକାର୍ଯ୍ୟ ?

 

ଉତ୍ତମାର ପ୍ରଶ୍ନର ତୋଡ଼ କୋର୍ଟକୁ ମଧ୍ୟ ଏକାବେଳେକେ ଦିଗ୍‍ବିଦିଗ୍ ଜ୍ଞାନଶୂନ୍ୟ କରିଦେଲା । ରାୟ ତାହାରି ଆଡ଼କୁ ଚାହିଁ ରହିଲେ । ତାଙ୍କ ମୁହଁରେ କଅଣ ଲେଖା ହୋଇଛି, ପ୍ରଶ୍ନ କି ପ୍ରଶଂସା, ତାହା ବୁଝିବା ଶକ୍ତ ।

 

ପ୍ରେସିଡେଣ୍ଟ ହିଁ ଉତ୍ତର ଦେଲେ—ଠିକ୍‍କଥା; ଏଭଳି ଗୋଟାଏ ଆପୋସରେ ଯୋଗାଡ଼ଯନ୍ତ୍ର କରି ସଜାଇ ନେଇ ଅଭିଯୋଗ ତିଆରି କରିବା ଅସମ୍ଭବ ମଧ୍ୟ ନୁହେଁ । କିନ୍ତୁ ଏତେଦୂର ସଜାସଜି କରି ନେବାର ବ୍ୟାପାର ସିପାହୀମାନଙ୍କ ପକ୍ଷେ ସମ୍ଭବ ନୁହେଁ ।

 

—କାହାପକ୍ଷେ ତାହା ସମ୍ଭବ, ସେ ବିଚାର ବା ମୀମାଂସା କରିବା ଦାୟିତ୍ଵ ମୋର ନୁହେଁ ବା ଆସାମୀର ନୁହେଁ ।

 

—କିନ୍ତୁ ସାକ୍ଷୀ ? ଆପଣତ ଫେରାଦୀ ପକ୍ଷର ସାକ୍ଷୀ । ଆସାମୀ ଆଡ଼କୁ ଏତେଜୋର ଦେଇ କହୁଛନ୍ତି, ତାହାର କାରଣ କଣ ?

 

—ସୁବିଚାର ପାଇଁ । ମୁଁ କୌଣସି ପକ୍ଷର ସାକ୍ଷୀନୁହେ । ଯେଉଁ ସୁବିଚାରପାଇଁ ବ୍ରିଟିଶର ଏତେ ସୁନାମ, ଲର୍ଡ ମୁଁ ସେହି ସୁବିଚାରକୁ ହିଁ ଚାହେଁ । ଦେବଳ ସିଂ ଦୋଷୀନୁହେ । ଆପଣ ତାକୁ ମିଥ୍ୟା ସନ୍ଦେହରେ ଆସାମୀକରି ଆଣିଛନ୍ତି ।

 

—କିନ୍ତୁ ଆସାମୀ ନିଜେତ ସ୍ଵୀକାର କରିଛନ୍ତି । ତା ଛଡ଼ା, ସେ ମଧ୍ୟ ଏ କଥା କହୁନାହାନ୍ତି ଯେ, ତାଙ୍କୁ ଜୋରକରି କେହି ‘କନଫେଶନ୍’ (ସ୍ୱୀକାରୋକ୍ତି) ଆଦାୟ କରିନେଉଛି ବୋଲି ।

 

ଏତେବେଳଯାକେ ପ୍ରେସିଡେଣ୍ଟ ହିଁ କଥା କହି ଆସୁଥିଲେ । ଏଥର ପ୍ରସିକ୍ୟୁଟର ଆରମ୍ଭକଲେ—ଆଛା, ଉତ୍ତମା ଦେବି, ଆପଣ କଅଣ କହିବାକୁ ଚାହାନ୍ତି ଯେ, ଆସାମୀ କାହାରିକୁ ଘୋଡ଼ାଇ ରଖିବାପାଇଁ ନିଜେ ମଥାପୋତି ମାନି ନେଇଛନ୍ତି ଯେ, ସେ ଆଇ. ଏନ୍. ଏ. ଦଳର ।

 

ପ୍ରଶ୍ନକଲେ ସତ୍ୟ । ମାତ୍ର ଉତ୍ତରପାଇଁ ରାୟ କାହା ଆଡ଼କୁ ଚାହିଁବେ ? ଥରେ ଉତ୍ତମା ଆଡ଼କୁ ଚାହିଁଲେ; ଆଉଥରେ ମିତା ଆଡ଼କୁ ଚାହିଁଲେ । ଦୁଇଜଣଯାକ ତାଙ୍କରି ଆଡ଼କୁ ଅନାଇଁ ରହିଛନ୍ତି—ଇଂରେଜ ପକ୍ଷର ମୁକୁଟ ଏବଂ ତାରାମାର୍କା ଲେଫଟନେଣ୍ଟ କର୍ଣ୍ଣେଲ ପଦବୀର ଚକ୍‍ଚକିଆ ପୋଷାକ ପିନ୍ଧିଥିବା ରାୟଙ୍କ ଆଡ଼କୁ ।

 

ରାୟ ସେମାନଙ୍କର ସେ ଦୃଷ୍ଟି ସହ୍ୟକରି ପାରିଲେ ନାହିଁ । ତାଙ୍କ ନାକଉପରୁ ପାଶନେ ଚଷମାଟି କେତେ ବେଳୁ ଖସିଗଲାଣି, ସେକଥା ତାଙ୍କୁ ମାଲୁମ୍ ନାହିଁ । ସେ ଗଭୀର ମନଯୋଗ ସହକାରେ ଉକ୍ତ ଚଷମାଟିକୁ ଟାଣି ହାତରେ ଧରି କାଚ ପରିଷ୍କାର କରିବାକୁ ଲାଗିଲେ ।

 

ଅଠର

 

ବୋମାବର୍ଷୀ ବିମାନର ଘୁଁ ଘୁଁ ଆବାଜ୍ । ଏ ଶବ୍ଦଶୁଣି ମନ ଆଉ ଚଞ୍ଚଳ ହୋଇଉଠୁନାହିଁ; ପିଳେଇ ଚମକିବା ତ ଦୂରର କଥା । ସମସ୍ତେ ଜାଣିଛନ୍ତି ଯେ, ଜାପାନୀ ଏରୋପ୍ଲେନ୍ କମତି ପଡ଼ିଯାଇଛି। ତା’ ଉପରେ ଏ ଚକଡ଼ାରେ ଆମେରିକାନ୍ ପ୍ଳେନ୍‍ର ଗୁରୁଗୁରୁ ଡମ୍ବରୁ ଧ୍ୱନୀ ଖୁବ୍ ଚିହ୍ନା ହୋଇଗଲାଣି ।

ସେ ଶବ୍ଦ ଆକାରରେ ଭାସିଆସି ଦୂରଦୂରାନ୍ତରରେ ମିଳାଇ ଯାଉଛି । ଏହି ସମୟରେ ପ୍ରେସିଡ଼େଣ୍ଟ ଆରମ୍ଭକଲେ—ଏବେ ବି କଣ ଆମ୍ଭମାନଙ୍କର ଲାଣେର୍ଡ଼୍ୟ ପ୍ରସିକ୍ୟୁଟର ଦୁଷ୍ମନ୍‍ର ଆକାଶୀ ଆକ୍ରମଣର ସମ୍ଭାବନା ଅଛି ବୋଲି ଭାବୁଛନ୍ତି ?

ହସିହସି ରାୟ ଜବାବଦେଲେ–ନା, ମି. ପ୍ରେସିଡେଣ୍ଟ । ମୁଣ୍ଡଉପରେ ନୂଆ ନୂଆ ହାୱାଇ ଜାହାଜ ଦେଖିଲାମାତ୍ରେ ମୁଁ ନୂଆ ନୂଆ ଟିଣ ବୋଝେଇ ଖାଇବା ଜିନିଷର ସ୍ଵପ୍ନ ଦେଖିବାକୁ ଆରମ୍ଭ କରିଦେଲାଣି । ହୁଏତ ହାଭାନାର ତଟକା ସିଗାରେଟ, ଅଥବା କୌଣସି ସୁନ୍ଦର ଅଙ୍ଗାଳିଦ୍ୱାରା ବୁଣା ହୋଇଥିବା ମୋଜା । ଥାଉ ସେକଥା । ସାକ୍ଷୀ କୁହନ୍ତୁ ତ, ଦେବଳସିଂ ଯଦି ଆପଣଙ୍କର ଏତେ ପୁରୁଣା ଦିନର ପୁରୁଣାବନ୍ଧୁ ହୋଇଥାନ୍ତେ, ତେବେ ଯୁଦ୍ଧର ଏଇ ଗରମାଗରମ ବଜାରରେ ସେ ସେହି ଗ୍ରାମ ମଧ୍ୟରେ କଅଣ କରୁଥିଲେ ? ତାଙ୍କ ଗତିବିଧିର ତ ପୁଣି ଗୋଟାଏ ହିସାବ ଦରକାର ।

ଏଥିରେ ବିଚଳିତ ନହୋଇ ଉତ୍ତମା କହିଲା–ତାଙ୍କ ଗତିବିଧି ଯଦି ସନ୍ଦେହଜନକ ହୋଇଥାଏ, ତେବେ ତାହା ପ୍ରମାଣ କରିବାକୁ ହେବ, ଫରିଆଦିକୁ । ଆସାମୀ କିପରିଭାବରେ ଏଠାରେ ପ୍ରମାଣ କରିବ । ପୁଣି ତା’ ପାଇଁ କେଉଁ ସାହସରେ ଲୋକେ ସାକ୍ଷ୍ୟ ଦେବାକୁ ଆସିବେ ? ଆପଣମାନେ ଯେପରିଭାବେ ଢୋଲପିଟି, ଆଡ଼ମ୍ବରକରି କୋର୍ଟମାର୍ଶାଲ ବସାଇଛନ୍ତି, ତହିଁରେ କୌଣସି ବେସାମରିକ ଲୋକ ସାହସକରି ଦେବଳସିଂହଙ୍କ ସପକ୍ଷରେ ସାକ୍ଷଦେବାକୁ ଆସିବେନାହିଁ-

 

ବେକ ସଳଖ କରି ଉତ୍ତମା ଚାହିଁଲା । ସେ ବର୍ତ୍ତମାନ କେବଳ ସରଳା ମଣିପୁରୀ ତରୁଣୀ ନୁହେଁ । ନିଜ ଆଖିର ଦୃଷ୍ଟି ମଧ୍ୟରେ ସେ ଯଥାର୍ଥରେ ସିଂହଟିକୁ ଜାଗ୍ରତକରି ଉଠାଇଛି । ଶତ୍ରୁକୁ ପ୍ରତିରୋଧ କରିବାକୁ ହେବ, ଲଢ଼ିବାକୁ ହେବ ଏବଂ ଜଣକୁ ବଞ୍ଚାଇବାକୁ ହେବ ।

 

ସଙ୍ଗେ ସଙ୍ଗେ ରାୟ ସେକଥା ସ୍ୱୀକାର କରିନେଲେ । ସ୍ୱୀକାର କଲେ ଯେ, ଆସାମୀପକ୍ଷରେ ବିଚାରର ନିୟମ ଅନୁସାରେ କୌଣସି ସାକ୍ଷୀ ବ ସଫେଇସାକ୍ଷୀ ଆସି ଛିଡ଼ାହେବା, ଏଭଳି ପରିସ୍ଥିତିରେ ଏକାବେଳଖକେ ଅସମ୍ଭବ । ଯେତେ ଅଭୟବାଣୀ ଶୁଣାଇଲେବି କେହି ସାକ୍ଷ୍ୟ ଦେବାକୁ ସାହସ କରିବେ ନାହିଁ ।

 

ଜର୍ଜ ଆର୍ଡଭୋକେଟଙ୍କର ଫେରାଦି, ଗଭର୍ଣ୍ଣମେଣ୍ଟ ଏବଂ ଆସାମୀ, ଉଭୟ ପକ୍ଷକୁ ଦରକାର ଅନୁସାରେ ସାହାଯ୍ୟ କରିବା କଥା । ସେ କହିଲେ—କିନ୍ତୁ ଲଢ଼ାଇ ଇଲାକାମଧ୍ୟରେ ସବୁ ସାମରିକ କୋର୍ଟମାର୍ଶାଲରେ ଏହିଭଳି ହୋଇଥାଏ । ସେଥିପାଇଁ ବିଚାର ଅପେକ୍ଷା କରେନାହିଁ ବା ଶାସ୍ତି ମଧ୍ୟ କମ୍ ହୁଏନାହିଁ ।

 

ରାୟ କହିଲେ—ମୁଁ ନିବେଦନକରି ଜଣାଉଛି ଯେ ସେ କଥାଟି ଠିକ୍ । ଫେରାଦୀପକ୍ଷକୁ ଅକାଟ୍ୟ ପ୍ରମାଣ ଦେବାକୁ ପଡ଼ିଥାଏ । ମୋର ମୁଷ୍କିଲ ହେଉଛି ଯେ; ସାକ୍ଷୀମାନଙ୍କର ଜମାନବନ୍ଦୀ ମଧ୍ୟରେ ଯଥେଷ୍ଟ ପ୍ରମାଣ ମିଳୁନାହିଁ ।

 

ଜଣେ ବିଚାରକ ହସିଉଠି କହିଲେ—ସାକ୍ଷୀମାନେ ବୋଇଲେ, ଦୁଇଜଣ ମାତ୍ର ତରୁଣୀ ସାକ୍ଷୀ ତ ?

 

ମୁଣ୍ଡନୁଆଁଇ ରାୟ କହିଲେ ହଁ, ଠିକ୍ ସେଇକଥା ମି. ଲର୍ଡ଼ । ତରୁଣୀ, ଅର୍ଥାତ୍ ସଂସାରର କୂଟ କପଟତା ବର୍ତ୍ତମାନସୁଦ୍ଧା ସେମାନଙ୍କର ସତକଥା କହିବାର ଇଛାକୁ ନଷ୍ଟକରି ଦେଇନାହିଁ ।

 

ବିଦ୍ରୂପଭରା ଉତ୍ତର ମିଳିଲା—କର୍ଣ୍ଣେଲ ରାୟ, ଭୁଲ ବ୍ୟବସାୟରେ ଆସି ପଡ଼ିଛନ୍ତି । କୋର୍ଟମାର୍ଶାଲର ପ୍ରସିକ୍ୟୁଟର ହେବା ଅପେକ୍ଷା ନୀତି ବାଗୀଶଭାବେ ବକ୍ତୃତାଦେବା ତାଙ୍କପକ୍ଷେ ବେଶି ସ୍ଵାଭାବିକ ହୋଇଥାଆନ୍ତା ।

 

—ଏଭଳି ଗୋଟିଏ ବକ୍ର ଇଙ୍ଗିତ ଦେଖାଇ ଦିଆଗଲା ।

 

ସେଥିରେ ବି ରାୟ ପଶ୍ଚାତ୍‍ପଦ ହେଲେ ନାହିଁ । ପୂର୍ବବତ୍ କାଇଦା ଦେଖାଇ ଅତି ମଧୁରବାକ୍ୟସହ ‘ବାଓ’ କରି (ମୁଣ୍ତନୁଆଇଁ ନମସ୍କାର କରି) କହିଲେ, ମି. ପ୍ରେସିଡେଣ୍ଟ, ଆମ୍ଭେମାନେ ବର୍ତ୍ତମାନ ବାକି ରହିଯାଇଥିବା ଜମାନବନ୍ଦି ଟିକକୁ ନଜର ଦେଉଛୁ । ଆଛା, ସାକ୍ଷୀ, ରେକର୍ଡ଼ର ଏଇ ସ୍ଥାନଟିକୁ ଟିକେ ମନଦେଇ ଶୁଣନ୍ତୁ—ରେକର୍ଡଟା ଚଳାଇ ଦିଆଗଲା । ରାସମଧ୍ୟରେ ପ୍ରିୟ—ପ୍ରସାଧନର ବର୍ଣ୍ଣନା ଚାଲିଛି ।

 

“ସାଜଲ ସାଜଲ ଧନୀ ମନୋହର ବେଶେ”

“ଧନୀ —ସଖିଗନ ମାଝେ—ସାଜେ ।”

“ସାଜେ ମନୋହର ବେଶେ” ।

ଏଠାରେ ଦୂରରୁ ଭାସିଆସୁଥିବା ଗୀତାଂଶ ଅପେକ୍ଷା ପାଖରେ ବସି କଥାବାର୍ତ୍ତା ହେଉଥିବା ଉତ୍ତମାର କଣ୍ଠସ୍ଵର ରେକର୍ଡ଼ ମଧ୍ୟରେ ସ୍ପଷ୍ଟତର ଶୁଣାଯାଉଥିଲା । ସେହି ଗୀତ ସଙ୍ଗେ ଗାଉ ଗାଉ ବଙ୍ଗଳାରେ ସେ କହୁଛି—ତୁମକୁ ତୁମରି କବି ଭାଷାରେ କହିବାକୁ ଚାହେଁ, ଆହେ, ତୁମେ କଣ କୃଷ୍ଣ ହୋଇ ମୋରି ଘରକୁ ଆସିଥିଲ ?

ପୁଣି ରାସଗୀତ ଉତ୍ତମାର କଣ୍ଠସ୍ଵରକୁ ଟପି ଶୁଣାଗଲା ।

“ସାଜେ ମନୋହର ସାଜେ”

“ଧନୀ-କତରୂପେ ସାଜେ ।”

ତାହାରି ମଧ୍ୟରେ ଉତ୍ତମାର କଣ୍ଠସ୍ଵର ଶୁଣାଗଲା ।

“ହୃଦୟପୁର ମାଝେ”

“ମହାରାଜ, ଏକି ସାଜେ”

“ଏଲେ, ଦୃଦୟପୁର ମାଝେ”

ତାପରେ ଉତ୍ତମା ମନେ ମନେ କହୁଥିବାର ଶୁଣାଗଲା–କି ବେଶରେ ତୁମେ ଆସିଲ ? ତୁମେ ତ ସାଧାରଣ ବଙ୍ଗାଳୀ ନୁହଁ ! ଲକ୍ଷେ ଲୋକଙ୍କ ମଧ୍ୟରେ ମଣିଷଭଳି ମଣିଷଟିଏ ତୁମେ । ଇଉନିଫର୍ମଟା ଛିଣ୍ଡା । ତଥାପି ତୁମେ ବୀରବେଶରେ ଆସିଛ ।

ବିଚାରକ ଏଇଠାରେ ରେକର୍ଡ ବନ୍ଦ କରିବାକୁ କହିଲେ । ରାୟଙ୍କୁ ଲକ୍ଷ୍ୟକରି କହିଲେ–ଏହି ଶେଷ କଥାଟିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଆସାମୀ ଆଇ. ଏନ୍. ଏ.ର ଗୁପ୍ତଚର । ତାହାହିଁ ହେଲା, “କରୋବୋରେଡ଼େଟ୍ ଏଭିଡେନ୍‍ସ” । ଏଥିରେ ମୋର ସନ୍ଦେହ କରିବାର ଆଉ କିଛି ନାହିଁ-। ଅର୍ଥାତ୍ ପ୍ରମାଣଟିକୁ ସମର୍ଥନ କରି ନୂତନ ପ୍ରମାଣ ଦେଉଅଛି । ସୁବେଦାର ମେଜରଙ୍କର ଟେପ୍ରେକଡ଼ିଙ୍ଗ୍ ବସାଇବା ସାର୍ଥକ ହୋଇଛି ।

ମୁଁ ମଧ୍ୟ ସେହିକଥା କହୁଛି, ମି: ପ୍ରେସିଡେଣ୍ଟ—ମି: ରାୟ ବେଶି ଟିକେ ଝୁଙ୍କିବସିଲେ—ଆସାମୀ କାହିଁକି ଏପରି ବେପରୁଆ ଭାବେ ଶତ୍ରୁପକ୍ଷର ଲୋକ ବୋଲି ନିଜ ଦୋଷ ସ୍ୱୀକାର କରିଯାଉଛି, ତହିଁର ଯଥେଷ୍ଟ ପ୍ରମାଣ ଏଇ ମାଇକ୍ରୋରେକର୍ଡରୁ ମଳିଯାଉଛି । ପ୍ରେସିଡ଼େଣ୍ଟ ବସିଥିବା ଚଉକିଟାକୁ ସମ୍ମୁଖ ଆଡ଼କୁ ଟିକିଏ ଟାଣିଆଣିଲେ । ନୂଆଭାବେ କୌଣସି ଗୋଟିଏ ପ୍ରମାଣ କୋର୍ଟ ନିକଟରେ ଉପସ୍ଥାପିତ କରାଯାଇଛି । ମୋକଦ୍ଦମାଟିକୁ ନୂତନ ଦୃଷ୍ଟିକୋଣରୁ ଦେଖାଇ ଦିଆଯାଉଛି ।

ରାୟ କହି ଚାଲିଲେ—ଏଇ ରେକର୍ଡଟି ଶୁଣିଲେ ନିଃସନ୍ଦେହରେ ବୁଝାଯାଏ ଯେ, ସାକ୍ଷୀ ଉତ୍ତମା, ଆସାମୀ ଦେବଳକୁ ଗଭୀର ଭାବେ ଭଲପାଏ । ଏକାବେଳେକେ ଆତ୍ମଭୁଲା ହୋଇ ତାହାରି ନିକଟରେ ନିଜର ସର୍ବସ୍ୱ ଓଜାଡ଼ି ଦେବାକୁ ସେ ଚାହେଁ ।

 

ସଙ୍ଗେ ସଙ୍ଗେ ବିଚାରକ ବାଧାଦେଇ କହିଲେ—ଠିକ୍ କଥା । ସେଇଥିପାଇଁ ଆସାମୀ ସାକ୍ଷୀଘରକୁ ଆସିଥିଲେ ଏବଂ ସିପାହୀକୁ ଖୁନ୍ କରିଛନ୍ତି । ହୁଏତ ଅନ୍ୟଲୋକକୁ ସାକ୍ଷୀ ଘରେ ଦେଖି ହିଂସା ହୋଇଛି । ଅବଶ୍ୟ ସିପାହୀଟାର କୌଣସି ଖରାପ ମତଲପ୍ ଥିବାର ଦେଖି ତାକୁ ମାରିଦେଇ ପାରିଥାଏ । ତାହା ଖୁନ୍ (ମଡ଼ର) ନ ହେଲେ ବି ନରହତ୍ୟା (ମ୍ୟାନ୍ ସ୍ଳଟର) ।

 

ରାୟ କହିଲେ—କିନ୍ତୁ ଦୁଃଖର ବିଷୟ ହେଲା, ଆମେ ପ୍ରମାଣ ପାଇନାହୁଁ ଯେ, ଆସାମୀ କେଉଁଠାକୁ ଏବଂ କେଉଁ ଘରକୁ ସାକ୍ଷୀ ପାଖକୁ ଆସିଥିଲେ । ଅବଶ୍ୟ ବଙ୍ଗାଳୀ ବୋଲି ପ୍ରମାଣ ହେଉଛି; କିନ୍ତୁ ଅନେକ ଆଧୁନିକ ଇଂରେଜ ନବିଶ୍ ଲୋକ ଆଜିକାଲି ଧୋତିଟାକୁ ତେତେ ପସନ୍ଦ କରନ୍ତି ନାହିଁ । ତେଣୁ କଲେଜରେ ପଢ଼ୁଥିବା ସାକ୍ଷୀ ତା ମନର ବାସନା ପ୍ରକାଶ କରିଛନ୍ତି, ନିଜର ପ୍ରେମାସ୍ପଦକୁ ଧୋତି ବଦଳରେ ବୀର ବେଶରେ ସାଜିଥିବାର ଦେଖି । ମି: ଲର୍ଡ଼ ! ଏଇଠାରେ ଆଧୁନିକ ବଙ୍ଗାଳୀ ତରୁଣ ତରୁଣୀଙ୍କର ଗୋଟାଏ ପରିହାସ ଉଲ୍ଲେଖ କରିବାକୁ ଚାହେଁ-। ବେସାମରିକ ତରୁଣମାନେ କହୁଛନ୍ତି ଯେ, ଯୁଦ୍ଧର ଦୌଲତରେ ବିବାହ ବା ପ୍ରେମର ବଜାରରେ ସେମାନେ ପ୍ରାଣ ହରାଇଛନ୍ତି । ଅର୍ଥାତ୍ ତରୁଣୀମାନେ ଇଉନିଫର୍ମ ପିନ୍ଧା ମସ୍କେଟ୍‍ଧାରୀ ସାମରିକ ତରୁଣମାନଙ୍କ ଗଳାରେ ବରଣମାଳା ଗଳାଇ ଦେବାକୁ ପସନ୍ଦ କରୁଛନ୍ତି ।

 

ଏ ପର୍ଯ୍ୟନ୍ତ କହିସାରି ମି: ରାୟ ସମସ୍ତଙ୍କ ଦୃଷ୍ଟିର ଅନ୍ତରାଳରେ ଥରେ ମିତାଆଡ଼କୁ ଦୃଷ୍ଟି ପକାଇଲେ । ଦେଖିଲେ, ମିତା ମଧ୍ୟ ରାୟଙ୍କ ଆଡ଼କୁ ନିର୍ନିମେଷ ନୟନରେ ଚାହିଁରହିଛି ।

 

ଉତ୍ତମା ମଧ୍ୟ ରାୟଙ୍କ ଆଡ଼କୁ ଅନାଇଁ ରହିଛି । ରାୟ କେଉଁ ଦିଗକୁ ମୋକଦ୍ଦମାର ମୋଡ଼ ଘୂରାଇବାକୁ ଯାଉଛନ୍ତି, ସେ କଥାଟି ବୁଝାପଡ଼ୁ ନାହିଁ । କିନ୍ତୁ ତାଙ୍କର ଜେରା ଏବଂ ଥଟ୍ଟା, କୌଣସି କଥାଟି ବର୍ତ୍ତମାନ ଖୁବ୍ ବେଶି ଶତ୍ରୁତାବ୍ୟଞ୍ଜକ ବୋଲି ମନେହେଉ ନାହିଁ ।

 

ପ୍ରେସିଡେଣ୍ଟ ପ୍ରଶ୍ନ କଲେ—ଅର୍ଥାତ୍ ?

 

ଅର୍ଥାତ୍ ଅତି ପରିଷ୍କାର, ମି: ପ୍ରେସିଡେଣ୍ଟ । ସାକ୍ଷୀ ଆସାମୀର ପ୍ରେମରେ ଏକାବେଳକେ ଉବୁଡ଼ବୁ ହେଉଛି । ଯାହାକୁ ସେମାନେ ଭଲପାଇବେ, ତାକୁ ବୀରବେଶରେ ଦେଖିବା ପାଇଁ ସାରା ବିଶ୍ଵର ଝିଅମାନେ ସାଧନା କରିଥାଆନ୍ତି । ସାକ୍ଷୀର ଏଭଳି ମନୋବାଞ୍ଛା ଅତି ସ୍ୱାଭାବିକ କଥା ।

 

ସମସ୍ତେ ଦେଖିଲେ, ସୁବେଦାର ମେଜର ତା ନିଶ ଯୋଡ଼ାକର ପ୍ରାନ୍ତଦେଶକୁ ମନଖୁସିରେ ମୋଡ଼ିବାରେ ଲାଗିଛି । ବୀରପୂଜା କଥା ଶୁଣି ତାହାର ଛାତି ଫୁଲିଉଠୁଛି । ମୁଣ୍ଡ ଉପରେ ଥିବା ସୁନେଲିରଙ୍ଗର ଉଚ୍ଚା ଟୋପରଟିର ଚାରିପାଖରେ ଦଶଗଜ ଲମ୍ବର ଭଙ୍ଗା ହୋଇଥିବା ମଲମଲ କନା ପଗଡ଼ିଟା ତାକୁ ଆହୁରି ବେଶି ଲମ୍ବା କରିଦେଇଛି ।

 

ରାୟଙ୍କୁ ପଚରାଗଲା—ତା ବି କୁହନ୍ତୁ ମାନି ନିଆଗଲା, କିନ୍ତୁ ଏଥିରେ ବା କ’ଣ ପ୍ରମାଣ ହେଉଛି ?

 

କିଛି ପ୍ରମାଣ ହେଉନାହିଁ, ମି: ଲର୍ଡ଼ । ଆମ ଆଡ଼ୁ ମୋକଦ୍ଦମାଟି ବଡ଼ କଚ୍ଚା ବୋଲି ମାଲୁମ ହେଉଛି । ଅଥଚ ଆଉ କୌଣସି ନୂତନ ସାକ୍ଷୀ ବା ପ୍ରମାଣ ନାହିଁ । ତେଣୁ ଆଜିକା ପାଇଁ ଯଦି ମୋକଦ୍ଦମାଟା ମୁଲୁତବି ରଖିବାର ହୁକୁମ ହୁଏ, ତେବେ କାଲି ସକାଳେ ମୁଁ ସରକାର ତରଫରୁ ଶେଷ ସବାଲ ଜବାବ ଦେବି । ତାପରେ କୋଟ, ନିଜର ରାଏ ଠିକ୍ କରିନେବେ । ମୁଁ କେବଳ ଗୋଟିଏ ମାତ୍ର ଶେଷ ପ୍ରଶ୍ନ ପଚାରି ଏହି ଶେଷ ସାକ୍ଷୀଙ୍କୁ ଛାଡ଼ିଦେବାକୁ ଚାହେଁ ।

 

ପୁଣିଥରେ ପାଶନେ ଚଷମାଟିକୁ ଆଖି ଉପରକୁ ଉଠାଇ କର୍ଣ୍ଣେଲ ରାୟ ଉତ୍ତମାକୁ ପଚାରିଲେ—ସାକ୍ଷୀ, ଆପଣ ସତକରି କୁହନ୍ତୁ, ପ୍ରଥମଦିନ ଦେଖିବାମାତ୍ରେ ହିଁ ଆପଣ ଆସାମୀକୁ ଭଲପାଇଛନ୍ତି । ସେଥିପାଇଁ ତାଙ୍କୁ ଘୋଡ଼େଇ ରଖିବାକୁ ଚେଷ୍ଟା କରୁଛନ୍ତି । ନା,ତାଙ୍କ ଅତୀତ ଇତିହାସ କିଛି ଜାଣିଶୁଣି ତାଙ୍କୁ ଭଲ ପାଇଥିଲେ ? ସେ ଶତ୍ରୁପକ୍ଷର ଲୋକ କି ନା, ଏ ସମ୍ବନ୍ଧରେ ସବୁଠାରୁ ବଡ଼ ପ୍ରମାଣ ଆପଣ ହିଁ ଦେଇପାରିବେ ।

 

ଅତି କରୁଣ ଭାବେ ଉତ୍ତମା ଚାରିଆଡ଼କୁ ଚାହିଁଲା । ତାର ସେହି ବେପରୁଆ ଦୁଃସାହସିକ ବୁଦ୍ଧିରେ ଆଉ “ଯୁଦ୍ଧଂଦେହ” ଭାବ ନାହିଁ । ସେ ରାୟ ଆଡ଼କୁ ଚାହିଁଲା । ତାର ଆଖି ମିତାକୁ ଅନୁସରଣ କରୁଚି, ମିତାର ଦୃଷ୍ଟି ଅନୁସରଣ କରୁଚି ଦେବଳ ଆଡ଼କୁ ।

 

ତାପରେ ଆଉ ସେ ଚାହିଁପାରିଲା ନାହିଁ । ଧୀରେ ଧୀରେ ମୂର୍ଚ୍ଛିତ, ହୋଇ ମାଟି ଉପରେ ଲୋଟିପଡ଼ିଲା ।

 

ଊଣାଇଶ

 

ରାତିକ ଭିତରେ ଏକ ରୂପାନ୍ତର ?

 

ପରଦିନ କୋଟ ମାର୍ଶାଲରେ ସମସ୍ତେ ରାୟଙ୍କ ଚେହେରା ଦେଖି ଚମକି ପଡ଼ିଲେ । ମୁଣ୍ଡ ଉପରର ବାଳତକ ରୁକ୍ଷ, ଶୁଷ୍କ । ରାତିକ ଭିତରେ ଆଖି ଖୋଳା ଖୋଳା ପଶି ଯାଇଚି । ନିଜ ପୋଷାକର ସାମାନ୍ୟ ଟିକିଏ ତୃଟି ଦେଖିଲେ ଯିଏ ବ୍ୟସ୍ତ ହୋଇ ପଡ଼ନ୍ତି, ତାଙ୍କରି ପୁଣି ଏତେ ଆଲୁରା ଚେହେରା ? ଏଭଳି ଅଯତ୍ନ ବେଶଭୂଷା ?

 

ପ୍ରେସିଡେଣ୍ଟ ଇଚ୍ଛା ପ୍ରକାଶ କରି କହିଲେ—ପ୍ରସିକ୍ୟୁଟରଙ୍କ ଶରୀର ଯଦି ଖରାପ ଥାଏ, ତେବେ ମକଦ୍ଦମାଟା ମୁଲତୁବି ରଖାଯାଇପାରେ ।

 

ରାୟ କିନ୍ତୁ ତରତର ହୋଇ କହିଉଠିଲେ—ତାଙ୍କର ଶରୀର ଠିକ ଅଛି । ମକଦ୍ଦମାଟା ଏତେ ଜଟିଳ ଯେ ସେ ସାରାରାତି ଜାଗିରହି ଆଇନବହି ଏବଂ ନଥି ପତ୍ର ପଢ଼ିବାରେ ଲାଗିଚନ୍ତି । ଜରୁରୀ ଯୁଦ୍ଧ ଅବସ୍ଥା ମଧ୍ୟରେ ମକଦ୍ଦମାଟାକୁ ଆଜି ଶେଷ କରିଦେବା ଉଚିତ ।

 

ମିତା ! ମିତା ! ତାର ଆଖି ଦୁଇଟି ରାୟଙ୍କ ଚାରିଆଡ଼େ ଘୂରିବୁଲୁଚି । ବକ୍ତୃତା ଦେବାକୁ ଉଠିଲେ ମଧ୍ୟ ରିହାତି ନାହିଁ । ରାୟ କପାଳ ଉପରେ ଜମି ଯାଇଥିବା ଝାଳ ପୋଛିବା ବାହାନାରେ ରୁମାଲଧରି ଆଖି ଦୁଇଟି ପୋଛୁଚନ୍ତି, ତା ପରେ ସାହସକରି ସଳଖଭାବେ ମିତା ଆଡ଼କୁ ଚାହିଁ ନେଉଚନ୍ତି ।

 

ତାପରେ ଆରମ୍ଭହେଲା, ବେସାମରିକ ଜୀବନର ଡ୍ରଇଁରୁମ ଓ ସାମରିକ ଜୀବନର ମେସରୁମର ବୀର ପୁରୁଷର ବକ୍ତୃତା । ସେ ଗୋଟିଏ ନୂତନ ଲୋକ । ନୂତନ ବିଦ୍ୟା ଓ ନୂତନ ଦୃଷ୍ଟିଭଙ୍ଗିରେ ଅନୁପ୍ରାଣିତ ହୋଇ ପଡ଼ିଚନ୍ତି । ବକ୍ତୃତା ଦେଉ ଦେଉ ସେ ଗୋଟିଏ ଜାଗାରେ ସ୍ୱୀକାର କରି ପକାଇଲେ—ମି. ପ୍ରେସିଡେଣ୍ଟ, ଏ ମକଦ୍ଦମାରେ ସରକାର ପକ୍ଷର ପ୍ରମାଣ ଓ ବକ୍ତବ୍ୟ ମନମଧ୍ୟରେ ଆଲୋଚନା କରୁ କରୁ ମୁଁ ଗୋଟିଏ ନୂତନ ଆଲୋକ ଦେଖିବାକୁ ପାଇଚି । ତହିଁରେ କେବଳ ମନର ନୁହେଁ, ନିଃରସ ପଥରଭଳି କଠିନ ଆଇନରେ ମଧ୍ୟ ବହୁ ଅନ୍ଧାରିଆ କୋଣରେ ମୁଁ ନୂତନ ଆଲୋକ ଦେଖିବାକୁ ପାଉଚି । ଆପଣମାନଙ୍କୁ ମଧ୍ୟ ତହିଁରେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କରୁଚି ।

 

—ମି. ପ୍ରେସିଡ଼େଣ୍ଟ, ମୁଁ ଏତେବେଳଯାକେ ସାକ୍ଷୀମାନଙ୍କର ଜମାନବନ୍ଦୀକୁ ସରକାର ପକ୍ଷର ଦୃଷ୍ଟିକୋଣରୁ ତନ୍ନ ତନ୍ନ ଭାବେ ପରୀକ୍ଷା କରି ସାରିଚି; କିନ୍ତୁ ଅତି ଦୁଃଖର ସହିତ ସ୍ୱୀକାର କରିବାକୁ ବାଧ୍ୟ ହେଉଚି ଯେ, ଠିକ୍ ତଳେ ବନ୍ଧା ହୋଇଥିବା ସେଣ୍ଟ୍ରିକୁ ଆସାମୀ ଯେ ବାନ୍ଧି ପକାଇଚି, ତାହାର କୌଣସି ପ୍ରମାଣ ନାହିଁ । ସେଣ୍ଟ୍ରି ପକ୍ଷରୁ ମଧ୍ୟ କୌଣସି ସମର୍ଥନ ନାହିଁ । ଏପରିକି ଓଆକ୍. ଆଇ. ଜୁନିଅର କମାଣ୍ଡରର ସାକ୍ଷ ମଧ୍ୟରେ କୌଣସି ପ୍ରମାଣ ମିଳୁନାହିଁ । ସେ ଜଣେ ଦାୟିତ୍ଵପୂର୍ଣ୍ଣ ଅଫିସର । ମିଲଟାରୀ ପକ୍ଷର ଅତି ଗୋପନତମ କାର୍ଯ୍ୟ ସେ କରନ୍ତି । ସେ ନିଜେ ଆସାମୀକୁ ଦେଖି ନାହାନ୍ତି କିମ୍ବା ତାଙ୍କ ସାଉଣ୍ଡ ଲେଭଲ ମିଟର ଯନ୍ତ୍ରରେ କୌଣସି ଆବାଜ ଧରା ପଡ଼ିନାହିଁ । ତେଣୁ ଦ୍ଵିତୀୟଦଫା ଚାର୍ଜ ଆସାମୀ ବିରୁଦ୍ଧରେ ପ୍ରମାଣ ହୋଇ ପାରୁନାହିଁ ।

 

ବର୍ତ୍ତମାନ ତୃତୀୟ ଅଭିଯୋଗର ମଧ୍ୟ କୌଣସି ପ୍ରମାଣ ନାହିଁ । ଆସାମୀକୁ ଗ୍ରାମ ମଧ୍ୟରେ ପ୍ରବେଶ କରିବାର କେହି ଦେଖିନାହିଁସାକ୍ଷୀ ଉତ୍ତମା ଘରେ ମଧ୍ୟ ଦେଖି ନାହିଁ । ମରା ମରି କରିବାର ମଧ୍ୟ ଦେଖିନାହିଁ । ଏ ବିଷୟରେ ଆମ୍ଭମାନଙ୍କର ଭରସାଥିଲା ଉତ୍ତମା । ମାତ୍ର ସେ ସୃଷ୍ଟିଭାବେ କହିଚିଯେ, ଗୋଟିଏ ପୋଖରୀରେ ଲାସ ଏବଂ ଆଉ ଗୋଟିଏ ପୋଖରୀରେ ଆଇ ଏନ. ଏ. ପୋଷକ, କୌଣସି ସୂତ୍ରର ପ୍ରମାଣ କରିପାରେ ନାହିଁ । ତେଣୁ ଆସାମୀକୁ ଏ ଦଫାରେ ମଧ୍ୟ ଆମ୍ଭେମାନେ ଜଡ଼ିତ କରି ପାରୁନାହୁଁ । ଗୁପ୍ତଚର ହିସାବରେ କୌଣସି ଚାର୍ଜ ଅଣା ଯାଇ ନାହିଁ-। ଅତଏବ ସେ ସମ୍ବନ୍ଧରେ ଆଲୋଚନା କରି କୋର୍ଟର ସମୟ ନଷ୍ଟ କରିବାକୁ ମୁଁ ଚାହେଁ ନାହିଁ-

 

ବର୍ତ୍ତମାନ ବାକି ରହିଲା ପ୍ରଥମଦଫା—ରାଜଦ୍ରୋହ, ସବୁଠାରୁ ଏଇଟି ବଡ଼ ଅପରାଧ । ମି. ପ୍ରେସିଡେଣ୍ଟ, ଏ ଅପରାଧ ଯଦି ପ୍ରମାଣ ହୋଇପାରେ, ତେବେ ଆସାମୀର କୌଣସି ରିହାତି ନାହିଁ । ମୁଁ ନିଶ୍ଚୟ ତାର ପ୍ରାଣଦଣ୍ଡ ଚାହିଁବି । ହଁ ପ୍ରାଣଦଣ୍ଡ—ଏକଥା କହୁ କହୁ ରାୟ ମିତା ଆଡ଼କୁ ଚାହିଁଲେ । ଗୋଟିଏ ପାଂଶୁଳ ମୁଖ ଏବେବି ଆଶାନ୍ୱିତା ।

 

ବ୍ରିଟିଶ ପ୍ରେସିଡ଼େଣ୍ଟ ବାଧାଦେଲେ—ଲର୍ଣେଡ଼୍ ପ୍ରସିକ୍ୟୁଟର, ଆପଣ ବିଚଳିତ ହୋଇ ଉଠନ୍ତୁ ନାହିଁ । ଶାସ୍ତି କଥା ବାରମ୍ବାର କହୁଚନ୍ତି । ଆଗେ ଦୋଷ ସମ୍ବନ୍ଧରେ କହନ୍ତୁ ।

 

—ସେଇକଥାହିଁ କହିବାକୁ ଯାଉଚି, ମି. ପ୍ରେସିଡେଣ୍ଟ । ରାଜଦ୍ରୋହ କାହାକୁ କହନ୍ତି, ସେକଥା ‘ଇଣ୍ଡିଆନ ପେନାଲକୋଡ଼ରେ’ ଖୋଲା ଖୋଲି ଭାବେ ରଖାଯାଇଚି । ରାଜା ବିରୁଦ୍ଧରେ ଯୁଦ୍ଧ କରିବା ଅପରାଧ । ରାଜ୍ୟ କାହାର ? ଇଂରେଜର; କିନ୍ତୁ ଆମେ ଦେଖୁଚୁଁ ଯେ ଇଂରେଜ ସାମ୍ରାଜ୍ୟ ବିରୁଦ୍ଧରେ ଆଜାଦ୍ ହିନ୍ଦ୍ ସରକାର ଯୁଦ୍ଧ ଘୋଷଣା କରିଚି । ତହିଁର ଅନେକ ପ୍ରମାଣ ମୁଁ ପ୍ରଥମେ କୋର୍ଟରେ ଦାଖଲ କରିଚି । ଆନ୍ତର୍ଜାତିକ ଆଇନର ଖୁବ୍ ବଡ଼ ପଣ୍ଡିତ ଓପେନ୍ ହାଇନ୍ ଲେଖିଚନ୍ତି ଯେ—ଯଦି ଆଇନ ଅନୁସାରେ ଯୁଦ୍ଧ ଘୋଷଣା କରାହୁଏ, ତେବେ ଯେଉଁମାନେ ଗୋଟାଏ ହିସାବରେ ବିଦ୍ରୋହୀ ହୋଇ ଥାଆନ୍ତେ, ସେଇମାନେ ଆନ୍ତର୍ଜାତିକ ନିୟମର ସୀମା ଭିତରକୁ ଆସିଯିବେ । ଉଣେଇଶ ଶହ ସତର ଖ୍ରୀଷ୍ଟାବ୍ଦରେ ପୋଲିସ (ପୋଲାଣ୍ଡର) ନେସନାଲ୍ ଆର୍ମିକୁ ସେତେବେଳର ମିତ୍ରପକ୍ଷ ‘ବେଲିଜାରେଣ୍ଟ’ ଅର୍ଥାତ୍ ‘ଯୋଦ୍ଧା ପକ୍ଷ’ ବୋଲି ସ୍ୱୀକାର କରିଥିଲେ । ଉଣେଇଶ ଶହ ଅଠର ଖ୍ରୀଷ୍ଟାବ୍ଦରେ ପ୍ରଥମ ମହାଯୁଦ୍ଧ ସମୟରେ ଇଂରେଜ, ଆମେରିକାନ, ଫରାସୀ ପ୍ରଭୃତି ସମସ୍ତେ ଚେକୋଶ୍ଲୋଭାକ୍ ବିଦ୍ରୋହୀ ମାନଙ୍କୁ ଯୋଦ୍ଧା ପକ୍ଷ ବୋଲି ସ୍ୱୀକାର କରିଥିଲେ ।

ଏଭଳି ନୂଆ ଧରଣର ବିତର୍କ ଦେଖି ପ୍ରେସିଡେଣ୍ଟ ଅବାକ ହୋଇଗଲେ । ପ୍ରଶ୍ନକଲେ—ତା ହେଲେ ?

ରାୟ କହି ଚାଲିଲେ—ତା ହେଲେ ମି. ଲଡ଼, ଆସାମୀ ବା ଆଇ. ଏନ. ଏ. ର କୌଣସି ଯୋଦ୍ଧା ବିଦ୍ରୋହୀ ନୁହେଁ । ୧୯୧୭ ର “ବ୍ରିଟିଶ ଇଅରବୁକ୍ ଅଫ ଇଣ୍ଟର ନେସନାଲ ଲ” ରେ ଲେଖାଅଛି ହେଇ ଦେଖନ୍ତୁ—ଯୋଦ୍ଧା ବୋଲି ସ୍ଵୀକାର କରିବା ମାନେ ହେଲା ଆଇନ ଅନୁସାରେ ଯୁଦ୍ଧରେ ଅଂଶ ଗ୍ରହଣ କରିଛି ଏଇକଥା ସ୍ୱୀକାର କରିବା । ଜାପାନୀମାନେ ଆଜାଦ୍ ହିନ୍ଦ୍ ଦଳକୁ ଗଭର୍ଣ୍ଣମେଣ୍ଟ ବୋଲି ସ୍ୱୀକାର କରିଛନ୍ତି । ସବୁ ‘ଆକ୍ସିସ୍’ ପକ୍ଷ ମଧ୍ୟ ସ୍ଵୀକାର କରିଛନ୍ତି । ସୁତରାଂ ଆସାମୀକୁ କି ପ୍ରକାରେ ରାଜଦ୍ରୋହୀ ବୋଲି ପ୍ରମାଣ କରିବି ଭାବି ଠିକ୍ କରି ପାରୁ ନାହିଁ ।

ପ୍ରେସିଡ଼େଣ୍ଟ ଆଶ୍ଚର୍ଯ୍ୟ ହୋଇଗଲେ । ଅଧିକ ପରିମାଣରେ କ୍ରୋଧ ଦେଖାଇଲେ ସହକାରୀ ଭାରତୀୟ ବିଚାରକ । ଚିତ୍କାର କରି ଉଠି କହିଲେ—କଅଣ, ଏଭଳି ବେଇମାନୀ କଥା ଦିଲ୍ଲୀରେ ଥିବା ଆର୍ମି ହେଡ଼ କ୍ୱାଟରକୁ ସଙ୍ଗେ ସଙ୍ଗେ ରିପୋଟ କରି ଦେବୁଁ ।

 

ଅତି ବିନୀତଭାବେ ‘ବାଓ’ କରି ପ୍ରସିକ୍ୟୁଟର କହିଲେ—ତା ଅବଶ୍ୟ କରିବା ଉଚିତ ମି: ଲର୍ଡ଼ । କିନ୍ତୁ ଆଇନ ଚିରକାଳ ହିଁ ଆଇନ । ଆମମାନଙ୍କ ଇଚ୍ଛା, ଉଦ୍ଦେଶ୍ୟ ବା ସୁବିଧା ମାଫିକ ନୋହିଲେ ବି ସେ ଆଇନ । ନିଜ ଆଡ଼ୁ ମୁଁ ସେ ସମ୍ବନ୍ଧରେ ପ୍ରସ୍ତାବ ଆଣୁଚି । କିନ୍ତୁ ତା ପୂର୍ବରୁ ମୋର ଯାହା ବକ୍ତବ୍ୟ, ତାହା ଆଇନସଙ୍ଗତ ନା ବେଆଇନ, ସେତକ ବିଚାର କରିବାକୁ ହେବ । ସେହି ଅନୁସାରେ ଆପଣଙ୍କୁ ରାୟ ଦେବାକୁ ପଡ଼ିବ ।

 

—ଆଚ୍ଛା, ବେଶ, କହନ୍ତୁ ।

 

—ମି. ପ୍ରେସିଡ଼େଣ୍ଟ, ମୁଁ ଆସାମୀ ପରି ମରାଲ ବା ଇମ୍ମୋସନାଲ କାରଣର କଥା ଉଠାଉ ନାହିଁ । କର୍ଣ୍ଣେଲ ହଣ୍ଟ ଭାରତୀୟ ଦଳଙ୍କୁ ଜାପାନୀମାନଙ୍କ ହାତରେ ସମର୍ପଣ କରିଦେବାର ଅର୍ଥ, ସେମାନଙ୍କର ସମ୍ରାଟଙ୍କ ନିକଟରେ ଶପଥର ଦାୟିତ୍ୱରୁ ମୁକ୍ତି, କି ନାହିଁ, ସେ ବିଷୟରେ ତର୍କ କରିବାକୁ ମୁଁ ଚାହେଁନାହିଁ । ତା କରିବେ ଡିଫେନ୍‍ସ ପକ୍ଷ; କିନ୍ତୁ ପ୍ରସିକ୍ୟୁସନ ପକ୍ଷରୁ ମୁଁ ମୁଷ୍କିଲରେ ପଡ଼ିଚି । ବିରାଟ ପ୍ରାମାଣିକ ପଣ୍ଡିତ ‘ପିଟ୍ କବେଟ’ ଲେଖିଛନ୍ତି ଯେ, ଆନ୍ତର୍ଜାତିକ ଯୁଦ୍ଧ ହୁଏ ଦୁଇଟା ରାଷ୍ଟ୍ରର ସୈନ୍ୟଦଳ ମଧ୍ୟରେ, ଅଥବା ଗୋଟାଏ ରାଷ୍ଟ୍ର ଏବଂ ଯୁଦ୍ଧରତ ଗୋଟାଏ ସମାଜ ମଧ୍ୟରେ । ହ୍ୱିଟ୍ନିଙ୍କ ଇଣ୍ଟରନ୍ୟାସନାଲ ଲ ବହିରେ ଲେଖାଅଛି ଯେ, ଆନ୍ତର୍ଜାତିକ ଅନ୍ୟାୟ ଦମନ କରିବାପାଇଁ କୌଣସି ଆନ୍ତର୍ଜାତିକ କର୍ତ୍ତୃପକ୍ଷ ଯଦି ନଥାଆନ୍ତି, ତାହାଲେ ଯୁଦ୍ଧକୁ ଇଣ୍ଟରନ୍ୟାସନାଲ ଲ ବେଆଇନ ବୋଲି ମନେକରେ ନାହିଁ । ଏ ସମ୍ବନ୍ଧରେ ଆମେରିକା ପ୍ରେସିଡେଣ୍ଟ୍ ଆବ୍ରାହାମ ଲିଙ୍କନଙ୍କ ଘୋଷଣା ପଢ଼ି ଶୁଣାଉଚି ।

 

—ବାଉଁଶ ଅପେକ୍ଷା କଣିଟି ବେଶି ଟାଣ । କୋର୍ଟର ଜଣେ ଦେଶୀ ଜଜ ବାଧାଦେବାକୁ ଯାଇ କହିଲେ ସାରାଦୁନିଆ ଲିଙ୍କନକୁ କ୍ରୀତଦାସପ୍ରଥା ଉଠାଇ ଦେଇଥିବାରୁ ଶ୍ରଦ୍ଧା କରିପାରନ୍ତି; କିନ୍ତୁ ସେଥିପାଇଁ ବ୍ରିଟିଶ କୋର୍ଟ ମାର୍ସାଲରେ ତାଙ୍କ ଅଭିମତ କେତେଦୂର ମାନିବା ଉଚିତ ସେ ସମ୍ବନ୍ଧରେ ମୋର ସନ୍ଦେହ ଅଛି ।

 

ମୁଣ୍ଡ ନୁଆଇଁ କୋର୍ଟପ୍ରତି ସମ୍ମାନ ଦେଖାଇ ରାୟ କହିଲେ—ମି.ଲର୍ଡ଼, ଆଇନ ଚିରକାଳ ହିଁ ଆଇନ, ସାରା ଜଗତବ୍ୟାପୀ । ତା ଉପରେ ଏଇଟା ହେଲା—ଆନ୍ତର୍ଜାତିକ ଆଇନ । ଏ ନଜିରକୁ ବାତିଲ ଅଥବା ଅଗ୍ରାହ୍ୟ କରିବା ଭଳି ଯଦି ଖେଳ ନହୁଏ, ତେବେ ସବୁ ଅଦାଲତକୁ ତାହା ମାନିବାକୁ ପଡ଼ିବ । ବ୍ରିଟିଶ କୋର୍ଟ ମାର୍ସାଲ ମଧ୍ୟ ସେ ସୀମା ବାହାରକୁ ଯାଇପାରିବେ ନାହିଁ ।

 

ବ୍ରିଟିଶ ପ୍ରେସିଡେଣ୍ଟ ଇତସ୍ତତଃ କରିବାକୁ ଲାଗିଲେ । ସତକଥା ତ ! ତା ଉପରେ ଆମେରିକା ହେଉଚି ବ୍ରିଟିଶର ବଡ଼ଭାଇ । କେବଳ ‘ବିଗ୍‍ବ୍ରଦର’ ନୁହେଁ । ବଞ୍ଚିରହିବା ପାଇଁ ଯେଉଁମାନେ ସାହାଯ୍ୟ କରିଚନ୍ତି, ସେହିମାନଙ୍କର ପ୍ରେସିଡେଣ୍ଟ ଲିଙ୍କନ ।

 

ପ୍ରସିକ୍ୟୁଟରଙ୍କୁ ଲିଙ୍କନଙ୍କ ଘୋଷଣା ପଢ଼ି ଶୁଣାଇବାକୁ କହିଲେ । ରାୟ କିନ୍ତୁ ସେତିକିରେ ରହିଲେ ନାହିଁ । ସେତକ ପଢ଼ିସାରିଲା ପରେ କହିଲେ—ମି:ଲର୍ଡ଼, ଆପଣମାନଙ୍କ ମନରେ ଯଦି କୌଣସି ସନ୍ଦେହ ଥାଏ ଯେ—ଆନ୍ତର୍ଜାତିକ ଆଇନ୍‍ ରେ ଆମେରିକାନ ବ୍ୟାଖ୍ୟା ବ୍ରିଟିଶ କୋର୍ଟ ପକ୍ଷେ ଯଥେଷ୍ଟ ନୁହେଁ; ତେବେ ବର୍ତ୍ତମାନ ମୁଁ ବ୍ରିଟିଶ ପରରାଷ୍ଟ୍ରମନ୍ତ୍ରୀ ଆଣ୍ଟୋନି ଇଡ଼େନଙ୍କ ନଜିର ଦେଉଛି । ସେ ନିଜ ପାର୍ଲାମେଣ୍ଟରେ କହିଛନ୍ତି ଯେ ବ୍ରିଟେନ ବିରୁଦ୍ଧରେ ଆମେରିକା ଯେତେବେଳେ ସ୍ୱାଧୀନତା ଘୋଷଣା କରି ଯୁଦ୍ଧ କଲା, ତେତେବେଳେ ଆମେରିକାର ସୈନ୍ୟମାନେ ବିଦ୍ରୋହୀ ନୁହଁନ୍ତି, ଏବଂ ଯୋଦ୍ଧା ବୋଲି ଇଂରେଜ ଆଇନ୍ ସ୍ୱୀକାର କରିଥିଲା । ଅର୍ଥାତ୍ ଆମେରିକାର ଲଢ଼େଇ କରିବା ଆନ୍ତର୍ଜାତିକ ଅଧିକାରକୁ ସ୍ୱୀକାର କରି ନଇଥିଲା । ସେହି ନଜିର ଅନୁସାରେ ଆଜାଦ ହିନ୍ଦ୍ ର ଏବଂ ତାର କର୍ଣ୍ଣେଲ୍ ଏହି ଆସାମୀର ମଧ୍ୟ ଆନ୍ତର୍ଜାତିକ ଅଧିକାର ଏବଂ ବଞ୍ଚିବାର ଦାବୀ ଦୁଇଟିଯାକ ଜାତ ହେଲା ।

 

କଣିଜର୍ଜ ଆଉ ସହିପାରିଲେ ନାହିଁ । ହଠାତ୍ କହିଉଠିଲେ—ବଟ୍ ଇଡ଼େନ୍ ଉଆଜ୍ ଏ ପଲିଟିସିଆନ୍ ।

 

ମୁଣ୍ଡ ନୁଆଇଁ ରାୟ ହସିଉଠି କହିଲେ—ସତ୍ୟ କଥା ମି: ଲର୍ଡ଼ । ଇଡ଼େନ୍ ହେଉଚନ୍ତି ରାଜନୀତିଜ୍ଞ । ପଲିଟିସିଆନମାନଙ୍କ କଥା ଅଦାଲତ ମାନିପାରେ; କିନ୍ତୁ ସେହି ପଲିଟିସିଆନ୍ ଯଦି ହେଡ଼୍ ଅଫ୍ ଦି ଗଭର୍ଣ୍ଣମେଣ୍ଟ ହୁଅନ୍ତି, ରାଜ୍ୟର ହର୍ତ୍ତାକର୍ତ୍ତା ହୁଅନ୍ତି, ସେତେବେଳେ ଆଇନର ସ୍ରଷ୍ଟା ହୁଅନ୍ତି ସେଇ । ଇଡ଼େନ୍‍ଙ୍କ କଥା ଯଦି ନ ଉଠୁଛି, ତେବେ ଏଇ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲଙ୍କ ଘୋଷଣା ମଧ୍ୟ ଶୁଣନ୍ତୁ ।

 

ଚର୍ଚ୍ଚିଲଙ୍କ ନାମ ଶୁଣିବା ସଙ୍ଗେ ସଙ୍ଗେ ଜଜ୍‍ମାନେ ଇତସ୍ତତଃ ହୋଇ ଏକାସାଙ୍ଗରେ ଚେୟାର ଛାଡ଼ି ଛିଡ଼ା ହୋଇଗଲେ । ସତେ ଯେପରି ପ୍ରଧାନମନ୍ତ୍ରୀଙ୍କ ଦୁନିଆବ୍ୟାପୀ ଚିହ୍ନା ଚୁରୁଟ୍ ଧୂଆଁ ତାଙ୍କ ତମ୍ବୁ ମଧ୍ୟରେ ଆସି ପହଞ୍ଚିଯାଇଛି ! ସେମାନେ ନିଜ ନିଜକୁ ସମ୍ଭାଳି ନେବାପରେ ପାର୍ଲିଆମେଣ୍ଟର ରେକର୍ଡ଼ ‘ହାନ୍ସାର୍ଡ଼’ ବହି ଖୋଲି, ରାୟ ତହିଁରୁ ନଜିରପଢ଼ି ଶୁଣାଇବାକୁ ଆରମ୍ଭ କରିଦେଲେ । ୧୯୩୭ ମସିହା ଏପ୍ରିଲ ୧୪ ତାରିଖର ପାର୍ଲିଆମେଣ୍ଟ ବକ୍ତୃତାରେ ଚର୍ଚ୍ଚିଲ ଘୋଷଣା କରିଥିଲେ ଯେ, ବିଦ୍ରୋହୀମାନେ ହାରିଯାଇ ପାରନ୍ତି । କିନ୍ତୁ ଯୁଦ୍ଧ ଘୋଷଣା କରିଛନ୍ତି ବୋଲି ସେମାନଙ୍କର ଯେଉଁସବୁ ବଞ୍ଚିବାର ଅଧିକାର ଏବଂ ଯେଉଁସବୁ ଅନ୍ୟ ଅଧିକାର ଥିବ, ସେଥିମଧ୍ୟରୁ କୌଣସିଟିରୁ ସେମାନଙ୍କୁ ବଞ୍ଚିତ କରାଯାଇ ପାରିବ ନାହିଁ । ପଢ଼ୁ ପଢ଼ୁ ଗୋଟିଏ ଜାଗାରେ ରାୟ ଥମ୍ବିଗଲେ । ଦୀର୍ଘନିଃଶ୍ୱାସ ଟାଣି ଛାତି ଫୁଲାଇ, ମୁଣ୍ଡ ଉଞ୍ଚାକରି ଠିଆହୋଇଗଲେ ଓ ଦ୍ରପ୍ତଭଙ୍ଗରେ କହିଲେ—ମି: ଲର୍ଡ଼, ଏତେଗୁଡ଼ିଏ ମୂଲ୍ୟବାନ ମତ ପଢ଼ି ଶୁଣାଇବା ପରେ ଆପଣମାନେ ନିଶ୍ଚୟ ସ୍ୱୀକାର କରିବେ ଯେ ଆସାମୀ ଦେବଳସିଂହକୁ ରାଜଦ୍ରୋହୀ ବୋଲି ପ୍ରମାଣ କରାଯାଇପାରିବ ନାହିଁ ।

 

କୋର୍ଟ ମାର୍ଶାଲର ବିଚାରକମାନଙ୍କର ମୁଣ୍ଡ ଘୂରାଇ ଗଲା ଜୀବନରେ ସେମାନେ କେବେହେଲେ ଏଭଳି ବିପଦରେ ପଡ଼ି ନ ଥିଲେ । ଏତେ ପାଣ୍ଡିତ୍ୟ, ଏତେ ବୁଦ୍ଧି, ଏତେ ଆଇନ ବିଦ୍ୟା ! ବନ୍ଧୁକର ଗୁଳି ଯେଉଁଠାରେ ଶେଷ, ବିଚାର ସେହିଠାରେ..... !

 

ମି: ପ୍ରେସିଡେଣ୍ଟ କରୁଣ ନୟନରେ ଚାହିଁ ପ୍ରଶ୍ନ କଲେ—ଲର୍ଣେଡ଼୍ (ପଣ୍ଡିତ) ପ୍ରସିକ୍ୟୁଟର, ଏଭଳି ଅବସ୍ଥାରେ ଆମ୍ଭମାନଙ୍କର କଅଣ କରିବା ଉଚିତ୍ ଆସାମୀକୁ ନିଶ୍ଚୟ ଛାଡ଼ି ଦିଆଯାଇ ପାରିବ ନାହିଁ । ଅଥଚ ଏଣେ....।

 

—ଅଥଚ ଏଣେ ଫାୟାରିଙ୍ଗ୍ ସ୍କୋୟାର୍ଡ଼ଟି ବାହାରେ ପ୍ରସ୍ତୁତ ହୋଇ ରହିଅଛି । ହଠାତ୍ କଣି ଜଜ କହିଉଠିଲେ—

 

—ଅବଶ୍ୟ, ଅବଶ୍ୟ, ମି: ଲର୍ଡ଼ । କିନ୍ତୁ ଫାୟାରିଂ ସ୍କୋୟର୍ଡ଼ଟିର ସୀମା ବାହାରେ ଅନେକ ଦୂରକୁ, ଅନେକ ଉଚ୍ଚକୁ ବ୍ୟାପିରହିଛି, ଇଣ୍ଟର ନାଶନାଲ୍ “ଲ” ।

 

ଆଜାଦ ହିନ୍ଦ୍ ସରକାର ସମ୍ବନ୍ଧରେ ଏହା ହିଁ ହେଲା ପ୍ରଥମ ମକଦ୍ଦମା । ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲଙ୍କର ଅଭିମତ ମାନିନେଲେ ଅବଶ୍ୟ ଆଜାଦ ହିନ୍ଦ୍ ଦଳକୁ ‘ବେଲିଜାରେଣ୍ଟ’ ଅର୍ଥାତ୍ ଯୋଦ୍ଧାପକ୍ଷ ବୋଲି ସ୍ୱୀକାର କରିବାକୁ ପଡ଼ିବ । ତାହାହେଲେ ମକଦ୍ଦମାଟାର ବର୍ଣ୍ଣ ସଂପୂର୍ଣ୍ଣ ରୂପେ ବଦଳିଯିବ । କାଲି ରାତିରେ ମୁଁ ବେତାର ଦ୍ୱାରା ଦିଲ୍ଲୀରେ ଥିବା ଆର୍ମି ହେଡ଼କ୍ଵାଟର୍ସକୁ ନିର୍ଦ୍ଦେଶ ମଗାଇ ପଠାଇଛି । ସେମାନେ ମଧ୍ୟ ଏ ସମ୍ବନ୍ଧରେ ସହଜେ କୌଣସି ଦିଗ୍‍ନିର୍ଦ୍ଦେଶ ଦେଇ ପାରୁଛନ୍ତି କି ନାହିଁ, ସନ୍ଦେହ ।

 

—ତା ହେଲେ, ତା ହେଲେ !

 

—ଆର୍ମି ଆକ୍ଟର ୯୮ ଧାରା ଅନୁସାରେ ଏହି ବିଚାରର ସମସ୍ତ କାଗଜପତ୍ର ଦିଲ୍ଲୀକୁ ପଠାଇ ଦେବାର ଅଧିକାର ଆପଣଙ୍କର ଅଛି; ତେଣୁ ଏ ମକଦ୍ଦମାରେ ଆସାମୀର କୌଣସି ଦୋଷ ବର୍ତ୍ତମାନ ସୁଦ୍ଧା ପ୍ରମାଣିତ ହୋଇନାହିଁ—ଏହି ରାୟ ଦେଇ ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ ମୁଲୁତୁବି ରଖିଦିଅନ୍ତୁ ।

 

—ତାହାହିଁ ଉଚିତ୍, ତାହାହିଁ ଉଚିତ । —ମି. ପ୍ରେସିଡ଼େଣ୍ଟ କହି ଉଠିଲେ । ଖାସ୍ ଇଂରେଜଙ୍କ ମନମଧ୍ୟରେ, ଇଂରେଜମାନଙ୍କ ପ୍ରଧାନ ମନ୍ତ୍ରୀ, ଜୀବନ ମରଣର ଶେଷ କର୍ଣ୍ଣଧାର ଚର୍ଚ୍ଚଲଙ୍କର ଆଇନ ବ୍ୟାଖ୍ୟା, ଭୀଷଣଭାବେ ଝଡ଼ ଉଠାଇ ଥିଲା । ଯୁଦ୍ଧ ଆକ୍ରମଣର ଗରମ ‘ଆବ ହାଉଆ’ ମଧ୍ୟରେ ଏତେ ବଡ଼ ଜଟିଳ ମକଦ୍ଦମାଟା ଥଣ୍ଡା ମସ୍ତିଷ୍କ ଘେନି ବିଚାର କରିବା ସମ୍ଭବ ନୁହେଁ-। ଶେଷବେଳକୁ ସେ କଅଣ ଆଉ ନିଜର ଶ୍ରେଷ୍ଠ ଅବିଚାର ପାଇଁ ଇତିହାସର କାଠଗଡ଼ା ମଧ୍ୟରେ ଆସାମୀ ବୋଲି ପ୍ରମାଣିତ ହେବେ ?

 

କଣି କିନ୍ତୁ ହଟିବାର ପାତ୍ର ନୁହନ୍ତି । ସେ କହି ଉଠିଲେ କିନ୍ତୁ ‘ଡେଶାରସନ୍’ । ଆସାମୀ ଯେ ଇଣ୍ଡିଆନ୍ ଆର୍ମି ଛାଡ଼ି ପଳାଇଥିଲା, ତାର ମଧ୍ୟ କିଛି ପ୍ରମାଣ ଅଛି ।

 

ଗଭୀର ଭାବେ ‘ବାଓ’ କରି ରାୟ କହିଲେ—ତା ଆଉ ହୁଏ ନାହିଁ, ମି. ଲର୍ଡ଼ । ପେନାଲକୋର୍ଡରେ ଲେଖା ଅଛି, ଗୋଟିଏ ଅପରାଧ ପାଇଁ ଦୁଇଥର ବିଚାର ହୋଇପାରେ ନା । ତେଣୁ ରାଜଦ୍ରୋହୀ ଯଦି ନହୁଏ, ତେବେ ସୈନ୍ୟଦଳ ଛାଡ଼ି ପଳାଇ ଯାଇଥିବା କଥା ଆଉ ନୂଆକରି ଉଠାଇବା ପ୍ରଶ୍ନ ଉଠୁନାହିଁ ।

 

କହୁ କହୁ ରାୟ ଅନ୍ୟମନସ୍କ ହୋଇଗଲେ ।

 

ମିତା ? —ତ’ରି ମିତା । ତା ସମ୍ବନ୍ଧରେ ବର୍ତ୍ତମାନ କଅଣ ଭାବିବ !

 

କୋଡ଼ିଏ

 

ଦିଲ୍ଲୀର ଲାଲ କିଲ୍ଲା ।

 

ନେତାଜୀ ଏହି ଲାଲକିଲ୍ଲାର ମୁଣ୍ଡ ଉପରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ଚାହିଁଥିଲେ । ତାହାଙ୍କର ବାହିନୀ ଧ୍ଵନି କରୁଥିଲେ—‘ଦିଲ୍ଲୀ ଚଲୋ, ଦିଲ୍ଲୀ ଚଲୋ ? ଦିଲ୍ଲୀ ଚଲୋ’ ।

 

ସେଇଠାକୁ ଦେବଳ ଆସିଛି । କିନ୍ତୁ ଜୟୀ ସେନାନୀ ଭାବେ ନୁହେଁ । ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ ଆସାମୀରୂପେ । ମକଦ୍ଦମାଟା ମୁଲୁତୁବି ରଖାଯିବାରୁ କିଛିଦିନ ପାଇଁ ପ୍ରାଣଟା ବଞ୍ଚିଗଲା । କିନ୍ତୁ ଏହାରି ମଝିରେ ତିନିଜଣ ଆଇ.ଏନ୍.ଏ. ଦଳର ବଡ଼ ଅଫିସରଙ୍କ ବିରୁଦ୍ଧରେ ବିଚାର ଆରମ୍ଭ ହୋଇଯାଇଛି । ସାହାନୱାଜ୍, ସାଇଗଲ୍ ଏବଂ ଧୀଲେନ୍‍ର ବିଚାର ଫଳାଫଳ ଉପରେ ଦେବଳର ଭାଗ୍ୟ ମଧ୍ୟ ନିର୍ଭର କରୁଛି । ଅସଲ ଅପରାଧ ଏ ସମସ୍ତଙ୍କର ପ୍ରାୟ ସମାନ । ଲାଲକିଲ୍ଲାର କୋର୍ଟମାର୍ଶାଲ ମେଜର ଜେନେରାଲ ସାହାନୱାଜ୍, କର୍ଣ୍ଣେଲ ସାଇଗଲ ଓ କର୍ଣ୍ଣେଲ ଧୀଲେନଙ୍କୁ ସମ୍ରାଟଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ଅପରାଧରେ ଦୋଷୀ ବୋଲି ସାବ୍ୟସ୍ତ କରିଛନ୍ତି । ସେଥିପାଇଁ ସେମାନଙ୍କୁ ଯାବତ୍‍ଜୀବନ ଦ୍ୱୀପାନ୍ତରର ଶାସ୍ତି ଦିଆଯାଇଛି । ବର୍ତ୍ତମାନ ପ୍ରଧାନ ସେନାପତି ଅଚିନଲେକଙ୍କ ପାଖକୁ ମକଦ୍ଦମାଟା ପଠାଯାଇଛି । ସେ ଏହି ରାୟରେ ଏକମତହେଲେ ଦଣ୍ଡହୁକୁମ ପକ୍କା ହୋଇଯିବ ।

 

ଏଥି ମଧ୍ୟରେ ସାରା ଦେଶରେ ବିରାଟ ଆନ୍ଦୋଳନ ଆରମ୍ଭ ହୋଇଯାଇଛି । ନେତାଜୀ ଭାରତରେ ମଧ୍ୟ ସ୍ଵାଧୀନତା ଯୁଦ୍ଧର ସେନାପତି ଥିଲେ । ଆଇ.ଏନ୍.ଏ. ସେନାଦଳ ଦେଶ ସ୍ଵାଧୀନ କରିବା ଉଦ୍ଦେଶ୍ୟରେ ମଣିପୁର ଓ ନାଗାପାହାଡ଼ ପର୍ଯ୍ୟନ୍ତ ଆସିଯାଇଥିଲେ, ଏ ଖବର ଶୁଣି ପରାଧୀନ ଭାରତରେ ଜନସାଧାରଣ ଆନନ୍ଦ ଉତ୍ସାହ ବନ୍ୟାରେ ଭାସି ଉଠିଲେ । ତାହାରି ଢେଉ ଧକ୍କା ଖାଇ ଇଂରେଜ ସରକାରଙ୍କର ସିଂହାସନ ଟଳମଳ ହେବାକୁ ଲାଗିଲା ।

 

ଆଜାଦ୍‍ ହିନ୍ଦ୍ ଦଳ ଯୁଦ୍ଧରେ ପରାସ୍ତ ହୋଇଛନ୍ତି । କିନ୍ତୁ ପରାଜୟରେ ହିଁ ସେମାନଙ୍କର ଜୟ ହେଲା । ଜାପାନୀ ଶତ୍ରୁର ବନ୍ଧୁବୋଲି ହୁଏତ କିଛି ଦେଶୀଲୋକ ଏବଂ କିଛି ହିନ୍ଦୁସ୍ଥାନୀ ସେନା ବାଧା ଦେଇଥିଲେ । କିନ୍ତୁ ପରାଜିତ ଆଜାଦ୍ ହିନ୍ଦ୍ ସେନା ଦେଶର ସମସ୍ତଙ୍କୁ ଜୟ କରିନେଲେ ।

 

ସେଇ ଆଜାଦହିନ୍ଦ୍ ଦଳର କର୍ଣ୍ଣେଲ ଦେବଳ ସିଂହ ଲାଲକିଲ୍ଲାର ଗୁପ୍ତ କାରାଗାରମଧ୍ୟରେ ନିଜ ଭାଗ୍ୟର ନିଷ୍ପତ୍ତିପାଇଁ ଅପେକ୍ଷା କରି ରହିଛି ।

 

୧୯୪୬ ସାଲର ଜାନୁଆରୀ ତିନି ତାରିଖ ।

 

ଲାଲକିଲ୍ଲା ବାହାରେ ସମବେତ ଜନତାର ଜୟଧ୍ଵନିରେ ଆକାଶ ଫାଟିପଡ଼ୁଛି । ଘଟନା କଅଣ, କିଏ ଜାଣେ ? ଏକମାତ୍ର ନେତାଜୀଙ୍କ ବାହିନୀ ଯୁଦ୍ଧରେ ଜୟଲାଭ କରି ଦିଲ୍ଲୀରେ ପହୁଞ୍ଚିଗଲେ ଏଭଳି ଘଟନା ଘଟିପାରେ । ତା ବ୍ୟତୀତ ଅନ୍ୟକୌଣସି କାରଣରେ ଏତେ “ଜୟହିନ୍ଦ୍” ଏବଂ ଏତେ ବିଜୟଧ୍ଵନି ହୋଇପାରେ ନାହିଁ । ବନ୍ଦୀ ଦେବଳର ଧାରଣା ଥିଲା ଯେ ୧୯୦୨ ପରେ ଦେଶର ମେରୁଦଣ୍ଡ ଭାଙ୍ଗିପଡ଼ିଚି । “ଭାରତଛାଡ଼” ରବ ଏତେ ଉଚ୍ଚକୁ ଉଠି ପାରିବ ନାହିଁ । କିନ୍ତୁ :—

 

ଦିଲ୍ଲୀ ପ୍ରାସାଦ ଶିର

ଏଠି ବାରମ୍ବାର

ବାଦଶା ଗିରିର

ତନ୍ଦ୍ରା ହେଉଛି ଦୂର”

 

ଏଭଳି ଜୟଧ୍ଵନିରେ ବ୍ରିଟିଶ୍ ବାଦଶାର ମଧ୍ୟ ତନ୍ଦ୍ରା ଦୂର ହୋଇଯିବ ।

 

ଲୁହା ଗାରଦ ଏବଂ କାନ୍ଥ ସଙ୍ଗରେ ଗଢ଼ାହୋଇ ଚୌକାଠ ସହିତ ଶିକୁଳି ଦେହରେ ଝୁଲୁଥିବା ତାଲାଟା ଖଡ଼ଖଡ଼ ଶବ୍ଦରେ ଖୋଲିଗଲା । ଜଣେ ନାୟକ ଆସି ଦେବଳକୁ ଜଣାଇ ଦେଲା, ତିନିଜଣ ଲୋକ ତା ସହିତ ଦେଖାକରିବା ପାଇଁ ଅନୁମତି ପତ୍ର ପାଇଛନ୍ତି । ଦେବଳ ଯଦି ସେମାନଙ୍କ ସହିତ ଦେଖାକରିବା ପାଇଁ ରାଜି ହୁଏ, ତେବେ ଜଣଜଣକୁ ଅଲଗା ଭାବେ ଆସିବାକୁ ଦିଆଯିବ ।

 

ଦେବଳ ଥରେ ନାୟକ ମୁହଁ ଆଡ଼କୁ ଚାହିଁଲା । ତିନିଜଣ ?

 

ଏମାନେ ବି ତିନିଜଣ ମିଳି ଜୀବନକୁ ସଙ୍ଗରେ ଘେନି ମରଣର ଅଭିସାର ପଥରେ ବାହାରି ପଡ଼ିଥିଲେ । ଓରାୟମ୍‍କୁ ମୃତ୍ୟୁ ତା’ର ସହସ୍ର ବାହୁ ବଢ଼ାଇ ଆଲିଙ୍ଗନ କରି ନେଇଗଲା । ରବୀନ୍‍ର କଅଣ ହେଲା, କେହି ଜାଣନ୍ତି ନାହିଁ । ତାର ନିଜର ବୋଧହୁଏ, ଜାବଜ୍ଜୀବନ ଦ୍ଵୀପାନ୍ତର ହେବ । କାରଣ ସାହାନ ଓ୍ୱାଜ୍‍ର ମଧ୍ୟ ଦ୍ଵୀପାନ୍ତର ହେଉଛି । ଏ ଜୟଧ୍ଵନି ନିଶ୍ଚୟ ତାହାର ପ୍ରତିବାଦ ପାଇଁ ନୁହେଁ । ତାହା ହୋଇଥିଲେ ଏତେବେଳକୁ ରାସ୍ତା ଉପରେ ଗୁଳି ଫୁଟିବାର ଶବ୍ଦ ଶୁଣାଯାଉଥାନ୍ତା । ତେବେ କଅଣ ତା ସହିତ ତିନିଜଣ ଲୋକଙ୍କୁ ଦେଖା କରିବାକୁ ଅନୁମତି ମିଳନ୍ତା-?

 

ହୁଏ ତ ବର୍ତ୍ତମାନ ତାହାର ନିଜର ବିଚାର ଆରମ୍ଭ ହୋଇଯିବ । ସେଥିପାଇଁ ନିଜପକ୍ଷ ସମର୍ଥନ ଉଦ୍ଦେଶ୍ୟରେ ସୁବିଧା ଦିଆଯାଉଛି କି ?

 

ନା, ନିଜ ପକ୍ଷ ପାଇଁ ସେ ଆଉ ଓକିଲାତି ଦରକାର କରୁନାହିଁ । ମିତା କର୍ଣ୍ଣେଲ ରାୟର ଓକିଲାତିର ମୋଡ଼ ସମ୍ପୂର୍ଣ୍ଣଭାବେ ଦେବଳ ସପକ୍ଷକୁ ଦୂରାଇ ଦେଇଥିଲା । କାହିଁକି ସେ ଏଭଳି କଲା, ସେ କଥା କ’ଣ ଦେବଳ ମରଣର ପରପାରିରେ ଛିଡ଼ା ହୋଇ ବୁଝି ପାରିବ ନାହିଁ ? କିନ୍ତୁ ତହିଁର ଫଳାଫଳ ମିତା ଉପରକୁ କି ପ୍ରକାର ଫଳାଫଳ ଘେନି ଆସିଯିବ, ସେକଥା ଦେବଳ ବୁଝି ପାରିଛି । ସେମାନଙ୍କ ମଧ୍ୟରୁ କାହାରି କିଛି ଖବର ସେ ଜାଣିପାରିନାହିଁ ।

 

ଆଉ ରାୟ ? ଏ ଘଟନା ପରେ ତାହାର ସେ ଚକଚକିଆ ପୋଷାକ ଓ ପଦମର୍ଯ୍ୟାଦା. କୌଣସିଟିର କିଛି ଆଉ କଣ ବାକି ଥିବ ? ରାୟ ତାକୁ ସବୁଠାରୁ ପାଖରେ ଥିବା ଗଛରେ ଫାଶି ଝୁଲାଇବାକୁ ଚାହିଁଥିଲେ । ସେହି ରାୟ ପୁଣି ତାହାରି ପାଇଁ ନିଜଫାଶ ମଧ୍ୟରେ ନିଜେ ନିଜରଗଳା ଭର୍ତ୍ତି କରି ଦେଇଛନ୍ତି । କେବଳ ସେତିକି ନୁହେଁ; କାହାପାଇଁ ରାୟ ଏ କାର୍ଯ୍ୟଟି କରି ବସିଲେ ?

 

ନାୟକ—ପୁଣିଥରେ କହିଲା—ତେବେ ମୁଁ ଧରି ନେଉଛି ଯେ, ଆପଣ କାହାରି ସହିତ ଦେଖା କରିବାକୁ ରାଜି ନୁହନ୍ତି ।

 

ଦେବଳ ଚୁପ୍ ହେଇ ରହିଲା ।

 

ନାୟକ ହିଁ ଫୁସ୍‍ଫାସ୍ ହୋଇ କହିଲା—ନାହିଁ କରନ୍ତୁ ନାହିଁ । ବାହାରେ ଅନେକ କଥା ଘଟି ଯାଉଛି ।

 

ଘଟୁଛି । ତା ଜୀବନରେ ମଧ୍ୟ ଘଟି ଯାଉଛି । କିନ୍ତୁ ସେ ଘଟଣା ସହିତ ଯେଉଁମାନେ ଜଡ଼ିତ ହୋଇ ପଡ଼ିଛନ୍ତି, ସେହିମାନେ ବୋଧହୁଏ ଦେଖାକରିବାକୁ ଆସିଛନ୍ତି । ଆହୁରି ଅଧିକ ଜଡ଼ିତ ହୋଇପଡ଼ିବେ ଯେ ?

 

ଦେବଳ ଭାବିବାପାଇଁ ସମୟ ପାଇଲା ନାହିଁ । ବନ୍ଦୀମାନଙ୍କ ଦେଖା କରିବା ଘରକୁ ତାକୁ ଅଣାଗଲା । ପ୍ରଥମେ ଯିଏ ସେ ଘରକୁ ଆସିଲା, ତାକୁ ଦେବଳ ଆଶା କରି ନଥିଲା । ଅଥଚ, ପ୍ରତ୍ୟାଶା କରି ନଥିଲା, ସେ କଥାଟା ମଧ୍ୟ ସେ କହି ପାରନ୍ତା ନାହିଁ । ପ୍ରାୟ ଦଉଡ଼ି ଦଉଡ଼ି ଆସିଲା ମିତା । ଦେବଳର ହାତଟିକୁ ଟେକି ଧରି କହିଲା—ଭଗବାନ ମୋର ପ୍ରାର୍ଥନା ଶୁଣିଛନ୍ତି ଦେବଳ ? ତୁମେ ନିଶ୍ଚୟ ମୁକ୍ତି ପାଇବ ।

 

ମୁକ୍ତି ? ହଁ । ସେଇ ଜୟହିଦ୍ ଧ୍ଵନୀ ତା କାନରେ ମୁକ୍ତିର ମନ୍ତ୍ର ଶୁଣାଉଥିଲା । ଉଠିପଡ଼ି ଛିଡ଼ା ହୋଇଯାଇ, ଅସ୍ଫୁଟ ସ୍ଵରରେ ସେ କହି ଉଠିଲା—ନେତାଜୀଙ୍କର ଜୟ । ଆଜାଦ୍ ହିନ୍ଦ୍ ଜୟ ।

 

—ହଁ, ତୁମମାନଙ୍କର ଜୟ—ଦେବଳ । ଦେଶର ସମସ୍ତଙ୍କର ସମ୍ମିଳିତ ଦାବୀ, ଗାନ୍ଧିଜୀ, ପଣ୍ଡିତଜୀଙ୍କ ଦାବୀ ଉପେକ୍ଷା କରି ଶାସ୍ତି ଦେବାର କ୍ଷମତା ଆଜି ବ୍ରିଟିଶ୍ ସରକାରର ନାହିଁ । କମାଣ୍ଡର-ଇନ୍-ଚିଫ୍ ଅଚିନ-ଲେକ୍, ସାହାନୱାଜ ଓ ଅନ୍ୟମାନଙ୍କର ସମସ୍ତ ଶାସ୍ତିର ହୁକୁମ୍ ନାକଚ କରି ଦେଇ ଅଛନ୍ତି । ତୁମର ମଧ୍ୟ ବେକସୁର ଖଲାସ ହୋଇଯିବ । ଆଜି ଅଥବା କାଲି ମଧ୍ୟରେ ।

 

ଚୁପ୍ ହୋଇ ରହିଗଲା ଦେବଳ ।

 

—ତୁମମାନଙ୍କର ହିଁ ଜୟହେବ, ଦେବଳ । ତୁମମାନଙ୍କର ଜୟ । ତୁମେମାନେ ହିଁ ଇଂରେଜମାନଙ୍କ ପ୍ରତି ଥିବା ପ୍ରଭୁଭକ୍ତିର ବନ୍ଧକୁ ଭାଙ୍ଗି ଦେଇଛ । କୌଣସି ଦେଶୀ ସୈନ୍ୟ ଆଉ ଇଂରେଜର ଦାସ ବୋଲି ନିଜକୁ ମନେ କରେ ନାହିଁ । ଦରମା ଦେଉଥିବା ମୁନିବଠାରୁ ଦେଶ ମା’କୁ ସେମାନେ ବଡ଼ ବୋଲି ଦେଖିବାକୁ ଆରମ୍ଭ କରିଦେଇଛନ୍ତି । ପୁଲିଶ ଏବଂ ସରକାରୀ ଚାକିରିଆ, ସମସ୍ତଙ୍କ ଆଖି ଆଜି ନେତାଜୀ ଖୋଲି ଦେଇଛନ୍ତି । ଡର ଭୟ ଏବଂ ଦେଶୀସୈନ୍ୟ ହାତରେ ବନ୍ଧୁକ ଦେଖାଇ, ବ୍ରିଟିଶ ଆଉ ହିନ୍ଦୁସ୍ଥାନକୁ ନିଜ ଦଖଲରେ ରଖିପାରିବ ନାହିଁ । ଇଂରେଜମାନେ ଯୁଦ୍ଧରେ ଜିତିଛନ୍ତି ସତ, ମାତ୍ର ଭାରତକୁ ସେମାନେ ନିଶ୍ଚୟ ହରାଇବେ ।

 

ଆବେଗର ତୋଡ଼ରେ ଏତେବେଳଯାକେ ମିତା କଥା କହିସାରି ତୁନି ହେଲା । କହିଲା–କୁହ, ତୁନିହୋଇ ରହିଗଲ କାହିଁକି ?

 

—ମିତା ! କେମିତି ଭାବରେ ତୁମେ ଏଠାକୁ ଆସିଲ ? ମୁଁ ହୁଏ ତ ଛାଡ଼ପାଇବି; କିନ୍ତୁ ତୁମକୁ ଯେ ସେମାନେ ସନ୍ଦେହ କରିବେ !

 

—ନା, ସେ ଭୟ ଆଉନାହିଁ । ଏତେ ବିପଦ ଆଉ ଏତେ ଝୁଙ୍କି ମୁଣ୍ଡଉପରେ ବହନକରି ଆଗୁଆ ଅଞ୍ଚଳକୁ ଯାଇଥିଲି ବୋଲି ସେମାନେ ସ୍ପେଶାଲ ଡେସ୍ପାଚମଧ୍ୟରେ ମୋର ନାମ ପଠାଇଛନ୍ତି I ମୋତେ ସିନିଅର କମାଣ୍ଡର ପଦକୁ ପ୍ରମୋଶନ ଦେଇଛନ୍ତି I

 

—ସର୍ବାନ୍ତଃକରଣରେ ଅଭିନନ୍ଦନ ଜଣାଉଛି, ମିତା । ସେଇଥିପାଇଁ ତୁମେ କ’ଣ ଦିଲ୍ଲୀ ଆସିଥିଲ ?

 

ମିତା ତୁନିହୋଇ ରହିଲା ।

 

—ବୁଝିଲି । କର୍ଣ୍ଣେଲ ରାୟଙ୍କ ଖବର କଅଣ ?

 

ତେବେ ବି ମିତା ନୀରବ ।

 

—ମୋର ସେହି ମକଦ୍ଦମାରେ ମୋ ସପକ୍ଷରେ ସେଭଳି ମତବଦଳାଇ ଥିବାରୁ ସେ କଅଣ ବିପଦରେ ପଡ଼ିଛନ୍ତି ? ସେଇଥିପାଇଁ ବୋଧହୁଏ ଆଗରୁ ଦେଖା କରିବାକୁ ଆସିନାହିଁ !

 

ଏଥର ମିତା କଥା କହିବାକୁ ଆରମ୍ଭକଲା—ତା କଥା ବର୍ତ୍ତମାନପାଇଁ ଥାଉ— ଦେବଳ-

 

—କାହିଁକି ? ତାଙ୍କ କଥା ନିଶ୍ଚୟ ତୁମରି ପାଖରେ କହିବି । ଏତେବଡ଼ ସାହସ, ଏତେବଡ଼ ବୁଦ୍ଧି ଯାହାର, ତାହାରି କଥାଟି ନିଶ୍ଚୟ ତୁମରି ପାଖରେ କହିବି । ତୁମର ଟିକିଏ ମାତ୍ର ଇଙ୍ଗିତପାଇ ଯିଏ ଏଭଳି ଭାବରେ ନିଜ ମୋକଦମାର ମୋଡ଼ ବଦଳାଇ ନେଲା, ତାହାରି କଥା ।

 

ମିତା ତୁନିହୋଇ ରହିଲା ।

 

ଦେବଳ କିନ୍ତୁ ତୁନିହୋଇ ରହିପାରିଲା ନାହିଁ I କହିଲା—ଦେଖ ମିତା, ମୁହୂର୍ତ୍ତକ ମଧ୍ୟରେ ଏତେ ପରିବର୍ତ୍ତନ । ସାରା ଜୀବନ ମଧ୍ୟରେ ଏଭଳି ପରିବର୍ତ୍ତନ ସମ୍ଭବପର ହୋଇପାରନ୍ତା କି ନାହିଁ, ତାହା ସନ୍ଦେହ । ତୁମେ ରାୟଙ୍କ ମନମଧ୍ୟରେ ସେହି ଅଦ୍ଭୁତ ପରିବର୍ତ୍ତନ ଘଟାଇ ଦେଇପାରିଛ, ତାଙ୍କ ମନରେ ତୁମେ କେତେ ବଡ଼ ଆସନ ପାଇପାରିଛ, ତାହାହିଁ ହେଲା ତାହାର ଅବ୍ୟର୍ଥ ପ୍ରମାଣ । ମୁଁ କଅଣ ତୁମକୁ ଏବେ ଅଭିନନ୍ଦନ ଜଣାଇପାରିବି ?

 

ମିତାର ମୁଖ ପାଂଶୁଳ ବର୍ଣ୍ଣ ଧାରଣ କଲା ।

 

ତେବେ ବି ଦେବଳ କହିଚାଲିଲା—ତୁମେ ବୀରନାରୀ ମିତା । ମୋର ଶାସ୍ତିସ୍ୱରୂପ ପ୍ରାଣଦଣ୍ଡ ବି ଯଦି ହୁଅନ୍ତା, ତେବେ ବି ଆଶାକରି ଯାଆନ୍ତି ଯେ, ସବୁ ସମ୍ଭାଳିନେଇ ତୁମେ ଦିନେ ନିଶ୍ଚୟ ସୁଖୀହେବ ଏବଂ ତେତେବେଳକୁ ମୁଁ ନିଶ୍ଚୟ ମୁକ୍ତି ପାଇଯାଇଥିବି । ତୁମେ ଆହୁରି ସହଜରେ ସୁଖୀ ହୋଇପାରିବ । ତୁମମାନଙ୍କ ମନ୍ଦିର ଚିରଦିନ ପୂର୍ଣ୍ଣଥାଉ, ମିତା ।

 

ମିତାର ଆଖି ଛଳଛଳ ହୋଇ ଉଠିଲା ।

 

—ସେ କଅଣ ମିତା ? ତୁମପାଖରେ ଦୁର୍ବଳତା ମୁଁ କୌଣସିଦିନ ଆଶା କରି ନଥିଲି !

 

—ନା, ନା । ମୁଁ ତ ଦୁର୍ବଳ ହୋଇ ପଡ଼ୁନାହିଁ—ବାଧାଦେଇ ମିତା ଏକଥା କହିଲା; ମାତ୍ର କଣ୍ଠରେ ତାର ଆଶ୍ୱାସନାର ସ୍ୱର ମୋଟେ ନାହିଁ ।

 

—ତେବେ ତୁମ ଆଖିରେ.... ।

 

—ନା, ମୋ ଆଖିଆଡ଼କୁ ତୁମେ ଚାହଁନାହିଁ, ଦେବଳ ।

 

—ଦେବଳ ଠିକ୍ ବୁଝିପାରିଲା ନାହିଁ । ତେବେ ବି ଆଶ୍ଚର୍ଯ୍ୟହୋଇ ମିତାଆଡ଼କୁ ଅନାଇଁ ରହିଲା । କିଛି ସମୟ ପରେ ସେଇ ପୁଣି ନୀରବତା ଭଙ୍ଗକରି ପଚାରିଲା—ତେବେ ମୋ ଆଶା କଣ ଠିକ୍ ନୁହେଁ ?

 

—ଆଶା ? କି ଆଶା ତୁମର ?

 

—ମୋର ଆଶା, କର୍ଣ୍ଣେଲ ରାୟ ତୁମକୁ ଚିହ୍ନିପାରିଛନ୍ତି । ଏଥର ତୁମେ ସୁଖୀ ହେବ ।

 

—କିନ୍ତୁ ତୁମରି ସୁଖର ସମାଧି ଉପରେ କିପରି ମୁଁ ମୋର ସ୍ୱପ୍ନରଚନା କରିବି ? ଆମ୍ଭମାନଙ୍କର ଘର ଗଢ଼ିବି ?

 

ଆପତ୍ତି କଅଣ ଅଛି ତହିଁରେ ମିତା ? ସଂସାରରେ ସମସ୍ତଙ୍କର ଆଶା ତ ପୂରଣ ହୁଏନାହିଁ । ତେଣୁ ସମସ୍ତେ ସୁଖୀ ହୋଇପାରନ୍ତି ନାହିଁ । ସେଦିନ ରାତିରେ ଢିପ ଉପରର କୋଠରୀ ମଧ୍ୟରେ ତୁମେଇ ମୋତେ କହିଥିଲ ନା—ଭଲ ପାଇଲେ ହିଁ ସୁଖ ? ଜଣକର ସୁଖପାଇଁ ତାହାହିଁ ଯଥେଷ୍ଟ । ପ୍ରତିଦାନରେ ଭଲ ପାଇବା ନ ମିଳିଲେ ନାହିଁ—ସେ କଥାଟି ତୁମର ମୁଁ ଭୁଲିଯାଇ ନାହିଁ-

 

—କିନ୍ତୁ ମୁଁ ଭୁଲିଛି, ଦେବଳ ।

 

—ତା ମନେ ?

 

—ମାନେ ! ମାନେହେଲା ଏଇ ଯେ, ନିଜେ ମୁଁ ପ୍ରତିଦାନ ପାଇଁ ଏତିକି ବୁଝିଛି ଯେ, କେବଳ ନେବାକଥାଟା ବଡ଼ ନୁହେଁ । ତାହାର ବଦଳରେ ପାଇବା ମଧ୍ୟ ଦରକାର । ଦାନରେ ଯାହା ଆରମ୍ଭ ହୁଏ, ପ୍ରତିଦାନରେ ତାହା ପୂର୍ଣ୍ଣତ୍ଵପ୍ରାପ୍ତ ହୁଏ ।

 

—ମଳିନ ହସ ହସି ଦେବଳ କହିଲା—ଜାଣ ମିତା, ଏଇ କେତେଦିନ ହେଲା, କେବଳ ବସି ବସି ସେଇ କଥାଟିକୁ ଭାବୁଛି । ତୁମରି ବାଣୀ ମତେ ନୂତନ ଶିକ୍ଷା ଓ ସାନ୍ତ୍ୱନା ଦେଇଛି । ସେହି ସାନ୍ତ୍ୱନା ପାଇଁ ଯୁଦ୍ଧରେ ଆମେ ହାରିଗଲେ ସୁଦ୍ଧା ମନ ମଧ୍ୟରେ ମୋର କୌଣସି ଦୁଃଖ ନାହିଁ । ଭାବିଥିଲି, ଦେଶକୁ ତ ଭଲପାଇଛି ଏବଂ ତାରିପାଇଁ ଲଢ଼ିଛି । ପୁଣି ସେଇଥିପାଇଁ ମରିଛି ! ବାଶ୍ ! ଆଉ କଅଣ ଦେବାକୁ ବାକୀ ଅଛି ? କଅଣ ଆଉ ପାଇବାକୁ ବାକି ଅଛି ?

 

ଏ କଥାରେ ମିତା ଏକମତ ନହୋଇ କହିଲା—ନା ଦେବଳ, ଦେଶବେଳକୁ ସେକଥା ଖାଟିବ ନାହିଁ । କୋଟି କୋଟି ଲୋକର ସ୍ୱାଧୀନତା, ଉନ୍ନତି, ସୁଖସ୍ୱାଚ୍ଛନ୍ଦ୍ୟ ତହିଁରେ ଜଡ଼ିତ ହୋଇ ରହିଛି । ତେଣୁ ସେଥିପାଇଁ କେବଳ ଭଲପାଇ, କଷ୍ଟଭୋଗ କରିବା ମଧ୍ୟରେ ସବୁକଥା ଶେଷ ହୋଇଗଲେ ଚଳିବ କିପରି ? ନିଜ ମନ ବେଳକୁ ସିନା ସେତିକିରେ ଶେଷ ହୋଇଗଲେ ଚଳିବ । ବର୍ତ୍ତମାନ ତୁମେ ମୁକ୍ତି ପାଇଗଲେ ତୁମର କାର୍ଯ୍ୟ ଆରମ୍ଭହେବ; କିନ୍ତୁ ସେକଥା ବର୍ତ୍ତମାନ ପାଇଁ ଥାଉ-। ଏବେ ବି ତୁମେ ଲାଲକିଲ୍ଲାରେ ବନ୍ଦୀ ଅଛ ।

 

ଲାଲ କଥାଟା ଦେବଳମନରେ ଗୋଟାଏ ଧକ୍କା ଦେଲା । ସେ ହସିପକାଇଲା ।

 

ସେ କଥା ମିତା ଲକ୍ଷ୍ୟକରି କହିଲା—ହସୁଛ କାହିଁକି ?

 

—ହସୁଛି, ଲାଲ କଥାଟା ଭାବି । ପିଲାଦିନେ ଲାଲରଙ୍ଗର ଖାମ (ଲଫାପା) ଟିଏ ଦେଖିଲେ ସେଥିଭିତରେ ବିବାହ ନିମନ୍ତ୍ରଣ ଦେଖିବାକୁ ମିଳୁଥିଲା । ଲାଲକିଲ୍ଲା ଭିତରେ ଥିବା ସମୟ ମଧ୍ୟରେ ତୁମର ଲାଲ ଖାମଟି ମୋପାଖକୁ ଯେମିତି ଆସିଯାଏ, ସେଥିପାଇଁ ମୁଁ ପ୍ରାର୍ଥନା କରୁଛି ।

 

ଅନେକ ସମୟ ପର୍ଯ୍ୟନ୍ତ ମିତା ନୀରବ ହୋଇ ରହିଲା ଏବଂ ମୁଣ୍ଡ ନୁଆଁଇ କହିଲା—ମୁଁ ଠିକ୍ ବୁଝିଛି ଦେବଳ । ତୁମ ମନ ଭିତରର ବେଦନାଟି ମୋ ଜୀବନକୁ ରଞ୍ଜିତ କରି ରଖିବ । ତୁମେ ସେ କଥା ଜାଣିପାରିବ ନାହିଁ । ଜାଣିଲେ ମଧ୍ୟ ମାନିବ ନାହିଁ; କିନ୍ତୁ ତୁମର ବ୍ୟଥା ଓ ରିକ୍ତତା ହଠାତ୍ ଆସି ମୋ ମନ ମଧ୍ୟରେ ଆଘାତ ଲଗାଇ ଦେବ । ସେ ଶାସ୍ତି ପାଇବାକୁ ମୁଁ ହକ୍‍ଦାର । ଭିତ୍ତିହୀନ ସ୍ଵପ୍ନ ଘେନି ତୁମ ମନଟାକୁ ମୁଁ ରଙ୍ଗେଇ ରଖିବାକୁ ଚାହିଁଥିଲି । ତାହାରିପାଇଁ ମୋର ଏଇ ଶାସ୍ତି ।

 

ଦେବଳ ଅସ୍ଥିର ହୋଇଉଠିଲା । ତରତର ହୋଇ ମିତାର ହାତଦୁଇଟିକୁ ଚାପିଧରି କହିଲା—ନା, ନା, ମିତା । ମୋ ସ୍ମୃତି ତୁମ ନିକଟରେ ଶାସ୍ତିରୂପ ଘେନି କେବେ ଯେପରି ନ ପହୁଞ୍ଚେ । ମୋପ୍ରତି ସହାନୁଭୂତି ତୁମେ ନିଶ୍ଚୟ ଦେଖାଇପାରିବ । ସେତିକିରେ ମୋର ଶାନ୍ତି ।

 

ମୁଣ୍ଡ ହଲାଇ ମିତା କହିଲା—ଏତେ ସହଜରେ ଶାନ୍ତ ଆସେ ନାହିଁ ଦେବଳ । ମନୁଷ୍ୟର ମନଟା ଏତେ ସହଜ ନୁହେଁ । ପଲକେ ପଲକେ ତହିଁରୁ ରକ୍ତ ଝରେ । ହୁଏତ ମନଟା ମଧ୍ୟ ସେକଥା ସହଜରେ ଠଉର କରିପାରେ ନାହିଁ; କିନ୍ତୁ ତଥାପି ରକ୍ତ ଝରୁଥିବା ହୃଦୟ କେବେହେଁ ନିଦ୍ରିତ ହୋଇପାରେ ନା ।

 

କଥାଟାକୁ ହସରେ ଉଡ଼ାଇ ଦେବାକୁ ଦେବଳ ଚେଷ୍ଟା କରି କହିଲା—ଅର୍ଥାତ୍ ତୁମେ ମୋତେ ଝିମେଇ ଯିବାକୁ ଉପଦେଶ ଦେବ ଏଥର । ଏଥିମଧ୍ୟରେ ତୁମେ ଅଫିମର ବନ୍ଦୋବସ୍ତ କରିପକାଇଛ ।

 

କ୍ଷୀଣ ସ୍ଵରରେ ମିତା ଅନୁନୟ କରି ପଚାରିଲା—ତୁମେ ବଡ଼ ନିଷ୍ଠୁର ହୋଇପଡ଼ିଲଣି ଦେବଳ । ଯେଉଁ କଥା ମୁଁ କହିବାକୁ ଆସିଥିଲି, ସେହିସବୁ କଥା ତୁମେ ବର୍ତ୍ତମାନ ଅତି ଶକ୍ତ କରିଦେଲ ।

 

—କ୍ଷମାଦିଅ ମିତା ! ତୁମକୁ ମୁଁ ତିଳେମାତ୍ର ଆଘାତ କରିବାକୁ ଚାହେଁ ନାହିଁ । ତୁମକୁ ହସେଇବାକୁ ଚାହେଁ । ହାଓ୍ୱାଟାକୁ ଟିକିଏ ହାଲୁକା କରିଦେବାକୁ ଚାହେଁ । ତେଣୁ ତାଛଡ଼ା ମୋର ଅନ୍ୟ କୌଣସି ମତଲବ ନଥିଲା । ଏଥର କୁହ, କଅଣ ତୁମେ କହିବାକୁ ଇଚ୍ଛା କରିଥିଲ ?

 

—ଶୁଣ, ମୋର ଇଣ୍ଟରଭିଉ ସମୟ ବର୍ତ୍ତମାନ ଶେଷ ହୋଇ ଆସିଲା । ସଂକ୍ଷେପରେ ସମସ୍ତ ଶେଷ କରିବାକୁ ପଡ଼ିବ । ତୁମକୁ ସାକ୍ଷାତ କରିବାପାଇଁ ବାହାରେ ଆଉ ଦୁଇଜଣ ଅପେକ୍ଷା କରି ରହିଛନ୍ତି । ଜଣେ ହେଉଛନ୍ତି ଉତ୍ତମା । ଆର ଜଣକ ହେଉଛନ୍ତି...... ।

 

ମିତା ତୁନି ହୋଇଯିବାର ଦେଖି ଦେବଳ ନାମଟାକୁ ପୂରଣ କରିନେଇ କହିଲା...ବୁଝିଛି, କର୍ଣ୍ଣେଲ୍ ରାୟ । ତେବେ ସେ ନାମଟାକୁ କହିବାକୁ କୌଣସି ଦ୍ଵିଧା କରନାହିଁ ମିତା ।

 

ମିତା ତଳକୁ ଚାହିଁ ରହିଲା ।

 

ସେ କଥା ଦେବଳର ନଜରରେ ମଧ୍ୟ ପଡ଼ିଲା । ସେ କହିଲା—ମୁଁ ତ ନିଜେ ପରାଜୟ ସ୍ୱୀକାର କରିନେଇଛି; ସୁତରାଂ ତୁମର ସଙ୍କୋଚର କୌଣସି କାରଣ ନାହିଁ ।

ମିତା ଉତ୍ତର ଦେଲା—ତୁମେ ଠିକ୍ ସେମିତି ଅଝଟ ପିଲା ମଣିଷ ହୋଇ ରହିଗଲ ଦେବଳ । ସେ କଥା ଥାଉ । ଡିସେମ୍ବର ୩୧ ତାରିଖରେ ମେଜର ଜେନେରାଲ ସାହାନଓ୍ୱାଜ୍ ଏବଂ ଅନ୍ୟମାନଙ୍କର ଦ୍ଵୀପାନ୍ତର ଆଦେଶ ହୋଇଥିବାର ଦେଖି ସେହିଦିନ ମୁଁ କାର୍ଯ୍ୟ ଥିବାର ଛଳନା କରି ଦିଲ୍ଲୀ ରମାନା ହୋଇଆସିଲି । ଏଣିକି ତୁମର ପାଳି ପଡ଼ିବ ବୋଲି ଭୟ ହୋଇଥିଲା । ଟ୍ରେନରେ ଉଠିଲାବେଳକୁ ଦେଖିଲି, ସେ ବି ଦିଲ୍ଲୀ ଚାଲିଛନ୍ତି । ଉଦ୍ଦେଶ୍ୟ ଏକା । ମୋତେ ସେ କହିଲେ—ତୁମର ଡିଫେନ୍‍ସ ପାଇଁ ଭଲ ବନ୍ଦୋବସ୍ତ କରିବାକୁ ହେବ । ତା’ର କମିଶନ ଆଉ ନାହିଁ ।

ଦେବଳ ଆଶ୍ଚର୍ଯ୍ୟ ହୋଇଗଲା । —କାହିଁକି ? ତାଙ୍କୁ କଅଣ ଶେଷକୁ ମୋରି ପାଇଁ ଗଭର୍ଣ୍ଣମେଣ୍ଟ ବରଖାସ୍ତ କରିଦେଲେ ?

ଉଜ୍ଜଳ ମୁଖରେ ମିତା ଉତ୍ତର ଦେଲା—ନା, ତା ନୁହେଁ । ସେ ନିଜେହିଁ ଇସ୍ତଫା ଦେଇଛନ୍ତି । ତୁମରି ମୋକଦ୍ଦମାଟା ଚଳାଉ ଚଳାଉ ଜୀବନରେ ସେ ନୂତନ ଆଲୋକ ଦେଖିଛନ୍ତି ।

ଆନନ୍ଦିତ ମନରେ ଦେବଳ କହିଉଠିଲା—ସେ କଥା ମୁଁ କୋର୍ଟମାର୍ଶାଲ ସମୟରୁ ବୁଝିପାରିଥିଲି ମିତା !

ମିତାର ମୁଖମଣ୍ଡଳ ଲାଲ ହୋଇଉଠିଲା । ପୁଲକର ଅପୂର୍ବ ସ୍ପର୍ଶ ସେ ସମ୍ଭାଳି ନେଉ ନେଉ କହିଉଠିଲା—ନା, ନା, ତାହା ନୁହେଁ । ସେ ସେହିଠାରେ ନିଜକୁ ଆବିଷ୍କାର କରିନେଇ ପାରିଥିଲେ ।

 

ଦେବଳ ଦବିଯିବାର ପାତ୍ର ନୁହେ । ଏ ଘଟନାରେ ସେ ଅତ୍ୟନ୍ତ ସୁଖୀ ହୋଇଛି, ତାହାହିଁ ତାକୁ ପ୍ରକାଶ କରିବାକୁ ପଡ଼ିବ ।

 

ସେ କହିଲା—କର୍ଣ୍ଣେଲ୍ ସାହେବଙ୍କୁ ମୁଁ କବି ଭାଷାରେ ହିଁ ଅଭିନନ୍ଦନ ଜଣାଇବାକୁ ଚାହେଁ ।

 

“ସେଇ ଚେନାର ଆଲୋକ ଦିଏ”

 

“ଆମି ଚିନି ଆପନାରେ ।”

 

(ସେହି ଚିହ୍ନିବାର ଆଲୋକଦ୍ୱାରା ହିଁ ମୁଁ ନିଜକୁ ଚିହ୍ନିପାରିଲି ।)

 

ମିତା ବାଧାଦେଇ କହିଲା—ଆଃ, ଶୁଣନା ଟିକିଏ ! ସେ ଆବିଷ୍କାର କଲା ଯେ, ଦେଶର ମୋହ, ବିଦେଶୀ ମାଲିକର ହୁକୁମ୍, ଆଉ ମିଲିଟାରୀ ପୋଷାକର ଦଉଲତଠାରୁ ବହୁତ ବଡ଼ । ବହୁତ ସାଧନାର ବସ୍ତୁ ହେଲା—ଦେଶ । ତୁମକୁ ଦେଖିସାରିଲା ପରେ ସେ ନିଜକୁ ଚିହ୍ନିଲା । ଏଇ କଥାଟି ‘ମୋ ନିକଟରେ କେତେବଡ଼ ସୁଖ ଏବଂ ଗୌରବର କଥା, ଥରେ ଭାବି ଦେଖିବ କି ଦେବଳ ?

 

ଦେବଳ ନିଶ୍ଚୟ ଚିନ୍ତାକରି ଦେଖିଛି । ଏଇ କଥାଟାକୁ ଭାବି ମିତା ଯଦି ନିଜକୁ ପ୍ରବୋଧ ଦେଇପାରେ, ପ୍ରସନ୍ନତା ଲାଭ କରିପାରେ, ଦେବଳ ତହିଁରେ ବାଧା ଦେବନାହିଁ ଏବଂ ନିଜର ରକ୍ତଶ୍ରାବୀ ହୃଦୟକୁ ସେ ନିଜ ଆଢ଼ୁଆଳରେ ଲୁଚାଇ ରଖିବ । ସେ ତ ସୈନିକ, ଯୋଦ୍ଧା । ଆଘାତ ପାଇବା ପାଇଁ ତାର ଶିକ୍ଷା ।

 

ସେ କେବଳ ଏତିକି କହିଲା—ସେ କଥାଟି ମଧ୍ୟ ମୋର କମ୍ ଭାଗ୍ୟର କଥା ନୁହେ ମିତା ! ତୁମର “ରିଫ୍ଳେକ୍ଟେଡ଼ ଗ୍ଳୋରି”ରେ, ତୁମର ପ୍ରତିଫଳିତ ମହିମାରେ ମୁଁ ମଧ୍ୟ ତା ଆଖିରେ ଆଜି ବଡ଼ ହୋଇ ଦେଖାଦେଲି । ମୋର ଲାଭ ଖୁବ୍ ବେଶି ।

 

ମିତା କହିଲା—ସେ କମିଶନ ଛାଡ଼ିଦେଇଛି । ହାଇକୋର୍ଟରେ ନାମ ଲେଖାଇଛି । ଦେଶର ନେତାମାନେ କହୁଛନ୍ତି, ତା’ର ଭବିଷ୍ୟତ ଖୁବ୍ ଉଜ୍ଜ୍ୱଳ ।

 

ଦେବଳ ହସିଲା । କହିଲା—ସେଥିଲାଗି ମୁଁ ନିଜକୁ ନିଜେ ଅଭିନନ୍ଦନ ଜଣାଉଛି ମିତା । ମୁଁ ହେଲି ତୋ’ର ପ୍ରଥମ ମହକିଲ ।

 

ସମୟ କିନ୍ତୁ ଅତି ଅଳ୍ପ । ନାୟକ ଦୂରେଇ ଛିଡ଼ା ହୋଇଛି । ମିତା ତରତର ହୋଇ କହିଲା—ଶୁଣ, ଆମେ ଦୁଇଜଣଯାକ ସ୍ପଷ୍ଟ ବୁଝିପାରିଛୁ ଯେ, ଉତ୍ତମା ତୁମକୁ ଖୁବ୍ ବେଶି ଭଲପାଏ-। ଜେରା ସମୟରେ ସେ କଥା ପରିଷ୍କାର ବୁଝା ପଡ଼ିଥିଲା । ନୋହିଲେ ସେ ଏଭଳିଭାବେ ମୂର୍ଚ୍ଛାହୋଇ ଯାଇ ନ ଥାନ୍ତା । ଦିଲ୍ଲୀକୁ ଆସି ଦେଖିଲି ଯେ, ସେ ଲାଲକିଲ୍ଲା ସମ୍ମୁଖରେ ବୁଲାବୁଲି କରୁଛି । ସେ କଥା କଅଣ ଆଉ ଖୋଲିକରି କହିବାକୁ ପଡ଼ିବ ?

 

ଏକଦୃଷ୍ଟିରେ ଦେବଳ ମିତା ଆଡ଼କୁ ଚାହିଁ ରହିଲା । ମିତା ମୁଖମଣ୍ଡଳରେ ସେ କି ପ୍ରଶ୍ନ ଦେଖିଲା ଏବଂ ସେଠାରୁ ସେ କି ଉତ୍ତରପାଇଲା, ସେ କଥା ସେ ନିଜେ ଜାଣେ ।

ମିତା ସେକଥା ବୁଝିପାରିଲା । କହିଲା—ଚିନ୍ତା କରି ଦେଖିବ, ଦେବଳ । ମଣିପୁରୀ ଗ୍ରାମେ ଗ୍ରାମେ ବୁଲି ତୁମଲାଗି ସେ ଯାହା କରିଛି, ଯଥାର୍ଥରେ ଭଲ ନ ପାଉଥିଲେ କୌଣସି ତରୁଣୀ କେବେହେଁ ତାହା କରିନଥାନ୍ତା । କେବଳ ଭଲପାଇଲେ ସୁଦ୍ଧା ସେଭଳି କାର୍ଯ୍ୟ କରିହୁଏ ନାହିଁ । ନିଜ ଘରେ ବସିରହି ନିରାପଦରେ ଏବଂ ନିର୍ଭାବନାରେ ଭଲ ପାଇବାଟା ସହଜ; ମାତ୍ର ପ୍ରାଣର ମାୟା ସମ୍ପୂର୍ଣ୍ଣରୂପେ ଛାଡ଼ି, ନିଜ ମୁଣ୍ଡ ଉପରକୁ ଦୁଃଖ କଷ୍ଟ ଓ ବିପଦର ବୋଝ ଟେକିନେଇ ଭଲ ପାଇବା ସମ୍ପୂର୍ଣ୍ଣ ସ୍ୱତନ୍ତ୍ର କଥା । ନିଜେ ତୁମେ ବୀର; ତେଣୁ ନିଶ୍ଚୟ ଏହି ବୀରାନାରୀର ସ୍ନେହ ପ୍ରୀତିର ଯଥାର୍ଥ ମର୍ଯ୍ୟାଦା ଦେଇପାରିବ ।

ଦେବଳର ମୁଖମଣ୍ଡଳ ଟିକିଏ କଠିନ ଦେଖାଗଲା । ମିତା ମଧ୍ୟ ସେ କଥା ଲକ୍ଷ୍ୟ କଲା ।

କିଛି ସମୟ ଚୁପହୋଇରହି ମିତା ହିଁ ପୁଣିଥରେ ଆରମ୍ଭ କଲା—ସରକାରପକ୍ଷର ସାକ୍ଷୀ । ମହାସୁଖରେ ସେମାନେ ତାକୁ ଦିଲ୍ଲୀକୁ ଆଣି ରଖାଇଛନ୍ତି । ମୋକଦ୍ଦମା ଚାଲିବ, ଏଇ ଆଶାରେ ତ ? କିନ୍ତୁ ବିଚାରୀର ମନର ଅବସ୍ଥା କଣ, ସେକଥା ଟିକେ ଭାବି ଦେଖିବ । ତା ମୁହଁଆଡ଼କୁ ଥରେ ଚାହିଁଦେଲେ ତୁମେ ବି ବୁଝିପାରିବ ଯେ, ଭଲ ପାଇଛି ବୋଲି ସେ ମରିଛି । ତୁମେ ଛାଡ଼ପାଇଲା ପରେ ତାକୁ କେବେ ଭୁଲିବ ନାହିଁ ଏବଂ ତାହାର ଯଥାର୍ଥ ପ୍ରାପ୍ୟ ନିଶ୍ଚୟ ତାକୁ ଦେବ, ଏତିକି ମାତ୍ର ମୋର..... ।

—ଥାଉ, ଥାଉ ମିତା । ଅନ୍ୟ କାହାରିପାଇଁ ତୁମକୁ ଓକିଲାତି କରିବାକୁ ପଡ଼ିବ ନାହିଁ ।

ଦେବଳର କଣ୍ଠସ୍ୱରରେ ଟିକିଏ ରୂଢ଼ତା ପ୍ରକାଶପାଇଲା; କିନ୍ତୁ ସେତିକିରେ ପଛେଇଗଲେ ମିତାର ଉଦ୍ଦେଶ୍ୟ ବ୍ୟର୍ଥ ହୋଇଯିବ ଯେ ! ଭଲଭାବରେ କଥାଟାକୁ ଗ୍ରହଣ କରିବାକୁ ଚେଷ୍ଟା କରି ସେ ରୁକ୍ଷତାକୁ ଉଡ଼ାଇଦେବାକୁ ଚାହିଁଲା । କହିଲା—ମୁଁ ସୁଖୀହେଲି, ଦେବଳ, ଉତ୍ତମାପ୍ରତି ତୁମର ଏଇ ମମତା ଟିକକ ଦେଖି; ସେଇ ସହାନୁଭୂତି ଟିକକ ତୁମ ମନକୁ ସ୍ନିଗ୍ଧ ଏବଂ ସାର୍ଥକ କରିଦେବି, ଏତିକି ମାତ୍ର ଆଶା କରିପାରିଲେ ମୁଁ ନିଶ୍ଚିନ୍ତ ହୋଇ ଫେରି ପାରିବି ।

ଦେବଳ କିନ୍ତୁ ତାହିଁରେ ଭୁଲିଲା ନାହିଁ । କହିଲା—ଅତି ଦୁଃଖିତ ହେଲି, ମିତା । ଟିକିଏ ମୁଁ କଡ଼ାମିଜାଜ ଦେଖାଇ ପକାଇଛି; କିନ୍ତୁ ମୋ ମନର ଅବସ୍ଥା ବିଚାରକରି ତୁମେ ମୋତେ କ୍ଷମାଦେବ । ତୁମରି ମୁହଁ ରୁ ଆଜି ତୁମରି କଥା ଶୁଣିବାକୁ ଚାହେଁ । ଅନ୍ୟ କାହାରି କୌଣସି କଥାରେ ଏ ଅମୂଲ୍ୟ ସମୟ ଟିକକ ଖର୍ଚ୍ଚକରିଦେବାକୁ ମୁଁ ଚାହେଁନାହିଁ ।

ସାନ୍ତୁନାବୋଳା କଣ୍ଠରେ ମିତା କହିଲା, ଜୀବନଟା ଅନେକ ବଡ଼ । ତାକୁ ପରିପୂର୍ଣ୍ଣ କରିଦେବାଲଗି ଅନେକ ଜିନିଷ ଦରକାର । ତହିଁରେ ଅନେକ ମନୁଷ୍ୟର ଓ ଅନେକ ମନର ସ୍ପର୍ଶ ଲାଗିଥାଏ । ଆଜିକାଲି କେବଳ ଜନକୁ ଘେନି ତାହା ପୂର୍ଣ୍ଣ କରିଦେବା ସମ୍ଭବ ହୁଏ ନାହିଁ । ଆଚ୍ଛା ଉତ୍ତମାର କଥା ସେ ନିଜେ ଆସି କହୁ । ସେ ଯଦି ନିଜେ କହିନପାରେ, ତେବେ ତାହାର କହିପାରି ନଥିବା କଥାଟିକୁ ତୁମେ କିନ୍ତୁ ଉପେକ୍ଷା କରି ଦେବନାହିଁ ।

ପଛକୁ ଆସି ନାୟକ ଟିକେ ଗଳାଖଙ୍କାର ମାରି କାଶିଲା; ଅର୍ଥାତ୍ ଆଉ ବିଳମ୍ବ ନାହିଁ; ଏଥର ଚାଲନ୍ତୁ ।

ମିତା ଚାଲିଯିବ । ଦେବଳର ଜୀବନପଥରୁ ସେ ଶେଷଥର ପାଇଁ ଚାଲିଯିବ; କିନ୍ତୁ ସେହିବାଟ ଉପରେ ଏବଂ ଠିକ୍ ସେହିଠାରେ ହିଁ ସେହି ମୁହୂର୍ତ୍ତଠାରୁ ଦେବଳକୁ ଛିଡ଼ା ହୋଇ ହୋଇ ରହିବାକୁ ପଡ଼ିବ । ମନଟା ନିଶ୍ଚିଳ, ନିସ୍ତବଧ ଏବଂ ହୃଦୟରବ୍ୟଥା ଅସହ୍ୟ ହୋଇ ଉଠିବ; ତଥାପି ସେ ସବୁତକ ତାକୁ ହିଁ ସହ୍ୟକରିବାକୁ ପଡ଼ିବ । କେବଳ ମିତାର ସୁଖଲାଗି ନିଜର ମୁଖକୁ ସେ ହସହସ କରି ରଖିଥିବ ଏବଂ ମିତା ସମ୍ମୁଖରେ ସବୁ ରହିଗଲାଭଳି ଅଭିନୟ କରି ଚାଲିଥିବ ।

 

ଅବଶ୍ୟ ସେ ଯଦି କୋର୍ଟମାର୍ଶଲରେ ବଞ୍ଚିଯାଏ, ସେ ବଞ୍ଚିଯିବ । ତାହାର ଯଥେଷ୍ଟ ଆଭାସ ମିତା ଦେଇ ଯାଇଛି; କିନ୍ତୁ ହାୟ ! ଏହି ବଞ୍ଚି ରହିବାର ଅର୍ଥହେଲା—ସର୍ବସ୍ଵ ହରାଇ ମରିଯାଇ ପଡ଼ିରହିବା; ଜୀବନସାରା ମୃତ୍ୟୁଦଣ୍ଡ ।

 

ତଥାପି ବର୍ତ୍ତମାନ ମିତାକୁ ହସ ହସ ବଦନରେ ବିଦାୟ ଦେବାକୁ ପଡ଼ିବ । ଗାରଦର ସେପଟରେ ଥିବା ଓଏଟିଙ୍ଗ ରୁମରେ କର୍ଣ୍ଣେଲ ରାୟ ଅପେକ୍ଷାକରି ବସି ଅଛନ୍ତି ଏବଂ ତାଙ୍କ ସମ୍ମୁଖକୁ ମିତା ଯଦି ମ୍ଲାନମୁଖ ଘେନି ଫେରିଯାଏ, ତେବେ ତାହାହିଁ ହେବ ଦେବଳର ନୂତନ ପରାଜୟ । ନା, ନା, ଦେବଳ ହରି ଯାଇପାରେ—ଜୀବନରେ ମନ ମଧ୍ୟରେ ଏବଂ ମନ ମଧ୍ୟରେ ଥିବା ସମସ୍ତ ସମ୍ପଦରେ; ତଥାପି ସେ ପରାଜୟ ସ୍ଵୀକାର କରିବ ନାହିଁ । ହସ ହସ ବଦନରେ ମିତାକୁ ବିଦାୟଦେଇ ନିଜର ପରାଜୟକୁ ସେ ହସି ହସି ଭସାଇଦେବ ।

 

ବୀରତୁଲ୍ୟ ଦେବଳ ସଳଖହୋଇ ଛିଡ଼ାହେଲା । ସତେ କି ସମ୍ମୁଖରେ ଧାଡ଼ି ଧାଡ଼ି ହୋଇ ବନ୍ଧୁକଧାରୀ ସିପାହୀ ଛିଡ଼ା ହୋଇଛନ୍ତି । କାନ୍ଥ ସମ୍ମୁଖକୁ ଆସି ଛତିପତାଇ ଦେବଳକୁ ଛିଡ଼ାହେବାକୁ ପଡ଼ିବ ଯେ ।

 

“ଫା–ୟା–ର” ?

 

ଏକୋଇଶ

 

ଧୋତି ପଞ୍ଜାବୀ ପିନ୍ଧା ବଙ୍ଗାଳୀ ଭଦ୍ରଲୋକଟି ମଧ୍ୟରେ ଏକଦମ୍ ହାଲଫେଶନର ଇଉନିଫର୍ମପିନ୍ଧା କର୍ଣ୍ଣେଲ ରାୟଙ୍କୁ ଖୋଜି ପାଇବା କଠିନ ବ୍ୟାପାର; କିନ୍ତୁ ଠିକ୍ ପୂର୍ବବତ୍ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ଭଦ୍ରଲୋକଟି ଆସି ଛିଡ଼ାହେଲେ । ପୂର୍ବପରି ଶୋଭାବନ୍ତ ଏବଂ ଭାବଭଙ୍ଗୀ ସୁମଧୁର । ଅତ୍ୟନ୍ତ ଆନ୍ତରିକ ଭାବେ, ଚଞ୍ଚଳଗତିରେ ସେ ଦେବଳ ଆଡ଼କୁ ଆଗେଇ ଆସିଲେ । ଅତି ଭଦ୍ରତାରେ ଉଦ୍ଧତ ନୁହେଁ, କିନ୍ତୁ ସଭ୍ୟତାରେ ବିନୀତ ।

 

ଦେବଳ ଇତସ୍ତତଃ ହେଲା । ନମସ୍କାର କରିବ ନା ସେକ୍ ହ୍ୟାଣ୍ଡ ? ରାୟ କିନ୍ତୁ ଆଗେଇ ଆସି ତାକୁ ନିଜ ଆଲିଙ୍ଗନ ପାଶକୁ ଭିଡ଼ିନେଲେ । କହିଲେ—ଆପଣଙ୍କୁ ନମସ୍କାର, ଆପଣଙ୍କର ଜୟହେଉ ।

 

ହସି ହସି ଦେବଳ ପ୍ରତି ନମସ୍କାର ଜଣାଇ କହିଲେ—ଜୟ ଯଦି ହୁଏ, ତେବେ ତାହାହେବ ଆପଣଙ୍କର । କୋର୍ଟମାର୍ଶାଲବେଳେ ଆପଣ ହିଁ ମୋତେ ସରଜମିନ୍ ଉପରେ ଫାଶି ହୁକୁମରୁ ବଞ୍ଚାଇଛନ୍ତି । କେବଳ ସେତିକି ନୁହେଁ, ଆପଣଙ୍କ ଆଇନବିଦ୍ୟାର କଲ୍ୟାଣରୁ ସବୁ ଆଇ. ଏନ. ଏ. ନିର୍ଦ୍ଦୋଷ ବୋଲି ପ୍ରମାଣିତ ହେବେ । ଆପଣଙ୍କର ଜୟହେଉ ।

 

ରାୟ ଟିକିଏ ବିବ୍ରତ ଅନୁଭବ କଲେ । ନିଜ କଥାକୁ ଚାପିଦେବାକୁ ଚେଷ୍ଟାକରି କହିଲେ–ଶୁଣନ୍ତୁ, ଆପଣ ହିଁ ହେଲେ ପ୍ରକୃତ ବୀର ଏବଂ ଯୋଦ୍ଧା । ଦେଶର ସ୍ଵାଧୀନତା ପାଇଁ ଆପଣମାନେ ନିଜନିଜର ସର୍ବସ୍ଵ ଉତ୍ସର୍ଗ କରିଛନ୍ତି । ହେଇ ଶୁଣନ୍ତୁ, ଏବେ ବି ବାହାର “ଜୟହିନ୍ଦ୍” ଧ୍ଵନି ଅବିରାମ ଶୁଣାଯାଉଛି । ଦେଶସାରା ଆତ୍ମହରାହୋଇ ବୀରପୂଜା ଲାଗି ଉଠିଆସିଛନ୍ତି ।

 

—ଆତ୍ମହରା ହୋଇଅଛନ୍ତି ନିଶ୍ଚୟ; କିନ୍ତୁ ଆତ୍ମବିସ୍ମୃତି କଣ ଘୁଞ୍ଚିବ ?

 

ରାୟ କାଶି ଉଠି ବାଧାଦେବାକୁ ଇଚ୍ଛାକଲେ । କହିଲେ—ସେ ସବୁକଥା ଆଜିକାପାଇଁ ଥାଉ । ଆପଣଙ୍କ ସଙ୍ଗେ ମୋର ଯେତକ କଥାବାର୍ତ୍ତା ହେବାର ଅଛି, ସେତକ ପାଇଁ ଆଗେ ସମୟ ଦିଅନ୍ତୁ ।

 

ହାୟ ହାୟ ! ବିଜୟୀ ରାୟ କେମିତିବା ବୁଝିବେ, ପରାଜିତ ଦେବାଳର ବ୍ୟଥା ! କାହିଁକି ଦେବଳ ଏଣିକି କାହାରି ସଙ୍ଗେ ଏକାନ୍ତଭାବେ ନିଜର ସୁଖଦୁଃଖ ଆଲୋଚନା କରିବାକୁ ଚାହୁନାହିଁ, ସେ କଥା ରାୟ ବା କିପରି ବୁଝିବେ ? ତଥାପି ଦେବଳ ସିଧା ହୋଇ ଛିଡ଼ାହେଲା, ସତେ କି ତା ସମ୍ମୁଖରେ ଧାଡ଼ିଧାଡ଼ି ବନ୍ଧୁକଧାରୀ ସିପାହୀ ଛିଡ଼ା ହୋଇ ରହିଛନ୍ତି । କାନ୍ଥ ସମ୍ମୁଖକୁ ଆସି ଛାତିପତାଇ ତାକୁ ଛିଡ଼ାହେବାକୁ ପଡ଼ିବ ।

 

ଅତି ନରମଗଳାରେ ରାୟ କହିଲେ—ଆପଣଙ୍କ ନିକଟରେ ମୁଁ ଅନ୍ତରର କୃତଜ୍ଞତା ଜଣାଇବାକୁ ଆସିଛି ।

 

ଦେବଳ ଆଶ୍ଚର୍ଯ୍ୟ ହୋଇ ପଚାରିଲା—ମୋ ନିକଟରେ କୃତଜ୍ଞତା ? ଆପଣ ? କିନ୍ତୁ ଯେଉଁଥି ପାଇଁ ଆଜି ମୁଁ ବଞ୍ଚିରହିଛି, ସେଥିପାଇଁ ବରଂ ମୋର କୃତଜ୍ଞତା, ଚିର କୃତଜ୍ଞତା ଜଣାଇବାର କଥା ।

 

—ନା, ନା, ଆପଣ ବୁଝିପାରୁ ନାହାନ୍ତି । ଆପଣ ହିଁ ମୋର ଆଖି ଖୋଲି ଦେଇଛନ୍ତି । ପରମ ସମ୍ପଦର ସଦ୍ଧାନ ଆଜି ମୁଁ ପାଇ ପାରିଚି ।

 

ଦେବଳର କିନ୍ତୁ ରକ୍ଷାର ଉପାୟ ନାହିଁ । କୋର୍ଟ ମାର୍ଶାଲରୁ ସେ ବଞ୍ଚିଯାଇଚି ସତ, ମାତ୍ର ନିଜ ମନ ପାଖରୁ ସେ ନିସ୍କୃତି ପାଇ ପାରିନାହିଁ । ତାର ଆହତ ରକ୍ତାକ୍ତ ହୃଦୟ ପୁଣି ଥରେ ନିଜକୁ ସମ୍ଭାଳି ନେଲା । ସେ କହିଲା—ଚିରକାଳ ପାଇଁ ମୁଁ ଆପଣଙ୍କର ସୁଖ ସୌଭାଗ୍ୟ ପ୍ରାର୍ଥନା କରୁଚି । ଆପଣଙ୍କୁ ମୁଁ କେବଳ ଅଭିନନ୍ଦନ ଜଣାଉ ନାହିଁ, ଆପଣଙ୍କର ପରମ ସୁଖ କାମନା କରୁଚି ମଧ୍ୟ ।

 

କାହିଁକି ସେ ଏଭଳି କାମନା କରୁଚି, ସେ କଥା ସେ ଜାଣିବାକୁ ଚାହେଁନାହିଁ; ପ୍ରଶ୍ନ ମଧ୍ୟ କରୁନାହିଁ । ଶେଷରେ ଶୋକ ଆସିଲେ ମଧ୍ୟ ଶାନ୍ତି ମିଳୁ । ଜୀବନର ଏଇ ଅଧ୍ୟାୟ ଉପରେ ସେ ଦଉଡ଼ି ଟାଣି ପୋଥିଟିକୁ ବାନ୍ଧି ଦେବାକୁ ଚାହେଁ ।

 

ରାୟ ମଧ୍ୟ କଥାର ମର୍ମ ଟିକିଏ ଅନୁଭବ କରିପାରିଲେ । ତେଣୁ ସେ ପ୍ରସଙ୍ଗ ବଦଳାଇ ଦେବାକୁ ଚେଷ୍ଟାକଲେ । କହିଲି—ମୁଁ ମଧ୍ୟ ପ୍ରାର୍ଥନା କରୁଚି ଯେ, ଆପଣମାନଙ୍କ ଜୟ ଚରମ ଜୟରେ ପରିଣତ ହେଉ । ଆଜିର “ଜୟ ହିନ୍ଦ୍” ଧ୍ଵନିକୁ ଦେଶ ଯେପରି ଚିରଦିନ ପାଇଁ ଜାଗ୍ରତ କରି ରଖିବ ।

 

—ଧନ୍ୟବାଦ, ଧନ୍ୟବାଦ, କର୍ଣ୍ଣେଲ ରାୟ । ଆପଣ ବି ତ କମ୍ ସ୍ଵାର୍ଥତ୍ୟାଗ କରି ନାହାନ୍ତି ! ଅବଶ୍ୟ ଏକା ମୋରି ପାଇଁ ନୁହେଁ । ସାରା ଆଜାଦ ହିନ୍ଦ୍ ଦଳ ଏବଂ ସମଗ୍ର ଦେଶର ସ୍ଵାଧୀନତା ପାଇଁ ।

 

ସ୍ୱାର୍ଥତ୍ୟାଗ କଥା ଉଠିବାରୁ ରାୟଙ୍କ ମନ ମଧ୍ୟରେ ମିତା କଥା ଆସି ଉଦିତ ହେଲା । ମିଲିଟାରୀ ପଦମର୍ଯ୍ୟାଦା ସେ ଛାଡ଼ିଚି; କିନ୍ତୁ ସୁଧ ସମେତ ତାହା ଅବିଳମ୍ବେ ଅସୁଲ ହୋଇ ଆସିବ-। କଲିକତା ହାଇକୋର୍ଟ ତାର ପ୍ରମାଣ; କିନ୍ତୁ ଉପୁରି-ଲାଭ ସ୍ୱରୂପ ତାକୁ ମିଳିଲା—ମିତା । ପ୍ରକୃତରେ ଦେବଳ ହିଁ ଅସଲ ସ୍ୱାର୍ଥତ୍ୟାଗ କରିପାରିଚି । କେତେ ସହଜରେ କେତେ କଷ୍ଟ ସହି ସୁଦ୍ଧା ପରାଜୟ ସ୍ଵୀକାର କରି ସେ ଘୁଞ୍ଚି ଯାଇଚି । ସେକଥା ରାୟଙ୍କୁ ମିତା ଖୋଲି ଜଣାଇ ଦେଇଚି-

 

ସୁତରାଂ, ଦେବଳର ସୁଖ ଶାନ୍ତି କଥା ଚିନ୍ତା କରିବା ନିତାନ୍ତ ଦରକାର । ସେଇଥିପାଇଁ ସେ ଖୋଜି ଖୋଜି ଏଠାକୁ ଆସିଚି । ଯାହା କଲ୍ୟାଣରୁ ମିତାକୁ ସେ ଆବିଷ୍କାର କରିପାରିଚି, ତାକୁ ଶାନ୍ତି ମିଳୁ, ଏହା ହିଁ ପ୍ରାର୍ଥନା ।

 

କିଛି ସମୟ ଇତସ୍ତତଃ ହୋଇ ରାୟ ଧୀର ସ୍ୱରରେ କହିଲେ—ଆଉ ଜଣେ ମଧ୍ୟ ଆପଣଙ୍କ ସଙ୍ଗେ ଦେଖା କରିବା ପାଇଁ ଅପେକ୍ଷା କରିଅଛନ୍ତି । ଅନୁରୋଧ ରହିଲା, ତାଙ୍କୁ ଆପଣ ବୁଝିବାକୁ ଚେଷ୍ଟା କରନ୍ତୁ ।

 

ମିତାଠାରୁ ସବୁକଥା ଶୁଣିବା ପରେ ଏହାଠାରୁ ଅଧିକା ଆଉ ରାୟ କଅଣ କହିପାରନ୍ତେ-? ସେ କେବଳ ଦେବଳର ହାତ ଦୁଇଟିକୁ ଅତି ଆନ୍ତରିକ ଭାବେ ନିଜ ମୁଠାମଧ୍ୟରେ ଧରି ରଖିଲେ-

 

ଏହାରି ଉତ୍ତରରେ ଦେବଳ ମିତାକୁ ଆଘାତ କରିଥିଲା ସିନା ? କିନ୍ତୁ ରାୟଙ୍କୁ ତାହା କଣ କରାଯାଇ ପାରେ ? ତାଙ୍କୁ କଣ କୁହାଯାଇ ପାରିବ ଯେ, ଦେବଳ ଏବଂ ଉତ୍ତମା ବିଷୟ ଘେନି ତାଙ୍କର ମୁଣ୍ଡ ଘୂରାଇବା ଦରକାର ନାହିଁ ବୋଲି ? ମିଥ୍ୟା ଅଭିନୟ କରିବା ଛଡ଼ି ଯଦି ସେ ପ୍ରକୃତ ଉତ୍ତର ଦିଏ, ତେବେ ତାହା ରାୟଙ୍କୁ ନିଶ୍ଚୟ କଷ୍ଟଦେବ; ରାୟଙ୍କୁ ଖୁବବେଶି ବାଧିବ । ନିଜ ଜୀବନଦାତାକୁ ସେ କେବେହେଲେ କଷ୍ଟ ଦେଇପାରିବ ନାହିଁ; ଆଉ ମଧ୍ୟ ମିତାର ପ୍ରିୟପାତ୍ରକୁ ! ତାର ପ୍ରତିଧ୍ୱନି ମଧ୍ୟ ମିତାର ମନମଧ୍ୟରେ ପ୍ରତିଧ୍ୱନି ଉଠାଇବ ।

 

ରାୟଙ୍କ ହାତଟିକୁ ନିଜମୁଠା ମଧ୍ୟରେ ଧରି ନୀରବରେ ଦେବଳ ଚାଲିଚାଲି ଆସି ଲୁହାଗାରଦର କବାଟ ପାଖରେ ଛିଡ଼ାହେଲା । ରାୟ ସବୁ କଥା ବୁଝିପାରିଲେ, କିନ୍ତୁ କିଛି ନବୁଝିଲାପରି । କିଛି ଯେପରି ହୋଇନାହିଁ ଏହିଭଳି ଭାବ ଦେଖାଇ ଶୁଭ କାମନା କରି ବାହାରି ଆସିଲେ ।

 

ଉତ୍ତମାକୁ କଅଣ କହିବ, ସେଇ କଥାଟି ଭାବି ଭାବି, କିଛି ଠିକ୍ କରିପାରିଲା ନାହିଁ ଦେବଳ । ତାକୁ ମତୁଆଳ କରି ଛାଡ଼ିବା ପାଇଁ ଏକ ସମୟରେ ସେ ସ୍ୱପ୍ନବିହ୍ୱଳ ହୋଇ ପଡ଼ିଥିଲା; କିନ୍ତୁ ଏକମତ ହୋଇ ଗୋଟାଏ ଉଦ୍ଦେଶ୍ୟ ଘେନି କାମ କରିବାକୁ ଯାଇ ଏକପ୍ରାଣ ହୋଇଯିବାକୁ ପଡ଼ିବ, ସେକଥା ତ ଦେବଳ ପୂର୍ବରୁ ଜାଣିନଥିଲା ! ରାସଉତ୍ସବ ବେଳେ ରେକଡ଼ କରାଯାଇଥିବା ସବୁ କଥାଗୁଡ଼ିକ ତା ମନେ ପଡ଼ିଗଲା । ଗୋଟିଏ କୁମାରୀର ନବନୀରବ ପ୍ରୀତି ।

 

କୋର୍ଟ ମାର୍ଶାଲ ପରେ ଅନେକ ଦିନ ପର୍ଯ୍ୟନ୍ତ ଦେବଳ ରାସଲୀଳା ଆଗର ସବୁ କଥାଗୁଡ଼ିକୁ ଟିକିନିଖି କରି ଭାବିଚିନ୍ତି ଦେଖିଥିଲା । ଆଗରୁ ସେ ଲକ୍ଷ୍ୟ କରିଥିଲା ଯେ, କିଛିଦିନ ପର୍ଯ୍ୟନ୍ତ ଉତ୍ତମାର କଥାଗୁଡ଼ିକ ଟିକିଏ କାବ୍ୟମୟ ଏବଂ ଗୁପ୍ତମନର କଥାଭଳି ହୋଇ ଉଠୁଥିଲା; କିନ୍ତୁ ଉତ୍ତମା ହିଁ ତାହାର କାରଣ ଦେଖାଇ ଦେଇଥିଲା । ଘୋର ଦୁଶ୍ଚିନ୍ତା ମଧ୍ୟରେ ଥାଇ ଦିନସାରା କେବଳ ପରିସ୍ଥିତିକୁ ଘେନି ଆଲୋଚନା କରିବସିଲେ ତ ଚଳିବ ନାହିଁ । ଶତ୍ରୁପକ୍ଷର ଗୁପ୍ତଚରମାନେ ତହିଁରେ ସନ୍ଦେହକରି ଆଡ଼ି ପାତି ରହିପାରନ୍ତି । ପ୍ରେମାଳାପ କିମ୍ବା ସେହିଜାତୀୟ ଅନ୍ୟ କିଛି କଥା ଶୁଣିଲେ ସେମାନେ ତହିଁରେ ମୁଣ୍ଡ ପୂରାଇବେ ନାହିଁ ।

 

ଦୁଇଟି ଝକ୍‍ମକି ପଥର ଘଷାଘଷିକଲେ ଅଗ୍ନି ନିର୍ଗତ ହୋଇଥାଏ; କିନ୍ତୁ ଦେବଳ ତ କୌଣସିଦିନ ହୃଦୟର କଥାଘେନି କଥାବାର୍ତ୍ତା କରିନାହିଁ । ପ୍ରତିଧ୍ୱନି ମଧ୍ୟ ଦେଇନାହିଁ ! ସବୁଗୁଡ଼ିକୁ ଏକତରଫା ବୋଲି କୁହାଯାଇପାରେ ।

 

କିନ୍ତୁ ଖଣ୍ଡିଏ ପଥର ଯଦି ନିଶ୍ଚଳ ହୋଇଥାଏ ଏବଂ ଆଉ ଖଣ୍ଡିଏ ପଥର ଆସି ଅନବରତ ତହିଁରେ ଘଷି ହୋଇ ଯାଉଥାଏ, ତେବେ ବି ତହିଁରୁ ଅଗ୍ନି ଝରିପଡ଼େ; ତଥାପି ତହିଁରେ କଅଣ ଦେବଳର କୌଣସି ଦାୟିତ୍ୱନଥିଲା ? ଦେଶପାଇଁ କାମ, କେବଳ ଦେଶପାଇଁ କାମ । ଯେ କୌଣସି କାମ କରିବାପାଇଁ ପୁରୁଷ ଓ ନାରୀ ହାତ ଧରାଧରି ହୋଇ ବାଟ ଚାଲିଲାବେଳେ ସେମାନଙ୍କ ଅଲକ୍ଷ୍ୟରେ ଜାଗିଉଠୁଥିବା ପ୍ରେମସମ୍ୱନ୍ଧରେ ସେମାନଙ୍କର କୌଣସି ଦାୟିତ୍ୱ ଆସିପାରେ ନାହିଁ । ସହକର୍ମଣୀ ଯଦି ଏକା ଧର୍ମର ପୂଜାରୀ ବୋଲି ସହଧର୍ମିଣୀ ହୋଇଉଠେ, ତେବେ କଅଣ ଦୁଇ ଜଣଙ୍କୁ ଭାବିତ ହେବାର ବନ୍ଧନରେ ଧରା ପଡ଼ିଯିବାକୁ ପଡ଼ିବ ? ତେବେ ତ ଏ ଯୁଗରେ କୌଣସି କାର୍ଯ୍ୟ କରିହେବ ନାହିଁ !

 

ଅନେକ ଯୁକ୍ତି, ଅନେକ ତର୍କ ମଧ୍ୟଦେଇ ଦେବଳ ନିଜ ମନମଧ୍ୟରେ ନିଜର ସଫେଇ ଗାଇଛି । କୌଣସି ଦାୟିତ୍ୱ ତାର ନଥିଲା । ବାଧ୍ୟବାଧକତା ବା ଦାବୀ ନଥିଲା । ତଥାପି.... ?

 

ହଁ, କେବଳ ଗୋଟିଏ ବାଧ୍ୟବାଧକତା ଥିଲା; ନିଜ ନିକଟରେ ହିଁ ତାର ସେ ବାଧ୍ୟତା । ମିତାକୁ ସେ ଯେଉଁ ମନଟି ଦେଇଦେଇଛି, ତାକୁ ଯଦି ମିତା ଗ୍ରହଣ କରି ନପାରେ ? କିନ୍ତୁ ନେଇସାରିଲାପରେ ସେ ମନଉପରେ ନିଜର ଅଧିକାର ସେ ଶେଷ କରିଦେଇସାରିଛି । ସଂସାରମଧ୍ୟରେ ଅନ୍ୟ କାହାରିପାଇଁ ତା ପ୍ରେମର ସାମାନ୍ୟ ଟିକିଏ ସୁଦ୍ଧା ବାକି ନାହିଁ ।

 

ତଥାପି ସେ ନିଜକୁ ପରୀକ୍ଷାକରି ଦେଖିଛି । ଉତ୍ତମାପାଇଁ ତାର ଗୋଟାଏ ଦାୟିତ୍ୱ ନିଶ୍ଚୟ ଜନ୍ମିଯାଇଛି ? ସେଇଁ ତ ତାକୁ ଏ ବାଟକୁ ଆଣିଥିଲା ! କୋର୍ଟ ମାର୍ଶାଲବେଳେ ତାହାରିପାଇଁ ତ ଉତ୍ତମା ଏତେ ଲାଞ୍ଛନା ଭୋଗକରିଥିଲା ଏବଂ ଏତେ ଜଣାଶୁଣା ହୋଇଗଲା । ତାକୁ ବଞ୍ଚାଇବାପାଇଁ ଉତ୍ତମାର ବ୍ୟକ୍ତିତ୍ଵ...ପ୍ରେମ ମଧ୍ୟ...ଏଭଳି ବିକଶିତହୋଇ ଉଠିଲା । ଅନ୍ତତଃ ସେ କ୍ଷତିର କ୍ଷତିପୂରଣ ଦେବାକୁ ତ ପଡ଼ିବ !

 

କିନ୍ତୁ ନିଜପାଖରେ ଯଦି କୌଣସି କାଣିକଉଡ଼ିର ସମ୍ବଳ ନଥାଏ ? ସଂସାରର ନିୟମ ଅନୁସାରେ ଦେଉଳିଆ ହେଲେ ଜେଲ୍ ଯିବାକୁ ପଡ଼େ । ମନର ଆଇନ ଅନୁସାରେ କେତେ ଦେଉଳିଆ ତ ଜୀବନସାରା ମାନସିକ ଜେଲ୍ ଭୋଗ କରୁଥାଆନ୍ତି । ଉତ୍ତମା ତାକୁ ଭଲ ପାଏ ବୋଲି କଅଣ ତାକୁ ସେହି ଜେଲ୍ମଧ୍ୟରେ ସଙ୍ଗିନୀରୂପେ ଧରି ରଖିବାକୁ ପଡ଼ିବ ?

 

ଜେଲ୍ ମଧ୍ୟରେ ଛିଡ଼ାହୋଇ ରହିଛି ଉତ୍ତମା—ତା’ରି ସମ୍ମୁଖରେ ମୁହାଁମୁହିଁ ହୋଇ । କିଛିହେଲେ ତ ଦିପଦ କଥା କହିବାକୁ ପଡ଼ିବ ?

 

ଦେବଳ ଏତିକି କହିଲା—ତୁମର ସ୍ଵାସ୍ଥ୍ୟ ଖୁବ୍ ଖରାପ ହୋଇଯାଇଛି ଉତ୍ତମା ? ନିଜ ଶରୀରର ଯତ୍ନନିଅ । ଏଣିକି ତ ଆଉ ତୁମର ମୋପାଇଁ କୌଣସି ଭାବନା ନଥିବ ! ତୁମେ ତୁମ ବାପାଙ୍କ କଥା ଚିନ୍ତାକର । ମୋ କଥା ଭୁଲିଯାଅ ।

 

ଦେବଳ ଚୁପ୍‍ ହୋଇ ରହିଲା । ଉତ୍ତମା ମଧ୍ୟ ।

 

ଚତୁର୍ଦ୍ଦିଗ ନୀରବହୋଇ ଆସୁଛି । ସନ୍ଧ୍ୟା ଆଗତପ୍ରାୟ । ଏତିକିରେ “ଜୟହିନ୍ଦ୍” ଧ୍ଵନିପରେ ଟିକିଏ ନୀରବତା ହଠାତ୍ ଅନୁଭୂତ ହେଲା । ଦେବଳ ଚମକି ଉଠିଲା । କେବଳ ତା ହାତଘଡ଼ିଟା ବର୍ତ୍ତମାନ ସୁଦ୍ଧା ଟୁକଟୁକ୍ ଶବ୍ଦ କରି ଚାଲିଛି ।

 

ଉତ୍ତମା ହିଁ କଥା କହିଲା—ସିନିୟର କମାଣ୍ଡର ? ମିତାଦେବୀ ଆସିଥିଲେ । ଆଡ଼ଭୋକେଟ୍ ରାୟ ସାହେବ ମଧ୍ୟ ଆସିଥିଲେ । ସେହି ମାନେହିଁ ମୋ ସହିତ ତୁମର ସାକ୍ଷାତ ହେବାର ବନ୍ଦୋବସ୍ତ କରିଦେଇ ଅଛନ୍ତି । ସେମାନଙ୍କ ନିକଟରେ ମୁଁ କୃତଜ୍ଞ ।

 

ଆଉ କିଛି କହିବାକୁ ଉତ୍ତମାର ସାହସ କୁଳୀଉ ନାହିଁ । ଅଧିକା କିଛି ସେ ପ୍ରତ୍ୟାଶା କରିପାରୁ ନାହିଁ । ଯେଉଁକଥା ସେ କହିବାକୁ ଚାହେଁ ଓ ଶୁଣିବାକୁ ଚାହେଁ, ତାହା ଆରମ୍ଭ ହେବା ଉଚିତ୍ ଥିଲା ଦେବଳଆଡ଼ୁ; କିନ୍ତୁ ହାୟ ? ଆରମ୍ଭ ହେବା ତ ଦୂରର କଥା, କୌଣସିଦିନ ତାର ଇଙ୍ଗିତ ମଧ୍ୟ ଦେବଳଆଡ଼ୁ ଆସିଲାଭଳି ମନେ ହେଉନାହିଁ । ମିଲିଟାରୀ ଫେରାଦୀ ପକ୍ଷ ତାର ସାକ୍ଷ୍ୟ ଠିକ୍ ମୁତାବକ ଜାଣିବାପାଇଁ ତାକୁ କୋର୍ଟ ମାର୍ଶାଲରେ ଜମାନବନ୍ଦି, ରାୟଙ୍କ ଜେରା ଏବଂ ଆହୁରି ଅନେକ କାଗଜପତ୍ର ଥିଲେ । ସେ ସେହିସବୁ ଦେଖି ସବୁକଥା ବୁଝିପାରିଛି । ଯାହା କୌଣସି ଲୋକ, ବିଚାରକମଣ୍ଡଳୀ ବା ଓକିଲଙ୍କ ନଜରରେ ପଡ଼ନ୍ତା ସେହିସବୁ କଥା ନାରୀର ଦୃଷ୍ଟିପଥରେ ଧରାପଡ଼ିଛି । ହାୟ ?

 

—ଭଲପାଏଁ ବୋଲି କଣ ଭିଖାରୀ ହୋଇପାରେ ?

 

ଦେବଳ ଏତିକିମାତ୍ର ଉତ୍ତରଦେଲା—ତୁମେ ସୁଖରେ ଥାଅ । ନିର ମୁଁ ତୁମକୁ ନେତାଜୀଙ୍କ କାର୍ଯ୍ୟ ଭିତରକୁ ଟାଣି ଆଣିବାଦ୍ଵାରା ତୁ ତ ହଇରାଣ ହୋଇଛ ଏବଂ ବିପଦରେ ମଧ୍ୟ ପଡ଼ିଛ । ସେ ସବୁ ସୌଭାଗ୍ୟବୋଲି ତୁମେ ନିଜମୁଣ୍ଡ ଉପରକୁ ଟେକିନେଇଛ । ତୁମର ଆଦର୍ଶ ମୂର୍ତ୍ତିକୁ ମୁଁ ସାରାଜୀବନ ଶ୍ରଦ୍ଧା କରିବି । ତୁମ ବାପାଙ୍କୁ ମୋର ଜଣାଇବ ।

 

ତାଙ୍କ କଥା ଉଠିବାରୁ ଉତ୍ତମା ବଞ୍ଚିଗଲା । କହିଲା—ବାପା ମଧ୍ୟ ଏ ଆସିଛନ୍ତି । ଦିଲ୍ଲୀକୁ ଆସିଛନ୍ତି । ମୁକ୍ତି ପାଇଲେ ତୁମେ ଥରେ ତା ସହିତ ଦେଖା କରିବାକୁ ଯିବ ।

 

ହୃଦୟ ଘେନି କେଉଁ ଦ୍ଵନ୍ଦ ପୁଣି ଆରମ୍ଭ ହୋଇଯାଇ ପାରିବ ? ଦେବଳ ନିଜ ପାଇଁ ଆଉ ଇତସ୍ତତଃ ହୋଇପାରିବ ନାହିଁ । କିନ୍ତୁ ଉତ୍ତମା ? ପାଇଁ ଉତ୍ତମା ପାଖରୁ ଦୂରେଇ ରହିବା ଦରକାର । ଯାହାକୁ କିଛି ଦେବି ବି ନାହିଁ, ତାହାରି ଆଖି ଆଗରେ ବାରମ୍ବାର ଉପସ୍ଥିତ ହେବାପାଇଁ ସେ ସମ୍ଭାବନାର ଆଭାସ ଦେବା ଠିକ୍ ହେବ ନାହିଁ । ତଥାପି ଦେବଳ କି—ତୁମ ଭଳି ଝିଅର ବାପ ସାରା ଦେଶର ଶ୍ରଦ୍ଧା ପାଇବାକୁ ହକ୍‍ଦାର ତାଙ୍କ ସହିତ ମୁଁ ନିଶ୍ଚୟ ଦେଖା କରିବି ।

 

ଅଳ୍ପ ଟିକିଏ ତୁନିଟାଇ ରହି ଦେବଳ ପୁଣି ଥରେ କହିଲା—ତୁମମାନଙ୍କ ଅଞ୍ଚଳ ବୋଧର ଏତେବେଳକୁ ଥଣ୍ଡା ପଡ଼ିଯିବଣୀ । ସେଠି ତୁମକୁ ଲୋକେ କେତେ ନ ଜଣାଇବେ, ପୂଜା କରିବେ, ସେ କଥା ଭାବିବାକୁ ମୋତେ ଭଲ ଲାଗିଛି । ସରକାର ପକ୍ଷ ତୁମକୁ ସାକ୍ଷୀହିସାବରେ ହାଜିର କରିବା ସତ୍ତ୍ୱେ ତମେ ଯେଉଁ ଦୁଃସାହସିକ ବୀରତ୍ୱର ପରିଚୟ ଦେଇଛ, ତାହା ତୁମ ଦେଶର ଲୋକେ ପରିଷ୍କାର ଭାବେ ଏତେଦିନକେ ଜାଣି ପାରିଛନ୍ତି ।

 

ଉତ୍ତମା ମୁଣ୍ଡନୁଆଁଇ ରହିଲା । ମୃଦୁସ୍ଵରରେ କହିଲା—ତେବେ କେବେ ଆଉ ଦେଖାହେବ ? ଦେବଳ ତାର ଏଇ କଥାର ଉତ୍ତର ଦେଇ ପାରିଲା ନାହିଁ । ଠିକ୍ ଏଇ ସମୟରେ ଜଣେ ଟମି ଆସି ଜଣାଇ ଦେଇଗଲା ଯେ, ମହିଳା ଭିଜିଟରଙ୍କୁ ଏହିକ୍ଷଣି ଚାଲିଯିବାକୁ ପଡ଼ିବ । ସନ୍ଧ୍ୟା ଆସିଯାଉଛି । କିଲ୍ଲାର ସୈନ୍ୟମାନେ ଏହିକ୍ଷଣି ଶିଙ୍ଗାଫୁଙ୍କି “ରିଟ୍ରିଟ୍” ବଜାଇବେ; ଅର୍ଥାତ୍ ସବୁ ପହରାଦାର ସୈନ୍ୟମାନେ ଏ ଧ୍ୱନି ଶୁଣି କିଲ୍ଲାକୁ ଫେରି ଆସିବେ ଏବଂ କିଲ୍ଲାର ଫାଟକ ଗୁଡ଼ାକ ଏଇ ସଙ୍କେତରେ ବନ୍ଦ ହୋଇଯିବ ।

 

ବିଲାତୀ ବେଗ୍‍ପାଇପ୍‍ର ବାଦ୍ୟ ବାଜିଉଠିଲା । ତା’ର ନେହେଲା ଯେପରି କି ବିଦାୟର କରୁଣ ସ୍ୱର ବାଜି ଉଠୁଛି । ସନ୍ଧ୍ୟା ହୁଏ ଅବତରଣ କରି ଆସୁଛି । ଭୁବନସାରା ବିଛେଇ ହୋଇଯିବ–ନିର୍ଜ୍ଜନାକୁ ସନ୍ଧ୍ୟା ।

 

ଏଇଭଳି ଗୋଟିଏ ରିକ୍ତ ସନ୍ଧ୍ୟା କଣ ଦେବଳକୁ ମାଡ଼ି ଆସୁଛି ? ମୁହୂର୍ତ୍ତକ ପାଇଁ ଦେବଳ ଏଇ କଥାଟିକୁ—କେବଳ ନିମିଷକ ପାଇଁ । ପରମୁହୂର୍ତ୍ତରେ ନିଜକୁ ଖୁବ୍ ଶକ୍ତ ଓ ସାପ କରିନେଲା । ସେ ବୀର ଏବଂ ଯୋଦ୍ଧା । ହାରି ଯାଇପାରେ; ମାତ୍ର ଅଜୟ ସ୍ଵୀକାର କରିବାର ପାତ୍ର ସେ ନୁହେଁ । ଜୀବନ ଓ ଭାଗ୍ୟ ସଙ୍ଗରେ ଯୁଦ୍ଧ କରିବାପାଇଁ ଶକ୍ତିହିଁ ତାର ସବୁଠାରୁ ବଡ଼ ଲାଭ । ସବୁଠାରୁ ବଡ଼ ସଞ୍ଚୟ । ତା ପକ୍ଷରେ ସନ୍ଧ୍ୟା ରିକ୍ତ—ସନ୍ଧ୍ୟା ନୁହେଁ, ତା’ର ସନ୍ଧ୍ୟା ରକ୍ତରାଗରେ ପରିପୂର୍ଣ୍ଣ । ସ୍ୱାଧୀନତା ଯୁଦ୍ଧରେ ସେ ନିଜ ଦେହର ରକ୍ତ ନିଗାଡ଼ିଛି । ଅଞ୍ଜଳି ପୂର୍ଣ୍ଣକରି ସେ ନିଜର ରକ୍ତିମ ହୃଦୟକୁ ପୁଷ୍ପାଞ୍ଜଳି ଦେଇଛି । ସେଇ ରକ୍ତରାଗ ହିଁ ତାହାର ଆକାଶରେ ଭରିଯିବ । ସେତେବେଳେ ତା’ର ନିଜସ୍ୱ ହୋଇ କିଛି ଆଉ ନଥିବ ।

 

ଧୀରେ ଧୀରେ ଉତ୍ତମା ଲୁହାଗେରଦ ଆଡ଼କୁ ଫେରି ଆସିଲା । ପୁଣି କଅଣ ମନେକରି ଫେରି ଚାହିଁଲା, ଦେଖିଲା, ସିଧାସଳଖ ଛିଡ଼ା ହୋଇ ଦେବଳ ତାହାର ଆଡ଼କୁ ଅନାଇ ରହିଛି । ମୁହଁ ଉପରେ ତା’ର ସନ୍ଧ୍ୟାର ରକ୍ତିମ ଆଭା ଫୁଟି ଉଠିଛି ।

 

ରିଟ୍ରିଟ୍ ବଜାଇବା ସଙ୍ଗେ ସଙ୍ଗେ ଇଂରେଜଙ୍କ ‘ଇଉନିୟନ୍ ଜାକ୍’ ପ୍ରତିଦିନର ସନ୍ଧ୍ୟାପରି ଆଜି ବି ଲାଲକିଲ୍ଲା ମଥନଉପରୁ ଧୀରେ ଧୀରେ ଓହ୍ଲାଇ ଆସିଲା । ଲାଲକିଲ୍ଲାର ପଥର ପାଚିରୀଦେହରେ କରୁଣଭାବେ ରଞ୍ଜିତ କରିଦେଲା ଆସନ୍ନ ସନ୍ଧ୍ୟାର ରକ୍ତରାଗ

Image